favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
କୃଷକ ଆତ୍ମହତ୍ୟା : ଦାୟୀ କିଏ ?

କୃଷକ ଆତ୍ମହତ୍ୟା : ଦାୟୀ କିଏ ?

ବର୍ତ୍ତମାନ ଦେଶରେ ସବୁଠାରୁ ବଡ଼ ଖବର ହେଉଛି କୃଷକମାନଙ୍କ ଆତ୍ମହତ୍ୟା୤ ଗତକାଲି ଅପରାହ୍ନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଏକ କାର୍ଯ୍ୟକ୍ରମ ସମୟରେ ଜଣେ କୃଷକ ନିଜ ବେକରେ ଦଉଡ଼ି ଦେଇ ଗଛରୁ ଝୁଲି ପଡ଼ିଥିଲେ୤ ପରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା ଅବଶ୍ୟ୤ ହେଲେ ଏହି ମୃତ୍ୟୁପରେ ଦେଶରେ ରାଜନୈତିକ କାଦୁଆ ଫୋପଡ଼ାଫୋପଡ଼ି ଆରମ୍ଭ ହୋଇଗଲା୤ ଆପ୍ କର୍ମକର୍ତ୍ତା ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସେହି ସଭାରେ ଉପସ୍ଥିତ ଥିବା ସତ୍ତ୍ବେ ଏହିପରି ଅଘଟଣ ଘଟିଲା କାହିଁକି ? କୃଷକ ଜଣକ ଆତ୍ମହତ୍ୟା କରିବା ଜଣାପଡ଼ିବାପରେ କାର୍ଯ୍ୟକ୍ରମକୁ ରଦ୍ଦ କରାନଯାଇ ଚାଲୁ ରଖାଗଲା କାହିଁକି ? କୃଷକଜଣକ ଗଛ ଉପରେ ଚଢ଼ିବା ବେଳେ ହାତରେ ଝାଡ଼ୁଧରିଥିଲା, ଯାହା ଆମ୍ ଆଦମୀ ପାର୍ଟିର ନିର୍ବାଚନୀ ଚିହ୍ନ, ଏହାର ଅର୍ଥ କଣ ଆମ୍ ଆଦମୀ ପାର୍ଟି ଜାଣିଶୁଣି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କି ? ଆତ୍ମହତ୍ୟା ନାଟକ କରୁଥିବା ବେଳେ ଭୂଲବଶତଃ କୃଷକ ଜଣକ ନିଜକୁ ଶ୍ବାସରୁଦ୍ଧ କରିପକାଇଥିଲେ କି ? ଏମିତି ଅନେକ ପ୍ରଶ୍ନ ସର୍ବସମ୍ମୁଖରେ ରହିଛି୤ ଅବଶ୍ୟ ସଭା ଚାଲୁଥିବା ବେଳେ କୃଷକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲା, ମୃତ୍ୟୁ ହୋଇନଥିଲା୤ ଏବଂ ଆମ୍ ଆଦମୀ ପାର୍ଟିର ସଦସ୍ୟମାନେ ତ୍ବରିତ ପଦକ୍ଷେପ ନେଇ କୃଷକଙ୍କୁ ଗଛରୁ ତଳକୁ ଓହ୍ଲାଇଥିଲେ ଏବଂ ତୁରନ୍ତ ତାଙ୍କୁ ହାସପାତାଳକୁ ପଠାଇ ଦିଆଯାଇଥିଲା୤ ତେଣୁ ଏମିତି କ୍ଷେତ୍ରରେ ଚାଲୁଥିବା ସଭାକୁ ବନ୍ଦକରିବାକୁ ହୁଏତ ଆମ୍ ଆଦମୀ ପାର୍ଟିର ନେତୃବୃନ୍ଦ ଉଚିତ ମନେ କରିନଥିବେ୤ ସେମାନେ ଭାବିଥିବେ ଯେ ଉତ୍ୟକ୍ତ ଚାଷୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବ ହେଲେ ମୃତ୍ୟୁବରଣ କରିବ ନାହିଁ୤ ଏମିତି ବି ହୋଇପାରେ୤

