ଆଜି ପବିତ୍ର ସାବିତ୍ରୀ ବ୍ରତ ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ନିର୍ବିବାଦରେ ପାଳିତ ହୁଏ ପ୍ରତ୍ୟେକ ସଧବା ନାରୀ ନିଜ ପତି ଏବଂ ପରିବାରର ସୁଖସମୃଦ୍ଧିପାଇଁ ଏହି ବ୍ରତକୁ ପାଳନ କରିଥାନ୍ତି ଦିନଟିଏ ଉପବାସ କରି ଘରେ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରି ପୂଜା କରାଯାଏ
ଅବଶ୍ୟ କିଛି ବୁଦ୍ଧିଜୀବି ଏହାକୁ ସାମାଜିକ ବ୍ୟବସ୍ଥାର ପଶ୍ଚାତଗତି ବା ଅଧୋଗତି ସହ ତୁଳନା କରନ୍ତି ସିଧା ଭାଷାରେ କହିଲେ ପ୍ରହସନ ଯେହେତୁ ସେମାନେ ବୁଦ୍ଧିଜୀବି ସେମାନଙ୍କ ମତକୁ ଆମେ ସମ୍ମାନ ଦେଉ ସାବିତ୍ରୀ ବ୍ରତ ପୁସ୍ତିକାରେ ପ୍ରକାଶିତ କଥାର ସତ୍ୟାସତ୍ୟ ପ୍ରମାଣିତ ନୁହେଁ, ଏହା ଏକ ଲୋକକଥା ମାତ୍ର ହୋଇଥାଇପାରେ ହୁଏତ କେହି ଜଣେ ବ୍ୟକ୍ତି ଏହି କାହାଣୀକୁ ରଚନା କରିଥିବେ, ଏବଂ କାଳ ସହ ଗତିଦେଇ କିଛି ବ୍ୟକ୍ତି ଏହାକୁ ସତ୍ୟଘଟଣା କହି ବଖାଣ କରୁ କରୁ ଏହା ଏକ ପ୍ରଥାରେ ପରିଣତ ହୋଇଥାଇପାରେ ନିଶ୍ଚୟ ଭାବେ ଏହି କାହାଣୀରେ ଅନେକ ତୃଟି ରହିଛି ଯେମିତି ମୃତ୍ୟୁପରେ ଆତ୍ମାକୁ ନେବାପାଇଁ ଯମରାଜଙ୍କ ଆଗମନ ଏବଂ ସାବିତ୍ରୀ ତାଙ୍କ ପଛରେ ଯିବା ଏହାକୁ କେମିତି ପ୍ରମାଣିତ କରିହେବା ତାହା ଆମେ ବି ଜାଣିନୁ ସେହିପରି ସାବିତ୍ରୀଙ୍କ ଶହେ ପୁତ୍ର ହେବା ଶଶୁରଙ୍କ ଚକ୍ଷୁ ଆପେ ଆପେ ଠିକ୍ ହୋଇଯିବା, ଅପୁତ୍ରିକ ପିତାଙ୍କର ପୁତ୍ର ପ୍ରାପ୍ତି ହେବା ଏ ସବୁ ଯାଦୁଗରର କଳାକାରୀଠାରୁ ଅଲଗା କିଛି ନ ହୋଇପାରେ, ଆଧୁନିକ ସମୟରେ ଏ ସବୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗିପାରେ ତେଣୁ ବସ୍ତୁତଃ ସାବିତ୍ରୀ ବ୍ରତର କାହାଣୀ ସତ୍ୟ ନ ହୋଇପାରେ
କିନ୍ତୁ ସାବିତ୍ରୀ ବ୍ରତ ପାଳନ କରୁଥିବା ନାରୀଟିଏ କଣ କେବଳ ଗୋଟିଏ କାହାଣୀକୁ ପଢ଼ିଶୁଣି ଏହି ବ୍ରତ କରନ୍ତି ? ନା କେବଳ କାହାଣୀଟିଏ ପଢ଼ିଦେଇ ସେମାନେ ଏତେ ପ୍ରେରଣା ପାଆନ୍ତି ଯେ ଦିନଟିଏ ନ ଖାଇ ରହିଯାଆନ୍ତି ମନସ୍ତାତ୍ତ୍ବିକ ଦୃଷ୍ଟିରୁ ଏହାକୁ ଏକ ରୋଗ ବୋଲି ମଧ୍ୟ କୁହାଯାଇପାରେ ଭେଷଜ ବିଜ୍ଞାନରେ ଏହାକୁ ବିଭିନ୍ନ ନାମ ମଧ୍ୟ ଦିଆଯାଇପାରେ ତା’ହେଲେ ସାବିତ୍ରୀ ବ୍ରତ ପାଳନ କରୁଥିବା ସମସ୍ତ ମହିଳା କଣ ସେଇ ଏକା ରୋଗରେ ଆକ୍ରାନ୍ତ ? ହଁ, ନିଶ୍ଚୟ ଭାବରେ ଆକ୍ରାନ୍ତ ନହେଲେ ସେମାନେ ଏମିତି କରନ୍ତି କାହିଁକି ? ଯେଉଁମାନେ ସାବିତ୍ରୀବ୍ରତ ପାଳନ କରନ୍ତି ନାହିଁ, ସେମାନେ କଣ ସବୁବେଳେ ଦୁଃଖ ଦରିଦ୍ରତାରେ ରହନ୍ତି? ସେମାନଙ୍କ ସ୍ବାମୀମାନେ ଅକାଳ ମୃତ୍ୟୁବରଣ କରନ୍ତି ? ନା କାରଣ ଆମେରିକା, ଲଣ୍ଡନ ଆଦି ଦେଶରେ ତ କେହି ସାବିତ୍ରୀ ବ୍ରତ ପାଳନ କରନ୍ତି ନାହିଁ ଆମ ବୁଦ୍ଧିଜୀବିମାନେ ମଧ୍ୟ ମୋ ସହ ସହମତ ହେବେ ଏହାର ଅର୍ଥ ଏହି ପର୍ବକୁ ପାଳନ କରୁଥିବା ସମସ୍ତ ମହିଳା ଏକ ରକମର ମାସ୍ ହିଷ୍ଟ୍ରିୟା ରୋଗାକ୍ରାନ୍ତ କହିହେବ ବହୁତ ଲୋକଙ୍କ ଆକ୍ରାନ୍ତ କରିପାରୁଥିବା ଏକ ରୋଗ, ଯାହାର ପ୍ରଭାବରେ ସମସ୍ତେ ଏକ ପ୍ରକାର କାର୍ଯ୍ୟ ବିନା ଚିନ୍ତାକରି କରନ୍ତି
ବିଦେଶରେ ଏ ସବୁ ହୁଏନି ବିଦେଶରେ ସେମାନେ କୌଣସି ପୂଜାବ୍ରତ କରନ୍ତି ନାହିଁ ସେଇଠି ନରନାରୀ ସମାନ କେବଳ ଆମ ଧର୍ମରେ ହିଁ ନାରୀକୁ ନ୍ୟୁନ ଦେଖାଇବାପାଇଁ ଏହିପରି ପ୍ରଥା ପ୍ରଚଳିତ ରହିଛି ନାରୀ ସଶକ୍ତିକରଣ ହେବ ତ ହେବ କେମିତି ? ଯେଉଁଠି ସ୍ବାମୀଙ୍କୁ ଦେବତାବୋଲି କୁହାଯାଉଛି ଆଉ ସ୍ତ୍ରୀଙ୍କୁ ଦାସୀ ତେଣୁ ଏହି ସବୁ ପ୍ରଥା ନିଶ୍ଚୟ ଆମ ସମାଜକୁ ରସାତଳକୁ ନେଇଯିବ ଦୀର୍ଘ ଦଶ ଶତାବ୍ଦୀଧରି ଏହି ପ୍ରଥା ଆମ ସମାଜରେ ପାଳିତ ହୋଇ ଆସିବା ଦ୍ବାରା ହିଁ ସମାଜରେ ଅବନତି ହୋଇଛି ବର୍ଷସାରା ଝଗଡ଼ା କରୁଥିବା ସ୍ତ୍ରୀମାନେ ଏହି ଗୋଟିଏ ଦିନ ସ୍ବାମୀଙ୍କ ପାଦଛୁଇଁ ପୂଜା କରିବା ମଧ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ ବିବାହ କାହିଁକି କରାଯାଏ, ତାହା ଅବଶ୍ୟ ଆମ ଚିନ୍ତାର ବିଷୟ ନାହିଁ ଏହାଦ୍ବାରା ଲାଭ କଣ ହୁଏ ବା କ୍ଷତି କଣ ହୁଏ ସେ ସବୁ ବିଷୟରେ ଆମେ ଚିନ୍ତା କରିବାର ଆବଶ୍ୟକତା ଆମେ କେବେ ଅନୁଭବ କରି ପାରିଲୁନାହିଁ ଜୀବନକୁ ସୂକ୍ଷ୍ମସ୍ତରରେ ଅନୁଶୀଳନ କରିବା ଭଳି ସାମର୍ଥ୍ୟ ହୁଏତ ଆମେ ସାଧାରଣ ଲୋକଙ୍କ ଭିତରେ ନାହିଁ କିନ୍ତୁ ବୁଦ୍ଧିଜୀବିମାନେ ଏ ବିଷୟରେ ଗବେଷଣାରତ
ସେ ସବୁ କଥା ଛାଡ଼ନ୍ତୁ, ବର୍ତ୍ତମାନ ଚିନ୍ତା କରି କୁହନ୍ତୁ, ଆମେ ସାବିତ୍ରୀ ବ୍ରତ କରିବା ଉଚିତ ନା ନାହିଁ ପୁରୁଷମାନେ ସ୍ତ୍ରୀମାନଙ୍କ ପାଇଁ କୌଣସି ବ୍ରତ କରୁନାହାନ୍ତି, ତା ହେଲେ କେବଳ ସ୍ତ୍ରୀମାନେ ହିଁ ବ୍ରତ କରିବେ କାହିଁକି ? ଏହିପରି ଅନେକ ପ୍ରଶ୍ନବାଣରେ ଜର୍ଜରିତ ଆଧୁନିକ ଯୁଗର ପୁରୁଷ ମହିଳା ଉଭୟ କିଛି ବନ୍ଧୁକହିଲେ, ଏହା ଏକ ପ୍ରଥା ଯାହା ଆମ ଧର୍ମରେ ରହିଛି ତେଣୁ ଏହା ଚାଲୁରହିବା ଉଚିତ ଯେଉଁ ଓଡ଼ିଆମାନେ ଓଡ଼ିଶାବାହାରେ ରହୁଛନ୍ତି ସେମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି କି ନାହିଁ, ସେ ବିଷୟରେ ଆମେ ଅଜ୍ଞ ତେଣୁ ଆମେ କହିବା ଯେ କେବଳ ଓଡ଼ିଶାରେ ହିଁ ଏହା ପାଳନ ହେଉଛି କିଛି ଲୋକଲାଜରେ ଏହାକୁ ପାଳନ କରିଥାଆନ୍ତି, କିଛି କେବଳ ନିୟମ ଅଛି ବୋଲି କରନ୍ତି, ଆଉ କିଛି ବୋଧହୁଏ ନିଷ୍ଠାର ସହ ଏହାକୁ ପାଳନ କରନ୍ତି, କାରଣ ସେମାନେ ଜାଣନ୍ତି, କାହାଣୀ ଅସତ୍ୟ ହୋଇପାରେ ହେଲେ କାହାଣୀର ନିଷ୍କର୍ଶ କେବେ ମିଥ୍ୟା ନୁହଁ ପ୍ରକୃତରେ ପ୍ରେମର ଶକ୍ତି ଏକ ସକାରାତ୍ମକ ଶକ୍ତି ହୋଇଥିବା ବେଳେ ମୃତ୍ୟୁ ଏକ ନକାରାତ୍ମକ ବିଷୟ ଏବଂ ପ୍ରେମଦ୍ବାରା ଏହାର ପରାଜୟ ସମ୍ଭବ
ସ୍ବାମୀ ସ୍ତ୍ରୀର ସମ୍ପର୍କ ଏକ ସାମାଜିକ ସମ୍ପର୍କ ନୁହେଁ, ଏହା ବ୍ୟକ୍ତିଗତ ସମ୍ପର୍କ ସେ ସମ୍ପର୍କ ଯେ ସବୁବେଳେ ପୁସ୍ତକରେ ଦିଆଯାଇଥିବା ତଥ୍ୟ ଭଳି ପବିତ୍ର, ସୁସ୍ଥ ଓ ସୁନ୍ଦର ହେବ ତାହା ଅସମ୍ଭବ ଯେଉଁଠି ଏକାଧିକ ବ୍ୟକ୍ତି ରହିବେ ସେଇଠି ମନାନ୍ତର ଓ ମତାନ୍ତର ସ୍ବାଭାବିକ କେବଳ ସ୍ବାମୀସ୍ତ୍ରୀ କାହିଁକି, ବାପାମାଆ, ପୁଅଝିଅ, ବାପାପୁଅ ପରସ୍ପର ସହ କେବେ ନା କେବେ ମନାନ୍ତର ଓ ମତାନ୍ତର ଭୋଗନ୍ତି, ତା’ର ଅର୍ଥ କଣ ସେମାନଙ୍କ ସମ୍ପର୍କ ଭଲ ନୁହେଁ ? ସେମାନେ ପରସ୍ପରର ଭଲ ଚାହାନ୍ତି ନାହିଁ କଳହର କାରଣ ନ ଜାଣି ଆମେ କହିପାରିବା ନାହିଁ, ସେମାନଙ୍କ ଭିତର ସମ୍ପର୍କର ଦୃଢ଼ତା କେତେ ବିଭିନ୍ନ କାରଣରୁ କଳହ ହୋଇପାରେ କିନ୍ତୁ ସ୍ନେହ କେବେ ମରିଯାଏ ନାହିଁ ତେଣୁ ସ୍ବାମୀସ୍ତ୍ରୀ ଭିତରେ ପ୍ରେମ ନଥାଏ ବୋଲି କହିଦେବା ସହଜ, କିନ୍ତୁ ସେମାନଙ୍କ ଭିତରେ ଥିବା ସ୍ନେହକୁ ଦେଖିବା ଭଳି ସାମର୍ଥ୍ୟ ରହିବା ଦରକାର
ନିଜ ସ୍ବାମୀ ଓ ପରିବାରର ସୁଖ ସମୃଦ୍ଧିପାଇଁ ବ୍ରତ ପାଳନ କରୁଥିବା ମହିଳାଟିଏକୁ ପରିହାସ କରିବା ହୁଏତ ଅମାନବୀୟ ହୋଇପାରେ ସ୍ନେହରେ, ଶ୍ରଦ୍ଧାରେ, ଭୟରେ ହେଉ ଅବା ଲୋକଲଜ୍ଜାରେ ହେଉ ପ୍ରତ୍ୟେକ ଓଡ଼ିଆନାରୀ ଏହାକୁ ପାଳନ କରୁଛନ୍ତି ଯଦି କେହି ପାଳନ କରୁନଥାନ୍ତି ତାହାର ଅନେକ କାରଣ ଥାଇପାରେ ବେଳେ ବେଳେ ଅଶୌଚ ହୋଇଗଲେ ଏହାକୁ ପାଳନ କରାଯାଏନି, ଆଉ ତଥାପି ଯଦି ଅନ୍ୟ କୌଣସି କାରଣ ନଥାଏ ତା ହେଲେ ହୁଏତ ସେହି ମହିଳା ବିଦେଶିନୀ ହୋଇପାରନ୍ତି ସେ ଯା’ହେଉ ଯେଉଁମାନେ ଏହି ପର୍ବକୁ ଶ୍ରଦ୍ଧାରେ ପାଳନ କରନ୍ତି ସେମାନେ ସମସ୍ତେ ଯେ ରୋଗାକ୍ରାନ୍ତ ତାହା କହିବା ମୁର୍ଖାମୀ ହେବ ଗୋଟିଏ ଦିନ ନିଜ ପତି ଓ ପରିବାର ପାଇଁ ପୂଜା କରିଦେଲେ ନାରୀ ସଶକ୍ତୀକରଣରେ କୌଣସି ବାଧା ପହଞ୍ଚିବ ନାହିଁ ସାବିତ୍ରୀ ବ୍ରତର ପରମ୍ପରା ହୁଏତ ସ୍ବାମୀପାଇଁ ହୋଇଥାଇ ପାରେ କିନ୍ତୁ ଉହ୍ୟରେ ଏହି ପରମ୍ପରା ପଛରେ ରହିଛି ଜଣେ ମହିୟସୀ ମହିଳାଙ୍କ ଶକ୍ତିର ଗାଥା ଏହା କଣ କମ ? ଯଦି ଜଣେ ମହିଳାଙ୍କ ପୂଜାଦ୍ବାରା ପୁରୁଷର ଉନ୍ନତି ହେଉଛି ତା ହେଲେ ସେ ମହିଳା ନିଶ୍ଚୟ ଭାବେ ପୂଜନୀୟା ଏବଂ କୌଣସି ଦୃଷ୍ଟିରୁ ପୁରୁଷଠାରୁ ନ୍ୟୁନ ନୁହେଁ ସାବିତ୍ରୀଙ୍କ ଶକ୍ତିର ଗାଥା, ଯାହା ଦ୍ବାରା ସାବିତ୍ରୀ ନିଜ ସ୍ବାମୀଙ୍କୁ ମୃତ୍ୟୁର ଦେବତା ଯମଙ୍କଠାରୁ ଫେରାଇ ଆଣିଥିଲେ ଏହା କଣ ନାରୀ ସଶକ୍ତିକରଣ ନୁହେଁ ନିଜର, ନିଜ ସ୍ବାମୀଙ୍କ ପରିବାର ଓ ପିତାଙ୍କ ପରିବାରର ସମସ୍ତ ଦୁଃଖକୁ ଦୂର କରିଦେଇଥିଲେ, ତାହା କଣ ନାରୀ ସଶକ୍ତିକରଣର ଉଦାହରଣ ନୁହେଁ ହଁ, ଏହାମାତ୍ର କାହାଣୀ, ତେଣୁ ହୁଏତ କିଛି ବନ୍ଧୁ ହସିବେ ଆଉ କହିବେ, ତୁମେ ସେ ଗାଲୁଗପ ଉପରେ ବିଶ୍ବାସ କରୁଛ ? ହଁ ଆମେ ବିଶ୍ବାସ କରୁଛୁ, କାରଣ ଏହା ଦ୍ବାରା ଆମର କୌଣସି କ୍ଷତି ହେଉନାହିଁ ଏହି ପୁସ୍ତିକାକୁ ବର୍ଷରେ ଦିନଟିଏ ପଢ଼ିଦେଲେ କୌଣସି ଅସୁବିଧା ହେଉନାହିଁ ଏହି ପୁସ୍ତିକା ପଢ଼ି ଆମେ ଅନ୍ୟ କାହାର ମନକୁ ଆଘାତ ଦେଉନାହୁଁ ଏହି ବ୍ରତ ପାଳନ କରି ଆମେ ଆମ ପରିବାର ପାଇଁ ସୁଖସମୃଦ୍ଧି ଆଣିବାକୁ ସ୍ବପ୍ନ ଦେଖୁଛୁ ସମସ୍ତେ କୌଣସି