favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆସ ଡାକ୍ତରଙ୍କୁ ପିଟିବା

ଆସ ଡାକ୍ତରଙ୍କୁ ପିଟିବା

ବିଗତ ମାସରେ ପଶ୍ଚିମବଙ୍ଗର ଏକ ପ୍ରସିଦ୍ଧ ହାସପାତାଳରେ ଏକ ବୟୋଜ୍ୟେଷ୍ଠ (୮୫ ବର୍ଷୀୟ) ହୃଦ୍‌ଘାତ ରୋଗୀଙ୍କୁ ନେଇ କିଛି ପରିଜନ ପହଞ୍ଚିଲେ୤ ପ୍ରାରମ୍ଭିକ ପର୍ଯ୍ୟାୟର ପରୀକ୍ଷା ନିରୀକ୍ଷାପରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ୤ କିନ୍ତୁ ରୋଗୀଙ୍କ ପରିଜନ ଏଥିରେ ସନ୍ତୁଷ୍ଟ ନଥିଲେ ଏବଂ ସେମାନେ ଉପସ୍ଥିତ ଡାକ୍ତରଙ୍କୁ ରୋଗୀଙ୍କ ଚିକିତ୍ସା କରିବାପାଇଁ ଚାପ ପକାଇଥିଲେ, ଯାହା ଫଳହୀନ ବୋଲି ଜଣାଇବା ପରେ ଉପସ୍ଥିତ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ୤ ହେଲେ ଏହି ସମୟରେ ହାସପାତାଳରେ ଉପସ୍ଥିତ ଅନେକ ଯୁବଡାକ୍ତର ଏକତ୍ରିତ ହେବାପରେ ରୋଗୀଙ୍କ ପରିଜନ ଧମକ ଦେଇ କହିଥିଲେ ଯେ ଅପେକ୍ଷାକର ଆମେ ପୁଣି ଆସିବୁ ଆଉ ତୁମ ଅବସ୍ଥା ସାଂଘାତିକ କରିଦେବୁ୤ କୌଣସି ଦୁର୍ଘଟଣାର ଆଶଂକା ମନେ କରି ଡାକ୍ତରଙ୍କ ତରଫରୁ ହାସପାତାଳ ନିକଟରେ ଥିବା ପୁଲିସ ଫାଣ୍ଡିରେ ସୂଚନା ଦିଆଯାଇଥିଲା୤

ଘଟଣାରେ କେଇ ଘଣ୍ଟାପରେ ଅନ୍ୟୁନ ଦୁଇଶହ ଲୋକ ପୁଣି ହାସପାତାଳରେ ପ୍ରବେଶକରି ସେଠାରେ ଉପସ୍ଥିତ ଡାକ୍ତରଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିଲେ ଏବଂ ଏଥିରେ ଦୁଇଜଣ ଡାକ୍ତର ଅତ୍ୟନ୍ତ ଗୁରୁତର ଭାବରେ ଆହତ ହେବା ସହ ଜନୈକ ଡାକ୍ତରଙ୍କ ମସ୍ତିଷ୍କର ଖପୁରି ହାଡ଼ ଭାଙ୍ଗିଯାଇଥିଲା୤ ଏହି ସମସ୍ତ ଘଟଣା ଘଟୁଥିବା ବେଳେ ନା କୌଣସି ସୁରକ୍ଷାକର୍ମୀ ନା ପୁଲିସ୍ କେହି ବି ସୁରକ୍ଷା ଯୋଗାଇବାକୁ ଆଗେଇ ଆସିନଥିଲେ୤ ସେ ଯା ହେଉ, କୌଣସିମତେ ଭିଡ଼ ନିଜର ଆକ୍ରମଣ କରିବା ପରେ ସେଠାରେ ପଳାଇ ଯାଇଥିଲେ୤

