favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ?

କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ?

ଗଞ୍ଜାମ ଜିଲ୍ଲା, ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା୤ ଆୟତନ ବା କ୍ଷେତ୍ରଫଳ ହେଉ ବା ଜନସଂଖ୍ୟା, ସବୁଠି ଆଗୁଆ ଆମ ଜିଲ୍ଲା, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ କ୍ଷେତ୍ର୤ ରାଜ୍ୟର ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଆଦି ସବୁଥିରେ ଗଞ୍ଜାମ ଜିଲ୍ଲାର ଅବଦାନ ଅଦ୍ବିତୀୟ୤ କିନ୍ତୁ ଆଜି ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହ କହିବାକୁ ପଡ଼ୁଛି ଯେ, ଏହି ଜିଲ୍ଲାର ଅଧିବାସୀଙ୍କର ମାନବାଧିକାର ବୋଲି କିଛି ନାହିଁ୤
ଏଭଳି କହିବା ପଛରେ ଥିବା କାରଣ ବିଷୟରେ ଆମେ ସାମାନ୍ୟ ଚର୍ଚ୍ଚା କରିବା୤ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇଛନ୍ତି ସେହି ଜିଲ୍ଲାବାସୀଙ୍କୁ ଉପେକ୍ଷିତ କରାଗଲା କେମିତି? କାହିଁକି ଏହି ଜିଲ୍ଲାବାସୀ ନିଜକୁ ଉପେକ୍ଷିତ ମନେ କରୁଛନ୍ତି?
ବିଗତ ସପ୍ତାହରେ ଏକ ଘଟଣାକ୍ରମରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସହର ବ୍ରହ୍ମପୁରର ଜଣେ ବୟୋଜ୍ୟୋଷ୍ଠ ବ୍ୟବସାୟୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବାପରେ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ଉପଲବ୍ଧ କରାଇବା ଆଶାରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା୤
ଭୁବନେଶ୍ବର ଓଡ଼ିଶାର ରାଜଧାନୀ, ଯେଉଁଠି ଅନେକ ପ୍ରାଇଭେଟ୍ ଓ ସରକାରୀ ହସପିଟାଲ୍ ରହିଛି୤ ଏବଂ ରାଜ୍ୟବାସୀ ନିଜର ସ୍ବାସ୍ଥ୍ୟଜନିତ ସମସ୍ୟାକୁ ସହଜରେ ସମାଧାନ କରିବାପାଇଁ ରାଜଧାନୀ ଉପରେ ନିର୍ଭର କରିଥାନ୍ତି୤
ଅତ୍ୟନ୍ତ ଦୁଃଖର ବିଷୟ, ବ୍ରହ୍ମପୁରରୁ ଭୁବନେଶ୍ବର ଯାଇଥିବା ରୋଗୀ ଜଣଙ୍କୁ କୌଣସି ପ୍ରାଇଭେଟ୍ ହସପିଟାଲ୍ ଆଡ଼ମିଟ୍ କରିବାପାଇଁ ରାଜି ହୋଇନଥିଲେ ଏବଂ ନିଜର ବୟସ୍କ ବାପାଙ୍କୁ ଭଲ ସେବା ଯୋଗାଇଦେବା ଏବଂ ରୋଗର ଚିକିତ୍ସା ଆଶାରେ ଗୋଟିଏ ହସପିଟାଲରୁ ଅନ୍ୟ ହସପିଟାଲକୁ ଘୁରିବୁଲୁଥିବା ବେଳେ ଆମ୍ବୁଲାନ୍‌ସରେ ହିଁ ସଂପୃକ୍ତ ରୋଗୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା୤
କଥା ହେଉଛି, ରୋଗୀଙ୍କୁ ଆଡମିଟ୍ କରିବାପାଇଁ ସେହି ସବୁ ହସପିଟାଲ କାହିଁକି ମନା କରିଦେଇଥିଲେ? ଏହାର କାରଣ ହେଉଛି ବର୍ତ୍ତମାନର ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମଣ ଜନିତ ପରିସ୍ଥିତି ଏବଂ ଖୋର୍ଦ୍ଦା ଜିଲ୍ଲା ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲ୍ଲା ସୀମାକୁ ସିଲ୍ କରିବା ସହିତ ଗଞ୍ଜାମ ଲୋକଙ୍କୁ ଜିଲ୍ଲାକୁ ବାରଣ କରିବା୤
ଗଞ୍ଜାମ ଜିଲ୍ଲାରେ କରୋନା ଅତ୍ୟନ୍ତ ଭୟାବହ ପରିସ୍ଥିତି ସୃଷ୍ଟି କରିଛି, ଯେତେ ମାତ୍ରାରେ ଗ୍ରାମାଞ୍ଚଳରେ ରୋଗୀ ଦେଖାଯାଉଛନ୍ତି, ସେତିକି ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛନ୍ତି୤ ଯଦିଓ ସରକାର ଆନୁଷ୍ଠାନିକ ଭାବରେ ଗୋଷ୍ଠୀ ସଂକ୍ରମଣ ନ ହୋଇଥିବା କଥାକୁ କହୁଛନ୍ତି, କିନ୍ତୁ ଗଞ୍ଜାମର ବର୍ତ୍ତମାନର ଅବସ୍ଥା ଦେଖିଲେ ଆପଣ ଜାଣି ପାରିବେ ଯେ କରୋନା ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚି ସାରିଲାଣି୤
ହେଲେ ଗଞ୍ଜାମରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା କାହିଁକି?
କରୋନା ରୋଗ ସଂକ୍ରମଣ ବିଷୟରେ ଯେତେବେଳେ ଶୁଣାଗଲା ଆଉ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ମାର୍ଚ୍ଚ ୨୪ ତାରିଖ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଗଲା, ସେହି ସମୟରୁ ହିଁ ଗଞ୍ଜାମବାସୀ ଅତ୍ୟନ୍ତ ନିଷ୍ଠାର ସହ ଜିଲ୍ଲା ପ୍ରଶାସନର ସମସ୍ତ ନିୟମକୁ ମାନି ଆସୁଥିଲେ୤ ଯେତେବେଳେ ଦେଶବ୍ୟାପୀ ଲକ୍ ଡାଉନ୍ ଅଧିକ ହୋଇନଥିଲା, ସେହି ସମୟରେ ମଧ୍ୟ ଗଞ୍ଜାମବାସୀ ଦୈନିକ ଉଣେଇଶି ଘଣ୍ଟା ଲକ୍ ଡାଉନ୍ ନିୟମ ମାନିଥିଲେ୤ ଅନ୍ୟୁନ ଦୁଇ ମାସ ଜିଲ୍ଲାରେ ଗୋଟିଏ ବି କରୋନା ସଂକ୍ରମିତ ରୋଗୀ ନଥିଲେ୤
ପରେ ପରେ ଯେତେବେଳେ ପ୍ରବାସୀମାନଙ୍କୁ ଜିଲ୍ଲାକୁ ଫେରିବାକୁ ଦିଆଗଲା, ଅନେକ ବୁଦ୍ଧିଜୀବି ଏହା ବିରୋଧରେ ମତବ୍ୟକ୍ତ କରିଥିଲେ୤ କିନ୍ତୁ ମାନବିକତା ଓ ଭାତୃତ୍ବର ନିଦର୍ଶନ ଦର୍ଶାଇ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରବାସୀଙ୍କୁ ଫେରିବା ପାଇଁ ସମସ୍ତ ବିହିତ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନେଇଥିଲେ୤ ତଥାପି ଓଡ଼ିଶାର ହାଇକୋର୍ଟ୍ ମତ ଦେଇଥିଲେ ଯେ ପ୍ରବାସୀ ମାନଙ୍କ ପରିକ୍ଷା କରିବାପରେ ହିଁ ସେମାନଙ୍କୁ ଓଡ଼ିଶା ଆସିବାକୁ ଦିଆଯାଉ୤ ଯାହା ହୋଇପାରିଲା ନାହିଁ୤
କିଛି ଡାକ୍ତର ଓ ବୁଦ୍ଧିଜୀବି ଏହା ମଧ୍ୟ ମତ ଦେଇଥିଲେ ଯେ ପ୍ରବାସୀଙ୍କୁ ଏଠାକୁ ନ ଆଣି ମଧ୍ୟ ସେମାନଙ୍କୁ ଆର୍ଥିକ ସହାୟତା ଦେଇ ସେମାନେ ଯେଉଁ ସବୁ ସ୍ଥାନରେ ରହିଛନ୍ତି ସେଠାରେ ରହିବା ବ୍ୟବସ୍ଥା କରିଥିଲେ ହୁଏତ ଭଲ ହୋଇଥାନ୍ତା, ଯାହା ହୋଇ ପାରିଲା ନାହିଁ୤ ପୁଣି କିଛି ଡାକ୍ତର ମନ୍ତବ୍ୟ ଦେଇଥିଲେ ଯେ ଯେତେବେଳେ ପ୍ରବାସୀମାନେ ଶ୍ରମିକ୍ ଟ୍ରେନରେ ଦୀର୍ଘ ବାସ୍ତରି ଘଣ୍ଟା ଯାତ୍ରା କରି ଆସିଲେ ସେହି ସମୟ ମଧ୍ୟରେ ଚାହିଁଥିଲେ ଟ୍ରେନ୍ ଭିତରେ ବି ସେମାନଙ୍କ ପରୀକ୍ଷା ବ୍ୟବସ୍ଥା କରି ହୋଇଥାନ୍ତା, ଯାହା କରାଗଲା ନାହିଁ୤
