favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
କନ୍ୟା ଏତେ ଅଲୋଡ଼ା କାହିଁକି ?

କନ୍ୟା ଏତେ ଅଲୋଡ଼ା କାହିଁକି ?

ଘରେ ପହଞ୍ଚିବାପରେ ହାତରୁ ବ୍ୟାଗ୍ ଆଉ ଛତା ନେଇ ଠିକଣା ସ୍ଥାନରେ ଥୋଇଦେଇ ପାଣି ଗିଲାସେ ଧରି ଆସି ପହଞ୍ଚିଲା ସୁଶୀଳା୤ ଝିଅ ହାତରୁ ପାଣି ଗ୍ଲାସ୍ ନେଇ ଚେୟାର ଉପରେ ବସିପଡ଼ିଲେ ପ୍ରଧାନବାବୁ୤ ଝିଅ ସାଙ୍ଗେ ସାଙ୍ଗେ ଫ୍ୟାନ୍‌ଟା ଚାଲୁ କରିଦେଲା୤ ସେ ପାଣି ପିଇବା ସାରିଦେଇ ନିଜ କୋଠରୀକୁ ପ୍ରବେଶ କଲେ ଓ ପୋଷାକ ପରିବର୍ତ୍ତନ କରିଦେଇ ପୁଣି ବୈଠକକୁ ଆସିବା ବେଳକୁ ଡାକ ପକାଇଲା ସୁଶୀଳା, ‘ବାପା, ଖାଇବାକୁ ବାଢ଼ି ଦେଇଛି୤ ଆସ୤’

ପ୍ରଧାନବାବୁଙ୍କ ଏକମାତ୍ର ଝିଅ ସୁଶୀଳା୤ ଅଜସ୍ର ସମ୍ପତ୍ତିର ମାଲିକ ପ୍ରଧାନବାବୁ ସୁଶୀଳା ଜନ୍ମହେବାପରେ ଆଉ କେବେ ଦ୍ବିତୀୟ ସନ୍ତାନ କଥା ଚିନ୍ତା କରିନାହାନ୍ତି୤ କରିବାର ଆବଶ୍ୟକତା କେବେ ଅନୁଭବ କରିନାହାନ୍ତି୤ ଏମିତି ବି ନୁହେଁ ଯେ କେହି ତାଙ୍କୁ ପ୍ରବର୍ତ୍ତାଇ ନାହାନ୍ତି୤ ଅନେକେ କହିଛନ୍ତି, ‘ଆଜ୍ଞା, ଏତେ ସମ୍ପତ୍ତିବାଡ଼ି କଣ ହେବ? ପୁଅଟିଏ ନଥିଲେ ସବୁ ଛାର୤’ ପ୍ରଧାନବାବୁ ହସିଦେଇ ଚାଲିଆସନ୍ତି, ପଚାରିଲେ କହନ୍ତି, ସେ ସବୁ ତୁମେ ବୁଝିପାରିବ ନାହିଁ୤

ପୁରୁଷ ପ୍ରଧାନ ଆମ ସମାଜରେ ଝିଅମାନଙ୍କ ପ୍ରତି ଦୃଷ୍ଟିକୋଣରେ କୌଣସି ପରିବର୍ତ୍ତନ ହୋଇନାହିଁ୤ ଏବେ ବି କନ୍ୟାଭୃଣ ହତ୍ୟା ହେଉଛି୤ ଏବେ ବି ଝିଅମାନଙ୍କୁ ସର୍ବସମ୍ମୁଖରେ ଲାଞ୍ଛିତା ଅପମାନିତା କରାଯାଉଛି୤ ଏବେ ବି ଯୌତୁକ ପାଇଁ ଝିଅମାନଙ୍କୁ ମାରି ଦିଆଯାଉଛି୤ ବିଗତ ଦିନର କିଛି ଖବର କାଗଜ ପଢ଼ିବା ପରେ ମନରେ ସ୍ବତଃ ପ୍ରଶ୍ନ ଆସେ, ଏ ସବୁ କଣ ପାଇଁ ହେଉଛି ? ପୁଅ ଓ ଝିଅ ମଧ୍ୟରେ ଏମିତି ବିଭେଦ କାହିଁକି ? କଣ ଝିଅମାନେ ଏତେ ଅଲୋଡ଼ା ?