ଘଟଣା ଘଟିବାର ଦୁଇଦିନ ବିତିଗଲେ ସୁଦ୍ଧା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏହି ମାମଲା ଉପରେ କୌଣସି ଗୁରୁତ୍ତ୍ବ ଦେଇନଥିଲେ ଏବଂ ଏହାକୁ ନେଇ ଡାକ୍ତର ମହଲରେ ତୀବ୍ର ଅସନ୍ତୋଷ ବ୍ୟାପିବାକୁ ଲାଗିଲା ଏବଂ ଏହି ଅସନ୍ତୋଷର ନିଆଁ ସମଗ୍ର ଦେଶରେ ବ୍ୟାପିଗଲା୤ ଏହି ଆକ୍ରମଣକୁ ନିନ୍ଦା କରି ଅନେକ ସଂସ୍ଥା ଓ ସଂଗଠନ ଦେଶବ୍ୟାପୀ ଡାକ୍ତର ମାନଙ୍କର ସଙ୍କେତାତ୍ମକ ଆନ୍ଦୋଳନ ଚଳାଇଲେ୤ ବିଭିନ୍ନ ହାସପାତାଳରେ ଡାକ୍ତରମାନେ ନିଜ ମଥାରେ ବ୍ୟାଣ୍ଡେଜ୍ ପଟି ବାନ୍ଧି ରୋଗୀ ସେବା କରୁଥିବା ବେଳେ ଅନେକ ସ୍ଥାନରେ ମଥାରେ ହେଲମେଟ୍ ପିନ୍ଧି ଚିକିତ୍ସା କରୁଥିବା ଦେଖାଗଲା୤ ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ଗୁରୁତ୍ବକୁ ଦେଖି ଡାକ୍ତରଙ୍କୁ ଆଶ୍ବାସନା ଦେବାକୁ ଉଚିତ ମନେ କଲେନାହିଁ, ବରଂ ଏକ ପ୍ରକାର ଧମକ ଦେଇଦେଲେ ଯେ ଯଦି ଡାକ୍ତରମାନେ ଚାରିଘଣ୍ଟା ଭିତରେ ନିଜ ଡ୍ୟୁଟିରେ ଯୋଗ ନ ଦିଅନ୍ତି ପରିସ୍ଥିତ ଭୟାବହ ହେବ୤ ଏହି ଧମକ ପରେ ଡାକ୍ତରମାନେ ଆହୁରି ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଲେ ଏବଂ ଦେଖୁ ଦେଖୁ ଶହ ଶହ ଡାକ୍ତର ନିଜର ଇସ୍ତଫାପତ୍ର ସରକାରଙ୍କ ନିକଟରେ ଜମା କରିଲେ୤

ଦେଶବ୍ୟାପୀ ଏହାକୁ ନେଇ ଅନେକ ଆଲୋଚନା ହେବାକୁ ଲାଗିଲା୤ ବିଭିନ୍ନ ଡାକ୍ତରୀ ସଂଗଠନ ଦ୍ବାରା ଦେଶବ୍ୟାପୀ ଚବିଶିଘଣ୍ଟିଆ ଧର୍ମଘଟ କରାଗଲା୤ ରୋଗୀ ସେବାକୁ ବ୍ୟାହତ ନ କରି ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିଲା, ତଥାପି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମାମଲାକୁ ଗମ୍ଭୀରତାର ସହ ଆଲୋଚନା କରିବାକୁ ଉଚିତ ମନେ କଲେ ନାହିଁ ଏବଂ ଭବିଷ୍ୟତରେ ଏହି ବିଷୟରେ ଆଲୋଚନା କରାଯିବ ବୋଲି କହି ମାମଲାକୁ ଦବାଇ ଦେଲେ୤

