favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ

ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ

ଡା ସୁନିଲ୍ କୁମାର କୋଟା

ପୂର୍ବାଭାଷ :
ଥାଇରଏଡ଼ ପ୍ରଜାପତି ସଦୃଶ ଏକ ଗ୍ରନ୍ଥି, ଯାହା ମାନବ ଶରୀରର ଗଳାର ସମ୍ମୁଖଭାଗରେ ଅବସ୍ଥିତ୤ ଏଥିରେ ଦୁଇଟି ବଖରା ରହିଛି୤ ସ୍ବର ପୂଟଳିର ନିମ୍ନଭାଗ(Larynx)ରେ ଏହା ଅବସ୍ଥିତ୤ ଏହା ଦୁଇଟି ହର୍ମୋନ୍ କ୍ଷରଣ କରିଥାଏ, ଟ୍ରାଇଥାଇଡ଼ୋ ଥାଇରୋନିନ୍ (T3) ଏବଂ ଟେଟ୍ରାଥାଇଡ଼ି ଥାଇରୋନିନ୍(T4)/ ଥାଇରକ୍ସିନ୍୤ ଥାଇରଏଡ଼ ଗ୍ରନ୍ଥି ଶରୀରର ବ୍ୟାଟେରୀ / ଇଞ୍ଜିନ୍ ଭଳି କାର୍ଯ୍ୟକରେ୤ ଉକ୍ତ ଦୁଇଟି ହର୍ମୋନ୍ ଶରୀର ଓ ତା’ର ବିଭିନ୍ନ ଅଙ୍ଗ ଅଭିବୃଦ୍ଧି କରି କାର୍ଯ୍ୟକ୍ଷମ ଏବଂ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ୤ ଅନ୍ୟ ଏକ ଗ୍ରନ୍ଥି ମସ୍ତିଷ୍କରେ ରହିଛି ଯାହାକୁ ପିଟ୍ୟୁଟାରୀ କୁହାଯାଏ୤ ପିଟ୍ୟୁଟାରୀ ଗ୍ରନ୍ଥି ଥାଇରଏଡ଼ ଗ୍ରନ୍ଥିକୁ ଉତ୍ତେଜିତକାରୀ ହର୍ମୋନ୍ (TSH) ସୃଷ୍ଟି କରେ୤ TSH (Thyroid Stimulating Hormone) ଥାଇରଏଡ଼ ଗ୍ରନ୍ଥିକୁ ସକ୍ରିୟ କରାଇ ହର୍ମୋନ କ୍ଷରଣରେ ସହାୟତା କରେ୤ ହର୍ମୋନ କ୍ଷରଣ କମ ହୋଇଗଲେ ତାହାକୁ ହାଇପୋଥାଇରଏଡ଼ିଜ୍‌ମ୍ (Hypo-thyroidism) ବୋଲି କୁହାଯାଏ୤ ଏବଂ ଏହିପରି ସ୍ଥିତିରେ ପିଟ୍ୟୁଟାରୀ ଗ୍ରନ୍ଥି ଅଧିକରୁ ଅଧିକ TSH କ୍ଷରଣ କରି ଥାଇରଏଡ଼ ଗ୍ରନ୍ଥିକୁ ସକ୍ରିୟ କରିବାକୁ ଚେଷ୍ଟା କରିଥାଏ୤ ସେହିପରି ଅଧିକ ହର୍ମୋନ କ୍ଷରଣ ହେବା ଅବସ୍ଥାକୁ ହାଇପର୍‌ଥାଇରଏଡ଼ିଜ୍‌ମ୍ (Hyper-thyroidism) କୁହାଯାଏ୤ ଏହି ଅବସ୍ଥାରେ ଗ୍ରନ୍ଥିରୁ ଅଧିକ ହର୍ମୋନ୍ କ୍ଷରଣ ହୁଏ ଏବଂ ଏହାକୁ କମ୍ କରିବାପାଇଁ ପିଟ୍ୟୁଟାରୀ ଗ୍ରନ୍ଥିରୁ ଅଳ୍ପ TSH କ୍ଷରଣ ହୋଇଥାଏ୤

ଥାଇରଏଡ଼୍ ସମସ୍ୟାର କାରଣ କଣ ?

ଥାଇରଏଡ଼ ଗ୍ରନ୍ଥିର କାର୍ଯ୍ୟପାଇଁ ଆୟୋଡ଼ିନ୍‌ର ଆବଶ୍ୟକତା ରହିଛି୤ ଆୟୋଡ଼ିନ ଅଭାବରେ ଥାଇରଏଡ଼ ହର୍ମୋନ ସୃଷ୍ଟି ପ୍ରକ୍ରିୟାରେ ବାଧା ହୋଇଥାଏ, ତେଣୁ ଗ୍ରନ୍ଥିର ସାଧାରଣ କାର୍ଯ୍ୟକ୍ଷମତା ବାଧାପ୍ରାପ୍ତ ହୁଏ୤ ଏହା ଫଳରେ ହର୍ମୋନର ପରିମାଣ କମ ହୋଇଯାଏ୤ ସେଇଥିପାଇଁ ବର୍ତ୍ତମାନ ଆୟୋଡ଼ିନ୍‌ଯୁକ୍ତ ଲବଣର ବହୁଳ ବ୍ୟବହାର ହେଉଛି୤ ବର୍ତ୍ତମାନ ସମୟରେ ଥାଇରଏଡ଼ ସମସ୍ୟାର କାରଣ ଆୟୋଡ଼ିନ ହିଁ ବୋଲି କୁହାଯାଇନପାରେ୤

