ବିଗତ କିଛି ଦିନ ହେଲା ଭାରତରେ ଏକ ଅପୂର୍ବ ଅବସ୍ଥା ଜାରୀ ରହିଛି ବ୍ରିଟିଶ୍ ବ୍ରୋଡ଼କାଷ୍ଟିଂ କର୍ପୋରେସନର ସମ୍ପାଦିକା ଲେସ୍ଲି ଉଡ଼ୱିନଙ୍କ ଦ୍ବାରା ପ୍ରସ୍ତୁତ ଏକ ପ୍ରାମାଣିକ ଚିତ୍ର ‘ଇଣ୍ଡିଆସ୍ ଡଟର୍’କୁ ଟିଭି ପରଦାରେ ନ ଦେଖାଇ ଦେବାପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରୀ ରହିଛି ଅବଶ୍ୟ ଏହି ପ୍ରାମାଣିକ ଚିତ୍ର ବ୍ରିଟେନରେ ପ୍ରସାରିତ ହୋଇସାରିଲାଣି, ଏବଂ ଅନେକେ ଏହାକୁ ଦେଖିଲେଣି ଅନେକେ ଏହାକୁ ଟିଭି ଚ୍ୟାନେଲର ଟିଆର୍ପି / ଲୋକପ୍ରିୟତା ବଢ଼ାଇବା ପାଇଁ ଭାରତରେ ଦଣ୍ଡଭୋଗୁଥିବା ଜଣେ ମୃତ୍ୟୁଦଣ୍ଡପ୍ରାପ୍ତ ବଳାତ୍କାରୀର ସାକ୍ଷାତକାର କରାଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି ଭାରତୀୟ ଉପମହାଦ୍ବୀପରେ ଏହି ପ୍ରାମାଣିକ ଚିତ୍ରର ପ୍ରଦର୍ଶନ ଉପରେ ଉଚ୍ଚନ୍ୟାୟାଳୟ ଦେଇଥିବା ରାୟକୁ ବଜାୟ ରଖି ଯଦିଓ ଏହାକୁ ଭାରତରେ ପ୍ରସାରଣ କରାଯାଉନାହିଁ, କିମ୍ବା ୟୁଟ୍ୟୁବ୍ ସାଇଟରେ ବି ଦେଖି ହେଉନାହିଁ, ତଥାପି ଜଗତିକରଣର ଏହି ସମୟରେ କୌଣସି ଜିନିଷ କାହାଠାରୁ ଲୁଚାଛପା ନାହିଁ ଭାରତରେ ବି ଅନେକ ବନ୍ଧୁ ଏହି ଚିତ୍ରକୁ ଦେଖି ନିଜ ମତ ବିଭିନ୍ନ ଗଣ ମାଧ୍ୟମରେ ଦେଇସାରିଲେଣି ସେମାନେ ଦେଇଥିବା ମତକୁ ଆଧାର କରି ମୁଁ ମନେ କରେ ଯେ ଏହି ଚିତ୍ରକୁ ଭାରତୀୟ ଦର୍ଶକ ମାନଙ୍କ ପାଇଁ ମଧ୍ୟ ଉନ୍ମୁକ୍ତ କରାଯିବାର ଯଥେଷ୍ଟ କାରଣ ରହିଛି

ଆପଣ କଣ ଏଥିପାଇଁ କ୍ଷୁବ୍ଧ ଯେ ଜଣେ ଅପରାଧି ବଳାତ୍କାରୀର ସାକ୍ଷାତକାର ନିଆଯାଇଛି, ଏବଂ ଏହାକୁ ବିଶ୍ବ ଦର୍ଶକମାନଙ୍କ ସମ୍ମୁଖରେ ଅତିରଞ୍ଜିତ କରି ପ୍ରଦର୍ଶିତ କରାଯାଉଛି ? ଆପଣ କଣ ଭାବୁଛନ୍ତି, ପୋଲିସଦ୍ବାରା ରୁଜୁ ହୋଇଥିବା ମାମଲାରେ ଦର୍ଶାଯାଇଥିବା ତଥ୍ୟ, ‘ ଏହି ଚିତ୍ରରେ ଅନେକ ଅଭଦ୍ରୋଚିତ ଏବଂ କପୋଳକଳ୍ପିତ ତଥ୍ୟ ଉପସ୍ଥାପନ କରାଯାଇଛି, ଯାହାଦ୍ବାରା ସମାଜରେ ଅରାଜକତା ବ୍ୟାପୀପାରେ’ ସବୁ ସତ୍ୟ ? ଏବଂ ଆପଣ ଭାବୁଛନ୍ତି ଏହି ପ୍ରକାରର ପ୍ରଚାର ଅଭିଯୁକ୍ତ ଓ ଦଣ୍ଡପାଉଥିବା ଅପରାଧିମାନଙ୍କୁ ଦିଆଯିବା ଉଚିତ ନୁହେଁ ?
