favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ପାଞ୍ଚ ଟଙ୍କାରେ ଭାତ ଡାଲମା

ପାଞ୍ଚ ଟଙ୍କାରେ ଭାତ ଡାଲମା

ଆମ ମହାଦୟାବାନ ସରକାର ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁ ଯୋଜନାରେ ରାଜ୍ୟର ପାଞ୍ଚଟି ପ୍ରମୁଖ ସହରରେ ସ୍ବଳ୍ପ ଖର୍ଚରେ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯିବ୤ ଏହି ସବୁ ସ୍ଥାନରେ ମାତ୍ର ପାଞ୍ଚ ଟଙ୍କାରେ ଭାତ ଓ ଡାଲମା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି୤ ଏହା ହୁଏତ ସେ ସୁଦୂର ତାମିଲନାଡ଼ୁରେ ପ୍ରଚଳିତ ଆମ୍ମା କେଣ୍ଟିନ୍ ଢାଞ୍ଚାରେ କରିବା କଥା ଚିନ୍ତା କରିଥାଇ ପାରନ୍ତି ବୋଲି ଅନୁମାନ୤ ସେ ଯା ହେଉ ତାମିଲନାଡୁ ରାଜ୍ୟର ଅନେକ ସ୍ଥାନରେ ଆମ୍ମା କ୍ୟାଣ୍ଟିନ ନାମରେ ସଂସ୍ଥାମାନ ଖୋଲାଯାଇ ଗରୀବ ମାନଙ୍କୁ ସ୍ବଳ୍ପ ଖର୍ଚ୍ଚରେ ଖାଦ୍ୟ ଯୋଗାଇ ଦିଆଯାଉଛି୤ ଏହା ଦ୍ବାରା ଅନେକ ଲୋକ ଲାଭାନ୍ବିତ ହୋଇଛନ୍ତି ଏବଂ ହେଉଛନ୍ତି ମଧ୍ୟ୤ ଯଦିଓ ଏହି ସବୁ ସଂସ୍ଥା ଗରୀବ ମାନଙ୍କ ପାଇଁ କରାଯାଇଛି, ତଥାପି ଆର୍ଥିକ ଭାବରେ ସ୍ବଚ୍ଛଳ ମଧ୍ୟମବର୍ଗର ଲୋକମାନେ ମଧ୍ୟ ଏହି ସବୁ ସ୍ଥାନରୁ ଖାଦ୍ୟ ଗ୍ରହଣ କରୁଥିବା କଥା ବିଭିନ୍ନ ସମୟରେ ଗଣମାଧ୍ୟମର ଶୀରୋନାମା ମଣ୍ଡନ କରିଛି୤



ବର୍ତ୍ତମାନ ଆମ ରାଜ୍ୟ ଓଡ଼ିଶାରେ ଏହିପରି ବ୍ୟବସ୍ଥା କରି ସରକାର ସହରାଞ୍ଚଳରେ ରହୁଥିବା ଗରୀବମାନଙ୍କୁ ସେବା ଯୋଗାଇଦେବାର ଲକ୍ଷ୍ୟ ରଖିଥାଇ ପାରନ୍ତି ବୋଲି ଆମେ ଅନୁମାନ କରୁ୤ ଅବଶ୍ୟ ଏହା ପୂର୍ବରୁ ଆମ ରାଜ୍ୟରେ ଏକ ଟଙ୍କାରେ କିଲେ ଚାଉଳ ଯୋଗାଇବା ଯୋଜନା ଚାଲିଛି ଏବଂ ଏଥିରେ ଅନେକ ହିତାଧିକାରୀ ଲାଭାନ୍ବିତ ହେଉଥିବା କଥା ସରକାର ଉଲ୍ଲେଖ କରି ଆସୁଛନ୍ତି୤ ଅନେକ ବୁଦ୍ଧିଜୀବି ଏହି ମତ ଦେଇଛନ୍ତି ଯେ କେବଳ ଏହି ଟଙ୍କିକିଆ ଚାଉଳ ହେତୁ ଆମ ରାଜ୍ୟରେ ବିଜୁ ଜନତା ଦଳ ନିଜର ପତିଆରା ହାସିଲ କରିପାରିଛି୤ ଏବେ ପ୍ରଶ୍ନ ଉଠୁଛି ଏମିତି ଏକ ଯୋଜନାର ଆବଶ୍ୟକତା କଣ ରହିଛି ? ଆବଶ୍ୟକତା ଅବଶ୍ୟ ରହିଛି୤ ଗ୍ରାମାଞ୍ଚଳରୁ ଯୁବକ ଯୁବତୀ ସମେତ ଅନେକ ଲୋକ ଜୀବିକା ସନ୍ଧାନରେ ପ୍ରତିଦିନ ସହରାଭିମୁଖୀ ହେଉଛନ୍ତି୤ ଏହି ସବୁ ଲୋକ ସହରରେ ଆସି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ବେଳେ ଅନେକ ଲୋକ ଦୁଇ ଓଳି ଖାଇବାକୁ ମଧ୍ୟ ପାଉନଥିବା କଥା ସମସ୍ତେ ଉଣା ଅଧିକେ ଜାଣିଥିବେ୤ ବୋଧହୁଏ ସରକାର ସେଇମାନଙ୍କୁ ଆଖି ଆଗରେ ରଖି ଏହି ଯୋଜନା କଥା ଚିନ୍ତା କରିଥିବେ୤ କିମ୍ବା ସହରାଞ୍ଚଳର ଭୋଟର ମାନଙ୍କୁ ବିଜେଡ଼ିର ସମର୍ଥନ ପାଇଁ ଏହା ଏକ ଯୋଜନା ବି ହୋଇପାରେ୤

