ହାସ୍ୟ ଚିକିତ୍ସା
28-Feb-2015 626 Hits
ଆପଣ ରାସ୍ତାରେ ଚାଲିଯାଉଥିବେ ଏବଂ କୌଣସି ଖେଳ ପଡ଼ିଆ ଭିତରେ ଠିଆ ହୋଇ ଛାତି ପିଟି ହୋ ହୋ ହୋଇ ହସୁଥିବା କିଛି ମହିଳା ଏବଂ ଭଦ୍ରଲୋକଙ୍କୁ ଦେଖିଲେ କଣ ଭାବିବେ ? ଏମାନେ ପାଗଳ ନୁହନ୍ତି ତ ? ଏତେ ସକାଳୁ ବ୍ୟାୟାମ କରିବା ଛାଡ଼ିଦେଇ ଗୋଟିଏ ଜାଗାରେ ଠିଆ ହୋଇ ହୋ ହୋ ହୋଇ ହସୁଛନ୍ତି ପୁଣି ଭିନ୍ନ ଭିନ୍ନ ପ୍ରକାରର ହସ ଏହା ପୁଣି କଣ ? ଆଜ୍ଞା ସେମାନେ ପାଗଳ ହୋଇନାହାନ୍ତି, ବରଂ ନିଜକୁ ପାଗଳ ନ କରିବା ପାଇଁ ଏକ ପ୍ରକାର ଚିକିତ୍ସାକୁ ବ୍ୟବହାର କରୁଛନ୍ତି ହାସ୍ୟ ଚିକିତ୍ସା
ହସିବା ଦ୍ବାରା କଣ କେବେ ରୋଗ ଭଲ ହୋଇପାରିବ ? ଅନେକ ବନ୍ଧୁ ମନେ ମନେ ହସୁଥିବେ ଆଉ ଭାବୁଥିବେ ଡାକ୍ତର ବାବୁ ପାଗଳ ହେଇଯାଇଛନ୍ତି ନା କଣ ! ଅବିଶ୍ବାସ ହେଉଥିଲେ ବି ସତ୍ୟ, ହସ ଏକ ଚିକିତ୍ସା ପ୍ରଣାଳୀର ସ୍ଥାନ ନେଇ ସାରିଲାଣି କେବଳ ବଡ଼ ବଡ଼ ମେଟ୍ରୋ ମାନଙ୍କରେ ନାହିଁ ବରଂ ଆମ ଦେଶର ଅନେକ ସାନବଡ଼ ସହର ମାନଙ୍କରେ ବି ଏହାର ବହୁଳ ବ୍ୟବହାର ଦେଖାଗଲାଣି
ମନ ଖୋଲି ହସନ୍ତୁ, ଆପଣ ସୁସ୍ଥ ରହିବେ, ଆପଣଙ୍କ ମନ ଓ ଶରୀର ଉଭୟ ସୁସ୍ଥ ରହିବ ମାନସିକ ଅବସାଦ ଦୂର ହେବ ମନେ ରଖନ୍ତୁ ଆପଣ ଯେତେବେଳେ ମାନସିକ ଅବସାଦରେ ଥିବେ ସେଇ ସମୟରେ ମନଖୋଲି ହସିଲେ ଆପଣଙ୍କ ଚିନ୍ତା ଦୂର ହେବ ଏହା ବିଜ୍ଞାନ ସମ୍ମତ ଜାଣତରେ ହେଉ ଅବା ଅଜାଣତରେ, କାରଣ ଥାଉ ବା ନଥାଉ, ଏକା ଥାଆନ୍ତୁ ଅବା ଦଳରେ, ହସିବା ଦ୍ବାରା ଆପଣଙ୍କ ଜୀବନକୁ ଏକ ନୂତନ ଉର୍ଜା (ଶକ୍ତି) ମିଳିପାରିବ ସେଇଥିପାଇଁ ହସିବାକୁ ଯୋଗାସନ ସହ ସମାନ ବୋଲି ମନେ କରାଯାଇଛି ଏହି ସମୟରେ ଅଦ୍ଭୁତପୂର୍ବ ମାନସିକ ଶାନ୍ତି ମିଳିଥାଏ
ହାସ୍ୟ ଚିକିତ୍ସାର ଇତିହାସ
