favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆସ ଖେଳିବା ସୁରକ୍ଷିତ ହୋଲି

ଆସ ଖେଳିବା ସୁରକ୍ଷିତ ହୋଲି

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ଫାଲ୍‌ଗୁନ ମାସର ବିଶେଷ ପର୍ବ ହୋଲି ବର୍ତ୍ତମାନ ଆଗତପ୍ରାୟ୤ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ହୋଲି ପର୍ବକୁ ବହୁତ ଧୁମଧାମରେ ପାଳନ ପାଇଁ ସମସ୍ତେ ଯୋଜନା କରିବେଣି୤ ହୋଲି ଏକ ଅଦ୍‌ଭୁତ ପର୍ବ, ଯେଉଁଥିରେ ପରସ୍ପର ଉପରେ ଫଗୁ / ରଙ୍ଗ ଲଗାଇ ଆନନ୍ଦ ପାଳନ କରାଯାଏ୤ ଏହା ସାମାଜିକ ଭାତୃତ୍ବର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ୤ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଆନନ୍ଦ ସହକାରେ ପାଳନ କରନ୍ତି୤ ବିଗତ ଅନେକ ବର୍ଷରେ ଏହି ପର୍ବ ଦେଶରେ ବ୍ୟାପାର କ୍ଷେତ୍ରରେ ମଧ୍ୟ ଆନନ୍ଦ ଆଣି ଦେଇଛି, ଦିନକୁ ଦିନ ନୂଆ ନୂଆ ରଙ୍ଗ ଓ ବିଭିନ୍ନ ଆନୁସଙ୍ଗିକ ପଦାର୍ଥର ଉପସ୍ଥାପନା କରି କମ୍ପାନୀମାନେ ଖାଉଟି ମାନଙ୍କୁ ଲୋଭେଇବାରେ ଲାଗିଛନ୍ତି୤ ଅତୀତର ହୋଲି ଆଉ ବର୍ତ୍ତମାନର ହୋଲିରେ ଯଦି କିଛି ବଦଳିଛି ତା ହେଲେ ତାହା ହେଉଛି କୃତ୍ରିମ ରଙ୍ଗର ଉପସ୍ଥିତି୤ ଏଇ ସବୁ ରଙ୍ଗ ଆମ ପାଇଁ ହାନିକାରକ ହୋଇପାରେ୤ ହୋଲି ଯଦିଓ ଏକ ଆନନ୍ଦର ପର୍ବ, କିନ୍ତୁ ଅସାବଧାନତା ଦ୍ବାରା ଏହା ଦୁଃଖରେ ପରିଣତ ହୋଇପାରେ୤ ତା ହେଲେ କେମିତି ପାଳିବା ହୋଲି, ଯାହା ସୁରକ୍ଷିତ ଏବଂ ଆନନ୍ଦ ଦାୟକ ହୋଇଥିବ୤
Happy Holi
ହୋଲି ପାଳନ ପୂର୍ବରୁ କଣ କରିବେ ?

୧. ଶରୀରରେ ବହୁତ ମାତ୍ରାରେ ମଶ୍ଚରାଇଜର ଲଗାନ୍ତୁ୤
୨. କେଶରେ ନଡ଼ିଆ ତେଲ କିମ୍ବା ଅଲିଭ୍ ତେଲ ଲଗାଇଲେ ରଙ୍ଗ ଧରେ ନାହିଁ୤
୩. ମୁହଁରେ ଅଧିକ ମାତ୍ରାରେ ସନସ୍କ୍ରିନ୍ ଲୋସନ ବ୍ୟବହାର କରନ୍ତୁ୤
୪. ଦେହକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼େଇ ରଖିବା ଭଳି ଲମ୍ବା ପୋଷାକ ପିନ୍ଧନ୍ତୁ ଯାହା ଦ୍ବାରା ଶରୀରର ସମ୍ବେଦନଶୀଳ ଅଙ୍ଗରେ ରଙ୍ଗ ଲାଗିବ ନାହିଁ୤
୫. ହୋଲି ଖେଳିବା ପୂର୍ବରୁ ଯଦି ଶରୀରର କୌଣସି ଅଙ୍ଗରେ ବିଗତ ହୋଲିରେ କୌଣସି ପ୍ରକାର ରସାୟନିକ ପ୍ରତିକ୍ରିୟା ଦେଖାଦେଇଥାଏ, ତେବେ ସେଇ ସ୍ଥାନରେ ଆଣ୍ଟିସେପ୍ଟିକ୍ କ୍ରିମ୍ କିମ୍ବା କାଲାମିନ୍ ଲୋସନ୍ ବ୍ୟବହାର କରନ୍ତୁ୤
୬. ଯଥା ସମ୍ଭବ ପୁରୁଣା ଏବଂ ଅନାବଶ୍ୟକ ପୋଷାକ ବ୍ୟବହାର କରନ୍ତୁ, ଯାହା ହୋଲି ଖେଳିବା ପରେ ଆପଣ ଚାହିଁଲେ ଫୋପାଡ଼ି ଦେଇ ପାରିବେ୤
୭. ଆଖିରେ କୌଣସି ରଙ୍ଗ ନ ପଡ଼ିବା ପାଇଁ ଚଷମା ବ୍ୟବହାର କରିବା ନିତାନ୍ତ ଜରୁରୀ୤
୮. କେବଳ ପ୍ରାକୃତିକ ରଙ୍ଗ ହିଁ ବଜାରରୁ କିଣି ଆଣନ୍ତୁ୤ ଯଦି ତାହା ଉପଲବ୍‌ଧ ନଥାଏ, ତେବେ ସବୁଠାରୁ ସୁରକ୍ଷିତ ରଙ୍ଗ ହିଁ କିଣି ଆଣନ୍ତୁ୤



ହୋଲି ଖେଳୁଥିବା ସମୟରେ ସାବଧାନତା :-
୧. କେବଳ ପ୍ରାକୃତିକ / ଅର୍ଗାନିକ୍ ରଙ୍ଗ ହିଁ ବ୍ୟବହାର କରନ୍ତୁ ଏବଂ ଅନ୍ୟମାନେ କରିବାପାଇଁ ପ୍ରୋତ୍ସାହନ ଦିଅନ୍ତୁ୤
୨. ହୋଲି ପର୍ବ ସମୟରେ ଖରାଦିନିଆ ପାଗ ରହେ, ତେଣୁ ନିଜକୁ ସତେଜ ରଖିବା ପାଇଁ ଅଧିକ ପରିମାଣର ପାଣି ପିଅନ୍ତୁ୤
୩. ମଦ ଏବଂ ନିଶା ଦ୍ରବ୍ୟ ସେବନ କରିବା ଦ୍ବାରା ଶାରିରୀକ ଜଳୀୟାଂଶର ଅନୁପାତ କମ ହୋଇପାରେ ଏବଂ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ, ତେଣୁ ଏହି ସବୁ ପଦାର୍ଥ ସେବନ କରନ୍ତୁ ନାହିଁ୤
୪. ଯଦି ହୋଲି ଖେଳୁଥିବା ବେଳେ କୌଣସି ରଙ୍ଗ ଲାଗିଗଲେ ଚର୍ମରେ ଜ୍ବଳନ ହୁଏ ତେବେ ତୁରନ୍ତ ତାହାକୁ ବହୁତ ପରିମାଣର ପାଣିରେ ଧୋଇ ଦିଅନ୍ତୁ, କିମ୍ବା ସାବୁନ ଦ୍ବାରା ଧୋଇଦିଅନ୍ତୁ୤
୫. ମୁଣ୍ଡଫଟା ରଙ୍ଗ / ଅଳତା ଶ୍ରେଣୀର ଗାଢ଼ ରଙ୍ଗ ବ୍ୟବହାର କରନ୍ତୁ ନାହିଁ କିମ୍ବା କାହାକୁ କରିବାକୁ ଦିଅନ୍ତୁ ନାହିଁ୤
୬. ଆଜିକାଲି ମିଳୁଥିବା କୃତ୍ରିମ ରଙ୍ଗମାନଙ୍କରେ ଲେଡ୍ ଅକ୍ସାଇଡ଼୍, ଇଞ୍ଜିନ୍ ଅଏଲ୍, ଡିଜେଲ୍, କପର୍ ସଲ୍‌ଫେଟ୍ ଆଦି ପଦାର୍ଥ ମିଶିଥାଏ, ଯାହା ଶରୀର ପାଇଁ କ୍ଷତିକାରକ୤ ତେଣୁ ସେହିପରି ରଙ୍ଗ ବ୍ୟବହାର କରନ୍ତୁ ନାହିଁ୤
୭. ହୋଲି ସମୟରେ ମିଠା ଖୁଆଇବାର ପ୍ରଥା ରହିଛି, ହୋଲି ପାଇଁ ପ୍ରସ୍ତୁତ ହୋଇଥିବା ମିଠାରେ ଅନେକ ପ୍ରକାର ମିଳାମିଶା ହୋଇଥାଏ, ତେଣୁ ନିର୍ଭରଯୋଗ୍ୟ ପ୍ରତିଷ୍ଠାନରୁ ହିଁ ମିଠା କିଣନ୍ତୁ୤
୮. ହୋଲି ଖେଳୁଥିବା ସମୟରେ ଯଦି ରଙ୍ଗ ଆଖିରେ ପଶିଯାଏ, ତେବେ ତୁରନ୍ତ ତାହାକୁ ସଫା ପାଣିରେ ବାରମ୍ବାର ଧୋଇ ଦିଅନ୍ତୁ୤
୯. କଳା ଏବଂ ଚିକିଟା ରଙ୍ଗ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଦୂରରେ ରହନ୍ତୁ୤
୧୦. ହୋଲି ସମୟରେ ଭାଙ୍ଗ ମିଶ୍ରିତ ପଣା ପିଇବାର ପ୍ରଥା ମଧ୍ୟ ରହିଛି, ତେଣୁ କେହି ବନ୍ଧୁ ଦେଉଥିବା ପାନୀୟକୁ ନିସନ୍ଦେହ ପିଇଦିଅନ୍ତୁ ନାହିଁ୤ କାରଣ ଭାଙ୍ଗ ପିଇଦେବା ପରେ ଆପଣ ଚେତାଶୂନ୍ୟ ହୋଇପାରନ୍ତି୤



