favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ହିନ୍ଦୁ ଧର୍ମ ଅନୁସାରେ ଆମେ ସମୟକୁ ଚାରିଟି ଯୁଗରେ ବିଭକ୍ତ କରିଛୁ୤ ତ୍ରେତୟା, ଦ୍ବାପର, ସତ୍ୟ ଓ କଳି ଯୁଗ୤ ପ୍ରତ୍ୟେକ ଯୁଗରେ ଭଗବାନମାନେ ବିଭିନ୍ନ ଅବତାର ନେଇ ଜନ୍ମଗ୍ରହଣ କରି ଧରାପୃଷ୍ଠକୁ ସମୃଦ୍ଧ କରିଛନ୍ତି ଏବଂ ଲୋକଙ୍କୁ ସତ୍ୟ ଓ ନ୍ୟାୟର ପଥ ଦେଖାଇଛନ୍ତି୤ ଭଗବାନ ରାମ, ପର୍ଶୁରାମ, କୃଷ୍ଣ ଇତ୍ୟାଦି ରୂପରେ ସେ ପ୍ରକଟ ହୋଇଛନ୍ତି୤ ହେଲେ କଳିଯୁଗରେ ସେ କେଉଁ ଭାବରେ ଅବତୀର୍ଣ୍ଣ ହେବେ ସେ ବିଷୟରେ କୌଣସି ସୂଚନା ଆମ ପାଖରେ ନାହିଁ୤ କିଛି ଧର୍ମଗ୍ରନ୍ଥକୁ ଆଧାର କରି କୁହାଯାଉଛି ଯେ କଳି ଯୁଗରେ କଳକୀ ଅବତାର ନେଇ ପ୍ରଭୂ ଆସିବେ୤ ସେ ଘୋଡ଼ା ଚଢ଼ି ହାତରେ ବାରହାତ ଖଣ୍ଡା ଧରି ସଂସାରରୁ ପାପକୁ ଦୂର କରିବା ସହ ସତ୍ୟକୁ ସ୍ଥାପନ କରିବେ୤ ଅବଶ୍ୟ ଏହି ସବୁ କଥା ଉପରେ ଆମେ ଶତପ୍ରତିଶତ ବିଶ୍ବାସ କରି ପାରୁନୁ୤ କାରଣ ବାରହାତ ଖଣ୍ଡା ମାନେ ଅନ୍ୟୁନ ଅଠରଫୁଟ ଲମ୍ବା ଖଣ୍ଡା ଧରି କୌଣସି ବ୍ୟକ୍ତି ସର୍ବସମ୍ମୁଖରେ ଉପସ୍ଥିତ ହେବ ଆଉ ପୋଲିସ୍ ଅଧିକାରୀମାନେ ତାଙ୍କୁ ଛାଡ଼ିଦେବେ ? ଅବଶ୍ୟ କଥାଟାର ସାହିତ୍ୟିକ ମହତ୍ତ୍ବ ଅନ୍ୟକିଛି ହୋଇପାରେ୤ କାରଣ ଅନେକ ସାହିତ୍ୟରେ ଆମେ ଶବ୍ଦକୁ ନେଇ ଖେଳ ଖେଳୁଥିବା କଥା ଜାଣୁ୤ ଉପେନ୍ଦ୍ର ଭଞ୍ଜ ହୁଅନ୍ତୁ ବା କବିସୂର୍ଯ୍ୟ ବଳଦେବ ରଥ, ସମସ୍ତେ ଶବ୍ଦକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷଣ କରିଥିଲେ, ତା ହେଲେ ଏ ବି ସେମିତି କିଛି ହୋଇଥାଇପାରେ୤