ପ୍ରାୟ ତିନି ହଜାର ବର୍ଷ ତଳେ ଚୀନରେ ଜଣେ ସାଧୁ ରହୁଥିଲେ ତାଙ୍କ ନାମ ଥିଲା ହୋତେ’ଇ ସେ ଏକ ବିରଳ ପ୍ରକାରର ଯୋଗ କରୁଥିଲେ ସେ ଗାଁ ଗାଁ ବୁଲି ଗାଁ ବାହାରେ ଏକ ଖୋଲା ପଡ଼ିଆ ପାଖରେ ଠିଆ ହୋଇ ହୋ ହୋ ହୋଇ ହସୁଥିଲେ ପ୍ରଥମେ ପ୍ରଥମେ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବୁଥିଲେ, ପରେ ପରେ ସେମାନେ ମଧ୍ୟ ସାଧୁଙ୍କୁ ଦେଖି ଅନୁକରଣ କରି ହସିବାକୁ ଲାଗିଲେ ହୋତେ’ଇ ଙ୍କୁ ଦେଖିବା ମାତ୍ରେ ଲୋକମାନେ ହସିବା ଆରମ୍ଭ କରିଦେଉଥିଲେ ହେଲେ ସେ ଯେଉଁ ଯେଉଁ ଜନପଦରେ ବୁଲି ବୁଲି ଏମିତି ହସୁଥିଲେ ସେଇ ସବୁ ଅଞ୍ଚଳରେ ଲୋକମାନଙ୍କ ସ୍ବାସ୍ଥ୍ୟରେ ଅଦ୍ଭୁତପୂର୍ବ ଉନ୍ନତି ଦେଖାଦେଲା ତେଣୁ ଧିରେ ଧିରେ ସେ ପ୍ରସିଦ୍ଧ ହୋଇଗଲେ, ଏବଂ ଲୋକମାନେ ତାଙ୍କୁ ଲାଫିଙ୍ଗ୍ (ହସୁଥିବା) ବୁଦ୍ଧ ବୋଲି ନାଁ ଦେଲେ
ଆମର ପ୍ରାଚୀନ ଗ୍ରନ୍ଥାବଳୀରେ ଆଠପ୍ରକାରର ହାସ୍ୟରସ କଥା କୁହାଯାଇଛି, ଯେଉଁଥିରୁ ତିନୋଟି ପ୍ରକାରକୁ ସାଧାରଣତଃ ହାସ୍ୟ ଚିକିତ୍ସା ପଦ୍ଧତିରେ ବ୍ୟବହାର କରାଯାଏ ଯଥା ମନଖୋଲା ହସ ବା ଅଟ୍ଟହାସ୍ୟ, ନିରବତାର ହସ ବା ମୌନହସ ଏବଂ ଘୋଡ଼ାପରି ହସ
ଆମେରିକାର ବିଖ୍ୟାତ ମନୋଚିକିତ୍ସକଡା ୱିଲିୟମ୍ ଫ୍ରାଇ ବିଗତ ୩୦ ବର୍ଷ ହେଲା ନିଜ ରୋଗୀମାନଙ୍କୁ ନେଇ ହାସ୍ୟ ଚିକିତ୍ସା ଉପରେ ଗବେଷଣା କରି ଆସୁଛନ୍ତି ତାଙ୍କ ମତରେ ହାସ୍ୟ ଚିକିତ୍ସା ଦ୍ବାରା ମାନସିକ ରୋଗୀ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିପାରିବ ସେହିପରି ଲଣ୍ଡନର ଜନୈକ ଡା ରବର୍ଟ୍ ମଧ୍ୟ ବିଗତ ୨୦ ବର୍ଷ ହେଲା ଏହା ଉପରେ ଗବେଷଣା କରି ଆସୁଛନ୍ତି ଏବଂ ସେ ନିଜ ରୋଗୀମାନଙ୍କୁ ମନଖୋଲି ହସିବାପାଇଁ ପ୍ରୋତ୍ସାହିତ ବି କରିଆସୁଛନ୍ତି
