favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ବିଗତ ମାସରେ ଅନେକ ଆକଳନକୁ ଭୂଲ ପ୍ରମାଣିତ କରିଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପୁଣିଥରେ ଭାରତରେ ସଂଖ୍ୟା ଗରିଷ୍ଠତା ଲାଭ କରିଲା୤ କିନ୍ତୁ ଏମିତି ଏକ ସମୟ ବି ଥିଲା ଯେତେବେଳେ ବିରୋଧୀ ଦଳ ଦୃଢ଼ ଭାବରେ ଦାବୀ କରିଥିଲେ ଯେ ଦେଶରେ ମୋଦୀ ଲହରୀ ନଷ୍ଟ ହୋଇଗଲାଣି ଆଉ ସେ ପୁଣିଥରେ ଜିତିବା ଭଳି ସମ୍ଭାବନା ନାହିଁ୤ ଗଣମାଧ୍ୟମ ମଧ୍ୟ ଭିନ୍ନ ଭିନ୍ନ କଥା କହୁଥିଲେ୤ କିଛି ଗଣମାଧ୍ୟମ ତ ଏମିତି ମଧ୍ୟ କହିଥିଲେ ଯେ ମୋଦୀ ସରକାରଙ୍କୁ ଏକ ଦଶମାଂଶ ଜନମତ ମଧ୍ୟ ମିଳିବ ନାହିଁ, ଅନେକ ଏମିତି ବି କହିଥିଲେ ଯେ ଯଦି ବା ମୋଦୀଙ୍କୁ ଜନମତ ମିଳିବ, ସେ କିନ୍ତୁ ଏକାକୀ ଏହା ପାରିବେ ନାହିଁ, ଏବଂ ସେଥିପାଇଁ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ଉପରେ ନିର୍ଭର କରିବେ୤

ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ସମାପ୍ତି ହେବାପରେ କଂଗ୍ରେସ ତରଫରୁ ଏକ ପ୍ରେସମିଟରେ ଘୋଷଣା କରାଯାଇ କୁହାଯାଇଥିଲା ଯେ ଦେଶରୁ ଲୋକଙ୍କ ମନରୁ ମୋଦୀ ଦୂରେଇ ଯାଇଛନ୍ତି ଏବଂ ସେ ପୁଣି ଫେରିବା ଅନିଶ୍ଚିତ୤ ଅନେକ ବିଦେଶୀ ଗଣମାଧ୍ୟମ ଠିକ୍ ଏହି ସମୟରେ ମୋଦୀଙ୍କୁ ଜଣେ ବିଭାଜନକାରୀ ଭାବରେ ଦର୍ଶାଇ ଆଲେଖ୍ୟମାନ ପ୍ରକାଶିତ କରିଥିଲେ୤ ମୋଦୀଙ୍କ ଲୋକପ୍ରିୟତା କମ ହେଉଥିବାର କଥା ଉଣା ଅଧିକେ ସମସ୍ତ ଗଣମାଧ୍ୟମ ଜୋର ସୋରରେ ପ୍ରଚାର କରିଥିଲେ୤

ନିର୍ବାଚନ ସମାପନ ପରେ ଯେତେବେଳେ ଏକ୍ଜିଟ୍ ପୋଲ୍ ଗଣନା ଆସିଲା ତାହା ଅବିଶ୍ବସନୀୟ ଥିଲା୤ କାରଣ ସମସ୍ତ ସର୍ବେକ୍ଷଣରେ ମୋଦୀଙ୍କୁ ସଂଖ୍ୟାଗରିଷ୍ଠତା ମିଳୁଥିଲା୤ ଏହାକୁ ଦେଖି ବିରୋଧୀ ଦଳମାନେ ଇଭିଏମ୍ ମେସିନରେ ଦୂର୍ନୀତି ହୋଇଥିବା କଥା ଗଣମାଧ୍ୟମରେ କୁହାଇ ନିର୍ବାଚନ କମିସନଙ୍କୁ ପ୍ରକାରାନ୍ତରେ ଦୋଷୀ ବୋଲି ଦର୍ଶାଇବାକୁ ପଛାଇନଥିଲେ୤ ତଥାପି କିଛି ଗଣମାଧ୍ୟମ ଏବଂ ବିଶେଷ କରି କଂଗ୍ରେସ୍ ଦଳ ଏହି ପୋଲ୍ ସର୍ଭେକୁ ଏକ ନିର୍ବାଚନୀ ଖେଳ ବୋଲି ଦର୍ଶାଇ ନିଜ ଦଳୀୟ କର୍ମୀଙ୍କୁ ହତୋତ୍ସାହିତ ନ ହେବାପାଇଁ ବାର୍ତ୍ତା ଦେବା ସହ ଦୃଢ଼ ଭାବରେ କହିଥିଲେ ଯେ ଏହି ସବୁ ସର୍ଭେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ମୋଦୀଙ୍କ ନିର୍ଦ୍ଦେଶରେ କରାଯାଇଛି୤