ଯେତେବେଳେ ନୁଆ ନୁଆ ପ୍ରବାସୀ ଆସିଲେ ସେତେବେଳେ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଗଲା, ଯେଉଁଠି କରୋନା ସଂକ୍ରମିତ ଓ ଅଣସଂକ୍ରମିତ ଉଭୟଙ୍କୁ ଏକତ୍ର ରଖାଗଲା, ସେଠାରେ ମଧ୍ୟ ସଂକ୍ରମଣ ବ୍ୟାପିଥିବ୤ ପୁଣି ଶୁଣାଗଲା ଯେ ଟ୍ରେନ୍ ଓ ବସରେ ଆସୁଥିବା ପ୍ରବାସୀମାନେ ରାସ୍ତାରେ ଓହ୍ଲାଇ ଯାଉଛନ୍ତି ଏବଂ ସେମାନଙ୍କ ଖବର ଖୋଜି ବାହାର କରିବା ଭିତରେ ସେମାନେ ନିଜ ପରିବାର ଓ ସାହିପଡ଼ିଶାରେ ବୁଲି ଏହି ସଂକ୍ରମଣକୁ ବଢ଼ାଇ ନଥିବେ ବୋଲି କିଏ କହିବ୤ ପରେ ସଂଗରୋଧ କେନ୍ଦ୍ରର କାନ୍ଥ ଡେଇଁ ହେଉ ଅବା ରାତିର ଅନ୍ଧାରରେ ହେଉ ଅନେକ ପ୍ରବାସୀ ଫେରାର୍ ହେବାର ଖବର ସବୁ ଖବର କାଗଜରେ ଆସିଥିଲା୤ ତାହା ବି ଚିନ୍ତାର ବିଷୟ ନିଶ୍ଚୟ୤
ପ୍ରାଥମିକ ସ୍ତରରେ ଯେତେବେଳେ ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ପାଉଥିଲା ସେତେବେଳେ ହେଉଥିବା ଟେଷ୍ଟ୍ ବା ପରୀକ୍ଷା ବହୁତ କମ୍ ହେଉଥିଲା, ଏବଂ ଅଧିକାଂଶ ରୋଗୀ ଲକ୍ଷଣବିହୀନ ହୋଇଥିବା ହେତୁ ରୋଗଟି ଗୋଷ୍ଠୀ ମଧ୍ୟରେ ରହି ବ୍ୟାପୀବାରେ ଲାଗିଥିଲା୤ ଏବେ ଯେତେବେଳେ ପରୀକ୍ଷା ଅଧିକ ହେଉଛି ଅଧିକରୁ ଅଧିକ ରୋଗୀ ଚିହ୍ନା ପଡୁଛନ୍ତି୤ ତେଣୁ ଜିଲ୍ଲାରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି୤
ଏତେ ବଡ଼ ଜିଲ୍ଲା ହୋଇଥିବା ସତ୍ତ୍ବେ ଏଠାରେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ତ ଦୂରର କଥା, ବଡ଼ କୋଭିଡ୍ ହସପିଟାଲ୍ ବ୍ୟବସ୍ଥା ମଧ୍ୟ ନାହିଁ୤ ଯେଉଁମାତ୍ରାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସେହି ଭଳି ଭାବରେ କୋଭିଡ଼୍ ହସପିଟାଲ୍ ନାହିଁ, ଏବଂ ଯେଉଁ ସବୁ ବ୍ୟବସ୍ଥା ରହିଛି ସେହି ସବୁ ବ୍ୟବସ୍ଥା ଉପରେ ପ୍ରତିଦିନ ରୋଗୀ ଏବଂ ସମ୍ପର୍କୀୟଙ୍କ ଦ୍ବାରା ପ୍ରଶ୍ନ ଉଠାଯାଉଛି୤
କରୋନା ରୋଗକୁ ପ୍ରତିହତ କରିବାପାଇଁ ସର୍ବୋତ୍କୃଷ୍ଟ ଉପାୟ ଥିଲା ଘରେ ରହିବା ଆଉ ଗହଳି ସ୍ଥାନକୁ ଯିବା ନାହିଁ, ମୁହଁରେ ମାସ୍କ୍ ପିନ୍ଧିବା ଇତ୍ୟାଦି୤ ହେଲେ ଯେଉଁଭଳି ଭାବରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରାଗଲା, ଲୋକମାନେ ସମୟ ପାଇଲେ ନାହିଁ ଘର ପାଇଁ ସଉଦା ପତ୍ର କିଣିବାପାଇଁ, ତେଣୁ ଯେତେବେଳେ କିଛି ସମୟ ମିଳିଲା, ସବୁ ଲୋକ ଏକାଠି ବଜାର