ବିଭିନ୍ନ ରୋଗରୁ ରକ୍ଷାପାଇବା ପାଇଁ ଆମ ଶରୀରରେ ରୋଗ ନିରୋଧକ କ୍ରିୟା ଥାଏ୤ ଏହା ଧବଳ ରକ୍ତ କଣିକା ବା ଲିମ୍ଫୋସାଇଟ୍ ମାନଙ୍କ ଦ୍ବାରା ସମ୍ପାଦିତ ହୋଇଥାଏ୤ ଶରୀରରେ କୌଣସି ରୋଗ ହେଲେ ଏହି ରକ୍ତକଣିକାମାନେ ଆଣ୍ଟିବଡ଼ି ବା ରୋଗ ନିରୋଧକ ଶକ୍ତି ଉତ୍ପାଦନ କରି ଜୀବାଣୁ, ଭୂତାଣୁ ଆଦିକୁ ନଷ୍ଟ କରିଦିଅନ୍ତି୤ ବେଳେ ବେଳେ ଏହି ଆଣ୍ଟିବଡ଼ି ଆପେ ଆପେ ତିଆରି ହୋଇ ଆମ ଶରୀରର କିଛି ଅଂଶକୁ ନଷ୍ଟ କରିଦିଏ୤ ସେଇ ସବୁ ଅଂଗମଧ୍ୟରେ ଥାଇରଏଡ୍, ପାନ୍‌କ୍ରିଆଜ୍ (ଅଗ୍ନାଶୟ), ଗଣ୍ଠି, କେଶମୂଳ ଆଦି ଅନ୍ତର୍ଭୂକ୍ତ୤ ଏହାଦ୍ବାରା ଥାଇରଏଡ଼ ସମସ୍ୟା, ମଧୁମେହ, ଗଣ୍ଠିବଥା, ବାଳ ଝଡ଼ିବା ଆଦି ସମସ୍ୟା ଦେଖାଦେଇଥାଏ୤

ଶିଶୁମାନଙ୍କ ପକ୍ଷରେ କେତେକଙ୍କ ଥାଇରଏଡ଼ ଗ୍ରନ୍ଥିର ଅନୁପସ୍ଥିତି ବା ସଠିକ ଭାବରେ କାମ ନ କରିବା ସ୍ଥିତିରେ ଆଜନ୍ମ ଥାଇରଏଡ଼ ଅଭାବ / କନ୍‌ଜେନାଇଟାଲ୍ ହାଇପୋଥାଇରଏଡ଼ିଜମ୍ (Congenital Hypothyroidism) ସମସ୍ୟା ଦେଖାଦେଇଥାଏ୤ ଥାଇରଏଡ଼ ହର୍ମୋନ ବାଲ୍ୟାବସ୍ଥାରେ ଶାରୀରିକ, ମାନସିକ ଓ ଯୌନାଙ୍ଗ ଅଭିବୃଦ୍ଧିର ସହାୟକ ହୋଇଥାଏ୤ ଏହି ସମସ୍ୟା ଦେଖାଦେଲେ, ତୁରନ୍ତ ଏହାର ଚିକିତ୍ସା ଆବଶ୍ୟକ୤ କେତେକ ବ୍ୟକ୍ତିଙ୍କ ଥାଇରଏଡ଼ ଗ୍ରନ୍ଥି ଫୁଲିଥାଏ (ଗଳଗଣ୍ଡ ରୋଗ / Goiter) କିମ୍ବା କ୍ୟାନସର୍ ରୋଗ ହେବାର ଦେଖାଯାଇଥାଏ୤ ଭାରତରେ ୧୫-୨୦ ପ୍ରତିଶତ ଜନସାଧାରଣ ଥାଇରଏଡ଼ ସମସ୍ୟା ଦ୍ବାରା ଆକ୍ରାନ୍ତ୤ ସାଧାରଣତଃ ସ୍ତ୍ରୀମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଆହୁରି ଅଧିକ୤ ବେଳେ ବେଳେ ଏହି ରୋଗ ପ୍ରଥମ କରି ଗର୍ଭବତୀ ମହିଳାଙ୍କ ଦେହରେ ଦେଖାଯାଏ, ଛୁଆ ଜନ୍ମ ହେବାପରେ ମଧ୍ୟ ମହିଳାମାନଙ୍କରେ ଥାଇରଏଡ଼ ସମସ୍ୟାରେ ଆକ୍ରାନ୍ତ ହେବାର ଦେଖାଯାଏ୤

ଥାଇରଏଡ଼ ହର୍ମୋନର ଉପକାରିତା :

୧. ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ୤
୨. ଶରୀରର ପ୍ରତ୍ୟେକ ଅଙ୍ଗକୁ ଶକ୍ତି ପ୍ରଦାନ କରିଥାଏ୤
୩. କେନ୍ଦ୍ରୀୟ ସ୍ନାୟୁ ପ୍ରକ୍ରିୟା (Central Nervous System) କୁ ସକ୍ରିୟ ରଖେ୤
୪. ଶିଶୁମାନଙ୍କ ମସ୍ତିଷ୍କ ଓ ଅଙ୍ଗପ୍ରତ୍ୟଙ୍ଗ ଅଭିବୃଦ୍ଧିରେ ସାହାଯ୍ୟ କରେ୤
୫. ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଏବଂ ହୃଦୟ, ରକ୍ତ ଶିରାପ୍ରଶିରା, ହାଡ଼, ରକ୍ତ ଉତ୍ପାଦନକାରୀ ଅସ୍ଥିମଜ୍ଜା (Bone marrow), ଗର୍ଭଧାରଣ ପ୍ରକ୍ରିୟା, ଉଦର ଓ ଅନ୍ତନଳୀ ପ୍ରକ୍ରିୟାକୁ ପ୍ରେରିତ କରିଥାଏ୤

ହାଇପୋଥାଇରଏଡ଼ିଜ୍‌ମର ଲକ୍ଷଣ କଣ ?

