favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ସୀମା ହୈଦର : ପାକିସ୍ତାନର ଗୁପ୍ତଚର ନୁହନ୍ତି ତ?

ସୀମା ହୈଦର : ପାକିସ୍ତାନର ଗୁପ୍ତଚର ନୁହନ୍ତି ତ?

ଚଳିତ ସମୟର ସବୁଠାରୁ ରୋମାଞ୍ଚକର ଖବର ହେଉଛି, ମୋବାଇଲରେ ଖେଳ ଖେଳୁ ଖେଳୁ ଭାରତୀୟ ଯୁବକର ପ୍ରେମରେ ପଡ଼ିବା ପରେ, ଜଣେ ପାକିସ୍ତାନୀ ମହିଳା ନିଜ ଚାରିଜଣ ସନ୍ତାନ ସମେତ ଭାରତ ଚାଲି ଆସିବା୤ ଅବିଶ୍ବାସ ହେଉଥିଲେ ବି ସତ, ଯେ ଏହି ଖବର ଶହେ ପ୍ରତିଶତ ସତ୤

ଦିଲ୍ଲୀର ଗ୍ରେଟର ନୋଏଡ଼ାର ରଘୁବିହାର ଅଞ୍ଚଳରେ ଗୋଟିଏ ଭଡ଼ା ଘରେ ମହିଳା ଜଣକ ନିଜର ଚାରି ସନ୍ତାନଙ୍କ ସହ ବିଗତ ପଚାଶ ଦିନରୁ ଅଧିକ ସମୟ ରହିବା ସତ୍ତ୍ବେ କେହି କେମିତି ଜାଣି ପାରିଲେ ନାହିଁ?

କଣ ଜଣେ ଚାହିଁଲେ, ବିନା କୌଣସି ସରକାରୀ ଦସ୍ତାବେଜରେ ଭାରତରେ ପ୍ରବେଶ କରି ପାରିବ? ଯଦି ହୋଇପାରେ, ତାହେଲେ ଏହି ମହିଳାଙ୍କ ସ୍ଥାନରେ ଯଦି ଜଣେ ଆତଙ୍କବାଦୀ ଥାଆନ୍ତା ତା ହେଲେ ଅବସ୍ଥା କଣ ହୁଅନ୍ତା? ଅର୍ଥାତ ମହିଳା ଜଣକ ଭାରତରେ ପ୍ରବେଶ କରିବା ଆମ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି୤ ବିନା ଭିସା ଓ ଦସ୍ତାବେଜରେ କେତେ ସହଜରେ ମହିଳା ଜଣକ କେବଳ ନିଜେ ହିଁ ନୁହଁ, ବରଂ ସାଥିରେ ଚାରି ଜଣ ସନ୍ତାନଙ୍କୁ ନେଇ ଭାରତରେ ପ୍ରବେଶ କରିବା ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସନ୍ନିକଟ ଅଞ୍ଚଳରେ ବିଗତ ପଚାଶ ଦିନରୁ ଅଧିକ ସମୟ ରହି ଆସୁଛନ୍ତି୤ ଏହା ଆମ ପାଇଁ ସୁରକ୍ଷାରେ ତ୍ରୁଟି ଏବଂ ଦେଶପାଇଁ ବିପଦ ଭାବରେ ପରିଗଣିତ କରାଯିବା ଉଚିତ ନା ନାହିଁ?

ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର କଣ!

କରୋନା ମହାମାରୀ ସମୟରେ ଅଭିଯୁକ୍ତା ସୀମା ହୈଦର ମୋବାଇଲରେ ପବଜି ନାମକ ଖେଳରେ ମାତି ଯାଇଥିଲେ, ଏବଂ ଏହି ସମୟରେ ସେ ଭାରତରେ ରହୁଥିବା ସଚୀନଙ୍କ ସଂସ୍ପର୍ଶରେ ଆସିଲେ ଏବଂ ସେଇଠୁ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା୤ ଚଳିତ ବର୍ଷ ଜାନୁଆରୀ ମାସରେ ସୀମା ପାକିସ୍ତାନରୁ ବାହାରି ଦୁବାଇ ଏବଂ ସେଠାରୁ ନେପାଳ ଆସିଥିଲେ୤ ସେଇଠି ସେ ସଚୀନଙ୍କ ସହ ସାକ୍ଷାତ କରିବା ପରେ ପ୍ରାୟ ଦଶଦିନ ଗୋଟିଏ ହୋଟେଲରେ ଏକାଠି ରହିଥିଲେ୤ ଏହା ପରେ ସେ ପାକିସ୍ତାନ ଫେରି ଯାଇଥିଲେ୤