ଏହା ଦ୍ବାରା ଲାଭବାନ ହେବେ ଅନେକ୤ ବେସାହାରା, ଦୁଃଖୀ, ମୁଲିଆ ଓ ଖଟିଖିଆ ଶ୍ରେଣୀର ଲୋକମାନେ ଏହି ଯୋଜନା ଦ୍ବାରା ଲାଭାନ୍ବିତ ହୋଇପାରିବେ୤ ଏବଂ କିଛି ଚାକିରୀଆ ଏବଂ ସ୍ବଚ୍ଛଳ ବର୍ଗର ଲୋକମଧ୍ୟ ଏହା ଫଳରେ ଲାଭାନ୍ବିତ ହୋଇପାରନ୍ତି ବୋଲି ଆମେ ଅନୁମାନ କରୁ୤ ଏହିପରି ଉଦାହରଣ ଚେନ୍ନାଇ ସହରରେ ଥିବା ଆମ୍ମା କ୍ୟାଣ୍ଟିନର ପ୍ରସିଦ୍ଧିରୁ ଜଣାପଡ଼େ୤ ଏହି ସବୁ କ୍ୟାଣ୍ଟିନରେ ମାତ୍ର ୧ ଟଙ୍କାରେ ଇଡ଼ଲି, ୫ ଟଙ୍କାରେ ସାମ୍ବାରଭାତ, ୩ ଟଙ୍କାରେ ଦହିଭାତ ପରି ଜିନିଷ ମିଳିବା ଦ୍ବାରା ଏହା ଖୁବ୍ ଶୀଘ୍ର ଜନପ୍ରିୟ ହୋଇପାରିଲା୤ କିନ୍ତୁ ଏହି ସବୁ ଦ୍ବାରା ଅନେକ ଅସୁବିଧା ମଧ୍ୟ ହୋଇଛି୤ ବିଶେଷତଃ ଏକ ଟଙ୍କାରେ ଇଡ଼ଲି ଦେଉଥିବା ସରକାର ପ୍ରତି ଇଡ଼ଲି ପାଇଁ ୨ ଟଙ୍କା ୬୪ ପଇସା ସବସିଡ଼ି ଦେଉଛନ୍ତି, ସେମିତି ସମ୍ବାରଭାତ ପାଇଁ ୯ ଟଙ୍କା ୭୩ ପଇସା, ଦହିଭାତ ପାଇଁ ୪ ଟଙ୍କା ୪୪ ପଇସା ସବସିଡ଼ି ଦେଉଛନ୍ତି, ଏହା ଦ୍ବାରା ରାଜସ୍ବ କ୍ଷତି ଘଟୁଛି୤ ଯାହା ଆମ ରାଜ୍ୟର ଦୁର୍ବଳ ଅର୍ଥନୀତି ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ୤ ଏବେ ଟଙ୍କିକିଆ ଚାଉଳ ପାଇଁ ଆମ ରାଜ୍ୟ ଅର୍ଥନୀତିକ ଦୃଷ୍ଟିରୁ ଦୁର୍ବଳ ହୋଇ ଆସୁଥିବା ବେଳେ ପୁଣିଥରେ ଏକ ଯୋଜନା ହେତୁ ଆର୍ଥିକ କ୍ଷତିର ପରିମାଣ ବହୁତ ବଢ଼ିଯାଇପାରେ୤