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଘଟଣାଟି ଘଟିଲା କାହିଁକି? ଏଥିରେ ଡାକ୍ତରଙ୍କ ଦୋଷ କଣ ଥିଲା? ଡାକ୍ତର ଏବଂ ସେବାରତ ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣର କାରଣ କଣ ଥିଲା? ଏକ ସର୍ବେକ୍ଷଣ ଅନୁଯାୟୀ ଭାରତର ପ୍ରାୟ ପଞ୍ଚସ୍ତରୀ ପ୍ରତିଶତ ଡାକ୍ତର ନିଜ ଜୀବନକାଳରେ ଅନ୍ୟୁନ ଥରେ କିମ୍ବା ଏକାଧିକ ଥର ରୋଗୀଙ୍କ ପରିଜନଙ୍କ ଆକ୍ରମଣର ଶୀକାର ହୋଇଥାନ୍ତି୤ ଅର୍ଥାତ ଯାହାର ଜୀବନ ରକ୍ଷା କରିବାପାଇଁ ଡାକ୍ତର ଯତ୍ନଶୀଳ ହୋଇଥାନ୍ତି ସେମାନଙ୍କ ପରିଜନ ମାନେ ହିଁ ଡାକ୍ତରଙ୍କୁ ମାଡ଼ ମାରିଥାନ୍ତି୤ ଏହିପରି ଅନେକ ଘଟଣା ବିଷୟରେ ଆମେ ଆମ ପେଷାରେ ଶୁଣି ଆସିଛୁ ଏବଂ ଦେଖି ଆସିଛୁ୤

ବିଦେଶରେ ଆଶୁଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ହାରାହାରି ଅନ୍ୟୁନ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡ଼େ ଏବଂ ଏହାପରେ ହିଁ ତାଙ୍କୁ କୌଣସି ସ୍ବାସ୍ଥ୍ୟଅଧିକାରୀ ଦେଖା ଦିଅନ୍ତି୤ ଅନେକ ସ୍ଥାନରେ ଡାକ୍ତରୀ ପରାମର୍ଶ ପାଇଁ ଅନେକ ଦିନ ବା ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ କିନ୍ତୁ ଆମ ଦେଶରେ ଲୋକମାନେ ଏହି ମାମଲାରେ ଅତ୍ୟନ୍ତ ଅସହିଷ୍ଣୁତା ପ୍ରଦର୍ଶନ କରିଥାନ୍ତି୤ ସିନେମା ଟିକେଟ୍ କିଣିବା ପାଇଁ ହେଉ, ଅବା ମନ୍ଦିରରେ ଦର୍ଶନ କରିବା, ବ୍ୟାଙ୍କର ଧାଡ଼ିରେ ଠିଆ ହେବା ହେଉ ବା ଏଟିଏମ୍ ସାମନାରେ ଛିଡ଼ା ହେବା, ସମସ୍ତେ ଚାହାନ୍ତି କେମିତି ସେ ଆଗକୁ ଚାଲିଯାଇ ନିଜ କାମ ଶୀଘ୍ର ସାରିଦେଇ ଚାଲିଯିବେ୤ କିଛି ଲୋକ ଏଥିପାଇଁ କୌଣସି ନୀତିନିୟମକୁ ମାନନ୍ତି ନାହିଁ ଏବଂ କେହି ତାଙ୍କୁ ବାଧା ଦେବାକୁ ଉଚିତ ମନେ କରନ୍ତି ନାହିଁ୤

