favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆମ ଗାଁ ହାଲଚାଲ - ୨

ଆମ ଗାଁ ହାଲଚାଲ - ୨

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ସନ୍ଧ୍ୟା ଦୀପ ଜାଳିଦେଇ ଚଉଁରା ମୂଳେ ମୁଣ୍ଡିଆ ମାରିଦେବା ପରେ ଉଠିବାକୁ ଚେଷ୍ଟା କରୁଥିଲା ସମୟରେ କୁନା ବୋଉର ଅଣ୍ଟାରେ ପବନ ଅଟକି ଗଲା୤ ଓଃ ବୋଉଲୋ କହି ସେ ସେଇଠି ଲଥ କରି ବସିପଡ଼ିଲା୤ ଘର ବାରଣ୍ଡାରେ ଚାରିଲୋକ ଧରି ବସିଥିଲା ହରିଆ (କୁନାବାପା), ଧାଇଁ ଆସିଲା୤ ତିରିଲା ଲୋକଟା ଯଦି ଅଣ୍ଟା ଏବେଠୁ ନଇଁ ପଡ଼ିବ ଖାଇବା ପିଇବା ଦେବା ପାଇଁ ଘରେ ଆଉ କେହି ନାହାନ୍ତି୤ କାନ୍ଧରେ ଉଠେଇ କୁନାବୋଉକୁ ନେଇ ମସିଣା ପକେଇ ଶୁଆଇ ଦେଲା୤ ଓଲଣାରେ ଥିଲା ବଥା ମଇଲମ ଆଣି ଅଣ୍ଟାରେ ଘଷିଦେଉଥିଲା, କୁନି ତା’ ଝିଅ ଧାଇଁ ଆସି ବାପ ହାତରୁ ମଲମ ନେଇ ନିଜେ ଲଗେଇଦେଲା୤ କୁନା ବୋଉ ବଡ଼ କଷ୍ଟ ପାଉଥିଲା୤ ‘ଓଃ ବୋଉ ଓଃ ବୋଉ’ ବୋଲି ଡ଼ାକୁଥିଲା୤ ହରିଆ ବେଗେ ବେଗେ ଧାଇଁଲା କାର୍ଜି ଘରକୁ୤ କାର୍ଜିଏ ଜାଣିବା ଶୁଣିବା ଲୋକ୤ ତାଙ୍କୁ ଯାଇ ସବୁ କହିଲା, କାର୍ଜି ଘର ଭିତରୁ କଣ ଗୋଟେ ବଟିକା ଆଣି ଦେଲେ୤ ଅବଶ୍ୟ ସେ ମାତ୍ରାଟା ପଡ଼ିବା ପରେ କୁନା ବୋଉ ଆଉ ଆହା ଆହା ହେଇନି୤ ଶାନ୍ତିରେ ଶୋଇପଡ଼ିଲା୤ କୁନିଟା ମାତ୍ର ଦଶ ବର୍ଷର ପିଲା ହେଲେ କଣ ହେବ୤ ବୋଉ ଶୋଇପଡ଼ିବାପରେ ହାଣ୍ଡି ବସେଇ ପାଣି ଦେଇ ଚାଉଳ ପକେଇ ଭାତ ରାନ୍ଧିଲା୤ ଭେଣ୍ଡି ଚାରିଟା ପୋଡ଼ିଲା୤ ଚୁଲି ମୁଣ୍ଡରେ ଆଳୁ ଆଉ ବାଇଗଣ କଣା କରିଦେଇ ନିଆଁରେ ଦେଲା୤ ବାଡ଼ିରୁ ଝଅଟ ଯାଇ ଟଭା ଦିଟା ତୋଳି ଆଣିଲା୤ ଅନ୍ଧାର ହେଉ ହେଉ ବୋଉକୁ ଉଠେଇ ଖୋଇବାକୁ ଦେଲା୤ ହରିଆ ପଖାଳ କଂସା ସାଥିରେ ପୋଡ଼ା ଆଳୁ, ବାଇଗଣ ଚକଟା ଆଉ ଭେଣ୍ଡି ଟଭା ପାଣିଧରି ପେଟେ ଖାଇଦେଲା୤

