favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ରଥ ଉପରେ ମହାପ୍ରଭୂଙ୍କୁ ଛୁଇଁବା ନା ନାହିଁ ?

ରଥ ଉପରେ ମହାପ୍ରଭୂଙ୍କୁ ଛୁଇଁବା ନା ନାହିଁ ?

ବିଗତ କିଛି ଦିନ ହେଲା ଏଇ ପ୍ରଶ୍ନକୁ ନେଇ ଏକ ବିବାଦ ଦେଖା ଦେଇଛି୤ ସବୁ ସମ୍ବାଦପତ୍ରରେ ଉଣା ଅଧିକେ ଏହି ବାବଦରେ ଖବରମାନ ପ୍ରକାଶ ପାଇବାରେ ଲାଗିଛି୤ ଅଣପାରମ୍ପରିକ ମିଡ଼ିଆ (ଇଲେକ୍ଟ୍ରୋନିକ୍ ମିଡ଼ିଆ)ରେ ଏହି ପ୍ରଶ୍ନକୁ ନେଇ ଦର୍ଶକମାନଙ୍କ ମତାମତ ନିଆଯାଇ ଥିଲେ ସୁଦ୍ଧା ଏହା ଏକ ଜଟିଳ ସମସ୍ୟା ଭାବରେ ଦେଖା ଦେଇଛି୤ ହଠାତ୍ ଏହି ପ୍ରଶ୍ନ ଆସିଲା କେଉଁଠୁ ? ଆମେ ସମସ୍ତେ ଜାଣିଛେ ଯେ ପୁରୀର ବିଶ୍ବବିଖ୍ୟାତ ରଥଯାତ୍ରା ଅନେକ ଶତାବ୍ଦୀରୁ ହୋଇ ଆସୁଛି, ସେତେବେଳେ କଣ ଏହି ବିଷୟକୁ ନେଇ ଏମିତି ତର୍କ ବିତର୍କ ହୋଇଥିଲା କି ? ଯଦି ହୋଇଥିଲା ତା ହେଲେ ତାହାର ନିଷ୍ପତ୍ତି କଣ ହୋଇଥିଲା କିଏ ଜାଣିଛି ? ଏହା କୌଣସି ପାଞ୍ଜି କିମ୍ବା ଐତିହାସିକ ଦସ୍ତାବେଜରେ ଲେଖା ଅଛି କି ? ଯଦି ହୋଇନି ତା ହେଲେ ଏତେ ଶତାବ୍ଦୀ ଧରି ଚାଲି ଆସୁଥିବା ପରମ୍ପରାକୁ ହଠାତ୍ କାହିଁକି କାଠଗଡ଼ାରେ ଠିଆ କରାଯାଉଛି?

ବିଗତ ରଥଯାତ୍ରା ସମୟରେ ଜନୈକ ବିଦେଶିନୀ ମହିଳାଙ୍କୁ ରଥ ଉପରେ ପଣ୍ଡାମାନଙ୍କ କ୍ରୋଧର ଶୀକାର ହେବାପରେ ପ୍ରଶ୍ନ ଉଠିଥିଲା, ଯେ ରଥ ଉପରକୁ କିଏ ଯିବ ଆଉ କିଏ ଯିବନାହିଁ୤ ମାମଲାର ତଦନ୍ତ କରୁଥିବା କମିଟି କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନଥିଲେ୤ ପରେ ଅନେକ ମତ ଦେଇଥିଲେ ଯେ ରଥ ଉପରେ ଚଢ଼ି ମହାପ୍ରଭୂଙ୍କୁ ଛୁଇଁବା ବାରଣ କଲେ କୌଣସି ଅଘଟଣ ଘଟିବ ନାହିଁ, ହେଲେ ଏହି ମତକୁ ଅନେକ ନାପସନ୍ଦ କରିଥିଲେ୤ କାରଣ ରଥଯାତ୍ରା ସମୟରେ ଅନେକ ଭକ୍ତ ମହାପ୍ରଭୂଙ୍କୁ ଛୁଇଁବା ପାଇଁ ରଥ ଉପରକୁ ଯାଆନ୍ତି ଏବଂ ଏହି ଆଳରେ ରଥ ଉପରେ ଥିବା ପଣ୍ଡାମାନଙ୍କର ଭଲ ଆୟ ହୁଏ୤ ତେଣୁ ସେମାନେ ଏହି ନିଷ୍ପତ୍ତି କୁ ବିରୋଧ କରି ଆସୁଥିଲେ୤ କିଛି ମାସ ତଳେ ପୁଣି ରଥଯାତ୍ରାର ପୂର୍ବରୁ ଏହି ପ୍ରସଙ୍ଗ ଯେତେବେଳେ ଉଠିଲା ସେତେବେଳେ ପୁରୀ ମଠାଧୀଶ ଶଙ୍କରାଚାର୍ଯ୍ୟ କହିଲେ ଯେ ରଥ ଉପରେ ଚଢ଼ି ମହାପ୍ରଭୂଙ୍କୁ ଛୁଇଁବା ପାପ୤ ଅବଶ୍ୟ ଅନେକ ଯୁଗରୁ ଲୋକମାନେ ଏମିତି କରି ଆସୁଥିଲେ, ସେତେବେଳେ କୌଣସି ଶଙ୍କରାଚାର୍ଯ୍ୟ କାହିଁକି ଏହା ବିରୋଧରେ ସ୍ବର ଉତ୍ତୋଳନ କରୁନଥିଲେ ତାହା ବିଚାରଯୋଗ୍ୟ୤ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଶଙ୍କରାଚାର୍ଯ୍ୟ ଦେଇଥିବା ମତକୁ ସ୍ବାଗତ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ୤ ଯୁଗ ସହ ଜନସଂଖ୍ୟା ବି ହୁ ହୁ ହୋଇ ବଢ଼ିଛି୤ ଏବେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ରଥଯାତ୍ରା ଦେଖିବା ପାଇଁ ଆସୁଛନ୍ତି୤ ଯଦି ରଥ ଉପରେ ଚଢ଼ି ମହାପ୍ରଭୂଙ୍କୁ ଛୁଇଁବାକୁ ବାରଣ କରାନଯାଏ, ତେବେ ହୁଏତ ପରିସ୍ଥିତି ଅନ୍ୟ ଆଡ଼କୁ ଗତି କରିପାରେ୤ ଆଗରୁ ଯେଉଁମାନେ ରଥରେ ଚଢ଼ିନଥିଲେ ହୁଏ ତ ସେମାନେ ଏବେ ଚଢ଼ିବା ପାଇଁ ମନ କରିପାରନ୍ତି୤ ତେଣୁ ଏହି ଦୃଷ୍ଟିରୁ ଶଙ୍କରାଚାର୍ଯ୍ୟ ଦେଇଥିବା ମତାମତକୁ ମୁଁ ସମ୍ମାନ ଜଣାଏ୤

