favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି?

କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି?

ବିଗତ ଦିନରେ ମୋ ଫେସବୁକରେ ପ୍ରକାଶିତ ଏକ ଆଲେଖ୍ୟ ରେ କମେଣ୍ଟ ଦେଇ ଜଣେ ବନ୍ଧୁ ଅନେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଏହି ପ୍ରଶ୍ନ ସବୁ ଆମ ପାଇଁ ନୂଆ ନୁହେଁ । ଜଣେ ଡାକ୍ତର ହିସାବରେ ଚିହ୍ନା ପରିଚିତ ଙ୍କ ଠାରୁ ଆରମ୍ଭ କରି ଅଜଣା ଲୋକ ମଧ୍ୟ ଏହି ସବୁ ପ୍ରଶ୍ନ ଆମକୁ ଅନେକ ସମୟରେ ପଚାରନ୍ତି । ଆଜି ସେଥିରୁ ଅଳ୍ପ କିଛି ପ୍ରଶ୍ନର ଉତ୍ତର ଏହିଠାରେ ଦେବାକୁ ଚେଷ୍ଟା କରୁଛି । ପ୍ରକୃତ ବୁଦ୍ଧିଜୀବୀ ମାନଙ୍କୁ ଏହି ସବୁ ବିଷୟ ଜଣା, ଆଉ ଯେଉଁମାନେ ଜାଣି ସୁଦ୍ଧା ଅଜଣା ହେଉଛନ୍ତି ସେମାନଙ୍କ ପାଇଁ ଏହି ଉପସ୍ଥାପନ ।

1.କେତେକ ଡାକ୍ତର ଜାଣିଶୁଣି ଖରାପ ଅକ୍ଷର ଓ ଠାର ରେ ଔଷଧ ଲେଖନ୍ତି ତାଙ୍କର ନିର୍ଦ୍ଧିଷ୍ଟ ଦୋକାନୀ କୁ ଆଖିରେ ରଖି ତାହା ସତ୍ୟ ନା ନାହିଁ??

ଉତ୍ତର : ଜଣେ ଡାକ୍ତର ଦୈନିକ ସର୍ବାଧିକ କୋଡ଼ିଏରୁ ତିରିଶି ରୋଗୀଙ୍କୁ ଦେଖିବା ଭଳି ମନସ୍ତତ୍ତ୍ବ ନେଇ ଆସିଥାଏ, ଏବଂ ସେହି ସମୟରେ ଜଣେ ପରେ ଜଣେ ରୋଗୀ ଯେତେବେଳେ ଆସନ୍ତି ସେତେବେଳେ ହସ୍ତାକ୍ଷର ସୁନ୍ଦର କରିବାକୁ ପ୍ରାଥମିକତା ଦେଇ ହୁଏ ନାହିଁ । ଏବଂ ମାନସିକ ଚାପ ଥିଲେ ମଧ୍ୟ ହସ୍ତାକ୍ଷର ସୁନ୍ଦର ହୁଏ ନାହିଁ ।

ଡାକ୍ତରଙ୍କ କ୍ଷେତ୍ରରେ ଉଭୟ ଦେଖାଯାଏ, ତେଣୁ ବେଳେବେଳେ ରୋଗୀ ପରାମର୍ଶ ଚିଠା ଜଣେ ସାଧାରଣ ବ୍ୟକ୍ତି ପଢ଼ିବା ସମ୍ଭବ ହୁଏ ନାହିଁ ।

ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ଡାକ୍ତର ଔଷଧର ନାଆଁ ସ୍ପଷ୍ଟ ଭାବରେ ଲେଖିବା ଅନିବାର୍ଯ୍ୟ । କିନ୍ତୁ ସରକାରୀ ଚିକିତ୍ସାଳୟରେ ଅଧିକ ଚାପ ଥିବା ହେତୁ ଅକ୍ଷର ଅସ୍ପଷ୍ଟ ହୋଇଯାଏ ।

ଠାର ଦ୍ବାରା କେମିତି ଔଷଧ ଲେଖାଯାଇଥାଏ ତାହା ମୋ ଅଭିଜ୍ଞତା ବହିର୍ଭୁତ ବିଷୟ ତେଣୁ ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ ।

ବର୍ତ୍ତମାନ ସରକାର ପ୍ରତ୍ୟେକ ଔଷଧର ଜେନେରିକ ନାଆଁ ଲେଖିବା ଅନିବର୍ଯ୍ୟ କରିଛନ୍ତି, ତେଣୁ ଔଷଧ ଦୋକାନୀଙ୍କୁ ସୁହାଇବା ଭଳି ଲେଖିବାର ଅର୍ଥ ମୁଁ ବୁଝି ପାରୁ ନାହିଁ ।

2. ଯେଉଁ ରୋଗ ଜେନେରିକ ଔଷଧ ରେ ଭଲ ହୋଇପାରିବ ସେଠି କଂପାନୀ ର combination ମେଡିସିନ କଣ ପାଇଁ ଲେଖନ୍ତି??