କିନ୍ତୁ ମଇ ୨୩ ତାରିଖର ମତଗଣନା ପରେ ସବୁକିଛି ଫସର ଫାଟି ଯାଇଥିଲା୤ ମୋଦୀ ସରକାର ସ୍ପଷ୍ଟ ବହୁମତ ପାଇଥିଲେ ଏବଂ ଲୋକସଭାରେ ଏକକ ବହୁମତ ପାଇଥିଲେ୤ ଯାହା ଅନେକ ସମୀକ୍ଷକ ତଥା ରାଜନୈତିକ ବିଶ୍ଳେଷକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ କଥା ଥିଲା୤ ଏହାକୁ ନେଇ ଅଦ୍ୟବଧି ଦାବୀ ହୋଇ ଆସୁଛି ଯେ ମୋଦୀ ଦୁର୍ନୀତି କରି ନିର୍ବାଚନ ଜିତିଛନ୍ତି୤ କିନ୍ତୁ ଆଜି ମୋଦୀ ଦ୍ବିତୀୟଥର ଶପଥ ପାଠ କରିବା ସହ ୫୮ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଶପଥପାଠ କରାଇଛନ୍ତି୤

ମୋଦୀ ତା ହେଲେ ଏତେ ବଡ଼ ଜନମତ ପାଇଲେ କେମିତି? ଏହାକୁ ବୁଝିବାକୁ ହେଲେ ସମୁଦାୟ ଦେଶରେ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରସ୍ତୁତିକୁ ଦୃଷ୍ଟି ଦେବାକୁ ହେବ୤ ଅନେକ ହୁଏତ ବିଶ୍ବାସ କରି ନ ପାରନ୍ତି କିନ୍ତୁ ବର୍ଷ ୨୦୧୯ର ନିର୍ବାଚନ ପାଇଁ ଭାଜପା ତଥା ମୋଦୀ ଓ ଶାହଙ୍କ ଯୋଡ଼ି ବର୍ଷ ୨୦୧୪ରୁ ହିଁ ପ୍ରସ୍ତୁତି ଆରମ୍ଭ କରିଥିଲେ୤ ଆପଣଙ୍କୁ ମନେଥିବ ନିଶ୍ଚୟ ଯେତେବେଳେ ୨୦୧୪ରେ ମୋଦୀ ସରକାର ସ୍ପଷ୍ଟ ବହୁମତ ପାଇ ସରକାର ନିର୍ମାଣ କରିଥିଲେ ସେତେବେଳେ ସେ ଲୋକଙ୍କୁ ତାଙ୍କ ସହ ଯୋଗ ଦେବାପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରସାର କରିବା ସମେତ ୱେବ୍ସାଇଟ୍ ଓ ଆପ୍ ଦ୍ବାରା ସଦସ୍ୟତା ପାଇଁ ଲୋକଙ୍କୁ ପ୍ରଲୋଭିତ କରିଥିଲେ ଏବଂ ଏହାଦ୍ବାରା ଆନୁମାନିକ ଦଶ କୋଟିରୁ ଅଧିକ ଲୋକ ଭାଜପାରେ ଯୋଗ ଦେଇଥିଲେ୤ ସେମାନେ ସକ୍ରିୟ ଭାବରେ ଭାଜପାର କର୍ମୀ ନ ହୋଇଥିଲେ ସୁଦ୍ଧା ମୋଦୀ ସରକାରଙ୍କ ପାଖରେ ସେହି ଦଶକୋଟିରୁ ଅଧିକ ଲୋକଙ୍କ ସକ୍ରିୟ ମୋବାଇଲ୍ ସଂଖ୍ୟା ସମେତ ସମସ୍ତ ଯୋଗାଯୋଗ ଠିକଣା ପଞ୍ଜୀକୃତ ହୋଇଥିଲା ଯାହା ୨୦୧୯ ନିର୍ବାଚନ ସମୟରେ ନିର୍ବାଚନ ଜିତିବାରେ ଏକ ବୃହତ ଭୂମିକା ନେଇଥିଲା୤ ୨୦୧୯ ନିର୍ବାଚନ ପୂର୍ବରୁ ଭାଜପା ଦ୍ବାରା କଲ୍ ସେଣ୍ଟର୍ ସ୍ଥାପିତ ହୋଇଥିଲା ଏବଂ ସେହି କଲ୍ ସେଣ୍ଟର୍ ମାନଙ୍କରୁ ଲୋକମାନଙ୍କୁ ବାରମ୍ବାର ଫୋନ୍ କରାଯାଇ ମୋଦୀଙ୍କ ଯୋଜନା ମାନଙ୍କ ବିଷୟରେ ଜ୍ଞାନ ଦେବା ସହ ଲୋକମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି କରାଯାଇଥିଲା ଯେ ମୋଦୀ ସେମାନଙ୍କ ସହ ସବୁବେଳେ ରହିଛନ୍ତି ଏବଂ ଆଗକୁ ରହିବେ ମଧ୍ୟ୤ ଫୋନ ଦ୍ବାରା ଦେଶର ଏକ ବିଶାଳ ଜନସଂଖ୍ୟାକୁ ଯୋଗାଯୋଗ କରିବାରେ ମୋଦୀ ସରକାରଙ୍କ ଏହି ଉପାୟ ସକାରାତ୍ମକ ଫଳ ଦେଲା୤

ଏହାପରେ ନିର୍ବାଚନ ପୂର୍ବରୁ ଭାଜପା ଚାରୋଟି ରାଜ୍ୟରେ ନିର୍ବାଚନରେ ଭଲ ଫଳ ଦେଇନଥିଲା୤ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କର୍ଣ୍ଣାଟକର ନିର୍ବାଚନ ଫଳ ନିରାଶାଜନକ ଥିବା ସତ୍ତ୍ବେ ୨୦୧୯ ନିର୍ବାଚନରେ କିନ୍ତୁ ଏହା ସବୁ ବଦଳି ଯାଇଥିଲା୤ ଏହା ପଛରେ ଥିଲା ମୋଦୀଙ୍କ ଆଉ ଏକ ଉପାୟ, ତାହ ହେଲା ଲୋକଙ୍କ ମଧ୍ୟରେ ଦେଶଭକ୍ତି ଜାଗ୍ରତ କରାଇବା ଭଳି କ୍ଷମତା୤ ନିର୍ବାଚନର ପୂର୍ବରୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହାପରେ ପରେ ଭାରତ ସରକାରଙ୍କ ଦ୍ବାରା ପାକିସ୍ତାନର ବାୟୁସୀମାରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା, ବୈମାନିକ ଅଭିନନ୍ଦନଙ୍କୁ ମାତ୍ର ଦୁଇଦିନରେ ପାକିସ୍ଥାନରୁ ଫେରାଇ ଆଣିବା, ପାକିସ୍ଥାନକୁ ଜଳଯୋଗାଣ ବନ୍ଦ କରିବା ଭଳି ଅନେକ ପଦକ୍ଷେପ ଜନତାଙ୍କ ଦୃଷ୍ଟିରେ ମୋଦୀଙ୍କୁ ଏହ ସକ୍ଷମ ପ୍ରଧାନମନ୍ତ୍ରୀର ରୂପ ଦେଇଥିଲା୤ ସମ୍ଭବତଃ ମୋଦୀ ସରକାରଙ୍କ ପୂର୍ବରୁ ମନମୋହନ ସିଂହଙ୍କ ଦଶବର୍ଷର ଶାସନକୁ ମୋଦୀଙ୍କ ସହ ତୁଳନା କରି ଲୋକମାନେ ମୋଦୀଙ୍କୁ ଅଧିକ ସକ୍ଷମ ଓ ଦେଶଭକ୍ତ ବୋଲି ମାନିନେଲେ ଏବଂ ସେଥିପାଇଁ ଭୋଟ ଦେଲେ୤

