favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଗତ ସନ୍ଧ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଥିବା ଏକ ସମ୍ବୋଧନରେ ଆସନ୍ତା ବାଇଶି ତାରିଖ ରବିବାର ଦିନ ସକାଳ ସାତଟାରୁ ରାତି ନଅଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗୁ କରିବାପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ୤ ଏହାର ଅର୍ଥ ଏହି ସମୟସୀମା ମଧ୍ୟରେ କୌଣସି ବ୍ୟକ୍ତି ନିଜ ଘରୁ ବାହାରକୁ ବାହାରିବେ ନାହିଁ୤ ଅତି ଜରୂରୀ ନ ହେଲେ ଆପଣ ନିଜ ଘର ଭିତରେ ହିଁ ରହିବେ୤ ଚଉଦ ଘଣ୍ଟାର ଏକ ଅଘୋଷିତ କର୍ଫ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି୤ କେହି କେହି କହୁଛନ୍ତି ଏମିତି ଦିନଟିଏ କର୍ଫ୍ୟୁ କରିଦେଲେ କଣ କରୋନା ଭୂତାଣୁକୁ ନିଷ୍କ୍ରିୟ କରିହେବ କି? ନା ଏହା ଦ୍ବାରା ଭାରତରେ ଅବଶ୍ୟମ୍ଭାବୀ ଭୟାବହ ଦୁଷ୍ପରିଣାମରୁ ବର୍ତ୍ତି ହେବ?

ବର୍ତ୍ତମାନ ବିଶ୍ବର ଅନ୍ୟୁନ ଶହେ ଷାଠିଏ ଟି ଦେଶ ଭୟଙ୍କର କରୋନା ଭୂତାଣୁର ସଂକ୍ରମଣ ଦ୍ବାରା ଆକ୍ରାନ୍ତ ହୋଇ ସାରିଛନ୍ତି ଏବଂ ଦୈନିକ ଅଗଣିତ ଲୋକ ଏହା ଫଳରେ ପ୍ରାଣ ହରାଉଛନ୍ତି୤ ଦୁର୍ଭାଗ୍ୟର ବିଷୟ ବିଜ୍ଞାନର ଦୃତ ଅଭିବୃଦ୍ଧି ହୋଇଥିଲେ ସୁଦ୍ଧା ଏହି ଭୂତାଣୁ ବିରୋଧ କରିବା ଭଳି କୌଣସି ଟୀକା କିମ୍ବା ଔଷଧ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇ ପାରିନାହିଁ୤ ତେଣୁ ଏହାର ଭୟାବହତାକୁ ସମସ୍ତେ ଉଣା ଅଧିକେ ଅନୁମାନ କରିପାରୁଥିବେ୤ ଚୀନର ଉହାନ୍ ପ୍ରାନ୍ତରୁ ଜନ୍ମ ନେଇଥିବା ଏହି ଭୂତାଣୁ ଦ୍ବାରା ଚୀନ ସମେତ, ଇଟାଲୀ, ଇରାନ୍, ଜର୍ମାନୀ, ଆମେରିକା ଏବଂ ଅନ୍ୟାନ୍ୟ ଦେଶ ସମେତ ଭାରତରେ ମଧ୍ୟ ସକ୍ରିୟ ରହିଛି୤ ଭାରତ ଯଦିଓ ଏହି ସଂକ୍ରମଣରୁ ଅନେକଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିଲା କିନ୍ତୁ ଦେଶ ବାହାରୁ ଆସୁଥିବା ବିଦେଶୀ ଏବଂ ଭାରତୀୟଙ୍କ ଦ୍ବାରା ଏହି ସଂକ୍ରମଣ ଏବ ଦେଶରେ ଅନେକ ରାଜ୍ୟରେ ଦେଖାଗଲାଣି୤ ଏହାର ଭୟାବହତା ଏବଂ ଚିକିତ୍ସୀୟ ଅଭାବକୁ ପରିଲକ୍ଷିତ କରି ଓଡ଼ିଶା ସମେତ ଅନେକ ରାଜ୍ୟ ସମୟ ପୂର୍ବରୁ ଅନେକ ପଦକ୍ଷେପ ନେଇଥିଲେ, ଯଥା ସ୍କୁଲ୍ କଲେଜ ସବୁ ବନ୍ଦ କରିବା, ସ୍ଥାନେ ସ୍ଥାନେ ସହର ମାନଙ୍କରେ ଧାରା ୧୪୪ ଲାଗୁ କରିବା ଇତ୍ୟାଦି୤ ଏହାଦ୍ବାରା ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି ଆଶା କରାଯାଉଛି୤