ଉତ୍ତର : ଜେନେରିକ ଔଷଧ ଏବଂ କମ୍ପାନୀ ଔଷଧ ର ମୂଳା ତତ୍ତ୍ବ ସମାନ । ତେଣୁ ଯେତେବେଳେ ଜଣେ ରୋଗୀ ସରକାରୀ ଡାକ୍ତରଖାନାକୁ ଆସେ ସେଇଠି ନିୟମ ଅନୁସାରେ ଜେନେରିକ ଔଷଧ ହିଁ ଲେଖାଯାଇଥାଏ ।

ଯଦି ଜଣେ ରୋଗୀ ପ୍ରାଇଭେଟ୍ କ୍ଲିନିକ୍ କୁ ଆସେ, ସେତେବେଳେ କମ୍ପାନୀ ଔଷଧ ଲେଖାଯାଇଥାଏ । ସବୁ ରୋଗ ଜେନେରିକ ଔଷଧ ଦ୍ବାରା ଠିକ୍ ହୋଇ ପାରିବ, ତା ହେଲେ ସରକାର କମ୍ପାନୀ ସବୁ ବନ୍ଦ୍ କରିଦେଇ କେବଳ ଜେନେରିକ ଔଷଧ କୁ ହିଁ ପ୍ରାଥମିକତା କାହିଁକି ଦେଉ ନାହାନ୍ତି? କାରଣ ସରକାର ସମସ୍ତ ଔଷଧ ସରକାରୀ ସ୍ତରରେ ଯୋଗାଇ ପାରନ୍ତି ନାହିଁ । ଅନେକ କମ୍ପାନୀ ଔଷଧ ଅଧିକ ଗବେଷଣା ଏବଂ ନୂତନ ଭାବରେ ଉତ୍ପାଦ ହୋଇ ଆସୁଥିବା ହେତୁ ସେ ସବୁ ଭଲ କାମ କରିଥାଏ । କମ୍ପାନୀ ଔଷଧର ମାନ ନିର୍ଦ୍ଧାରଣ ହେତୁ ବିଭିନ୍ନ ସ୍ତରରେ ବାରମ୍ବାର ଚେକିଁ ହୁଏ ତେଣୁ ଆମେ ସେହି ଔଷଧକୁ ଲୋକଙ୍କୁ ଲେଖିଥାଉ, ଯେଉଁଠି ଆମେ ବିଶ୍ବାସ କରୁ ଯେ ରୋଗିଟିଏ ଏହାଦ୍ବାରା ଶୀଘ୍ର ଭଲ ହୋଇ ପାରିବ ।

ଗୋଟିଏ କ୍ଷୁଦ୍ର ଉଦାହରଣ ଦେବାକୁ ଚେଷ୍ଟା କରୁଛି, ରାସ୍ତା କଡ଼ରେ ଥିବା ଚାହା ଦୋକାନରେ ପାଞ୍ଚ ଟଙ୍କାରେ ମିଳୁଥିବା ବେଳେ ରେଷ୍ଟୁରାଣ୍ଟ ରେ ସେଇ ଚା ପଚଶରେ ମିଳେ, ତଥାପି ଆମେ ରେଷ୍ଟୁରାଣ୍ଟ ଚାହା ନିଶ୍ଚିନ୍ତର ସହ ପିଉଥିବା ବେଳେ ରାସ୍ତା କଡ ଷ୍ଟଲ ରେ ମିଳୁଥିବା ଚାହାକୁ ସନ୍ଦେହ ଚକ୍ଷୁରେ କାହିଁକି ଦେଖୁ ?

3. ଯେତେବେଳେ ବେଶୀ କୌଣସି ପରୀକ୍ଷା ରେ ବା ଅଳ୍ପ କିଛି ପରୀକ୍ଷା ରେ ରୋଗର ନିଦାନ ଜଣାପଡିବ ସେଠି ଅଧିକ ପ୍ରକାର ପରୀକ୍ଷା କରିବାକୁ କଣ ଡାକ୍ତର ମାନେ ରୋଗୀ ଙ୍କୁ କହୁ ନାହାନ୍ତି?

