favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ନିକଟରେ ପ୍ରକାଶିତ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ (ଆଇକନିକ୍ ଡେଷ୍ଟିନେସନ୍ ସ୍ପଟ୍ ) ତାଲିକାରେ ଓଡ଼ିଶାରୁ ଗୋଟିଏ ବି ସ୍ଥାନ ନ ଥିବା ଖବର ଓଡ଼ିଶାର ସର୍ବସାଧାରଣଙ୍କୁ ଦୁଃଖିତ କରିଛି୤ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଅନେକ ଏହାକୁ କେନ୍ଦ୍ରର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବୋଲି କହିଛନ୍ତି୤ ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ବିଗତ ଅନେକ ଦଶନ୍ଧିଧରି ଓଡ଼ିଶାରୁ ଅନ୍ୟୁନ ଗୋଟିଏ ବି ସ୍ଥାନ ଏହି ପର୍ଯ୍ୟଟନସ୍ଥଳୀ ତାଲିକାରେ ମାନ୍ୟତା ପାଇନାହିଁ୤ ଅନେକ ବନ୍ଧୁ ମତ ଦେଇଛନ୍ତି ଯେ ଓଡ଼ିଶାର ଅନେକ ସ୍ଥାନ ଯଥା ପୁରୀ, କୋଣାର୍କ, ଭୁବନେଶ୍ବର, ଚିଲିକା ହ୍ରଦ ବର୍ଷକୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ସତ୍ତ୍ବେ ସେହି ସବୁ ସ୍ଥାନକୁ ତାଲିକାଭୂକ୍ତ କରାଯାଉନାହିଁ କାହିଁକି? ଚଳିତ ବର୍ଷ ହେଉ ବା ଆଗରୁ ହୋଇଥିବା ଅନେକ ତାଲିକା ହେଉ ସବୁବେଳେ ସେଇ ଦିଲ୍ଲୀ, ଗୋଆ, ଆଗ୍ରା, ଜୟପୁର ଆଦି ସ୍ଥାନର ନାଁ ପ୍ରମୁଖ ଭାବରେ ରହୁଛି କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଓଡ଼ିଶାର ଗୋଟିଏ ବି ସ୍ଥାନ ଏହି ତାଲିକାରେ ନାହିଁ୤ ଏଥିପାଇଁ ଅନ୍ତତଃ ପକ୍ଷେ ଏହି ଲେଖକ ମର୍ମାହତ୤ ଭାରତବର୍ଷର ଭବ୍ୟ ଇତିହାସରେ ଉତ୍କଳର ପରାକାଷ୍ଠା ସର୍ବାଦୌ ଶ୍ରେଷ୍ଠ ବୋଲି ସଂସ୍କୃତରେ ଶ୍ଳୋକ ବି ରହିଛି ବୋଲି ଆମେ ଶୁଣି ଆସିଛେ, ଏହାର ବିଶାଳ ଐତିହାସିକ ସଂସ୍କୃତି ଏବଂ ଐତିହ୍ୟ ଏହି ରାଜ୍ୟର କୋଣଅନୁକୋଣରେ ଅଦ୍ୟପି ବିଦ୍ୟମାନ ରହିଛି୤ ଏହାକୁ ଐତିହାସିକ ପର୍ଯ୍ୟଟନସ୍ଥଳୀର ମର୍ଯ୍ୟାଦା ଅନ୍ତତଃ ମିଳି ପାରିଥାନ୍ତା! କିନ୍ତୁ ନା, ଓଡ଼ିଶାପ୍ରତି ସର୍ବଦା କେନ୍ଦ୍ର ଅବହେଳା ରହି ଆସିଛି୤

