favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ସାମ୍ପ୍ରତିକ ସମୟରେ ବିଶ୍ବକୁ ଅସ୍ଥିର କରୁଥିବା କିଛି ସମସ୍ୟା ମଧ୍ୟରେ ଏସୀୟ ଉପ ମହାଦ୍ବୀପ ଅଞ୍ଚଳରେ ପାକିସ୍ତାନରେ ଦେଖା ଦେଇଥିବା ଅର୍ଥନୈତିକ ଅସ୍ଥିରତା ଚିନ୍ତାର ବିଷୟ ହୋଇଛି୤ ଦୈନିକ ଏହି ଦେଶର ଦୁର୍ଗତିର ଖବର ଗଣମାଧ୍ୟମ ଯେଉଁଭଳି ପ୍ରଚାର କରୁଛନ୍ତି ତାହା ଦେଖିବା ପରେ ଖୁବ୍ ଶୀଘ୍ର ଯେ ପାକିସ୍ତାନ ଶ୍ରୀଲଙ୍କା ଭଳି ଏକ ଦୁଃସ୍ଥିତିରେ ପଡିବ ତାହା ନିଶ୍ଚିତ ହୋଇ ଗଲାଣି୤
ଆସନ୍ତୁ ଜାଣିବା ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ ବିଷୟରେ୤

ଆମର ଏହି ଚର୍ଚ୍ଚାରେ ଆମେ ପାଞ୍ଚଟି ବିଷୟରେ ବୁଝିବାକୁ ଚେଷ୍ଟା କରିବା ଯଥା;
୧. ପାକିସ୍ତାନର ବର୍ତ୍ତମାନର ସ୍ଥିତି କଣ?
୨. ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ?
୩. ପାକିସ୍ତାନର ଐତିହାସିକ ସମୟ ରେଖା୤
୪. ପାକିସ୍ତାନର ଭବିଷ୍ୟତ କଣ ହୋଇପାରେ?
୫. ଏହି ପରିସ୍ଥିତିର ପ୍ରଭାବ ଭାରତ ଉପରେ କିଭଳି ଭାବରେ ପଡ଼ିବ!

ଆପଣ ମାନେ ସାମାଜିକ ଗଣମାଧ୍ୟମ ହେଉ ବା ଇଲେକ୍ଟ୍ରୋନିକ୍ ମିଡ଼ିଆ, ସବୁଠି ଏବେ ଗୋଟିଏ ଖବର ବହୁଳ ଭାବରେ ଦେଖିବାକୁ ପାଉଥିବେ ଆଉ ତାହା ହେଲା ପାକିସ୍ତାନରେ ଗହମ ଅଟାର ଅଭାବ୤ ପାକିସ୍ତାନର ଜନସାଧାରଣ ରୁଟି ଖାଇବା ଉପରେ ନିର୍ଭରଶୀଳ ହେଉଥିବା ବେଳେ ଦେଶରେ ଅଟା ମିଳୁନାହିଁ୤ ଅବସ୍ଥା ଏଭଳି ହୋଇଛି ଯେ ଅଟା ପାଇବା ପାଇଁ ଲୋକମାନେ ମାରଧର କରିବାକୁ ପଛାଉ ନାହାନ୍ତି୤ ସରକାରୀ ଅଟା ବହନ କରୁଥିବା ଗାଡିକୁ ଲୂଟ୍ କରିବା ଉଦ୍ଦେଶ୍ୟରେ ଗୋଡ଼ାଇବା ହେଉ ବା ଅଟାକୁ ସୁରକ୍ଷିତ କରିବା ପାଇଁ ଏ କେ ୪୭ ଭଳି ଅସ୍ତ୍ରରେ ସଜ୍ଜିତ ବାହିନୀର ଆବଶ୍ୟକତା ହେଉ୤ ଏହା ଦେଶର ଅବସ୍ଥା ବିଶ୍ବସ୍ତରରେ ପଦାରେ ପକାଇ ଦେଇଛି୤ ୟୁଟ୍ୟୁବ୍ ଏବଂ ଫେସବୁକ୍ ଭଳି ମାଧ୍ୟମ ଏହି ବ୍ୟବସ୍ଥା ସର୍ବସାଧାରଣରେ ଖୁବ୍ ତୀବ୍ର ବେଗରେ ପ୍ରସାର କରୁଛନ୍ତି୤ ଅଟା ଦର ଆକାଶ ଛୁଆଁ ହେଉଥିବା ବେଳେ ଅନ୍ୟାନ୍ୟ ସମସ୍ତ ଖାଉଟି ସାମଗ୍ରୀ ମଧ୍ୟ ସମାନ ରୂପେ ଅଭାବ ଦେଖା ଦେଇଛି୤ ତେଲ, କିରୋସିନି, ଗହମ, ନିତିଦିନିଆ ବ୍ୟବହାର୍ଯ୍ୟ ବସ୍ତୁ ଓ ସେବା, ପେଟ୍ରୋଲିୟମ ପଦାର୍ଥ ଆଦିର ଦର ବିଗତ କିଛି ମାସରେ ଦୁଇଗୁଣ ପାଖା ପାଖି ହୋଇ ଗଲାଣି୤ ଜନତା ତ୍ରାହି ତ୍ରାହି କରୁଛନ୍ତି୤ ଶାସକ ଦଳ ତେଣେ ଅଲଗା ଚିନ୍ତାରେ ବ୍ୟସ୍ତ, କାରଣ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଛି ଯାହା ଫଳରେ ବିଦେଶରୁ ଆମଦନୀ ହେଉଥିବା ପଦାର୍ଥ ମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ନାହିଁ୤ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ହେଉ ବା ମିତ୍ର ଦେଶ ମାନଙ୍କ ଦୟାରୁ ହେଉ ପାକିସ୍ତାନର ଅର୍ଥନୀତି ଉଣା ଅଧିକେ ଦୟା ବା ଭିକ୍ଷା ଦ୍ବାରା ଚଳେ ବୋଲି କହିହେବ୤ କଥା ହେଉଛି, ଦେଶ ଏତେ ମାତ୍ରାରେ ଋଣ ନେଇ ସାରିଲାଣି, ଯେ ବାର୍ଷିକ ଆୟବ୍ୟୟ ଅଟକଳ କରାଗଲା ବେଳେ ଦେଶର ମୋଟ ଆୟର ପାଖାପାଖି ଏକ ଚତୁର୍ଥାଂଶ ଅର୍ଥ କେବଳ ସୁଧ ସୁଝିବାରେ ଚାଲିଯାଉଛି୤ ଆଉ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଅର୍ଥର ଏଭଳି ଅଭାବ ଦେଖାଦେଇଛି ଯେ ଋଣ ତ ଋଣ ସୁଧ ସୁଝିବା ପାଇଁ ମଧ୍ୟ ଅର୍ଥ ନାହିଁ୤ ଏକ ପ୍ରକାର କହିବାକୁ ଗଲେ ଦେଶ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଯାଇଛି୤