୧. ଆଳସ୍ୟ, ଶକ୍ତିହୀନତା ଓ ନିର୍ବୋଧତା୤
୨. ହାତ, ଗୋଡ଼ ଓ ମୁଖଭାଗ ଫୁଲିବା୤
୩. ଅତ୍ୟଧିକ ନିଦ ଲାଗିବା, କ୍ଲାନ୍ତି ଅନୁଭବ କରିବା୤
୪. କମ୍ ଖାଇଲେ ବି ଓଜନ ବୃଦ୍ଧି ହେବା୤
୫. କୋଷ୍ଠକାଠିନ୍ୟ ହେବା୤
୬. ଚର୍ମ ଶୁଖିବା, ଝାଳ କମ୍ ହେବା, ବାଳ ଛିଡ଼ିବା୤
୭. ଥଣ୍ଡା ସହ୍ୟ ନ କରିବା୤
୮. ସ୍ମରଣ ଶକ୍ତି କ୍ଷୀଣ ହେବା, ସ୍ଫୁର୍ତ୍ତିହୀନତା୤
୯. ନିରାଶକ୍ତି ଅନୁଭବ କରିବା୤
୧୦. ଶରୀର ପୀଡ଼ା ଓ କର୍କଷ ସ୍ବର୤

କ. ବୟସ୍କମାନେ : ସ୍ମରଣ ଶକ୍ତି ହରାଇବା, ଚିନ୍ତନ ଶକ୍ତିର ଅଭାବ, ଏସବୁ ସୀମାଠାରୁ ଅଧିକ ହେଲେ କୋମାସ୍ତରରେ ମଣିଷ ଉପସ୍ଥିତ ହୋଇଥାଏ୤
ଖ. ୫ ବର୍ଷରୁ କମ ଶିଶୁମାନଙ୍କ ପକ୍ଷେ : ଅଳସୁଆ, ମାନ୍ଦାଳିଆ, ବିକୃତରୂପ, ମାନସିକ ଓ ଶାରୀରିକ ଅଭିବୃଦ୍ଧିର ଅବକ୍ଷୟ, କୋଷ୍ଠକାଠିନ୍ୟ, କର୍କଷ ସ୍ବର, କେଶକ୍ଷୟ, ଶୁଷ୍କଚର୍ମ, ଜୀଭ ଓ ନାଭିର ଅଭିବୃଦ୍ଧି୤
ଗ. ବଡ଼ ପିଲାମାନଙ୍କ ପକ୍ଷେ : ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଭିବୃଦ୍ଧି ନହେବା, ସ୍କୁଲ ପଢ଼ାରେ ନିଷ୍କ୍ରିୟତା, ଝିଅମାନଙ୍କର ଯୌନବିକାଶରେ ବିଳମ୍ବ, ଋତୁସ୍ରାବରେ ବିଳମ୍ବ, କିମ୍ବା ଅତ୍ୟଧିକ ସ୍ରାବ ଦେଖାଦେବା୤
ଘ. ମହିଳାମାନଙ୍କ ପକ୍ଷେ : ଅତ୍ୟଧିକ ଋତୁସ୍ରାବ, ଅନିୟମିତ ଋତୁସ୍ରାବ, ଗର୍ଭଧାରଣ ଶକ୍ତିହୀନତା୤
ଚ. ଗର୍ଭବତୀ ମହିଳା : ଅତ୍ୟଧିକ ରକ୍ତଚାପ, ଜନ୍ମହେବା ଶିଶୁର ସ୍ବାସ୍ଥ୍ୟର ଅବକ୍ଷୟ, ସମୟର ବହୁ ପୂର୍ବରୁ ଶିଶୁ ପ୍ରସବ ହେବା, ସଦ୍ୟଜାତ ଶିଶୁର ଓଜନ କମ ହେବା, ଇତ୍ୟାଦି୤

ହାଇପର୍‌ଥାଇରଏଡ଼ିଜ୍‌ମର ଲକ୍ଷଣ :
୧. ଅଧିକ ଭୋକ ହେଉଥିବା ସତ୍ତ୍ବେ ଓଜନ କ୍ଷୟ
୨. ହାତ ଥରିବା
୩. ଗରମକୁ ସହ୍ୟ କରିନପାରିବା
୪. ଛାତି ଧଡ଼ ଧଡ଼୍ ହେବା
୫. ବେଶୀଥର ଝାଡ଼ା ଯିବା, ଚର୍ମ ଆଦ୍ର ହେବା, ନିଦ୍ରା ନ ହେବା, ଆଖି ଲାଲ ହେବା, ଆଖିରୁ ଲୁହ ବାହାରିବା, ବାରମ୍ବାର ଋତୁସ୍ରାବ, ଗର୍ଭଧାରଣ ଶକ୍ତିର ଅଭାବ