ସକାଳ ନ ହେଉଣୁ ହରିଆ ଉଠି ଗୁହାଳ ଘରକୁ ମୁହାଁଇଲା୤ ବଳଦ ଦି’ଟାକୁ କୁନା ବୋଉ କୁଣ୍ଡା ପାଣି ଦେଇଛି ନା ନାହିଁ ଦେଖିବା ପାଇଁ୤ ସତକୁ ସତ ବଳଦ ଦି’ଟା ଖାଡ଼ା ଉପାସରେ ରହିଛନ୍ତି୤ କୁନା ବୋଉକୁ ଡ଼ାକ ପକାଇଲା ହେଲେ ସେ ଶୁଣିଲା ନି୤ ଘର ଭିତରକୁ ଯାଇ ଦେଖେ ତ କୁନା ବୋଉ ଏକା ରଙ୍ଗେ ଥରୁଛି୤ ଦେହରୁ ଗମ୍ ଗମ୍ ଝାଳ ବହି ଯାଉଛି୤ ମୁଣ୍ଡଟାକୁ ଛୁଇଁ ଦେଇ ଚମକି ପଡ଼ିଲା୤ ମୁଣ୍ଡରେ ଖଇ ଫୁଟୁଛି୤ କଣ କରିବ କିଛି ବୁଦ୍ଧି ଦିଶିଲାନି୤ କୁଅରୁ ପାଣି ବାଲତିଏ କାଢ଼ି ଗାମୁଛାଟାଏ ଓଦା କରି ଆଣି କୁନା ବୋଉ ମୁଣ୍ଡ ପୋଛିଲା୤ ଆଉ ଦେହ ଉପରେ ଘୋଡ଼େଇ ଦେଲା୤ କିଛି ସମୟ ପରେ ଦେହଟା ସାମାନ୍ୟ ଥଣ୍ଡା ହେଇ ଆସିଲା୤ ହେଲେ କୁନା ବୋଉ ଉଠିଲାନି୤ ଚେତା ହରେଇ ପଡ଼ିଥିଲା୤ ହରିଆ ଧାଇଁଲା କାର୍ଜିଙ୍କ ପାଖକୁ୤ କାର୍ଜି ସବୁ ଶୁଣି କହିଲେ, ଯା’ ତୋ ଭାର୍ଯ୍ୟାକୁ ନେଇ ଡ଼ାକ୍ତରଖାନା ଯା’୤ ସେଇଠି ଠିକ୍ ଚିକିତ୍ସା ହେବ୤ ଏଠି ଆଉ ସମ୍ଭବ ନାହିଁ୤ ତରବରରେ ଶଗଡ଼ ଖୋଲିବଳଦ ଦି’ଟାକୁ ବାନ୍ଧିଲା୤ ଶଗଡ଼ ଡ଼ାଲାରେ କୁନାବୋଉକୁ ଶୁଆଇ ଦେଲା୤ କୁନା କୁନି ଦି’ଜଣ ମା ପାଖରେ ବସିଛନ୍ତି ସେ ଶଗଡ଼ ଛୁଟେଇ ଦେଲା୤ ପାଞ୍ଚ କୋଶ ଗଲା ଉତାରୁ ଡ଼ାକ୍ତରଙ୍କ ଦେଖା ମିଳିବ୤ ନୋଇଲେ କମ୍ପାଣ୍ଡର ଆଜ୍ଞା ଥିଲେ ବି ଇଞ୍ଜେକ୍‌ସନ୍ ଦେଇଦେବେ୤

ଗାଁରୁ ବାହାରି ରୋଡ଼ ଉପରେ ଶଗଡ଼ ଦଉଡାଇ ଯାଉଥିଲା ହରିଆ୤ ଶଗଡ଼ ଡାଲାରେ କୁନାବୋଉ ନିସ୍ତେଜ ହେଇ ପଡ଼ିଥିଲା୤ ଅଳ୍ପ ସମୟପରେ ଗାଁ’ର ପାଠୁଆ ବାଳୁ ରାସ୍ତାରେ ଦେଖା ହେଲା୤ କହିଲା
-ଏହେ ଏହେ ଏତେ କାମ କାଇଁକି କଲୁ, ମୋତେ ବୋଲିଥିଲେ ମୁଁ ବଇଦ ନେଇ ଆସିଥାନ୍ତି ନା୤