କିଛିଦିନ ତଳେ ପ୍ରେମବିବାହ କରିଥିବା ଏକ ଦମ୍ପତ୍ତି ରେଳଯୋଗେ ନିଜ ଘରକୁ ଯାଉଥିବା ବେଳେ କୌଣସି କାରଣରୁ ମନୋମାଳିନ୍ୟ ହେବାପରେ ଗର୍ଭବତୀ ସ୍ତ୍ରୀକୁ ନିଜ ସ୍ବାମୀ ରେଳରୁ ଧକ୍କା ଦେଇ ଚାଲିଯାଇଥିଲା୤ ଚାରିଘଣ୍ଟାକାଳ ସେ ରେଳ ଧାରଣା ପାର୍ଶ୍ବରେ ଅକଥନୀୟ କଷ୍ଟ ଭୋଗି ପଡ଼ିରହି ଏକ ମୃତ ଶିଶୁକୁ ଜନ୍ମଦେବାପରେ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିଲା୤ ପୁଣି କିଛିଦିନ ତଳେ ଯୌତୁକ ଦାବୀ ନେଇ ଜଣେ ଇଞ୍ଜିନିୟର ନିଜ ଇଞ୍ଜିନିୟର୍ ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଠେଲିଦେଇଥିଲେ୤ ଆଉ ଆଜି ସମ୍ବାଦରେ ପ୍ରକାଶିତ ଖବର ଅନୁଯାୟୀ ଓଡ଼ିଶାର ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ବହୁତ କମ୤ ଖବର ଅନୁଯାୟୀ ଗୋଟିଏ ଅଞ୍ଚଳରେ ପ୍ରତି ହଜାରେ ପୁଅରେ ମାତ୍ର ୪୮୪ ଝିଅ ଅଛନ୍ତି୤ ଏମିତି ଅସମାନତା ହେଲା କେମିତି ? ପ୍ରକୃତିର ନିୟମ ଅନୁଯାୟୀ ପୁଅ ଓ ଝିଅ ସଂଖ୍ୟା ପ୍ରାୟତଃ ସବୁଠି ସମାନୁପାତରେ ରହୁଥିବା ବେଳେ ନୟାଗଡ଼ ଜିଲ୍ଲାର ଦୃଶ୍ୟ ଏହାର ସମ୍ପୂର୍ଣ୍ଣ ବିପରୀତ୤ ଏଠାରେ ଉଲ୍ଲେଖନୀୟ ଯେ ବିଗତ କିଛି ବର୍ଷତଳେ ଏହି ଜିଲ୍ଲାରେ କନ୍ୟାଭୃଣ ହତ୍ୟା ମାମଲା ସାମନାକୁ ଆସିଥିଲା, ଯେତେବେଳେ ଅଗଣିତ କନ୍ୟାଭୃଣ ଲୋକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା୤ ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା୤

ସେ ଯା ହେଉ୤ ଦିନକୁ ଦିନ କମ ହେଉଥିବା କନ୍ୟାସଂଖ୍ୟା ନିଶ୍ଚୟଭାବରେ ଉଦ୍‌ବେଗଜନକ୤ କିଏ କାହିଁକି ଏବଂ କେମିତି ଏହି ପରିସ୍ଥିତିକୁ ସୃଷ୍ଟି କରିଲା ? ଯଦି କନ୍ୟା ସଂଖ୍ୟା ଏମିତି ଦରରେ କମ ହୁଏ ତେବେ, ଆଗକୁ ବାହା ହେବା ଯୋଗ୍ୟ କନ୍ୟାଟିଏ ମିଳିବା କଷ୍ଟକର ବ୍ୟାପାର ହୋଇଯିବ୤ କନ୍ୟାଟିଏ ଘରର ଶୋଭା ବଢ଼ାଏ ବୋଲି କହନ୍ତି, କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ପୁଅପାଇଁ ଅହେତୁକ ବ୍ୟାକୁଳ ପିତାମାତା କନ୍ୟାଭୃଣ ହତ୍ୟାକରିବାକୁ ପଛାଉନାହାନ୍ତି୤ ଏହା ଆଦୌ ଗ୍ରହଣୀୟ ନୁହେଁ୤ ସାଂପ୍ରତିକ ସମାଜରେ ପୁଅ ଓ ଝିଅ ମଧ୍ୟରେ କିଛି ଫରକ୍ ନଥିବା ବେଳେ, କିନ୍ତୁ ଆମ ଚିନ୍ତାଧାରା ଆଧୁନିକ ହୋଇପାରିନାହିଁ୤ ଝିଅମାନେ ଡାକ୍ତର, ଇଞ୍ଜିନିୟର ହେଲେଣି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନେ ପୁରୁଷମାନଙ୍କ ପରି ସବୁ ପ୍ରକାର କାମ କରିବାରେ ପାରଙ୍ଗମ ହେଲେଣି, ତଥାପି ସେମାନଙ୍କ ପ୍ରତି ସାଧାରଣରେ ଥିବା ମନୋବୃତ୍ତି ନୈରାଶ୍ୟଜନକ ଅଟେ୤ ଏହା ପଛରେ ଥିବା ଅନେକ କାରଣ ମଧ୍ୟରୁ ହୁଏତ ଯୌତୁକ ସମସ୍ୟା, ଯୌନ ଅପରାଧଗତ ସମସ୍ୟା ମୁଖ୍ୟ ହୋଇପାରେ୤

ପରିବାରରେ ପୁଅଟିଏକୁ ଯେମିତି ଦାୟିତ୍ବବାନ ଓ ପରିବାରର ଉତ୍ତରଦାୟାଦ ବୋଲି ବିବେଚନା କରାଯାଏ, ଝିଅମାନଙ୍କୁ ସେମିତି କରାଯାଏ ନାହିଁ, ବରଂ ଝିଅଟିଏ ଥିଲେ ତାହା ପରିବାର ଉପରେ ବୋଝ ବୋଲି ଅନେକ ଭାବନ୍ତି୤ ପ୍ରତି ମୁହୂର୍ତ୍ତରେ ଝିଅଟିକୁ ସମ୍ମାନ / ଇଜ୍ଜତକୁ ଧରି ରଖି ବଞ୍ଚିବାର କଳା ଶିଖାଇ ଦିଆଯାଏ୤ ଝିଅଟିଏ ପାଇଁ ତା ଶରୀର ହୋଇଯାଏ ସର୍ବଶ୍ବ୤ ଥରେ ଏହା କଳୁଷିତ ହୋଇଗଲେ ସବୁ କିଛି ସରିଗଲା ବୋଲି ଶିଖାଇ ଦିଆଯାଏ୤ ସେଇଥିପାଇଁ ନିଜର ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ କନ୍ୟା ସମାଜରେ ହୀନମଣ୍ୟତାର ଶୀକାର ହୋଇଥାନ୍ତି୤ ଯେଉଁ ଅଳ୍ପ କିଛି ଝିଅ ନିଜର ଅଧିକାର ପାଇଁ ଆଗଭର ହୁଅନ୍ତି ସେମାନଙ୍କୁ ଅଣ୍ଡିରାଚଣ୍ଡି ବୋଲି ଆଖ୍ୟା ଦେଇ ଦିଆଯାଏ୤ ସେହିଭଳି ଝିଅମାନଙ୍କୁ ସାମାଜିକ ଭାବରେ ବାସନ୍ଦ କରାଯିବା ମଧ୍ୟ ଦେଖାଯାଏ୤ ପୁଅମାନେ ସ୍ବଚ୍ଛନ୍ଦ ଭାବରେ ନିର୍ଭୟରେ ବିଚରଣ କରିପାରନ୍ତି ଏବଂ ସ୍ଥଳବିଶେଷରେ ସେମାନେ ଝିଅମାନଙ୍କ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରନ୍ତି, କିନ୍ତୁ ସେ ସବୁ କାହାକୁ ଦେଖାଯାଏ ନାହିଁ, ସବୁ ଦୋଷ ଲଦିଦିଆଯାଏ ଝିଅ ଉପରେ୤ କୁହାଯାଏ, ଝିଅର ହିଁ ଦୋଷ୤ କିଛି ବୁଦ୍ଧିଜୀବି କହନ୍ତି, ଘରେ ଚାବି ପକାଇଲେ ଚୋରୀ ହୁଏନାହିଁ, ସେହିପରି ନିଜ ଇଜ୍ଜତ ବା ସମ୍ମାନ ପ୍ରତି ସଚେତନ ଥିଲେ କୌଣସି ଝିଅକୁ କେହି ବି ଯୌନଉତ୍ପୀଡ଼ନ ଦେଇ ପାରିବ ନାହିଁ୤