ପଶ୍ଚିମବଙ୍ଗରେ ଲୋକମାନେ ତୃଣମୂଳ କଂଗ୍ରେସର ଏକଚାଟିଆ ଶାସନ ଏବଂ ପ୍ରାୟତଃ ହିଂସା ଓ ଦଙ୍ଗାରେ ତ୍ରସ୍ତ ହୋଇଥିଲେ ଏବଂ ଏହି ସମୟରେ ମୋଦୀ ଓ ଶାହ ସେହି ରାଜ୍ୟରେ ଘନଘନ ପ୍ରଚାର କରି ଲୋକଙ୍କୁ ଆଶ୍ବାସନା ଦେଇଥିଲେ ଯେ ମୋଦୀ ଅଛନ୍ତି ତ ସବୁକିଛି ସମ୍ଭବ୤ ବିଭିନ୍ନ ଘଟଣାର ଭିଡ଼ିଓ ପ୍ରମାଣକୁ ନେଇ ସୋସିଆଲ୍ ମିଡ଼ିଆ ଏବଂ ଗଣମାଧ୍ୟମରେ ପ୍ରସାର କରାଇ ଲୋକଙ୍କ ମଧ୍ୟରେ ଏହି ଧାରଣା ସ୍ପଷ୍ଟ କରାଯାଇଥିଲା ଯେ ମମତା ସରକାର ମୁସଲମାନଙ୍କୁ ଖୁସି କରିବା ପାଇଁ ହିନ୍ଦୁଙ୍କୁ ପ୍ରତାଡ଼ନା ଦେଇଛନ୍ତି୤ ପଶ୍ଚିମବଙ୍ଗରେ ଜୟ ଶ୍ରୀ ରାମ କହିଲେ ଜେଲ୍ ହେଉଛି, ରାମ ନବମୀର ଶୋଭାଯାତ୍ରାକୁ ଅନୁମତି ଦିଆଯାଉନାହିଁ, ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଉଛି, ଏବଂ ସ୍ଥାନୀୟ ନିର୍ବାଚନ ସମୟରେ ଅନେକ ଭାଜପା ସମର୍ଥକଙ୍କୁ ହତ୍ୟା କରାଯାଇଛି୤ ଏହି ସବୁ ବିଷୟକୁ ଲୋକମାନେ ହୃଦୟଙ୍ଗମ କରିଥିଲେ ଏବଂ ନିର୍ବାଚନ ସମୟରେ ମୋଦୀଙ୍କ ଆହ୍ବାନରେ ‘ଚୁପ ଚାପ୍ କମଲ ଛାପ୍’ କୁ ମାନିନେଇ ଭାଜପାକୁ ପ୍ରାୟ ଚାଳିଶି ପ୍ରତିଶତ ଭୋଟ ଦେଇଥିଲେ୤

