favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ବିଗତ ଦିନରେ ଭାରତର ଏକ ପ୍ରମୁଖ ଏବଂ ଉନ୍ନତିଶୀଳ ନଗରୀ ହାଇଦ୍ରାବାଦର ଅପେକ୍ଷାକୃତ ଶାନ୍ତ ଅଞ୍ଚଳରେ ଜନୈକା ପଶୁ ଚିକିତ୍ସିକାଙ୍କୁ ଯେଉଁଭଳି ଭାବରେ ଅପରାଧୀମାନେ ଧର୍ଷଣ କରିବାପରେ ଜାଳିଦେଲେ ତାହାକୁ ନେଇ ସମଗ୍ର ଦେଶରେ ଅଶାନ୍ତିର ବହ୍ନି ପ୍ରଜ୍ବଳିତ ହୋଇଛି୤ ଅନେକେ ପୁଣିଥରେ ଅନେକ ବର୍ଷତଳେ ହୋଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେ ପକାଇବାକୁ ବାଧ୍ୟ ହୋଇଛନ୍ତି୤ ନିର୍ଭୟା ବଳାତ୍କାର ଘଟଣାପରେ ସରକାର କଠୋର ଦଣ୍ଡବିଧାନ କରିବେ ବୋଲି ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିବା ସମୟରେ ଘଟଣାକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେହି ଘଟଣାର ସଂପୃକ୍ତ ଅପରାଧୀମାନଙ୍କୁ ଦଣ୍ଡବିଧାନ କରାଯାଇନାହିଁ୤ ଏହା କାହିଁକି କରାଯାଇ ନାହିଁ ଆମେ ହୁଏତ ଜାଣି ପାରିବା ନାହିଁ, କିନ୍ତୁ ଦଣ୍ଡ ବିଧାନରେ ହେଉଥିବା ଅହେତୁକ ବିଳମ୍ବ ହିଁ ଅପରାଧୀମାନଙ୍କୁ ଅପରାଧ କରିବାକୁ ଉସୁକାଉନଥିବ ବୋଲି କିଏ କହିବ? ନ୍ୟାୟ ପ୍ରଣାଳୀର ଭୟ ନଥିଲେ କେହି ବି ସାଧାରଣ ନାଗରିକ ଅପରାଧପ୍ରବଣ ହୋଇପାରେ୤ ଏହା (ଲେଖକ ନୁହେଁ) କେହିଜଣେ କହିଥିଲେ୤

ହୁଏତ ଦିଲ୍ଲୀର ସଂଘଟିତ ନିର୍ଭୟା କାଣ୍ଡ ପରେ ଯଦି ତ୍ବରିତ ଭାବରେ ନ୍ୟାୟପ୍ରକ୍ରିୟାକୁ ସଂଚାଳିତ କରି ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଇଥାନ୍ତା ତା ହେଲେ ଏହିଭଳି କୁକର୍ମ କରିବାପୂର୍ବରୁ ଅନେକ ଅପରାଧୀ ଚିନ୍ତାଶୀଳ ହୋଇପଡ଼ନ୍ତେ୤ ବହୁତ ନ ହେଲେ ସୁଦ୍ଧା କିଛି ମାତ୍ରାରେ ଏହିଭଳି ଘଟଣାରୁ ତ୍ରାହି ମିଳିଥାନ୍ତା୤

ଦେଶରେ ମହିଳା ଏବଂ ବାଳିକା ମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ସ୍ତର ଯେ କେତେ ଅଧିକ ତାହା ସର୍ବଜନବିଦିତ୤ ବିଗତ ବର୍ଷମାନଙ୍କରେ ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ଅନେକ କାଣ୍ଡ ଯଥା ନିର୍ଭୟା ବଳାତ୍କାର ଓ ହତ୍ୟା, କଠୁଆ ବଳାତ୍କାର ଓ ହତ୍ୟା, ପିଙ୍କି ଶର୍ମା ବଳାତ୍କାର ଓ ହତ୍ୟା ଏବଂ ଆହୁରି ଅନେକ ଘଟଣା ପରେ ସାମୟିକ ଭାବରେ ଆମ ମନରେ ଆକ୍ରୋଶ ସୃଷ୍ଟି ହୋଇ ଶାନ୍ତ ହୋଇଯାଏ ସିନା କିନ୍ତୁ ଏହି ସବୁ ଘଟଣାର ପୁନରାବୃତ୍ତିକୁ କେହି ବନ୍ଦ କରି ପାରିନାହାନ୍ତି୤

