favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଲାଫ୍‌ଟର କ୍ଲବ୍ (ହାସ୍ୟଥେରାପି କ୍ଲବ୍‌)

ଲାଫ୍‌ଟର କ୍ଲବ୍ (ହାସ୍ୟଥେରାପି କ୍ଲବ୍‌)

ହାସ୍ୟ ଥେରାପୀ ବା ଚିକିତ୍ସା ପ୍ରଣାଳୀ ଅତ୍ୟନ୍ତ ସରଳ ବିଗତ ଦୁଇ ସଂସ୍କରଣରେ ଆମେ ହାସ୍ୟ ଥେରାପି ତଥା ହସର ଆମ ଜୀବନ ଉପରେ ପ୍ରଭାବ ବିଷୟରେ ପଢ଼ିଲେ, ଚଳିତ ସଂସ୍କରଣରେ ଆମେ ଜାଣିବା, ହାସ୍ୟ ଥେରାପି ବା ଚିକିତ୍ସା କେଉଁ ଉପାୟରେ ଆମେ ନେଇ ପାରିବା ଏବଂ ସେଥିରୁ ଲାଭ ପାଇ ପାରିବା୤

ପ୍ରତିଦିନ ସକାଳ ସାଢ଼େ ପାଞ୍ଚଟାରୁ ଛଅଟା ଭିତରେ ଯଦି କେହି ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ଖେଳପଡ଼ିଆ କିମ୍ବା ଭୁବନେଶ୍ବର, କଟକ, ରାଉରକେଲାର ଖେଳ ପଡ଼ିଆ ଆଦି ଅଞ୍ଚଳକୁ ବୁଲିଯିବ ଦେଖିବ କିଛି ମଧ୍ୟବୟସ୍କ ଏବଂ ପରିଣତ ବୟସରେ ଉପନୀତ ଲୋକ ଏକାଠି ଠିଆ ହୋଇ ବଡ଼ ଜୋର ଜୋରରେ ହସୁଛନ୍ତି୤ ଏହା ଦିନକର କଥା ନୁହେଁ, ବର୍ଷତମାମ ଏହା ଦେଖିବାକୁ ମିଳିବ୤ ଆଉ ଟିକେ ପାଖକୁ ଯାଇ ଦେଖିବ ତ ଜାଣିବ ସବୁ ଲୋକ ଏକ ବୃତ୍ତାକାର ଅଞ୍ଚଳରେ ଠିଆହୋଇଛନ୍ତି ଆଉ ପରସ୍ପରକୁ ଚାହିଁ ବିଭିନ୍ନ ପ୍ରକାର କୃତ୍ରିମ ଓ ବେଳେ ବେଳେ ବିକଟାଳ ହସ ହସୁଛନ୍ତି୤ ସେଇ ହସ ମଧ୍ୟରେ ବେଳେ ବେଳେ ଧିରସ୍ବରରେ ହସ ଥାଏ ତ କେତେବେଳେ ବହୁତ ଉଚ୍ଚସ୍ବରରେ ହସ ବି ଥାଏ୤ ସେମାନେ ମାନସିକ ଭାବରେ ବିକୃତ ନୁହନ୍ତି, ବରଂ ଅନେକ ମାନସିକ ଚାପଗ୍ରସ୍ତ ଲୋକଙ୍କଠାରୁ ବହୁତ ଅଧିକ ଖୁସିରେ ରହୁଥିବା କିଛି ଲୋକ୤ ସେମାନେ ଜୀବନର ସମସ୍ତ ଚିନ୍ତା, ରୋଗ ଆଦିକୁ ଏଇମିତି ପ୍ରତିଦିନ କିଛି ମୁହୂର୍ତ୍ତ ହସର ସାହାଯ୍ୟ ନେଇ ଦୂରେଇ ପାରିଛନ୍ତି୤ ସେମାନେ ସବୁ ଲାଫ୍‌ଟର କ୍ଲବ୍‌ର ସଦସ୍ୟ୤