ବର୍ତ୍ତମାନ କଥା ଉଠୁଛି, ରଥ ଉପରେ ମହାପ୍ରଭୂଙ୍କୁ ଛୁଇଁବା ନା ନାହିଁ ? କିଛି ସମୟ ସ୍ଥିର ଚିତ୍ତରେ ଚିନ୍ତା କରି କୁହନ୍ତୁ, ଭଗବାନ କେଉଁଠି ନାହାନ୍ତି ? ଆମେ ପିଲା ଦିନୁ ଶୁଣି ଆସିଛୁ, ‘ସକଳ ଘଟେ ନାରାୟଣ’ ଅର୍ଥାତ ସମସ୍ତଙ୍କ ଅଭ୍ୟନ୍ତରରେ ଭଗବାନ ବାସ କରୁଛନ୍ତି୤ ଆମେ ଆହୁରି ବି ଶୁଣି ଆସିଛୁ, ଯାତ୍ରା ସ୍ଥଳ ଏବଂ ପବିତ୍ର ତୀର୍ଥସ୍ଥଳମାନଙ୍କରେ ଅନେକ ଲୋକ ଏକତ୍ରିତ ହେଉଥିବାରୁ ସେ ସ୍ଥାନ ପବିତ୍ର ବୋଲି କୁହାଯାଏ୤ ଗଙ୍ଗାରେ ସବୁ ପ୍ରକାର ଅପବିତ୍ର ଜିନିଷ ପଡୁଥିବା ସତ୍ତ୍ବେ ସେହି ଜଳକୁ ତୁଣ୍ଡରେ ନ ଦେଲେ ସ୍ବର୍ଗପ୍ରାପ୍ତି ହୁଏ ନାହିଁ ବୋଲି କୁହାଯାଏ୤ ଅର୍ଥାତ ଯଦି ସବୁଠି ଭଗବାନ ବାସ କରନ୍ତି ତାହେଲେ ରଥଯାତ୍ରା ପରି ସମୟରେ ଜନଗହଳି ଭିତରେ ଠେଲିପେଲି ହୋଇ ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ଯିବା କାହିଁକି ? ବର୍ତ୍ତମାନ ଯୁଗରେ ତ ଦିନରୁ ସଂଧ୍ୟା ପର୍ଯ୍ୟନ୍ତ ଟିଭିରେ ରଥଯାତ୍ରାର କ୍ଷଣକ୍ଷଣର ବିବରଣୀ ଚିତ୍ର ସହ ଦେଖିବାକୁ ମିଳୁଛି ତା ହେଲେ ନିଜ ଘରେ ବସି ତାହା ନ ଦେଖି ପୁରୀ ଯିବା କାହିଁକି ? ଯଦିବା ପୁରୀ ଯିବ, ରଥ ଉପରେ ଚଢ଼ି ଜଗନ୍ନାଥଙ୍କୁ ଛୁଇଁବା କଣ ଅତ୍ୟନ୍ତ ଜରୂରୀ ? ଛୁଇଁଲେ ହେବ କଣ ? ଜଗନ୍ନାଥଙ୍କୁ ଛୁଇଁବା ପାଇଁ ରଥରେ ଚଢ଼ିବ, ତେଣେ ମନରେ ଭୟ ଥିବ କାଳେ କେହି ହଇରାଣ କରିବ କି ? କୌଣସି ପଣ୍ଡା ଅଧିକ ଟଙ୍କା ମାଗିବ କି ? ଶଙ୍କରାଚାର୍ଯ୍ୟ କହୁଛନ୍ତି ଏହା ପାପ, କାଳେ ପାପ ଲାଗିବକି ? ଏତେ ସଂଶୟ ମନରେ ନେଇ ରଥରେ ଚଢ଼ିବା କାହିଁକି ?

ଭଗବାନଙ୍କୁ ଛୁଇଁବା ପାଇଁ କାତର ମଣିଷ ପ୍ରଥମେ ମନୁଷ୍ୟର ମନକୁ ଛୁଇଁବା ଶିଖ୤ ନିଜ ପଡ଼ିଶାଘରେ ରହୁଥିବା ଲୋକମାନଙ୍କ ଭଲମନ୍ଦ ଜାଣିବାକୁ ଦିନେ ବି ଚେଷ୍ଟା କରିବ ନାହିଁ, ଜଗନ୍ନାଥଙ୍କୁ ଛୁଇଁ ଦେଇ କଣ ଅଧିକ କରି ପକେଇବ ? ଭଲ କର୍ମ କରିବାପାଇଁ ମନ ବଳେଇବ ନାହିଁ, ଜଗନ୍ନାଥଙ୍କୁ ଛୁଇଁ ଦେଇ ବୈକୁଣ୍ଠ ଯିବାକୁ ପ୍ରବଳ ଇଚ୍ଛା କାହିଁକି ? ଯଦି ତୁମେ ପ୍ରକୃତରେ ଭକ୍ତ ତା ହେଲେ ଭଗବାନ ତୁମ ହାତରୁ ନଡ଼ିଆ ଅବଶ୍ୟ ନେବେ ? ତୁମ ଅଭାବ ଅସୁବିଧା ବେଳେ ସୁନା ଥାଳିଆରେ ଭୋଗଥାଳି ଆଣି ଯାଚିଦେବେ୤ ଆଉ ଯଦି ସେମିତି କରୁନାହାନ୍ତି, ତୁମେ ନିଜେ ଟଙ୍କା ଦେଇ ରଥ ଉପରେ ଚଢ଼ି ମହାପ୍ରଭୂଙ୍କୁ ଭିଡ଼ି ଧରିଲେ ବି କୌଣସି ଲାଭ ନାହିଁ୤