ଏହା ପଛରେ ଥିବା ଘୃଣ୍ୟ ମାନସିକତାକୁ ବୁଝିବା ଓ ବୁଝାଇବା ଭଳି କ୍ଷମତା ହୁଏତ ଏହି ଲେଖକଙ୍କ ପାଖରେ ନାହିଁ୤ କିଭଳି ପରିସ୍ଥିତିରେ ମନୁଷ୍ୟ ଏଭଳି କ୍ରୁରତା ଏବଂ ନିର୍ଦ୍ଦୟତା ନିଜ ହୃଦୟରେ ଜାତ କରି ପରେ ତାହା ଆମେ ବୋଧହୁଏ ଜାଣିପାରିବା ନାହିଁ୤ ଏଥିପାଇଁ ସମ୍ଭବତଃ ଅପରାଧୀଙ୍କ ଶିକ୍ଷା, ଦୀକ୍ଷା, ସାମାଜିକ ଚାଲିଚଳଣୀ ଏବଂ ଆହୁରି ଅନେକ ବିଷୟକୁ ବୁଝିବାକୁ ହେବ୤ ନିର୍ଭୟା କାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ପରବର୍ତ୍ତି ସମୟରେ ବିବିସି ଦ୍ବାରା ଆୟୋଜିତ ଏକ ସାକ୍ଷାତକାର ସମୟରେ ଦେଖାଯାଇଥିଲା, ସେମାନଙ୍କ ମନରେ କୌଣସି ପ୍ରକାରର ଅନୁଶୋଚନା ଥିବା ଭଳି ମନେ ହେଉନଥିଲା, ସେମାନଙ୍କ ସମାଜରେ ନାରୀପ୍ରତି ହିଂସା ସାମାନ୍ୟ ଘଟଣା ହୋଇଥିବାରୁ ସେମାନେ ଏହିଭଳି କାଣ୍ଡ ଭିଆଇଲେ ସୁଦ୍ଧା ସେମାନେ ଏହା ଏକ ଅପରାଧ ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ୤

ଶିକ୍ଷିତ ବ୍ୟକ୍ତିମାନେ ଅନ୍ୟ ବ୍ୟକ୍ତିକୁ ସମ୍ମାନ ଦେବା ଯେମିତି ଜାଣନ୍ତି ସେଭଳି ଜ୍ଞାନ, ବ୍ୟବହାର ଓ ପ୍ରଚଳନ ଏହି ଶ୍ରେଣୀର ଅପରାଧୀଙ୍କ ମଧ୍ୟରେ ନଥାଏ୤ ପ୍ରତ୍ୟେକ ବ୍ୟକ୍ତିର ମାନବିକ ଅଧିକାର କ୍ଷେତ୍ର ଥାଏ ଯାହାକୁ ଆମେ ଯଥେଷ୍ଟ ସମ୍ମାନ ଦେଉଥିବା ବେଳେ ଏହି ଶ୍ରେଣୀର ଅପରାଧୀମାନେ କିନ୍ତୁ ନିଜର କର୍ତ୍ତୃତ୍ବ ଜାହିର କରିବା ପାଇଁ ଅନ୍ୟର ବ୍ୟକ୍ତିଗତ କ୍ଷେତ୍ରରେ ପ୍ରବେଶ କରିବା ସହ ଅନଧିକୃତ ଭାବରେ ସେମାନଙ୍କ ସହ ଶାରୀରିକ ନିର୍ଯ୍ୟାତନା ଦେବାକୁ ମଧ୍ୟ ପଛାନ୍ତି ନାହିଁ୤ ଏଥିପାଇଁ ବ୍ୟକ୍ତିଙ୍କୁ ଶିକ୍ଷିତ ହେବା ଅତ୍ୟନ୍ତ ଆବଶ୍ୟକ୤ ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିର ବଞ୍ଚିବାର ଅଧିକାର ରହିଛି ବୋଲି ସେମାନେ ଯେତେବେଳେ ବୁଝିବେ ହୁଏତ ସେମାନଙ୍କ ଅପରାଧପ୍ରବଣତା କିଛି ମାତ୍ରାରେ କମ ହୋଇଯିବ୤