ଲାଫ୍‌ଟର କ୍ଲବ୍ ବା ହାସ୍ୟ କ୍ଲବ କୌଣସି ଆନୁଷ୍ଠାନିକ ସଂଗଠନ ନୁହେଁ, ଏହା ସମାନ ଚିନ୍ତାଧାରା ରଖୁଥିବା କିଛି ଲୋକଙ୍କ ଏକ ଗୋଷ୍ଠୀ୤ ଏହି କ୍ଲବର କୌଣସି ଆନ୍ତର୍ଜାତିକ କିମ୍ବା ଜାତୀୟ ସ୍ତରରେ ପ୍ରମାଣନ ସଂସ୍ଥାନ ନାହାନ୍ତି, ଯେ କେହି ଚାହିଁଲେ ଏଇମିତି ଏକ ଗୋଷ୍ଠୀ ଆୟୋଜନ କରିପାରିବ୤ ପ୍ରତିଦିନ ମାତ୍ର କେଇ କ୍ଷଣ ହସ ହସି ଯଦି ଶାରୀରିକ ଓ ମାନସିକ ସ୍ତରରେ ଆମେ ନିରୋଗ ଅନୁଭବ କରୁ, ତାହେଲେ ଏହିପରି କରିବା ନିଶ୍ଚୟ ଭାବେ ହିତକର୤ ଏହି କ୍ଲବ୍ ପାଇଁ କୌଣସି ଚାନ୍ଦାଭେଦା ନାହିଁ, ଯେକୌଣସି ବ୍ୟକ୍ତି ସ୍ବେଚ୍ଛାରେ ଏହି କ୍ଲବରେ ଯୋଗଦାନ ଦେଇପାରିବ୤

ଲାଫ୍‌ଟର କ୍ଲବରେ ଦୈନିକ ୩୦-୪୫ ମିନିଟ୍ ପାଇଁ ସମସ୍ତେ ଏକତ୍ରିତ ହୁଅନ୍ତି ଏବଂ ହସନ୍ତି୤ ଏଥିରେ ଯୋଗଦେବା ପାଇଁ ଆବଶ୍ୟକ କେବଳ ହସ ଓ କିଛି ପାଣି୤ ଏହିପରି ଏକ କ୍ଲବର ସଦସ୍ୟ ହେବାଦ୍ବାରା ଆପଣ ନିୟମିତ ଭାବରେ ହସିବେ ଏବଂ ପ୍ରତିଦିନ ବିନା କାରଣରେ ହସୁ ହସୁ ଆପଣଙ୍କ ଦେହରେ ଓ ମନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ୤ ବିଜ୍ଞାନ ପରୀକ୍ଷଣରୁ ଏହା ଜଣାଯାଇଛି ଯେ ଏକା ଏକା ବସି ହସିବା ଅପେକ୍ଷା ଦଳଗତ ଭାବରେ ହସିବା ୩୦ ଗୁଣ ସହଜ୤ ଅର୍ଥାତ ଆପଣ ଏକା ବସି ଟିଭି ଦେଖୁଥିବା ବେଳେ କିମ୍ବା ସିନେମା ଦେଖୁଥିବା ବେଳେ ହସିପାରନ୍ତି, କିନ୍ତୁ ସେହିପ୍ରକାରର ହସରେ ଆପଣଙ୍କ ଶାରିରୀକ ବ୍ୟାୟାମ କିଛି ହୁଏନାହିଁ୤ ଅଥଚ ଦୈନିକ ପ୍ରାତଃ କାଳରେ କିଛି ସମୟ ସମ୍ମିଳିତ ଭାବରେ ହସିବା ଦ୍ବାରା ଶରୀରର ରକ୍ତ ସଂଚାଳନ ବଢ଼ିଥାଏ୤ ଏବଂ ମାନସିକ ସ୍ବାସ୍ଥ୍ୟ ଉନ୍ନତି ହୁଏ୤

ଯେଉଁମାନେ ହାସ୍ୟ କ୍ଲବର ସଦସ୍ୟ ସେମାନଙ୍କୁ ପଚାରି ବୁଝନ୍ତୁ ସେମାନେ କହିବେ ଏହା ଦ୍ବାରା ଅନେକ ଲାଭ ହୋଇଥାଏ୤ ବ୍ରହ୍ମପୁରରେ ଖଲ୍ଲିକୋଟ୍ କଲେକ ଷ୍ଟାଡ଼ିୟମରେ ପ୍ରତିଦିନ ଏକତ୍ରିତ ହୋଇ ହସୁଥିବା ଅନେକ ବୟସ୍କ ବ୍ୟକ୍ତି ମତ ଦେଇଛନ୍ତି ଯେ ଏହା ଦ୍ବାରା ବ୍ୟକ୍ତିଗତ ଉନ୍ନତି ହେବା ସହ ମାନସିକ ଚାପ କମ ହେଉଛି, ଏବଂ ଅନେକ ମତ ଦିଅନ୍ତି ଯେ ପରିଣତ ବୟସରେ ପାରିବାରିକ ଚାପକୁ କମ କରିବାପାଇଁ ଏହା ମହୌଷଧି ପରି କାମ ଦିଏ୤ ସାଧାରଣତଃ ଲାଫ୍‌ଟର କ୍ଲବରେ ଯୋଗଦେଲେ ହେଉଥିବା ଲାଭ ଗୁଡ଼ିକୁ ଯଦି ତାଲିକାଭୂକ୍ତ କରିବା ତା’ହେଲେ ଦେଖିବା;