ଗୋଟିଏ ଦେଶର ସର୍ବସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ହେଉଛି ଖାଦ୍ୟ, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା୤ ଏହି ତିନୋଟି କ୍ଷେତ୍ରରେ ପାକିସ୍ତାନ ସ୍ବାଧୀନତା ପାଇବାର ପଞ୍ଚସ୍ତରୀ ବର୍ଷ ପରେ ମଧ୍ୟ ସ୍ବାବଲମ୍ବୀ ହୋଇ ପାରିଲା ନାହିଁ୤ ଏବେ ମଧ୍ୟ ପଡୋଶୀ ରାଷ୍ଟ୍ର ମାନଙ୍କ ଉପରେ ଖାଦ୍ୟ ପଦାର୍ଥ ଉପରେ ନିର୍ଭର କରୁଥିବା ପାକିସ୍ତାନ ନିଜର ଭୁଲ ନିଷ୍ପତ୍ତି ଯୋଗୁଁ ଦେଶବାସୀଙ୍କୁ ଆଗରୁ ହିଁ ଅଭାବଗ୍ରସ୍ତ କରି ସାରିଛି, ସେ ବିଷୟରେ ଆମେ ଆଗକୁ ଜାଣିବା୤ ସେଭଳି ଔଷଧ ଭଳି ଅତ୍ୟାବଶ୍ୟକ ପଦାର୍ଥ ପାଇଁ ଭାରତ ସମେତ ଅନେକ ଦେଶ ଉପରେ ନିର୍ଭର କରୁଥିବା ବେଳେ ଏବେ ଔଷଧ କିଣିବା ପାଇଁ ମଧ୍ୟ ଅର୍ଥାଭାବ ହେତୁ ଦେଶର ସ୍ବାସ୍ଥ୍ୟସେବା ଭୁଷୁଡ଼ି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ୤ ପାକିସ୍ତାନର ଶିକ୍ଷା ହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ୤ ସମ୍ଭବତଃ ସ୍ବାଧୀନତା ପରବର୍ତ୍ତୀ ସମୟରୁ ହିଁ ଦେଶର ଶାସକ ବର୍ଗ ଶିକ୍ଷାକୁ ଆଦୌ ମହତ୍ତ୍ବ ଦେଇ ନାହାନ୍ତି, ଯାହାର କୁଫଳ ଏବେ ସମୁଦାୟ ଦେଶକୁ ଭୋଗିବାକୁ ହେଉଛି୤

