favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବିଶ୍ବ ମହିଳା ଦିବସ ଉପଲକ୍ଷେ

ବିଶ୍ବ ମହିଳା ଦିବସ ଉପଲକ୍ଷେ

ପ୍ରତିବର୍ଷ ମାର୍ଚ ମାସର ୮ ତାରିଖକୁ ବିଶ୍ବ ମହିଳା ଦିବସ ଭାବରେ ପାଳନ କରାଯାଇଥାଏ୤ ବିଭିନ୍ନ ଦେଶରେ ଏହା ବିଭିନ୍ନ ଭାବରେ ପାଳନ କରାଯାଇଥାଏ୤ ବିଶେଷତଃ ମହିଳା ମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସର ପାଳନର ତାତ୍ପର୍ଯ୍ୟ ରହିଛି୤ ଏବଂ ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ତ୍ବ ରହିଛି୤ କିଛି ଦେଶରେ ଏହି ଦିନକୁ ଏକ ସାଧାରଣ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ ଏବଂ ଛୁଟି ଘୋଷଣା କରାଯାଇଥାଏ୤ ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍‌ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ତ୍ବ ରହିଛି୤



ଆମେରିକାର ଏକ ରାଜନୈତିକ ଦଳ ସୋସିଆଲିଷ୍ଟ୍ ପାର୍ଟି ଅଫ୍ ଆମେରିକାର ଆହ୍ବାନରେ ଫେବ୍ରୁଆରୀ ୨୮ ୧୯୦୯ ମସିହାରେ ପ୍ରଥମ ଥର ପାଇଁ ଏକ ମହିଳା ଦିବସ ପାଳନ କରାଯାଇଥିଲା ଅବଶ୍ୟ ଏହା କେବଳ ଆମେରିକା ମହାଦ୍ବୀପରେ ହିଁ ସୀମିତ ଥିଲା୤ ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ବ ମହିଳା ସମାବେଶର ଆୟୋଜନ କରାଗଲା୤ ସେହିଠାରେ ସମ୍ମିଳିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏକ ବିଶ୍ବ ମହିଳା ଦିବସର ଅବଧାରଣା କରାଗଲା୤ ଜର୍ମାନୀର ସାମାଜିକ କର୍ମକର୍ତ୍ତା ଲୁଇ ଜିଟ୍‌ଜ୍ ଏହି ଦିବସର ପାଳନ ନିମନ୍ତେ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସମର୍ଥନ କରିଥିଲେ କ୍ଲାରା ଜେଟ୍‌କିନ୍୤ ବିଶ୍ବର ଅନ୍ୟୁନ ୧୭ଟି ଦେଶରୁ ଆସିଥିବା ଶତାଧିକ ମହିଳା ସଦସ୍ୟାମାନେ ଏହାକୁ ସମର୍ଥନ କରିଥିଲେ୤ ଏହାର ପରବର୍ତ୍ତୀ ବର୍ଷ ୧୯୧୧ ରେ ପ୍ରଥମ ବିଶ୍ବ ମହିଳା ଦିବସ ପାଳନ କରାଗଲା୤ ଦଶ ଲକ୍ଷରୁ ଅଧିକ ମହିଳା ବିଶ୍ବର ବିଭିନ୍ନ ଦେଶରେ ଥାଇ ଏଇ ଦିବସକୁ ପାଳନ କଲେ୤ ବିଶେଷତଃ ଅଷ୍ଟ୍ରିୟା, ଡେନ୍‌ମାର୍କ, ଜର୍ମାନୀ ଓ ସ୍ବିଜର୍‌ଲାଣ୍ଡରେ ଏହି ଦିବସ ବହୁ ଆଡ଼ମ୍ବରରେ ପାଳନ କରାଗଲା୤ ମହିଳା ମାନେ ପ୍ଲାକାର୍ଡ଼ ଧରି ମହିଳା ମାନଙ୍କ ସମାନ ଅଧିକାର, ଭୋଟ ଦେବା ଏବଂ ନିର୍ବାଚନରେ ଭାଗନେବା ଅଧିକାର, କର୍ମସଂସ୍ଥାନରେ ସମପରିମାଣର ନିଯୁକ୍ତି ସୁଯୋଗ ଦେବା ଇତ୍ୟାଦି ଦାବି ନେଇ ଶୋଭାଯାତ୍ରାମାନ ଆୟୋଜନ କରିଥିଲେ| ଅବଶ୍ୟ ଆମେରିକାରେ ତଥାପି ମହିଳା ଦିବସ ଫେବ୍ରୁଆରୀ ମାସର ଶେଷ ରବିବାର ଦିନ ହିଁ ପାଳନ ହେଉଥିଲା୤

