favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆମ ଗାଁ ହାଲଚାଲ - ୧

ଆମ ଗାଁ ହାଲଚାଲ - ୧

ଡ଼ା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ଗାଁ ବସଷ୍ଟାଣ୍ଡ ଉପରେ ରଘୁଆର ପାନ ଦୋକାନ ସାମନାରେ ବସି ହରି, ବୁଲୁ, ଘନ ଆଉ କୁନା କଥା ହେଉଥିଲେ୤ ଆମ ଗାଁ ମାଷ୍ଟ୍ରେ ଏତେ ବର୍ଷ ହେଲା ଆମ ଗାଁକୁ ଆସି ଆମ ସମସ୍ତଙ୍କୁ ପାଠ ପଢ଼େଇଲେ, ହେଲେ ନିଜ ଜୀବନରେ ପାଇଲେ କଣ ? ନବ ଭାଇନାର ପୁଅଟାକୁ ଗଧ ଗଧ ବୋଲି ଡ଼ାକୁଥିଲେ, ଏବେ ସିଏ ବି ମାଷ୍ଟ୍ରଙ୍କଠୁ ଅଧିକ ପଇସା ପାଇଲାଣି୤ ମାଷ୍ଟ୍ରେ କହୁଥିଲେ ତା ଦେଇ କିଛି ହେବନି, ହେଲେ ଦେଖ ଏବେ ସେ ରାଜଧାନୀରେ କୋଠା ମଡ଼େଇଲାଣି୤ ରାଧୁ ପଣ୍ଡିତଙ୍କ ପୁଅ ଦୁବେଇ ଯାଇକି ଏତେ ଟଙ୍କା ପଠେଇଲାଣି ଯେ ତା ବୋପା ଗଣିବା ଜାଣିନି୤ ରଘୁଆ ପାନ ଭାଙ୍ଗୁ ଭାଙ୍ଗୁ କହିଲା, ‘ହଇରେ, ତୁମ ଶଳାମାନଙ୍କୁ ଆଉ କିଛି କାମ ନାହିଁ ? ହଁ ? ମାଷ୍ଟ୍ରେ ଭଳିଆ ଦେବତା ପୁରୁଷକୁ ସେ ଚୋର ମାନଙ୍କ ସହ ତୁଳନା କରୁଚ ? ଛି ? ସେଇ ମାଷ୍ଟ୍ରେ ଥିବାରୁ ନୋକା ଭାଇର ପୁଅ ଏବେ ବରମ୍ପୁରରେ କଲେଜରେ ମାଷ୍ଟ୍ର ହେଇଛି୤ ସଁତ ଭାଇନାର ପୁଅ ଇଞ୍ଜିନିୟର୍ ହେଇଛି୤ କାଳୁର ପୁଅ ଗାଁରେ ଥିଲେ କ୍ଷୁର କରିଥାନ୍ତା, ଏବେ ରାଜଧାନୀରେ ଚାକିରୀ କରୁଚି୤ ସେ ସବୁ ଆଉ ଦିଶୁନି ?’

ହରି କହିଲା, ‘ବୁଝିଲୁ ରଘୁଆ, ତୁ କହ୤ ସଭେଁତେ ସବୁ ହେଲେ ବି ମାଷ୍ଟ୍ରେ କଣ ହେଲେ ? ସେଇ କପର୍ଦ୍ଦକଶୂନ୍ୟ !!!’ ସମସ୍ତେ ଫେଁ କିନା ହସିଦେଲେ୤ ରଘୁଆ ଗମ୍ଭୀର ହୋଇ କହିଲା, ‘ମାଷ୍ଟ୍ରେ ଆଜ୍ଞା ପୂଣ୍ୟ ପାଇଲେ୤ ତାଠୁ ବଡ଼ କଥା ଆଉ କଣ ଅଛି୤’ ସବୁ ସେଇଠୁ ଉଠିଲେ୤ ସ୍କୁଲ୍ ଛୁଟି ହେଲାଣି୤ ପିଲାମାନେ ସବୁ ନିଜ ନିଜ ଘରକୁ ଫେରିଲେଣି୤ ମାଷ୍ଟ୍ରେ ନିଜ ସେଇ ପୁରୁଣା ସାଇକେଲ୍‌କୁ ଧରି ଚାଲିଲେ୤ ରଘୁଆ ପାନ ଦୋକାନ ପାଖରେ ସାଇକେଲରୁ ଓହ୍ଲାଇ ବସିପଡ଼ିଲେ୤ ରଘୁଆ ମାଷ୍ଟ୍ରଙ୍କ ମନପସନ୍ଦ ପାନ ତିଆରି କରି ବଢ଼େଇଦେଲା୤ ମାଷ୍ଟ୍ରେ ପାନଟା କଳରେ ଦେଇ ଉଠି ପଡୁଥିଲେ, ରଘୁଆ କହିଲା, ‘ମାଷ୍ଟ୍ରେ ଗୋଟେ କଥା ମନକୁ ଆସୁଥିଲା୤ ବୋଇଲେ, ମନକୁ ନବନି ବୋଇଲେ କହିବି୤’

