favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଏହା କେଉଁ ପ୍ରକାରର ନ୍ୟାୟ ???

ଏହା କେଉଁ ପ୍ରକାରର ନ୍ୟାୟ ???

ନାଗାଲାଣ୍ଡର ପ୍ରମୁଖ ବ୍ୟବସାୟିକ ସହର ଦିମାପୁର ବର୍ତ୍ତମାନ ଅଶାନ୍ତ ଅବସ୍ଥାରେ୤ ଗତକାଲି ସନ୍ଧ୍ୟାରେ ଘଟିଥିବା ଏକ ଅଭାବନୀୟ ଘଟଣାପରେ ସମଗ୍ର ଦେଶ ଏହାକୁ ନେଇ ସ୍ତବ୍ଧ୤ ସୂଚନାଯୋଗ୍ୟ ଯେ ଗତ କାଲି ସନ୍ଧ୍ୟାରେ ହଜାର ହଜାର ସଂଖ୍ୟକ ଉତ୍ୟକ୍ତ ଲୋକମାନେ ଦିମାପୁର କେନ୍ଦ୍ରୀୟ କାରାଗାରକୁ ଘେରିଯାଇ, ସେଠାରେ ଦଣ୍ଡ ଭୋଗୁଥିବା ଏକ ବଳାତ୍କାର ଅଭିଯୁକ୍ତକୁ ଜେଲରୁ ବଳପୂର୍ବକ ବାହାର କରିନେଇ ପ୍ରଥମେ ପିଟି ପିଟି ହତ୍ୟାକରିବା ପରେ ସର୍ବସମ୍ମୁଖରେ ସହରର ମୁଖ୍ୟ ସ୍ଥଳରେ ଫାଶୀରେ ଝୁଲାଇ ଦେଇଛନ୍ତି୤ ଏହି ଘଟଣାପରେ ଅବସ୍ଥା ଅଣାୟତ ହେବାପରେ କେନ୍ଦ୍ରସରକାର ସେଠାରେ ଅତିରିକ୍ତ ପୋଲିସ ବଳ ସମେତ ଅର୍ଦ୍ଧସାମରିକ ବଳକୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି୤ କେନ୍ଦ୍ର ସରକାର ସମସ୍ତ ଘଟଣା ଉପରେ ସରଜମିନ ତଦନ୍ତ ରିପୋର୍ଟ୍ ମାଗୁଥିବା ବେଳେ ରାଜ୍ୟ ସରକାର ସେଠାରେ ସାନ୍ଧ୍ୟକାଳୀନ ଆଇନ (କର୍ଫ୍ୟୁ / ୧୪୪ ଧାରା) ଲାଗୁକରିଛନ୍ତି୤



ସୂଚନାଯୋଗ୍ୟ ଯେ ଏହି ଘଟଣାରେ ନିହତ ବ୍ୟକ୍ତି ଏକ ଆଦିବାସୀ ବାଳିକା ସହ ବଳାତ୍କାର କରିଥିବା ମାମଲାରେ ଜେଲ ଦଣ୍ଡ ଭୋଗୁଥିଲା୤ ଗତକାଲି ଅପରାହ୍ନ ଚାରିଟା ବେଳକୁ ହଜାର ହଜାର ଉତ୍ୟକ୍ତ ଜନତା ସଡ଼କ ଉପରକୁ ଆସିଥିଲେ, ଏବଂ ଏହାପରେ ଆନ୍ଦୋଳନ ଉଗ୍ର ରୂପ ନେଉନେଉ ସମସ୍ତ ଦୋକାନବଜାର ବନ୍ଦ ହୋଇଯାଇଥିଲା୤ ପରେ ଉଗ୍ର ଭିଡ଼ ଦିମାପୁର କେନ୍ଦ୍ରୀୟ କାରାଗାରକୁ ଅଗ୍ରସର ହୋଇ କାରାଗରକୁ ଚାରିପାଖରୁ ଘେରିଯାଇଥିଲେ୤ ସେଠାରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ଅସହାୟ ହୋଇ ଦେଖୁଥିବା ବେଳେ ଲୋକମାନେ ଅଭିଯୁକ୍ତକୁ ଜେଲରୁ ବାହାର କରି ନେଇଯାଇଥିଲେ୤ କୁହାଯାଉଛି ଯେ ଉତ୍ୟକ୍ତ ଭିଡ଼ ପ୍ରଥମେ ଅପରାଧିକୁ ଜେଲରୁ ବାହାର କରି ପ୍ରାୟ ସାତ କିଲୋମିଟର ବାଟ ଘୋଷାରି ଘୋଷାରି ନେଇଥିଲେ, ଏହି ସମୟରେ ଲୋକଙ୍କ ମାଡ଼ପିଟରେ ତାହାର ପ୍ରାଣବାୟୁ ବାହାରି ଯାଇଥିଲା୤ ପରେ ସମୁହ ଭିଡ଼ ବ୍ୟକ୍ତିକୁ ଫାଶୀରେ ଝୁଲାଇ ଦେଇଥିଲେ୤