Farmer suicide in Delhi AAP Rally

ଆତ୍ମହତ୍ୟା ପରେ ପରେ କୃଷକ ପାଖରୁ ସୁଇସାଇଡ୍ ନୋଟ୍ ମିଳିବା ଏବଂ ସେଥିରେ ସେ ଏଥିପାଇଁ ଫସଲ ହାନୀ ଓ ନିଜ ପିତା ଘରୁ ବାହାର କରିଦେଇଥିବା କଥା ଉଲ୍ଲେଖ କରିବା ସବୁ ଏକ ଜଣାଶୁଣା ନାଟକର ସଂଳାପ ପରି ଲାଗୁଥିଲା୤ କିଛି ସମୟପରେ ମୃତବ୍ୟକ୍ତିଙ୍କ ପରିଜନ କହିଥିଲେ ଯେ ସୁଇସାଇଡ୍ ନୋଟରେ ଥିବା ଲେଖା ମୃତ ବ୍ୟକ୍ତିଙ୍କର ନୁହେଁ୤ ସେ ଯା ହେଉ, ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଅଥଚ ତାଙ୍କୁ କେହି ବଞ୍ଚାଇ ପାରିଲେ ନାହିଁ୤ ଏଠାରେ ଉଲ୍ଲେଖ କରିଦେବାକୁ ଉଚିତ ମନେ କରୁଛି ଯେ ସେହି ବ୍ୟକ୍ତି ଜଣକ ଦୁଇଘଣ୍ଟା ଧରି ସେହି ଗଛ ଉପରେ ଚଢ଼ି ବସିଥିଲେ୤ ତେଣୁ ହୁଏତ ସେ ଯେତେବେଳେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବେ ସେତେବେଳକୁ କେହି ଏହାକୁ ଗମ୍ଭୀରତାର ସହ ନେଇନଥିବେ୤ କାରଣ ଏମିତି କିଛି ହେବ ବୋଲି କେହି କେବେ ପୂର୍ବାନୁମାନ କରିବା ସମ୍ଭବ ନୁହେଁ୤ ପୁଣି, ଯଦି ସେହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟ ନେଇ ଉପରକୁ ଯାଇଥିଲେ ତା ହେଲେ ସେ ଏହି ବିଷୟରେ କାହାକୁ ନା କାହାକୁ ନିଶ୍ଚୟ କହିଥିବେ୤ ସଭାରେ ଉପସ୍ଥିତ କୌଣସି ବ୍ୟକ୍ତି ଏହି ବିଷୟରେ ଜାଣିଥିବା ସ୍ବାଭାବିକ୤ କେହି ତାଙ୍କୁ ଏଥିରୁ ବିରତ କରାଇଲେ ନାହିଁ କାହିଁକି ? ଆଉ ଯଦି ସେ କାହାକୁ କିଛି ନ ଜଣାଇ ନିଜେ ନିଜେ ଏହିପରି ପଦକ୍ଷେପ ନେଇଥାନ୍ତି ତା ହେଲେ ଏଥିପାଇଁ କୌଣସି ରାଜନୈତିକ ଦଳକୁ ଦୋଷ ଦେବା ଉଚିତ ହେବ କି ?