ଥାଇରଏଡ଼ ଅନିୟମିତତାର ଚିକିତ୍ସା :

<କ.> ହାଇପୋଥାଇରଏଡ଼ିଜ୍‌ମ : ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ନଥାଏ୤ ମୁଁ ସବୁବେଳେ ମୋର ପୀଡ଼ିତ ରୋଗୀମାନଙ୍କୁ କହେ ଏହା ରୋଗ ନୁହେଁ୤ ଶରୀରରେ କିଛି ଅଭାବ ଦେଖାଦେଲେ ହିଁ ଏହିପରି ସମସ୍ୟା ହୁଏ୤ ସେଥିପାଇଁ ଚିକିତ୍ସକ କିଛି ବଟିକା ଦେଇ ଶରୀରରେ ଥିବା ଅଭାବକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତି୤ ସେଥିପାଇଁ ଥାଇରଏଡ଼ ବଟିକାକୁ ଔଷଧ ନ କହି ଏକ ବିକଳ୍ପ ବ୍ୟବସ୍ଥା ବୋଲି କୁହାଯାଇପାରେ୤

ଡାକ୍ତରଙ୍କ ପରାମର୍ଶରେ ପ୍ରତିଦିନ ଖାଲିପେଟରେ ଗୋଟିଏ ବଟିକା ଜଳଖିଆ ବା ଚା / କଫି ପିଇବାର ଏକ ଘଣ୍ଟା ପୂର୍ବରୁ ସେବନ କରିବା ଉଚିତ୤ ପ୍ରାଥମିକ ସ୍ତରରେ ପ୍ରତି ୨-୩ ମାସକୁ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୤ ଥାଇରଏଡ଼ ସ୍ତରରେ ଉନ୍ନତି ଘଟି ସମସ୍ୟା ସମାଧାନ ହୋଇଗଲେ ପ୍ରତି ୬-୯ ମାସରେ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୤ ଏହି ଚିକିତ୍ସାର ମୁଖ୍ୟ ଲକ୍ଷ୍ୟ ହେଲା TSH ସ୍ତରକୁ ସଠିକ ପରିମାଣ (0.5-5.0 miu/ml)ରେ ରଖିବା୤

<ଖ.> ହାଇପର୍‌ଥାଇରଏଡ଼ିଜ୍‌ମ : ଅଧିକାଂଶ ରୋଗୀଙ୍କ ଚିକିତ୍ସା ଔଷଧସେବନ ମାଧ୍ୟମରେ ହୋଇଥାଏ୤ ଏଥିରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ଦୁଇମାସରେ ଥରେ କରିବା ଆବଶ୍ୟକ୤ ଔଷଧଦ୍ବାରା ନିୟନ୍ତ୍ରଣ ନ ହେଲେ କେତେକ ରୋଗୀଙ୍କୁ ରେଡ଼ିଓ ଆୟୋଡ଼ିନ୍ ଥେରାପି କିମ୍ବା ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ୤ ଏହି ଚିକିତ୍ସା ଦ୍ବାରା T4 ହର୍ମୋନ ସ୍ତରକୁ ସଠିକ ପରିମାଣ(4.5-13 mg/dl)ରେ ରଖିବାକୁ ଚେଷ୍ଟା କରାଯାଏ୤

ଥାଇରଏଡ଼ ଅବୃଦର ନିରୀକ୍ଷଣ ପାଇଁ ରକ୍ତ ପରୀକ୍ଷା, ଅଲ୍‌ଟ୍ରାସାଉଣ୍ଡ୍, ଛୁଞ୍ଚି ପରିକ୍ଷା ()ର ଫଳାଫଳକୁ ନେଇ ଡାକ୍ତର ଔଷଧ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଏହାର ଚିକିତ୍ସା କରିଥାନ୍ତି୤ ଥାଇରଏଡ଼ କର୍କଟ ରୋଗ ଅନ୍ୟ କର୍କଟ ରୋଗ ଭଳି ଜୀବନପ୍ରତି ବିପଦଦାୟକ ନୁହେଁ୤ ଅସ୍ତ୍ରୋପଚାର ପରେ ଔଷଧସେବନ, ସୁନିୟନ୍ତ୍ରିତ ଚିକିତ୍ସା, ସମୟାନୁସାରେ ରକ୍ତ ପରୀକ୍ଷା, ଥାଇରଏଡ଼ ସ୍କାନିଂ ଆଦି କରିବା ଦ୍ବାରା ଏହି ରୋଗକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣାଧୀନ ରଖିହେବ୤