ପରେ ସେ ପାକିସ୍ତାନ ଯାଇ ନିଜ ପିଲାଙ୍କୁ ନେଇ ସେଇ ଏକ ରାସ୍ତାରେ ପ୍ରଥମେ ଦୁବାଇ ଏବଂ ପରେ ନେପାଳରେ ପହଞ୍ଚିଥିଲେ୤ ତାଙ୍କ ପାଖରେ ଭାରତୀୟ ଭିସା ନଥିଲା, ଏବଂ ସେ କହିଥିବା ସୂଚନା ଅନୁସାରେ ନେପାଳରେ କିଛି ଦଲାଲ ତାଙ୍କୁ ବିନା ଭିସାରେ ଭାରତରେ ପ୍ରବେଶ କରାଇବା ପାଇଁ ଭଲ ଅଫର୍ ଦେଇଥିଲେ୤ ସେ କହିବା ଅନୁସାରେ ସେ ବସରେ ବସି ନେପାଳରୁ ଭାରତ ଆସିଥିଲେ୤ ସାଥିରେ ଚାରିଜଣ ପିଲା ଥିବା ହେତୁ କେହି ହୁଏତ ସନ୍ଦେହ ନ କରି ଥାଇ ପାରନ୍ତି୤ ଏହାପରେ ସେମାନେ ଭାରତରେ ବିଭିନ୍ନ ରାଜ୍ୟରେ ବସ ଦ୍ବାରା ଯାତ୍ରା କରି ଦିଲ୍ଲୀ ନିକଟସ୍ଥ ଗ୍ରେଟର୍ ନଏଡ଼ାରେ ପହଞ୍ଚିଥିଲେ୤

ସଚୀନଙ୍କ ସହ ବିବାହ ହୋଇନଥିବା ହେତୁ, ସଚୀନ ତାଙ୍କୁ ନେଇ ଗୋଟିଏ ଭଡ଼ାଘରେ ରଖାଇ ଦେଇଥିଲେ୤ ଘର ମାଲିକଙ୍କୁ କୁହାଯାଇଥିଲା ଯେ ସେମାନେ ଅଦାଲତରେ ବିବାହ କରିଛନ୍ତି୤ ସେଇ ଘରେ ସୀମା ହୈଦର ପାଖାପାଖି ପଚାଶ ଦିନ ରହିବା ସତ୍ବେ କେହି କେମିତି ଜାଣି ପାରିଲେ ନାହିଁ?

ଯେତେବେଳେ ସୀମା ଆଉ ସଚୀନ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ସେମାନେ ସାମାନ୍ୟ ପ୍ରକ୍ରିୟାରେ ବିବାହ କରିବାପାଇଁ ଓକିଲ ପରାମର୍ଶ କରୁଥିବା ସମୟରେ ସୀମା ପାଖରେ କୌଣସି ଭାରତୀୟ ଦସ୍ତାବେଜ ମିଳିନଥିଲା ଏବଂ ସେତେବେଳେ ଘଟଣା ପ୍ରଘଟ ହୋଇଥିଲା ଯେ ସେ ଜଣେ ପାକିସ୍ତାନୀ୤ ଏହାପରେ ଭାରତର ସୁରକ୍ଷା ପ୍ରଣାଳୀ ଅବଚେତନ ଅବସ୍ଥାରୁ ଉଠି ସାଙ୍ଗେ ସାଙ୍ଗେ ସୀମା ଓ ସଚୀନଙ୍କୁ ଗିରଫ କରି ପ୍ରଶ୍ନୋତ୍ତର କରିବାକୁ ଲାଗିଗଲେ୤

