favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଫୁଟ୍‌ପାଥ ନା ମରଣଯନ୍ତା

ଫୁଟ୍‌ପାଥ ନା ମରଣଯନ୍ତା

ବଡ଼ ସହର ମାନଙ୍କରେ ଗାଡ଼ିମୋଟର ଯିବାପାଇଁ ଉଦ୍ଦିଷ୍ଟ ରାସ୍ତା ପାର୍ଶ୍ବରେ ଥିବା ଉଚ୍ଚ ପଥ ଯେଉଁଠାରେ ଲୋକମାନେ ଚାଲି ଚାଲି ଯାଆନ୍ତି, ତାହାକୁ ଫୁଟ୍‌ପାଥ୍ କୁହାଯାଏ୤ ଓଡ଼ିଆରେ କହିଲେ ପାଦଚଲା ରାସ୍ତା୤ ଦିନବେଳେ ଏହି ରାସ୍ତାରେ ଅଗଣିତ ଲୋକ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳେ ହେଲେ ଦିନ ସରି ଆସିଲାବେଳକୁ ସହରରେ ରହୁଥିବା କିଛି ବାସଗୃହହୀନ ବ୍ୟକ୍ତି ଏହି ଫୁଟ୍‌ପାଥକୁ ନିଜର ଘର କରି ଦିଅନ୍ତି୤ ଆମ ଦେଶରେ ଥିବା ଅନେକ ମହାନଗରରେ ଏପରି ଦେଖିବାକୁ ମିଳେ୤ ଏହାକୁ ନେଇ ଅନେକ ହିନ୍ଦୀ ଚଳଚ୍ଚିତ୍ର ବି ନିର୍ମାଣ ହୋଇଛି୤ ଏହିପରି ଫୁଟ୍‌ପାଥରେ ଶୋଇବା ସାଧାରଣତଃ ଠିକ୍ କଥା ନୁହେଁ୤ କାରଣ ଫୁଟ୍‌ପାଥର ନିର୍ମାଣ ଅନ୍ୟ କାରଣ ପାଇଁ ହୋଇଛି, କିନ୍ତୁ ଯେଉଁମାନଙ୍କ ପାଖରେ ରହିବାକୁ ଘର ନାହିଁ ସେମାନେ ବାଧ୍ୟ ହୋଇ ଏହିଠାରେ ଶୋଇଯାଆନ୍ତି୤ ବିଗତ କେଇ ଦଶନ୍ଧିରେ ଭାରତର ଗ୍ରାମାଞ୍ଚଳରୁ ଅନେକ ଲୋକ କର୍ମସଂସ୍ଥାନର ଅନୁସନ୍ଧାନରେ ଏହିପରି ମହାନଗର ମାନଙ୍କରେ ଆସି ପହଞ୍ଚିବାପରେ ରହିବା ପାଇଁ ସ୍ଥାନ ନ ପାଇ ଏହି ସ୍ଥାନରେ ରହନ୍ତି୤



ଦୀର୍ଘବର୍ଷ ତଳେ ଏମିତି ଏକ ଫୁଟପାଥ ଉପରେ ଶୋଇଥିବା କିଛି ଲୋକଙ୍କ ଉପରେ ହଠାତ୍ ଏକ ଗାଡ଼ି ଚଢ଼ି ଯାଇଥିଲା୤ ଦେଖୁ ଦେଖୁ ଗୋଟିଏ ଜୀବନ ଲୋପ ହୋଇଗଲା୤ ଏହି ମାମଲାରେ ସେତେବେଳେ ତଦନ୍ତ କରୁଥିବା ଅଧିକାରୀମାନେ ଗାଡ଼ିଟି ବଲିଉଡ୍ ଅଭିନେତା ସଲ୍‌ମାନ ଖାନଙ୍କର ବୋଲି କହିଥିଲେ ଏବଂ ତାଙ୍କ ଉପରେ ମକଦ୍ଦମା ଚାଲୁରହିଥିଲା୤ ଗତ କାଲି ସେହି ମାମଲାର ଫଇସଲା ଆସିଲା ଏବଂ ସଲ୍‌ମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ନ୍ୟାୟାଳୟ ତାଙ୍କୁ ପାଞ୍ଚବର୍ଷର ଜେଲ ଦଣ୍ଡ ଦେଇଛନ୍ତି୤ ଏହି ମାମଲାଟା ଏତେ ଜଟିଲ ଥିଲା କାହିଁକି ତାହା ଅବଶ୍ୟ ଆମେ ଜାଣିନୁ୤ କିନ୍ତୁ ଆମ ଦୃଷ୍ଟିରେ ନ୍ୟାୟ ହେଲା୤ ଅବଶ୍ୟ ଏଥିପାଇଁ ଅନେକ ବର୍ଷ ଲାଗିଗଲା୤ ହେଲେ ଗତକାଲି ଏହି ମାମଲାକୁ ଭାରତୀୟ ଗଣମାଧ୍ୟମ ଏହିପରି ଉପସ୍ଥାପନ କରୁଥିଲେ ସତେ ଯେମିତି ଏହା ଏକ ଅପରାଧର ମାମଲା ନ ହୋଇ ଏକ ଚଳଚ୍ଚିତ୍ରର ଚିତ୍ରପଟ ଥିଲା୤ ଘଡ଼ିକୁ ଘଡ଼ି ଖବର ସବୁ ଟିଭିର ପରଦାରେ ଏମିତି ଦେଖାଦେଉଥିଲା - ସଲ୍‌ମାନ ଖାନ୍ କୋର୍ଟ୍ ପରିସରରେ ପହଞ୍ଚିଲେ, କୋର୍ଟରେ ଶୁଣାଣି ବେଳେ ସଲ୍‌ମାନ୍ କାନ୍ଦି ପକାଇଲେ, ସଲ୍‌ମାନ୍ ଦୋଷୀ ସାବ୍ୟସ୍ତ ହେବା ଶୁଣି ତାଙ୍କ ମା’ଙ୍କ ଦେହ ଖରାପ, ସଲମାନଙ୍କୁ ପାଞ୍ଚବର୍ଷର ଜେଲ୍ ଦଣ୍ଡ, ସଲ୍‌ମାନଙ୍କୁ ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଲା୤ ଏହି ସବୁ ଖବର ଭିତରେ କୌଣସି ଗଣମାଧ୍ୟମ ଏହା କହିଲେନି ଯେ ଦୀର୍ଘ ତେରବର୍ଷ ପରେ ନ୍ୟାୟ ମିଳିଲା୤ ସେ କରିଥିବା ଦୋଷପାଇଁ ଦଣ୍ଡବିଧାନ ହେଲା୤



ଦିନସାରା ବିଭିନ୍ନ ଚ୍ୟାନେଲରେ କେବଳ ସଲ୍‌ମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ସବୁ ଦେଖାଯାଉଥିଲା୤ ସନ୍ଧ୍ୟା ହେଉ ହେଉ ବଲିଉଡ଼ ତାରକାମାନଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଗଲା୤ ସଲ୍‌ମାନ୍ ଖାନ୍ ଓରଫ ‘ସଲ୍ଲୁ ଭାଇ’ ବଲିଉଡ଼ରେ ସୁପ୍ରସିଦ୍ଧ ତାରକା, ତାଙ୍କ ସପକ୍ଷରେ ମତଦେଇଛନ୍ତି ଅନେକ୤ ଅବଶ୍ୟ ସଲ୍‌ମାନ୍ ଖାନ ଅନେକ ସାମାଜିକ ଉନ୍ନତିମୂଳକ କାର୍ଯ୍ୟରେ ସହାୟତା କରିଛନ୍ତି୤ କିଛି ଟିଭି ଚ୍ୟାନେଲରେ ଦେଉଥିବା ଖବରକୁ ଆଧାରକରି କହୁଛି, ସେ କାଳେ ତିନିଶହ ପିଲାଙ୍କ ହୃତପିଣ୍ଡ ଅସ୍ତ୍ରୋପଚାର ପାଇଁ ସହାୟତା କରିଛନ୍ତି, ନିକଟ ଅତୀତରେ ହୋଇଥିବା ନେପାଳ ଭୂକମ୍ପପାଇଁ ଅକୁଣ୍ଠିତ ଦାନ କରିଛନ୍ତି ଇତ୍ୟାଦି ଇତ୍ୟାଦି୤ ତେଣୁ କିଛି ବ୍ୟକ୍ତି ମତ ଦିଅନ୍ତି ଯେ ସଲମାନଙ୍କ ପାଇଁ ହୋଇଥିବା ଦଣ୍ଡକୁ କୋହଳ କରାଯାଉ୤