ଦୁଇ କିମ୍ବା ତିନି ଦଶନ୍ଧିରୁ ଅଧିକ ସମୟ ତଳେ ନିର୍ମିତ ହାସପାତାଳର ଶଯ୍ୟା ସଂଖ୍ୟା ସାଂପ୍ରତିକ ସମୟ ସହିତ ବୃଦ୍ଧି ପାଇନାହିଁ୤ ଅନେକ ହାସପାତାଳରେ ଅବସ୍ଥା ଏମିତି ଯେ ଶଯ୍ୟାରେ ଯେତିକି ରୋଗୀ ତଳେ ଓ ବାରଣ୍ଡାରେ ସେତିକି ରୋଗୀ୤ ଆପଣ ଯେକୌଣସି ସରକାରୀ ହାସପାତାଳ ଯାଇ ଦେଖନ୍ତୁ, ସବୁଠି ସେଇ ଏକା ଦୃଶ୍ୟ୤ ଏଭଳି ପରିସ୍ଥିତିରେ କର୍ତ୍ତବ୍ୟରତ ଡାକ୍ତର ନିଜ କ୍ଷମତାରୁ ଅଧିକ ଦୁଇ କିମ୍ବା ତିନିଗୁଣ ଅଧିକ ରୋଗୀଙ୍କୁ ଚିକିତ୍ସା କରିବାରେ ବ୍ୟସ୍ତ ଥାଆନ୍ତି ଏବଂ ଦୈନିକ ବାର ଘଣ୍ଟାରୁ ଅଠର ଘଣ୍ଟା ଡ୍ୟୁଟି କରିବା ସମେତ ସପ୍ତାହରେ ଦିନେ କିମ୍ବା ଦୁଇଦିନ ଲଗାତାର ଚବିଶିଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ସେବା ଯୋଗାଇବା ପରେ ମାନସିକ ଓ ଶାରୀରିକ ଭାବରେ ଯେକୌଣସି ବ୍ୟକ୍ତି ଦୁର୍ବଳ ହୋଇପଡ଼ିବା ସ୍ବାଭାବିକ୤

ଯେତେବେଳେ ଜଣେ ଡାକ୍ତର ପୁରା ଦିନ ରୋଗୀସେବା କରି ଅର୍ଦ୍ଧରାତ୍ରୀ ବେଳକୁ ସାମାନ୍ୟ କେଇ ଘଣ୍ଟାପାଇଁ ବିଶ୍ରାମ ନେବାକୁ ଆଗଭର ହେଉଥାଏ ସେହି ସମୟରେ ଅତି ଗୁରୁତର ଅବସ୍ଥାରେ ରୋଗୀ ନେଇ ଆସିଥିବା ଲୋକମାନେ କିନ୍ତୁ ଡାକ୍ତରଙ୍କ ଅବସ୍ଥା ବିଷୟରେ ବୁଝିବାକୁ ନାରାଜ୤ ସେହି ସମୟରେ ଶଯ୍ୟାର ଅଭାବ ସ୍ବାଭାବିକ ହୋଇଥିଲେ ସୁଦ୍ଧା ରୋଗୀଙ୍କ ପରିଜନ କିନ୍ତୁ ବୁଝିବାକୁ ନାରାଜ ହୁଅନ୍ତି ଏବଂ ଡାକ୍ତରଙ୍କୁ ଚିକିତ୍ସାରେ ଅବହେଳା କରୁଥିବା କଥା କହି ଆକ୍ରମଣ କରିବାକୁ ପଛାନ୍ତି ନାହିଁ୤ ଏଥିପାଇଁ ଅଧିକାଂଶ ସମୟରେ ରୋଗୀ ଚିକିତ୍ସାପାଇଁ ଆସିଥିବା ସମୟରେ ହିଁ ହିଂସାକାଣ୍ଡ ଘଟିଥାଏ୤