-ବଇଦ ? ଆମ ଏ ଖଣ୍ଡ ମଣ୍ଡଳରେ ବଇଦ କୋଉଠୁ ଆସିବ ? ହରିଆ ପଚାରିଲା୤

-ଆରେ, ଆମ ସାନହରିପୁର ଛକରେ ପରା ନୂଆ କ୍ଲିନିକ୍ ଖୋଲିଛି୤ ନୂଆ ଡ଼ାକ୍ତର୤ ବଢ଼ିଆ ରୋଗୀ ଦେଖୁଛନ୍ତି୤ ତୁ ବୋଇଲେ ଏବେ ଚାଲ ସେଇଠିକୁ ଦେଖିବୁ ଖୁଡ଼ିକୁ ସାଙ୍ଗେ ସାଙ୍ଗେ ସାଷ୍ଟାଙ୍ଗ କରିଦେବେ୤

ହରିଆ ଶଗଡ଼ ବଢ଼ାଇଲା ସାନହରିପୁର ଛକକୁ୤ ସତକୁ ସତ ସେଠାରେ ନୂଆ କ୍ଲିନିକ୍ ଖୋଲିଛି୤ ଧୋବଧଉଳିଆ ପୋଷାକ ପିନ୍ଧି ସୁଦର୍ଶନ ଯୁବକ ଜଣେ ବସି ରୋଗୀମାନଙ୍କୁ ଦେଖୁଛନ୍ତି୤ ହରିଆ ଶଗଡ଼ ଅଟକାଇବା ବେଳକୁ ବାଳୁ ଯାଇ କ୍ଲିନିକ୍ ଭିତରେ ହାଜର୤ ସେ ହସି ହସି ଡ଼ାକ୍ତର ସାଙ୍ଗରେ କଥାବାର୍ତ୍ତା ହେଉଥିବା ଦେଖି ହରିଆର ସାହାସ ହେଲା୤ ତିନିପ୍ରାଣୀ ମିଶି ଧରାଧରି ହେଇ କୁନା ବୋଉକୁ ନେଇ କ୍ଲିନିକ୍ ଟେବୁଲ୍ ଉପରେ ଶୁଆଇ ଦେଲେ୤ ଡ଼ାକ୍ତର ଯନ୍ତ୍ର ପକେଇ ଦେଖିଲେ, କଣ ସବୁ ଇଂରାଜୀରେ କହିଲେ୤ ତା’ପରେ କହିଲେ ଇଞ୍ଜେକ୍‌ସନ୍ ଦେବେ୤ ହରିଆ ନିର୍ବାକ ବସିଥିଲା୤ ସକାଳ ପହରୁ ଆସି ଦୋପହର ହେଲାଣି୤ କୁନାକୁନିକୁ ନେଇ ବାଳୁ ହୋଟେଲରେ କଣ ଖୁଆଇ ଦେଇ ଆସିଲା୤ କୁନାବୋଉ ବି ଉଠି ବସିଲାଣି୤ ଏବେ ଆଉ ଅଣ୍ଟାପିଠି ବଥାନାହିଁ୤ ଜ୍ବର ବି କମ ହେଇଯାଇଛି୤ ପାଟି ପିତା ଲାଗୁଛି କହିଲାରୁ ହରିଆ ଲେମ୍ବୁ ଫାଳେ ଆଣି ଦେଇଥିଲା ଚାଟିବା ପାଇଁ୤ ଦିପହର ବେଳକୁ ଡ଼ାକ୍ତର ବାବୁ କହିଲେ, ‘ଏବେ ତୁମେ ଘରକୁ ଯାଅ୤ ମୁଁ ଔଷଧ ଦେଇ ଦେଉଛି, ଖାଇବାକୁ ଦେବ ଦେଖିବ ଦି ଓଳିରେ ଠିକ୍ ହେଇଯିବ୤’