ଆପଣ ଜାଣନ୍ତି ଏହି ଚିତ୍ରରେ ସ୍ଥଳ ବିଶେଷରେ ସାକ୍ଷାତକାର ଦେଉଥିବା ବ୍ୟକ୍ତି ଜଣକ କହୁଛି ଯେ, ‘ବଳାତ୍କାର ହେଉଥିବା ସମୟରେ ମହିଳା ଜଣକ ପ୍ରତିରୋଧ କରିବା ଉଚିତ ନଥିଲା ’ ଆଶ୍ଚର୍ଯ୍ୟ ଲାଗେନି ଯେ ଏହି ବ୍ୟକ୍ତି ଜଣକ ଆହୁରି ମଧ୍ୟ କହୁଛି ଯେ ମହିଳା ମାନେ କେବଳ ଘରକାମ, ଘର ଦେଖାଶୁଣା କରିବା ପାଇଁ ଉଦ୍ଦିଷ୍ଟ, ସେମାନେ ଡିସ୍କୋ ଆଉ ବାରକୁ ଯିବା ଭୁଲ


ବଳାତ୍କାରୀର ସାକ୍ଷାତକାର ଏବଂ ତାର ବିସ୍ଫୋଟକାରୀ ବୟାନଠାରୁ ଅଧିକ ଭୟଙ୍କର ଥିଲା ଅପରାଧିର ଓକିଲଙ୍କ ବୟାନ, ଯେଉଁଠି ସେ କହୁଛନ୍ତି ଯେ, ‘ଝିଅ ମାନେ ମୂଲ୍ୟବାନ ହୀରା ସଦୃଶ ସେମାନେ ଯଦି ସମାଜର କୁଡ଼ାଦାନୀରେ ପଡ଼ିବେ ତା’ହେଲେ କୁକୁର ମାନେ ତାକୁ ଆକ୍ରମଣ କରି କ୍ଷତ ପହଞ୍ଚାଇବେ ହିଁ’ ଓକିଲ ଅପରାଧି ନୁହନ୍ତି, କିମ୍ବା ସେ ଜେଲରେ ନାହାନ୍ତି, ତେଣୁ ସେ ସ୍ବାଧୀନ ମନ୍ତବ୍ୟ ଦେଇପାରିବେ ଅତି ଉଚ୍ଚ ଶିକ୍ଷିତ ଏବଂ ଉଚ୍ଚନ୍ୟାୟାଳୟରେ ଓକିଲାତି କରୁଥିବା ମହାଶୟ ଜଣଙ୍କ ମତରେ, ‘ଝିଅମାନେ ହେଉଛନ୍ତି ମିଠା ଆଉ ସେମାନଙ୍କୁ ଏକା ପାଇଲେ କୁକୁରମାନେ ବେଢ଼ି ଖାଇବେ ହିଁ ଖାଇବେ’ ଜଣେ ଉଚ୍ଚ ଶିକ୍ଷିତ ଭଦ୍ରବ୍ୟକ୍ତି ଯଦି ଏହିପ୍ରକାରର ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି, ତା’ହେଲେ ସ୍ବଳ୍ପ ଶିକ୍ଷିତ ବେକାର ବା ଅଳ୍ପରୋଜଗାର କରୁଥିବା ଅପରାଧୀମାନେ ଆଉ କେତେ ଅଧିକ ଶିକ୍ଷିତ ମନ୍ତବ୍ୟ ଦେଇପାରିବେ ? ଏହି ପରି ଲୋକଙ୍କ ପ୍ରୋତ୍ସାହନ ଯୋଗୁଁ ହିଁ ଘୃଣ୍ୟ ଅପରାଧ କରିବା ସତ୍ତ୍ବେ ଅପରାଧିରେ ମୁହଁରେ ସାମାନ୍ୟ ପଶ୍ଚାତାପ ଦେଖାଯାଉନାହିଁ, କିମ୍ବା ତାହାର ମତରେ କୌଣସି ପରିପକ୍ବତା ଦେଖାଯାଉନାହିଁ ସେ ଭାବୁଛି ସେମାନେ କୌଣସି ଅପରାଧ କରିନାହାନ୍ତି, କାରଣ ସେ ଝିଅଟା ସେଇୟା ହିଁ ଚାହୁଁଥିଲା ନହେଲେ ସେ ଏତେ ରାତିରେ କାହିଁକି ଏକା ଜଣେ ଅପରିଚିତ ପୁଅ ସହ ବୁଲୁଥିଲା ?