ତ, ଆମେ ଜାଣିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନରେ ବର୍ତ୍ତମାନ ସ୍ଥିତି କିଭଳି ଅଛି୤ ମୋଟାମୋଟି କହିବାକୁ ଗଲେ, ଲୋକଙ୍କ ଖାଇବା ପାଇଁ ଅଟା ନାହିଁ, ଚବିଶି ଘଣ୍ଟା ବିଦ୍ୟୁତ ସରବରାହ ହୋଇ ନ ପାରି ରାତି ଆଠଟା ପରେ ବଜାର ସବୁ ବନ୍ଦ କରି ଦିଆଯାଉଛି, ଘରେ ବ୍ୟବହାର ହେଉଥିବା ରୋଷେଇ ଗ୍ୟାସ ନାହିଁ, ଜଳ ଯୋଗାଣ ହେଉନାହିଁ୤ ଔଷଧ ଏବଂ ଡାକ୍ତରୀ ଚିକିତ୍ସା ସେବା ଠପ୍ ହୋଇଯାଇଛି୤ ପେଟ୍ରୋଲିୟମ ଦ୍ରବ୍ୟ ଅଭାବରୁ ରେଳ ଯାତାୟାତ ବାଧା ପ୍ରାପ୍ତ ହେବା ସହ ବିଦ୍ୟୁତ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯାଇଛି୤ ଦେଶର ବ୍ୟାଙ୍କ ସେବା ଦୟନୀୟ ସ୍ଥିତିରେ ରହିଥିବା ବେଳେ ମନ୍ତ୍ରୀସ୍ତରୀୟ ଅଧିକାରୀ ମାନେ ଲୋକଙ୍କ ଖାଇବା ପିଇବାକୁ ନେଇ କାଟଛାଟ କରିବାକୁ ଉପଦେଶ ଦେଉଛନ୍ତି, କାରଣ ବାହାର ଦେଶରୁ ଚା, ଅଟା ଇତ୍ୟାଦି ଆମଦାନୀ କରିବା ପାଇଁ ଆବଶ୍ୟକ ବୈଦେଶିକ ମୁଦ୍ରା ନାହିଁ୤

ପାକିସ୍ତାନ ବର୍ଷ ୧୯୪୭ରେ ଭାରତ ସହ ସ୍ବାଧୀନ ହୋଇଥିଲା୤ ଭାରତ ଭୂଖଣ୍ଡର ଏକ ଅଂଶକୁ କେବଳ ମୁସଲମାନ ମାନଙ୍କ ପାଇଁ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଭାଙ୍ଗି ଦିଆଯାଇଥିଲା୤ ତତ୍କାଳୀନ ନେତୃବର୍ଗଙ୍କ ଅପରିଣାମ ଦର୍ଶିତାର ଫଳ ସ୍ବରୂପ ବିଭାଜନ ଏକ ଅବ୍ୟବସ୍ଥା ବୋଲି ପ୍ରମାଣିତ ହୋଇଥିଲା୤ ଯେତେବେଳେ ଏହି ରାଷ୍ଟ୍ର ନିର୍ମାଣ ହୋଇଥିଲା ସେଇ ସମୟରୁ ହିଁ, ସେହି ଦେଶର ଜନସାଧାରଣଙ୍କ ମନରେ ଭାରତ ପ୍ରତି ବିଦ୍ବେଷ ଭର୍ତ୍ତି କରିବା କାର୍ଯ୍ୟ କରାଗଲା୤ ଶିକ୍ଷା ବ୍ୟବସ୍ଥାରେ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ଏତେ ମାତ୍ରା ଘୃଣା ଭରି ଦିଆଗଲା ଯେ ଦେଶରେ ସଂଖ୍ୟାଲଘୁ ସମସ୍ତ ସମ୍ପ୍ରଦାୟ ପ୍ରାୟ ନିଶ୍ଚିହ୍ନ ହୋଇଗଲେ୤ ୧୯୪୭ ବେଳକୁ ୨୦ ପ୍ରତିଶତରୁ ଅଧିକ ଥିବା ହିନ୍ଦୁ, ଶିଖ୍ ଏବଂ ଅନ୍ୟାନ୍ୟ ଧର୍ମାବଲମ୍ବୀ ବର୍ତ୍ତମାନ ଦୁଇ ପ୍ରତିଶତରୁ ବି କମ ହୋଇଗଲେ୤ ଏଥିପାଇଁ ଅନ୍ୟ ଧର୍ମର ଜନବସତି ଉପରେ ଆକ୍ରମଣ, ବଳପୂର୍ବକ ଧର୍ମ ପରିବର୍ତ୍ତନ, ହତ୍ୟାକାଣ୍ଡ ଇତ୍ୟାଦି ପାଇଁ କୌଣସି ଦଣ୍ଡାବଧାନ କରାଗଲା ନାହିଁ୤ ହେଲେ ହିଂସାକାଣ୍ଡରେ ଲିପ୍ତ ଏହି ଦେଶ ନିଜର ଦେଶବାସୀଙ୍କ ପାଇଁ ବି କୌଣସି ଉଲ୍ଲେଖନୀୟ କାର୍ଯ୍ୟ କରିପାରିନଥିଲା୤ ଦୀର୍ଘ ପଞ୍ଚସ୍ତରୀ ବର୍ଷର ଏହାର ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିବାକୁ ସକ୍ଷମ ହୋଇନାହାନ୍ତି୤ ଅନେକଙ୍କୁ ହତ୍ୟା କରାଯାଇଛି, କିଛି ଦେଶାନ୍ତର ଦଣ୍ଡ ଭୋଗିଛନ୍ତି୤ ଏହିଭଳି ଏକ ମୌଳିକତା ରଖୁଥିବା ଦେଶ ଉନ୍ନତି କେମିତି କରିଥାନ୍ତା? ସ୍ବାଧୀନତା ପାଇବାର କିଛି ମାସ ପରେ ହିଁ ଏହି ନବଗଠିତ ଦେଶ ଭାରତ ଉପରେ ଆକ୍ରମଣ କରିବାକୁ ପଛାଇ ନଥିଲା୤ ପଛକୁ ପଛ ଚାରିଥର ଭାରତର ଅଖଣ୍ଡତା ଓ ସଂପ୍ରଭୂତାକୁ କ୍ଷୁର୍ଣ୍ଣ କରିବାର ଦୁର୍ବାର କାମନା ନେଇ ପାକିସ୍ତାନ ଆକ୍ରମଣାତ୍ମକ ପଦକ୍ଷେପ ନେଇ ପ୍ରତ୍ୟେକ ଥର ପରାଜିତ ହୋଇଥିଲା୤ ଏହି ଯୁଦ୍ଧ ପାଇଁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲା ବୋଲି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସହବାଜ୍ ଶରିଫ୍ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମକୁ ବିବୃତି ଦେଇ ସ୍ବୀକାର କରିଛନ୍ତି୤ ପ୍ରତ୍ୟେକ ଯୁଦ୍ଧ ପାକିସ୍ତାନ ହିଁ ଆରମ୍ଭ କରିଥିବା କଥା ସେଇ ଦେଶର ଆର୍ମି ମୁଖିଆ ମାନେ ସମୟ ସମୟରେ ସ୍ବୀକାର କରି ଆସିଛନ୍ତି୤ ଦେଶର ମୂଳ ଆଭିମୁଖ୍ୟ ଠାରୁ ଦୂରେଇ ଯାଇ କେବଳ ଅନ୍ୟ ଉପରେ ଆକ୍ରମଣ କରିବା ପଲିସି ହେତୁ ପାକିସ୍ତାନରେ ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ଅତି ଜରୂରୀ ବ୍ୟବସ୍ଥା ସବୁ ଦୁର୍ବଳ ହୋଇଗଲା୤ ଦେଶର ଆତ୍ମନିର୍ଭରଶୀଳତା ବୃଦ୍ଧି ନ ହୋଇ ସବୁବେଳେ ଅନ୍ୟ ଉପରେ ନିର୍ଭର କରିବାର ଇଚ୍ଛା ଦେଶକୁ ଦୁର୍ଗତି ଆଡ଼କୁ ଅଗ୍ରସର କରାଇଲା୤