ବର୍ତ୍ତମାନ ଆମେ ବୁଝିବା ଯେ ଯେଉଁବ୍ୟକ୍ତି ଏହିଭଳି ଦୁଷ୍କର୍ମ କରନ୍ତି ସେମାନଙ୍କୁ କେଉଁଭଳି ଦଣ୍ଡବିଧାନ କରିବା ଉଚିତ ହେବ୤ ନିମ୍ନ ଏବଂ ବିକୃତ ମାନସିକତା ରଖୁଥିବା ବ୍ୟକ୍ତିମାନେ ହିଁ ବଳାତ୍କାର ଭଳି ଘୃଣ୍ୟ କର୍ମ କରିଥାନ୍ତି୤ ଆମେ ଯଦି ଭାବୁଥାଉ ଯେ ସେହିଭଳି କ୍ରୁର ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ କାରାଗାରରେ ବନ୍ଦୀ କରି ରଖିଲେ ସେମାନଙ୍କର ଅନୁଶୋଚନା ଏବଂ ଅନୁତାପ ହେବା ସହ ଚାରିତ୍ରିକ ପରିବର୍ତ୍ତନ ହୋଇପାରିବ ତା ହେଲେ ଆମ ଠାରୁ ଅଧିକ ମୁର୍ଖ ଏହି ଦୁନିଆରେ କେହି ନାହିଁ୤

