favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବିଶ୍ବ ପଖାଳ ଦିବସ (ମାର୍ଚ୍ଚ ୨୦ ତାରିଖ) ଅନୁଚିନ୍ତା

ବିଶ୍ବ ପଖାଳ ଦିବସ (ମାର୍ଚ୍ଚ ୨୦ ତାରିଖ) ଅନୁଚିନ୍ତା

Pakhal kansa

ବ୍ରହ୍ମପୁର, ୧୮-୩-୨୦୧୮ : କିଛି ବର୍ଷତଳେ ଅନ୍‌ଲାଇନ୍‌ରେ ସକ୍ରିୟ ଥିବା କିଛି ବନ୍ଧୁ ହଠାତ ପ୍ରସ୍ତାବ ଦେଲେ ଯେ ଓଡ଼ିଆ ହୋଇ ଆମେ ଯଦି ସବୁବେଳେ ପଖାଳର ଆଦର କରି ଆସୁଛେ ତା ହେଲେ ଏଥିପାଇଁ ଦିନଟିଏ ପାଳନ କରିବା ନାହିଁ କାହିଁକି? ସେଇ ଭାବନାରୁ ଜାତ ହୋଇଥିଲା ବିଶ୍ବ ପଖାଳ ଦିବସ୤ ପ୍ରତିବର୍ଷ ମାର୍ଚ୍ଚ ମାସ କୋଡ଼ିଏ ତାରିଖ ଦିନକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ଏହାକୁ ବିଭିନ୍ନ ଗଣମାଧ୍ୟମ ଦ୍ବାରା ପ୍ରସାରିତ କରାଯାଇଥିଲା୤ ଏବଂ ଏହାକୁ ଅନେକ ଓଡ଼ିଆ ଲୋକ ଉତ୍ସାହର ସହ ପାଳନ କରିଥିଲେ୤ ପରେ ପରେ ଏହା ସୋସିଆଲ୍ ଗଣମାଧ୍ୟମରେ ବହୁଳ ଭାବରେ ଟ୍ରେଣ୍ଡ୍ କରିବା ଦ୍ବାରା ଏହାର ଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଇବାକୁ ଲାଗିଲା୤

ପଖାଳ ଏକ ଅନନ୍ୟ ଖାଦ୍ୟ ଯାହା ଓଡ଼ିଶା ପାଇଁ ସ୍ବତନ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ୤ ଯଦିଓ ଏହି ପ୍ରକାରର ଖାଦ୍ୟ ଭାରତର ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ ଆଦି ଅଞ୍ଚଳରେ ବି ଲୋକମାନେ ଖାଉଥିବାର ଉଦାହରଣ ମିଳେ ତଥାପି ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ପଖାଳର ବିଶେଷ ବିଶେଷତ୍ବ ରହିଛି୤ ତେବେ ଏହି ଖାଦ୍ୟର ଆବିଷ୍କାର ଓଡ଼ିଆମାନେ କେବେ କରିଥିଲେ ତାହାର କୌଣସି ସଠିକ୍ ତଥ୍ୟ ଆମ ନିକଟରେ ନଥିବା ବେଳେ ଆମେ ମନେକରୁଛୁ, ସମ୍ଭବତଃ ଅତୀତରେ ଯେତେବେଳେ ଚାଷୀ ପରିବାରମାନଙ୍କରେ ପୁରୁଷମାନେ ସକାଳୁ ସକାଳୁ ଉଠି ଚାଷ କାମ କରିବା ପାଇଁ ଯାଉଥିଲେ ହୁଏତ ସେହି ସମୟରେ ସେହି ପରିବାରର ସ୍ତ୍ରୀଲୋକମାନେ ପୂର୍ବରାତ୍ରୀର ବଳକା ଭାତକୁ ପାଣି କିମ୍ବା ତୋରାଣୀ ଦେଇ ସଂଗୃହୀତ କରି ରଖିଥିବେ ଏବଂ ଏହାକୁ ସକାଳୁ ସକାଳୁ ଖାଇବା ଦ୍ବାରା ପେଟ ପୁରିବା ସହ ଦେହକୁ ଆବଶ୍ୟକୀୟ ଜଳୀୟ ଅଂଶ ମିଳିଥିବାକୁ ଲକ୍ଷ୍ୟକରି ପରେ ପରେ ଅଧିକରୁ ଅଧିକ ଲୋକ ଏହି ପ୍ରକ୍ରିୟାରେ ଖାଦ୍ୟ ସଂରକ୍ଷଣ କରିବାକୁ ଆଗ୍ରହୀ ହୋଇଥିବେ୤