ଓଡ଼ିଶାରେ ଭାଜପା ଅତି ଭଲ ପ୍ରଦର୍ଶନ ନ କରିଥିଲେ ସୁଦ୍ଧା ୨୧ରୁ ୮ଟି ସାଂସଦ ପାଇବା କମ୍ କଥା ନୁହେଁ୤ ଅବଶ୍ୟ ଏଥିପାଇଁ ମୋଦୀ, ଶାହଙ୍କ ଯୋଡ଼ିକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା୤ ଅନେକ ଥର ଓଡ଼ିଶାକୁ ଆସି ସଭା କରିବା ସହ ରୋଡ଼ସୋ କରିଥିଲେ୤ ଏହା ପଛରେ ମୋଦୀଙ୍କ ଧାରଣା ଥିଲା ଯେ ଯଦି ବି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ପ୍ରଦର୍ଶନ ଭଲ ନ ହୁଏ ତେବେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରଦର୍ଶନ ଦ୍ବାରା ତାହାର ଭରଣା କରିହେବ୤

ଉତ୍ତରପ୍ରଦେଶରେ ଭାଜପାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା୤ ଭାରତରେ ସମ୍ଭବତଃ ଉତ୍ତରପ୍ରଦେଶ ଏକ ମାତ୍ର ଏମିତିକା ରାଜ୍ୟ ଯେଉଁଠି ଜାତିଗତ ମତଦାନ ହୁଏ୤ ସେଥିପାଇଁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଆଦି ନିଜ ନିଜ ପାଇଁ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଛନ୍ତି୤ ଏଥର ନିର୍ବାଚନରେ ସପା ଓ ବସପା ଏକତ୍ର ଲଢୁଥିବାରୁ ଭାଜପା ପାଇଁ ସମୀକରଣ କଷ୍ଟକର ଥିଲା୤ କିନ୍ତୁ ମୋଦୀଙ୍କ ଦେଶଭକ୍ତି, ଦକ୍ଷ ପ୍ରଶାସନିକ ଏବଂ ପାକିସ୍ଥାନକୁ ଘରେ ପଶି ଆକ୍ରମଣ କରିବା ଆଦି ଦୃଷ୍ଟିରୁ ଅନେକ ପ୍ରଥମଥର ଭୋଟ୍ ଦେଉଥିବା ଯୁବଗୋଷ୍ଟୀ ଅନୁପ୍ରାଣୀତ ହୋଇ ମୋଦୀଙ୍କୁ ବାଛିଥିଲେ୤ କଂଗ୍ରେସ୍ ଦ୍ବାରା ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ଭାର ଦିଆଯାଇଥିବା ସତ୍ତ୍ବେ ସେ କୌଣସି ଉଲ୍ଲେଖନୀୟ ଅବଦାନ ଦେଇପାରିଲେ ନାହିଁ୤ ସପା, ବସପା ପାରମ୍ପାରିକ ଶତ୍ରୁ ବୋଲି ଜାଣିଥିବା ଜନତା ସମ୍ଭବତଃ ସେମାନଙ୍କ ଗଠବନ୍ଧନକୁ ବିଶ୍ବାସ କରିଲେ ନାହିଁ୤ ଏବଂ ମୋଦୀ ସରକାରଙ୍କ ଭ୍ରଷ୍ଟାଚାରହୀନ ଶାସନ ସାମନାରେ ପ୍ରାୟ ସମସ୍ତ ଗଠବନ୍ଧନରେ ଥିବା ନେତା ଭ୍ରଷ୍ଟାଚାରୀ ଦେଖାଦେଲେ ତେଣୁ ସେମାନଙ୍କୁ ସେହିଭଳି ଫଳ ମିଳିଲା ନାହିଁ୤

ବିହାରରେ ମଧ୍ୟ ଲୋକମାନେ ଭାଜପା ଉପରେ ଅଧିକ ବିଶ୍ବାସ ରଖି ଭୋଟ ଦେଲେ ତେଣୁ ସେଠାରେ ମଧ୍ୟ ଭାଜପାକୁ ବହୁମତ ମିଳିଲା୤ ସମଗ୍ର ଦେଶରେ ପ୍ରାୟ ନଅ ଜଣ ପୁରୁଣା ମୁଖ୍ୟମନ୍ତ୍ରୀ କଂଗ୍ରେସ ତରଫରୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇ ଥିବା ବେଳେ ସମସ୍ତେ ହାରିଥିଲେ୤ ମୋଦୀଙ୍କ ଯୋଜନାବଦ୍ଧ ଭାବରେ ନିର୍ବାଚନ ପରିଚାଳନା ସାମନାରେ ବିରୋଧୀ ମାନଙ୍କର କୌଣସି ଉପାୟ କାମ ଦେଲାନାହିଁ୤