ବ୍ରିଟିଶ୍ ସାମ୍ବାଦିକା ଲେସଲି ଉଡ଼୍ୱିନ୍ ଏହି ପ୍ରାମାଣିକ ଚିତ୍ର କାହିଁକି କରିଲେ, ବା ଏହାକୁ କାହିଁକି ସେ ବିଦେଶରେ ପ୍ରସାରଣ କରାଇଲେ ସେ ସବୁ ବିଷୟରେ ଚିନ୍ତା କରିବା ଛାଡ଼ିଦେଇ ଯଦି ଆମେ ଏହି ଚିନ୍ତା କରନ୍ତେ ଯେ ବଳାତ୍କାର ହୁଏ କାହିଁକି ? ଏହାକୁ କିଏ କରେ ଏବଂ କାହିଁକି କରେ, କେମିତି ଏହାକୁ ବନ୍ଦ କରିହେବ... ତାହା ହେଲେ ଆମେ କିଛି ଗଠନମୂଳକ କାର୍ଯ୍ୟ କରିପାରିବା ବୋଲି ମୁଁ ଭାବେ ଯେତେ ସହାୟତା ଦେଇ ହେଉ, ବା ଆତ୍ମସୁରକ୍ଷା ଟ୍ରେନିଂ ଦେଇ ହେଉ, କିମ୍ବା ରାତିରେ ଏକା ବାହାରେ ନ ବୁଲିବା ବୋଲି ଚେତାବନୀ ଦେଇ ହେଉ, କିମ୍ବା ମୃତ୍ୟୁଦଣ୍ଡ ଦେଇ ହେଉ କୌଣସିମତେ ବଳାତ୍କାର ପରି ଘୃଣ୍ୟ ଅପରାଧକୁ ରୋକିବା ସମ୍ଭବ ହୋଇ ପାରିବନାହିଁ, ଯେତେଦିନ ପୁରୁଷମାନେ ନିଜର ପୁରୁଷତ୍ବ ମହିଳାମାନଙ୍କ ଉପରେ ଜାହିର କରିବା ବନ୍ଦ କରିବେ ନାହିଁ
କେମିତି ହୁଅନ୍ତା ଯଦି ଆମେ ମହିଳା ସୁରକ୍ଷାକୁ ତ୍ୟାଗ ଦେଇ ପୁରୁଷ ମାନଙ୍କ ମାନସିକତାରେ ପରିବର୍ତ୍ତନ ବିଷୟରେ ଚିନ୍ତାଶୀଳ ହୁଅନ୍ତେ ଯାହାଦ୍ବାରା ସେମାନେ କଣ୍ଟା ହୋଇ ଫୁଲ ସଦୃଶ ମହିଳାଙ୍କ (ଅପରାଧିଙ୍କ ଓକିଲଙ୍କ ଭାଷାରେ) ଉପରେ ତାଡ଼ନା ବା ଅତ୍ୟାଚାର କରନ୍ତେ ନାହିଁ କେତେଦିନ ଆଉ ମହିଳାମାନେ ନିଜର ସୁରକ୍ଷାପାଇଁ ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିବେ? ଘରୁ ବାହାରିବା ଠାରୁ ଘରକୁ ଫେରିବା ପର୍ଯ୍ୟନ୍ତ ପ୍ରତି ପାଦରେ ଭୟ ଓ ସଙ୍କୋଚରେ ସମୟ କାଟିବେ
ପୁରୁଷମାନଙ୍କୁ ଶିକ୍ଷାର ଆବଶ୍ୟକତା ରହିଛି ସେମାନଙ୍କୁ ଶିଖାଅ, ସେମାନେ ମହିଳାମାନଙ୍କ ବଳାତ୍କାର କରିବେ ନାହିଁ ଏଥିପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କର ଖର୍ଚ୍ଚକର, ହୁଏତ କିଛି ପରିବର୍ତ୍ତନ ଆସିପାରେ କିନ୍ତୁ ସେ ସବୁ କରିବାପୂର୍ବରୁ ଆମକୁ ଆତ୍ମ ଅନୁଶୀଳନ କରିବାକୁ ପଡ଼ିବ ଚିନ୍ତାକରି ଦେଖିବାକୁ ପଡ଼ିବ ଯେ କାହିଁକି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପୁରୁଷମାନେ ଏତେ ଗମ୍ଭୀରତାର ସହ ନେଉନାହାନ୍ତି

କାହିଁକି ପୁରୁଷମାନଙ୍କୁ ଅନ୍ଧାର ପରେ ଘରୁ ବାହାରକୁ ବାହାରିବାପାଇଁ ମନା କରାଯିବନାହିଁ? କାହିଁକି ପୁରୁଷମାନଙ୍କୁ ନିୟନ୍ତ୍ରଣ କରିହୁଏନାହିଁ ? କାହିଁକି କେବଳ ପୁରୁଷମାନଙ୍କୁ ହିଁ ଚିନ୍ତାଶୀଳ, ଶିକ୍ଷିତ, ଚତୁର ଓ ବୁଦ୍ଧିମାନ ବୋଲି ଧରାଯିବ ? ଆମେ ଜଙ୍ଗଲରେ ରହୁନାହୁଁ, ପଶୁମାନଙ୍କ ସହ ତଥାପି ପଶୁମାନଙ୍କର ବି ବିଚାର କରିବା କ୍ଷମତା ରହିଛି
ବର୍ତ୍ତମାନ ସମୟ ଆସିଛି, ପୁରୁଷ ମାନଙ୍କ ପାଇଁ କାର୍ଯ୍ୟକ୍ରମମାନ ହାତକୁ ନେବାକୁ ହେବ ପୁରୁଷମାନଙ୍କୁ ବଳାତ୍କାରୀ ହେବାରୁ ରକ୍ଷାକରିବାକୁ ପଡ଼ିବ ସେମାନଙ୍କୁ ବିଳମ୍ବରେ ଘରୁ ବାହାରେ ରହିବାକୁ ମନା କରିବାକୁ ପଡ଼ିବ ସବୁ ସମୟରେ ସବୁ ସ୍ଥାନରେ ନିଜକୁ ଅଭିଭାବକ ବୋଲି ପ୍ରମାଣିତ କରିବାକୁ ମନାକରିବାକୁ ପଡ଼ିବ
ଏହି ସମୟରେ ‘ଇଣ୍ଡିଆସ୍ ଡଟର’ ଭଳି ପ୍ରାମାଣିକ ଚିତ୍ର ଦେଖି ଆମକୁ ଚିନ୍ତାଶୀଳ ହେବାକୁ ପଡ଼ିବ କାହିଁକି ଏବଂ କେମିତି ଜଣେ ବଳାତ୍କାର କରିବାପାଇଁ ଆଗଭର ହୁଏ ତାହା ବୁଝିବାକୁ ହେବ ବଳାତ୍କାରୀର ମନୋସ୍ତାତ୍ତ୍ବିକ ଅବସ୍ଥାକୁ ବୁଝିବାକୁ ହେବ
ମୁଁ ଆମ ଦେଶରେ ବଳାତ୍କାର ବନ୍ଦ କରିବାପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇପାରୁନାହିଁ ମୋତେ ଏହି ପ୍ରାମାଣିକ ଚିତ୍ର ଦେଖିବାକୁ ଇଚ୍ଛା ହେଉଛି ମୁଁ ଜାଣିବାକୁ ଚାହେଁ, ବଳାତ୍କାର, ଯୌନଅପରାଧ ଏବଂ ମହିଳାମାନଙ୍କ ଶୋଷଣର କାରଣ କଣ ? ଆମ ଦେଶରେ ପୁରୁଷମାନେ କାହିଁକି ଏମିତି ଘୃଣ୍ୟ ଅପରାଧମାନ କରୁଛନ୍ତି ? କାହିଁକି ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏକ ପ୍ରବଳ ସମସ୍ୟା, ଯାହାର ଉପଚାର କିଛି ଦେଖାଯାଉନାହିଁ