Pakhal dishes

ଏହି ଖାଦ୍ୟର ସରଳ ପ୍ରସ୍ତୁତି ପ୍ରଣାଳୀ ଏବଂ ପୁଷ୍ଟିକର ହେତୁ ଏହାର ଚାହିଦା କାହିଁରେ କଣ୤ ବିଗତ ବର୍ଷମାନଙ୍କରେ ଶୁଣାଯାଉଥିଲା ଯେ ବିଦେଶର କୌଣସି ଏକ ବିଶ୍ବବିଦ୍ୟାଳୟ ଏହି ଖାଦ୍ୟ ଉପରେ ଗବେଷଣା କରି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି୤ ତେବେ ସେ ଯା ହେଉ ଆମେ ଓଡ଼ିଆ ଭାବରେ ଯୁଗଯୁଗରୁ ଏହି ଖାଦ୍ୟକୁ ପ୍ରଶଂସା କରି ଆସିଛୁ୤ ଗ୍ରୀଷ୍ମପ୍ରଧାନ ଆମର ଦେଶର ଦକ୍ଷିଣପୂର୍ବରେ ରହୁଥିବା ହେତୁ ଓଡ଼ିଶାରେ ଗରମ ଅଧିକ ମାତ୍ରାରେ ଅନୁଭବ ହୁଏ ଏବଂ ବର୍ଷର ଅଧିକାଂଶ ସମୟ ଏଠାରେ ଉଷ୍ମତା ବଜାୟ ରହେ, ତେଣୁ ପଖାଳର ଚାହିଦା ସବୁବେଳେ ରହେ୤ ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତ ଜାତି ଓ ଧର୍ମର ଲୋକମାନେ ପଖାଳ ଖାଆନ୍ତି୤ ଖରାଦିନରେ ହେଉଥିବା ଅଂଶୁଘାତରୁ ରକ୍ଷାପାଇବାର ଏହା ଏକ ପ୍ରକୃଷ୍ଟ ଉପାୟ୤ ପଖାଳ ଖାଉଥିବା ଲୋକମାନଙ୍କର ଜଳୀୟଅଂଶ ହ୍ରାସ ଜନିତ କୌଣସି କଷ୍ଟ ହୁଏନାହିଁ, ତେଣୁ ସେମାନେ ଅଧିକ ପରିଶ୍ରମ କରିବା ସତ୍ତ୍ବେ ସେମାନଙ୍କୁ ଅଂଶୁଘାତ ହୁଏନାହିଁ୤