ଉତ୍ତର : ଯଦି ଚିକିତ୍ସା ହେଉଥିବା ଅବସ୍ଥାରେ ରୋଗୀ ମୃତ୍ୟୁବରଣ କରେ ତାହେଲେ ପ୍ରଥମ କଥା ଯାହା ସମସ୍ତେ କହନ୍ତି ତାହା ହେଉଛି, ଡାକ୍ତରୀ ଅବହେଳା । ଏହାକୁ ନେଇ ଆପଣ ଡାକ୍ତରଙ୍କ ଉପରେ ପୋଲିସ କେସ ବି କରି ପାରିବେ ଏବଂ ଅଦାଲତରେ ଲକ୍ଷାଧିକ ଟଙ୍କା କ୍ଷତପୂରଣ ମାଗି ପାରିବେ । ସେତେବେଳେ ଅଦାଲତ ପ୍ରଶ୍ନ କରିବ ଆପଣ କାହିଁକି ସବୁ ପରୀକ୍ଷା କରିଲେ ନାହିଁ ? ଜଣେ ଡାକ୍ତର ଏହାର କଣ ଉତ୍ତର ଦେବେ ? ମରିଗଲା ପରେ ରୋଗୀଙ୍କ ଆତ୍ମୀୟ ସ୍ବଜନ ସବୁ ଜଣେ ଜଣେ ବିଶେଷଜ୍ଞ ହେଇ ଯାଆନ୍ତି ଆଉ ଏମିତି କହନ୍ତି ଯେମିତି ସେ ସ୍ଥାନରେ ସେମାନେ ଥିଲେ ରୋଗୀକୁ ବଞ୍ଚାଇ ଦିଅନ୍ତେ । ତେଣୁ ଯେକୌଣସି ପରିସ୍ଥିତିରୁ ନିଜକୁ ସୁରକ୍ଷିତ କରିବା ପାଇଁ ଜଣେ ଡାକ୍ତର ସମସ୍ତ ପ୍ରକାର ପରୀକ୍ଷା କରାଇ ନେବାକୁ ଉଚିତ୍ ମନେ କରେ ।

ମନୁଷ୍ୟ ଶରୀର ରୋଗର ଗନ୍ତାଘର । ବେଳେ ବେଳେ ସରଳ ଲାଗୁଥିବା ରୋଗ ମଧ୍ୟ ଏତେ ଜଟିଳ ହୋଇଥାଏ ଯେ ତାର ଚିକିତ୍ସା କରିବା ବେଳେ ଜଣେ ଜଣେ ଡାକ୍ତର ଭାରି ନିରୁତ୍ସାହିତ ହୋଇ ମାନସିକ ଅବସାଦ ଗ୍ରସ୍ତ ହୋଇ ପଡନ୍ତି । ସେତେବେଳେ ରୋଗୀର ଭଲ ପାଇଁ ସବୁ ପ୍ରକାର ଆବଶ୍ୟକ ପରୀକ୍ଷା କରିବା ଉପରେ ଗୁରୁତ୍ବ ଦିଅନ୍ତି ।

4. ରୋଗୀ ସଂଖ୍ୟା କମ ହେଉ ବୋଲି ଯୁକ୍ତି କରି ଡାକ୍ତର ତାଙ୍କର ଫି ବହୁତ୍ ଅଧିକ କରିଦେଉଛନ୍ତି ଏହା କଣ ଠିକ୍?

ଉତ୍ତର : ମୁଁ ଜଣେ ଡାକ୍ତର । ମୁଁ କେମିତି ଡାକ୍ତର ହେଲି, କେତେ ସମୟ ପାଠ ପଢିଲି, ଡାକ୍ତର ହେବାପାଇଁ କେତେ କଣ ଜୀବନରେ ହରେଇଲି ସେ ବିଷୟ ମୁଁ ଜାଣିଛି । ଯଦି ମୁଁ ଭଲ ସେବା ଯୋଗାଇ ପାରୁଚି ତାହେଲେ ଅଧିକ ଫି ନିଶ୍ଚୟ ନେବି ।

