favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!!

ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!!

ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ପରମ୍ପରା ମଧ୍ୟରେ ଅନନ୍ୟ ହେଉଛି ନବକଳେବର୤ ମୃତ୍ୟୁପରେ ନବଜନ୍ମପରି ଏକ ଧାରଣାକୁ ସୁଦୃଢ଼ କରିବାପାଇଁ ମହାପ୍ରଭୂ ପ୍ରତି ଦୁଇଦଶନ୍ଧିରେ ଅନ୍ୟୁନ ଥରେ ନିଜେ ସ୍ବରୂପ (ବିଗ୍ରହ) ତ୍ୟାଗକରି ନୂତନ ବିଗ୍ରହ ଧାରଣ କରିଥାନ୍ତି୤ ମନ୍ଦିର ପ୍ରତିଷ୍ଠାକାଳରୁ ଏହା ଅନୁଷ୍ଠିତ ହୋଇଆସୁଛି୤ ଯୁଗଯୁଗରୁ ଏହି ପାରମ୍ପରିକ ଉତ୍ସବକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ୤ ବିଗତ ନବକଳେବର ସମୟରେ ପୁରୀରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ ଜମା ହୋଇଥିଲେ, ଏବଂ ଚଳିତ ବର୍ଷ ଏହି ସଂଖ୍ୟା ଦଶଲକ୍ଷରୁ ଅଧିକ ହେବା ଆଶଂକାରେ ସରକାର ପୁରୀ ଏବଂ ଏହା ସଂଲଗ୍ନ ସମସ୍ତ ଅଞ୍ଚଳରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଥିଲେ୤ କିନ୍ତୁ ଅନ୍ୟ ସମସ୍ତ ନବକଳେବର ପରି ଚଳିତ ବର୍ଷର ଯୋଜନା ମୂଳରୁ ହିଁ ବିବାଦରେ ଛନ୍ଦି ହୋଇପଡ଼ିଥିଲା୤ ବନଯାଗରେ ଯାଇଥିବା ଦଇତାପତି ମାନଙ୍କ ମଧ୍ୟରେ ମନୋମାଳିନ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା୤ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ ନିରୁପଣରେ ବାରମ୍ବାର ପରିବର୍ତ୍ତନ ପରେ ଏହାକୁ ନେଇ ହେଉଥିବା ରାଜନୀତି ସର୍ବଜନବିଦିତ ହୋଇପଡ଼ିଥିଲା୤ ମହାପ୍ରଭୂଙ୍କ ଯେଉଁ ସବୁ ନୀତି ଗୁପ୍ତରେ ହେଉଥିଲା ତାହା ଚଳିତ ବର୍ଷ ସମ୍ପୂର୍ଣ୍ଣରୂପେ ଓଲଟା ହୋଇଯାଇଥିଲା୤ ଓଡ଼ିଶାର ଗଣମାଧ୍ୟମ ଏହାକୁ ଏକ ବଡ଼ ସମ୍ବାଦ ବୋଲି ଦେଖାଇବାକୁ ଯାଇ ସମସ୍ତ ରିତିନୀତିକୁ ଖୋଲାଖୋଲି ଗଣମାଧ୍ୟମରେ ପ୍ରକାଶ କରିଚାଲିଲେ୤

ବନଯାଗରେ ଯାଉଥିବା ଦଇତାପତିମାନେ କୌଣସି ସୁଖସୁବିଧା ଗ୍ରହଣ କରିବେ ନାହିଁ ବୋଲି ଆମେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ସମ୍ବାଦରେ ପଢ଼ିଥିଲୁ, ଏମିତିକି ସେମାନଙ୍କୁ ଦାନ୍ତସଫା କରିବାପାଇଁ ପେଷ୍ଟ ବ୍ୟବହାର ବର୍ଜିତ ଥିଲା, କିନ୍ତୁ ସେମାନେ ଯାତ୍ରା କରୁଥିବା ସମୟରେ ବିଶ୍ରାମ ଉଦ୍ଦେଶ୍ୟରେ ନିର୍ମିତ ଆଶ୍ରୟସ୍ଥଳରେ କୁଲର୍ ଓ ସାୱାର୍ ଆଦିର ବ୍ୟବସ୍ଥା ହୋଇଥିଲା୤ ଅବଶ୍ୟ ସମୟ ସହ ଏ ସବୁ ସାଧାରଣ ଦୈନନ୍ଦିନ ବସ୍ତୁ ହୋଇଗଲାଣି, ତେଣୁ ଏହାକୁ ନେଇ ଆମେ କୌଣସି ଅଭିଯୋଗ କରିବା ଅନୁଚିତ ହେବ୤ କିନ୍ତୁ କିଛି ଦଇତାପତି ମୋବାଇଲ୍ ଧରି ବନଯାଗ ଯାତ୍ରା ସମୟରେ ଫୋଟୋ ଉଠାଇ ଫେସବୁକ ଓ ହ୍ବାଟସଆପ୍‌ରେ ଅନ୍ୟମାନଙ୍କ ପାଇଁ ପଠାଉଥିଲେ୤ ଗଣମାଧ୍ୟମମାନେ ମଧ୍ୟ ଏଥିରୁ ଅନେକ ଫାଇଦା ଉଠାଇଥିଲେ୤