ବିଗତ ଶତାବ୍ଦୀର ଅଶୀ ଓ ନବେ ଦଶକ ପୂର୍ବବର୍ତ୍ତି ସମୟ ପର୍ଯ୍ୟନ୍ତ ପାକିସ୍ତାନର ଅର୍ଥନୀତି ଓ ଶାସନ ସ୍ବାଭାବିକ ଥିବା ବେଳେ ଆଫଗାନିସ୍ତାନରେ ଋଷର ଅତ୍ୟଧିକ ଜବରଦଖଲକୁ ଏଡ଼ାଇବା ପାଇଁ ଆମେରିକା ସହ ସାଲିସ୍ କରି ପାକିସ୍ତାନ ନିଜ ଭୂମି ଉପରେ ଏକ ଲଢୁଆ ଗୋଷ୍ଟୀ ହିଜବୁଲ୍ ସୃଷ୍ଟି କରିଥିଲା୤ ଏହି ଗୋଷ୍ଠୀ ପରବର୍ତ୍ତୀ ସମୟରେ ଆତଙ୍କବାଦର ଜନକ ଭାବରେ ଦେଖା ଦେଇଥିଲା୤ ଏକଦା ଋଷ ବିରୁଦ୍ଧରେ ଗରିଲା ଯୁଦ୍ଧକୁ ସଂଚାଳନ କରୁଥିବା ଏହି ସବୁ ସଂଗଠନ ଭବିଷ୍ୟତର ଅଲକାଏଦା ଭଳି ସଂଗଠନର ମୂଳଦୁଆ ପକାଇଥିଲେ୤ ପାକିସ୍ତାନ ବିଶ୍ବର ଏକମାତ୍ର ଦେଶ ହୋଇ ରହିଗଲା ଯେଉଁଠି ଆତଙ୍କବାଦୀ ସୃଷ୍ଟି କରିବା ଘରୋଇ ବ୍ୟାପାର ହୋଇଯାଇଥିଲା୤ ବିଶ୍ବର ଯେ କୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଲେ ତାହାର ମୂଳ କାରଣ ପାକିସ୍ତାନ ବୋଲି ଜଣା ପଡୁଥିଲା୤ ହେଲେ ଏହି ସବୁ କାର୍ଯ୍ୟକଳାପରେ ଲିପ୍ତ ପାକିସ୍ତାନର ଶାସକ ଦଳ ସର୍ବସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଲେ ନାହିଁ୤ ତେଣୁ ଦେଶର ଅବସ୍ଥା ଦିନକୁ ଦିନ ଦେବାଳିଆ ହେବାକୁ ଲାଗିଲା୤ ଆମେରିକା ଏବଂ ଅନ୍ୟାନ୍ୟ ମିତ୍ର ଦେଶମାନଙ୍କ ଠାରୁ ମିଳୁଥିବା ଅର୍ଥ ହିଁ ଦେଶର ଆୟର ମୁଖ୍ୟ ପନ୍ଥା ହୋଇଗଲା୤