ଦୁଇ ଦିନ ବେଳକୁ ସତକୁ ସତ କୁନାବୋଉ ପୁରା ଠିକ୍ ହେଇଯାଇଥିଲା୤ ବାଳୁ ଆସିଥିଲା ଅବସ୍ଥା ଦେଖିବା ପାଇଁ୤ କହିଲା, ‘ଆମ ବଙ୍ଗାଳୀ ଡ଼ାକ୍ତର ଆଜ୍ଞା କେମିତି ଚିକିତ୍ସା କରୁଛନ୍ତି କକା ଦେଖିଲୁ ତ ?’ ହରିଆ ଖୁସି୤ ସେ ଯା’ହେଉ ଆଗକୁ ଗାଁରେ ଯାହାର ବି ଅସୁବିଧା ହେଲା ସବୁ ସେଇ ବଙ୍ଗାଳୀ ଡ଼ାକ୍ତର ପାଖକୁ ଧାଇଁଲେ୤ ମାସ କେଇଟାରେ ସାନହରିପୁର ଛକଟା ଗୋଟେ ବଡ଼ ବସଷ୍ଟାଣ୍ଡ ହେଇଗଲା୤ ସକାଳୁ ସଞ୍ଜଯାଏଁ ମଣିଷ ଉପରେ ମଣିଷ ପଡୁଛନ୍ତି କହିଲେ ଚଳିବ୤ ଝାଡ଼ା, ବାନ୍ତି, ମୁଣ୍ଡବଥା, ଜ୍ବର, ଯାହା ବି ହେଇଥାଉ ଡ଼ାକ୍ତର ଆଜ୍ଞାଙ୍କ ଇଞ୍ଜେକ୍ସନ୍ ପାଇଲେ ଏକାଥରେ ଠିକ୍୤