ଏହି ଯୋଜନା ଦ୍ବାରା ଗରିବ ଓ ଖଟିଖିଆ ମାନେ ଲାଭବାନ ହେଉଥିବା ବେଳେ ଏହା ଫଳରେ ଠେଲାଗାଡ଼ିରେ କିମ୍ବା ରାସ୍ତା କଡ଼ରେ ଦୋକାନ କରି ଜଳଖିଆ ଓ ଖାଦ୍ୟ ବିକ୍ରିକରୁଥିବା ଲୋକମାନେ ନିଶ୍ଚୟଭାବେ କ୍ଷତିଗ୍ରସ୍ତ ହେବେ୤ ଶସ୍ତାରେ ଖାଇବା ମିଳିଲେ କାହିଁକି କିଏ ଅଧିକ ଦାମ ଦେଇ ଖାଇବାକୁ ଯିବ ? ଏହା ଦ୍ବାରା ଆହୁରି ଅନେକ ବେରୋଜଗାରୀ ଓ ଗରୀବି ବଢ଼ିବ ବୋଲି ଅନେକ ମତ ଦିଅନ୍ତି୤

ଆମ ରାଜ୍ୟରେ ଅଧିକାଂଶ ଲୋକଙ୍କୁ ସରକାରଙ୍କ ଠାରୁ ଶସ୍ତା ଦରରେ ଚାଉଳ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପଦାର୍ଥ ମିଳୁଛି୤ ବିପିଏଲ୍ ପରିବାର ମାନଙ୍କୁ ମାତ୍ର ଏକ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି, ତା ହେଲେ ପୁଣିଥରେ ମାଗଣାରେ ରୋଷେଇ ହୋଇଥିବା ଖାଦ୍ୟ ଦିଆଯିବାର ଯଥାର୍ଥତା କଣ ? ଏହା ଫଳରେ ଲୋକମାନେ କୌଣସି ବୃତ୍ତି ବା ଜୀବିକା କରିବାପାଇଁ ଇଚ୍ଛା ପ୍ରକାଶ କରିବେ ନାହିଁ୤ ସ୍ବଳ୍ପ ଖର୍ଚ୍ଚରେ ଖାଇବାକୁ ପାଇଲେ ପାଉଥିବା ଚାଉଳକୁ ସେମାନେ ବିକ୍ରୀ କରିଦେଇ ମାସିକ ଖାଇବା ଖର୍ଚ୍ଚ ପାଇପାରିବେ୤ ଅନେକ ହୁଏତ ବଳକା ପଇସାକୁ ନେଇ ମଦ ସିଗାରେଟ୍ କରି କୁଅଭ୍ୟାସ ପାଇଁ ଖର୍ଚ୍ଚ କରିବେ୤ ସେମିତିରେ ବି ଘର ପାଇଁ ନିଃଶୁଳ୍କ ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନାରେ ବିଦ୍ୟୁତ ମିଳୁଛି୤ ପିଲାମାନଙ୍କ ପାଠପଢ଼ା ପାଇଁ ମାଗଣା ସ୍କୁଲ୍ ଏବଂ ମଧ୍ୟାହ୍ନ ଭୋଜନ ଅଛି୤ ଝିଅମାନଙ୍କୁ ସାଇକେଲ୍ ମିଳୁଛି୤ ରେସନ୍ କାର୍ଡ଼ରେ ସବସିଡ଼ିରେ ଚିନି, କିରୋସିନି ସବୁ ମିଳୁଛି୤ ତେଣୁ ଯେଉଁମାନେ ନିଜକୁ ଗରୀବ ବୋଲି ପ୍ରମାଣିତ କରିପାରିଲେ ସେମାନେ ସବୁ ପ୍ରକାର ସୁବିଧା ସରକାରଙ୍କ ପାଖରେ ପାଇ ପାରିବେ୤ ଆଉ ସେମାନଙ୍କୁ କର୍ମକୋଢ଼ିଆ କରିବାରେ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି ଏଥିରେ ଦ୍ବିମତ ନାହିଁ୤ ବର୍ତ୍ତମାନ ବିଲରେ ହଳ କରିବା, ଧାନ ରୋଇବା ପାଇଁ ଚାଷୀଙ୍କ ଅଭାବ ଦେଖା ଦେଲାଣି, ଘର ତିଆରି ହେଉ ବା ଅନ୍ୟ ଯେ କୌଣସି କାମ ହେଉ, ସବୁ କ୍ଷେତ୍ରରେ କୁଶଳୀ କାରିଗରଙ୍କ ଅଭାବ ଦେଖାଦେଲାଣି୤ କାରଣ ସେମାନେ ଆଉ କାମ କରିବାକୁ ଇଚ୍ଛା କରୁନାହାନ୍ତି୤ ପୁଣି ଥରେ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇଦେଲେ ସେମାନେ ଆଉ ଯାହା ବି କାମ କରୁଥିଲେ ସେତିକି ବି କରିବେନି୤ ଆଉ ଏଇ ସବୁ ଖର୍ଚ୍ଚ ସେମାନେ ଦେବେ ଯେଉଁମାନେ ଦିନରାତି ପରିଶ୍ରମ କରି ପାଠପଢ଼ି ଚାକିରୀ କରନ୍ତି୤ ସେମାନଙ୍କ ଟାକ୍ସ ପଇସାରେ ନିଜକୁ ଗରୀବ କୁହାଉଥିବା କିଛି କର୍ମକୋଢ଼ିଆ ଲୋକ ଲାଭାନ୍ବିତ ହେବେ୤ ସମାଜରେ ଏହାକୁ ହିଁ ସାମ୍ୟ ଚିନ୍ତାଧାର ବୋଲି କୁହାଯାଇପାରେ, ନା କଣ ??? ମଧ୍ୟମବର୍ଗର ଜଣେ ଲୋକ ନିଜ ପରିଶ୍ରମରେ ଆୟ କରୁଥିବା ରାଶିରୁ କିଛି ସରକାରଙ୍କୁ କର/ଟାକ୍ସ ଆକାରରେ ଦାନ କରେ ଆଉ ସରକାର ସେଇ ଅର୍ଥକୁ ନେଇ ସେହିମାନଙ୍କ ଉପରେ ବ୍ୟବହାର କରନ୍ତି, ଯେଉଁମାନେ କିଛି କରନ୍ତି ନାହିଁ୤ ଏହା ଦେଖିଲେ କୌଣସି ବ୍ୟକ୍ତି କେମିତି ସହିବ ?

ଦେଖାଯାଉ ଏହା ଦ୍ବାରା ରାଜ୍ୟର କେଉଁ ପ୍ରକାର ଉନ୍ନତି ହେଉଛି, କିମ୍ବା ଏହାକୁ କେନ୍ଦ୍ରକରି କେଉଁ ସବୁ ଦୁର୍ନୀତି ଜନ୍ମ ନେଉଛି୤ ଯାହା ବି ହେଉ ପୁଣିଥରେ ମଧ୍ୟମବର୍ଗଙ୍କ ଉପରେ ଟାକ୍ସର ବୋଝ ଲଦି ନ ଦିଆଯାଉ୤

Picture courtesy : Google Image search, AFP, Nytimes.com, Davidicke.com

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଏହା କେଉଁ ପ୍ରକାରର ନ୍ୟାୟ ???

ଏହା କେଉଁ ପ୍ରକାରର ନ୍ୟାୟ ???

ଏଠାରେ ପଢ଼ନ୍ତୁ !
ଆସ ଖେଳିବା ସୁରକ୍ଷିତ ହୋଲି

ଆସ ଖେଳିବା ସୁରକ୍ଷିତ ହୋଲି

ଏଠାରେ ପଢ଼ନ୍ତୁ !