ନୂତନ ଶତାବ୍ଦୀ ଆସୁ ଆସୁ, ବିଶ୍ବରେ ଅନେକ ପରିବର୍ତ୍ତନ ହେଲା୤ ଆମେରିକା ଦ୍ବେତ ଟାୱାର୍ ଆକ୍ରମଣ ପରେ ଆତଙ୍କବାଦର ମୂଳୋତ୍ପାଟନ କରିବା ଆମେରିକା ପାଇଁ ଧେୟ ହୋଇଗଲା ଏବଂ ପାକିସ୍ତାନକୁ ମିଳୁଥିବା ଅନୁଦାନ ବନ୍ଦ ହୋଇଗଲା୤ ସେଇ ସମୟରେ ସୁଯୋଗ ଦେଖି ଚାଇନା ଭଳି ଦେଶ ପାକିସ୍ତାନରେ ଅର୍ଥ ବିନିଯୋଗ କରିବା ଆରମ୍ଭ କରିଦେଲେ୤ ପାକିସ୍ତାନ ଦେଇ ବିଶାଳ ରାଜମାର୍ଗ ନିର୍ମାଣ କରାଇ ପଣ୍ୟଦ୍ରବ୍ୟ ଯାତାୟାତ ତଥା ଅର୍ଥ ସଂଚୟର ବାଟ ଖୋଜୁ ଖୋଜୁ ଚାଇନା ପାକିସ୍ତାନର ମିତ୍ର ରାଷ୍ଟ୍ରରେ ପରିଣତ ହୋଇ ଅନେକ ହଜାର କୋଟି ଟଙ୍କା ଋଣ ଆକାରରେ ଦେବାକୁ ଲାଗିଗଲା୤

ଦିନଥିଲା ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ସବୁ ପ୍ରକାର ଚେଷ୍ଟା କରୁଥିଲା୤ ୨୦୧୪ ପୂର୍ବରୁ ପ୍ରାୟତଃ ପ୍ରତିବର୍ଷ ଭାରତରେ ଗୁରୁତର ଆତଙ୍କବାଦୀ ଆକ୍ରମଣ ବିଷୟରେ ଶୁଣିବାକୁ ମିଳୁଥିଲା୤ କେବେ ରେଳଗାଡି ତ କେବେ କାର୍, କେବେ ଷ୍ଟେସନ୍ ତ କେବେ ସଂସଦ, ହାଇଦ୍ରାବାଦ ତ କେବେ ମୁମ୍ବାଇ, ବେଙ୍ଗାଲୁରୁ ହେଉ ବା ଲକ୍ଷ୍ନୌ, ଦେଶର କୌଣସି ସହର ବି ଏହି ଆକ୍ରମଣ ଠାରୁ ସୁରକ୍ଷିତ ନଥିଲା୤ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଔପଚାରିକ ଭାବରେ ପାକିସ୍ତାନ ସରକାରଙ୍କୁ ଘଟଣାର ସମସ୍ତ ପ୍ରତ୍ୟକ୍ଷ୍ୟ ପ୍ରମାଣ ଦେବା ସତ୍ତ୍ବେ ଆତଙ୍କବାଦୀ ଆକ୍ରମଣ ଆଦୌ ବନ୍ଦ ହେଉନଥିଲା୤ ଅସହାୟ ସରକାର ସେତେବେଳେ ଏହା ବିପକ୍ଷରେ ପାକିସ୍ତାନ ସହ କ୍ରିକେଟ୍ ଖେଳ ହେବନାହିଁ ଭଳି ନିଷ୍ପତ୍ତି ନେଉଥିଲେ ଅଥଚ କେବେ ବି ପାକିସ୍ତାନକୁ ବୁଲିପଡ଼ି ଉତ୍ତର ଦେବାଭଳି ସତସାହାସ ଦେଖାଇନଥିଲେ୤ ହେଲେ ମୋଦୀ ସରକାରଙ୍କ ଶାସନ କାଳରେ ଏଭଳି ଗୋଟିଏ ବି ଉଲ୍ଲେଖନୀୟ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ୤ ଭାରତୀୟ ଆର୍ମି ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନ ସୀମାରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଉଦାହରଣ ସୃଷ୍ଟି କରିଛନ୍ତି୤ ଭାରତୀୟ ବୈମାନିକ ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ପାକିସ୍ତାନରୁ ମୁକୂଳାଇ ଆଣିବାରେ ସକ୍ଷମ ହୋଇଛନ୍ତି୤ ଏବଂ ବର୍ତ୍ତମାନ ପାକିସ୍ତାନରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯେ ମୋଦୀ ସରକାରଙ୍କ ସକ୍ଷମ କୂଟନୀତି ଯୋଗୁଁ ସମ୍ଭବ ହୋଇ ପାରିଛି ତାହା ନିଃସନ୍ଦେହ କୁହାଯାଇ ପାରେ୤