ଥାଇରଏଡ଼ ବିଶୃଙ୍ଖଳା ଗର୍ଭବତୀ ମହିଳାଙ୍କ ପକ୍ଷେ : ଗର୍ଭବତୀ ମହିଳାଙ୍କ ପକ୍ଷେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯାଏ୤ ୨୦-୨୨ ପ୍ରତିଶତ ଗର୍ଭବତୀ ମହିଳା ଏହି ରୋଗଦ୍ବାରା ଆକ୍ରାନ୍ତ ହୁଅନ୍ତି୤ ମହିଳାମାନଙ୍କ ହର୍ମୋନ ଇଷ୍ଟ୍ରୋଜେନ୍ ଯୋଗୁଁ କ୍ଷରିତ ହେଉଥିବା ଥାଇରଏଡ଼ ବାଇଣ୍ଡିଂ ଗ୍ଲୋବୁଲିନ୍, T3 ଏବଂ T4 ସହ ସଂଯୋଜିତ ହୋଇଥାନ୍ତି୤ ଗର୍ଭବତୀ ମହିଳାଙ୍କ ହର୍ମୋନ ସ୍ତର ସାଧାରଣ ମହିଳାଙ୍କ ଠାରୁ ଦେଢ଼ଗୁଣ ଅଧିକ୤ ଗର୍ଭବତୀ ମହିଳାଙ୍କ ଠାରେ ବେଳେ ବେଳେ ପ୍ରଥମଥର ଥାଇରଏଡ଼ ବିଶୃଙ୍ଖଳା ଦେଖା ଦେଇଥାଏ୤ ଶିଶୁ ଜନ୍ମହେବାର ୩-୬ ମାସ ପରେ ଥାଇରଏଡ଼ ସମସ୍ୟ କିଛି ମହିଳାଙ୍କ କ୍ଷେତ୍ରରେ ଦେଖାଦେଇଥାଏ୤ ପରିବାରର ସଦସ୍ୟ ମାନଙ୍କର ଯଦି ଏହି ସମସ୍ୟା ଥାଏ, ଗର୍ଭବତୀ ସ୍ତ୍ରୀଙ୍କର ହାଇପୋଥାଇରଏଡ଼ିଜ୍‌ମ ଦେଖାଯିବା ସମ୍ଭାବନା ବଢ଼ିଯାଇଥାଏ୤

<କ.> ଗର୍ଭବତୀ ମହିଳାଙ୍କ ପକ୍ଷରେ ହାଇପୋଥାଇରଏଡ଼ିଜ୍‌ମ :

ଯଦି ଏହା ଠିକ୍ ଭାବରେ ନିୟନ୍ତ୍ରଣାଧୀନ ହୋଇନଥାଏ, ଗର୍ଭଧାରଣ ହେବାର ସୁଯୋଗ କମ ହୋଇପାରେ୤ ଏପରିକି ଗର୍ଭଧାରଣ ପରେ ମଧ୍ୟ ଶାରୀରିକ ଓ ମାନସିକ ସ୍ଥିତିର ଦୁର୍ବଳତା ଦେଖାଦିଏ୤ ପ୍ରଥମ ୩ ମାସ ଶିଶୁ ଗର୍ଭାଶୟ ମଧ୍ୟରେ ମା’ର ଥାଇରଏଡ଼ ହର୍ମୋନ ଦ୍ବାରା ଶକ୍ତିପାଇଥାଏ, କାରଣ ଶିଶୁ ଦେହରେ ସେଇ ସମୟରେ ଥାଇରଏଡ଼ ଗ୍ରନ୍ଥି ସୃଷ୍ଟି ହୋଇନଥାଏ୤ ଅତଏବ ହାଇପୋଥାଇରଏଡ଼ିଜ୍‌ମ ସମସ୍ୟା ଜାଣିବା କ୍ଷଣି ଥାଇରଏଡ଼ ବଟିକା ଖାଇବା ଏକାନ୍ତ ଆବଶ୍ୟକ୤ ଡାକ୍ତରୀ ପରାମର୍ଶପରେ ବଟିକାର ମାତ୍ରା ଓ ପରିମାଣ ବୃଦ୍ଧି କରିବା ଉଚିତ୤ ଶିଶୁର ଥାଇରଏଡ଼ ଗ୍ରନ୍ଥି ୩ ମାସ ପରେ ବିକଶିତ ହେଉଥିଲେ ହେଁ, ମା ଥାଇରଏଡ଼ ବଟିକା ସେବନ କରିବା ଉଚିତ୤

ପ୍ରଥମ ୫ ମାସ ରୋଗୀ ୪ ସପ୍ତାହକୁ ଥରେ ଏବଂ ପରବର୍ତ୍ତୀ ସମୟରେ ୬-୮ ସପ୍ତାହ ମଧ୍ୟରେ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୤ ଥାଇରଏଡ଼ ହର୍ମୋନର ଆବଶ୍ୟକତା ଗର୍ଭାଶୟରେ ବଢୁଥିବା ଶିଶୁପାଇଁ ଅତ୍ୟନ୍ତ ଜରୂରୀ୤

ହାଇପୋଥାଇରଏଡ଼ିଜ୍‌ମ ଯଦି ନିୟନ୍ତ୍ରଣରେ ନଥାଏ, ବଡ଼ ଆକାରର ଶିଶୁ ଜନ୍ମହେବା, ଠିକ୍ ସମୟ ବହୁ ପୂର୍ବରୁ ଶିଶୁ ଜନ୍ମହେବା, କମ୍ ଓଜନ ଥିବା କିମ୍ବା ମୃତଶିଶୁ ଜନ୍ମହେବା ପରି ସମସ୍ୟା ଦେଖାଦେଇପାରେ୤ କେତେକ ମହିଳା ଉଚ୍ଚ ରକ୍ତଚାପର ଶୀକାର ହୋଇଥାନ୍ତି୤ ମୂର୍ଚ୍ଛା, ଅପସ୍ମାର ବା ବୃକକ୍‌ ସମସ୍ୟା ଓ ଗର୍ଭାଶୟରେ ଅତ୍ୟଧିକ ଆମ୍‌ନିଓଟିକ୍ ସ୍ରାବ କ୍ଷରଣ ହେବା ଦେଖାଯାଇଥାଏ୤
ସାଧାରଣ ମହିଳା ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହାର ଚିକିତ୍ସା ଭିନ୍ନ ହୋଇଥାଏ, TSHର ଲକ୍ଷ୍ୟ ନିମ୍ନରେ ଦିଆଯାଇଛି୤

