ଚଳିତ ବର୍ଷର ବର୍ଷାଋତୁ ଆସିବା ପୂର୍ବରୁ ରାଜ୍ୟର ପୂର୍ବତଟରେ ଆସିବ ଜନଲହରୀ, ଜୁଲାଇ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ପଚାଶ ଲକ୍ଷ ଭକ୍ତଙ୍କ ସମାଗମ ହେବାର ପୂର୍ବାନୁମାନ ସରକାରୀ ସ୍ତରରେ କୁହାଯାଉଛି ଆଉ ଏହାର କାରଣ ହେଉଛି ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବକଳେବର ନବଜନ୍ମ ବା ଜନ୍ମ ଓ ମୃତ୍ୟୁ ଏବଂ ମୃତ୍ୟୁପରେ ପୁନର୍ଜନ୍ମ ଧାରଣାକୁ ବଳବତ୍ତର କରିବାପାଇଁ ଶ୍ରୀଜୀଉମାନଙ୍କ ନବକଳେବର ଏକ ଅନନ୍ୟ ଉଦାହରଣ ଏହି ଉତ୍ସବ ପୁରୀ ସହରକୁ ମଧ୍ୟ ଅନେକାଂଶରେ ପରିବର୍ତ୍ତିତ କରିଦେବ ବୋଲି ଆଶା କରାଯାଉଛି ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ସମୁଦ୍ର ଉପକୂଳବର୍ତ୍ତୀ ସହରର ଜନସଂଖ୍ୟା ପ୍ରାୟ ପାଞ୍ଚଲକ୍ଷ ବୋଲି ଅନୁମାନ କରାଯାଉଛି
ଜୁଲାଇ ମାସରେ ହେବାକୁ ଥିବା ନବକଳେବରକୁ ଆଖି ଆଗରେ ରଖି ପୁରୀ ସହରର ନବୀକରଣ ଯୋରସୋରରେ ହେଉଛି ଏବଂ ଏହି ଉତ୍ସବ ସମୟରେ ସହରରେ ଥିବା ଅଗଣିତ ବଜାର, ହୋଟେଲ୍, ଲଜିଂ, ରେସ୍ତୋରାଂ, ରିକ୍ସାଚାଳକ ଏବଂ ସର୍ବୋପରି ପଣ୍ଡାମାନେ ଭଲ ବ୍ୟବସାୟ କରିବେ ବୋଲି ଆଶାବାନ ହୋଇ ରହିଛନ୍ତି ଯା ହେଲେ ବି ଉତ୍ସବ ହେଉଛି ଜଗନ୍ନାଥଙ୍କର ଆଉ ଜଗନ୍ନାଥ ହେଉଛନ୍ତି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଏହି ସମୟରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ବିଗ୍ରହ ପରିବର୍ତ୍ତନ କରାଯାଇ ନୂତନ ବିଗ୍ରହକୁ ସ୍ଥାପନ କରାଯିବ ଏହା ହିନ୍ଦୁ ପଞ୍ଜିକା ଅନୁଯାୟୀ ଯେଉଁ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡ଼େ ସେଇ ବର୍ଷ ହୁଏ ଆଉ ଏହି ସୁଯୋଗ ୧୨ରୁ ୧୯ ବର୍ଷରେ ଥରେ ହୋଇଥାଏ ବିଗତଥର ନବକଳେବର ୧୯୯୬ ମସିହାରେ ହୋଇଥିଲା ଯେତେବେଳେ ଦେବତାମାନଙ୍କ ମୂର୍ତ୍ତି ଏକ ସ୍ବତନ୍ତ୍ର ପ୍ରକାରର ନିମଗଛର କାଠରେ ତିଆରି ହୋଇଥାଏ, ଯାହାକୁ ଶାସ୍ତ୍ରାନୁଯାୟୀ ଦାରୁବ୍ରହ୍ମ ବୋଲି ମଧ୍ୟ ଅଭିହିତ କରାଯାଇଥାଏ
କେବଳ କାଷ୍ଠ ନିର୍ମିତ ପ୍ରତିମା ପରିବର୍ତ୍ତନ ହୁଏନାହିଁ, ବରଂ ପୁରୁଣା ପ୍ରତିମାରୁ ନୂତନ ପ୍ରତିମାକୁ ଏକ ଗୁପ୍ତ ପ୍ରକ୍ରିୟା ଦ୍ବାରା ବ୍ରହ୍ମ / ଆତ୍ମା ସ୍ଥାନାନ୍ତରଣ କରାଯାଏ