୧. ପରସ୍ପର ସହିତ ଯୋଗାଯୋଗ କରିବାର (କମ୍ୟୁନିକେସନ୍ ସ୍କିଲ୍‌ସ) ଦକ୍ଷତା ବୃଦ୍ଧିପାଏ୤
୨. ଆତ୍ମ ବିଶ୍ବାସରେ ଅହେତୁକ ବୃଦ୍ଧି ହୋଇଥାଏ୤
୩. ସର୍ବସମ୍ମୁଖରେ ଭାଷଣ ଦେବାର ଭୟ ମନରୁ ଦୂର ହୋଇଥାଏ୤
୪. ଅନେକ ଅଜଣା ଲୋକଙ୍କ ସମ୍ପର୍କରେ ଆସିବାଦ୍ବାରା ନୂତନ ସମ୍ପର୍କ ସୃଷ୍ଟି ହୁଏ୤
୫. ଆପଣ ଅଧିକ ମନଖୋଲି ହସିପାରିବେ ଏବଂ ହସିବା ବେଳେ କୌଣସି ଲାଜ ଅନୁଭବ କରିବେ ନାହିଁ୤ କୁହାଯାଏ, ହସିବା ଦ୍ବାରା ମନୁଷ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ୤
୬. ଆପଣ ବିଭିନ୍ନ ବିପଦଆପଦରେ ନିଜର ସନ୍ତୁଳନ ବଜାୟ ରଖିପାରିବେ୤
୭. ସ୍ବାସ୍ଥ୍ୟରେ ଅନେକ ଉନ୍ନତି ପରିଲକ୍ଷିତ ହେବ, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ଜୀବନ ପରିବର୍ତ୍ତନକାରୀ ରୋଗରୁ ମୁକ୍ତି ମିଳିବ୤
୮. ଆପଣ ଦୁଃଖ କଷ୍ଟର ଚିନ୍ତାରୁ ମୁକ୍ତି ପାଇ ପାରିବେ୤
୯. ଏହା ଦ୍ବାରା ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ହେବ୤
୧୦. ଆପଣ ନିଜ ପ୍ରଚେଷ୍ଟା ଦ୍ବାରା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିପାରିବେ ଏବଂ ଆମ ଜଗତକୁ ଏକ ସୁନ୍ଦର ସଂସାରରେ ପରିବର୍ତ୍ତିତ କରିପାରିବେ୤

ହସ ଏକ ସୁନ୍ଦର ଅଭିବ୍ୟକ୍ତି୤ ଏହା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଏବଂ ସର୍ବୋପରି ଜୀବନର ଦୁଃଖଦ ଏବଂ କଷ୍ଟଦାୟକ ଘଟଣାମାନଙ୍କ ପ୍ରତି ରହିବା ଉଚିତ୤ କଷ୍ଟ ଆସିଲେ ଆମେ ହସିଦେଲେ ତାହା ହାଲକା ଅନୁଭବ ହୁଏ୤

ଲାଫ୍‌ଟର କ୍ଲବ ଖୋଲିବା ପାଇଁ କାହାକୁ କୌଣସି ପ୍ରକାରର ପଞ୍ଜୀକରଣ କରିବାକୁ ପଡ଼େନାହିଁ୤ ଏଥିପାଇଁ କୌଣସି ଧରାବନ୍ଧା ନୀତିନିୟମ ନାହିଁ୤ ମୂଳତଃ ଲାଫ୍‌ଟର କ୍ଲବ ଗୁଡ଼ିକ ଅଣ-ରାଜନୀତିକ, ଅଣ-ଧାର୍ମିକ, ଅଣ-ପ୍ରତିଯୋଗିତାମୂଳକ, ଅଣ-ବ୍ୟବସାୟିକ ଅନୁଷ୍ଠାନ ଯାହା ଅନ୍ୟପ୍ରତି କୌଣସି ପ୍ରକାରର ହାନି ଘଟାଇବା କିମ୍ବା ସମାଜରେ ଅରାଜକତା ବଢ଼ାଇବା ଦୃଷ୍ଟିରୁ ତିଆରି ହୋଇନଥାଏ୤