ଓଡ଼ିଶାବାସୀ ଅଧିକାଂଶ ମାଳିକା ନାମକ ପୁସ୍ତକ ଉପରେ ନିର୍ଭର କରିଥାନ୍ତି ଏବଂ ମାଳିକା ହିସାବରେ ସେହି ଭଦ୍ରବ୍ୟକ୍ତି ବା ଅବତାର ଓଡ଼ିଶାରେ ହିଁ ଜନ୍ମନେବେ୤ ହେଲେ କିଛି ବ୍ୟକ୍ତି କଳକୀ ଅବତାର ଆନ୍ଧ୍ରପ୍ରଦେଶରେ ଜନ୍ମନେଇ ଥିବା କଥା କହିଛନ୍ତି ଏବଂ ତାଙ୍କ ନାମରେ ଅନେକ ମନ୍ଦିର ବି ନିର୍ମାଣ କରାଇଛନ୍ତି୤ ବ୍ରହ୍ମପୁରରେ ବି ସେଇପରି ଏକ ମନ୍ଦିର ରହିଥିବା କଥା ଆମେ ଶୁଣିଛୁ୤ ସେ ଯା ହେଉ ଅବତାର କେବେ ଆସିବେ, ସେ ଆସିଲେ କଣ କରିବେ ବା ନ କରିବେ ସେ ସବୁ ଆମେ ବୁଝିବା ଅବସ୍ଥାରେ ନାହୁଁ୤ କିନ୍ତୁ ହଁ ଏହି ଯୁଗରେ ଭଗବାନଙ୍କ ଅବତାର କହି ନିଜକୁ ନିଜେ ଭଗବାନ ବୋଲାଉଥିବା ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆମେ ଆସିଲୁଣି୤ ସକାଳୁ ସକାଳୁ ଟିଭି ପରଦାରେ ଶୁଭ୍ରବସ୍ତ୍ର ପରିହିତ, କିଛି ବ୍ୟକ୍ତି ବେକରେ ସୁସଜ୍ଜିତ ଫୁଲମାଳ ପକେଇ ଧିର ସ୍ବରରେ ଭଗବାନଙ୍କ ବାଣୀକୁ ପ୍ରଚାର କରିବା ଆମେ ଦେଖିଛୁ୤ ସେମାନଙ୍କ ମଧ୍ୟରୁ କିଛି ଭଗବାନଙ୍କୁ ନିଜର ସବୁକିଛି ବୋଲି କହୁଥିବା ବେଳେ କିଛି ନିଜକୁ ହିଁ ଭଗବାନଙ୍କ ସ୍ବରୂପ ବୋଲି ପ୍ରଚାର କରାଉଛନ୍ତି୤ ସେହିପରି ଜଣେ ବାବା ଆମ ଓଡ଼ିଶାରେ ବର୍ତ୍ତମାନ ନିଜର ପତିଆରା ଜମାଇବାରେ ଲାଗିଛନ୍ତି୤ ଟିଭି ପରଦାରେ ହେଉ ବା ସତସଙ୍ଗରେ ହେଉ ସେ ନିଜକୁ କୃଷ୍ଣଙ୍କ ଅବତାର ବୋଲି କୁହାଉଛନ୍ତି୤ ଅବଶ୍ୟ କୃଷ୍ଣ ତ ନୁହଁ ବରଂ ସେ ବଳରାମଙ୍କ ସ୍ବରୂପ ବୋଲି ଯଦି ନିଜକୁ କହିଥାନ୍ତେ ତା ହେଲେ ଆମେ ଶାରୀରିକ ସାମଞ୍ଜସ୍ୟକୁ ଦେଖି ମାନି ବି ନେଇଥାନ୍ତୁ୤ ହେଲେ ସେଇ ବାବା ଜଣକ କେମିତି ବାବା ହେଲେ ? ସେ କେଉଁଠୁ ଜ୍ଞାନପ୍ରାପ୍ତି କଲେ ? କେଉଁ ବୋଧିବୃକ୍ଷ ତଳେ ବସି ସେ ସାଧନା କଲେ ସେ ବିଷୟରେ ଆମେ ଅଜ୍ଞ୤