ଆମ ସଂସ୍କୃତିରେ ଦାସିଆ ବାଉରୀ ବି ଅଛି, ବନ୍ଧୁ ମହାନ୍ତି ବି ଅଛନ୍ତି, ଭକ୍ତ ସାଳବେଗ ବି ଅଛନ୍ତି୤ ଭଗବାନଙ୍କ କୃପା ପାଇବା ସେମାନଙ୍କ ପାଇଁ ଥିଲା୤ ଅଛୁଆଁ ଦାସିଆ ବାଉରୀ ହାତରୁ ନଡ଼ିଆ ନେଇ ହେଉ ଅବା ଭୋକିଲା ବନ୍ଧୁ ମହାନ୍ତିଙ୍କ ପାଇଁ ଭୋଗ ଥାଳି ଆଣିଦେବା ହେଉ, ଏ ସବୁ ଭଗବଦ୍ କୃପା ସମ୍ଭବ ହୋଇଛି ଏହି ପୁରୀ ଶ୍ରୀକ୍ଷେତ୍ରରେ୤ ଭକ୍ତ ସାଲବେଗ ଜାତିରେ ଯବନ ତେଣୁ ସେ କେବେ ଭଗବାନଙ୍କୁ ଛୁଇଁ ପାରିନଥିଲେ, ବୋଲି କଣ ତାଙ୍କୁ ଆମେ ଭକ୍ତ ମାନଙ୍କ ଭିତରେ ଶ୍ରେଷ୍ଠ ବୋଲି କହୁନେ ? ତେଣୁ ନିଜ ମନକୁ ସ୍ବଚ୍ଛ କର, ତୁମେ ଭଗବାନଙ୍କୁ ଛୁଇଁବା ପାଇଁ ଯେତେ ବ୍ୟାକୁଳ ହେବ ତା’ଠୁ ଅଧିକ ସେ ତୁମକୁ ଧରିବା ପାଇଁ ଆଗେଇ ଆସିବେ୤

ରଥଯାତ୍ରା ସମୟରେ ସେମିତିରେ ବି ଅନେକ ଅଘଟଣା ଦୁର୍ଘଟଣା ଘଟେ, ଏହି ସମୟରେ ଭିଡ଼ ମଧ୍ୟରେ ପଶି ଜଗନ୍ନାଥଙ୍କୁ ଛୁଇଁବା ଆଶାରେ ଅଯଥା ଗହଳି ନ କରି ବରଂ ଦୂରରୁ ମହାପ୍ରଭୂଙ୍କୁ ଦେଖି ମନ ମଧ୍ୟରେ କୁହ, ‘ହେ ପ୍ରଭୂ ମୋତେ ଭଲରେ ରଖିଚ, ମୋ ଜାତିଭାଇଙ୍କୁ ବି ଭଲରେ ରଖିଥାଅ୤’

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ହାସ୍ୟ ଚିକିତ୍ସା

ହାସ୍ୟ ଚିକିତ୍ସା

ଏଠାରେ ପଢ଼ନ୍ତୁ !
ହସିବା ଦ୍ବାରା ଆମକୁ ହେଉଥିବା ଦଶଟି ଲାଭ

ହସିବା ଦ୍ବାରା ଆମକୁ ହେଉଥିବା ଦଶଟି ଲାଭ

ଏଠାରେ ପଢ଼ନ୍ତୁ !