ମାଷ୍ଟ୍ରେ ହସିଦେଇ କହିଲେ, ‘କହ୤’

‘ହଇହେ ମାଷ୍ଟ୍ରେ, ତମେ ଆମ ଗାଁରେ ତିରିଶିବର୍ଷ ହେଲାଣି ମାଷ୍ଟ୍ର ହେଇଚ୤ ତମେ ପଢ଼େଇଥିବା ପିଲାମାନେ ଇଞ୍ଜିନିୟର୍, ମାଷ୍ଟ୍ର ଆଉ କେତେ କିସ ହେଲେଣି୤ ହେଲେ ତମେ ଯୋଉ ଗରୀବକୁ ସେଇ ଗରୀବ୤ ତମ ମନ କରୁନି, ବେଶୀ ଟଙ୍କା ଅର୍ଜିବା ପାଇଁ ? ରଘୁନାଥପୁର ଶାସନରେ ହରିପଣ୍ଡାଙ୍କ ପୁଏ ପିଲାମାନଙ୍କୁ ଘରେ ପାଠ ପଢ଼େଇ ମାସକୁ ଛ’କୋଡ଼ି ଅର୍ଜୁଚି, ତମେ ଆପଣେ ସେମିତି କରୁନ ? ମାସକୁ ଦି ଚାରି କୋଡ଼ି ଅଧିକ ମିଳିଲେ, ଜମିଜମା ଖଣ୍ଡେ କରନ୍ତନି ?’ ରଘୁଆ ଏକା ନିଃଶ୍ବାସରେ କହି ପକାଇଲା୤

ମାଷ୍ଟ୍ରେ ହସିଦେଇ କହିଲେ, ‘ହୁଁ, ତୁ ସତ କହୁଛୁରେ ରଘୁଆ୤ ମୋ ଛାତ୍ରଛାତ୍ରୀମାନେ କିଏ କଣ କଣ ସବୁ ହେଲେଣି, ମୁଁ ସେଇ ମାଷ୍ଟ୍ର ହେଇ ରହିଗଲି୤ ଟଙ୍କାପଇସା ନେଇ କରିବି କଣ ? ମୋର ପିଲାଝିଲା ତ କେହି ନାହାନ୍ତି୤’ ମାଷ୍ଟ୍ରଙ୍କ ଆଖିରେ ଲୁହ ଜକେଇ ଆସୁଥିଲା୤ ଏଇ ଗାଁରେ ଯେତେବେଳେ ମାଷ୍ଟ୍ରେ ନୂଆ ନୂଆ ଆସିଥିଲେ, ବାହାହେଇ ମାଷ୍ଟ୍ରାଣୀଙ୍କୁ ଧରି ଆସିଥିଲେ୤ ହେଲେ ସେଇ ସମୟରେ ଏମିତି ହଇଜା ବ୍ୟାପିଲା ଯେ ମାଷ୍ଟ୍ରଙ୍କର ଗୋଟେ ଝିଅ ସେଥିରେ ଚାଲିଗଲା୤ ଗାଁ ଛାଡ଼ି ପଳେଇବାକୁ ଜିଦ୍ ଧରି ମାଷ୍ଟ୍ରାଣୀ ମଧ୍ୟ ଝିଅ ଦୁଃଖରେ ପଛେ ପଛେ ଚାଲିଗଲେ୤ ସେହି ଦିନୁ ମାଷ୍ଟ୍ରେ ଗାଁ ପିଲାଙ୍କୁ ନିଜ ପିଲା କରିନେଲେ୤ କାହାକୁ ସ୍ନେହରେ କମ୍ କରିନାହାନ୍ତି୤ ସତ କଥା ସେ ଟଙ୍କା ପଇସା କାହା ପାଇଁ ରୋଜଗାର୍ କରିବେ ? ଖାଇବ କିଏ ? ନା ସ୍ତ୍ରୀ ଅଛି ନା ଝିଅ୤ ମାଷ୍ଟ୍ରେ ସାଇକେଲ୍ ଗଡ଼େଇ ଗାଁ ଆଡ଼କୁ ଚାଲିଲେ୤