ପ୍ରଥମ ତ୍ରୟମାସିକ - ୦.୧ - ୨.୫ miu/ml
ଦ୍ବିତୀୟ ତ୍ରୟମାସିକ - ୦.୨ - ୩.୦ miu/ml
ତୃତୀୟ ତ୍ରୟମାସିକ - ୦.୩ - ୩.୦ miu/ml

<ଖ.> ହାଇପର୍‌ଥାଇରଏଡ଼ିଜ୍‌ମ ଗର୍ଭବତୀଙ୍କ ଲକ୍ଷଣ : ଏହା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ବହୁତ କମ ଦେଖା ଦେଇଥାଏ୤ ହାଇପର୍‌ଥାଇରଏଡ଼ିଜ୍‌ମ ନିୟନ୍ତ୍ରଣାଧୀନ ନ ହେଲେ ଶିଶୁ ଗଳଗଣ୍ଡ ରୋଗ, ଅତ୍ୟଧିକ ଅସ୍ଥିବୃଦ୍ଧି ଏବଂ ଶାରୀରିକ ଅଭିବୃଦ୍ଧି ସମସ୍ୟା ଦେଖାଦିଏ୤ ଫଳସ୍ବରୂପ ହୃଦୟ ଉପରେ ଚାପ ସୃଷ୍ଟି ହୋଇ ହୃଦୟ ସ୍ପନ୍ଦନ ବୃଦ୍ଧି ହୋଇଥାଏ୤ ହୃଦଯନ୍ତ୍ର କ୍ରିୟା ବନ୍ଦ ହେବାର କାରଣ ବି ହୋଇପାରେ୤ ନବଜାତ ଶିଶୁମାନେ ବି ଏଥିରେ ଆକ୍ରାନ୍ତ ହୋଇପାରନ୍ତି୤ ଏହି ରୋଗର ସମସ୍ୟା ଥିବା ମହିଳା ଗର୍ଭବତୀ ହୋଇଥିଲେ, ଡାକ୍ତରଙ୍କ ପରାମର୍ଶ ତତ୍‌କାଳୀନ ନେଇ ଔଷଧର ମାତ୍ରା ପରିବର୍ତ୍ତନ କରିବା ପ୍ରଥମ ତିନିମାସ ମଧ୍ୟରେ ବିଶେଷତଃ ଆବଶ୍ୟକ୤ ରେଡ଼ିଓ ଆୟୋଡ଼ିନ୍ ଥେରାପି ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ନୁହେଁ୤ ଅସ୍ତ୍ରୋପଚାର ଆବଶ୍ୟକସ୍ଥଳେ ଗର୍ଭଧାରଣର ତିନିମାସ ପରେ କରାଯାଇଥାଏ୤

ପ୍ରଥମ ତ୍ରୟ ମାସିକରେ ଅତ୍ୟଧିକ ବାନ୍ତିରେ ଆକ୍ରାନ୍ତ ମହିଳା, ପ୍ଲାସେଣ୍ଟାର କିଛିଟା ଟ୍ୟୁମର ମିଳିଲେ ମଧ୍ୟ, ଏଭଳି ଲକ୍ଷଣ ଦେଖାଦେଇଥାଏ୤ ତେଣୁ ଚିକିତ୍ସା, ଡାକ୍ତରୀ ପରାମର୍ଶ ଅନୁସାରେ ନେବା ଉଚିତ୤