ଭାରତୀୟ ଜନତା ପାର୍ଟି ଦ୍ବାରା ଆଗତ ଜମି ଅଧିଗ୍ରହଣ ବିଲ ବିପକ୍ଷରେ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ବାରା ଆୟୋଜନ ହୋଇ ଆସୁଛି୤ ଏଥି ସହିତ କୃଷକମାନଙ୍କ ଦୁରାବସ୍ଥା ବିଷୟରେ ବି ଅନେକ ଦଳ କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି୤ ନିଶ୍ଚୟ ଭାବେ କୃଷକର ସମୃଦ୍ଧିରେ ହିଁ ଆମ ଦେଶର ସମୃଦ୍ଧି ସମ୍ଭବ୤ କାରଣ ଆମ ପେଟକୁ ଯାଉଥିବା ଅନ୍ନ ସେମାନେ ହିଁ ତ ଯୋଗାନ୍ତି୤ ସେମାନଙ୍କ ଭଲମନ୍ଦ ବୁଝିବା ସବୁ ସରକାରଙ୍କ ଦାୟିତ୍ବ୤ ବିଗତ କିଛି ବର୍ଷ ହେଲା ଭାରତରେ କୃଷକ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି୤ ଏହାର ଅନେକ କାରଣ ରହିଛି, କିନ୍ତୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କୃଷକ ଜଣକ ଆଣିଥିବା ଋଣ ସୁଝିନପାରିବା ହେତୁ ଆତ୍ମହତ୍ୟା କରୁଛି ବୋଲି କୁହାଯାଉଛି୤ ସମସ୍ତ କୃଷକ ସମୃଦ୍ଧ ନୁହନ୍ତି, ଏଠି ଭାଗଚାଷୀ ବି ଅଛନ୍ତି ଆଉ କିଛି ଗରୀବ ଚାଷୀ ବି ଅଛନ୍ତି୤ ଯେଉଁମାନେ କେବଳ ଚାଷବାସ କରି ଜୀବିକାନିର୍ବାହ କରନ୍ତି୤ ପ୍ରତିବର୍ଷ ଚାଷ ହେବା ଋତୁରେ ଏମାନେ ବିଭିନ୍ନ ବ୍ୟାଙ୍କ ତଥା ମହାଜନ ମାନଙ୍କଠାରୁ ଋଣ ବା ଉଧାର ଆଣି ଚାଷ କରିଥାନ୍ତି୤ ହେଲେ ଭାରତରେ ବର୍ଷା ବା ମୌସୁମୀବାୟୁର କୌଣସି ଠିକଠିକଣା ନଥିବା ହେତୁ ବେଳେ ବେଳେ ଚାଷୀ ଜଳାଭାବରୁ କ୍ଷତିଗ୍ରସ୍ତ ହୋଇଥାଏ୤ ଅବଶ୍ୟ ସରକାରୀ ସ୍ତରରେ ଏମିତି ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଏ, କିନ୍ତୁ ତାହା ଚାଷୀ ଆଣିଥିବା ଋଣକୁ ସମ୍ପୂର୍ଣ୍ଣ ଭାବେ ପରିଶୋଧ କରିବାପାଇଁ ନିଅଣ୍ଟ ହୁଏ୤ ତେଣେ କେବଳ ଚାଷ ଉପରେ ନିର୍ଭର ଚାଷୀ ହତୋତ୍ସାହିତ ହୋଇ ଆତ୍ମହତ୍ୟାପରି ପଦକ୍ଷେପ ନେବାକୁ ବାଧ୍ୟ ହୁଏ୤