ସବୁ କିଛି ବୁଝି ସାରିବାପରେ ମୁଁ ଏହି ସମସ୍ୟାର ସମାଧାନ ଚାହେଁ ସେଇଥିପାଇଁ ପାର୍ଲିଆମେଣ୍ଟରେ ବସି ଚିତ୍କାର କଲେ କିଛି ହେବନାହିଁ ପ୍ରକୃତ କାମ କଣ ତାହା ଧାର୍ଯ୍ୟ କରି କରିବାକୁ ପଡ଼ିବ ଏହିପରି ପ୍ରାମାଣିକ ଚିତ୍ରକୁ ବନ୍ଦ କରିବାପାଇଁ ମାମଲା ରୁଜୁ କରିଦେଇ ଏହି ପରି ଅପରାଧରେ ସଂଶ୍ଳିଷ୍ଟ ଅପରାଧୀମାନଙ୍କ ମନୋସ୍ତିତିକୁ ସର୍ବସମ୍ମୁଖରେ ଜାହିର ହେବାକୁ ଦେବା ମନା କରି ଅଧିକ ଅପରାଧ କରୁଛ ବର୍ତ୍ତମାନ ସମୟ ଆସିଛି, ସମଗ୍ର ବିଶ୍ବକୁ ଦେଖିବାକୁ, ଯେ ଅପରାଧିମାନେ କେତେ ନିଷ୍ଠୁର ହୋଇପାରନ୍ତି, କେତେ ପାଗଳ ଓ କେତେ ମାନସିକଭାବେ ବିକୃତ ହୋଇପାରନ୍ତି ଏହି ବ୍ୟକ୍ତିମାନଙ୍କର ମସ୍ତିଷ୍କର ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ କରି ଜାଣିବାକୁ ହେବ ଏହି ସମସ୍ୟାର ଚେର କେଉଁଠି
ଆଜି ନିର୍ଭୟାର ଛବି ବିକୃତ ହେବ ବୋଲି କହି ଏହି ଚିତ୍ରକୁ ପ୍ରଦର୍ଶନ କରାଯାଉନାହିଁ, କିନ୍ତୁ ମୋ ମତରେ ଏହି ଛବିକୁ ପ୍ରଦର୍ଶନକଲେ ଅପରାଧୀ ମାନସିକତାକୁ ଚିହ୍ନି ଏହାର ଚିକିତ୍ସା କରିବା ହୁଏତ ସମ୍ଭବ ହୋଇପାରେ, ଏବଂ ଏହାପରେ ନିର୍ଭୟାପରି ଅନ୍ୟ କୌଣସି ଝିଅକୁ ଅକାଳରେ ମୃତ୍ୟୁବରଣ କରିବାକୁ ନ ପଡ଼ିପାରେ ଏବଂ ଏହି ଚିତ୍ର ଦେଖାଇ ଆମେ ବାସ୍ତବରେ ନିର୍ଭୟାର ଆତ୍ମାକୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଦେଇପାରିବା ଆମ ଦେଶରୁ ଏବଂ ଅପରାଧିଙ୍କ ମସ୍ତିଷ୍କରୁ ଅପରାଧର ମଞ୍ଜିକୁ ଦୂର କରିପାରିବା
Picture Courtesy : Google Image Search and Various Websites..