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଯେଉଁଦିନ ହୁଏ ସେହି ଦିନ ମଧ୍ୟାହ୍ନପରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇ ଏକ ୧୨ ଫୁଟ ଲମ୍ବା ଫୁଲମାଳ ବା ଆଜ୍ଞାମାଳ ତିଆରି କରାଯାଏ ଏହି ମାଳକୁ ଜଗନ୍ନାଥଙ୍କ ସେବକ ପତିମହାପାତ୍ରଙ୍କୁ ଦିଆଯାଏ, ଯେ ଏହାକୁ ନେଇ ଏଠାରୁ ପଚାଶ କିଲୋମିଟର ଦୂରରେ ଥିବା କାକଟପୁର ମଙ୍ଗଳାଙ୍କ ପାଖକୁ ଯାଆନ୍ତି ରାସ୍ତାରେ ସେମାନେ ପୁରୀ ରାଜାଙ୍କ ନଅରଠାରେ ମଧ୍ୟ କିଛି ସମୟ ପାଇଁ ଅବସ୍ଥାନ କରନ୍ତି, ଯେଉଁଠାରେ ମାଳର ପୂଜାର୍ଚ୍ଚନା କରାଯାଏ
ମହାପ୍ରଭୂଙ୍କ ସେବକ ଦଇତାପତି ପ୍ରମୁଖ ମନ୍ଦିରରେ ଅଧିଆ ପଡ଼ନ୍ତି, ଯେତେବେଳେ ମା ମଙ୍ଗଳା ସ୍ବପ୍ନରେ ଆସି ନବକଳେବର ପାଇଁ ନିର୍ଦ୍ଦିଷ୍ଟ ଦାରୁ ବା ଗଛ କେଉଁଠାରେ ମିଳିବ ତାହା ଜଣାନ୍ତି ଏହା କୌଣସି ସାଧାରଣ ନିମଗଛ ନୁହେଁ, କାରଣ ଯେହେତୁ ଜଗନ୍ନାଥ କଳା ତେଣୁ ସେଇ ନିମଗଛର ଦାରୁ ବି କଳା ହୋଇଥିବା ଆବଶ୍ୟକ, ଅପରନ୍ତୁ ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ଅଲଗା ନିମଗଛ ନିର୍ଦ୍ଧାରଣ ହୁଏ ନବକଳେବର ପାଇଁ ଆବଶ୍ୟକ ବୃକ୍ଷରେ କେବଳ ଚାରୋଟି ଶାଖା ରହିବା ଆବଶ୍ୟକ, ଯାହା ମହାପ୍ରଭୂଙ୍କ ଚାରିହାତକୁ ଦର୍ଶାଏ ବୃକ୍ଷ ନିକଟରେ ଜଳସ୍ରୋତ, ଶ୍ମଶାନ ଏବଂ ଉଇହୁଙ୍କା ରହିବା ଆବଶ୍ୟକ ଏବଂ ବୃକ୍ଷର ଭୂଇଁ ନିକଟରେ ସାପବିଳା ଥିବା ଆବଶ୍ୟକ ସେହି ବୃକ୍ଷରେ କୌଣସି ପକ୍ଷୀ ଘର କରିନଥିବା ଆବଶ୍ୟକ ଏବଂ ବୃକ୍ଷର କୌଣସି ଶାଖା ହଣାଯାଇନଥିବା ଆବଶ୍ୟକ ତିନିକୋଣିଆ ଛକ ପାଖରେ ଗଛଟି ଥିବା ଆବଶ୍ୟକ କିମ୍ବା ବୃକ୍ଷର ତିନିପାର୍ଶ୍ବରେ ପର୍ବତମାଳା ଥିବା ଦରକାର ଗଛ ଉପରେ କୌଣସି ଅଲଗା ଗଛ ଉଠିନଥିବ ଏବଂ ସେଇ ବୃକ୍ଷ ନିକଟରେ ବରୁଣ, ସାହାଡ଼ା ଏବଂ ବିଲ୍ବ ବୃକ୍ଷ ଥିବା ଆବଶ୍ୟକ (ଏହି ସବୁ ବୃକ୍ଷ ଆଜିକାଲି ଦେଖିବାକୁ ବିରଳ) ଏବଂ ବୃକ୍ଷ ନିକଟରେ ଶିବମନ୍ଦିର ରହିବା ଆବଶ୍ୟକ
ଥରେ ଦାରୁ ନିମିତ୍ତ ବୃକ୍ଷ ନିର୍ଦ୍ଧାରଣ ହୋଇଗଲେ, ଏକ ନିର୍ଦ୍ଦିଷ୍ଟଦିନ ପୂଜା କରାଯାଇ ସେଇ ଗଛକୁ କାଟିଦିଆଯାଏ ଏବଂ ଦାରୁକୁ ବଡ଼ ବଡ଼ ଶଗଡ଼ରେ ମନ୍ଦିର ନିକଟକୁ ଅଣାଯାଏ