ଆପଣ ରେଷ୍ଟୁରାଣ୍ଟ ଗଲେ ଖାଦ୍ୟର ଦାମ ଶୁଣି କେବେ ଅଭିଯୋଗ କରିଛନ୍ତି କି ଯେ ଏହି ଖାଦ୍ୟ ବାହାରେ ଶସ୍ତାରେ ମିଳୁଛି ଆପଣ କାହିଁକି ଅଧିକ ଦାମ ନେଉଛନ୍ତି ? କହିଲେ ସେମାନେ କହିବେ ଆମ ରୋଷେୟା ବମ୍ବେରୁ ଆସିଛି, ହାଇଦ୍ରାବାଦରେ ଟ୍ରେନିଂ ନେଇଛି ଇତ୍ୟାଦି ଇତ୍ୟାଦି । ଆପଣ ଖୁଶି ହେଇଯିବେ । ଅଥଚ ଜାଣେ ଡାକ୍ତର ଯଦି ଅଧିକ ଶିକ୍ଷାଗ୍ରହଣ କରି ବିଶେଷଜ୍ଞ ଟିଏ ହୋଇଗଲେ ସେ ଅଧିକ ଫି ଦାବି କରିଦେଲେ ପାପ ହେଇଯିବ !!! ପିଲାଙ୍କ ଶିକ୍ଷା ପାଇଁ ଆମେ ଅଧିକ ଦାମ୍ ଦେଇ ନାମୀଦାମୀ ସ୍କୁଲରେ ପଢେଇବା, ଖାଇବା ବେଳେ ଦାମୀ ରେଷ୍ଟୁରାଣ୍ଟ ରେ ଖାଇବା, ଯାତ୍ରା ବେଳେ ନୂଆ ଗାଡ଼ିରେ ଅଧିକ ଦାମ୍ ଦେଇ ବୁଲିବା, କିନ୍ତୁ ଚିକିତ୍ସା ସମୟରେ ଡାକ୍ତର ଅଧିକ ଫି ଦାବି କରିଦେଲେ ସେ ଲୋଭୀ !!!

ବିଶେଷଜ୍ଞ ଡାକ୍ତର ଜଣେ ଜଣେ ରୋଗୀଙ୍କୁ ଭଲ ଚିକିତ୍ସା ଯୋଗାଇବା ପାଇଁ ବହୁତ୍ ଅଧିକ ସମୟ ନିଅନ୍ତି, ତେଣୁ ସେ ଅଧିକ ରୋଗୀ ଦେଖି ପାରିବେ ନାହିଁ । ତେଣୁ ଅଧିକାଂଶ ବିଶେଷଜ୍ଞ ଡାକ୍ତର ବହୁତ୍ କମ ରୋଗୀ ଦେଖନ୍ତି । ଆଉ ଏଥିପାଇଁ ଅଧିକ ଫି ସେ ନିଅନ୍ତି ନାହିଁ । ନେବାର କାରଣ ଉପରେ ଦେଇଛି ପଢ଼ି ବୁଝି ପାରିବେ ବୋଲି ଆଶା ।

5. ଆଗେ ଘର କୁ ଡାକ୍ତର ଆସୁଥିଲେ ରୋଗୀ କୁ ଦେଖିବା ପାଇଁ ଏବେ ରୋଗୀ ଟି ମରିଗଲେ ମଧ୍ୟ ଡାକ୍ତର ଙ୍କ ପାଖକୁ ନେବାକୁ ପଡୁଛି certificate ଟିଏ ପାଇଁ କାହିଁକି?

ଉତ୍ତର : ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଆଗରୁ ଡାକ୍ତରଙ୍କୁ ମଧ୍ୟ କିଛି ସମୟ ମିଳୁଥିଲା ନିଜର ବ୍ୟସ୍ତବହୁଳ ବୃତ୍ତିରୁ । ହେଲେ ସ୍ବାସ୍ଥ୍ୟ ସେବା ଯୋଜନା କରୁଥିବା ସରକାର ମାନେ ଡାକ୍ତରମାନଙ୍କୁ ଏଭଳି ଅବସ୍ଥା କରିଦେଲେ ଯେ, ଏବେ ଦିନ ନାହିଁ ରାତି ନାହିଁ, ରୋଗୀମାନେ ଟିକେ ନିଶ୍ବାସ ମାରିବାକୁ ସମୟ ଦେଉନାହାନ୍ତି । ଡାକ୍ତର ଯଦି କିଛି ସମୟ ବିଶ୍ରାମ କରି ଆଖି ବୁଜି ବସିଗଲେ ତ ସାଙ୍ଗେ ସଙ୍ଗେ ମୋବାଇଲ ଭିଡ଼ିଓ କରି ପ୍ରଚାର କରାଯିବ ଯେ ଡାକ୍ତର ସୋଇଛନ୍ତି ଆଉ ରୋଗୀ ଦେଖିନାହାନ୍ତି । ପ୍ରାଇମେରୀ ସ୍ବାସ୍ଥ୍ୟ କେନ୍ଦ୍ର ହେଉ ବା ଜିଲ୍ଲାସ୍ତରୀୟ ହସ୍ପିଟାଲ, ସବୁଠି ଏବେ ସମାନ ଅବସ୍ଥା ।