ଦାରୁ ନିର୍ଦ୍ଦିଷ୍ଟ ହେବାପରେ ଏହାକୁ ଅନ୍ୟମାନଙ୍କଠାରୁ ଦୂରରେ ରଖିବା ନିୟମଥିଲେ ମଧ୍ୟ କିଛି ରାଜନୈତିକ ବ୍ୟକ୍ତି ତଥା ଧନିକଶ୍ରେଣୀର ବ୍ୟକ୍ତି ଦଇତାପତିଙ୍କୁ ପାରିତୋଷିକ ଦାନକରି ଦାରୁ ନିକଟରେ ଠିଆ ହୋଇ ଫୋଟୋ ଉଠାଇଥିଲେ ଏବଂ ଛୁଇଁଥିଲେ ମଧ୍ୟ୤ ଦାରୁକୁ ସଂଗ୍ରହସ୍ଥାନରୁ ଶ୍ରୀମନ୍ଦିରକୁ ଅଣାଯାଉଥିବା ବେଳେ ଦାରୁଶଗଡ଼ି ଉପରେ ମଧ୍ୟ ଦଇତାପତିଙ୍କ ବ୍ୟତୀତ ଅନେକ ଲୋକ ଚଢ଼ିବା ଦେଖାଯାଇଥିଲା୤ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା୤ ନବକଳେବର ପାଇଁ ସରକାର ୨୦୧୦ ମସିହାରେ କମିଟି ଗଠନ କରିଥିଲେ ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରି ଜଣାପଡ଼ୁଥିଲା ଯେ ଏହି କାର୍ଯ୍ୟରେ ନିୟୋଜିତ ଦଇତାପତିମାନେ ନିଜ କର୍ମକୁ ନେଇ ଏତେ ଗମ୍ଭୀର ନଥିଲେ୤ ଦାରୁ ସଂଗ୍ରହପରେ ସବୁ ଦାରୁ ଶ୍ରୀମନ୍ଦିର ପରିସରରେ କୋଇଲି ବୈକୁଣ୍ଠରେ ନିର୍ମିତ ଅସ୍ଥାୟୀ ବିଶ୍ବକର୍ମା କୁଟୀରରେ ପହଞ୍ଚାଇ ଦେବାପରେ ଲାଗିଲା ସତେ ଯେମିତି ଆଗକୁ ଆଉ କୌଣସି ବିଭ୍ରାଟ ହେବନାହିଁ୤ ଦାରୁ ମନ୍ଦିର ଭିତରେ ଓ ପୁରୁଣା ବିଗ୍ରହ ମଧ୍ୟ ମନ୍ଦିର ଭିତରେ, ସବୁକିଛି ସୁରୁଖୁରୁରେ ଅନୁଷ୍ଠିତ ହୋଇଯିବ, ହେଲେ ଜଗନ୍ନାଥଙ୍କ ଲକ୍ଷାଧିକ ଭକ୍ତଙ୍କ ଭାବନା ସହ ଖେଳାଗଲା୤ ଶ୍ରୀମନ୍ଦିର ଇତିହାସରେ ଘଟିନଥିବା ଘଟଣା ସବୁ ଘଟିଲା୤