ବିଗତ ଦୁଇ ଦଶନ୍ଧୀରେ ଭାରତରେ ଶାସନରେ ପରିବର୍ତ୍ତନ ସହ କୌଟିଲ୍ୟ ସମାନ ରାଜନୀତି ଓ ଅର୍ଥନୀତିର ପ୍ରସାର କରାଇ ଭାରତ ସରକାର ପରୋକ୍ଷଭାବରେ ପାକିସ୍ତାନ ଉପରେ ଚାପ ପକାଇବା ସହ ଅନେକ ବର୍ଷରୁ ଦ୍ବନ୍ଦର କାରଣ ସାଜିଥିବା କାଶ୍ମୀର ସମସ୍ୟାକୁ ସମାଧାନ କରିବା ପରେ ପାକିସ୍ତାନ ଏକ ଘରିକିଆ ଅବସ୍ଥାରେ ପହଞ୍ଚିଗଲା୤ ଭାରତ ସହ ବାଣିଜ୍ୟକୁ ବନ୍ଦ କରିବା ନିଷ୍ପତ୍ତି ବସ୍ତୁତଃ ପାକିସ୍ତାନ ପାଇଁ ଅଭିଶାପ ହୋଇଗଲା୤ ତେଣେ ଯେଉଁ ଆତଙ୍କବାଦୀ ଗୋଷ୍ଠୀ ଓ ସଂଗଠନକୁ ପାକିସ୍ତାନ ନିଜର ବୋଲି ମଣୁଥିଲା ସେଇ ସବୁ ସଂଗଠନ ପାକିସ୍ତାନକୁ ଅସ୍ଥିର କରିବାକୁ ଆଗେଇ ଆସିଲେ୤ ଆଫଗାନିସ୍ତାନରେ ତାଲିବାନର ପୁନରୋଦୟ ହେଉ ବା ପାକିସ୍ତାନରେ ଏହାର ମିତ୍ର ସଂଗଠନ ତେହେରିକ୍-ଏ-ତାଲିବାନର ଉଦୟ ହେଉ୤ ପାକିସ୍ତାନ ଆର୍ମି ସେମାନଙ୍କ ସହ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ, ବାଲୋଚିସ୍ତାନ ବାସିନ୍ଦା ନିଜକୁ ସ୍ବାଧୀନ ଘୋଷଣା କରିବା ଦାବୀ ନେଇ ଆନ୍ଦୋଳନ କରିବା ଆରମ୍ଭ କରିଦେଲେ୤ ଉତ୍ତରରେ ପାକ୍ ଅଧିକୃତ କାଶ୍ମୀରରେ ଅନେକ ବର୍ଷରୁ ପାକିସ୍ତାନ ସରକାର ବିରୋଧୀ ଆନ୍ଦୋଳନ ହେଉଥିଲା୤ ଭାରତରେ ଥିବା କାଶ୍ମୀରରେ ଯେଉଁଭଳି ଭାବରେ ବ୍ୟାପକ ଉନ୍ନତି ଏବଂ ଶିକ୍ଷା ତଥା ସ୍ବାସ୍ଥ୍ୟ ସେବାର ଉନ୍ନତି ଦେଖାଗଲା ସେ ସବୁ ଦେଖିବା ପରେ ପିଓକେ ବାସିନ୍ଦାମାନେ ଏବେ ଭାରତରେ ସାମିଲ୍ ହେବାପାଇଁ ଆନ୍ଦୋଳନ କରୁଛନ୍ତି୤ ତେଣେ ତାଲିବାନ ପ୍ରଭାବରେ ପାକିସ୍ତାନର ଏକ ବିଶାଳ ଅଞ୍ଚଳ ନିଜକୁ ସ୍ବାଧୀନ ବୋଲି ଘୋଷଣା କରିବାକୁ ଆଗେଇ ଆସିଲାଣି୤