ପ୍ରଶ୍ନ ଉଠୁଛି କଣ କେବଳ କେନ୍ଦ୍ର ଅବହେଳା ହିଁ ଏଥିପାଇଁ ଦାୟୀ? ଆମ ଐତିହ୍ୟର ପ୍ରଚାର ଓ ପ୍ରସାର ପାଇଁ ଆମେ କେତେ ଯତ୍ନଶୀଳ ହୋଇଛେ? ବିଦେଶରେ ଆମ ରାଜ୍ୟର ଉନ୍ନତ ପର୍ଯ୍ୟଟନ ଉପଯୋଗୀ ସ୍ଥାନମାନଙ୍କ ବିଷୟରେ କେତେ ବିଜ୍ଞାପନ ଦେଇଛେ? ଅନ୍ୟମାନଙ୍କୁ ବା ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା କଥା ପଛେ ଥାଉ, ଆମେ ନିଜେ କେତେ ନିଜ ରାଜ୍ୟକୁ ଦେଖିଛେ? ଛୁଟି ମିଳିଲେ ଆମେ ବି ତ ସେଇ ଚିରାଚରିତ ପ୍ରଥା ଅନୁସାରେ ବମ୍ବେ, ବାଙ୍ଗାଲୋର, ଦିଲ୍ଲୀ, କଲିକତା, ଗୋଆକୁ ଛୁଟିଯାଉଛେ୤ ଆମେ କେତେ ଓଡ଼ିଶାରେ ବୁଲୁଛେ? ପ୍ରତ୍ୟେକ ଜିଲ୍ଲାରେ ଅଗଣିତ ବିଶେଷ ସ୍ଥଳ ରହିଛି, ଯାହା ଆମକୁ ଆମୋଦକର ଲାଗିବା ସହ ଆମକୁ ଆମ ରାଜ୍ୟର ଉନ୍ନତ ଐତିହ୍ୟ ବିଷୟରେ ଅନେକ ଜ୍ଞାନ ଦେଇ ପାରିବ, କିନ୍ତୁ ଆମେ କଣ ନିଜେ କେବେ ସେହି ସବୁ ସ୍ଥାନକୁ ଯିବା କଥା ଚିନ୍ତା କରିଛେ? ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ହେଉ ବା ଉତ୍ତରରେ ପଶ୍ଚିମବଙ୍ଗ ହେଉ, ଏହି ଦୁଇ ରାଜ୍ୟକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଓଡ଼ିଆ କହିଲେ ଅତ୍ୟୁକ୍ତି ହେବନାହିଁ୤ ସ୍ବଳ୍ପକାଳୀନ ଭ୍ରମଣ ପାଇଁ ଆମେ ଅନ୍ୟ ରାଜ୍ୟକୁ ଯିବାକୁ ପସନ୍ଦ କରୁଛୁ କିନ୍ତୁ ନିଜ ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ନିଜେ ହିଁ ଅବହେଳା କରିଦେଉଛୁ୤ ବର୍ତ୍ତମାନର ଯୁଗ ହେଉଛି ସୂଚନା ପ୍ରଦ୍ୟୋଗିକୀର ଯୁଗ୤ ତେଣୁ ସୋସିଆଲ୍ ମିଡ଼ିଆକୁ ବ୍ୟବହାର କରି ଆମେ ଯଦି ଆମ ରାଜ୍ୟର ପ୍ରସାର କରି ପାରନ୍ତେ ହୁଏତ ଏଠାରେ ଥିବା ଅନେକ ଉହ୍ୟ ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସି ପାରନ୍ତା୤ ଏମିତି ହେଉନାହିଁ ବୋଲି କହିବି ନାହିଁ, କାରଣ ମୁଁ ସୋସିଆଲ୍ ମିଡ଼ିଆରେ ଅନେକ ବନ୍ଧୁଙ୍କୁ ଦେଖିଛି ଯେଉଁମାନେ ଭ୍ରମଣ କରୁଛନ୍ତି ଏବଂ ସେହି ସ୍ଥାନର ଛବି ସବୁ ସୋସିଆଲ୍ ମେଡ଼ିଆରେ ପ୍ରସାର କରିବା ଦ୍ବାରା ଅନେକ ବନ୍ଧୁ ଉତ୍ସାହିତ ଏବଂ ଅନୁପ୍ରାଣିତ ହେଉଛନ୍ତି୤