ଆଗରୁ ସୂଚନାଥିଲା ଯେ ଜୁନ୍ ମାସ ପନ୍ଦର ତାରିଖ ମଧ୍ୟରାତ୍ରୀର ଅନ୍ଧକାରରେ ପୁରୁଣା ବିଗ୍ରହରୁ ବ୍ରହ୍ମକୁ ବାହାର କରି ନୂତନ ବିଗ୍ରହରେ ସ୍ଥାପନ କରାଯିବ୤ ଏଥିପାଇଁ ସମୁଦାୟ ପୁରୀ ସହରର ବିଜୁଳି ବଣ୍ଟନ ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ୤ ଏହି ଅବସରରେ ବଡ଼ଦାଣ୍ଡ ଭକ୍ତଙ୍କ ଦ୍ବାରା ଭର୍ତ୍ତି ହୋଇଯାଇଥିଲା୤ ସମସ୍ତ ଭକ୍ତ ମନ୍ଦିର ବାହାରେ ବସିରହିଥିଲେ ଭଜନ କୀର୍ତ୍ତନ, ହୋମଯଜ୍ଞ, ଜୟ ଜଗନ୍ନାଥ ଜପ କରି ସମସ୍ତେ ବ୍ରହ୍ମ ସଂସ୍ଥାପନ ସୁରୁଖୁରୁରେ ହେଇଯାଉ ବୋଲି ପ୍ରାର୍ଥନା କରୁଥିଲେ୤ ଷୋହଳ ତାରିଖ ସକାଳୁ ପ୍ରକାଶିତ ଉଣା ଅଧିକ ସମସ୍ତ ଓଡ଼ିଆ ଖବର କାଗଜରେ ବ୍ରହ୍ମ ସଂସ୍ଥାପନ ସୁରୁଖୁରୁରେ ସମାପନ ହେଲା ବୋଲି ପଢ଼ି ଅନେକ ଭକ୍ତ ଆଶ୍ବସ୍ତି ଅନୁଭବ କରୁଥିବା ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ଯେ ବ୍ରହ୍ମ ସଂସ୍ଥାପନ ହୋଇନାହିଁ୤ ମନ୍ଦିର ଭିତରର ଘଟଣା ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ ସାମ୍ବାଦିକମାନେ ସବୁକିଛି ସହଜରେ ହୋଇଗଲା ବୋଲି ଲେଖିଦେଲେ ସିନା ହେଲେ ବିଧିର ବିଧାନ ଥିଲା ନିଆରା୤