ଲାଫ୍‌ଟର କ୍ଲବ୍ ପ୍ରଥମେ ଆମ ଦେଶରେ ମୁମ୍ବାଇ ସହରରେ ଆରମ୍ଭ ହୋଇଥିଲା୤ ମୁମ୍ବାଇର ଜନୈକ ଡାକ୍ତର ଶ୍ରୀ ମଦନ କଟାରିଆ ମାର୍ଚ୍ଚ ୧୯୯୫ରେ ନିଜ ପ୍ରକାଶିତ ମ୍ୟାଗାଜିନ୍ ‘ମାଇଁ ଫ୍ୟାମିଲି ଡକ୍ଟର’ ପାଇଁ ଏକ ନିବନ୍ଧ ଲେଖିଥିଲେ, ଯାହାର ଶୀର୍ଷକ ଥିଲା, ‘ଲାଫ୍‌ଟର- ଦି ବେଷ୍ଟ୍ ମେଡ଼ିସିନ୍’୤ ସେ ଅନେକ ବର୍ଷ ଏହି ବିଷୟ ଉପରେ ଗବେଷଣା କରିବାପରେ ଏହି ଲେଖା ଲେଖିଥିଲେ୤ ଏହି ଲେଖା ସମାପ୍ତ କରିବା ପରେ ଦିନେ ସେ ପ୍ରାତଃ ଭ୍ରମଣ ସମୟରେ ଏକ ଗବେଷଣା ଅନ୍ତର୍ଭୂକ୍ତ ନିଜର ଚାରିଜଣ ସାଙ୍ଗଙ୍କୁ ନେଇ ପ୍ରଥମ ଲାଫ୍‌ଟର କ୍ଲବ୍ ର ଆରମ୍ଭ କଲେ୤ ଧିରେ ଧିରେ ତାହା ପଚାଶ ଜଣ ସଦସ୍ୟରେ ସମୃଦ୍ଧ ହୋଇଥିଲା୤ ଆରମ୍ଭରେ ସେମାନେ ବିଭିନ୍ନ ପ୍ରକାରର ଥଟା ମଜା କଥା କହି ହସୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଡା କଟାରିଆଙ୍କ ପତ୍ନୀ ଶ୍ରୀମତି ମାଧୁରୀ କଟାରିଆ ଏଥିରେ ଯୋଗଚିକିତ୍ସା ପଦ୍ଧତିକୁ ଅନ୍ତର୍ଭୂକ୍ତ କରାଇଥିଲେ ଏବଂ ବିନା କୌଣସି ଥଟା ବା ମଜାକଥାର ସହାୟତାରେ ହସିବା ବ୍ୟବସ୍ଥା ହୋଇଥିଲା୤ ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶରେ ଏମିତି ଲାଫ୍‌ଟର କ୍ଲବ୍ ମାନ ରହିଛି, ଏବଂ ସମସ୍ତେ ଉଣାଅଧିକେ ଡା କଟାରିଆ ନିର୍ମାଣ କରିଥିବା ଲାଫ୍‌ଟର କ୍ଲବରୁ ଉତ୍ସାହିତ ହୋଇ ନିଜେ ନିଜେ ଏମିତି କ୍ଲବ୍ ମାନ ତିଆରି କରିଛନ୍ତି୤

ଆପଣଙ୍କ ସହରର ଯେକୌଣସି ବଡ଼ ଖେଳପଡ଼ିଆ ଆଡ଼େ ବୁଲିଯାଆନ୍ତୁ, ଦେଖିବେ କିଛି ବୟସ୍କ ବ୍ୟକ୍ତି କେମିତି ନିରୀହ ଶିଶୁମାନଙ୍କ ପରି ହସୁଛନ୍ତି୤ ଯଦି ଆପଣଙ୍କୁ ଭଲ ଲାଗେ ତ ସେମାନଙ୍କ ସହ ସାମିଲ୍ ହୋଇ ନିଜ ଜୀବନକୁ ହାସ୍ୟରସରେ ପରିପୂର୍ଣ୍ଣ କରନ୍ତୁ୤ ସ୍ବାସ୍ଥ୍ୟବାନ ରହନ୍ତୁ୤

ବୀମା ନଗର-୨ୟ ଗଳି, ଆମ୍ବପୁଆ
ବ୍ରହ୍ମପୁର - ୭୬୦୦୧୦, ଓଡ଼ିଶା
ଫୋନ୍ : ୯୦୪୦୯୮୫୪୬୩

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ହସ ବହୁଳେ ସୃଷ୍ଟିନାଶ

ହସ ବହୁଳେ ସୃଷ୍ଟିନାଶ

ଏଠାରେ ପଢ଼ନ୍ତୁ !
ହାସ୍ୟ ଚିକିତ୍ସା

ହାସ୍ୟ ଚିକିତ୍ସା

ଏଠାରେ ପଢ଼ନ୍ତୁ !