କରିବାକୁ ବାହାରିଲେ୤ ତେଣୁ ସବୁଠି ସୋସିଆଲ୍ ଡିଷ୍ଟାନ୍‌ସିଂ ବ୍ୟବସ୍ଥା ଫେଲ୍ ମାରିଲା୤ ବ୍ରହ୍ମପୁର ସହରର ବଡ଼ବଜାର ଉପରେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ଆଖପାଖର ଚାରି ପାଞ୍ଚଟି ଜିଲ୍ଲାର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ନିର୍ଭର କରନ୍ତି, ସେମାନେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ବିପଣୀ କରି ଫେରିବା ଉଦ୍ଦେଶ୍ୟରେ ବଜାରରେ ଗହଳି କରିଲେ ଏବଂ ଏଥିରେ ସଂକ୍ରମଣ ବ୍ୟାପିବାକୁ ଲାଗିଲା୤
କିଛି ଲୋକ ନିଶ୍ଚୟ ଭାବରେ ଅମାନିଆ ହୋଇଥିଲେ, କିନ୍ତୁ ଅଧିକାଂଶ ଲୋକ ନିତିନିୟମ ମାନି ରହିଥିଲେ୤ ଗଞ୍ଜାମ ଜିଲ୍ଲା, ଓ ବିଶେଷକରି ବ୍ରହ୍ମପୁର ସହରବାସୀ ଜିଲ୍ଲା ପ୍ରଶାସନର ସମସ୍ତ ନିୟମକୁ ବିନା ପ୍ରଶ୍ନରେ ଅନୁସରଣ କରିଛନ୍ତି୤ ତଥାପି କରୋନା ବ୍ୟାପିବାରେ ଲାଗିଲା୤ ଏଥିପାଇଁ ଯେ କେବଳ ଜିଲ୍ଲାବାସୀ ଜନସାଧାରଣ ଦାୟୀ ବୋଲି କହିବା ଅନୁଚିତ ହେବ୤ ପ୍ରଥମତଃ ପ୍ରବାସୀ ମାନେ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଆଦୌ ହୋଇନଥିଲା, ତେଣୁ ଗଞ୍ଜାମ ଜିଲ୍ଲାରେ ଯଦି ଆଜି କରୋନା ସଂକ୍ରମଣ ଅତିଅଧିକ ବୃଦ୍ଧି ପାଇଛି ତା ହେଲେ ଏହାର କାରଣ କେବଳ ପ୍ରବାସୀ ହିଁ ହୋଇପାରନ୍ତି୤ ଏବଂ ଏହି ପ୍ରବାସୀଙ୍କୁ ଜିଲ୍ଲାକୁ ଆଣିବା ପାଇଁ ନିଷ୍ପତ୍ତି ନେଇଥିବା ରାଜନେତା ଓ ପ୍ରଶାସକ ମାନେ ଏହି ଅବସ୍ଥା ପାଇଁ ଦାୟୀ୤
ଆଜି ଯେତେବେଳେ ବ୍ରହ୍ମପୁର ସହରକୁ ଅନିର୍ଦ୍ଧିଷ୍ଟ କାଳପାଇଁ ସିଲ୍ କରି ଦିଆଯାଉଛି, ଏବଂ ଜନସାଧାରଣଙ୍କ ଚଳପ୍ରଚଳ ହେବାକୁ ବାଧା ଦିଆଯାଉଛି, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଆମ ସମସ୍ତ ସହରବାସୀଙ୍କୁ ଦୋଷୀ ବୋଲି ଘୋଷଣା କରାଯାଉଛି ଏବଂ ଆମକୁ ସିଧା ସଳଖ ଦୋଷୀ ଭାବରେ ଜିଲ୍ଲା ଭିତରେ ଏବଂ ଜିଲ୍ଲା ବାହାରେ ଉପସ୍ଥାପନ କରାଯାଉଛି, ଯେଉଁଥିପାଇଁ ଭୁବନେଶ୍ବରର ପ୍ରାଇଭେଟ୍ ହସପିଟାଲ୍ ଗଞ୍ଜାମରୁ ଆସୁଥିବା ରୋଗୀଙ୍କୁ ଆଡ୍‌ମିଟ୍ କରିବାକୁ ମନା କରି ଦେଉଛନ୍ତି୤