ଓଡ଼ିଆରେ କଥାଟିଏ ଅଛି, ‘ଝିଅ ଜନମ, ପରଘରକୁ...!!!’ ସେଇଥିପାଇଁ ମଧ୍ୟ ଅନେକ ପରିବାରରେ ଝିଅମାନଙ୍କୁ ଅବହେଳା କରାଯାଏ୤ ସେମାନଙ୍କ ଶିକ୍ଷାଦିକ୍ଷାରେ ମଧ୍ୟ ପାତରଅନ୍ତର ନୀତି ଗ୍ରହଣ କରାଯାଏ୤ ପୁଅମାନଙ୍କୁ ସବୁ ସୁବିଧା ଯୋଗାଇଦେଉଥିବା ପିତାମାତା ଝିଅମାନଙ୍କ ବେଳକୁ ନୀରବତା ଅବଲମ୍ବନ କରନ୍ତି୤ କେହି କେହି କହନ୍ତି, ‘ଅଧିକ ପାଠ ପଢ଼ିଲେ, ସେତେ ପାଠ ପଢ଼ିଥିବା ବର ଖୋଜିବାକୁ ପଡ଼ିବ୤ ଯେତେ ଅଧିକ ପଢୁଆ ବର, ସେତେ ଅଧିକ ଯୌତୁକ୤ ସେଇଥିପାଇଁ ଯାହା ଯେତିକି ପଢୁଛି ପଢୁ୤ ଚାକିରୀ କରିବ କି ଆଉ ? ଘର ସମ୍ଭାଳିବା କଥା ଆଗ ଶିଖ୤ ରୋଷେଇ କର, ଲୁଗା ଧୁଆ, ଘର ସଫା ଏ ସବୁ ଶିଖିଲେ ସିନା ଶାଶୁଘରେ ଖୁସିରେ ରହିବୁ?’ ବାସ୍, ଏଇ ଯୁକ୍ତି ଆଗକୁ ଆଉ କେହି ଯୁକ୍ତି କରିବାର ନାହିଁ୤ ଉଚ୍ଚ ଶିକ୍ଷିତ ଲୋକମାନେ ମଧ୍ୟ ଏହିପରି ମତବାଦକୁ ପ୍ରୋତ୍ସାହନ ଦିଅନ୍ତି୤ ଯୌତୁକ ଏକ ସାମାଜିକ ବ୍ୟାଧି ବୋଲି ଯେତେ ଉଚ୍ଚରେ କହିଲେ ସୁଦ୍ଧା, ଏହା ସମସ୍ତେ ଜାଣନ୍ତି, ଯୌତୁକ ଦିଆନିଆ ସବୁଠି ହେଉଛି୤ ସବୁ ସରକାରୀ ନିୟମ ନାଲିଫିତା ତଳେ ରହିଯାଉଛି୤ କେହି କେହି କହିବେ, ‘ଯୌତୁକ ନ ଆଣିଲେ, ଲୋକ ଭାବିବେ ପୁଅର କିଛି ଅଭାବ ରହିଯାଇଛି୤’ ସତେ ଯେମିତି ଯୌତୁକ ଆଣିବାଟା ଏକ ଗୌରବର ବିଷୟ୤ ଏଥିପାଇଁ ଅନେକ ମଧ୍ୟବିତ୍ତ ପରିବାର ସର୍ବସ୍ବାନ୍ତ ହେବାର ନଜିର ଆମ ସମାଜରେ ଦେଖିବାକୁ ମିଳେ୤ ଯୌତୁକ ପାଇଁ ବଧୁହତ୍ୟା ଅନେକ ହେଉଛି୤ କିଛି ଟଙ୍କା ଆଗରେ ମନୁଷ୍ୟର ଜୀବନଟା ମୂଲ୍ୟହୀନ ହେଇଯାଉଛି୤ ବରଂ ସେସବୁ ବିପତ୍ତିରୁ ରକ୍ଷାପାଇବା ପାଇଁ ଝିଅ ଜନ୍ମ ଦେବା ଅନୁଚିତ ବୋଲି ଅନେକ ଧରି ନିଅନ୍ତି୤

ଏହି ଦୁଇଟି କାରଣ ବ୍ୟତୀତ ହୁଏତ ଆହୁରି ଅନେକ କାରଣ ଥାଇପାରେ୤ ସେ ସବୁ ପାଠକ ନିଜେ ଚିନ୍ତା କରି ଦେଖନ୍ତୁ ଏବଂ ସୁଚିନ୍ତିତ ମତାମତ ଆମ ନିକଟକୁ ଲେଖି ପଠାନ୍ତୁ୤ ଆମ ଇମେଲ୍ ଠିକଣା ହେଲା : aahwaan@gmail.com
ଧନ୍ୟବାଦ

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ସମ୍ପର୍କ ଦୁର୍ବଳ ହୁଏ କାହିଁକି ?

ସମ୍ପର୍କ ଦୁର୍ବଳ ହୁଏ କାହିଁକି ?

ଏଠାରେ ପଢ଼ନ୍ତୁ !
ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ

ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ

ଏଠାରେ ପଢ଼ନ୍ତୁ !