ରବିବାର ଅପରାହ୍ନ, ଗାଁରେ ସବୁ ଖାଇ ପିଇଦେଇ ନିଜ ନିଜ ବାରନ୍ଦାରେ ଗଡୁଛନ୍ତି୤ ସଞ୍ଜବେଳକୁ କୋଠଘରେ କୀର୍ତ୍ତନ ହେବ୤ ରଘୁ ପୁରୋହିତଙ୍କ ପୁଅ, କୋଠଘର ବାହାରେ ବସି ନଡ଼ିଆ କୋରୁଚି୤ ତେଲି ଦୋକାନରୁ କଦଳୀ ଦି’ଟା, ନବାତ ଆଠଣାର ଆଣିସେଥିରେ ପକେଇ ଦେଇଛି୤ ମାଷ୍ଟ୍ରେ ସବୁଦିନ ଭଳି ନିଜ ପିଣ୍ଡାରେ ବସି ଢୁଳେଇ ଢୁଳେଇ କିଛି ପିଲାଙ୍କୁ ଗଣିତ ପଢ଼ଉଚନ୍ତି୤ ମାଷ୍ଟ୍ରେ ପଢ଼ଉ ପଢ଼ଉ ହଠାତ୍ କଚାଡ଼ି ହୋଇ ପିଣ୍ଡାତଳକୁ ପଡ଼ିଗଲେ୤ ପିଲାମାନେ ମାଷ୍ଟ୍ରଙ୍କୁ ଟେକାଟେକି କରି ପିଣ୍ଡାରେ ବସେଇଲେ, ହେଲେ ମାଷ୍ଟ୍ରଙ୍କ ଚେତା ନଥିଲା୤ ବଡ଼ବଡ଼ିଆ ଦି ଚାରିଜଣ ଆସିଲେ୤ ମୁହଁରେ ପାଣି ଛାଟି କରି ଦେବାପରେ ଚେତା ଆସିଲା୤ କେମିତି ପଡ଼ିଗଲ ହେ ମାଷ୍ଟ୍ରେ ବୋଲି ଘନ ଅଜା କହିବା ପରେ ମାଷ୍ଟ୍ରେ ତା ମୁହଁକୁ ଚାହିଁ ରହିଲେ ଆଉ କହିଲେ, ‘ଜାଣିନି୤ ମୁହଁଟା ବୁଲେଇ ଦେଲା୤’ ପିଲାମାନଙ୍କୁ ବିଦା କରିଦେଇ, ମାଷ୍ଟ୍ରଙ୍କୁ ପିଣ୍ଡାରେ ମସିଣା ପକେଇ ଶୁଆଇ ଦିଆଗଲା୤

