favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସଦ୍ୟ ପ୍ରକାଶିତ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଓଡ଼ିଶାର ପୁରୀଠାରେ ଆୟୋଜିତ ହେଉଥିବା ବାର୍ଷିକ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି୤

ବର୍ତ୍ତମାନ ସମଗ୍ର ବିଶ୍ବ କରୋନା ରୂପୀ ମହାମାରୀର ପ୍ରଭାବରେ ସ୍ଥାଣୁ ଅବସ୍ଥାରେ ଥିବା ସମୟରେ ଲୋକମାନଙ୍କ ଧାର୍ମିକ ଭାବନା ଏବଂ ଜଗତନାଥଙ୍କ ରଥଯାତ୍ରାକୁ ନେଇଥିବା ଭାବାବେଗକୁ ସମ୍ମାନ ଜଣାଇ ଅନ୍ତତଃ ରଥଯାତ୍ରାକୁ ଅନୁମତି ମିଳିବ ବୋଲି ଅନେକେ ଆଶା କରିଥିଲେ, କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ସମୁଦାୟ ଓଡ଼ିଆ ଜାତିର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ଯାତ୍ରାକୁ ନ୍ୟାୟାଳୟ ସ୍ଥଗିତ କରିଦେଲେ୤ ଏହାର ପ୍ରଭାବ ଏବଂ ଦୁଷ୍ପ୍ରଭାବ ବିଷୟରେ ଅନେକ କୁହାଯାଇଛି ଏବଂ ଆଜି ଏହି ନିଷ୍ପତ୍ତି ଆସିବାପରେ ସାମାଜିକ ଗଣମାଧ୍ୟମ ସମେତ ରାଜ୍ୟର ସମସ୍ତ ଗଣମାଧ୍ୟମ ଚଳଚଞ୍ଚଳ ହୋଇ ଉଠିଛନ୍ତି୤ ଏହି ନିଷ୍ପତ୍ତି ବିରୁଦ୍ଧରେ ଏକ ବିଶାଳ ଜନମତ ସୃଷ୍ଟି ହେଉଥିବା ଦେଖାଯାଉଛି୤

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ରଥଯାତ୍ରା ଆୟୋଜନ କରିବା ଉଚିତ ନା ନାହିଁ?

ଯେହେତୁ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପରବର୍ତ୍ତି ସମୟରୁ ହିଁ ଏହି ପ୍ରଥା ପ୍ରଚଳିତ ହୋଇ ଆସିଛି ତେଣୁ ଏହାକୁ ଆୟୋଜନ କରାଯିବା ସର୍ବୋଚିତ ପଦକ୍ଷେପ ହୋଇଥାନ୍ତା ବୋଲି ମୋର ମତ୤ ଅବଶ୍ୟ କରୋନାକୁ ଆଖି ଆଗରେ ରଖି ଏଥିରେ କିଛି ପରିବର୍ତ୍ତନ କରାଯାଇ ପାରନ୍ତା୤ ବର୍ତ୍ତମାନ ରାଜ୍ୟସାରା ଲକ୍‌ଡାଉନ୍ ଚାଲିଛି, ତେଣୁ ରଥଯାତ୍ରାରେ ପ୍ରବଳ ଜନଗହଳି ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଯାଇ ପାରିବା୤ ପୁରୀକୁ ସଂଲଗ୍ନ ସମସ୍ତ ମୁଖ୍ୟ ପଥକୁ ଯଦି ସୁରକ୍ଷାବଳ ଦ୍ବାରା ବନ୍ଦ କରିଦିଆଯାଆନ୍ତା, ତା ହେଲେ ହୁଏତ ଜନଗହଳି ହୁଅନ୍ତା ନାହିଁ୤ ସ୍ଥାନୀୟ ଲୋକ, ପ୍ରଶାସନ ସହାୟତାରେ ରଥଟଣା କାର୍ଯ୍ୟ ସମ୍ପାଦିତ କରି ପାରିଥାନ୍ତେ୤ ଏଥିପାଇଁ ଆବଶ୍ୟକ ହେଲେ ଉତ୍ସାହୀ ସ୍ବେଚ୍ଛାସେବୀଙ୍କ ରକ୍ତ ଓ ଅନ୍ୟାନ୍ୟ ପରିକ୍ଷା କରାଯାଇ ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇନାହିଁ ବୋଲି ପ୍ରମାଣପତ୍ର ଦିଆଯାଇ ପାରନ୍ତା ଏବଂ ସେମାନଙ୍କ ଦ୍ବାରା ରଥ ଟଣା ହୋଇ ପାରନ୍ତା୤ ଏହାକୁ ଯଦି ପ୍ରଶାସନ ଚେଷ୍ଟା କରିଥାନ୍ତେ ତା ହେଲେ ସହଜରେ ହୋଇ ପାରନ୍ତା୤