ଏଭଳି ଉଦାହରଣ ଅନେକ ରହିଛି, ବିଗତ ଦିନରେ ରାଜସ୍ଥାନରେ ବଳାତ୍କାର ଅପରାଧରେ ଜେଲଦଣ୍ଡ ଭୋଗୁଥିବା ଅପରାଧି ପାରୋଲରେ ବାହାରକୁ ଆସିବା ପରେ ପୁଣିଥରେ ଶୀକାର ହୋଇଥିବା ମହିଳାଙ୍କୁ ଛୁରୀ ଦ୍ବାରା ଆକ୍ରମଣ କରିବା ଘଟଣା ଏହାକୁ ସିଦ୍ଧ କରେ ଯେ ଏହି ଭଳି ଅପରାଧୀ ଜେଲ ଦଣ୍ଡଦ୍ବାରା ବଦଳିବେ ନାହିଁ୤ ତେଣୁ ଏହିଭଳି ଅପରାଧୀଙ୍କୁ ତ୍ବରାନ୍ବିତ ପ୍ରକ୍ରିୟାର ନ୍ୟାୟପ୍ରଦାନ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଗଲେ ଏହିଭଳି ଘଟଣା କମ ହୋଇପାରେ୤ ଏହି ବିଷୟକୁ ଏଠାରେ ଉଲ୍ଲେଖ କରିବାପାଇଁ ଏକ ଉଦାହରଣ ନିଆଯାଇପାରେ୤
ନିର୍ଭୟାକାଣ୍ଡର ଅନେକ ଦିନପରେ ବର୍ଷ ୨୦୧୫ରେ ଭାରତର ପୂର୍ବାଞ୍ଚଳସ୍ଥିତ ରାଜ୍ୟ ନାଗାଲାଣ୍ଡରେ ଏହିଭଳି ଏକ ଘଟଣା ଘଟିଥିଲା୤ ଜନୈକା ନାଗା ଯୁବତୀଙ୍କୁ ଧର୍ଷଣର ଶୀକାର ହେବାକୁ ପଡ଼ିଥିଲା୤ ପୋଲିସ କାର୍ଯ୍ୟାନୁଷ୍ଠାନ କରି ଅପରାଧୀଙ୍କୁ ଗିରଫ କରି ଜେଲକୁ ନେଇଯାଇଥିବା ବେଳେ ଦଶହଜାରରୁ ଅଧିକ ସଂଖ୍ୟକ ଏକ ଭିଡ଼ ଏକତ୍ରିତ ହୋଇ ଜେଲ ଉପରେ ଆକ୍ରମଣ କରି ଅପରାଧୀଙ୍କୁ ସେଠାରେ ନେଇଯାଇଥିଲେ ଏବଂ ସହରର ମୁଖ୍ୟସ୍ଥଳୀର ସର୍ବସମ୍ମୁଖରେ ଦଣ୍ଡିତ କରିବା ସହ ଫାଶୀରେ ଝୁଲାଇ ଦେଇଥିଲେ୤ ଏହାପରେ ସେହି ଅଞ୍ଚଳରେ ବଳାତ୍କାର ଭଳି ଘଟଣାର ପୁନରାବୃତ୍ତି ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି୤ ଅବଶ୍ୟ ଯେଉଁଭଳି ଭାବରେ ସାଧାରଣ ଜନତା ଏହି ନ୍ୟାୟ କଲେ ତାହାକୁ ଯୁକ୍ତିଯୁକ୍ତ ବୋଲି କହି ହେବନାହିଁ, କିନ୍ତୁ ଯେତେବେଳେ ଏହିଭଳି କିଛି ଘଟଣା ଘଟେ ସେତେବେଳେ ଆମ ସୁପ୍ତମନରେ ଅନେକ ମାନସିକ ପରିବର୍ତ୍ତନ ଦେଖାଯାଏ ଏବଂ ଅପେକ୍ଷାକୃତ ଶାନ୍ତବ୍ୟକ୍ତି ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ପଡ଼ନ୍ତି୤ ଏବଂ ଉତ୍ୟକ୍ତ ଜନତାଙ୍କ ମେଳି ବା ସମୁହର କୌଣସି ଧର୍ମ ବା ଚରିତ୍ର ନଥାଏ, ସେମାନେ ସାମୁହିକ ଭାବରେ ନିଜର ଆକ୍ରୋଶକୁ ପରିପ୍ରକାଶ କରିବାପାଇଁ ଯେକୌଣସି ପଦକ୍ଷେପ ନେବାକୁ ପଛାନ୍ତି ନାହିଁ୤ ଅବଶ୍ୟ ଏହାକୁ ମଧ୍ୟ ଲେଖକ ଉପଯୁକ୍ତ ପଦକ୍ଷେପ ବୋଲି ବିବେଚନା କରନ୍ତି ନାହିଁ୤ କିନ୍ତୁ ଯଦି ସରକାରୀ ସ୍ତରରେ ଏହିଭଳି କିଛି ଦଣ୍ଡବିଧାନ ହୋଇପାରନ୍ତା ଏବଂ ଅପରାଧୀଙ୍କୁ ସର୍ବସମ୍ମୁଖରେ ନିନ୍ଦିତ କରାଯାଇ ଦଣ୍ଡିତ କରାଗଲେ ହୁଏତ