ସଞ୍ଜବେଳକୁ କାଳୀ କମ୍ପାଣ୍ଡର ଆସି ମାଷ୍ଟ୍ରଙ୍କୁ ଦେଖି କହିଲା, ବ୍ଲଡ଼୍ ପ୍ରେସର୍ ବେମାରୀ ଭଳି ଲାଗୁଛି୤ ଉଚ୍ଚ ରକ୍ତଚାପ ହେଇ ଯାଇଛି୤ ତେଣୁ ମୁହଁ ବୁଲେଇ ଦେଲା୤ ସେ ଯା ହେଉ ସେ କଣ ଗୋଟେ ଇଞ୍ଜେକ୍‌ସନ୍ ଦେଇ ଚାଲିଗଲା୤ ରାତିରେ ମାଷ୍ଟ୍ରଙ୍କ ଘରେ ଜଗିବା ପାଇଁ ଚାରିଜଣ ଛାତ୍ର ଯୋଗାଡ଼ କରାଗଲା୤ ଅବଶ୍ୟ ଏହାପରେ ଆଉ ଅସୁବିଧା ହେଇନି, ହେଲେ ଗାଁ ଲୋକ ଦେଖୁଥିଲେ ମାଷ୍ଟ୍ରେ ସତେ ଯେମିତି ହଠାତ୍ ବୁଢ଼ା ହେଇ ଯାଇଥିଲେ୤ ଆଉ ବେଶୀ କଥାବାର୍ତ୍ତା କରୁନଥିଲେ୤ ସ୍କୁଲକୁ ଘର ଯାହା ହେଉଥିଲେ୤ ତା’ପରେ ତାଙ୍କୁ କେହି ଦେଖିବାକୁ ପାଉନଥିଲେ୤ ଘର ପିଣ୍ଡାରେ ବି ବେଶୀ ବସାଉଠା କରୁନଥିଲେ୤

ରଘୁଆ ଦୋକାନ ଆଗରେ ବସି ସବୁ ଗପ କରୁଥିଲା ବେଳେ ହରି କହୁଥିଲା, ‘ମାଷ୍ଟ୍ର ବୁଢ଼ାଟା କୋଉ ମୁହୂର୍ତ୍ତରେ ଚାଲିଯିବ ଭଳି ଲାଗୁଚି୤ ଦେହ ପା ଜମା ଭଲ ରହୁନି୤ କୋଉ ଗାଁ ଲୋକ ସିଏ କେଜାଣି୤ ସିଏ ଚାଲିଗଲେ ତା ସତ୍କାର କିଏ କରିବ ?’ ବନ କହିଲା, ‘କୋଉ ଗାଁ ବୋଇଲେ କିସ ? ସିଏ ତ ଆମ ଗାଁରେ ତିରିଶି ବର୍ଷ ହେଲାଣି ଅଛନ୍ତି, ତେଣୁ ଆମ ଗାଁ ଲୋକ, ଯାହା କରିବା ଆମେ ହିଁ କରିବା ନା୤’ ରଘୁଆ କହୁଥିଲା, ‘ଯାହେଲେ ବି ତାଙ୍କର ଭାଇପୁଞ୍ଜା କୋଉଠି ଥିବେ ଯଦି ? ଆମେ ମାଷ୍ଟ୍ରଙ୍କୁ ପଚାରିଦେଲେ ଭଲ ହେବ୤ ଯଦି କେହି ଅଛନ୍ତି ତାଙ୍କୁ ତାର(ଟେଲିଗ୍ରାମ) କରିଦେଲେ ସେମାନେ ଆସିବେ ପରା୤’