ରଥଯାତ୍ରାର ତିନିଦିନ ପୂର୍ବରୁ ନବକଳେବର କାର୍ଯ୍ୟକ୍ରମ ହୁଏ, ଯେତେବେଳେ ବ୍ରାହ୍ମଣମାନେ ମହାପ୍ରଭୂଙ୍କ ଜୀବାତ୍ମା ବା ପିଣ୍ଡକୁ ପୁରୁଣା ପ୍ରତିମାରୁ ନୂତନ ପ୍ରତିମାକୁ ସ୍ଥାନାନ୍ତରିତ କରିଥାନ୍ତି ଏହି କାର୍ଯ୍ୟକ୍ରମ କରୁଥିବା ଦଇତାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧିଦିଆଯାଏ, ଏବଂ ପିଣ୍ଡ ପରିବର୍ତ୍ତନ ପୂର୍ବରୁ ସମସ୍ତ ଦଇତାପତିଙ୍କ ହାତକୁ ପଛରୁ ବାନ୍ଧିଦିଆଯାଏ ଦାରୁ ଖୋଜିବା ପାଇଁ ଯାଉଥିବା ଦଇତାପତିମାନେ ଦାରୁ ସନ୍ଧାନ ନ ହେବାଯାଏ, କ୍ଷୌର ନ ହେବାର ପ୍ରଥା ରହିଛି
ପିଣ୍ଡ ପରିବର୍ତ୍ତନ ହୋଇଯିବାପରେ, ଦଇତାପତିମାନେ ନିଶାର୍ଦ୍ଧରେ ପୁରୁଣା ପ୍ରତିମା ମାନଙ୍କୁ ନେଇ ଦାହ କରିବାର ପ୍ରଥା ରହିଛି କୁହାଯାଏ ଯେ ଏହି ଦାହ ସଂସ୍କାର ବେଳେ କୌଣସି ପ୍ରାଣୀ ପୁରୁଣା ମୂର୍ତ୍ତିକୁ ଦେଖିଲେ ପ୍ରାଣ ଚାଲିଯାଏ ତେଣୁ ଏହାକୁ ସମ୍ପୂର୍ଣ୍ଣ ଅନ୍ଧକାରମୟ ରାତିରେ କରାଯାଏ ତେଣୁ ଯେଉଁଦିନ ଏହି କାର୍ଯ୍ୟକ୍ରମ କରାଯିବ, ସେଇ ରାତିରେ ସମ୍ପୂର୍ଣ୍ଣ ପୁରୀ ସହରର ବିଦ୍ୟୁତ ସରବରାହ ବନ୍ଦ କରିଦିଆଯିବାର ଯୋଜନା କରାଯାଇଛି
ପରଦିନ ନୂତନ ପ୍ରତିମାମାନଙ୍କୁ ରତ୍ନ ସିଂହାସନରେ ବସାଇ ପୂଜା କରାଯିବ ଚଳିତ ବର୍ଷ ଏହା ଜୁଲାଇ ୧୬ ତାରିଖରେ କରାଯିବାର ନିର୍ଦ୍ଧାରଣ କରାଯାଇଛି ଏହାର ଦୁଇଦିନ ପରେ ରଥଯାତ୍ରା ହେବ ପ୍ରାୟ ଦୁଇମାସ (୫୮ଦିନ) ପରେ ଜଗନ୍ନାଥ ମନ୍ଦିରର ଦୈନନ୍ଦିନ ନୀତି ପୁଣି ପୂର୍ବପରି ସାମାନ୍ୟ ହୋଇଯିବ
ଅନେକ ଲୋକ ଏହାକୁ ଅନ୍ଧବିଶ୍ବାସ ବୋଲି ମଧ୍ୟ କହିପାରନ୍ତି, କିନ୍ତୁ ଶହଶହ ବର୍ଷରୁ ଚାଲି ଆସିଥିବା ଏହି ପ୍ରଥାକୁ ନେଇ ସମଗ୍ର ହିନ୍ଦୁ ସମାଜ, ତଥା ପୁରୀର ବାସିନ୍ଦାମାନେ ଭାବରେ ବିଭୋର ସେଇଥିପାଇଁ ରାଜ୍ୟ ସରକାର କୌଣସି ଭୁଲ କରିବାକୁ ଚାହୁଁନାହାନ୍ତି ଏତେ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ସବୁପ୍ରକାର ଚେଷ୍ଟା କରାଯାଉଛି ସେମାନଙ୍କର ରହଣୀ, ଖାଦ୍ୟପେୟ, ସ୍ବାସ୍ଥ୍ୟ ଇତ୍ୟାଦି ବିଷୟପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ଏଥିପାଇଁ ଅନ୍ୟୁନ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି
ଏହି ଖର୍ଚ୍ଚର ଏକ ବଡ଼ ଭାଗ ପୁରୀ ସହରର ବିଦ୍ୟୁତ ବ୍ୟବସ୍ଥାକୁ ସୁଚାରୁରୂପେ କରିବାପାଇଁ ଖର୍ଚ୍ଚ କରାଯାଉଛି, ସହର ନିକଟରେ ଥିବା ପୁରୀ-କୋଣାର୍କ ମେରାଈନ୍ ଡ୍ରାଇଭ ନିକଟରେ ଏକ ଉଚ୍ଚ କ୍ଷମତା ସମ୍ପର୍ନ୍ନ ଗ୍ରୀଡ଼ର ନିର୍ମାଣ କରାଯାଇଛି ଭୂମିତଳେ ବିଦ୍ୟୁତତାର ବିଛାଇବା କାର୍ଯ୍ୟ କରାଯାଉଛି, ଯାହାଫଳରେ କୌଣସି ଦୈବୀଦୁର୍ବିପାକ ଯଥା ବାତ୍ୟା ହେଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବନାହିଁ
ଭୂବନେଶ୍ବର-ପୁରୀ ରାଜ୍ୟ ରାଜମାର୍ଗର ପ୍ରଶସ୍ତିକରଣ କରାଯାଉଛି ମାଳତିପାଟପୁର ନିକଟରେ ଏକ ବସ ଟର୍ମିନାଲ୍ ନିର୍ମାଣ କରାଯାଉଛି ଏହା ବ୍ୟତୀତ ପୂରୀରେ ପ୍ରବେଶ ପୂର୍ବରୁ ୨୦ଟି ସ୍ଥାନରେ ଯାନବାହାନ ରହଣୀ ନିମନ୍ତେ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଉଛି ଏହି ସବୁ ସ୍ଥାନରେ ଜଳ ବଣ୍ଟନ ବ୍ୟବସ୍ଥାପାଇଁ ସାତଟି ବଡ଼ ପାଣିଟାଙ୍କି ନିର୍ମାଣ କରାଯାଇଛି
ଅଧିକ ଯାତ୍ରୀ ଆସିବାର ଆଶଂକା କରି ପୁରୀ ରେଳୱେ ଷ୍ଟେସନକୁ ଦ୍ବିଗୁଣ କ୍ଷମତାସମ୍ପର୍ନ୍ନ କରାଯାଉଛି ଏହା ସହିତ ଭୁବନେଶ୍ବର ଷ୍ଟେସନରେ ବି ଉନ୍ନୟନ କରାଯାଉଛି, ଏଥିପାଇଁ ୮୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି, ଯେଉଁଥିରୁ ୪୦ କୋଟି ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଖୋର୍ଦ୍ଧା-ଭୁବନେଶ୍ବର-ବାରଙ୍ଗ ରାସ୍ତାରେ ନୂଆ ରେଳପଥ ନିର୍ମାଣ ଚାଲିଛି
ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟପାଇଁ ପୁରୀ ନିକଟରେ ଥିବା ଅନେକ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଶଯ୍ୟାସଂଖ୍ୟା ପାଞ୍ଚଶହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ୧୦୦ଟି ପ୍ରାଥମିକ ଉପଚାର କେନ୍ଦ୍ର, ୧୨୦ଟି ଆମ୍ବୁଲାନ୍ସର ବ୍ୟବସ୍ଥା ବି କରାଯାଉଛି ଏହା ବ୍ୟତୀତ ଅନ୍ୟୁନ ୯୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଉଛି
ଏହି ସମୟରେ ପୁରୀରେ ଆନ୍ତର୍ଘାତୀ କାର୍ଯ୍ୟକଳାପକୁ ଆଡ଼େଇବାପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ଲାଗୁକରାଯାଉଛି ସମଗ୍ର ସହର ଓ ବିଶେଷତଃ ବଡ଼ଦାଣ୍ଡରେ କ୍ଲୋଜ୍ସର୍କିଟ୍ କ୍ୟାମେରା ଲଗାଯାଇ ସୁରକ୍ଷାର ବଳୟକୁ ସୁଦୃଢ଼ କରାଯାଉଛି ଲୋକମାନଙ୍କୁ ଅସୁବିଧାରୁ ବଞ୍ଚାଇବା ପାଇଁ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ୩୦ଟି ବଡ଼ ଟିଭି ଲଗାଇ ଲୋକଙ୍କୁ ଟ୍ରାଫିକ୍ ବିଷୟରେ ସୂଚନା ଦେବାବ୍ୟବସ୍ଥା ହେଉଛି
ସମୁଦ୍ର କୂଳରେ ଥିବା ଏହି ସହରକୁ ସମୁଦ୍ରପଥରେ ଆତଙ୍କବାଦୀମାନେ ଆସିପାରନ୍ତି, ତେଣୁ ବେଳାଭୂମି ସୁରକ୍ଷାବଳକୁ ସଶସ୍ତ୍ର ବାହିନୀ ଯୋଗାଇ ଦିଆଯାଉଛି ଅସ୍ତରଙ୍ଗ, ରାମଚଣ୍ଡୀ, ଚକ୍ରତୀର୍ଥ ଏବଂ ଆରାଖୂଡ଼ା ପୋଲିସ ଫାଣ୍ଡିକୁ ଅଧିକ ଆଧୁନିକ ହାତହତିଆର ଯୋଗାଇ ଦିଆଯାଉଛି ପୁରୀ ବେଳାଭୂମି ନିକଟବର୍ତ୍ତୀ ସମୁଦ୍ରରେ ଦୁଇଟି ଅତ୍ୟାଧୁନିକ ବୋଟ୍ ସୁରକ୍ଷାପାଇଁ ରହିବ ପୁରୀ ଉପର ଦେଇ କୌଣସି ବିମାନ ଚଳାଚଳ କରିବନାହିଁ ପୁରୀକୁ ଆସୁଥିବା ଯାତ୍ରୀଙ୍କ ବ୍ୟାଗ କୁ ତନ୍ନତନ୍ନ କରିପରିକ୍ଷା କରିବାପାଇଁ ବ୍ୟାଗାଜ୍ ସ୍କାନର୍ ଲାଗିବ
ବିଗତ ନବକଳେବର ସମୟରେ ପ୍ରାୟ ୨୦ ଲକ୍ଷ ଭକ୍ତ ପୁରୀ ଆସିଥିଲେ, ଏବଂ ଚଳିତବର୍ଷ ତାହା ୫୦ ଲକ୍ଷ ହୋଇପାରେ ବୋଲି କୁହାଯାଉଛି ପୁରୀ ସହରରେ ଥିବା ୪୮୦ ହୋଟେଲ୍, ୨୦୦ ଲଜିଂ, ୧୨ଟି ଧର୍ମଶାଳା, ୮୦ଟି ଆଶ୍ରମ, ଏବଂ ଶତାଧିକ ହଲିଡ଼େ ହୋମ୍ ସବୁ ଶ୍ରଦ୍ଧାଳୁମାନଙ୍କୁ ଉଚିତ ସେବା ଯୋଗାଇଦେବେ ବୋଲି ଆଶା କରାଯାଉଛି ବିଗତ ନବକଳେବର କୌଣସି ବାଧାବିଘ୍ନ ନ ହୋଇ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଯାଇଥିବା ବେଳେ ଏହିଥର ମଧ୍ୟ କୌଣସି ଅସୁବିଧା ହେବନାହିଁ ବୋଲି ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି
ସମସ୍ତେ ପ୍ରତୀକ୍ଷା କରିଛନ୍ତି ନବକଳେବର ଏବଂ ଏହା ସହିତ ପୁରୀରେ ହେବାକୁ ଥିବା ଆଶାତୀତ ଜନସମାଗମକୁ
ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ
ଏଠାରେ ପଢ଼ନ୍ତୁ !କାହିଁକି ଆମେ ପ୍ରାମାଣିକ ଚିତ୍ର ଇଣ୍ଡିଆସ୍ ଡଟର୍ ଦେଖିବା ଉଚିତ ?
ଏଠାରେ ପଢ଼ନ୍ତୁ !