ଅବଶ୍ୟ ସୋସିଆଲ୍ ନେଟ୍‌ବର୍କିଂ ଯୁଗରେ ଫେସବୁକ୍ ଓ ହ୍ବାଟ୍‌ସାପ୍ ମାଧ୍ୟମରେ ଅନେକ ସୂଚନା ପ୍ରସାରଣ ହେତୁ ଅନେକ ଲୋକ ସଚେତନ ହୋଇଗଲେଣି୤ ହାତକୁ ବାରମ୍ବାର ଧୋଇବା ହେଉ ବା ଜନଗହଳି ସ୍ଥାନକୁ ନ ଯିବା ହେଉ, ବା ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ହେଉ, ସବୁଥିରେ ଲୋକମାନେ ସକ୍ରିୟ ଭାବରେ ତତ୍ପରତା ଦେଖାଇଛନ୍ତି୤ ହୁଏତ ଏହି ସବୁ କାରଣରୁ ଏହି ଭୂତାଣୁ ଭାରତରେ ଅପେକ୍ଷାକୃତ ଅଳ୍ପ କ୍ଷତି ଘଟାଇଛି୤ ଅନ୍ୟ ଦେଶ ମାନଙ୍କରେ ଶହ ଶହ ଏବଂ ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଭାରତରେ ଏହି ସଂକ୍ରମଣର ସଂଖ୍ୟା ଅଧ୍ୟାବଧି ୨୦୦ ଛୁଇଁ ନାହିଁ୤ କିନ୍ତୁ ଆମ ଦେଶରେ ଯେ ଏହି ରୋଗ ତୀବ୍ର ବେଗରେ ସଂକ୍ରମଣ ନ ହେବ କିଏ କହିବ? ତେଣୁ ଆମକୁ ବେଳ ଥାଉ ଥାଉ ସାବଧାନ ହେବାକୁ ପଡ଼ିବ୤ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଭାଷଣର ବହୁତ ମହତ୍ବ ରହିଛି୤

କିଛି ସୋସିଆଲ୍ ମେଡ଼ିଆରେ ପ୍ରସାରିତ ଖବର ଅନୁଯାୟୀ, ଯେହେତୁ କରୋନା ଭୂତାଣୁ ସର୍ବାଧିକ ବାର ଘଣ୍ଟା ସମୟ ସର୍ବାଧିକ ଯେକୌଣସି ସ୍ଥାନରେ ବଞ୍ଚି ରହିପାରେ, ତେଣୁ ଚଉଦ ଘଣ୍ଟିଆ କର୍ଫ୍ୟୁ ବଳରେ ଅନେକ ଏଭଳି ସ୍ଥାନ ଯେଉଁଠି ସଂକ୍ରମଣର ସମ୍ଭାବନା ଥିବ, ସେ ସବୁ ସ୍ଥାନରେ ଜନଗହଳି ନ ହେବା ହେତୁ ଏହି ସଂକ୍ରମଣକୁ ନିଷ୍କ୍ରିୟ କରାଯାଇ ପାରିବ ଏବଂ ଏହାର ସଂକ୍ରମଣ ହାର ମଧ୍ୟ କମ ହୋଇ ପାରିବ୤