ଓଡ଼ିଶାର ଅନେକ ଅଞ୍ଚଳରେ ମୁଁ ବ୍ୟକ୍ତିଗତ ଭାବରେ ବୁଲି ଆସିଥିବା ବେଳେ ସେଠାରେ ସେହି ବାବାଙ୍କ ପ୍ରବଚନ ଓ ସତସଙ୍ଗ ଆଦିର ସଦୃଶ ତୋରଣ ଓ ପ୍ରଚାରପତ୍ର ଆଦି ଦେଖିଆସିଛି୤ ହେଲେ କିଛି ଦିନ ହେବ ବିଭିନ୍ନ ଖବର କାଗଜରେ ସେହି ବାବାଙ୍କ ବିରୋଧରେ କିଛି ଖବର ଆସୁଛି୤ ଯେଉଁଥିରେ ସତ୍ୟତା ଥାଉ ବା ନଥାଉ କିନ୍ତୁ ସମ୍ବାଦ ପରିବେଷଣ କରୁଥିବା ବ୍ୟକ୍ତି ବା ସଂସ୍ଥା ସମସ୍ତ ସମ୍ଭ୍ରମତାକୁ ଏଡ଼ାଇ ଦେଇ ସମ୍ବାଦ ଦେଉଛନ୍ତି୤ ବିଗତ ଦିନରେ ଏମିତି ଏକ ପାକ୍ଷିକ ପତ୍ରିକାରେ ବାବାଙ୍କ ବିଷୟରେ ପ୍ରକାଶିତ ଖବରକୁ ପଢୁଥିବା ବେଳେ ଶବ୍ଦଗତ ଅଭଦ୍ରାମି ଦେଖିବାକୁ ପାଇଲି୤ କୌଣସି ପତ୍ରିକାପାଇଁ ଏହିପ୍ରକାରର ପ୍ରକାଶନ କଦାପି ଉଚିତ ନୁହେଁ୤ ଅସଭ୍ୟ ଭାଷାରେ କୌଣସି ବ୍ୟକ୍ତିଙ୍କ ବିଷୟରେ ଖବର ପ୍ରକାଶନ କରୁଥିବା ପତ୍ରପତ୍ରିକା ହୁଏତ ନିଜର କୌଣସି ରାଗ ବା ପ୍ରତିଶୋଧପରାୟଣ ହୋଇ ଏ ସବୁ କରୁଥାଇ ପାରନ୍ତି୤

ଆଜି ପୂର୍ବାହ୍ନରେ ଫେସବୁକରେ ମଧ୍ୟ ଅନୁରୂପ ସମ୍ବାଦ ପତ୍ରର କିଛି ଅଂଶ ଦେଖିଲି, ଯେଉଁଥିରେ ବାବାଙ୍କ ନାମରେ ଅନେକ ଅଗ୍ରହଣୀୟ ତଥ୍ୟ ଉପସ୍ଥାପନ କରାଯାଇଛି୤ ଯଦି ସେ ସତରେ ଏ ସବୁ କାଣ୍ଡରେ ସମ୍ପୃକ୍ତ ଥାଆନ୍ତି ତେବେ ସେ ନିଶ୍ଚୟ ଭାବରେ ଦଣ୍ଡପାଇବାକୁ ଯୋଗ୍ୟ୤ ପର ସ୍ତ୍ରୀ ସହ ସଂଭୋଗ, କୁମାରୀ କନ୍ୟାମାନଙ୍କ ସହ ଦୈହିକ ସମ୍ପର୍କ ଓ ସେମାନଙ୍କୁ ନେଇ ଭୁବନେଶ୍ବରରେ ଦେହ ବ୍ୟାପାର, ଇତ୍ୟାଦି ଖବର ପଢ଼ିବାପରେ ମନକୁ ସ୍ବତଃ ପ୍ରଶ୍ନ ଆସେ, ଜଣେ ବ୍ୟକ୍ତି କଣ ନିଜ ଜୀବଦ୍ଦଶାରେ ଏତେ କୁକର୍ମ କରିପାରେ ? ଯଦି କରିପାରେ ତା ହେଲେ ଏଥିପାଇଁ କଣ କେବଳ ସେହି ବ୍ୟକ୍ତିଙ୍କୁ ହିଁ ଦୋଷୀ ବୋଲି ଧରାଯିବ ? ଯେଉଁ ମହିଳା ବା କନ୍ୟାମାନଙ୍କ ସହ ତାଙ୍କୁ ଯୋଡ଼ି ଖବର ପରିବେଷଣ କରାଯାଉଛି ସେମାନେ ନିଜ ଇଚ୍ଛାରେ ଏ ସବୁ କରୁଥିଲେ ନା ସେମାନଙ୍କୁ ଧମକ ଦେଇ ଏ ସବୁ କରାଯାଉଥିଲା୤ ଜଣେ ମହିଳା ବାବାଙ୍କ ଆଶ୍ରମରେ ରହି ବାବାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି କୁହାଯାଉଛି, ତା ହେଲେ ସେ ମହିଳା ଜଣକ ଆଶ୍ରମରୁ ତୁରନ୍ତ ବାହାରକୁ ଯାଇପାରିଥାନ୍ତେ୤ ସେ ଗଲେ ନାହିଁ କାହିଁକି ? ଯେଉଁ କନ୍ୟାମାନଙ୍କୁ ଦୂରରୁ ଭୁବନେଶ୍ବର ଅଣାଯାଇ ଦେହବ୍ୟାପାରରେ ବ୍ୟବହାର କରାଯାଉଛି, ସେମାନେ କାହିଁକି କେବେ ବି ଆପତ୍ତି କରିନାହାନ୍ତି୤ ସେମାନେ ବାବାଙ୍କ ପାଖକୁ ଆସିବା ଉଦ୍ଦେଶ୍ୟ କଣ ?