ଖରାଦିନ ହେଇଗଲା୤ ସ୍କୁଲ୍ ଛୁଟି୤ ମାଷ୍ଟ୍ରେ ଏବେ ଟିକେ ନିଃଶ୍ବାସ ମାରିବାକୁ ସମୟ ପାଇଲେ୤ ସେ ଯା ହେଉ ଛୁଟି ଟା ଭିତରେ ମାଷ୍ଟ୍ରେ ପୁରା ଠିକ୍ ହେଇଗଲେ୤ ଏବେ ସେ ପୁଣି ଆଗଭଳି ସାଇକେଲ୍ ମାରି ଗାଁ ଗାଁ ଯାଉଥିଲେ୤ ରଘୁଆ ଦୋକାନର ପାନ ଖାଉଥିଲେ୤ ରବିବାର ସଞ୍ଜରେ କୀର୍ତ୍ତନରେ ଗାଉଥିଲେ୤ ଶ୍ରାବଣ ମାସଟା ଆସୁ ଆସୁ ସବୁ ବଦଳି ଯାଇଥିଲା୤ ମାଷ୍ଟ୍ରେ ସତେ ଯେମିତି ନୂଆ ହେଇଯାଇଥିଲେ୤ ସେଇ ବର୍ଷ ଗାଁ ସ୍କୁଲକୁ ନୂଆ ମାଷ୍ଟ୍ରଜଣେ ଆସିଲେ୤ ସିଏ ଟୋକା ଲୋକ, ତେଣୁ ଅଧିକାଂଶ ଦିନ ସ୍କୁଲ ଆସନ୍ତି ନାହିଁ୤ ମାଷ୍ଟ୍ରେ କେବେ କିଛି କହନ୍ତି ନି୤ ଗାଁ ପିଲେ ନୁଆ ମାଷ୍ଟ୍ରଙ୍କ ଚାଲିଚଳଣିରେ ଖୁଶିନଥିଲେ୤ କିଏ କିଏ ଦାବୀ କଲେ ଯାଇ ଅଭିଯୋଗ କରିବା ପାଇଁ୤ କାର୍ଜି କରଣ ଏ କଥାକୁ ନେଇ ଚର୍ଚ୍ଚା କରୁଥିଲେ୤ ଗାଁ ମଝି ମଣ୍ଡପ ଉପରେ ସବୁ ବସି କଥା ହେଉଥିଲେ, ସଞ୍ଜ ବେଳକୁ କରଣ ଆଜ୍ଞା ମାଷ୍ଟ୍ରଙ୍କୁ କହୁଥିଲେ, ‘ସେ ନୂଆ ଟୋକାକୁ ଆପଣ ଟିକେ କିଛି କୁହନ୍ତୁ୤ ଏକା ଆପଣଙ୍କ ଉପରେ ସବୁ ଦାୟିତ୍ବ ଦେଇ ସେ କାହିଁକି ଆସୁନାହାନ୍ତି୤ ଯଦି ସେ ଏମିତି ସବୁଦିନ କରିବେ ତ ଆମେ ଯାଇ ସ୍କୁଲ୍‌ଡ଼ିଆଇ ଅଫିସରେ ଅଭିଯୋଗ କରିବୁ୤’

ମାଷ୍ଟ୍ରେ ହସିଦେଇ କହିଲେ, ‘ପିଲାଲୋକ ତେଣୁ ବୋଧ ହୁଏ ଏବେ ନୂଆ ନୂଆ ପାଠ ପଢ଼େଇବାରେ ମନ ଲାଗୁନି୤ ଧିରେ ଧିରେ ସବୁ ଠିକ୍ ହେଇଯିବ୤ ମୁଁ ଆଉ କେତେ ଦିନ ରହିବି୤ ଦିନେ ନା ଦିନେ ମୋତେ ତ ଚାକିରୀରୁ ବାହାରିବାକୁ ପଡ଼ିବ ନା୤ ତା’ପରେ ସେ ହିଁ ସବୁ କଥା ବୁଝିବ୤’

ନୂଆ ମାଷ୍ଟ୍ରେ ଯେତେ ଯାହା କଲେ ବି ଗାଁ ମାଷ୍ଟ୍ରେ ତା’ର ସବୁ ଦୋଷଦୁର୍ଗୁଣକୁ ଘୋଡ଼େଇବାକୁ ଲାଗିଲେ୤ ହେଲେ ନୂଆ ମାଷ୍ଟ୍ରଙ୍କ ବିରୁଦ୍ଧରେ ଗାଁରେ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାକୁ ଲାଗିଲା୤ ଏଇ କଥାକୁ ନେଇ ନୂଆ ମାଷ୍ଟ୍ରେ ଆଉ ଗାଁ ମାଷ୍ଟ୍ରେଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ କଥା ଗଲା୤ ନୂଆ ମାଷ୍ଟ୍ରେ କାଳେ ଡ଼ିଆଇଙ୍କ ପାଖ ଲୋକ ତେଣୁ ସେ କଥା କଥାରେ ମାଷ୍ଟ୍ରଙ୍କୁ ଧମକାଇବାକୁ ପଛାଇଲେ ନାହିଁ୤ ହେଲେ ମାଷ୍ଟ୍ରେ ନିରବ ରହିବାର କାରଣ କେହି ଖୋଜି ପାଇଲେ ନି୤