ଅପରାଧପ୍ରବଣ ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି ହୁଅନ୍ତା୤
ବର୍ତ୍ତମାନର ପ୍ରକରଣରେ ଆମେ ମଧ୍ୟ ମାନସିକ ଭାବରେ ଖୁବ୍ ଆଘାତ ପାଇଛୁ୤ ଯେଉଁଭଳି ଭାବରେ ଏକ ଶାନ୍ତ ସହରରେ ଏହିଭଳି ଏକ କୁକର୍ମକୁ କରାଗଲା ତାହା ନିନ୍ଦନୀୟ ଏବଂ ଏଥିପାଇଁ ଅନେକ କିଛି କରିବାର ଅଛି୤ ଏହି ଘଟଣାପରେ ଜନୈକ ମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଯେହେତୁ ପୀଡ଼ିତା ଶିକ୍ଷିତା ଥିଲେ ସେ ଘଟଣା ବିଷୟରେ ନିଜ ପରିବାରକୁ ଜଣାଇବା ସ୍ଥାନରେ ଯଦି ପୋଲିସକୁ ଜଣାଇଥାନ୍ତେ ତା’ହେଲେ ହୁଏତ ଏଭଳି ଘଟଣା ହୋଇନଥାନ୍ତା୤ ଏହାକୁ ଅନେକ ନିନ୍ଦା କରିଥିଲେ ସୁଦ୍ଧା ଲେଖକକୁ କିନ୍ତୁ ଏହି ବକ୍ତବ୍ୟରେ ଥିବା ସନ୍ଦେଶ ସଠିକ୍ ଲାଗେ୤ ଆମେ ସମସ୍ତେ ସଚେତନ ହେବାକୁ ହେବ୤ ସେ ଯୁଗ ବି ନାହିଁ, ଯେତେବେଳେ ମହିଳାମାନେ କେବଳ ଘରକୋଣରେ ରହୁଥିଲେ୤ ଆମ ପରିବାରର ଝିଅ ବୋହୁମାନେ ଏବେ ଘରୁ ବାହାରିଲେଣି୤ ସେଇଥିପାଇଁ ସେମାନଙ୍କୁ ସଚେତନ କରିବା ଆମର ଦାୟିତ୍ବ୤ କେଉଁଭଳି ପରିସ୍ଥିତିରେ କିଭଳି ଭାବରେ ବୁଦ୍ଧି ଖଟାଇ ନିଜକୁ ସୁରକ୍ଷିତ ରଖିହେବ ସେ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ୤ କାରଣ ଚାକିରୀ ବ୍ୟବସାୟ ପାଇଁ ଝିଅ ବୋହୁମାନେ ସୁଦୂର ସହରମାନଙ୍କରେ ଯାଇ ରହୁଛନ୍ତି, ସେଠି ସେମାନେ କେଉଁସବୁ ପରିସ୍ଥିତିର ସମ୍ମୁଖୀନ ହେଉଥିବେ

ତାହା ଆମେ ସମସ୍ତେ ହୁଏତ ହୃଦୟଙ୍ଗମ କରି ପାରିବାନାହିଁ୤ ତେଣୁ ସେମାନଙ୍କୁ ସଚେତନ କରିବା ନିତାନ୍ତ ଆବଶ୍ୟକ୤
ଶେଷରେ ଏହି ସବୁ କୁକର୍ମ କରୁଥିବା ଅପରାଧୀଙ୍କ ସଂଖ୍ୟା କମ କରିବାକୁ ହେଲେ ଆମକୁ ସମାଜକୁ ଶିକ୍ଷିତ କରିବାକୁ ହେବ୤ ପରସ୍ପରକୁ ସମ୍ମାନ ଦେବା ଏବଂ ଆଇନବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ୤ କେବଳ ଯେ ଝିଅମାନଙ୍କୁ ଆକଟ କରିବା ଏବଂ ଭୟରେ ସେମାନଙ୍କ ସ୍ବାଧୀନତାକୁ ଛଡ଼ାଇନେବା ଦ୍ବାରା ଏହି ସବୁ ଘଟଣା ବନ୍ଦ ହୋଇଯିବ ବୋଲି ଭାବିବା ମଧ୍ୟ ଉଚିତ ନୁହେଁ, ଝିଅଙ୍କ ପରି ଆମ ପରିବାରର ପୁଅମାନଙ୍କୁ ଶିକ୍ଷିତ କରିବାକୁ ପଡ଼ିବ, ସେମାନଙ୍କୁ ମଧ୍ୟ ମହିଳାଙ୍କୁ ଉଚିତ ସମ୍ମାନ ଦେବା ଏବଂ ଅପରାଧ ଘଟୁଥିଲେ ପ୍ରତିବାଦ କରିବା ଭଳି ସାହାସ ରଖିବାକୁ ହେବ୤ କିନ୍ତୁ ଯଦି ଟ୍ରାଫିକ୍ ନିୟମ ଭଳି କିଛି କଠୋର ନିୟମ ଲାଗୁ ନ ହେଉଛି ତାହେଲେ ଏହି ସବୁ ଘଟଣା ବାରମ୍ବାର ଯେ ହେଉଥିବ ଏଥିରେ ଦ୍ବିମତ ନାହିଁ୤

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଏଠାରେ ପଢ଼ନ୍ତୁ !
ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ଏଠାରେ ପଢ଼ନ୍ତୁ !