ସେଦିନ ଗାଁ ମଣ୍ଡପ ଉପରେ ସବୁ ବସି କଥା ହେଉ ହେଉ ହରିଆ କହିଲା, ‘ସାନହରିପୁର ଭଳିଆ ସାନ ଗାଁ ଛକରେ ଏତେ ବଡ଼ ଡ଼ାକ୍ତର ଆସି ରୋଗୀ ଦେଖୁଛନ୍ତି, ଆମ ଗାଁ କଣ ତା’ଠୁ ସାନ କି ? ଆମ ଗାଁରେ ବି ଜଣେ ଡ଼ାକ୍ତର ରହିବା ଦରକାର୤’ ସମସ୍ତେ ହଁ ଭରିଲେ୤ କଥାଟା ସତ୤ ବାଳୁ କହିଲା, ‘କକା ଯଦି କହିବ, ଡ଼ାକ୍ତର ଆଜ୍ଞାଙ୍କୁ କହିବା ଆମ ଗାଁକୁ ବେଳେ ବେଳେ ଆସି ରୋଗୀ ଦେଖିବେ୤’ ସମସ୍ତଙ୍କ ମନକୁ କଥାଟା ପାଇଲା୤ ବଇଁଶୀ କହିଲା, ‘ମୋ ପରିବା ଦୋକାନ ପାଖାରେ ଯୋଉ ଘରଟା ଅଛି ସେଇଠି ବସିବା ବ୍ୟବସ୍ଥା କରିଦେବା୤ ଦିନେ ଓଳିଏ ଆସିଲେ ସୁଧାରୁ କେତେ ଲୋକବାକ ସୁବିଧା ପାଇବେ ନା୤ ଆମ ଗାଁକୁ ଲାଗିକି ଯୋଉ ଚାରି ପାଞ୍ଚ ଖଣ୍ଡ ଗାଁ ଅଛି ସେମାନେ ବି ଆସିବେ୤’ ଏମିତି ଚର୍ଚ୍ଚା ଚାଲୁଥିବା ସମୟରେ ବନ୍ଧରୁ ଗାଁ କାର୍ଜି କରଣ ଆସୁଥିଲେ, କାର୍ଜିଏ ଅଟକି ଯାଇ କହିଲେ, ‘କି’ରେ କି ଯୋଜନା କରୁଚ ସବୁ ?’ ହରିଆ କହିଲା, ‘ଆଜ୍ଞା ଆମ ଗାଁ’କୁ ବଙ୍ଗାଳୀ ଡ଼ାକ୍ତରଙ୍କୁ ଡ଼ାକିବୁ ବୋଲି ଭାବୁଛୁ୤’ କାର୍ଜିଏ ହସି ଦେଇ କହିଲେ, ‘ଆରେ, ସେ କ’ଣ ଡ଼ାକ୍ତର ? ଠକଟା୤ ଡ଼ାକ୍ତରୀ ପଢ଼ିଥିଲେ ଚାକିରୀ ନ କରି ଆସି ଆମ ଗାଁରେ ବସନ୍ତା୤ ବେକାର ପିଲାଟା, କୋଉଠୁ କଣ ଟିକେ ଶିଖିଦେଇ ବୋର୍ଡ୍ ମାରିଦେଇଛି ନା୤’ କାର୍ଜିଏ ଚାଲିଗଲେ୤ ସମସ୍ତଙ୍କ ମନ ଫିକା ହେଇଗଲା୤ ବାଳୁ କହିଲା, ‘ତୁ ଛାଡ଼ କକା, ଚିନ୍ତା କରେନା୤ ଶଃ.., କାର୍ଜି ହେଇଗଲା ବୋଲି ଯାହା ଇଚ୍ଛା ତାହା କହିଲେ ଚଳିବ୤ ଏତେ ଲୋକ ଯୋଉଠି ଭଲ ହେଉଛନ୍ତି ସେ କଣ ଖାଲିଟାରେ ହେଇ ଯାଉଛି ? ଆରେ ଆଜି ଯାଏଁ ଗାଁରେ ଯାହାର ବି ଦେହ ଖରାପ ହେଲେ, କାର୍ଜି ଓଷବିଷ ଦେଉଥିଲେ ନା ନାଇଁ, ସେ କଣ ଡ଼ାକ୍ତର ? ହା, କହିଲା ନା କଣ, ଠକ ଟା୤ ମୁଁ ନିଷ୍ପତ୍ତି ନେଇଛି ଗାଁକୁ ବଙ୍ଗାଳୀ ଡ଼ାକ୍ତର ଆସିବ ବୋଇଲେ ଆସିବ୤’