ଷୋହଳ ତାରିଖ ସକାଳୁ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନପରେ ସମାପ୍ତ ହୋଇଥିଲା ଏବଂ ଏହାପରେ ଚତୁର୍ଦ୍ଧାମୂର୍ତ୍ତିକୁ କୋଇଲି ବୈକୁଣ୍ଠରେ ପାତାଳି ଦିଆଯାଇଥିଲା ଯାହା ସଂଧ୍ୟା ସାଢ଼େ ଛଅଟା ପର୍ଯ୍ୟନ୍ତ ଚାଲିଥିଲା୤ କଣ ହେଲା ବୋଲି ଭକ୍ତଙ୍କ ମନରେ ସ୍ବତଃ ପ୍ରଶ୍ନ ଆସିଥିଲା୤ ଅନେକ ବର୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ଗୁପ୍ତ ନୀତି ବିଷୟରେ ଆଗରୁ ସୂଚିତ କରାଯାଇଥିଲା ଯେ ବ୍ରହ୍ମ ସଂସ୍ଥାପନ କେବଳ ନିଶାର୍ଦ୍ଧ ସମୟରେ ହିଁ ହୋଇପାରିବ୤ ହେଲେ ଚଳିତ ବର୍ଷ ଏହା ସମାପନ ହେଲା ଦିନ ଦ୍ବିପହରରେ୤ ଅର୍ଥାତ ଜଗନ୍ନାଥଙ୍କ ଲକ୍ଷାଧିକ ଭକ୍ତଙ୍କ ଭାବାବେଗ ସହ ଖେଳାଗଲା୤ ସେମାନେ ଏହିପରି କାହିଁକି କଲେ? ଦେଖୁ ଦେଖୁ ଗଣମାଧ୍ୟମ ଏହାର ଖୋଳତାଡ଼ କରିବାରେ ଲାଗିଗଲେ୤ ସଂଧ୍ୟା ହେଉ ହେଉ ଏହାକୁ ମହାବିଭ୍ରାଟ ବୋଲି ପ୍ରଚାର କରାଗଲା୤ ପରଦିନର ଖବର କାଗଜମାନେ ମଧ୍ୟ ଏହା ବିଷୟରେ ଅନେକ ତଥ୍ୟ ଲେଖିଲେ୤ କିନ୍ତୁ ଏହା ହେଲା କେଉଁକାରଣରୁ ତାହା ଅଦ୍ୟାବଧି କେହି ସଠିକ୍ ଭାବରେ କହି ପାରୁନାହାନ୍ତି୤ କିଛି ଦଇତାପତି ଅଭିଯୋଗ କରୁଛନ୍ତି ଯେ ବ୍ରହ୍ମ ସଂସ୍ଥାପନ ପାଇଁ ନିର୍ଦ୍ଧିଷ୍ଟ ଚାରିଜଣ ମୁଖ୍ୟଙ୍କ ବ୍ୟତୀତ ଆହୁରି କିଛି ଦଇତାପତି ବ୍ରହ୍ମ ଦର୍ଶନ କରିବା ଜିଦ୍ କରିଥିଲେ ତେଣୁ ଏହା ବିଳମ୍ବ ହୋଇଥିଲା୤ ମୁଖ୍ୟ ଦଇତାପତି କହିଥିଲେ ଯେ ଠାକୁରଙ୍କ ବିଗ୍ରହ ନିର୍ମାଣରେ ବିଳମ୍ବ ହେବାରୁ ଏହି ସବୁ କାର୍ଯ୍ୟକ୍ରମ ବିଳମ୍ବ ହୋଇଥିଲା୤ ଏମିତି ଅନେକ ଅଣପ୍ରତିଷ୍ଠିତ ସୂଚନା କିନ୍ତୁ ଭଗବାନଙ୍କ ଭକ୍ତଙ୍କୁ ଆଘାତ ଦେଇଛି୤

ନବକଳେବର ପରି ଏକ ମୁଖ୍ୟ ନୀତିରେ ବିଭ୍ରାଟ ହୋଇଥିବା ସତ୍ତ୍ବେ ଶାସକଦଳ ପ୍ରମୁଖ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି, ଆଇନ ବିଭାଗ ମନ୍ତ୍ରୀଙ୍କ ଦେଖାନାହିଁ, ମନ୍ଦିର ପ୍ରଶାସନ ମଧ୍ୟ କୌଣସି ସୂଚନା ଦେବାକୁ ସକ୍ଷମନାହାନ୍ତି ବୋଲି ଜଣାଇ ସାରିଛନ୍ତି୤ ଅର୍ଥାତ ଯାହା ହୋଇଛି ହୁଏତ ସେ ସବୁ ବିଧି ନିର୍ଦ୍ଧାରିତ ବୋଲି ଧରିନିଆଯାଉ ବୋଲି କୁହାଯାଇପାରେ୤ କିଛି ଦଇତାପତି କହିଛନ୍ତି ଏ ସବୁ ମହାପ୍ରଭୂଙ୍କ ଲୀଳାର ଅଂଶ ମାତ୍ର୤ ହୁଏତ ହୋଇଥାଇପାରେ ମଧ୍ୟ୤ ଜଗନ୍ନାଥଙ୍କ ଲୀଳା ସବୁବେଳେ ଅନନ୍ୟ୤ ଭକ୍ତପାଇଁ ସେ କେବେ ହାତୀ ବେଶ ହୋଇଛନ୍ତି ତ କେବେ ସୁନା ଛାଉଣୀରେ ସଜ୍ଜିତ ହୋଇଛନ୍ତି, ତେଣୁ ଭକ୍ତଙ୍କ ପାଇଁ ସେ ଦିନବେଳେ ବ୍ରହ୍ମ ପରିବର୍ତ୍ତନ ବି କରାଇ ଥାଇପାରନ୍ତି୤ ସେମିତିରେ ବି ସଂପୂର୍ଣ୍ଣ ନବକଳେବରର ନୀତିନିୟମ ଯେତେବେଳେ ଦାଣ୍ଡରେ ପଡ଼ିଲାଣି, ସେତେବେଳେ ହୁଏତ ଭଗବାନ ଭାବିଥିବେ ଆଉ ଲୁଚାଚୋରାରେ କାହିଁକି ବ୍ରହ୍ମ ପରିବର୍ତ୍ତନ କରିବା୤ ସେ ବ୍ରହ୍ମ ବି ଦିନକୁ ଦିନ ଅକ୍ଷମ ହୋଇଗଲାଣି ବୋଲି ଭକ୍ତମାନେ ଅଭିଯୋଗ କରିଲେଣି୤ ତେଣୁ ଦିନ ଦ୍ବିପହରରେ ପରିବର୍ତ୍ତନ ହେଉ୤ ଯେଉଁମାନେ ବ୍ରହ୍ମ ପରିବର୍ତନ କରିବେ ସେମାନେ ତ ଦେଖିଲେ ଅନ୍ୟମାନେ ମଧ୍ୟ ଦେଖନ୍ତୁ, କାଳେ କେଉଁଠି କିଛି ଭୁଲ ରହିଯାଇଥିବା, ଅନେକ ବର୍ଷ ହେଲାଣି ତେଣୁ ହୁଏତ ବ୍ରହ୍ମରେ ଜଙ୍କ୍ ଲାଗିଯାଇଥିବ, ସମସ୍ତେ ଦେଖିବେ ଆଉ ବ୍ରହ୍ମକୁ ସଫାକରି ନୁଆ ବିଗ୍ରହରେ ପୁରେଇ ଦେବେ୤ ଏହା ବି ହୋଇପାରେ୤