ହାଇପୋଥାଇରଏଡ଼ିଜ୍‌ମ : ମନଗଢ଼ାକଥା ଓ ସତ୍ୟତା
୧. T3, T4 ଏବଂ TSH ସବୁ ଥାଇରଏଡ଼ ହର୍ମୋନ୍ !
ଉତ୍ତର : T3 ଏବଂ T4 ଥାଇରଏଡ଼ ଗ୍ରନ୍ଥିରୁ କ୍ଷରଣ ହୁଏ, କିନ୍ତୁ TSH ପିଟ୍ୟୁଟାରୀ ଗ୍ରନ୍ଥିରୁ ହୋଇଥାଏ୤ TSH ପ୍ରଭାବରେ ହିଁ T3 ଏବଂ T4 କ୍ଷରଣ ହୁଏ୤ ତେଣୁ TSH ଥାଇରଏଡ଼ ରୋଗ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ୤ ଏହା T3 ଏବଂ T4 ଠାରୁ ଅଧିକ ବ୍ୟବହାର ଯୋଗ୍ୟ୤
୨. ସମସ୍ତ ହାଇପୋଥାଇରଡ଼ିଜ୍‌ମ ରୋଗୀଙ୍କ ଠାରେ ଲକ୍ଷଣ ଦେଖାଯାଏ ନାହିଁ !
ଉତ୍ତର : ମୁହଁ ଫୁଲିବା, ଦେହ ଫୁଲିବା, ଆଳସ୍ୟ ଲାଗିବା, ନିର୍ବୋଧତା, ଦୁର୍ବଳ ଲାଗିବା, ମାଂସପେଶୀରେ ଯନ୍ତ୍ରଣା, ଚର୍ମ ଶୁଖିଯିବା, କେଶ ଝଡ଼ିବା, ଓଜନ ବଢ଼ିବା, ଋତୁସ୍ରାବରେ ଅନିୟମିତତା ଦେଖାଦେବା ଆଦି ଲକ୍ଷଣ ହାଇପୋଥାଇରଏଡ଼ିଜ୍‌ମ ରୋଗରେ ଦେଖାଯାଇଥାଏ୤ (ଯେତେବେଳେ TSH ସ୍ତର ୧୫ miu/mlରୁ ଅଧିକ ଥାଏ୤)
୩. ହାଇପୋଥାଇରଏଡ଼ିଜ୍‌ମ ଯୋଗୁଁ ଲଗାତାର ଓଜନ ବୃଦ୍ଧି ହୁଏ୤
ଉତ୍ତର : ମଧ୍ୟମ ଠାରୁ ଅଧିକ ହାଇପୋଥାଇରଏଡ଼ିଜ୍‌ମ (TSH ହର୍ମୋନ୍ ସ୍ତର ୨୫mu/l ରୁ ଅଧିକ) ରେ ଓଜନ ୨-୪ କିଗ୍ରା ହିଁ ବଢ଼ିଥାଏ୤ ଏହି ସମୟରେ ଥାଇରକ୍ସିନ ବଟିକା ବ୍ୟବହାର ଦ୍ବାରା TSH ସ୍ତର ସ୍ବାଭାବିକ ସ୍ତରକୁ ଆସିବାପରେ ହାଇପୋଥାଇରଏଡ଼ିଜ୍‌ମରେ ଆଉ ଓଜନ ବଢ଼ିନଥାଏ୤
୪. ହାଇପୋଥାଇରଏଡ଼ିଜ୍‌ମ ଆକ୍ରାନ୍ତ ଗର୍ଭବତୀ ହାଇପୋଥାଇରଏଡ଼ିଜ୍‌ମ ଶିଶୁକୁ ଜନ୍ମ ଦିଅନ୍ତି୤
ଉତ୍ତର : ସାଧାରଣତଃ ଏପରି ହୋଇନଥାଏ୤ ଗୁଣସୂତ୍ର (Chromosome)ରେ ଜିନ ତୃଟି ହେତୁ ଏହିପରି ସମସ୍ୟା ଦେଖାଯାଇପାରେ୤
୫. ଯଦି ଥରେ ତୁମେ ଥାଇରଏଡ଼ ଦ୍ବାରା ଆକ୍ରାନ୍ତ ହୁଅ, ଜୀବନସାରା ଏହି ରୋଗ ରହେ୤
ଉତ୍ତର : ଏହା ସତ୍ୟ, କିନ୍ତୁ ସବୁବେଳେ ନୁହେଁ୤ ଅଳ୍ପମାତ୍ରାରେ ଥିବା ହାଇପୋଥାଇରଏଡ଼ିଜ୍‌ମ, କ୍ଲୀଷ୍ଟ ଅସୁସ୍ଥତା ଏବଂ ଔଷଧ ଯୋଗୁଁ ଆସିଥିବା ହାଇପୋଥାଇରଏଡ଼ିଜ୍‌ମରେ ସମସ୍ୟାରୁ ସମ୍ପୁର୍ଣ୍ଣ ନିରୋଗ ହେବା ସମ୍ଭାବନା ଥାଏ୤ ଡାକ୍ତରୀ ପରାମର୍ଶ ଓ ନିୟମିତ ଔଷଧ ସେବନ ଦ୍ବାରା ଏହା ସମ୍ଭବ୤
୬. ଥାଇରକ୍ସିନ୍ ଔଷଧ ଦିନର ଯେ କୌଣସି ସମୟରେ ସେବନ କରିହେବ୤
ଉତ୍ତର : ଥାଇରକ୍ସିନ ଔଷଧ କେବଳ ପ୍ରାତଃକାଳରେ ଖାଲିପେଟରେ କିମ୍ବା ଜଳଖିଆ / ଚା / କଫି ପିଇବାର ଅନ୍ତତଃ ଏକ ଘଣ୍ଟା ପୂର୍ବରୁ ସେବନ କରିବା ବିଧେୟ୤ କେତେକ ବିଶେଷଜ୍ଞଙ୍କ ମତରେ ଏହା ରାତ୍ର ଭୋଜନର ଚାରିଘଣ୍ଟାପରେ ସେବନ କଲେ ଉତ୍ତମ ପ୍ରଭାବ ଦେଇଥାଏ୤
୭. ଥାଇରକ୍ସିନର ଦୁଷ୍ପ୍ରଭାବ ବହୁତ ଅଧିକ୤