କଂଗ୍ରେସ ଦଳ ମୋଦୀଙ୍କ ଭଳି ଯୋଜନା କରି ପାରିଲାନାହିଁ, ଏବଂ ମୋଦୀଙ୍କୁ ‘ଚୌକିଦାର ଚୋର୍ ହୈ’ ବୋଲି କହି ଦୂର୍ବଳ କରିବାକୁ ଯୋଜନା କରିଥିଲା, ଯାହାକୁ ‘ମୈ ଭି ଚୌକିଦାର୍’ ରେ ପରିଣତ କରିଦେଇ ମୋଦୀ ବାଜି ମାରିନେଲେ୤ କଂଗ୍ରେସ୍ କୌଣସି ଉଲ୍ଲେଖନୀୟ ପ୍ରସ୍ତାବ ଦେଇନଥିଲା୤ ନ୍ୟାୟ ଯୋଜନା ମଧ୍ୟ ବହୁତ ବିଳମ୍ବରେ ଉପସ୍ଥାପନ କରିଥିଲା ଏବଂ ଏହା ବିଷୟରେ ସାଧାରଣ ଜନତାଙ୍କ ପାଖରେ ଖବର ପହଞ୍ଚି ପାରିନଥିଲା୤ ଅଧିକନ୍ତୁ ଭାଜପାର ସୋସିଆଲ୍ ମିଡ଼ିଆ ସେଲ୍ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନା ଘୋଷଣା ହେବା କ୍ଷଣି ଏହା ଏକ ମିଛ ଯୋଜନା ଏବଂ ଏଥିପାଇଁ ଅର୍ଥ ନାହିଁ ବୋଲି ଦର୍ଶାଇ ପ୍ରସାର କରିଲେ ଯାହା ଲୋକଙ୍କୁ ବିଶ୍ବାସଯୋଗ୍ୟ ହେଲା୤ ରାଫେଲ୍ ବାବଦରେ ମଧ୍ୟ ରାହୁଲ ଗାନ୍ଧୀ କୌଣସି ସଠିକ ତଥ୍ୟ ଦେଲେ ନାହିଁ, ଏବଂ ସୁପ୍ରିମ କୋର୍ଟରେ ଦୁଇ ଦୁଇଥର କ୍ଷମା ମାଗିବା ପରେ ଲୋକମାନେ ମଧ୍ୟ ତାଙ୍କୁ ଗମ୍ଭୀରତାର ସହ ନେଲେ ନାହିଁ୤

ନିର୍ବାଚନ ପୂର୍ବରୁ ମୋଦୀଙ୍କୁ ବୈଦ୍ୟୁତିକ ଗଣମାଧ୍ୟମରେ ଅନେକ ସମୟ ଦେଖିବାକୁ ମିଳିଥିଲା ଏବଂ ସେ ନିଜେ ଅନେକ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ ଏବଂ ନିଜର ସାକ୍ଷାତକାର ବରିଷ୍ଠ ଅଭିନେତା ଅକ୍ଷୟ କୁମାରଙ୍କ ଦ୍ବାରା ମଧ୍ୟ କରାଇଥିଲେ ଏହି ସମୟରେ ରାହୁଲ ଗାନ୍ଧୀଙ୍କର କୌଣସି ସାକ୍ଷାତକାର ଦେଖା ଦେଇନଥିଲା୤ ଏହାକୁ ନେଇ କଂଗ୍ରେସ ଦଳ ପକ୍ଷପାତିତାର ଅଭିଯୋଗ କରିଥିଲେ ସୁଦ୍ଧା ଗଣମାଧ୍ୟମ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ମୋଦୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ବି ସେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ ରାହୁଲ ଗାନ୍ଧୀ କେବଳ ଗୋଟିଏ ଚ୍ୟାନେଲକୁ ମାତ୍ର ଆଠ ମିନିଟ୍ ସମୟ ଦେଇଥିଲେ୤