ବ୍ରହ୍ମ ପଦାର୍ଥକଣ ତାହା ଆମପରି ସାଧାରଣ ମନୁଷ୍ୟଙ୍କ ଜାଣିବା ଅସମ୍ଭବ ଥିଲା, ହୁଏତ ଏବେ ତାହା ବି ସମ୍ଭବ ହୋଇପାରେ୤ ମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗଙ୍କ ନିୟମକୁ ଭାଙ୍ଗିଦେଇ ଯଦି ସମସ୍ତ ଦଇତାପତି ବ୍ରହ୍ମ ଦର୍ଶନ କରିବାପାଇଁ ଜିଦ୍ କରିବସିଲେ, ସେମାନେ ଗଣମାଧ୍ୟମ ଆଗରେ ଏହା କେମିତି ଦେଖାଯାଏ ବା କେଉଁ ପଦାର୍ଥ ତାହା କହିଦେବେନି ବୋଲି କିଛି ଅବିଶ୍ବାସ ନାହିଁ୤ ସତରେ ଯଦି ବ୍ରହ୍ମ ପରି ପଦାର୍ଥ କିଛି ଥାଆନ୍ତା, ତା ହେଲେ ମହାପ୍ରଭୂଙ୍କ ନୀତିରେ ବିଭ୍ରାଟ ସୃଷ୍ଟି କରୁଥିବା ଅପଦାର୍ଥମାନଙ୍କୁ ସେ ମାରି ଦିଅନ୍ତା ନାହିଁ କି ? ଅନେକ ହେତୁବାଦୀଙ୍କ ମତରେ ଏହା ଏକ ବ୍ରହ୍ମ ନୁହେଁ ଭ୍ରମ, ଯାହାକୁ ମନ୍ଦିରର ପଣ୍ଡାମାନେ ସୃଷ୍ଟିକରି କାଳକାଳରୁ ଲୋକମାନଙ୍କୁ ଠକି ଆସିଛନ୍ତି୤ ଆଉ ଆମର ଅନ୍ଧଭକ୍ତମାନେ ପଣ୍ଡାଙ୍କ କଥାରେ ଭଳକି ଯାଇଛନ୍ତି୤ ହୁଏତ ସେମାନେ ବି ଠିକ୍ କହିଥାଉ ପାରନ୍ତି୤ ନହେଲେ ନିଜ ନୀତିରେ ଏତେ ଗୋଳମାଳ ସୃଷ୍ଟି କରୁଥିବା ଲୋକମାନଙ୍କୁ ନିଜପାଖରେ ସେ କେମିତି ସହ୍ୟ କରିପାରୁଛନ୍ତି୤