ନା କୌଣସି ସୂତ୍ର ବା ତଥ୍ୟକୁ ନେଇ ଜୀବନ ବିତାଉଛନ୍ତି ଆମ ଜୀବନର ଉତ୍ସ ହୁଏତ ଏହା ହିଁ ହୋଇପାରେ ଯେ ଆମେ ଅନ୍ଧଭାବରେ ଏହି ସବୁ ପ୍ରଥାକୁ ପାଳନ କରୁଛୁ, କାରଣ ଏହାଦ୍ବାରା ଆମେ କାହାକୁ ମାନସିକ ବା ଶାରିରୀକ ଭାବରେ ଆଘାତ ଦେଉନାହୁଁ ତୁମେ ପାଳନ କରୁନାହଁ ଠିକ୍ ଅଛି ସେଇଟା ତୁମର ମାନସିକତା ହୋଇପାରେ, ତୁମେ ହୁଏତ ତର୍କ କରିପାର, କହିପାର ଏହା ବିଜ୍ଞାନ ସମ୍ମତ ନୁହେଁ ଆମେ କିନ୍ତୁ ଏହାକୁ ପାଳନ କରୁ କାରଣ ଆମପାଇଁ ବିଶ୍ବାସ ତର୍କରୁ ଉର୍ଦ୍ଧ୍ବରେ
ନିଜ ପିତାମାତାଙ୍କ ସମ୍ମାନ କରିବା କେଉଁ ବିଜ୍ଞାନରେ ଲେଖା ହୋଇଛି ନିଜ ସନ୍ତାନକୁ ଭଲପାଇବା କେଉଁ ବିଜ୍ଞାନରେ ଲେଖା ହୋଇଛି କେଉଁ ବିଜ୍ଞାନ ଦ୍ବାରା ତୁମେ ପ୍ରମାଣିତ କରିପାରିବ ଆମ ପରିବାରାରେ ଥିବା ପରସ୍ପର ପ୍ରତି ସ୍ନେହ ଓ ପ୍ରେମକୁ? ଏହାକୁ ଯଦି ନିର୍ବିବାଦରେ ମାନିନେଉଛ ତା ହେଲେ ଆମେ ଯେଉଁ ପରମ୍ପରାକୁ ପାଳନ କରୁଛୁ ସେଇଟା ବେଳକୁ ଏତେ ବାକବିବାଦ କାହିଁକି କରୁଛ ? ବିଶ୍ବାସେ ମିଳଇ ହରି ତର୍କେ ବହୁଦୂର ବୋଲି ଆମେ ପିଲାଦିନୁ ଶୁଣି ଆସିଛୁ ତେଣୁ ଯେଉଁଠି ବିନା ତର୍କରେ ଆମକୁ ଶାନ୍ତି ମିଳୁଛି, ଖୁସି ମିଳୁଛି, ସେଇଠି ତୁଛାରେ ତର୍କ କରି ନିଜର ପାଣ୍ଡିତ୍ୟ ଆମେ ଦେଖାଇବାକୁ ଉଚିତ ମଣୁନାହୁଁ ଜୀବନର ସୃଷ୍ଟି ବିଜ୍ଞାନ ବୁଝାଇପାରେ ହେଲେ ଜୀବନ ସବୁବେଳେ ବିଜ୍ଞାନ ଦ୍ବାରା ପରିଚାଳିତ ହୁଏନାହିଁ ଶରୀରକୁ ବିଜ୍ଞାନ ଦ୍ବାରା ବୁଝେଇ ହେବ, ହେଲେ ଆତ୍ମା କଥା ବିଜ୍ଞାନ କେମିତି କହିବ ? ତୁମ ମନରେ ହେଉଥିବା ସମସ୍ତ ପରିବର୍ତ୍ତନକୁ ବିଜ୍ଞାନ କେମିତି ବୁଝେଇବ