ହାସପାତାଳରେ ଯଦି ଶଯ୍ୟାନାହିଁ, ଏଥିପାଇଁ କଣ ଡାକ୍ତର ଦାୟୀ? ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ପରିଜନ କୁହନ୍ତି ଯେ ଡାକ୍ତର ଆସିବାରେ ବିଳମ୍ବ କଲେ! ହୋଇପାରେ ବିଳମ୍ବ ହୋଇଥିବ ମଧ୍ୟ୤ ଭାବି ଦେଖନ୍ତୁ ଯେଉଁଠି ଶହେ ରୋଗୀ ରହିବା କଥା ସେଠି ଯଦି ଦୁଇଶହ କିମ୍ବା ତିନିଶହ ରୋଗୀ ଥିବେ, ଡାକ୍ତର କଣ ତୁରନ୍ତ ଅନ୍ୟ ସମସ୍ତ ରୋଗୀଙ୍କ ଚିକିତ୍ସା ଛାଡ଼ିଦେଇ ଆସି ପାରିବେ କି? ଯଦି ଆସିଲେ ଏବଂ ଅନ୍ତଃଚିକିତ୍ସା ବିଭାଗରେ କାହାର ମୃତ୍ୟୁ ହେଲା ତା ହେଲେ ମଧ୍ୟ ଦୋଷ ଡାକ୍ତରଙ୍କର ହିଁ ହେବ୤ ତା ପରେ ସରକାରୀ ହାସପାତାଳରେ ଆପଣ ରୋଗୀ ନେଇ ପହଞ୍ଚିବାପରେ ଆପଣଙ୍କ ରୋଗୀଙ୍କୁ ପ୍ରାରମ୍ଭିକ ପରୀକ୍ଷା କରି ଚିକିତ୍ସାବିଜ୍ଞାନର କେଉଁ ବିଭାଗ ଦ୍ବାରା ସର୍ବୋତ୍କୃଷ୍ଟ ଚିକିତ୍ସା ହୋଇପାରିବ ତାହା ନିରୁପଣ କରିବା ପରେ ସଂପୃକ୍ତ ବିଭାଗକୁ ସୂଚନା ଦିଆଯାଏ ଏବଂ ସେହି ବିଭାଗର ଡାକ୍ତର ଆସି ଚିକିତ୍ସା କରନ୍ତି୤ ଏଥିରେ ମଧ୍ୟ ସମୟ ଲାଗିପାରେ୤ ହେଲେ ଆମ ରୋଗୀଙ୍କ ପରିଜନ ଏହା ଶୁଣିବାକୁ ନାରାଜ୤ ଡ୍ୟୁଟିରେ ଥିବା ଡାକ୍ତର କଣ ସର୍ବଜ୍ଞ ଯେ ଆସିଥିବା ଯେକୌଣସି ପ୍ରକାରର ରୋଗୀର ପ୍ରାଥମିକ ଚିକିତ୍ସା ନିଜେ ହିଁ କରିଦେବେ? ହୃଦରୋଗ ହେଉ ବା ପ୍ରସୂତୀ, ଅସ୍ଥିଶଲ୍ୟ ହେଉ ବା ଶିଶୁରୋଗ, ପ୍ରତ୍ୟେକ ପାଇଁ ଅଲଗା ଅଲଗା ଡାକ୍ତର ଅଛନ୍ତି୤ ସେମାନେ ହିଁ ପ୍ରକୃଷ୍ଟ ଚିକିତ୍ସା ଦେଇପାରିବେ୤ ସେମାନଙ୍କ ଆସିବାରେ ବିଳମ୍ବ ହେଲେ ପୁଣି ଆକ୍ରମଣ୤

ଧୈର୍ଯ୍ୟର ଅଭାବ ଆକ୍ରମଣର ମୁଖ୍ୟ କାରଣ ବୋଲି ମୋତେ ମନେ ହୁଏ୤ ମୁଁ ଯଦି ହାସପାତାଳକୁ ଯାଉଛି ତା’ହେଲେ ମୋତେ ଯାଉ ଯାଉ ଡାକ୍ତର ମିଳିଯିବା ଉଚିତ ଏବଂ ତୁରନ୍ତ ମୋ ରୋଗୀର ଚିକିତ୍ସା ଆରମ୍ଭ ହୋଇଯିବା ଆବଶ୍ୟକ ଯଦି ନ ହୁଏ ତା ହେଲେ ମୋତେ କ୍ରୋଧ ନିଶ୍ଚୟ ଲାଗିବ ଏବଂ ମୁଁ ଉପସ୍ଥିତ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ପଛାଇବି ନାହିଁ୤