ବିଗତ ବର୍ଷମାନଙ୍କରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଆଦି ଅନେକ ରାଜ୍ୟରେ କୃଷକ ଆତ୍ମହତ୍ୟାର ଘଟଣାମାନ ପ୍ରକାଶିତ ହୋଇଛି୤ ଏହି ଅବସ୍ଥା ଏତେ ଖରାପଥିଲା ଯେ ବଲିଉଡ଼ର ନିର୍ମାତା ଅମୀର ଖାନ ଏହି ବିଷୟ ଆଧାରିତ ଏକ ଚଳଚ୍ଚିତ୍ର ‘ପିପ୍‌ଲି ଲାଇଭ୍’ ପ୍ରସ୍ତୁତ କରି ଅନେକ ପୁରସ୍କାର ପାଇଛନ୍ତି୤ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଚାଷୀମାନଙ୍କ ଦୟନୀୟ ଅବସ୍ଥା ପାଇଁ କିଏ ଦାୟୀ ? କିଛି ରାଜନେତା କଥା ଛଳରେ କହିଲେ, ଯଦି ଜଣେ ଜଣେ ଚାଷୀ ପାଞ୍ଚ ପାଞ୍ଚଜଣ ପିଲା ଜନ୍ମ କରିବେ ତ ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ଉପାୟ ନାହିଁ୤ ସେ କଥାଟା କେଉଁ ଭାବରେ କହିଥିଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ନାହିଁ, ବିଷୟ ହେଉଛି ସେ ସତ କହିଛନ୍ତି ନା ନାହିଁ ? ଆମେ ଯାହା ମନେ କରୁଛୁ, କଥାଟା ଷୋହଳ ଅଣା ସତ୤ ଆଜିକାଲିର ମହଙ୍ଗା ଯୁଗରେ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜନ୍ମ କରିବା ଏବଂ ସେମାନଙ୍କୁ ସମସ୍ତ ସୁବିଧା ଦେଇ ପାଳନ ପୋଷଣ କରିବା କେତେ କଷ୍ଟକର ତାହା ସମସ୍ତେ ଜାଣନ୍ତି୤ ସହରରେ ଘର କରିଥିବା ଏବଂ ମୋଟା ଅଙ୍କର ଦରମା ପାଉଥିବା ବ୍ୟକ୍ତିମାନେ ମଧ୍ୟ ଏହାକୁ ସମର୍ଥନ ଦେବେ୤ କାରଣ, ଆଜିକାଲି ସବୁ ଜିନିଷ ପାଇଁ ଦରକାର ଟଙ୍କା, ଅଥଚ ଆର୍ଥିକ ଭାବରେ ସ୍ବଚ୍ଛଳ ନଥିବା ଅନେକ ପରିବାରରେ ଏକାଧିକ ପିଲା ଜନ୍ମ କରିବାର ଉଦାହରଣ ବିରଳ ନାହିଁ୤ ଅନେକ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି୤ କେବଳ ଚାଷବାସରେ ହିଁ ଏହି ସମସ୍ତ ପିଲାଙ୍କୁ ଦୁଇ ଓଳି ଖାଇବାକୁ ଦେବାକୁ ଅର୍ଥାଭାବ ଦେଖାଦେବା ସ୍ବାଭାବିକ୤ ପୁଣି କେବଳ ଖାଇବାପିଇବା ବ୍ୟତୀତ ଆହୁରି ଅନେକ ଆନୁସଙ୍ଗିକ ଖର୍ଚ୍ଚ ମଧ୍ୟ ରହିଛି୤ ସେ ସବୁର ଭରଣପୋଷଣ କିଏ କରିବ ? ସରକାର ସବୁଠାରେ ସବୁ ବ୍ୟବସ୍ଥା କରିଦେଇ ପାରିବେ ନାହିଁ୤ ଯେଉଁମାନେ ଗରୀବିରେଖା ତଳେ ରହୁଛନ୍ତି ସେମାନଙ୍କୁ ହୁଏତ ମାଗଣାରେ ରହିବାକୁ ଘର, ବିଦ୍ୟୁତ, ଇନ୍ଧନ ଆଦି ମିଳିପାରୁଥିବ, ହେଲେ ସମସ୍ତଙ୍କୁ ଏ ସବୁ ଦେବା ସମ୍ଭବ ନାହିଁ୤ ତା ହେଲେ ବୁଦ୍ଧିଜୀବି ଦେଇଥିବା ମତ ଠିକ୍୤ ଘର ଚଳେଇବ କେମିତି ? ଋଣ ପରିଶୋଧ କରିବ କେମିତି ? ବିହନ କିଣିବ କେମିତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ନ ପାଇ ମାନସିକ ଭାବରେ ଚାପଗ୍ରସ୍ତ ହୋଇଯିବା ସ୍ବାଭାବିକ କଥା୤