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଜଣେ ଆଦିବାସୀ ବାଳିକାର ବଳାତ୍କାର ଫେବୃଆରୀ ୨୩ ତାରିଖରେ ହୋଇଥିଲା୤ ଏହାର ଅଭିଯୁକ୍ତ ଜଣେ ବଙ୍ଗଳାଦେଶୀ ନାଗରିକ ଫରିଦ ଖାନ ବୋଲି ଜଣାପଡ଼ିଥିଲା୤ ବଳାତ୍କାର ପୀଡ଼ିତା ଦିମାପୁର କଲେଜର ଜଣେ ଛାତ୍ରୀ ଥିଲା୤ ଏହି ଘଟଣା ପରଠାରୁ ଦୀମାପୁର ନାଗା ଷ୍ଟୁଡ଼େଣ୍ଟ୍ ଫେଡ଼େରେସନ୍ ତରଫରୁ ଛାତ୍ରୀଙ୍କୁ ସମବେଦନା ଜଣାଇ ଜନ ଆନ୍ଦୋଳନର ଡା୍‌କରା ଦିଆଯାଇଥିଲା୤ ଧିରେ ଧିରେ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା ଏବଂ ଗତକାଲି ସନ୍ଧ୍ୟାରେ ଏହା ସଂପୃକ୍ତ ବ୍ୟକ୍ତିର ହତ୍ୟାପରେ ଶାନ୍ତ ପଡ଼ିଥିଲା୤

ଅଭିଯୁକ୍ତର ପରିଚୟ ୩୫ ବର୍ଷୀୟ ସୟଦ୍ ଫରୀଦ ଖାନ ଭାବରେ ହୋଇଥିଲା, ଯେ ବ୍ୟବହୃତ କାର୍ ବିକ୍ରୀ କରୁଥିଲା୤ ସେ ଆସାମର ଅଧିବାସୀ ଥିଲା, କିନ୍ତୁ ମୂଳରୂପରେ ସେ ବଙ୍ଗଳାଦେଶର ନାଗରିକ ଥିଲା୤ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ଅଭିଯୁକ୍ତ ଫେବୃଆରୀ ୨୩ ତାରିଖରେ ଏକ ନାଗା ସମ୍ପ୍ରଦାୟର ବାଳିକା ସହ ଅନେକଥର ଦୁଷ୍କର୍ମ କରିବାପରେ ପୋଲିସ ମାମଲା ହୋଇ ଗିରଫ ହୋଇଥିଲା୤

ଏହିପରି ଏକ ଘଟଣା ସମଗ୍ର ଦେଶରେ ଦୁର୍ଲଭ୤ କୌଣସି ସମୟରେ ଏହିପରି ଅଭିଯୁକ୍ତକୁ ଜେଲରୁ ବାହାରକୁ ନେଇ ମାରିଦେବା ଭଳି ଘଟଣା ଆଜିପର୍ଯ୍ୟନ୍ତ ହୋଇନାହିଁ୤ ଏହା କେଉଁ ପ୍ରକାରର ନ୍ୟାୟ୤ ଏହା ନ୍ୟାୟ ସଙ୍ଗତ କି ?