ବର୍ତ୍ତମାନର ପରିସ୍ଥିତି ଯଦି ଆଉ କିଛି ଦିନ ଲାଗୁ ରହେ ତା ହେଲେ ପାକିସ୍ତାନ ଖୁବ୍ ଶୀଘ୍ର ଚାରିଭାଗରେ ବିଭକ୍ତ ହେଇଯିବ୤ ଅନେକ ବିଶ୍ବ ବୁଦ୍ଧିଜୀବି ମତ ଦେଇଛନ୍ତି ଯେ ପାକିସ୍ତାନର ବିଲୟ ସମ୍ଭବତଃ ବର୍ଷ ୨୦୨୩ ଶେଷ ସୁଦ୍ଧା ହୋଇପାରେ୤ ବିନା ରକ୍ତପାତରେ ପାକ୍ ଅଧିକୃତ କାଶ୍ମୀର ପୁଣିଥରେ ଭାରତରେ ବିଲୟ ହେଇଯିବ୤ ପାକିସ୍ତାନର ଶାସକ ସଦସ୍ୟମାନେ ଏବେ ବିଦେଶ ଗସ୍ତ କରି ସହାୟତା ଭିକ୍ଷା କରୁଛନ୍ତି ଏବଂ ଏମିତି ଏକ ସମୟ ଆସିଛି, ପାକିସ୍ତାନକୁ ବିଶ୍ବରେ ଭିକାରୀସ୍ତାନ ବୋଲି ମଧ୍ୟ କୁହାଗଲାଣି୤ ଏବଂ ଅନେକ ଦେଶ ଏହି ଦେଶର ମନ୍ତ୍ରୀମଣ୍ଡଳକୁ ନିଜ ଦେଶକୁ ଆସିବାକୁ ଦେଉ ନାହାନ୍ତି୤ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ସହବାଜ ଶରିଫ୍ ଏକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥାଙ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଭାରତ ସହ ତିନି ତିନିଥର ଯୁଦ୍ଧ କରି ପାକିସ୍ତାନ ବହୁତ ଶିକ୍ଷା ପାଇ ସାରିଛି୤ ହେଲେ ଏହାର ପ୍ରତିଉତ୍ତରରେ ଭାରତ ତରଫରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ୤ ପରୋକ୍ଷ ଭାବରେ ଭାରତ ସହ ବାର୍ତ୍ତାଳପ କରିବାକୁ ପାକିସ୍ତାନ ରାଜି ଅଛି ବୋଲି ବାରମ୍ବାର ଜଣାଇବା ସତ୍ତ୍ବେ ଭାରତ ସରକାର ଏହାକୁ କୌଣସି ମହତ୍ତ୍ବ ଦେଇ ନାହାନ୍ତି୤ ମିତ୍ର ଦେଶ ବୋଲି ଯେଉଁ ସବୁ ଦେଶରୁ ପାକିସ୍ତାନ ସବୁବେଳେ ସହାୟତା ପାଇ ଆସୁଥିଲା, ଏବେ ସେହି ଦେଶ ସବୁ ସହାୟତା ଦେବାକୁ ମନ ଉଣା କରିବା ଆରମ୍ଭ କରିଦେଲେଣି୤ ସାଉଦି ଆରବ ହେଉ ବା ଚିନ୍ ସମସ୍ତେ ଏବେ ନିଜକୁ ପାକିସ୍ତାନ ଠାରୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି୤ ଯେତେ ପରିମାଣର ଋଣ ପାକିସ୍ତାନ କରି ସାରିଛି, ତାହା ପରିଶୋଧ କରିବା ପାଇଁ ବାଟ ଖୋଜୁଛି୤ ତେଣୁ କେମିତି ହେଲେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ଅଧିକ ସହାୟତା ପାଇବା ପାଇଁ ଚେଷ୍ଟା ଚାଲିଛି୤ କିନ୍ତୁ ଆଇଏମ୍‌ଏଫ୍ ଅଧିକ ଅର୍ଥ ଦେବାପାଇଁ ଯେଉଁ ସବୁ କଠୋର ନିୟମ ଲାଗୁ କରୁଛି ତାହା ଦେଶକୁ ଅଧିକ ଅସ୍ଥିରତା ଆଡ଼କୁ ଟାଣି ନେବ ସେଥିରେ ସନ୍ଦେହ ନାହିଁ୤ ବର୍ତ୍ତମାନ ପାକିସ୍ତାନର ମୁଦ୍ରା ଡଲାର ତୁଳନାରେ ଦୁଇଶହରୁ ଅଧିକରେ ଚାଲୁଥିବା ବେଳେ ପେଟ୍ରୋଲିୟମ ପଦାର୍ଥ, ବିଦ୍ୟୁତ ଶୁଳ୍କ ଇତ୍ୟାଦି ଦୁଇଗୁଣରୁ ଅଧିକ ହୋଇ ସାରିଲାଣି୤ ଅଧିକ ଋଣ ଅର୍ଥ ଦେଶରେ ମହଙ୍ଗା ଦର ଅଧିକ ବୃଦ୍ଧି ପାଇବା, ଯାହା ବ୍ୟତୀତ ଆଉ କୌଣସି ପନ୍ଥା ଦିଶୁନାହିଁ୤ ତେଣୁ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଦେବାଳିଆ ଘୋଷିତ ହୋଇପାରେ ଏବଂ ଏହା ପରେ ପରେ ଏହାର ଚାରି ଭାଗ ହେବାରୁ କେହି ବଞ୍ଚେଇ ପାରିବେ ନାହିଁ୤