ଓଡ଼ିଶାରେ ପଖାଳର ଅନେକ ପ୍ରକାର ଭେଦ ଦେଖିବାକୁ ମିଳେ୤ କିଛି ଲୋକ ସଜ ପଖାଳ ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକେ ବାସି ପଖାଳ ବା ଦହି ପଖାଳ ଖାଇବାକୁ ପସନ୍ଦ କରନ୍ତି୤ ପଖାଳ ଭାତ ସହ ଯେ କୌଣସି ପ୍ରକାରର ବ୍ୟଞ୍ଜନ ସହଜରେ ଚଳିଯାଏ, ଭଜା, ଖଟା, ପୋଡ଼ା, ଛଣା ଯାହା ବି ହେଉ ସବୁ ଚଳେ୤ ତେଣୁ ଅଧିକାଂଶ ଲୋକ ଏହାକୁ ପସନ୍ଦ କରନ୍ତି୤ ସାଧାରଣତଃ ପଖାଳ ସହିତ ଶାଗଭଜା, ବଡ଼ିଚୁରା, ଶୁଖୁଆ ପୋଡ଼ା, ଆଚାର, ପାମ୍ପଡ଼, ଭଜା ଇତ୍ୟାଦି ଖାଆନ୍ତି୤ ବାସି ଭାତକୁ ତୋରାଣୀରେ ପକାଇ ରଖିଲେ ସାମାନ୍ୟ ଖଟା ଲାଗେ ଏବଂ ଏଥିରେ କଞ୍ଚା ଲଙ୍କା ଭାଙ୍ଗିଦେଇ ଟିକେ ଦହି ପକାଇ ଦେଲେ ଯେଉଁ ଶାନ୍ତିକର ଖାଦ୍ୟ ମିଳେ ତାହା ତାରକା ହୋଟେଲର ବିରିୟାନୀରେ ମଧ୍ୟ ମିଳିବ ନାହିଁ୤

ଓଡ଼ିଶାରେ ପଖାଳର ଚାହିଦାକୁ ଲକ୍ଷ୍ୟକରି ସାନରୁ ବଡ଼ ସମସ୍ତ ପ୍ରକାର ହୋଟେଲ ଠାରୁ ଆରମ୍ଭ କରି ଦାମୀ ରେସ୍ତୋରାଁରେ ମଧ୍ୟ ପଖାଳ ଯୋଗାଇବା ବ୍ୟବସ୍ଥା କରାଗଲାଣି୤ ଅଳ୍ପ ଖର୍ଚ୍ଚରେ ପେଟପୁରା ଖାଇବାକୁ ପାଇବା ଦ୍ବାରା ଅଧିକ ଲୋକ ଖରାଦିନ ମାନଙ୍କରେ ବିଶେଷତଃ ପଖାଳ ଖାଇବାକୁ ପସନ୍ଦ କରନ୍ତି ବୋଲି ଅନେକ ହୋଟେଲ ମାଲିକ କହନ୍ତି୤ ଓଡ଼ିଶାର ଅଧିକାଂଶ ସହର ଓ ଗ୍ରାମାଞ୍ଚଳରେ ହୋଟେଲ୍ ମାନଙ୍କରେ କୋଡ଼ିଏ ଟଙ୍କାରୁ ଆରମ୍ଭ କରି ପଚାଶ ଟଙ୍କାରେ ବିଭିନ୍ନ ପ୍ରକାରର ପଖାଳ ଏବଂ ବ୍ୟଞ୍ଜନ ଖାଇବାକୁ ମିଳିଥାଏ୤

pakhal dibas

ସର୍ବୋପରି ପଖାଳ ଏମିତି ଏକ ଖାଦ୍ୟ ଯାହା ବର୍ଷର ସବୁ ସମୟରେ ଖିଆଯାଏ୤ ଏବଂ ଓଡ଼ିଆ ପରିବାର ଯେକୌଣସି ସ୍ଥାନରେ ରହିଲେ ସୁଦ୍ଧା ଏହାର ଆଦର କମ ହୁଏ ନାହିଁ୤ ତେଣୁ ଏହିପରି ଏକ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟପାଇଁ ଦିନଟିଏ ପାଳନ କରିବା ଉଦ୍ଦେଶ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ସମୟୋପଯୋଗୀ୤

ଧନ୍ୟବାଦ

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ସହକାରୀ ଅଧ୍ୟାପକ

ବୀମା ନଗର, ବ୍ରହ୍ମପୁର, ଓଡ଼ିଶା

ଭ୍ରାମ୍ୟଭାଷ : ୭୦୦୮୫୬୭୦୮୫

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଅନଧିକୃତ ଅନୁପ୍ରବେଶ ଓ ଭାରତ

ଅନଧିକୃତ ଅନୁପ୍ରବେଶ ଓ ଭାରତ

ଏଠାରେ ପଢ଼ନ୍ତୁ !
ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା

ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା

ଏଠାରେ ପଢ଼ନ୍ତୁ !