ଏହି ଘଟଣାରେ ସଂପୃକ୍ତ ହଜାର ହଜାର ଜନତା କାହିଁକି ଏହିପରି ଏକ ପଦକ୍ଷେପ ନେଲେ ? ଏହା ସେମାନଙ୍କର ମାନସିକ ସ୍ଥିତି ଏବଂ ସାମ୍ପ୍ରତିକ ପରିସ୍ଥିତିର ଅନୁଶୀଳନ କରିଲେ ଜଣାପଡ଼ିବ୤ ବଳାତ୍କାର ପରି ଏକ ଘୃଣ୍ୟ କାର୍ଯ୍ୟ କରିଥିବା ଅନେକ ଅଭିଯୁକ୍ତ ବିଭିନ୍ନ କାରାଗାରରେ ବର୍ଷ ବର୍ଷ ଧରି ଦଣ୍ଡ ଭୋଗି ପଡ଼ି ରହୁଛନ୍ତି, ସେମାନଙ୍କ ବିରୋଧରେ କୌଣସି କଠୋର ଦଣ୍ଡବିଧାନ ନ ହେବା ହେତୁ ସେମାନେ ଏବଂ ସେମାନଙ୍କ ପରି ଘୃଣ୍ୟମାନସିକତା ଥିବା ଅନେକ ଲୋକ ଦୁଷ୍କର୍ମ କରିବାକୁ ଭୁଲ ବୋଲି ମାନୁନାହାନ୍ତି୤ ଦୁଇ ବର୍ଷତଳେ ଭାରତର ରାଜଧାନୀ ଦିଲ୍ଲୀ ସହରରେ ହୋଇଥିବା ଚଳନ୍ତା ବସ ଭିତରେ ଗଣଧର୍ଷଣର ଅଭିଯୁକ୍ତମାନେ ଅଦ୍ୟାବଧି ଫାଶୀ ପାଇନାହାନ୍ତି ଏବଂ ସେମାନଙ୍କ ଇଣ୍ଟରଭ୍ୟୁ ବିବିସି ଦ୍ବାରା ବିଶ୍ବସ୍ତରରେ ପ୍ରସାର କରାଯାଇ, ଅପରାଧୀମାନଙ୍କ ଘୃଣ୍ୟମାନସିକତାକୁ ବିଶ୍ବ ଦରବାରରେ ଦେଖାଇବାର ପ୍ରୟାସ ହେଉଛି୤ ତା’ହେଲେ ନିରୀହ ଜନତା ଯଦି ଆଇନକୁ ନିଜ ହାତକୁ ନିଏ ଏବଂ ଏହିପରି ଦୁଷ୍କର୍ମ କରୁଥିବା ଲୋକଙ୍କୁ ସର୍ବସମ୍ମୁଖରେ ଦଣ୍ଡବିଧାନ କରି ମାରିଦିଏ, ତା ହେଲେ କଣ ଦୁଷ୍କର୍ମ କରୁଥିବା ଲୋକଙ୍କ ସଂଖ୍ୟା କମ ହେବ ? ବଳାତ୍କାର ଘଟଣା କମ ହେବ ? ମୃତ୍ୟୁଭୟରେ ଲୋକମାନେ ବଳାତ୍କାର କରିବା ଛାଡ଼ିଦେବେ କି ? ଏହାର କି ପ୍ରଭାବ ହେଉଛି ତାହା ଦେଖିବାକୁ ରହିଲା୤

ଏଠାରେ କହିଦିଏ କି ସୁଦୂର ଇସଲାମୀୟ ରାଷ୍ଟ୍ରରେ ବଳାତ୍କାରପାଇଁ ସର୍ବସମ୍ମୁଖରେ ଗଳାକାଟି ହତ୍ୟା କରିବା ଭଳି ଦଣ୍ଡବିଧାନ ଥିବା ସତ୍ତ୍ବେ ଏହି ପରି ଅପରାଧ କେବେ କମ ହୋଇନାହିଁ୤ ତା ହେଲେ ଭାରତରେ ଏମିତି କ୍ବଚିତ ହେଉଥିବା ଘଟଣାର ପ୍ରଭାବ କେତେ ପଡ଼ିବ ତାହା ସହଜରେ ଅନୁମେୟ୤

Picture Courtesy : Zee News

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ବିଶ୍ବ ମହିଳା ଦିବସ ଉପଲକ୍ଷେ

ବିଶ୍ବ ମହିଳା ଦିବସ ଉପଲକ୍ଷେ

ଏଠାରେ ପଢ଼ନ୍ତୁ !
ପାଞ୍ଚ ଟଙ୍କାରେ ଭାତ ଡାଲମା

ପାଞ୍ଚ ଟଙ୍କାରେ ଭାତ ଡାଲମା

ଏଠାରେ ପଢ଼ନ୍ତୁ !