ଓଡ଼ିଶାରେ ପର୍ବ ରଜରେ କୁମାରୀମାନେ ଗାଉଥିବା ଏକ ପ୍ରସିଦ୍ଧ ଲୋକଗୀତ : -
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୁଆ ସଜବାଜ
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନ କଥା କିଏ ଜାଣେ
ଶଙ୍ଖ ମଲ ମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା
ନିମ୍ବରୁ ବୁକେ ଚନ୍ଦନ, ଦେବତା ଗଢ଼ିଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନୀ କିଆଁ ଗୁମାନ ଲୋ, ଆସିଲେଣି ଜୀବଧନ
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖିଥିଲା ଏଣେ ତୋର
ସାହାଡ଼ା ଗଛର ଛାଇ, ସେଦିନ କଥାକି ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗିଦେବି ତୋର ଗାଲ
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକି ଗାଲି ଲୋ, ଦେଖାଉଛୁ କେତେ ବେଲି
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ଲୋ, ସେ ସିନା ମୋ ମନ ରଜା
ଲୁଚିଗଲା ମେଘ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ
ପରବତେ ଜଣେ ନିଆଁ, ପହଞ୍ଚାଇ ଦୋଳି ତେଳେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଆଁ
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁ ଲୋ, ଛନ୍ଦରେ ମାଗିବ ଘାଟ
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇଗଲେ କାହିଁ
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକ ବସିଛି ଋଷି ଲୋ, ଫୁଲ ଶେଯ ହେଲା ବାସି
କଟ କଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗ ଲୋ, ଲାଗିବ ନାହିଁ ଟି ଦାଗ
ଛତୁ ଫୁଟେ ବରଷାରେ, ଛତରଟା କେତେ ଛଇ ଦେଖାଉରେ, ଅଛି କି ତୋ ଭରସାରେ
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବ ରେ, ମନ ଜାଣି ଖଞ୍ଜିଦେବ
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡ଼ୁ ଖାଲି ପଣେ
ଅଦିନେ ପଣସ ସିଠା, ବଚନରେ ଯାର ନଥାଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ଯେ ପଛଘୁଞ୍ଚା
ମଇଁଷି ଶିଙ୍ଗରେ ଖସା, ମଉସା ପୁଅଟା ଏଡ଼େ ସହସା ଲୋ, ମତେ କଲା ଲୋକହସା
ଜାରା ମାରିଦେଲା ବାଣ, ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ
କାଟିଗଲି କଳା ଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁଘର ଅରଜିବ
କାଳିଗାଈ ଦୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି
ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!!
ଏଠାରେ ପଢ଼ନ୍ତୁ !ସମ୍ପର୍କ ଦୁର୍ବଳ ହୁଏ କାହିଁକି ?
ଏଠାରେ ପଢ଼ନ୍ତୁ !