୧୯୧୩ ମସିହାରେ ରୁଷିଆରେ ମହିଳା ମାନେ ମଧ୍ୟ ଫେବୃଆରୀ ମାସର ଶେଷ ରବିବାରକୁ ବିଶ୍ବ ମହିଳା ଦିବସ ଭାବରେ ପାଳନ କରିଲେ୤ ୧୯୧୭ ମସିହାରେ ରୁଷିଆର ପ୍ରସିଦ୍ଧ ସେଣ୍ଟ୍ ପିଟର୍ସବର୍ଗ କ୍ଷେତ୍ରରେ ମହିଳାମାନେ ଫେବୃଆରୀ ଶେଷ ରବିବାର ( ଯାହା ଇଂରାଜୀ କ୍ୟାଲେଣ୍ଡରର ମାର୍ଚ ୮ ତାରିଖରେ ପଡ଼ିଥିଲା ) ଦିନ ଫେବୃଆରୀ ବିପ୍ଲବ ଆରମ୍ବ କଲେ୤ ଏହାପରେ ତତ୍‌କାଳୀନ ରୁଷିଆର ରାଷ୍ଟ୍ରପତି ଲେନିନ୍ ଏହି ଦିନଟିକୁ ଛୁଟି ଦିବସ ଭାବରେ ଘୋଷଣା କରିବା ପାଇଁ ଚାହିଁଥିଲେ ହେଲେ ୧୯୬୫ ମସିହା ପର୍ଯ୍ୟନ୍ତ ମାର୍ଚ ୮ ଏକ କର୍ମଦିବସ ଭାବରେ ହିଁ ରହିଥିଲା୤ ମଇ ୮, ୧୯୬୫ ରେ ରୁଷିଆ ଆନୁଷ୍ଠାନିକ ଭାବରେ ମାର୍ଚ ୮ ତାରିଖକୁ ସରକାରୀ ଛୁଟି ଭାବରେ ଘୋଷଣା କଲା୤

ଚୀନରେ ମହିଳା ଦିବସ ୧୯୨୨ ରେ ଆରମ୍ଭ ହୋଇଥିଲା ସେହିପରି ସ୍ପେନ୍‌ରେ ୧୯୩୬ରେ୤ ଏହି ଦିନ ଚୀନରେ ମହିଳା ମାନଙ୍କ ଅଧା ଦିନର ଛୁଟି ଦିଆଯିବାର ବ୍ୟବସ୍ଥା ରହିଛି୤



ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା ଯେତେବେଳେ ଜାତିସଂଘ ସାଧାରଣ ବୈଠକରେ ସଦସ୍ୟମାନେ ମାର୍ଚ ୮ ତାରିଖକୁ ମହିଳା ମାନଙ୍କୁ ଅଧିକାର ଓ ବିଶ୍ବ ଶାନ୍ତିର ଜାତିସଂଘ ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା୤ ଏଇ ପରିପ୍ରେକ୍ଷୀରେ ପ୍ରତିବର୍ଷ ଏକ ଥିମ୍ ବା ଏହି ଦିବସର ତାତ୍ପର୍ଯ୍ୟ ହେତୁ ଏକ ବାକ୍ୟ ଦିଆଯାଇଥାଏ୤ ୨୦୧୫ ମସିହା ପାଇଁ ଏହି ଦିବସର ଥିମ୍ ହେଉଛି MAKE IT HAPPEN. ବିଶ୍ବର ବିଭିନ୍ନ ସଭ୍ୟତାରେ ବର୍ତ୍ତମାନ ବି ମହିଳା ମାନେ ଘରର ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ରହିଛନ୍ତି ଏବଂ ସେମାନେ ନିଜର ଅର୍ଥନୈତିକ ଅଭିବୃଦ୍ଧି କରିବା ଦିଗରେ ଯତ୍ନବାନ ହେବା ପାଇଁ ଏହି ଦିବସର ତାତ୍ପର୍ଯ୍ୟ ଅନେକ ରହିଛି୤

ବିଶ୍ବ ମହିଳା ଦିବସ ଉପଲକ୍ଷେ ଆହ୍ବାନ ଓଡ଼ିଆ ପରିବାର ତରଫରୁ ସମସ୍ତ ମହିଳା ମାନଙ୍କୁ ଅନେକ ଅନେକ ଅଭିନନ୍ଦନ୤

ଧନ୍ୟବାଦ
ଡ଼ା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Pictures courtesy : http://www.internationalwomensday.com

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

କାହିଁକି ଆମେ ପ୍ରାମାଣିକ ଚିତ୍ର ଇଣ୍ଡିଆସ୍ ଡଟର୍ ଦେଖିବା ଉଚିତ ?

କାହିଁକି ଆମେ ପ୍ରାମାଣିକ ଚିତ୍ର ଇଣ୍ଡିଆସ୍ ଡଟର୍ ଦେଖିବା ଉଚିତ ?

ଏଠାରେ ପଢ଼ନ୍ତୁ !
ଏହା କେଉଁ ପ୍ରକାରର ନ୍ୟାୟ ???

ଏହା କେଉଁ ପ୍ରକାରର ନ୍ୟାୟ ???

ଏଠାରେ ପଢ଼ନ୍ତୁ !