ପୋଲିସ ସୂଚନା ଅନୁସାରେ ସୀମାଙ୍କ ପାଖରୁ ଚାରୋଟି ମୋବାଇଲ୍ ଫୋନ୍, ପାକିସ୍ତାନୀ ନାଗରିକ ପ୍ରମାଣପତ୍ର, ତିନିଟି ଆଧାର କାର୍ଡ଼, ଚାରୋଟି ଜନ୍ମ ପ୍ରମାଣ ପତ୍ର, ନେପାଳୀ ସିମ୍, ସମେତ ଅନେକ ସନ୍ଦିଗ୍ଧ ପଦାର୍ଥ ମିଳିଛି ଏବଂ ସେଇ ସବୁ ଜିନିଷ ଗୁଡ଼ିକର ବୈଜ୍ଞାନିକ ପରୀକ୍ଷଣ ଓ ତଦନ୍ତ କରାଯାଉଛି୤

ନିଜକୁ ଅଳ୍ପ ଶିକ୍ଷିତା ଏବଂ ମାତ୍ର ପାଞ୍ଚ ଶ୍ରେଣୀ ପାଠ ପଢିଥିବା କହୁଥିବା ସୀମା ସ୍ବଚ୍ଛନ୍ଦରେ ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ବାର୍ତ୍ତାଳାପ କରି ପାରୁଛନ୍ତି୤ କୁହାଯାଉଛି ଯେ ସୀମାଙ୍କର ଭାଇ ପାକିସ୍ତାନ ଆର୍ମୀରେ କାମ କରୁଛନ୍ତି୤ ଚାରି ପିଲାଙ୍କୁ ଧରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାଭଳି ସାହାସ ସେ କେମିତି କରି ପାରିଲେ ତାହା ଅନେକ ବିଶ୍ବାସ କରୁନାହାନ୍ତି୤ ସେ ନିଜେ ଆସିଛନ୍ତି ନା ତାଙ୍କୁ କେହି ସହାୟତା ଯୋଗାଇଛି ତାହା ଏବେ ତଦନ୍ତର ବିଷୟ ହୋଇଛି୤ କିଛି ଗଣମାଧ୍ୟମ ସୀମାଙ୍କୁ ଗୁପ୍ତଚର ହେବାର ସନ୍ଦେହ କରୁଥିବା ବେଳେ ଏହା ସତ ବି ହୋଇପାରେ ବୋଲି ମନେ ହୁଏ୤ ଅବଶ୍ୟ ଗୁପ୍ତଚର ପେଶାରେ କେବେ କେହି ଚାରି ଜଣ ପିଲାଙ୍କୁ ସାଥିରେ ନେଇ ଶତ୍ରୁ ଦେଶରେ ପ୍ରବେଶ କରିବା ଉଦାହରଣ ଦେଖାଯାଇନି, ତେଣୁ କିଛି ବ୍ୟକ୍ତି ସୀମାଙ୍କ ସମର୍ଥନରେ ଆଗେଇ ଆସିଛନ୍ତି ମଧ୍ୟ୤ ପ୍ରଶ୍ନ ହେଉଛି, ଯଦି ବି ସେ ଗୁପ୍ତଚର ନ ହୋଇଥାନ୍ତି, ତଥାପି ସେ ଭାରତର ସୁରକ୍ଷାକୁ ଠକିବାରେ ସକ୍ଷମ ହୋଇଛନ୍ତି ଏବଂ ଆମ ଦେଶର ନିୟମ ଅନୁସାରେ ସେ ଦୋଷୀ୤ ଅତୀତରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା୤ ପାକିସ୍ତାନରୁ ଅନ୍ୟଜଣେ ମହିଳା ଠିକ୍ ଏଇ ଭାବରେ ଭାରତରେ ପ୍ରବେଶ କରିବା ପରେ ନିଜ ପ୍ରେମୀ ସହ ବାଙ୍ଗାଲୋରରେ ଲୁଚି ଥିବା ବେଳେ କର୍ଣ୍ଣାଟକ ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯାଇ ମହିଳାଙ୍କୁ ପାକିସ୍ତାନ ପଠାଇ ଦିଆଯାଇଛି୤

ସୀମାଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି୤ ଭାରତରେ ପ୍ରବେଶ କରିବା ପରେ ସେ ନିଜକୁ ହିନ୍ଦୁ ବୋଲି ଦର୍ଶାଇ ମଥାରେ ସିନ୍ଦୁର ଲଗାଇ ଜଣେ ସନାତନୀ ହିନ୍ଦୁଙ୍କ ଭଳି ବ୍ୟବହାର କରୁଛନ୍ତି୤ ଏହା ସେ ହୃଦୟରୁ କରୁଛନ୍ତି ନା ନାଟକ ତାହା ସମୟ ହିଁ କହିବ୤ କିନ୍ତୁ ସେ ଅତି ମୁଖର ଭାବରେ ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହୁଛନ୍ତି୤ ହିନ୍ଦୁ ମାନଙ୍କ ଅବସ୍ଥା ବିଷୟରେ କ୍ଷୋଭ ପ୍ରକଟ କରୁଛନ୍ତି୤ ଭାରତର ମୁସଲମାନ ମାନଙ୍କ ବିଷୟରେ କିଭଳି ମିଥ୍ୟା ସୂଚନା ସବୁ ପାକିସ୍ତାନରେ ପ୍ରଚାର କରାଯାଉଛି ତାହା ବି ସେ ଜଣାଉଛନ୍ତି୤

ବିଗତ ଦିନରେ ତାଙ୍କର ସ୍ବାମୀଙ୍କ ଏକ ବାର୍ତ୍ତା ସୋସିଆଲ୍ ମିଡ଼ିଆରେ ପ୍ରସାରିତ ହୋଇଛି, ଯେଉଁଠି ସେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରୁଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କୁ ପାକିସ୍ତାନ ପଠାଇ ଦିଆଯାଉ୤ ସେ ବିବାହିତା, ତେଣୁ ସେ ପୁନର୍ବାର ବିବାହ କରି ପାରିବେ ନାହିଁ ବୋଲି କହିଛନ୍ତି୤ ଆଇନତଃ ସୀମା ବର୍ତ୍ତମାନ ପାକିସ୍ତାନୀ ନାଗରିକ ଏବଂ ସେ ପାକିସ୍ତାନର ସମସ୍ତ ନିତିନିୟମକୁ ମାନିବାକୁ ବାଧ୍ୟ ବୋଲି ମଧ୍ୟ ଜଣାଇଛନ୍ତି୤ ଗିରଫ କରିବାପରେ କିଛି ଦିନ ପ୍ରଶ୍ନୋତ୍ତର ପରେ ସୀମା ଏବଂ ସଚୀନଙ୍କୁ ଜାମିନ ମିଳିଛି ଏବଂ ସେମାନେ ଏବେ ବି ଗ୍ରେଟର ନଏଡ଼ା ସ୍ଥିତ ରଘୁବିହାର ଅଞ୍ଚଳରେ ରହୁଛନ୍ତି୤ ତାଙ୍କୁ ଦେଖିବା ଏବଂ ସାକ୍ଷାତକାର ନେବାପାଇଁ ଗଣମାଧ୍ୟମ ସମେତ ସର୍ବସାଧାରଣଙ୍କ ଭିଡ଼ ହେଉଥିବା ଦେଖି ସମୁଦାୟ ଅଞ୍ଚଳରେ ବାରିକେଡ୍ ନିର୍ମାଣ କରାଯାଇ ଗତିବିଧି ନିୟନ୍ତ୍ରିତ କରାଯାଉଛି୤

ସୀମା ହୈଦର କାହିଁକି ଭାରତରେ ପ୍ରବେଶ କରିଛନ୍ତି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି୤ ଆଶା କରାଯାଉଛି, ଶୀଘ୍ର ଏହି ମାମଲାର କୌଣସି ସମାଧାନ ବାଟ ବାହାର କରାଯିବ୤ ଅତୀତର ଉଦାହରଣକୁ ଦେଖିଲେ, ସୀମାଙ୍କୁ ପାକିସ୍ତାନ ଯିବାକୁ ବାଧ୍ୟ କରାଯାଇ ପାରେ୤ ଏବଂ ଏହାହିଁ ସର୍ବଶ୍ରେଷ୍ଠ ପଦକ୍ଷେପ ହେବ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଆପଣ ଶେଷ ପୋଷ୍ଟ ଦେଖୁଛନ୍ତି ୤
ଏହା ପରେ ଆଉ କୌଣସି ପୋଷ୍ଟ ନାହିଁ୤!
ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ଏଠାରେ ପଢ଼ନ୍ତୁ !