ଆଉ ଗୋଟିଏ କଥାପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ ମନେ କରୁଛି, ଆଉ ତାହା ହେଉଛି ସରକାରୀ କ୍ଷତିପୂରଣ ବ୍ୟବସ୍ଥା୤ ପ୍ରତିବର୍ଷ ଭାରତର କୌଣସି ନା କୌଣସି ରାଜ୍ୟରେ ମରୁଡ଼ି ପରି ଅବସ୍ଥା ଦେଖା ଦେଉଛି, ଏବଂ ସେହି ରାଜ୍ୟ ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଦେଉଛନ୍ତି୤ ଏକର ପିଛା କିଛି କିଛି ଅର୍ଥ ବ୍ୟବସ୍ଥା କରିଦେବା ଫଳରେ କିଛି ନାମମାତ୍ର ଚାଷୀ, କ୍ଷତିଗ୍ରସ୍ତ ହୋଇଥିବା ପରିମାଣ ନ ପାଇ ଚାପଗ୍ରସ୍ତ ହେଉଛନ୍ତି, ଆଉ କେତେକ ମାଗଣାରେ ଫାଇଦା ପାଉଛନ୍ତି୤ ଦେଶରେ ପ୍ରତିଦିନ ଅଗଣିତ ଲୋକ ଆତ୍ମହତ୍ୟା କରୁଛନ୍ତି୤ କିଏ ଅର୍ଥାଭାବରୁ ତ କିଏ ମାନସିକ ବିଷାଦରୁ ପୁଣି କିଏ ପ୍ରେମପ୍ରତାରଣାରୁ ତ କିଏ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ, କିଏ କିଏ ଚାକିରୀ ବେଉସା ନ ପାଇବାରୁ କରୁଛନ୍ତି୤ ଚାଷୀ ଆତ୍ମହତ୍ୟା ସଂଖ୍ୟା ବୋଧହୁଏ ସେ ସବୁ ସଂଖ୍ୟାଠାରୁ ନଗଣ୍ୟ୤ ପ୍ରତିବର୍ଷ ଅଗଣିତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରବେଶ କରୁଛନ୍ତି, ଅନେକ କୃତକାର୍ଯ୍ୟ ହୋଇ ସଫଳତାର ସହ ଶିକ୍ଷା ସମାପନ କରୁଛନ୍ତି, ହେଲେ ଏ ସମସ୍ତଙ୍କୁ ଚାକିରୀ ମିଳୁଛି କି ? ଓଡ଼ିଶାରେ ପ୍ରତିବର୍ଷ ୧୦-୧୨ ହଜାର ଇଞ୍ଜିନିୟର ବାହାରୁଛନ୍ତି, ସେମାନେ ସମସ୍ତେ ଚାକିରୀ କରିପାରୁଛନ୍ତି କି ? ସେମାନଙ୍କ ମଧ୍ୟରୁ କେତେ ଜଣ ଆତ୍ମହତ୍ୟା କରୁଛନ୍ତି ତାହାର ପରିସଂଖ୍ୟାନ ପାଇଁ କେତେ ରାଜନୈତିକ ଦଳ ଚିନ୍ତା କରୁଛି୤ ଭାରତର ପ୍ରଧାନମନ୍ତ୍ରୀ ଅତି ଗର୍ବର ସହ କହୁଛନ୍ତି ଭାରତର ଜନସଂଖ୍ୟାର ଏକ ବଡ଼ ଭାଗ କେବଳ ଯୁବବର୍ଗ୤ ସେହି ଯୁବବର୍ଗ ଯେ ବିନା ଚାକିରୀ ବେଉସାରେ କେମିତି ବଞ୍ଚୁଛନ୍ତି ସେ ବିଷୟରେ ସେ ଚିନ୍ତା କରୁଛନ୍ତି କି ? ଭାରତର ଅଗଣିତ ଗ୍ରାମ ଜନପଦରେ ଅଗଣିତ ଲୋକ ପ୍ରତିବର୍ଷ ଆତ୍ମହତ୍ୟା କରୁଥିବା ବେଳେ କେହି କେବେ ଏହାକୁ ନେଇ ରାଷ୍ଟ୍ରୀୟ ସ୍ତରରେ ତୁମ୍ବିତୋଫାନ କରିବା ଭଳି ଦେଖାଯାଇଛି କି ? ନା୤ ଆଜି କିନ୍ତୁ ଯେହେତୁ ଜଣେ ବ୍ୟକ୍ତି ଦିଲ୍ଲୀରେ ସର୍ବସମ୍ମୁଖରେ ଆତ୍ମହତ୍ୟା କରିପକାଇଲା, ସବୁ ରାଜନୈତିକ ଦଳ ସମ୍ବେଦନା ଦେଖାଇବାପାଇଁ ଆଗକୁ ଆସୁଛନ୍ତି୤