ଉତ୍ତର : ଠିକ୍ ମାତ୍ରାରେ ଏବଂ ଡାକ୍ତରୀ ପରାମର୍ଶରେ ବ୍ୟବହାର କଲେ ଏହା ସମ୍ପୂର୍ଣ୍ଣଭାବେ ନିରାପଦ ଏବଂ ପ୍ରତିକ୍ରିୟାହୀନ ହୋଇଥାଏ୤ ବିନା ପରାମର୍ଶରେ କିମ୍ବା ଅତ୍ୟଧିକ ମାତ୍ରାରେ ବ୍ୟବହାର କଲେ, ହୃଦସ୍ପନ୍ଦନ ବୃଦ୍ଧି, ଦେହରୁ ଅତ୍ୟଧିକ ଝାଳ ବହିବା, ଓଜନ କ୍ଷୟ ହେବା, ଚୁଟି ଝଡ଼ିବା, ଚିଡ଼ିଚିଡ଼ା ସ୍ବଭାବ ଦେଖାଯାଏ୤ ଶିଶୁମାନଙ୍କ କ୍ଷେତ୍ରରେ ଏହା ମସ୍ତିଷ୍କରେ ଚାପ ସୃଷ୍ଟି କରିଥାଏ୤
୮. ଥାଇରଏଡ଼ ଔଷଧ ସେବନ ଗର୍ଭବତୀଙ୍କ ପାଇଁ ହାନୀକାରକ୤
ଉତ୍ତର : ଆଦୌ ନୁହେଁ୤ ଏହା ସମ୍ପୂର୍ଣ୍ଣଭାବେ ନିରାପଦ୤ ଏହା ଗର୍ଭବତୀ ମହିଳା ଏବଂ ଶିଶୁର କୌଣସି କ୍ଷତି ଘଟାଇ ନଥାଏ୤ ହାଇପୋଥାଇରଏଡ଼ିଜ୍‌ମ ସମସ୍ୟା ଥିବା ଗର୍ଭବତୀ ମହିଳା ଔଷଧ ସେବନ କରିବା ଦ୍ବାରା ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟ ଉତ୍ତମ ରହେ୤ ଗର୍ଭ ସମସ୍ୟା, ଗର୍ଭପାତ ହେବାର ସମ୍ଭାବନା ମଧ୍ୟ କମ ହୋଇଥାଏ୤ ଏହାଦ୍ବାରା ଗର୍ଭସ୍ଥ ଶିଶୁର ମସ୍ତିଷ୍କର ଅଭିବୃଦ୍ଧି ହୋଇଥାଏ୤
୯. ଥାଇରଏଡ଼ ଅସ୍ତ୍ରୋପଚାର ଦ୍ବାରା ହାଇପୋଥାଇରଏଡ଼ିଜ୍‌ମ ସମସ୍ୟା ଦୂର ହୋଇଥାଏ୤
ଉତ୍ତର : ହାଇପୋଥାଇରଏଡ଼ିଜ୍‌ମ ନିମନ୍ତେ ଅସ୍ତ୍ରୋପଚାରର ଆବଶ୍ୟକତା ନଥାଏ୤
୧୦. ଶିଶୁମାନଙ୍କର ହାଇପୋଥାଇରଏଡ଼ିଜ୍‌ମ ହେତୁ ସେମାନେ ବୟସ୍କ ହେବାବେଳକୁ କଷ୍ଟ ଭୋଗନ୍ତି୤
ଉତ୍ତର : ଥାଇରକ୍ସିନ ଔଷଧର ସଠିକ ବ୍ୟବହାର ଦ୍ବାରା ଶିଶୁମାନଙ୍କର ସଠିକ ଅଭିବୃଦ୍ଧି ହୋଇଥାଏ, ଏବଂ ସେମାନେ ବୟସ୍କ ମାନଙ୍କ ପରି ସ୍ବଚ୍ଛନ୍ଦରେ ଜୀବନଯାପନ କରିପାରନ୍ତି୤
୧୧. ଥାଇରଏଡ଼ ହେବାପାଇଁ ବନ୍ଧାକୋବି ଓ ଫୁଲକୋବି ଆଦି ପରିବା ଦାୟୀ ୤
ଉତ୍ତର : ଆୟୋଡ଼ିନ ଅଭାବ ଜନିତ ପରିସ୍ଥିତିରେ ଏହି ପରିବା ହର୍ମୋନ୍ ସୃଷ୍ଟିରେ ବାଧା ଘଟାଇଥାଏ୤ କିନ୍ତୁ ବର୍ତ୍ତମାନ ଆୟୋଡିନ୍ ଯୁକ୍ତ ଲବଣ ବହୁଳ ବ୍ୟବହାର ହେତୁ ଏହି ସବୁ ପନିପରିବା ବ୍ୟବହାର ଉପରେ କୌଣସି ବାଧା / ନିଷେଧ କରାଯାଏ ନାହିଁ୤

Download The PDF File Here

ଅନ୍ତଃସ୍ରାବୀ ଗ୍ରନ୍ଥି ଏବଂ ମଧୁମେହ ବିଶେଷଜ୍ଞ, ଥାଇରଏଡ଼ ବିଶେଷଜ୍ଞ
ଡାଇବେଟିସ୍ ଏଣ୍ଡ ଏଣ୍ଡୋକେର୍ କ୍ଲିନିକ୍, ବ୍ରହ୍ମପୁର
ଇମେଲ୍ : diab.endocare@gmail.com
ମୋବଇଲ୍ : 07749804401 / 09040475800

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

କନ୍ୟା ଏତେ ଅଲୋଡ଼ା କାହିଁକି ?

କନ୍ୟା ଏତେ ଅଲୋଡ଼ା କାହିଁକି ?

ଏଠାରେ ପଢ଼ନ୍ତୁ !
ଆମେ ସାବିତ୍ରୀ ବ୍ରତ ପାଳନ କରୁ କାହିଁକି ?

ଆମେ ସାବିତ୍ରୀ ବ୍ରତ ପାଳନ କରୁ କାହିଁକି ?

ଏଠାରେ ପଢ଼ନ୍ତୁ !