ଦୁଇଲକ୍ଷରୁ ସାମାନ୍ୟ ଅଧିକ ଜନସଂଖ୍ୟାବିଶିଷ୍ଟ ପୁରୀ ସହରକୁ ରଥଯାତ୍ରା ଏବଂ ଏହାର ପୂର୍ବ ଏବଂ ପରଦିନ ଆଂଶିକ ଭାବରେ ସଟ୍‌ଡାଉନ୍ କରିଦେଇଥିଲେ, ଜନଗହଳିକୁ ଏଡ଼ାଇ ହୁଅନ୍ତା୤ ବିଭିନ୍ନ ଗଣମାଧ୍ୟମ ଦ୍ବାରା ରଥଯାତ୍ରାର ସିଧା ପ୍ରସାରଣ ତ ସେମିତିରେ ବି ହେଉଛି, ଆମେ କେବଳ ଏକ ବିଶାଳ ଜନମତ ସୃଷ୍ଟି କରିବାର ଥିଲା ଯେ କେହି ବି ବନ୍ଧୁ ପୁରୀ ଯିବେ ନାହିଁ୤ ଆଉ ଯଦି ବା କେହି ଅବାଧ୍ୟ ହୋଇ ଯାଆନ୍ତେ ତା ହେଲେ ସୁରକ୍ଷାକର୍ମୀଙ୍କ ପ୍ରହରୀମାନେ ସେମାନଙ୍କ ବ୍ୟବସ୍ଥା କରି ପାରନ୍ତେ୤

ହେଲେ ଓଡ଼ିଶା ସରକାରଙ୍କ ତରଫରୁ ଏହି ମାମଲାର ପକ୍ଷଧର ଓକିଲ କହିଥିଲେ ଯେ ଯଦି ରଥଯାତ୍ରା ହୁଏ ଜନଗହଳି ନିଶ୍ଚୟ ହେବ ଏବଂ ଏହାଫଳରେ କରୋନା ସଂକ୍ରମଣର ଦର ବୃଦ୍ଧି ପାଇପାରେ୤ ତେଣୁ ଓକିଲ ମହାଶୟଙ୍କୁ ଉପରୋକ୍ତ ସମସ୍ତ ତଥ୍ୟକୁ ଆଲୋଚନା ମାଧ୍ୟମରେ କେହି ଜଣାଇଥିଲେ କି ନା ତାହା ତ ମୁଁ ଜାଣେନି୤ କିନ୍ତୁ ହୁଏତ ଏହା ହିଁ ସର୍ବୋତ୍ତମ ଉପାୟ ହୋଇଥାନ୍ତା ରଥଯାତ୍ରା ପାଇଁ୤

ଅନ୍ୟ ଏକ ଉପାୟ ମଧ୍ୟ ହୋଇ ପାରନ୍ତା୤ ଯେଉଁଭଳି ରଥଯାତ୍ରା ପୂର୍ବରୁ ଚନ୍ଦନଯାତ୍ରା ସମୟରେ ତିନି ବିଗ୍ରହଙ୍କ ସ୍ଥାନରେ କେବଳ ମଦନମୋହନଙ୍କୁ ନେଇ ଚାପ ଖେଳ ହୁଏ, ଠିକ୍ ସେହି ଭାବରେ, ରଥଯାତ୍ରାକୁ ବି ସାଙ୍କେତିକ ଭାବରେ ମଦନମୋହନଙ୍କୁ ନେଇ କରାଯାଇପାରନ୍ତା୤ ସେଥିପାଇଁ ବିଶାଳ ରଥର ଆବଶ୍ୟକତା ନଥାନ୍ତା କି ଜନଗହଳି ଆବଶ୍ୟକ ହୁଅନ୍ତା ନାହିଁ୤ ଏବଂ କରୋନା ସଂକ୍ରମିତ ଆର୍ଥିକ ମାନ୍ଦାବସ୍ଥା ସମୟରେ ହୁଏତ ଏହା ହିଁ ସର୍ବୋତ୍କୃଷ୍ଟ ଉପାୟ ହୋଇପାରନ୍ତା ରଥଯାତ୍ରା ପାଳନ ବି ହୋଇଥାନ୍ତା ଏବଂ ମନ୍ଦିରର କୌଣସି ନୀତିକାନ୍ତିରେ ବାଧା ଉପୁଜିନଥାନ୍ତା, କିମ୍ବା ରଥଯାତ୍ରା ବନ୍ଦ ହେବାଜନିତ ଦୁଃଖ ହୁଅନ୍ତା ନାହିଁ୤ ଅବଶ୍ୟ ଏହା ଏକ ଉପାୟ ମାତ୍ରା, ଏ ବିଷୟରେ ଅଧିକ ବିବରଣୀ ମନ୍ଦିର ସହିତ ସଂପୃକ୍ତ ବ୍ୟକ୍ତିମାନେ ହିଁ କହି ପାରିବେ୤