ସଲ୍‌ମାନଙ୍କ ସପକ୍ଷରେ ଆସିଥିବା ଯୁକ୍ତି ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ଦୁଇଜଣଙ୍କ ମନ୍ତବ୍ୟ୤ ଜଣେ ହେଲେ ଗାୟକ ଅଭିଜିତ ଆଉ ଜଣେ ହେଲା ନିର୍ମାତ୍ରୀ ନିର୍ଦ୍ଦେଶିକା ଫରହା ଖାନ୍୤ ଅଭିଜିତ କହିଛନ୍ତି ଯେ ଫୁଟପାଥ ଶୋଇବା ପାଇଁ ଉଦ୍ଦିଷ୍ଟ ନୁହେଁ୤ କୁକୁର ପରି ରାସ୍ତାରେ ଶୋଇଲେ କୁକୁର ପରି ମରିବ୤ ଏହି ମନ୍ତବ୍ୟକୁ ବିରୋଧ କରି ତାଙ୍କ ନାଁରେ ଏକ ଜନହିତକର ଯାଚିକା କୋର୍ଟରେ ଦାୟର ହୋଇସାରିଲାଣି୤ କାରଣ ସେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି୤ ସତ କଥା୤ ଲୋକମାନଙ୍କୁ କୁକୁର ମାନଙ୍କ ସହ ତୁଳନା କରିବା ଉଚିତ ବି ନୁହେଁ୤ କିନ୍ତୁ ଅଧିକ ବିଶ୍ଲେଷଣ କଲେ ଜଣା ପଡ଼ିବ ସେ ଦେଇଥିବା ମନ୍ତବ୍ୟ କୌଣସି ପ୍ରକାର ଭୂଲ ବି ନୁହେଁ୤ ଫୁଟପାଥ ନିଶ୍ଚୟ ଭାବରେ ଶୋଇବାପାଇଁ ସୁରକ୍ଷିତ ନୁହେଁ୤ ବଡ଼ ସହର ମାନଙ୍କରେ ଅନ୍ଧାର ହେଉ ହେଉ ଲୋକମାନେ ଫୁଟପାଥକୁ ନିଜ ଘର କରିଦେଉଛନ୍ତି୤ ଏହା ଅନେକ ଚଳଚ୍ଚିତ୍ରରେ ମଧ୍ୟ ଦେଖାଯାଇଛି୤ ଏହା ଉଚିତ ନୁହେଁ୤ କାରଣ ଫୁଟପାଥ ଖୋଲା ଆକାଶ ତଳେ ରହିଥିବା ହେତୁ ରାତିରେ ବର୍ଷା ହେଲେ ସେହି ଲୋକମାନଙ୍କୁ ସୁରକ୍ଷା ଦେଇ ହେବ କି ? ଯଦି ସେମାନଙ୍କ ପାଇଁ ସରକାର ଏତେ ଚିନ୍ତା କରୁଛନ୍ତି ତା ହେଲେ ବାସହୀନ ଲୋକଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ ମାନଙ୍କ ନିର୍ମାଣ କରିବା ଆବଶ୍ୟକ ରହିଛି୤ ବେଳେ ବେଳେ ସକାଳ ଅନେକ ସମୟ ପର୍ଯ୍ୟନ୍ତ ଲୋକମାନେ ସେଇ ଫୁଟପାଥ ଉପରେ ଶୋଇରହିବା ଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହେଉଥିବା ସମସ୍ତେ ଜାଣନ୍ତି୤ ଫୁଟପାଥରେ ଘର କରିଥିବା ଏହି ଲୋକମାନଙ୍କ ପିଲାମାନେ ସକାଳୁ ଫୁଟପାଥ ଓ ରାସ୍ତାରେ ଏତେ ଗହଳି କରନ୍ତି ଯେ ସେମାନଙ୍କ ପାଇଁ ରାସ୍ତାରେ ଦୁର୍ଘଟଣା ହେବା ଏକ ପ୍ରକାର ନିଶ୍ଚୟ ହୋଇଥାଏ୤ ତେଣୁ ଅଭିଜିତ ଦେଇଥିବା ମନ୍ତବ୍ୟ ଯଦିଓ ରୁକ୍ଷ ତଥାପି ଭିତ୍ତିହୀନ ନୁହେଁ୤