ଭାରତୀୟ ଦଣ୍ଡ ବିଧି ସଂହିତାରେ ଆତ୍ମହତ୍ୟା ଏକ ଘୋର ଅପରାଧ ବୋଲି ଘୋଷଣା କରାଯାଇଛି ଏବଂ ଆତ୍ମହତ୍ୟା କରିବା କିମ୍ବା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ ହେବା ଉଚିତ୤ ତା ହେଲେ ଯେଉଁ ବ୍ୟକ୍ତିଜଣକ ଆତ୍ମହତ୍ୟା କରିଛନ୍ତି ସେ ଆଇନ ଦୃଷ୍ଟିରେ ଜଣେ ଅପରାଧି୤ ଆଉ ସେ କରିଥିବା କର୍ମ ମଧ୍ୟ ଅପରାଧ ଗଣ୍ୟ୤ ସେହିପରି ବ୍ୟକ୍ତି ପ୍ରତି ସମ୍ବେଦନ ଦେଖାଉଥିବା ରାଜନୈତିକ ଦଳ ଭାରତୀୟ ଦଣ୍ଡବିଧି ଆଇନକୁ ପରିହାସ କରିବା ପରି ମନେ ହେଉନାହିଁ କି ?

ମୋ ମତରେ ଆତ୍ମହତ୍ୟା ପଛରେ ଯାହା ବି କାରଣ ଥାଉ ନା କାହିଁକି, ଜୀବନ ହାରିଦେବା ଭଳି ପଦକ୍ଷେପ ନେଉଥିବା ବ୍ୟକ୍ତି ହିଁ ଅସଲ ଅପରାଧି୤ ମୃତ୍ୟୁ କୌଣସି ସମସ୍ୟାର ସମାଧାନ ନୁହେଁ, ଏହା ସମସ୍ୟାକୁ ଏଡ଼ାଇ ଯିବାର ଶେଷ ଚରମ ବ୍ୟବସ୍ଥା୤ ହେଲେ ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ତା ନାଁରେ ଥିବା ଋଣ ପରିଶୋଧ ହୋଇଯାଏ କି ? ଚାଷୀ ଆତ୍ମହତ୍ୟା କଲେ ସରକାରଙ୍କ ତରଫରୁ ପରିବାରକୁ ଭରଣପୋଷଣ ପାଇଁ ଅନୁକମ୍ପାମୂଳକ ଅର୍ଥ ଦେବା ବ୍ୟବସ୍ଥାକୁ ବନ୍ଦ କରିବାକୁ ପଡ଼ିବ୤ ମୃତ୍ୟୁବରଣ କରିଦେଲେ ପରିବାରର ପେଟ ପୋଷିବା ସମ୍ଭବ ହୋଇପାରିବ କି ? ଯେଉଁ ବ୍ୟକ୍ତିଜଣକ ଆତ୍ମହତ୍ୟା କରିଥିଲେ ସେ ମାନସିକ ସ୍ତରରେ ଋଗ୍‌ଣ ଥିଲେ କି ? ଯଦି ଥିଲେ ତା ହେଲେ ତାଙ୍କର ଏତାଦୃଶ କାର୍ଯ୍ୟକୁ ବୁଝେଇବା ସହଜ ହେବ, କିନ୍ତୁ ଯଦି ସେ ମାନସିକ ରୋଗୀ ନଥିଲେ ତା ହେଲେ ତାଙ୍କର ଏହି ଆତ୍ମହତ୍ୟା ପଛରେ ଦାୟୀ କେବଳ ସେ ନିଜେ୤ ଆଉ କେହି ନୁହେଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ଏଠାରେ ପଢ଼ନ୍ତୁ !
ପବିତ୍ର ଅକ୍ଷୟ ତୃତୀୟାର ଅଭିନନ୍ଦନ

ପବିତ୍ର ଅକ୍ଷୟ ତୃତୀୟାର ଅଭିନନ୍ଦନ

ଏଠାରେ ପଢ଼ନ୍ତୁ !