ବର୍ତ୍ତମାନ ଆଉ ଏକ ପ୍ରଶ୍ନ ମନରେ ଆସେ୤ ଗୋଆ ଏକ ସମୁଦ୍ର ତତବର୍ତ୍ତୀ ରାଜ୍ୟ୤ ହୁଏତ ଅନେକ ଜାଣିନଥିବେ ଓଡ଼ିଶାର ସମୁଦ୍ର ଉପକୂଳ ମଧ୍ୟ ବହୁତ ବିଶାଳ ଏବଂ ଏହା ଗୋଆଠାରୁ ଢେର୍ ଦୀର୍ଘ ମଧ୍ୟ୤ ତଥାପି ପର୍ଯ୍ୟଟକମାନେ ଗୋଆ ଯିବାକୁ ଉଚିତ ମନେ କରନ୍ତି କିନ୍ତୁ ଓଡ଼ିଆର ସମୂଦ୍ର ବେଳାଭୂମୀ ସଂଲଗ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଅବହେଳିତ ହୁଏ୤ ଏହା କାହିଁକି ହୁଏ ସେ ବିଷୟରେ ଆମେ ଚିନ୍ତା କରିବା ଉଚିତ୤ ଗୋଆରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ବ୍ୟବସ୍ଥା ହୋଇଛି, ଏବଂ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେହି ରାଜ୍ୟର ସାଧାରଣ ଲୋକମଧ୍ୟ ପର୍ଯ୍ୟଟନକୁ ଏକ ଶିଳ୍ପ ଭାବରେ ଗ୍ରହଣ କରି ପର୍ଯ୍ୟଟକଙ୍କୁ ମର୍ଯ୍ୟାଦା ଦେଇ ଆସୁଛନ୍ତି ଏବଂ ସେମାନେ ଅଧିକ ଲାଭବାନ ହେଉଛନ୍ତି୤ ଆମ ରାଜ୍ୟର ହାତଗଣତି ସମୂଦ୍ରକୂଳରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ଉଚିତ ଏବଂ ଅନୁକୂଳ ହୋଟେଲ୍ ବ୍ୟବସ୍ଥା ନାହିଁ୤ ବେଳାଭୂମୀମାନଙ୍କରେ ଅନେକ ସମୟରେ ଅନେକ ପ୍ରକାର ଅଘଟଣ ଯଥା ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ, ରାହାଜାନି ଏବଂ ଅତ୍ୟାଚାର ଭଳି ଘଟଣାମାନ ପ୍ରବଳ ମାତ୍ରାରେ ଶୁଣାଯାଏ, ଏହା ସବୁ ଶୁଣିବାପରେ ପର୍ଯ୍ୟଟନର ଉନ୍ନତି ହେବ କେମିତି?

ଅନ୍ୟ ରାଜ୍ୟମାନଙ୍କରେ ପହଞ୍ଚିବାପରେ ସ୍ଥାନୀୟ ଅଞ୍ଚଳମାନଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ସେମାନେ ଅନେକ ଟୁରିଷ୍ଟ୍ ରୁଟ୍ ନିର୍ମାଣ କରିଛନ୍ତି୤ ପର୍ଯ୍ୟଟକମାନଙ୍କୁ ଅନେକ ପ୍ରକାର ବିକଳ୍ପ ମିଳୁଛି ସେଥିପାଇଁ ସେମାନେ ଯାଉଛନ୍ତି୤ ଆମ ରାଜ୍ୟରେ ମଧ୍ୟ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ସୁବର୍ଣ୍ଣ ତ୍ରିଭୂଜ (ପୁରୀ - କୋଣାର୍କ - ଭୁବନେଶ୍ବର) ଏବଂ ସାତପଡ଼ା ଆଦି ସ୍ଥାନକୁ ବୁଲାଇ ନେବା ବ୍ୟବସ୍ଥା ରହିଛି୤ ଏହିଭଳି ବିକଳ୍ପ ଅନ୍ୟ ଜିଲ୍ଲାମାନଙ୍କର ପ୍ରମୁଖ ଦର୍ଶନୀୟ ସ୍ଥଳୀ ପାଇଁ କରାଗଲେ ନିଶ୍ଚୟ ଭାବରେ ପର୍ଯ୍ୟଟନ ବୃଦ୍ଧି ପାଇବ୤ ଓଡ଼ିଶାର ଦକ୍ଷିଣ ପଶ୍ଚିମରେ ଥିବା ଅନେକ ଜିଲ୍ଲା ପ୍ରାକୃତିକ ସମ୍ପଦ ଏବଂ ଦୃଶ୍ୟରେ ଭରି ରହିଛି, ସେହି ସବୁ ଅଞ୍ଚଳ କିନ୍ତୁ ରାଜଧାନୀଠାରୁ ଦୂରରେ ଥିବା ହେତୁ ପର୍ଯ୍ୟଟକ ମାନେ ସେହି ସବୁ ସ୍ଥାନକୁ ଯିବାକୁ ଭୟ କରୁଛନ୍ତି, ଏବଂ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ୤ ଯଦି ସମସ୍ତ ଜିଲ୍ଲାକୁ ଉଚ୍ଚକ୍ଷମତା ସଂପନ୍ନ ଯାତାୟାତ ବ୍ୟବସ୍ଥା କରାଯାଇ ପାରନ୍ତା ଏବଂ ସରକାରୀ ସ୍ତରରେ ହେଉ ବା ବେସରକାରୀ ସ୍ତରରେ ହୋଟେଲ୍ ଶିଳ୍ପକୁ ପ୍ରୋତ୍ସାହନ ମିଳନ୍ତା ତା ହେଲେ ଅନେକ ପର୍ଯ୍ୟଟକ ବୁଲିଯିବାପାଇଁ ମନ ବଳାନ୍ତେ୤

ଅଧିକାଂଶ ବନ୍ଧୁ ପୁରୀ ଓ କୋଣାର୍କ କଥା କହୁଛନ୍ତି୤ ନିଶ୍ଚୟ ଭାବରେ ଓଡ଼ିଶାକୁ ଆସୁଥିବା ସର୍ବାଧିକ ପର୍ଯ୍ୟଟକ ଏହି ସବୁ ସ୍ଥାନକୁ ହିଁ ଆସୁଛନ୍ତି୤ କିନ୍ତୁ ପୁରୀ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଏହାକୁ ଏହ ଧାର୍ମିକ ସ୍ଥଳୀ ବୋଲି ମନେ କରି ଆସନ୍ତି ବା କେହି କେହି ମାନସିକ କରି ଆସନ୍ତି ସିନା ସମୟ ଅତିବାହିତ କରିବା ଉଦ୍ଦେଶ୍ୟରେ ବହୁତ କମ ପର୍ଯ୍ୟଟକ ଏଠାକୁ ଆସନ୍ତି୤ ଯଦି ଏହି ସ୍ଥାନରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଦିଆଯାଆନ୍ତା ତା ହେଲେ ଏହା ବୃଦ୍ଧି ପାଆନ୍ତା, କିନ୍ତୁ ସମୟ ସମୟରେ ପୁରୀ ଶ୍ରୀମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାରର ଖବର ହେଉ ବା ସମୁଦ୍ରକୂଳରେ ଦୁର୍ବ୍ୟବହାର ହେଉ, ଏହି ସବୁ ଖବର ପର୍ଯ୍ୟଟକଙ୍କୁ ଆହତ କରିପରେ ଏବଂ ସେମାନଙ୍କ ଯାତ୍ରାଯୋଜନା ବନ୍ଦ ହୋଇପାରେ୤ ତେଣୁ ପର୍ଯ୍ୟଟକଙ୍କୁ “ଅତିଥି ଦେବୋଭବଃ”ର ମନ୍ତ୍ରରେ ଯଦି ଆମେ ସ୍ବାଗତ କରିବା ଏବଂ ସେମାନଙ୍କ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ସେମାନଙ୍କ ଛୁଟି ବା ଅବସର ସମୟକୁ ଭରପୂର ଭାବରେ ଉପଭୋଗ କରିବା ପାଇଁ ଯଥେଷ୍ଟ ବ୍ୟବସ୍ଥା କରିବା ତା ହେଲେ ନିଶ୍ଚୟ ଆଗାମୀ ଦିନରେ ଓଡ଼ିଶାର ଅନେକ ସ୍ଥାନ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ଏଥିରେ ସନ୍ଦେହ ନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ଏଠାରେ ପଢ଼ନ୍ତୁ !
ଆସ ଡାକ୍ତରଙ୍କୁ ପିଟିବା

ଆସ ଡାକ୍ତରଙ୍କୁ ପିଟିବା

ଏଠାରେ ପଢ଼ନ୍ତୁ !