କାର୍ତ୍ତିକ ମାସ ଚାଲିଥିଲା୤ ଗାଁରେ ଭାରୀ ବଡ଼ ପର୍ବ୤ ପୂର୍ଣ୍ଣିମା ପାଇଁ ସବୁ ଆୟୋଜନ ଚାଲିଥିଲା୤ ଗାଁ ପିଲେ ସବୁବର୍ଷ ମାଷ୍ଟ୍ରଙ୍କ ପାଖକୁ ଆସି କଣ କେମିତି ସବୁ ହୁଏ ସେ ବିଷୟରେ ବୁଝା ବୁଝି କରନ୍ତି୤ ଗାଁରେ କାର୍ଜି କରଣଙ୍କ ପରେ ମାଷ୍ଟ୍ରେ ହେଲେ ସବୁଠୁ ବେଶୀ ଜାଣିବା ଲୋକ୤ ତେଣୁ ସବୁ ତାଙ୍କୁ ଖୁବ୍ ମାନନ୍ତି୤ ହେଲେ ଯେବେଠୁ ନୂଆ ମାଷ୍ଟ୍ର ଆସିଚନ୍ତି, ଗାଁ ପିଲାଙ୍କ ସହ ବେଶୀ ବସାଉଠା, ହେଁ ହେଁ ଫେଁ ଫେଁ ଦେଖି ଗାଁ ମାଷ୍ଟ୍ରେ ବୁଝେଇବାକୁ ଚେଷ୍ଟା କରିଛନ୍ତି ହେଲେ ସେ ଶୁଣିବା ପକ୍ଷରେ ନାହାନ୍ତି୤ ସେଇ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପିଲାମାନେ ଆଉ ମାଷ୍ଟ୍ରଙ୍କ ଘରକୁ ଆସିନଥିଲେ୤ ସେମାନେ କୁଆଡ଼େ ନୂଆ ମାଷ୍ଟ୍ରଙ୍କ ପାଖକୁ ଯାଇଥିଲେ ବୋଲି ମାଷ୍ଟ୍ରେ ଶୁଣିଲେ୤

ବୋଇତ ଭସାଣି ଛୁଟିକୁ ଆହୁରି ସାତଆଠ ଦିନ ଅଛି୤ ସେଦିନ ସ୍କୁଲରେ ସାନ ମାଷ୍ଟ୍ରେ ବଡ଼ ମାଷ୍ଟ୍ରେଙ୍କୁ ଅନେକ କଟୁ ଭାଷାରେ କଥା କହିଥିବା ସବୁ ଛାତ୍ରଛାତ୍ରୀମାନେ ଶୁଣିଲେ୤ ମାଷ୍ଟ୍ରେ ପ୍ରଥମଥର ଜୀବନରେ ସ୍କୁଲ ଚାଲୁଥିବା ସମୟରେ ଘରକୁ ଚାଲିଆସିଲେ୤ କାର୍ଜିଏ କଥା କଣ ବୁଝିବା ପାଇଁ ମାଷ୍ଟ୍ରଙ୍କ ଘରକୁ ଯାଇଥିଲେ, ହେଲେ କବାଟ ବାଡ଼େଇବା ପରେ ବି ସେ ଖୋଲିଲେ ନାହିଁ୤ ସଞ୍ଜ ଯାଇ ସକାଳ ହେଲା୤ ସବୁଦିନ ପରି ମାଷ୍ଟ୍ରେ ସକାଳୁ ସକାଳୁ ଉଠି କରଣ ଘର ଦୁଆରେ ଥିବା ଟଗର ଫୁଲ ଗଛରୁ ଫୁଲ୍ ତୋଳିବା ପାଇଁ ଗଲେନି୤ କଥା କଣ ଜାଣିବା ପାଇଁ କରଣେ ମାଷ୍ଟ୍ରେଙ୍କ ଘରକୁ ଆସିଥିଲେ୤ ହେଲେ ସେତେବେଳକୁ ସବୁ ସରି ଯାଇଥିଲା୤ ମାଷ୍ଟ୍ରେଙ୍କ ଶରୀର ନୀଳ ପଡ଼ିଯାଇଥିଲା୤ ନିଶ୍ଚଳ ଶରୀର ଖଟିଆ ଉପରେ ଆକାଶକୁ ଆଁ କରି ଅନେଇ ରହିଥିଲା୤ ଖଟ ପାଖରେ ମାଷ୍ଟ୍ରଙ୍କ ବହିଖାତାର ଥାକ, ତା’ଉପରେ ଥିଲା ଗୋଟିଏ ଚିଠି୤