ଆମେରିକାର ଏକ ବିଖ୍ୟାତ ପତ୍ରିକାର ସମ୍ପାଦକ ଶ୍ରୀ ନର୍ମାନ୍ କୌଜିନ୍ ଯେତେବେଳେ ବ୍ୟାଧିଗ୍ରସ୍ତ ହୋଇପଡ଼ିଥିଲେ ସେ ହାସ୍ୟ ଚିକିତ୍ସାର ସହାୟତା ନେଇଥିଲେ ଏବଂ ସମ୍ପୂର୍ଣ୍ଣ ନିରୋଗ ହୋଇପାରିଥିଲେ ବୋଲି ତିନୋଟି ବହି (Anatomy of Illness, Healing Heart ଏବଂ Head First - Biology of Hope) ରେ ଲେଖିଛନ୍ତି ସେ ଏହି ସବୁ ପୁସ୍ତକରେ ଲିପିବଦ୍ଧ କରିଛନ୍ତି ଯେ ସେ ଯେତେବେଳେ ଗଳାର ହାଡ଼ରେ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ ଏବଂ ଏହି ସମୟରେ ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ, ସେ ଦୈନିକ ଅନ୍ୟୁନ ୩୦ ମିନିଟ୍ ଟିଭିରେ ବିଭିନ୍ନ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ମାନ ଦେଖି ମନଖୋଲା ହସ ହସୁଥିଲେ ଏବଂ ସେ ନିଜ ବ୍ୟାଧିରୁ ମୁକ୍ତ ହେବାର ସମସ୍ତ ଶ୍ରେୟ ହାସ୍ୟ ଚିକିତ୍ସାକୁ ଦିଅନ୍ତି ସେ ନିଜର ତୃତୀୟ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ହସିବା ଦ୍ବାରା ଜନୈକା ଶ୍ରୀମତି ୟଙ୍ଗଙ୍କ ସ୍ତନକର୍କଟ ଭଲ ହୋଇପାରିଥିଲା
ତା’ହେଲେ ହାସ୍ୟ ଚିକିତ୍ସା କଣ ?
ହସିବା ଏକ ସାଧାରଣ ଦେଖାଯାଉଥିବା ଅସାଧାରଣ ବ୍ୟାୟାମ ଯାହା ଯେକୌଣସି ବ୍ୟକ୍ତି ଏକାନ୍ତରେ ହେଉ ଅବା ଦଳରେ ହେଉ କରିପାରିବ ଏଥି ପାଇଁ ଆପଣଙ୍କୁ କୌଣସି ଦାମୀ ତାଲିମ ନେବାକୁ ପଡ଼ିବ ନାହିଁ କିମ୍ବା ଦାମୀ ଉପକରଣ କିଣିବାକୁ ପଡ଼ିବ ନାହିଁ ଦଳଗତ ଭାବରେ ଏହାକୁ କଲେ ଉତ୍ସାହିତ ହେବେ ଏବଂ ଏହା ସବୁବେଳେ ଜାରୀ ରହିବ ଏହା କରିବା ପରେ ଆପଣ ବିରକ୍ତିଭାବ ପ୍ରକାଶ କରିବେ ନାହିଁ ଏବଂ ଦୈନିକ ମାତ୍ର ଅଧଘଣ୍ଟା ସମୟ ଦେବାକୁ ହେବ ଏଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ଦୈନିକ ଦଳଗତ ଭାବରେ ଏହାକୁ କଲେ ଆପଣ ସାମାଜିକ ବନ୍ଧୁତ୍ବ ଏବଂ ପରସ୍ପରପ୍ରତି ସ୍ନେହ ସମ୍ମାନ ଓ ଶ୍ରଦ୍ଧାର ଆଦାନପ୍ରଦାନ କରି ନିଜକୁ ଜଣେ ଭଦ୍ର ବ୍ୟକ୍ତି ଭାବରେ ଗଢ଼ି ତୋଳିବେ ଏହି ସବୁ ବ୍ୟାୟାମ ଦ୍ବାରା ଶରୀରକୁ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ
ହାସ୍ୟ ଚିକିତ୍ସା କୁ ଆମେ ଦୁଇ ଭାଗରେ ବିଭକ୍ତ କରି ପାରିବା;
୧. ହାସ୍ୟ ପ୍ରାଣାୟାମ
୨. ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ
ହାସ୍ୟ ପ୍ରାଣାୟାମ
ଏଥିରେ ବ୍ୟକ୍ତିକୁ ମୁହଁ ଖୋଲି ମନ ଖୋଲା ହସ (ଅଟ୍ଟହାସ୍ୟ) ହସିବାକୁ ହେବ ତା’ପରେ ନିରବତାର ସହ ମୌନହସ ହସିବାକୁ ହେବ ଏବଂ ଶେଷରେ ଅଶ୍ବପରି ହସ ହସିବାକୁ ହେବ ଏହା ଘରେ ବା ବାହାରେ ଯେ କୌଣସି ସ୍ଥାନରେ କରି ପାରିବେ ଏହା କରିବା ସମୟରେ ନିଜ ହାତକୁ ଉପରକୁ ଟେକି ରଖିବେ ଏବଂ ଅଣ୍ଟା ପାଖରୁ ଆଗକୁ ନୋଇଁବାକୁ ଚେଷ୍ଟା କରିବେ
ସମ୍ପୂର୍ଣ୍ଣ ଶରୀର ବ୍ୟାୟାମ
୧. ଏଥିରେ ପ୍ରଥମେ ନିଜ ଶରୀରକୁ ଢିଲା ଛାଡ଼ିଦେଇ ନିଜ ଥୋଡ଼ିକୁ ଛାତିରେ ଲଗେଇବେ ଏବଂ ଏପାଖ ସେପାଖ ବୁଲେଇବେ, ଏହା ଫଳରେ ବେକରେ କୌଣସି କଷ୍ଟ ରହିବ ନାହିଁ
୨. ଏହା ପରେ ହାତକୁ ବିସ୍ତାର କରିବେ ଏବଂ ଆଗ ପଛ କରି ବୁଲେଇବେ
୩. କହୁଣି ପାଖରୁ ପୁଣି ହାତକୁ ଭାଙ୍ଗିବେ ଏବଂ ସିଧା କରିବେ
୪. ହାତର କଚିକୁ ଚାରିପାଖରେ ବୁଲେଇବେ
୫. ହାତର ଆଙ୍ଗୁଠି ଗୁଡ଼ିକୁ ଖୋଲିବେ ପୁଣି ବନ୍ଦ କରିବେ
୬. ବିଶ୍ରାମ ଭାବରେ ଠିଆ ହୋଇ ଅଣ୍ଟାକୁ ଏପାଖ ସେପାଖ ଓ ଆଗପଛ କରି ବୁଲେଇବେ
୭. ଆଣ୍ଠୁ ପାଖରୁ ଗୋଡ଼କୁ ଉପରକୁ ଉଠେଇବେ ପୁଣି ସିଧା କରିବେ
୮. ଚେୟାରରେ ବସିବା ଭଳି ହେବେ, ଏହାଦ୍ବାରା ଅଣ୍ଟା ଓ ଆଣ୍ଠୁର ଗଣ୍ଠିରେ ଦରଜ ହେବ ନାହିଁ
୯. ଗୋଡ଼ର ସମସ୍ତ ଗଣ୍ଠିକୁ ବି ଚାରିପାଖରେ ବୁଲେଇବେ
୧୦. ଅଣ୍ଟାକୁ ନିଜ ଶରୀରର ଚାରିପାଖରେ ବୁଲେଇବେ
୧୧. ଅଣ୍ଟା ପାଖରୁ ସିଧା ନୋଇଁବେ ଏବଂ ହାତର ଆଙ୍ଗୁଠିରେ ଆଣ୍ଠୁକୁ ଛୁଇଁବାକୁ ଚେଷ୍ଟା କରିବେ