ବଇଁଶୀ ପରିବା ଦୋକାନ ପାଖାରେ ଥିବା ଘରେ ଟେବୁଲ୍ ଚେୟାର୍ ପକାଇ ସବୁ ବ୍ୟବସ୍ଥା ହେଲା୤ ବଙ୍ଗାଳୀ ଡ଼ାକ୍ତର ସକାଳୁ ଆସି ଦୁଇ ତିନି ଘଣ୍ଟା ରହିଲେ୤ ଯାହାକୁ ଯାହା ଦରକାର ଇଞ୍ଜେକ୍ସନ୍, ବଟିକା ସବୁ ଦେଲେ୤ ରୀତିମତ ଗାଁରେ ଗୋଟେ ଚିକିତ୍ସାଳୟ ହୋଇଗଲା୤ ବାଳୁ ଗୋଟେ ଔଷଧ ଦୋକାନ ଦେବ ବୋଲି କହୁଥିଲା୤ ସବୁ ଠିକ୍ ଚାଲୁଥିବା ସମୟରେ ଦିନେ ହଠାତ୍ ବିଭ୍ରାଟ ହେଇଗଲା୤ ବଙ୍ଗାଳୀ ଡ଼ାକ୍ତର ପାଖକୁ ଯାଇଥିଲା କାଳିଆ ଓଡ଼ିଆ ଭାର୍ଯ୍ୟା ଲକ୍ଷ୍ମୀ, ପେଟ କାଟୁଛି ବୋଲି, ସେ କଣ ଗୋଟେ ଇଞ୍ଜେକସନ୍ ଦେବାପରେ ସବୁ ଠିକ୍ ହେଇଯାଇଥିଲା, ହେଲେ ଡ଼ାକ୍ତର ଯିବାପରେ ପରେ ପୁଣି ପେଟ କାଟିଲା ଯେ ଲକ୍ଷ୍ମୀ ଚେତା ହରେଇ ପଡ଼ିଗଲା୤ ବାଳୁ ତା’କୁ ନେଇ ସାନହରିପୁର ଛକକୁ ଗଲା୤ ଗାଁରୁ ଦିକୋଡ଼ି ଲୋକ ସାଥିରେ ଯାଇଥିଲେ୤ ଡ଼ାକ୍ତର ଲକ୍ଷ୍ମୀକୁ ପରୀକ୍ଷା କରି କହିଲେ, ୟା’ର ଅବସ୍ଥା ସିରିୟସ୍, ୟା’କୁ ବଡ଼ ମେଡ଼ିକାଲ୍ ନେବାକୁ ପଡ଼ିବ୤ ସେଇଠୁ ବସରେ ବସି ଲକ୍ଷ୍ମୀକୁ ନେଇ ବରହ୍ମପୁର୍ ଯାଇଥିଲା ବାଳୁ୤ ଦି ଓଳି ରହିବା ପରେ ଲକ୍ଷ୍ମୀର ଚେତା ଆସିଲା୤ ବଡ଼ ମେଡ଼ିକାଲ ଡ଼ାକ୍ତର ଗାଁ ଡ଼ାକ୍ତରଙ୍କ ଚିଠା ଦେଖି ଉପସ୍ଥିତ ସବୁ ଲୋକଙ୍କୁ ବହେ ଗାଳି ଦେଲେ୤ କହିଲେ, ‘ଇୟେ କୋଉ ଡ଼ାକ୍ତର ? କୋଉ ମେଡ଼ିକାଲ୍ କଲେଜରେ ପଢ଼ିଛି ? ରୋଗର ନାଁ ନାଇଁ କି ଡ଼ାକ୍ତରଙ୍କ ନାଁ ନାଇଁ ? ଗ୍ୟାଷ୍ଟିକ୍ ବେମାରୀରେ ସେ ପେନ୍ କିଲର୍ ଦେଇଛି ?’ ସବୁ ଲୋକ ଆଁ କରି ରହିଲେ୤ ବଡ଼ ଡାକ୍ତର ବାବୁ ବିରକ୍ତ ହୋଇ ଚାଲିଗଲେ୤ ଲୋକ କିଛି ବୁଝିଲେ ନାହିଁ୤ ବାଳୁ କୁ ପଚାରିବା ପରେ ସେ କହିଲା, ଯେ ବଙ୍ଗାଳୀ ଡ଼ାକ୍ତର କମ୍ ଔଷଧ ଦେଇଛି ବୋଲି ଡ଼ାକ୍ତର ଆଜ୍ଞା ବିଗୁଡୁଥିଲେ୤

ସଞ୍ଜ ବେଳକୁ ମେଡ଼ିକାଲରେ ପାଠ ପଢୁଥିବା ପିଲାମାନେ ବଗପରି ଧଳା ଧଳା କୋଟ୍ ପିନ୍ଧି ଆସିବାପରେ କାଳିଆ ଓଡ଼ିଆ ଜଣେ ପିଲାକୁ ସାହାସ କରି ସକାଳେ ଡ଼ାକ୍ତର ଆଜ୍ଞା ରାଗିବା କାରଣ ପଚାରିଲା୤ ସେ ପିଲା ପଚାରିଲା, ‘ଯୋଉ ଡ଼ାକ୍ତର ତୁମ ସ୍ତ୍ରୀଙ୍କୁ ଔଷଧ ଦେଇଥିଲେ, ସେ କ’ଣ ସତରେ ଡ଼ାକ୍ତର ?’Click Here to download Magazine

କାଳିଆ କହିଲା, ‘କେଜାଣି ଆଜ୍ଞା୤ ଆମ ଗାଁ ଛକରେ ଦୋକାନଟେ ଦେଇଛନ୍ତି୤ ସବୁଦିନ ଆସି ରୋଗୀ ଦେଖୁଛନ୍ତି ବୋଲି ଆମେ ବି ଯାଇଥିଲୁ୤ ବଙ୍ଗାଳୀ ଡ଼ାକ୍ତର ବୋଲି ସବୁ କହୁଛନ୍ତି୤’