ଚାକିରୀ ଏବଂ କର୍ମସଂସ୍ଥାନ ଅନ୍ବେଷଣରେ ମହାନଗର ମାନଙ୍କୁ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆସୁଛନ୍ତି୤ ସେମାନଙ୍କର ଥଇଥାନ ପାଇଁ ଉଚିତ ବ୍ୟବସ୍ଥା ନଥିବା ବେଳେ ସହରାଞ୍ଚଳର ଅଧିକ ଖର୍ଚ୍ଚିଳ ବ୍ୟବସ୍ଥାରେ ସେମାନେ ନିଜକୁ ସମ୍ଭାଳି ନ ପାରି ଶସ୍ତା ତଥା ମାଗଣା ଉପାୟମାନ ଆପଣେଇ ନେଉଛନ୍ତି୤ କିଛି ସିନେ ତାରକା ନିଜର ଅଭିନୟ ଜୀବନ ପୂର୍ବରୁ ରେଳଷ୍ଟେସନରେ ବି ଶୋଇଥିବା କଥା ଅନେକେ ଜାଣିଥିବେ୤ ହେଲେ ଯେଉଁମାନଙ୍କ ପାଖରେ କିଛି ବି ସମ୍ବଳ ନଥାଏ ସେମାନେ ବାଧ୍ୟ ହୋଇ ରାସ୍ତା କଡ଼ରେ ଫୁଟ୍‌ପାଥ ଉପରେ ଶୋଇ ପଡୁଛନ୍ତି୤ ଏହା ଆଦୌ ଗ୍ରହଣୀୟ ନୁହେଁ୤
ରାସ୍ତା ପାର୍ଶ୍ବରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ନିୟନ୍ତ୍ରଣ ହରାଇ ଚଢ଼ିଯାଇପାରେ୤ ଏଥିରେ କୌଣସି ସନ୍ଦେହ ନାହିଁ୤ ଗାଡ଼ି ଏକ ଯାନ୍ତ୍ରିକ ବସ୍ତୁ, ନିଜ ଉପରେ ଏହାର କୌଣସି ନିୟନ୍ତ୍ରଣ ନଥାଏ୤ ଚାଳକର ତ୍ରୁଟି ହେଉ, ବ୍ରେକ୍ ବ୍ୟବସ୍ଥାରେ ତ୍ରୁଟି ହେଉ ଅବା କୌଣସି ପାରିପାର୍ଶ୍ବିକ ପରିସ୍ଥିତି ଯୋଗୁଁ ହେଉ ଦୁର୍ଘଟଣା ଘଟିବା ସମ୍ଭବ୤ ତେଣୁ ଯେତେଦୂର ସମ୍ଭବ ନିଜକୁ ଦୁର୍ଘଟଣା ଠାରୁ ଦୂରରେ ରଖିବା ଉଚିତ୤
ଆମ ମତରେ ଫୁଟ୍‌ପାଥ ଉପରେ ଶୋଇବା କଦାପି ଉଚିତ ନୁହେଁ୤ ସଲ୍‌ମାନ ଖାନଙ୍କ ଉପରେ ଚାଲିଥିବା ଏହି ମୋକଦ୍ଦମାର ଅନ୍ୟ ସମସ୍ତ ଦିଗପ୍ରତି ଆମେ ଦୃଷ୍ଟିପାତ କରୁନାହୁଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଚା ନୁହେଁ ଚାହା

ଚା ନୁହେଁ ଚାହା

ଏଠାରେ ପଢ଼ନ୍ତୁ !
ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ଏଠାରେ ପଢ଼ନ୍ତୁ !