ସମସ୍ତଙ୍କ ହାତରେ ଏବେ ମୋବାଇଲ ତେଣୁ ଡାକ୍ତର ସାମାନ୍ୟ ବିଲମ୍ୱ କଲେ ଭିଡ଼ିଓ, ରେଷ୍ଟ କଲେ ଭିଡ଼ିଓ, ଟିକେ ବିରକ୍ତ ହେଲେ ଭିଡ଼ିଓ । ଏମିତି ଅବସ୍ଥାରେ କୋଉ ଡାକ୍ତର ଆପଣଙ୍କ ଘରକୁ ଯିବ ଆଜ୍ଞା? ଚିହ୍ନା ଥିଲେ ହିଁ କିଏ ଯିବ ନହେଲେ କାହିଁକି ଯିବା ?

ରୋଗୀ ସେବାକୁ ଯେବେଠୁ କଞ୍ଜୁମର କେସ ଅନ୍ତର୍ଭୁକ୍ତ କରାଗଲା, ସେବେଠୁ ପ୍ରତ୍ୟେକ କାମ ବହୁତ୍ ଭାବିଚିନ୍ତି କରିବାକୁ ପଡ଼ୁଚି । ସାମାନ୍ୟ ଭୁଲ୍ ପାଇଁ କୋର୍ଟ ଡାକ୍ତରଙ୍କୁ ଲକ୍ଷାଧିକ ଟଙ୍କା ଜୋରିମାନା ଲଗାଇବାକୁ ପଛାଉ ନାହାନ୍ତି । ତେଣୁ ସରକାରୀ କାମ ପାଇଁ ଯେମିତି ସମୟ ଲାଗେ ଏବେ ଆପଣଙ୍କୁ ସେମିତି ସମୟ ଲାଗୁଚି । ଆପଣଙ୍କ ଘରେ ମୃତ୍ୟୁବରଣ କରିଥିବା ଲୋକଟିର ମୃତ୍ୟୁ ପାଇଁ ଭବିଷ୍ୟତରେ ଯଦି ଆପଣଙ୍କ ଘରେ କୌଣସି ସମ୍ପତ୍ତି କିମ୍ବା ଅନ୍ୟ କୌଣସି ବିଷୟକୁ ନେଇ ଅଦାଲତି ମାମଲା ରୁଜୁ ହୁଏ ତାହେଲେ ସଂପୃକ୍ତ ଡାକ୍ତରଙ୍କୁ ମଧ୍ୟ ବାରମ୍ବାର କୋର୍ଟରେ ଉପସ୍ଥିତ ହେବାକୁ ପଡ଼େ, ତେଣୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁର ପ୍ରମାଣ ପତ୍ର ଦେବାକୁ ଡାକ୍ତରମାନେ ପଛଘୁଞ୍ଚା ଦେଉଛନ୍ତି ।

ଆଶା କରୁଛି ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳି ଯାଇଥିବ । ଆପଣ ଶେଷ ପରାଗ୍ରଫ ରେ ଲେଖୁଛନ୍ତି ଯେ "ଏଠି କହି ରଖେ ମୋର ବହୁତ୍ ବନ୍ଧୁ ବାନ୍ଧବ, ସାଙ୍ଗ, ସାଙ୍ଗ ଙ୍କ ପୁଅ ବୋହୂ, ଆଦି ଡାକ୍ତର profession ରେ ଅଛନ୍ତି ସେମାନେ ସମସ୍ତେ ଫେସବୁକ୍ ରେ ଅଛନ୍ତି ତଥାପି ମୋର ଏଭଳି ପ୍ରଶ୍ନ ଏ ସମାଜ ର ମଙ୍ଗଳ ପାଇଁ କେହି ଦେହକୁ ନେବେନି। #onerupeedoctor #odishadoctors "