କରଣ ଆଜ୍ଞା ଚିଠିଟା ଖୋଲି ଦେଖୁଥିଲେ, ମାଷ୍ଟ୍ରେ ଲେଖିଥିଲେ ରଘୁଆକୁ...

ରଘୁଆ,

ତୁ ଦିନେ ପଚାରିଥିଲୁ, ମୁଁ ଜୀବନରେ କଣ ପାଇଲି ? ସତରେ ମୁଁ କିଛି ପାଇନି୤ ଭଗବାନ ନିଷ୍ଠୁର ଥିଲେ, ତେଣୁ ମୋ ସ୍ତ୍ରୀ ଆଉ ଝିଅକୁ ମୋଠୁ ଅଲଗା କରିଦେଲେ୤ ହେଲେ ତମ ଗାଁକୁ ମୁଁ ମୋ ନିଜ ଗାଁ ବୋଲି ଭାବି ନେଇ ଗାଁ ଲୋକଙ୍କୁ ଭାଇବନ୍ଧୁ କଲି, ପିଲାଙ୍କୁ ମୋ ନିଜ ପିଲା ବୋଲି ଭାବିଲି୤ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲି ସମସ୍ତଙ୍କୁ ସଂସ୍କାର ଦେବାପାଇଁ୤ ଭଗବାନ ସାକ୍ଷୀ ଅଛନ୍ତି, ମୋ କର୍ତ୍ତବ୍ୟରେ ମୁଁ କେବେ ଅବହେଳା କରିନି୤ ମୋ ଦେଇ ଯେତେ ପର୍ଯ୍ୟନ୍ତ ହେଇଛି ମୁଁ କରିଛି୤ ତୁମ ଗାଁ ର ଅପାଠୁଆଙ୍କ ଠୁ ଯୋଉ ସ୍ନେହ ସମ୍ମାନ ପାଇଛି ସେତକ ମୋ ସମ୍ପତ୍ତି୤ ସେଇ ସମ୍ପତ୍ତି ଟିକକ ସାଥୀରେ ନେଇ ଯାଉଛି୤

ଇତି
ତୁମ ଗାଁ ମାଷ୍ଟ୍ରେ

ସତରେ ମାଷ୍ଟ୍ରେ ଥିଲେ ଅନନ୍ୟ ପୁରୁଷ୤ ଆମ ଗାଁର ପାଖାପାଖି ତିନି ପୁରୁଷକୁ ସେ ପାଠ ପଢ଼େଇ ଯାଇଛନ୍ତି୤ ଆଜି ଆମେ ଯାହା ବି ହେଇଛୁ ସବୁ ତାଙ୍କରି ଆଶୀର୍ବାଦରେ୤ ତାଙ୍କପରି ଭଦ୍ର ଅମାୟିକ ବ୍ୟକ୍ତିତ୍ବ ବିରଳ୤ ମାଷ୍ଟ୍ରଙ୍କ ସମ୍ମାନରେ ଆୟୋଜିତ ପ୍ରାର୍ଥନା ସଭାରେ କରଣ ଆଜ୍ଞା ଏଇ କଥା କହୁଥିଲେ୤ ପାଖରେ ଉପସ୍ଥିତ ରଘୁଆ ଆଖିରୁ ଦୁଇଧାର ଲୁହ ବହି ଯାଉଥିଲା୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଆମ ଗାଁ ହାଲଚାଲ - ୨

ଆମ ଗାଁ ହାଲଚାଲ - ୨

ଏଠାରେ ପଢ଼ନ୍ତୁ !
ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ଏଠାରେ ପଢ଼ନ୍ତୁ !