ଆପଣମାନେ ହୁଏତ ଜାଣିନଥିବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ସର୍ବେକ୍ଷଣରେ କୁହାଯାଇଛି ଯେ ଭାରତର ଅଧିକାଂଶ ଡାକ୍ତର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିନାହାନ୍ତି୤ କିନ୍ତୁ ମେଡ଼ିକାଲ୍ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ଦ୍ବାଦଶରେ ପାସ୍ ହୋଇଥିବା ନିତାନ୍ତ ଆବଶ୍ୟକ୤ ତା’ହେଲେ ଏମାନେ କିଏ? ଏମାନେ ହେଉଛନ୍ତି ନକଲି ଡାକ୍ତର୤ ଯେଉଁମାନେ କିଛି ସମୟ ପାଇଁ କୌଣସି ଡାକ୍ତରଙ୍କ କ୍ଲିନିକ୍ କିମ୍ବା ନର୍ସିଂ ହୋମରେ କାମ କରିବାପରେ ଚିକିତ୍ସା କରିବାର କିଛି କିଛି ଜ୍ଞାନ ଶିକ୍ଷାକରି ନିଜେ ନିଜେ ଡାକ୍ତର ହୋଇଯାଆନ୍ତି୤ ସେମାନଙ୍କୁ ଆମେ କ୍ବାକ୍ କହୁ୤ ଓଡ଼ିଶାର ପ୍ରାୟ ପୁରପଲ୍ଲୀରେ ଯେଉଁଠି ଦେଖିବେ ସେଇଠି ବଙ୍ଗାଳୀ ଡାକ୍ତର ଓ ମାଡ୍ରାସୀ ଡାକ୍ତରଙ୍କ ପ୍ରାଦୁର୍ଭାବ ବହୁତ୤ ସେମାନେ କେହି ବି ଅସଲି ଡାକ୍ତର ନୁହନ୍ତି୤ ଡାକ୍ତରୀ ଚିକିତ୍ସା କରିବାଭଳି କ୍ଷମତା ନଥାଇ ସୁଦ୍ଧା ସେମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମଧ୍ୟ ଚିକିତ୍ସା କରନ୍ତି୤ ଏକ ସର୍ବେକ୍ଷଣ ଅନୁଯାୟୀ ଭାରତର ରାଜଧାନୀ ଦିଲ୍ଲୀରେ ପାଖାପାଖି ଷାଠିଏ ହଜାର ଏହିଭଳି ଝୋଲାଛାପ୍ ଡାକ୍ତର ଅଛନ୍ତି୤

ରୋଗରେ ପଡ଼ିଥିବା ବ୍ୟକ୍ତିମାନେ ଏହିଭଳି ଠକମାନଙ୍କ ନିକଟରେ ଚିକିତ୍ସିତ ହୁଅନ୍ତି ଏବଂ ଯେତେବେଳେ ମାମଲା ଅତ୍ୟନ୍ତ ଜଟିଳ ହୋଇଯାଏ ସେମାନଙ୍କୁ ମେଡ଼ିକାଲ୍ କଲେଜ କିମ୍ବା ଅନ୍ୟ ବଡ଼ ହାସପାତାଳକୁ ପଠାଇ ଦିଅନ୍ତି୤ ରୋଗୀର ମୃତ୍ୟୁ ନିଶ୍ଚିତ ବୋଲି ଜାଣିବା ସତ୍ତ୍ବେ ପରିଜନମାନେ ତାଙ୍କୁ ନେଇ ବଡ଼ ହାସପାତାଳ ଯାଆନ୍ତି୤ ଏବଂ ସେଠି ନିରାଶାବୋଧ ଅନୁଭବ କରିଲେ ଡାକ୍ତରଙ୍କୁ ଆକ୍ରମଣ କରନ୍ତି୤ ଭାରତର ଉଣେଇଶିଟି ରାଜ୍ୟରେ ଏହା ବିରୋଧରେ ଆଇନ ପ୍ରଣୟନ ହୋଇଛି୤ ଓଡ଼ିଶାରେ ମଧ୍ୟ ଡାକ୍ତରଙ୍କ ଉପରେ ଆକ୍ରମଣ ହେଲେ ଅନ୍ୟୁନ ତିନିବର୍ଷ ଜେଲ୍ ଦଣ୍ଡ ସମେତ ପଚାଶ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବା ନିୟମ ରହିଛି୤ କିନ୍ତୁ ଏହି ସବୁ ନିୟମ କଡ଼ାକଡ଼ି ଭାବରେ ପାଳନ ହେଉନଥିବାରୁ ଲୋକମାନେ ନିଶ୍ଚିନ୍ତ ହୋଇଯାଉଛନ୍ତି୤