କ୍ଷମା କରିବେ ଆଜ୍ଞା ଆପଣ ଏହି ସବୁ ପ୍ରଶ୍ନ ସମାଜର ମଙ୍ଗଳ ପାଇଁ ପଚାରି ନାହାନ୍ତି । ଆପଣଙ୍କ ଭଳି ଅନେକ ସ୍ବଘୋଷିତ ବୁଦ୍ଧିଜୀବୀ ଡାକ୍ତରଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ ନେଇ ଏହିଭଳି କଥା ବାରମ୍ବାର ବିଭିନ୍ନ ପ୍ଲାଟଫର୍ମ ରେ ଉପସ୍ଥାପନ କରୁଛନ୍ତି । ଆପଣଙ୍କ ଏହି ସବୁ ପ୍ରଶ୍ନ ପ୍ରଥମ ଥର କେହି ପଚାରି ନାହାନ୍ତି ଏମିତି ଅନେକ ଥର ହେଲାଣି । ଏବେ ସବୁ ଦେହସୁହା ହୋଇ ଗଲାଣି ।

ଭଗବାନ କରନ୍ତୁ ଆପଣଙ୍କ ସ୍ବାସ୍ଥ୍ୟ ସବୁବେଳେ ଭଲ ରହୁ । କୌଣସି ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରସ୍ଥ ନା ହୁଅନ୍ତୁ । ଆପଣଙ୍କୁ କେବେ କୌଣସି ରୋଗ ପାଇଁ ନିଦାନର ଆବଶ୍ୟକତା ନ ପଡୁ । ଆପଣଙ୍କ ପରିଚିତ ଡାକ୍ତର ଆପଣଙ୍କ ଅନୁରୋଧରେ ଆପଣଙ୍କ ଘରେ ପହଞ୍ଚିଯାଇ ସେବା ଯୋଗାଇ ଦିଅନ୍ତୁ । ଏବଂ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ନ କରି ସେ କେବଳ ଜେନେରିକ ଔଷଧ ହିଁ ଲେଖି ଦିଅନ୍ତୁ ।

X x x x x x x x x x x x x x X

ଉପରେ ଦିଆଯାଇଥିବା ସମସ୍ତ ତଥ୍ୟ ମୋ ଜାଣତରେ ସତ୍ୟ ଅଟେ । କିନ୍ତୁ ଏହା ବିପରୀତ ତଥ୍ୟ ମଧ୍ୟ ସମ୍ଭାବ୍ୟ ହୋଇପାରେ । ତେଣୁ ଜଣେ ଡାକ୍ତର ହିସାବରେ ମୋ ଜ୍ଞାତସାରରେ ଯାହା ହେଉଛି ତାହାର ଉପସ୍ଥାପନା କରୁଛି । ଆପଣଙ୍କ ତଥ୍ୟ ମିଥ୍ୟା ନ ହୋଇପାରେ । କିନ୍ତୁ ସେଭଳି ଉଦାହରଣ ମୋ ଦୃଷ୍ଟିରେ କେହି ନାହାନ୍ତି । ତେଣୁ ଯଦି ଆପଣଙ୍କୁ ସେହିଭଳି ଚରିତ୍ର କେଉଁଠି ଦେଖାଯାଆନ୍ତି ତୁରନ୍ତ ସଚେତନତା ସୃଷ୍ଟି କରନ୍ତୁ, ଭିଡ଼ିଓ କରନ୍ତୁ କିମ୍ବା ସର୍ବସାଧାରଣ ରେ ଅପମାନିତ କରନ୍ତୁ । କିନ୍ତୁ ଜଣେ ଦୁଇଜଣ ଭୁଲ କରନ୍ତି ବୋଲି ସମୁଦାୟ ଡାକ୍ତର ସମାଜକୁ ଦୋଷୀ କରିବାର ପ୍ରଚେଷ୍ଟା କରନ୍ତୁ ନାହିଁ ।

ଧନ୍ୟବାଦ

ଡ଼ା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ବ୍ରହ୍ମପୁର, ଓଡ଼ିଶା

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ଏଠାରେ ପଢ଼ନ୍ତୁ !
ଓଡ଼ିଆ ସିନେମାର ଦିନ ସରିଲା!!!

ଓଡ଼ିଆ ସିନେମାର ଦିନ ସରିଲା!!!

ଏଠାରେ ପଢ଼ନ୍ତୁ !