ଏହି ସମସ୍ତ ଘଟଣାଚକ୍ରରେ ଭାରତ ତୀକ୍ଷ୍‌ଣ ଦୃଷ୍ଟି ରଖିଛି୤ କାରଣ ଭାରତର ପଡ଼ୋଶୀ ରାଷ୍ଟ୍ରରେ ଯଦି ଅସ୍ଥିରତା ଦେଖାଯାଏ ତା ହେଲେ ଏହାର ପ୍ରଭୂତ ପ୍ରଭାବ ନିଶ୍ଚିତ ଭାବରେ ଭାରତୀୟ ଉପଦ୍ବୀପ ଉପରେ ପଡ଼ିବ୤ ପାକିସ୍ତାନର ନିର୍ବାଚିତ ସରକାରଙ୍କ ପତନ ପରେ ସେଠାରେ ତାଲିବାନ ଗୋଷ୍ଠୀ ଶାସନ କଳକୁ ଅକ୍ତିଆରରେ ନେଇ ପାରନ୍ତି, ଯାହା ଆମ ଦେଶପାଇଁ ଅହିତକର ହୋଇ ପାରେ, କାରଣ ଧାର୍ମିକ ମୌଳବାଦିତାରେ ତାଲିବାନ ସମକକ୍ଷ ହିଂସୃକ ଗୋଷ୍ଠୀ ବିଶ୍ବରେ ନାହିଁ, ଏବଂ ଏହିଭଳି ଗୋଷ୍ଠୀ ଭବିଷ୍ୟତରେ ଭାରତ ପାଇଁ ବିପଦ ଭାବରେ ଦେଖା ଦେଇ ପାରନ୍ତି୤ ସେମିତିରେ ବି ଭାରତରେ ତଥା ଜମ୍ମୁ କାଶ୍ମୀର ଅଞ୍ଚଳରେ ଅନେକ ତାଲିବାନୀ ବା ଆତଙ୍କବାଦୀ ବା ପାକିସ୍ତାନୀ ସମର୍ଥକ ଅଛନ୍ତି, ସେମାନେ ଏଠାରେ ମଧ୍ୟ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରି ପାରନ୍ତି୤ ପୁଣି ପାକ୍ ଅଧିକୃତ କାଶ୍ମୀର ସମସ୍ୟା ଅନେକ ବର୍ଷରୁ ଭାରତକୁ ଚିନ୍ତାଗ୍ରସ୍ତ କରିଛି, ତେଣୁ ଯଦି ପାକିସ୍ତାନ ଅଧିକୃତ ଏହି ଅଞ୍ଚଳ ପୁଣିଥରେ ଭାରତରେ ସମ୍ମିଳିତ ହୁଏ ତ ତାହା ଭାରତର ଶାସନ ତଥା ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇବ୤ ପିଓକେ ଭାରତରେ ସମ୍ମିଶ୍ରଣ ହେଲେ ଭାରତ ସିଧା ସଳଖ ଆଫଗାନିସ୍ତାନ ସହ ସୀମା ସେୟାର୍ କରିବ ଯାହା ଦ୍ବାରା ଅନ୍ତରାଷ୍ଟ୍ରୀୟ ନିଶା କାରବାର କିମ୍ବା ଅସ୍ତ୍ର କାରବାରରେ ଉନ୍ନତି ଦେଖିବାକୁ ମିଳିପାରେ୤ ପାକିସ୍ତାନ ଉପରେ ଚୀନର ଅନେକ ଋଣ ଅଛି ଏବଂ ସେଇ ସବୁ ଋଣ ପାକିସ୍ତାନରେ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର୍ ନିର୍ମାଣ ପାଇଁ ବ୍ୟବହାର ହୋଇଛି, ପିଓକେ ଭାରତରେ ମିଶିଲେ ଏହି ସିପେକ୍ ର ବହୁତ ଅଂଶ ଭାରତ ଅକ୍ତିଆରରେ ଆସିଯିବ, ଯେଉଁଥି ପାଇଁ ବିଶ୍ବ ଦରବାରରେ, ଯୁକ୍ତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ଅଦାଲତରେ ଚୀନ ଭାରତକୁ ଠିଆ କରାଇପାରେ୤ ଏଭଳି ଅନେକ ବିଷୟରେ ଭାରତ ବର୍ତ୍ତମାନ ଠାରୁ ହିଁ ସକ୍ରିୟ ଭାବରେ ଚିନ୍ତା କରୁଥିବା ନିଶ୍ଚିତ୤ କିନ୍ତୁ ଯଦି ସତରେ ପିଓକେ ଭାରତରେ ମିଶିଯାଏ ତାହେଲେ, ବିନା ରକ୍ତପାତରେ ମୋଦୀ ସରକାର ଏଭଳି ଏକ କାର୍ଯ୍ୟ କରି ଦେଖାଇବେ ଯାହା ଅତୀତର ସମସ୍ତ ସରକାରଙ୍କ ପାଇଁ ସ୍ବପ୍ନ ହିଁ ଥିଲା୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ସୀମା ହୈଦର : ପାକିସ୍ତାନର ଗୁପ୍ତଚର ନୁହନ୍ତି ତ?

ସୀମା ହୈଦର : ପାକିସ୍ତାନର ଗୁପ୍ତଚର ନୁହନ୍ତି ତ?

ଏଠାରେ ପଢ଼ନ୍ତୁ !
କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି?

କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି?

ଏଠାରେ ପଢ଼ନ୍ତୁ !