୧୨. ସିଧା ଠିଆ ହୋଇ ଆଗକୁ ପଛକୁ କରି ନିଜର ସମସ୍ତ ଶରୀରକୁ ବୁଲେଇବେ
ଉପରୋକ୍ତ ସମସ୍ତ ବ୍ୟାୟାମ ଶରୀରର ଶକ୍ତି ଓ ସାମର୍ଥ୍ୟ ସମେତ ଗଣ୍ଠି ଓ ମାଂସପେଶୀକୁ ସବଳ କରିବାପାଇଁ କରିବେ ଏହି ସମସ୍ତ ବ୍ୟାୟାମ ମାତ୍ର ପନ୍ଦର ମିନିଟ୍ ପାଇଁ କରିବେ ଦିନର ଯେ କୌଣସି ସମୟରେ ଆପଣ ଏହି ବ୍ୟାୟାମ କରିପାରିବେ, କିନ୍ତୁ ଖାଦ୍ୟଗ୍ରହଣର ଅନ୍ୟୁନ ତିନିଘଣ୍ଟା ଭିତରେ ଏହା ସବୁ କରିବେ ନାହିଁ ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ଥାଏ କିମ୍ବା କୌଣସି ପ୍ରକାରର ହୃଦରୋଗ ଥାଏ ତେବେ ଡାକ୍ତରୀ ପରାମର୍ଶ ପରେ ହିଁ ଏହା କରିବେ
ବିଜ୍ଞାନ ସମ୍ମତ ଯେ ହାସ୍ୟ ଚିକିତ୍ସା ଏକ ଉନ୍ନତ ବ୍ୟାୟାମ
ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ସମୟରେ ହୃଦପିଣ୍ଡର ଗତି ବଢ଼ିଥାଏ, ଶ୍ବାସ ପ୍ରକ୍ରିୟା ବି ତ୍ବରାନ୍ବିତ ହୁଏ, ଏବଂ ରକ୍ତଧମନୀରେ ଚଞ୍ଚଳ ଗତିରେ ବହେ ଏହା ଫଳରେ ଶରୀରକୁ ଅଧିକ ପରିମାଣର ଅମ୍ଳଜାନ ମିଳେ ଏହା କଠିନ ବ୍ୟାୟାମ ଦ୍ବାରା ସମ୍ଭବ ହେଉଥିବା ବେଳେ ହସିବା ଦ୍ବାରା ଏହା ହୋଇଥାଏ
ଏହି ସବୁ ବ୍ୟାୟାମ ଦ୍ବାରା ଶରୀରର ମାଂସପେଶୀ ଓ ଗଣ୍ଠି ସବୁ ସୁସ୍ଥ ରହେ ଏବଂ ରୋଗ ହୁଏନାହିଁ ଆପଣ ଏହାଦ୍ବାରା ଶରୀରରୁ ଅତ୍ୟଧିକ ମେଦବୃଦ୍ଧି ହୋଇଥିଲେ କମ କରିପାରିବେ ଏବଂ ଓଜନ କମ କରିପାରିବେ
ବୈଜ୍ଞାନିକମାନେ ପ୍ରମାଣ କରି କହିଛନ୍ତି ଯେ ଦୈନିକ ୨୦ ମିନିଟ ହାସ୍ୟ ଚିକିତ୍ସା କଲେ ଅନ୍ୟୁନ ୨୦ ବର୍ଷର ଆୟୁ ଅଧିକ ହେବ ଏବଂ ଦୈନିକ ୨୧୫ କ୍ୟାଲୋରୀ ଖର୍ଚ୍ଚହେବା ଦ୍ବାରା ଶରୀରରେ ମେଦବୃଦ୍ଧି, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ହେବନାହିଁ
ବୀମା ନଗର-୨ୟ ଗଳି, ଆମ୍ବପୁଆ
ବ୍ରହ୍ମପୁର - ୭୬୦୦୧୦, ଓଡ଼ିଶା
9040985463
Back to Previous Page