ବର୍ଷ ୨୦୧୪ ପରେ କଂଗ୍ରେସ ଦଳକୁ ଅଧିକ ସଚେତନ ହେବାର ଥିଲା ଏବଂ ୨୦୧୯ ପାଇଁ ଅନେକ ପୂର୍ବପ୍ରସ୍ତୁତି କରିବାର ଥିଲା କିନ୍ତୁ ସେ ସବୁ କରିବାରେ ସେମାନେ ଅସଫଳ ହେଲେ୤ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିତ୍ବ ମୋଦୀଙ୍କ ସମ୍ମୁଖରେ ଅଗ୍ରାହ୍ୟ ହୋଇଥିଲା ଏବଂ ତାଙ୍କୁ ବର୍ଷ ୨୦୧୪ ପରେ ହିଁ ‘ପପ୍ପୁ’ ବୋଲି ସୋସିଆଲ୍ ମିଡ଼ିଆରେ ପ୍ରଚାର କରିଦିଆଯାଇଥିଲା ଯେଉଁଥିପାଇଁ ଲୋକମାନେ ତାଙ୍କ ଉପରେ ଅଧିକ ଭରସା କରି ପାରିନଥିଲେ୤ ପୁଣି ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିବା, କୁଣ୍ଢାଇ ଧରିବା ବା ଆଖିମାରିବା ଆଦି କାରଣରୁ ସେ ଲୋକଙ୍କ ପାଇଁ ନିଜକୁ ଅଯୋଗ୍ୟ ବୋଲି ପ୍ରମାଣିତ କରିଦେଇଥିଲେ୤

ନିଜର ପାରମ୍ପରିକ ଆସନ ଅମେଥିରେ ସେ ହାରିବା ନେଇ ନିଶ୍ଚିତ ହେବାପରେ ସୁଦୂର କେରଳର ଏକ ସଂଖ୍ୟାଗରିଷ୍ଠ ବହୁଳ ଅଞ୍ଚଳରେ ଜନମତ ଲୋଡ଼ିବା ତାଙ୍କୁ ଅଧିକ ହାସ୍ୟାସ୍ପଦ କରିଥିଲା୤ ପ୍ରଥମରୁ ହିଁ ଭାଜପା ରାହୁଲ ଗାନ୍ଧୀଙ୍କ ଧର୍ମକୁ ନେଇ ତାଙ୍କୁ ଅନେକ ସ୍ଥାନରେ ଘେରାଉ କରିଥିଲେ୤ ଗୁଜୁରାତ୍ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ହିନ୍ଦୁ ବୋଲି ପ୍ରମାଣ ଦେବାପାଇଁ ଅନେକ ମନ୍ଦିର ଦର୍ଶନରେ ଯାଇଥିଲେ ସୁଦ୍ଧା ସେ ଯେ ହିନ୍ଦୁ ନୁହନ୍ତି ଏହା ଦୃଢ଼ ପ୍ରମାଣ ସୋସିଆଲ୍ ମିଡ଼ିଆରେ ପ୍ରସାରିତ ହେଉଥିଲା୤ ଏବଂ ସେ ୱାୟାନାଡ଼ରୁ ସାଂସଦ ପାଇଁ ଲଢ଼ିବାକୁ ଭାଜପା ତାଙ୍କର ହିନ୍ଦୁବିରୋଧୀ ପଦକ୍ଷେପ ବୋଲି ପ୍ରଚାର କରିଥିଲା୤