ନିଜକୁ ପଣ୍ୟଦ୍ରବ୍ୟ ଭଳି ଉପସ୍ଥାପନ କଲେ ଯେ କୌଣସି ବ୍ୟକ୍ତି ତୁମକୁ ନିମ୍ନ ଦୃଷ୍ଟିରେ ହିଁ ଦେଖିବ୤ ନିଜର ମାନ ଇଜ୍ଜତ ଓ ସମ୍ମାନକୁ ନିଜେ ସମ୍ଭାଳି ରଖିବା ଭଳି ସାହାସ ଯଦି ନାହିଁ, ତେବେ ଯେ କୌଣସି ବ୍ୟକ୍ତି ତୁମକୁ ନିନ୍ଦିତ ବା ଅପମାନିତ କରିଦେଇ ପାରେ୤ ନୈତିକତା ଯଦି ତୁମେ ହରେଇବାକୁ ଚାହୁଁଥାଅ, ତେବେ କେହି ବି ତୁମକୁ ଦୋଷୀ ବୋଲି ଆଙ୍ଗୁଠି ଦେଖାଇପାରିବ୤ ଭଗବାନ ବୋଲି ବୋଲାଇ ଅନ୍ୟର ଆସ୍ଥାଭାଜନ ହେବାପରେ ଏ ସବୁ କାମ କରିବା ଆଦୌ ସ୍ପୃହଣୀୟ ନୁହେଁ, କିନ୍ତୁ ଯେଉଁମାନେ ଏହିପରି ବାବାଙ୍କୁ ନିଜର ସବୁକିଛି ବୋଲି ଭାବିଦେଇ ନିଜର ସତ୍ତାକୁ ହରାଇ ବସୁଛନ୍ତି ସେମାନେ ନିଜ ଅବସ୍ଥା ପାଇଁ ନିଜେ ଦୋଷୀ୤ କାହାକୁ ଦୋଷୀ ବୋଲି କହିବା ପୂର୍ବରୁ ଲୋକମାନେ ନିଜେ ସଚେତନ ହେବା ଉଚିତ ଯେ ଯେଉଁଠି ଦେଶରେ, ବିଶେଷତଃ ଓଡ଼ିଶାର ପୁରପଲ୍ଲୀରେ ଅଗଣିତ ମନ୍ଦିର ଓ ଦେବାଳୟ ଥିବା ସତ୍ତ୍ବେ ଲୋକମାନେ କାହିଁକି ଏମିତି ବାବା ମାନଙ୍କ ମିଥ୍ୟା ପ୍ରରୋଚନାରେ ଆସୁଛନ୍ତି୤ ଓଡ଼ିଆରେ କଥାଟିଏ ଅଛି;

ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଫୁଟ୍‌ପାଥ ନା ମରଣଯନ୍ତା

ଫୁଟ୍‌ପାଥ ନା ମରଣଯନ୍ତା

ଏଠାରେ ପଢ଼ନ୍ତୁ !
କୃଷକ ଆତ୍ମହତ୍ୟା : ଦାୟୀ କିଏ ?

କୃଷକ ଆତ୍ମହତ୍ୟା : ଦାୟୀ କିଏ ?

ଏଠାରେ ପଢ଼ନ୍ତୁ !