କଥା ଉଠୁଛି ଅନେକ ମତ ଦିଅନ୍ତି ଯେ ଏହି ସବୁ ଘଟଣା ଡାକ୍ତରଙ୍କ ଅବହେଳାରୁ ହେଉଛି୤ ହୋଇପାରେ ମଧ୍ୟ୤ କାରଣ ତାଳି ଗୋଟିଏ ହାତରେ ବାଜେ ନାହିଁ୤ ପ୍ରତ୍ୟେକ କଳହ ପଛରେ ଦୁଇଜଣ ବା ଦୁଇପ୍ରକାରର ମତବାଦ ରହିଥାଏ୤ ଏଠାରେ ମଧ୍ୟ ଥାଇପାରେ୤ ଏହାକୁ ମନା କରିହେବ ନାହିଁ୤ ଯେ ଡାକ୍ତର ସେ ମଧ୍ୟ ମନୁଷ୍ୟ, ତାଙ୍କୁ ବି କ୍ରୋଧ ଲାଗିପାରେ ସେ ବି କଳହ କରିପାରନ୍ତି୤ ବେଳେ ବେଳେ ଅତିମାତ୍ରାରେ ଅସ୍ବସ୍ଥି ଅନୁଭବ କରୁଥିବା ଡାକ୍ତର ରୋଗୀ ଚିକିତ୍ସାରେ ଅବହେଳା କରିପାରନ୍ତି, ଏହାକୁ ମନା କରିବା କେମିତି୤ ଚବିଶି ଘଣ୍ଟାରୁ ଅଧିକ ସମୟ ହାସପାତାଳର ପରିବେଶରେ ରହି ରୋଗୀଙ୍କ ଗହଣରେ କେବଳ ରୋଗ ଓ ଶୋକ ଦେଖି ଦେଖି ମାନସିକ ଭାବରେ ଦୁର୍ବଳ ହୋଇପଡ଼ିବା କିଛି ବିଚିତ୍ର କଥା ନୁହେଁ୤ ସେହିଭଳି ପରିସ୍ଥିତିରେ କିଛି ଡାକ୍ତର ରୋଗୀଙ୍କ ପରିଜନଙ୍କ ସହ ଅଭଦ୍ରୋଚିତ ବ୍ୟବହାର ମଧ୍ୟ କରିପାରନ୍ତି୤ ତେଣୁ ଡାକ୍ତର ଯେ ସମ୍ପୂର୍ଣ୍ଣ ଦୋଷହୀନ ବୋଲି ମୁଁ କହିପାରିବି ନାହିଁ୤