ସର୍ବୋପରି ଭାଜପାର ବିଜୟ ପଛରେ ଅନେକ କାରଣ ରହିଛି ଏବଂ ଏହା ମଧ୍ୟରେ ସର୍ବୋତ୍କୃଷ୍ଟ ହୁଏତ ମୋଦୀଙ୍କ ଦ୍ବାରା ଭାରତର ପ୍ରତ୍ୟେକ ନାଗରିକ ମନରେ ଏକ ଦୃଢ଼ ଦେଶପ୍ରେମ ଭାବ ଜାଗ୍ରତ କରାଇବା ପ୍ରମୁଖ ହେବ୤ ଅବଶ୍ୟ ସେ ଅନେକ ଯୋଜନା ମଧ୍ୟ ଦେଇଛନ୍ତି ଯାହା ଭାରତକୁ ସମୃଦ୍ଧ ହେବା ଦିଗରେ ସାହାଯ୍ୟ କରିଛି୤ ଏବଂ ନିର୍ବାଚନ ଲଢ଼ିବା ଓ ଜିତିବା ଉଦ୍ଦେଶ୍ୟରେ ସେ ନେଇଥିବା ସମସ୍ତ ପଦକ୍ଷେପ ସଫଳ ହୋଇଛି୤

ଅନେକ ବ୍ୟକ୍ତି ଓ ଗଣମାଧ୍ୟମ ମୋଦୀଙ୍କୁ ଋଢ଼ିବାଦୀ ହିନ୍ଦୁ ଓ ମୁସଲମାନ୍ ବିରୋଧୀ ଭାବରେ ଦର୍ଶାଇ ଭାରତରେ ଅସହିଷ୍ଣୁତା, ଧର୍ମାନ୍ଧତା ଆଦି ହେଉଥିବା କଥା କହି ଆସୁଛନ୍ତି୤ ପାଞ୍ଚବର୍ଷର ସୁଶାସନ ସତ୍ତ୍ବେ ମୋଦୀଙ୍କୁ ସମାଲୋଚନା କରୁଥିବା ଅନେକ ବ୍ୟକ୍ତି ଚଳିତ ନିର୍ବାଚନରେ ନିଜ ବିଫଳତାକୁ ନେଇ ଆତ୍ମସମୀକ୍ଷା କରୁଥିବେ ବୋଲି ଆଶା୤ ବିଗତ ପାଞ୍ଚବର୍ଷରେ ମୋଦୀ କୌଣସି ଏମିତି ପଦକ୍ଷେପ ନେଇନାହାନ୍ତି ଯାହା ତାଙ୍କର ଛବିକୁ ଜଣେ ମୁସଲମାନ୍ ବିରୋଧୀ ଭାବରେ ଦେଖାଇ ପାରିବ୤ ଏବଂ ଏବେ ମଧ୍ୟ ସେ ଯେତେବେଳେ ଦ୍ବିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେ କଦାପି ସେହିଭଳି କୌଣସି କାର୍ଯ୍ୟ କରିବେ ନାହିଁ୤ ହଁ ଅବଶ୍ୟ ସେ ଦୃଢ଼ ଭାବରେ ଦେଶଭକ୍ତି ଓ ଦେଶପ୍ରେମ ଜାଗ୍ରତ କରାଇବା ଭଳି ଅନେକ କାର୍ଯ୍ୟ କରି ପାରନ୍ତି ଏବଂ ବର୍ତ୍ତମାନର ସମୟରେ ଏହାର ଆବଶ୍ୟକତା ମଧ୍ୟ ଅନେକ ରହିଛି୤ ଆଶା କରୁଛି ଆଗାମୀ ପାଞ୍ଚବର୍ଷରେ ଭାରତର ବିଶ୍ବସ୍ତରୀୟ ସମ୍ମାନ ଆହୁରି ବୃଦ୍ଧି ହେବ ଏବଂ ଭାରତ ପୂର୍ବଠାରୁ ଅଧିକ ସମ୍ମାନ ଯୋଗ୍ୟ ହୋଇ ବିଶ୍ବଗୁରୁ ହେବ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଆସ ଡାକ୍ତରଙ୍କୁ ପିଟିବା

ଆସ ଡାକ୍ତରଙ୍କୁ ପିଟିବା

ଏଠାରେ ପଢ଼ନ୍ତୁ !
ଧାନବିଲ ଖସ ଖସଲୋ ବଉଳ

ଧାନବିଲ ଖସ ଖସଲୋ ବଉଳ

ଏଠାରେ ପଢ଼ନ୍ତୁ !