ଆମେ ବିଦେଶୀ ନୁହଁ, ଆମର ପିତାମାତା କିଏ ଆମେ ଜାଣୁ ବିଦେଶରେ ହୁଏତ କାହାର ଚାରିଟା ତ କାହାର ପାଞ୍ଚଟା ବାପା ମାଆ ଥାଇ ପାରନ୍ତି ଯେଉଁଠି ମନୁଷ୍ୟକୁ ପଣ୍ୟଦ୍ରବ୍ୟଠାରୁ ଅଧିକକିଛି ବୁଝାଯାଏ ନାହିଁ ଯାହାର ଯେଉଁଠି ମନ ହେଲା ବାହା ହୋଇଗଲା ପୁଣି କିଛିଦିନପରେ ଛାଡ଼ପତ୍ର ନେଇ ନୂଆ ସାଥୀ ସନ୍ଧାନରେ ଚାଲିଲା ସେଇଠି ସତରେ ମନୁଷ୍ୟକୁ ପଣ୍ୟଦ୍ରବ୍ୟ ବୋଲି ବିବେଚନା କରାଯାଇପାରେ ହେଲେ ଏଠି ଆମ ଦେଶରେ ସ୍ବାମୀଙ୍କୁ କାଳକାଳାନ୍ତରର ଦେବତା ବୋଲି ଧରିନିଆଯାଏ ବିବାହ କରିବା ପରେ ସାତଜନ୍ମ ପାଇଁ ସାଥୀ ବୋଲି ବିବେଚନା କରାଯାଏ ଏଠି ବ୍ୟକ୍ତିର ମୂଲ୍ୟ ସୌନ୍ଦର୍ଯ୍ୟରୁ ନୁହେଁ ବରଂ ବ୍ୟକ୍ତିତ୍ବରୁ ଜଣାପଡ଼େ ବିଦେଶରେ ହୁଏତ ପିଲାମାନେ ନିଜ ବାପାକୁ ନାଁ ଧରି ଡାକନ୍ତି, ଆମେ କିନ୍ତୁ ଆମ ବାପାଙ୍କୁ ବାପା ଆଉ ମାଆଙ୍କୁ ମାଆ ବୋଲି ହିଁ କହୁ କାରଣ ଆମ ଦେଶରେ ସଂସ୍କୃତି ଅଛି, ପରମ୍ପରା ଅଛି, ଆଉ ଆମେ ଏହି ସଂସ୍କୃତି ଓ ପରମ୍ପରା ପାଇଁ ନିଜକୁ ଗର୍ବିତ ମନେ କରୁ ଆମ ଘରର ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କ ପାଇଁ ବ୍ରତ ଉପବାସ କରି ପୁରୁଷମାନଙ୍କଠାରୁ ନ୍ୟୁନ ହୋଇଯାଆନ୍ତି ନାହିଁ, ବରଂ ଆମ ଦୃଷ୍ଟିରେ ସେମାନେ ଦେବୀତୂଲ୍ୟ ସମ୍ମାନର ପାତ୍ରୀ ଅବଶ୍ୟ ହୋଇଯାଆନ୍ତି ପାଶ୍ଚାତ୍ୟ ସଭ୍ୟତା ସହ ତୁଳନା କରି ହେଉ ଅବା ବୈଜ୍ଞାନିକ କାରଣ ଖୋଜି ସବୁ କାମ କରିବା ହେଉ, ଏ ସବୁ ଦ୍ବାରା ସମ୍ପର୍କର ଗଭୀରତାକୁ ମାପି ହେବନାହିଁ ଆମେ ସମ୍ପର୍କକୁ ସମ୍ମାନ ଦେଉ ସେଇଥି ପାଇଁ ଆମେ ସାବିତ୍ରୀ ବ୍ରତ ପାଳନ କରୁ
ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ
ଏଠାରେ ପଢ଼ନ୍ତୁ !ସାବିତ୍ରୀ ବ୍ରତକଥା (ଇ-ପୁସ୍ତିକା) ଡାଉନଲୋଡ୍ କରନ୍ତୁ
ଏଠାରେ ପଢ଼ନ୍ତୁ !