ହୋଲି ଖେଳ ସରିବାପରେ କଣ କରିବା :-
୧. ଦେହରେ ଲାଗିଥିବା ରଙ୍ଗକୁ ଝାଡ଼ି ସଫା କରିବା୤
୨. ନଖ ଉଷୁମ ପାଣିରେ ଗାଧୋଇବା ଦ୍ବାରା ସହଜରେ ରଙ୍ଗ ଛାଡ଼ିଯାଏ୤
୩. ସାମ୍ପୁ ବ୍ୟବହାର କରି କେଶରେ ଲାଗିଥିବ ରଙ୍ଗକୁ ସଫାକରିବା୤
୪. ସାମ୍ପୁ ବ୍ୟବହାର କରିବା ପରେ ହେୟାର୍ କଣ୍ଡିସନର ବ୍ୟବହାର କଲେ କେଶ ସଫା ରହେ୤
୫. ଅଧିକ ପାଣି ବ୍ୟବହାର କରି ଭଲକରି ଗାଧୋଇବା ଦରକାର୤
୬. ବେସନରେ ଦହି ଏବଂ ହଳଦୀ ମିଶାଇ ଗାଧୋଇଲେ ଦେହରେ ଲାଗିଥିବା ରଙ୍ଗ ଛାଡ଼ିଯାଏ୤
୭. ଯଦି ତଥାପି କୌଣସି ରଙ୍ଗ ଛାଡ଼େନାହିଁ, ତେବେ ତାହାର ପ୍ରକାର ଏବଂ କେମିତି ଛାଡ଼ିବ ସେ ବିଷୟରେ ବିଶେଷ ସୂଚନା ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ୤
୮. ଯଦି ଶରୀରର କୌଣସି ସ୍ଥାନରେ ଜ୍ବଳନ ହୁଏ, କିମ୍ବା ଲାଲ୍ ପଡ଼ିଯାଏ, ତା ହେଲେ ତୁରନ୍ତ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ୤


ଉପରୋକ୍ତ ସମସ୍ତ ସାବଧାନତା ଅବଲମ୍ବନ କଲେ ଆପଣଙ୍କ ହୋଲି ସୁରକ୍ଷିତ ଓ ଆନନ୍ଦମୟ ହୋଇପାରିବ୤ ଆପଣଙ୍କୁ ହୋଲି ପର୍ବର ଅନେକ ଅଭିନନ୍ଦନ୤


ସହକାରୀ ଅଧ୍ୟାପକ,
ରୋଲାଣ୍ଡ ଫାର୍ମାସୀ କଲେଜ,
ବ୍ରହ୍ମପୁର, ୭୬୦୦୧୦
ଫୋନ୍ : ୯୦୪୦୯୮୫୪୬୩

Picture courtesy : Google Image search and Various websites.

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପାଞ୍ଚ ଟଙ୍କାରେ ଭାତ ଡାଲମା

ପାଞ୍ଚ ଟଙ୍କାରେ ଭାତ ଡାଲମା

ଏଠାରେ ପଢ଼ନ୍ତୁ !
ସମ୍ବଲପୁର : ହେପାଟାଇଟିସ୍ ଏ ଏବଂ ଜଣ୍ଡିସ

ସମ୍ବଲପୁର : ହେପାଟାଇଟିସ୍ ଏ ଏବଂ ଜଣ୍ଡିସ

ଏଠାରେ ପଢ଼ନ୍ତୁ !