ଏବେ କିଛି ଭକ୍ତ ସାମାଜିକ ଗଣମାଧ୍ୟମରେ କହୁଛନ୍ତି ଯେ ଯଦି ରଥଯାତ୍ରା କରିବାର ହିଁ ନଥିଲା ତା ହେଲେ ଏତେ ବଡ଼ ବଡ଼ ରଥ ନିର୍ମାଣ କାହା ଉଦ୍ଦେଶ୍ୟରେ ହୋଇଥିଲା? ଏହା ପ୍ରଶ୍ନ ହେବା ସ୍ବାଭାବିକ୤ କାରଣ ରଥ ନିର୍ମାଣ ପାଇଁ ଅଜସ୍ର ଅର୍ଥ ବ୍ୟୟ ହେବା ସହ ଅନେକ ମାନବ ସମ୍ବଳ ଓ ଯାବତୀୟ ଖର୍ଚ୍ଚ ସମ୍ମିଳିତ ହୋଇ ରହିଛି୤ ଜଙ୍ଗଲରୁ କାଠ ସଂଗ୍ରହରୁ ଆରମ୍ଭ କରି, ରଥ ନିର୍ମାଣ ଶେଷ ପର୍ଯ୍ୟନ୍ତ ଅନେକ ପରିବାର ଏହା ଉପରେ ନିର୍ଭର କରନ୍ତି୤ ସେ ଯାହେଉ, ବୋଧହୁଏ ରାଜ୍ୟ ସରକାର ଭାବୁଥିଲେ ଯେ ଜୁଲାଇ ମାସ ବେଳକୁ କରୋନାର ପ୍ରଭାବ କମ ହୋଇଯାଇଥିବ ଏବଂ ସାବଧାନତା ମୂଳକ ଭାବରେ ଏହାକୁ ଆୟୋଜିତ କରି ପାରିବେ, ତେଣୁ ରଥ ନିର୍ମାଣ କରାଇଥିଲେ୤

ବର୍ତ୍ତମାନ ପରିସ୍ଥିତିରେ ଆମେ କେବଳ ଏତିକି ହିଁ କହି ପାରିବା ଯେ ମହାପ୍ରଭୂ ଜଗନ୍ନାଥ ସମଗ୍ର ବ୍ରହ୍ମାଣ୍ଡର ଈଶ୍ବର, ତାଙ୍କର ଇଚ୍ଛାରେ ହିଁ ସବୁକିଛି ହୁଏ୤ ଭଲମନ୍ଦ, ସୁଖଦୁଃଖ, ସବୁ ସେ ହିଁ କରାନ୍ତି୤ ହୁଏତ ଚଳିତ ବର୍ଷ ରଥଯାତ୍ରା ନ କରିବା ନିଷ୍ପତ୍ତି ସେ ନିଜେ ହିଁ କରାଇଛନ୍ତି, କାରଣ ଯଦି ସତରେ ରଥଯାତ୍ରା ହୁଏ ଏବଂ ଲୋକମାନେ ଅମାନ୍ୟ ହୋଇ ଗହଳି କରନ୍ତି ଏବଂ ଏହି ଯାତ୍ରାଫଳରେ ଅଜସ୍ର ଲୋକ କରୋନାଗ୍ରସ୍ତ ହୁଅନ୍ତି ତାହେଲେ ଏଥିପାଇଁ ନିନ୍ଦିତ ବି ତ ସେ ହିଁ ହେବେ୤ ଜଗତସାରା ଲୋକ କଣ କହିବେ? ଅଯଥା ଲୋକହସାର ପାତ୍ର ହେବେ ଆମ ମହାପ୍ରଭୂ୤ ଏହା କଣ ଆମକୁ ଭଲ ଲାଗିବ କି?

ତେଣୁ ରଥଯାତ୍ରା ପାଳିତ ନ ହେବାର ନିଷ୍ପତ୍ତିକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି ଧରିନିଆଯାଉ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ?

କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ?

ଏଠାରେ ପଢ଼ନ୍ତୁ !
ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଏଠାରେ ପଢ଼ନ୍ତୁ !