ଏବେ ଶୁଣାଯାଉଛି, କାଳେ ପୁରୁଣା ବିଗ୍ରହମାନଙ୍କ ପାତାଳୀ ହେଉଥିବାର ଭିଡ଼ିଓ ଦୃଶ୍ୟ ହ୍ବାଟସଆପ୍‌ରେ ମିଳୁଛି୤ ଅବଶ୍ୟ ଏହା ଆମେ ଦେଖିନାହୁଁ, କିମ୍ବା ଏହାର ସତ୍ୟାସତ୍ୟ ପରୀକ୍ଷା କରିନାହୁଁ୤ କାରଣ ଆମର ଧାରଣା ରହିଛି ଯେ ନବକଳେବର ସମୟର କୌଣସି ଦୃଶ୍ୟ ଦେଖିଲେ ପ୍ରାଣହାନୀ ହୋଇଥାଏ, ତେଣୁ ଆମେ ଆମ ପ୍ରାଣକୁ ଭଲପାଉଥିବା ହେତୁ ଏହିପ୍ରକାରର ଦୃଶ୍ୟକୁ ଦେଖିବାକୁ ଉଚିତ ମନେ କରୁନାହୁଁ୤ କିନ୍ତୁ ଯଦି ସତରେ ଏମିତି କିଛି ହୋଇଥାଏ ଏବଂ ପାତାଳି ହେଉଥିବା ବିଗ୍ରହମାନଙ୍କ ଦୃଶ୍ୟ ଯଦି ମିଳୁଥାଏ, ତା’ହେଲେ ସଂପୂର୍ଣ୍ଣ ନବକଳେବର ବିଧି ହିଁ ପ୍ରଦୁଷିତ ବୋଲି ଧରିବାକୁ ହେବ୤ ଏବଂ ଏଥିରେ ସଂପୃକ୍ତ ଦଇତାପତିମାନଙ୍କୁ ଦଣ୍ଡିତ କରାଯିବା ଉଚିତ ହେବ୤

ତେବେ ସମୁଦାୟ ଘଟଣା ପରେ ଯାହା ଜଣାପଡୁଛି, ଜଗନ୍ନାଥ ଯଦି ବା ଜଗତର ନାଥ ବୋଲି କୁହାଉଛନ୍ତି, ସେ କିନ୍ତୁ ଏକାନ୍ତରେ କେବଳ ଦଇତାପତି ମାନଙ୍କର ହିଁ ନାଥ୤ ତେଣୁ ଦଇତାପତିମାନେ ତାଙ୍କୁ ଯେମିତି ଇଚ୍ଛା ସେମିତି ନଚେଇ ପାରିବେ୤ ସେମାନେ ଚାହିଁଲେ ଭଗବାନଙ୍କୁ ଅଖିଆ ଅପିଆ କରି ରଖିପାରିବେ୤ ସେମାନେ ଚାହିଁଲେ, ଭଗବାନଙ୍କୁ ଚାବି ପକାଇ ଦେଇପାରିବେ୤ ସତରେ କଣ ଭଗବାନ ଅଛନ୍ତି ? ଯଦି ଅଛନ୍ତି ତା ହେଲେ ଏ ସବୁ ହେବାକୁ ଦେଉଛନ୍ତି କିପରି ?

ମର୍ମାହତ, ଏବଂ ଆତ୍ମଗ୍ଲାନୀରେ ପୀଡ଼ିତ ମୋର ଜଣେ ଛାତ୍ର ପ୍ରଶ୍ନ କରୁଥିଲା୤ ହେଲେ ଅନେକ ତାକୁ ଜଣାଇଦେଲେ ଯେ ଯାହା ସବୁ ହେଉଛି ସବୁର କର୍ତ୍ତା ତ ସେଇ ଏକା ଭଗବାନ ତା ହେଲେ ଦୋଷ କାହାକୁ ଦେବା ? ଏହା ଶୁଣି ସେ କିଛି ମାତ୍ରାରେ ସନ୍ତୋଷ ଲାଭକରି କହିଲା, ଯଦି ଦିନବେଳେ ବ୍ରହ୍ମପରିବର୍ତ୍ତନ କରୁଛନ୍ତି, ଆଉ ଦଇତାପତିମାନେ ଜିଦ୍ କରି ବ୍ରହ୍ମ ଦର୍ଶନ କରୁଛନ୍ତି ତା ହେଲେ ଏହାକୁ ଗଣମାଧ୍ୟମରେ ସିଧା ପ୍ରସାରଣ କରିଦେଉନାହାନ୍ତି କାହିଁକି ? ଆମେ ବି ଦେଖି ନିଅନ୍ତେ ଆଉ ଜାଣିପାରନ୍ତେ ଯେ ପ୍ରକୃତରେ ସେ ବ୍ରହ୍ମପଦାର୍ଥଟି କଣ ? ସେଥିରେ କଣ ସବୁ ଶକ୍ତି ରହିଛି୤