ରୋଗୀ ମୃତ୍ୟୁବରଣ କରୁଥିଲେ ସୁଦ୍ଧା ଏଥିପାଇଁ କୌଣସି ଆନୁଷ୍ଠାନିକ ତଦନ୍ତର ନିର୍ଦ୍ଦେଶ ଦିଆଯାଉନାହିଁ, ଏହାର ଅର୍ଥ କଣ ଆମେ ଧରିନେବା ଯେ ଆମେ ସବୁ ଅସ୍ପୃଶ୍ୟ ହୋଇ ଯାଇଛୁ୤ ଆମର ମାନବାଧିକାର କିଛି ନାହିଁ୤
କରୋନା ରୋଗ ସମାଜରୁ ହଠାତ୍ ବାହାରି ଯିବ ନାହିଁ୤ ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ବ୍ୟବସ୍ଥା ନାହିଁ୤ ତେଣୁ ଆମକୁ ଏହି ରୋଗ ସହ ବଞ୍ଚିବାକୁ ହେବ୤ ବର୍ତ୍ତମାନ ଲକ୍ ଡାଉନ୍ ଶହେ ଦିନରୁ ଅଧିକ ସମୟ ଧରି ହେଲାଣି୤ ଏହାଦ୍ବାରା ଯେ କରୋନା ନିୟନ୍ତ୍ରଣରେ ଲାଭ ହୋଇନାହିଁ ତାହା କହି ପାରିବା ନାହିଁ, କାରଣ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ସଂକ୍ରମଣ ଓ ମୃତ୍ୟୁହାର ବହୁତ କମ ରହିଛି୤ କିନ୍ତୁ ଆମେ କରୋନା ଭୟରେ ଆଉ କେତେ ଦିନ ଏମିତି ରହିପାରିବା? ଯେଉଁ ପରିବାର ସବୁ ଦିନ ମଜୁରୀ ବା ଦିନଟିଏ ଖଟିଲେ ଦୁଇଓଳି ଖାଇବାକୁ ପାଉଥିଲେ ସେମାନେ ନିଜର କର୍ମସଂସ୍ଥାନ ହରାଇ ସାରିଲେଣି୤ ଗରୀବ ମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ସତ, କିନ୍ତୁ ଏହି ସବୁ ଯୋଜନା କେବଳ ଗରିବୀ ସୀମାରେଖା ତଳେ ରହୁଥିବା ଲୋକମାନଙ୍କୁ ହିଁ ମିଳୁଛି, ଗରୀବ ମଧ୍ୟବିତ୍ତମାନଙ୍କ ଅବସ୍ଥା କଣ ହେଉଥିବ ତାହା ସରକାର ଚିନ୍ତା କରିବା ସମୟ ଆସିଛି୤ ଦେଶର ଅଶୀ କୋଟି ଲୋକଙ୍କୁ ଜନକଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ କରିବା ଭଲ ପଦକ୍ଷେପ କିନ୍ତୁ ବାକି ଯେଉଁ ପଚାଶ କୋଟି ଲୋକ ରହିଛନ୍ତି ସେମାନେ କଣ ସମସ୍ତେ ସ୍ବଚ୍ଛଳ ଯେ ସେମାନେ ପରିବାର ପ୍ରତିପୋଷଣ କରି ପାରିବେ? ତେଣୁ ବର୍ତ୍ତମାନ ଆମ ସମସ୍ତଙ୍କୁ ସଚେତନ ହେବାକୁ ହେବ୤ ଧିରେ ଧିରେ ହେଉ ପଛେ ଏହି ଲକ୍ ଡାଉନ୍ ବ୍ୟବସ୍ଥା ବନ୍ଦ କରିବାକୁ ପଡ଼ିବ, ନହେଲେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯିବ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଓଡ଼ିଆ ସିନେମାର ଦିନ ସରିଲା!!!

ଓଡ଼ିଆ ସିନେମାର ଦିନ ସରିଲା!!!

ଏଠାରେ ପଢ଼ନ୍ତୁ !
ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଏଠାରେ ପଢ଼ନ୍ତୁ !