ଡାକ୍ତରଙ୍କ ଦାୟିତ୍ବ ହେଉଛି ଉପସ୍ଥିତ ରୋଗୀଙ୍କ ରୋଗ ନିରୁପଣ କରି ଯଥୋଚିତ ଚିକିତ୍ସା ବ୍ୟବସ୍ଥା କରିବା୤ ଏବଂ ମୁଁ ଜାଣିବାରେ ସମସ୍ତ ଡାକ୍ତର ସେଇୟା ହିଁ କରନ୍ତି୤ ସରକାରୀ ହାସପାତାଳରେ କାମ କରୁଥିବା ଡାକ୍ତର ରୋଗୀ ସେବାକୁ ନିଜ ଜୀବନର ଧର୍ମ ବୋଲି ମାନି ନେଇଥାନ୍ତି ସେଇଥିପାଇଁ ଦିନରାତି ଚିକିତ୍ସା ଯୋଗାଇବାରେ ଅବହେଳା କରନ୍ତି ନାହିଁ୤ ସେଥିପାଇଁ ଅନେକେ ଡାକ୍ତରଙ୍କୁ ଦ୍ବିତୀୟ ଈଶ୍ବର ବୋଲି ମଧ୍ୟ କହନ୍ତି୤ କିନ୍ତୁ ସତ୍ୟ ହେଉଛି ଡାକ୍ତର ମଧ୍ୟ ଜଣେ ମନୁଷ୍ୟ୤ ସେ ଯେତେ ଚାହିଁଲେ ବି ଈଶ୍ବର ହୋଇପାରିବେ ନାହିଁ୤ ସେ କେବଳ ନିଜର ନିପୁଣତାକୁ ବ୍ୟବହାର କରି ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ହିଁ ଯୋଗାଇ ପାରିବେ୤ କିନ୍ତୁ ମୃତ୍ୟୁର ଦ୍ବାରରେ ଥିବା ରୋଗୀଙ୍କୁ ବଞ୍ଚାଇ ଆଣିବା ଭଳି ଦକ୍ଷତା ସମସ୍ତଙ୍କର ନଥାଏ୤ ତେଣୁ ବୟସାଧିକ୍ୟ ଏବଂ ମୃତ୍ୟୁ ଅବଶ୍ୟମ୍ଭାବୀ ତଥା ଅତ୍ୟନ୍ତ ଗୁରୁତର ରୋଗୀଙ୍କୁ ବଞ୍ଚାଇବାରେ ଅସମର୍ଥ ଡାକ୍ତରଙ୍କୁ ନିନ୍ଦା କରିବା ବା ଆକ୍ରମଣ କରିବା ଅନୁଚିତ୤

ହାସପାତାଳରେ ହୋଇଥିବା ଅସୁବିଧା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ, ସଚିବ, ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କୁ ଜଣାନ୍ତୁ, ସେମାନଙ୍କୁ ସୂଚିତ କରନ୍ତୁ ଏବଂ ଅବ୍ୟବସ୍ଥା ଦୂର କରିବାକୁ ପଦକ୍ଷେପ ନେବାପାଇଁ ବାଧ୍ୟ କରନ୍ତୁ୤ ଜରୁରୀକାଳୀନ ରୋଗୀସେବାରେ କର୍ତବ୍ୟରତ ଡାକ୍ତରଙ୍କୁ ଯୁକ୍ତିତର୍କ କରିବା ବା ଆକ୍ରମଣ କରିବା ଦ୍ବାରା ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ୤

ଅନେକ କାରଣ ଥାଇପାରେ ଡାକ୍ତରଙ୍କ ଉପରେ ଆକ୍ରମଣର, ମୁଁ ମାତ୍ର କେତୋଟି କାରଣ ହିଁ ଉଲ୍ଲେଖ କରିଛି ଯାହା ମୋ ବ୍ୟକ୍ତିଗତ ଓ ପେଷାଗତ ଜୀବନରେ ମୁଁ ଉପଲବ୍ଧି କରିଛି୤ ହୁଏତ ମୋର ଏହି ଲେଖାରେ କିଛି ଅଂଶ ଏମିତି ବି ଥାଇପାରେ ଯାହାକୁ ନେଇ ଆପଣ ଅସନ୍ତୋଷ ପ୍ରକାଶ କରି ପାରନ୍ତି, କିମ୍ବା ମତ ଦେବାକୁ ଚାହାନ୍ତି୤ ନିଶ୍ଚୟ ଦିଅନ୍ତୁ୤ କାରଣ ଏମିତି ଏକ ଘୃଣ୍ୟ ପ୍ରଥାକୁ ସମୂଳେ ନାଶ କରିବାକୁ ହେଲେ ଆମକୁ ଦୃଢ଼ଚିନ୍ତନ ଓ ଆଲୋଚନା କରିବାକୁ ପଡ଼ିବ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ଏଠାରେ ପଢ଼ନ୍ତୁ !
ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ଏଠାରେ ପଢ଼ନ୍ତୁ !