ଆସନ୍ତୁ ଏହି ପ୍ରକ୍ରିୟାକୁ ଭଲ ଭାବରେ ବୁଝିବା୤ ଯଦି ମୋଦୀଙ୍କ କହିବା ଅନୁସାରେ ସମଗ୍ର ଦେଶବାସୀ କର୍ଫ୍ୟୁ ପାଳନ କରନ୍ତି୤ ଅର୍ଥାତ ବାଇଶି ତାରିଖ ସକାଳ ସାତଟାରୁ ରାତି ନଅଟା ପର୍ଯ୍ୟନ୍ତ, ତା’ହେଲେ ଏହା ମାତ୍ର ଚଉଦ ଘଣ୍ଟାର କର୍ଫ୍ୟୁ ନ ହୋଇ ଏହାଠାରୁ ଢେର୍ ଅଧିକ ଅର୍ଥାତ ୩୬ ଘଣ୍ଟିଆ କର୍ଫ୍ୟୁ ହେବ୤ କେମିତି? ଦେଖନ୍ତୁ ଆପଣ ଏକୋଇଶି ତାରିଖ ରାତିରୁ ହିଁ ନିଜ ଘରେ ବନ୍ଦ ହୋଇ ରହିବେ୤ ପୁଣି ବାଇଶି ତାରିଖ ରାତି ନଅଟା ପରେ କିଏ ଘରୁ ବାହାରିବ? ତେଣୁ ଆପଣ ଘରୁ ବାହାରିବା ବେଳକୁ ତେଇଶି ତାରିଖ ସକାଳ ହୋଇଯାଇଥିବ୤ ଅର୍ଥାତ ଏକୋଇଶି ତାରିଖ ରାତି ନଅଟାରୁ ତେଇଶି ତାରିଖ ସକାଳ ଛଅଟା ପର୍ଯ୍ୟନ୍ତ ସମଗ୍ର ଦେଶ ଏକ ଅଣବସର ଘର ଭଳି ବ୍ୟବହାର ହେବ୤ ସାମାଜିକ ମିଳାମିଶା ହେବ ନାହିଁ, ଯେଉଁଠି ବି ଭୂତାଣୁ ସକ୍ରିୟ ଥିବ ତାହା ସର୍ବାଧିକ ବାର ଘଣ୍ଟା ପରେ ନିଷ୍କ୍ରିୟ ହୋଇଯିବ୤ ଅର୍ଥାତ ଦେଶର ଅଧିକାଂଶ ସ୍ଥାନରୁ ଏହି ଭୂତାଣୁକୁ ଦୁର କରିହେବ୤ ଏହା ଏକ ବୈଜ୍ଞାନିକ ପ୍ରୟୋଗ ବୋଲି କହି ପାରିବା୤

ହୁଏତ ଅନେକ ମୋଦୀଙ୍କ ଏହି ଜନତା କର୍ଫ୍ୟୁ ବ୍ୟବସ୍ଥାକୁ ବ୍ୟଙ୍ଗ ଭାବରେ ନେଇ ପାରନ୍ତି, କିନ୍ତୁ ଚିନ୍ତା କରି ଦେଖନ୍ତୁ, ସେ ଏହି ଛୋଟ ଆହ୍ବାନରେ କେତେବଡ଼ ବୈଜ୍ଞାନିକ ପରୀକ୍ଷଣ ପାଇଁ ସମଗ୍ର ଦେଶକୁ ଏକତ୍ରିତ କରି ପାରିଲେ୤ ଆମେ ହୁଏତ ଭୁଲି ଯାଇପାରୁ ଯେ ବିଶ୍ବରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଇଟାଲୀ ଦ୍ବିତୀୟ ସ୍ଥାନରେ ଆସୁଥିବା ବେଳେ ଭାରତ ଶହେବାର ସ୍ଥାନରେ ଆସେ୤ ଯଦି ଇଟାଲୀର ଅବସ୍ଥାକୁ ଲକ୍ଷ୍ୟକରିବା ତା ହେଲେ ଆମ ଦେଶରେ କଣ ଯେ ହେବ ତାହା କହିବା ଅସମ୍ଭବ ନୁହେଁ୤ ତେଣୁ ଆମେ ସମସ୍ତେ ଏହି ଦିନିକିଆ କର୍ଫ୍ୟୁ ପାଳନ କରିବା ଉଚିତ୤

ଯଦି ସତରେ ଦେଶବାସୀ ଗୋଟିଏ ଦିନ ନିଜ ଘରୁ ବାହାରିବେ ନାହିଁ, ତା ହେଲେ ହୁଏତ ବାୟୁମଣ୍ଡଳ ହେଉ ବା ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଭୁତାଣୁ ନିଶ୍ଚୟ ଭାବରେ ନିଷ୍କ୍ରିୟ ହୋଇଯିବେ୤ ଏହାଦ୍ବାରା ଆଗକୁ ସଂକ୍ରମଣକୁ ଅନେକାଂଶରେ ଅଟକାଇ ହେବ୤