ଡ଼ାକ୍ତର ପିଲା ହସିଲା କହିଲା, ‘ତୁମେ ଭାଗ୍ୟ କରିଛ, ତୁମ ସ୍ତ୍ରୀକୁ ସାଙ୍ଗେ ସାଙ୍ଗେ ଧରି ପଳେଇ ଆସିଲ, ନହେଲେ ସେ ମରି ଯାଇଥାନ୍ତେ୤ ବୁଝିଲ୤ ସେ ଲୋକକୁ କିଛି ଜଣା ନାହିଁ୤ ଓଲଟା ଔଷଧ ଦେଇଥିଲା ବୋଲି ତୁମ ସ୍ତ୍ରୀର ଏ ଅବସ୍ଥା ହେଲା୤ ଆଉ ଅଧିକ ସମୟ ତୁମେ ଯଦି ତା’ପାଖରେ ଚିକିତ୍ସା କରିଥାନ୍ତ, କହିଲେ ସେ ନିଶ୍ଚୟ ତୁମ ସ୍ତ୍ରୀର ପେଟ କଣା କରି ଦେଇଥାନ୍ତା୤’

କାଳିଆ ଓଡ଼ିଆ ମନକୁ କଥାଟା ବାଧିଲା୤ ବାଳୁକୁ ଚାହିଁଲା୤ ବାଳୁ ନିର୍ବାକ୤

ସପ୍ତାହ ଖଣ୍ଡେ ବଡ଼ ମେଡ଼ିକାଲରେ ରହିବା ପରେ କାଳିଆ ଗାଁକୁ ଫେରିଲା୤ ଶୁଣିଲା ବଙ୍ଗାଳୀ ଡ଼ାକ୍ତର ଆଉ ଗାଁକୁ ଆସୁନାହାନ୍ତି୤ ସାନହରିପୁର ଛକରେ ସେ ଯୋଉ କ୍ଲିନିକ୍ କରିଥିଲେ, ସେଠି କାଳେ ତାଲା ଝୁଲୁଚି୤ ବାଳୁକୁ ସବୁ ଖୋଜୁଥିଲେ, କିଏ ଜଣେ କହୁଥିଲା ସେ କାଳେ ସୁରାଟ୍ ପଳେଇଚି୤ ସଞ୍ଜ ବେଳକୁ ମଣ୍ଡପ ଉପରେ ବସି କାଳିଆ ବଡ଼ ମେଡ଼ିକାଲ କଥା ସମସ୍ତଙ୍କୁ ଶୁଣଉଥିଲା୤ କାର୍ଜିଏ ସେଇ ବାଟ ଦେଇ ଆସୁଥିଲେ, ହସି ଦେଇ କହିଲେ, ‘ଆମେ ସବୁ ବୁଢ଼ା ହେଲୁଣୁ ନା, ଆମ କଥା କିଏ ଶୁଣୁଛି ?’ ହରିଆ କାନ ଧରି କହୁଥିଲା, ‘ଏ ଥର ଭୁଲ ହେଇଗଲା ମାଷ୍ଟ୍ରେ୤ ଆଉ ଏ ଭୁଲ ହେବନି୤’ କରଣ ଆଜ୍ଞା କହୁଥିଲେ, ‘ସରପଞ୍ଚ ଆଜ୍ଞାଙ୍କୁ କୁହ, ସେ ଚାହିଁଲେ ଗାଁରେ ସ୍ବାସ୍ଥ୍ୟକେନ୍ଦ୍ରଟେ ଖୋଲିଦେବେ୤’

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଏଠାରେ ପଢ଼ନ୍ତୁ !
ଆମ ଗାଁ ହାଲଚାଲ - ୧

ଆମ ଗାଁ ହାଲଚାଲ - ୧

ଏଠାରେ ପଢ଼ନ୍ତୁ !