ଆଉ ଜଣେ ବନ୍ଧୁ କହିଲେ, ସବୁ ଦୋଷ ଭଗବାନଙ୍କ ଉପରେ ଲଦିଦେଇ ଦଇତାପତି, ମନ୍ଦିର ପ୍ରଶାସନ ଓ ଓଡ଼ିଶା ଶାସନ ହାତ ଝାଡ଼ିଦେଉଛନ୍ତି, ସତେ ଯେମିତି ଜଗନ୍ନାଥ ନିଜେ ସେମାନଙ୍କୁ କହିଥିଲେ ମୋତେ ଦିନ ଦ୍ବିପହରରେ ବ୍ରହ୍ମ ପରିବର୍ତ୍ତନ କର୤ ଯଦି ସତରେ ସବୁ କିଛି ଭଗବାନଙ୍କ ଇଚ୍ଛାରେ ହେଉଛି ତା ହେଲେ ଆମ ପାଇଁ କୋର୍ଟକଚେରୀ ଓ ପୋଲିସର କିଛି ଆବଶ୍ୟକତା ନାହିଁ, ଚୋର ଚୋରୀ କରୁଛି କାରଣ ଭଗବାନ କରାଉଛନ୍ତି, ଆତଙ୍କବାଦୀମାନେ ଲୋକଙ୍କୁ ମାରୁଛନ୍ତି କାରଣ ଭଗବାନ କରାଉଛନ୍ତି୤ ଭଗବାନଙ୍କୁ ଦୋଷ ଦେଇ ନିଜ ଭୂଲକୁ ଲୁଚେଇ ଦେବାର ପ୍ରୟାସ ହେଉଛି୤ ଏହା ଆଦୌ ଗ୍ରହଣୀୟ ନୁହେଁ୤

ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଏହିପରି ଅନେକ ନୀତିକାନ୍ତିରେ ବିଭ୍ରାଟ ହୋଇ ଆସୁଛି୤ ମନ୍ଦିର ଆସୁଥିବା ଭକ୍ତ ଭଗବାନଙ୍କ ଦର୍ଶନ ପାଇବାପାଇଁ ଏହି ପୂଜାପଣ୍ଡାଙ୍କ ଆକ୍ରୋଶର ଶୀକାର ହେଉଥିବା କଥା ସମସ୍ତେ ଜାଣନ୍ତି୤ ମନ୍ଦିର ହୁଣ୍ଡିରେ ମିଳୁଥିବା ଅର୍ଥ ସମୁଦ୍ରରୁ ଶଙ୍ଖେତୂଲ୍ୟ ବୋଲି ସମସ୍ତେ ଜାଣନ୍ତି୤ ବହୁ ଶତାବ୍ଦୀରୁ ଚଳିଆସୁଥିବା ପ୍ରଥାକୁ ବର୍ତ୍ତମାନ ବଦଳାଇବାର ସମୟ ଆସିଛି୤ ମନ୍ଦିରକୁ ଏବଂ ସର୍ବୋପରି ଭଗବାନଙ୍କୁ ଏହି ଗୋଷ୍ଠୀଙ୍କ ହାତରୁ ବାହାର କରିଆଣି ସରକାର ଏହାପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନ କଲେ ମନ୍ଦିରର ପ୍ରତିଷ୍ଠା ନିଶ୍ଚୟ ହାନୀହେବ, ଏଥିରେ ଦ୍ବିମତ ନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!!

ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!!

ଏଠାରେ ପଢ଼ନ୍ତୁ !
ରଜଦୋଳି ପର୍ବରେ ପ୍ରସିଦ୍ଧ ଗୀତ

ରଜଦୋଳି ପର୍ବରେ ପ୍ରସିଦ୍ଧ ଗୀତ

ଏଠାରେ ପଢ଼ନ୍ତୁ !