ଏହି ଜନତା କର୍ଫ୍ୟୁର ଆଉ ଏକ ଦିଗପ୍ରତି ଆମେ ସଚେତନ ହେବା ଜରୁରୀ୤ କରୋନା ଭୂତାଣୁ ଆସିବା ଏବଂ ଦେଶରେ ହାତଗଣତି ମାତ୍ର କେଇଟା ରୋଗୀ ଦେଖା ଦେଉ ଦେଉ ଅନେକ ରାଜ୍ୟରେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରିଦିଆଗଲା୤ ଏହାକୁ ସପ୍ତାହେ ଉପରେ ସମୟ ହେଲାଣି୤ ପ୍ରାୟତଃ ପରିବାର ମାନଙ୍କରେ ରବିବାର ଦିନଟି ଆମୋଦପ୍ରମୋଦ ପାଇଁ ଥାଏ, ଏହି ଦିନ ପରିବାର ମିଳିମିଶି ବଜାର, ପାର୍କ୍, ସିନେମା ହଲ୍, ସମୁଦ୍ରକୂଳ ଆଦି ସ୍ଥାନମାନଙ୍କୁ ଯାଇଥାନ୍ତି୤ ଏବେ ସପ୍ତାହରୁ ଅଧିକ ସମୟ ପିଲାମାନେ ଘରେ ରହି ରହି ବିରକ୍ତ ହୋଇ ଯାଇଥିବେ ନିଶ୍ଚୟ, ସେମାନେ ଚାହୁଁଥିବେ ଯେ ରବିବାର ଦିନ ପରିବାରର ପୁରୁଷ ସଦସ୍ୟର ଛୁଟି ହେଲେ ସମସ୍ତେ ମିଶି ବାହାରକୁ ଯିବା୤ ଏହା ସ୍ବାଭାବିକ ପରିସ୍ଥିତିରେ ଶୁଣିବାକୁ ଆଉ ଦେଖିବାକୁ ଆମୋଦକର ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପରିସ୍ଥିତିରେ ଏହା ଅତ୍ୟନ୍ତ ଭୟାବହ ହୋଇପାରେ୤ ବର୍ତ୍ତମାନ ଆମେ ଯେତେ ଜନଗହଳିକୁ ଦୂର କରିବା ଆମ ପାଇଁ ସେତେ ଭଲ, ସେଇଥିପାଇଁ ହୁଏତ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ରବିବାର ଦିନ ହିଁ ଘରେ ରହିବାର ମନ୍ତ୍ର ଦେଇଥିଲେ୤ ଏହାଫଳରେ ପରିବାରମାନେ ସୁରକ୍ଷିତ ରହି ପାରିବେ୤ ଅନ୍ୟଦିନ ମାନଙ୍କରେ ପରିବାରମାନେ ବାହାରକୁ ଯିବା କ୍ବଚିତ ଦେଖାଯାଏ୤ ତେଣୁ ସେତେବେଳେ ସଂକ୍ରମଣର ମାତ୍ରା କମ ହୋଇପାରେ୤

ଅନ୍ୟ ଏକ କଥା ବି ମୋ ମନକୁ ଆସୁଛି୤ ଏହି ଯେଉଁ ପ୍ରକ୍ରିୟା ପାଳନ କରିବାକୁ ଆମକୁ କୁହାଯାଉଛି, ଏହା ମାତ୍ର ଏକ ବ୍ୟାୟାମ ନୁହେଁ ତ! ଆଗକୁ ହୁଏତ ଆମକୁ ଏହିଭଳି ଜନତା କର୍ଫ୍ୟୁ ବାରମ୍ବାର ପାଳନ କରିବାକୁ ପଡ଼ିପାରେ କିମ୍ବା ଅନେକଦିନ ଧରି ଘରୁ ବାହାରିବାକୁ ମନା କରିଦିଆ ଯାଇପାରେ୤ ବର୍ତ୍ତମାନ ଭୂତାଣୁ ଦ୍ବିତୀୟ ପର୍ଯ୍ୟାୟରେ ରହିଛି, ଅର୍ଥାତ ମାତ୍ର କେତୋଟି ରୋଗୀ ହିଁ ଧରାପଡ଼ିଛନ୍ତି, ତୃତୀୟ ପର୍ଯ୍ୟାୟରେ ଯେତେବେଳେ ଏହି ସଂକ୍ରମଣ ଜନସାଧାରଣ ମଧ୍ୟରେ ବ୍ୟାପିବ ସେତେବେଳେ ଏହାକୁ ପ୍ରତିହତ କରିବାଭଳି କ୍ଷମତା ସାମର୍ଥ୍ୟ ଓ ସାହାସ ଆମ ଭିତରେ ଆଉ ରହିନପାରେ୤ ତେଣୁ ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନରେ ଅନୁପ୍ରାଣିତ ହୋଇ ଆଗାମୀ ୨୨ ତାରିଖ ଦିନସାରା ନିଜ ନିଜ ଘରେ ନିଜ ପରିବାର ସହିତ ବିତାଇବାକୁ ଚେଷ୍ଟା କରିବା୤ ଅତ୍ୟାବଶ୍ୟକ ନ ହେଲେ ଘରୁ ଆଦୌ ବାହାରିବା ନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଏଠାରେ ପଢ଼ନ୍ତୁ !
ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ଏଠାରେ ପଢ଼ନ୍ତୁ !