favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି?

ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି?

ବିଶ୍ବ ମାତୃଭାଷା ଦିବସର ଅନୁଚିନ୍ତା

ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି?

ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଏହି ପ୍ରଶ୍ନ ଉପସ୍ଥାପିତ ହୋଇଛି ଏବଂ ବ୍ୟଙ୍ଗ ଛଳରେ ହେଉ ବା ଯୁକ୍ତି ମାଧ୍ୟମରେ ହେଉ ଅନେକ ବନ୍ଧୁ ପ୍ରଶ୍ନ କରନ୍ତି, “ଭାଇ, ତମେ ମିଛଟାରେ ଓଡ଼ିଆ ଓଡ଼ିଆ ହେଉଛ? ଯଦି ଓଡ଼ିଆ ଭାଷା ପାଇଁ ତମର ଏତେ ଦରଦ ଅଛି ତା ହେଲେ ତମ ପିଲାମାନଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ନ ପଢ଼ାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କାହିଁକି ପଢ଼ାଉଛ?”

ପ୍ରଶ୍ନଟି ବାସ୍ତବିକ ଯୁକ୍ତିଯୁକ୍ତ୤ ଆମେ ସତରେ ଯଦି ଆମ ମାତୃଭାଷା ପାଇଁ ଏତେ ଚିନ୍ତିତ ତା ହେଲେ ଆମେ ଆମ ସନ୍ତାନମାନଙ୍କୁ ଓଡ଼ିଆ ମାଧ୍ୟମରେ ପାଠ ନ ପଢ଼ାଇ ଇଂରାଜୀ ମାଧ୍ୟମରେ ପଢ଼ାଇବାକୁ କାହିଁକି ଚାହୁଁଛୁ? ଅବଶ୍ୟ ଏହା ଇଚ୍ଛା ନ ହୋଇ ବାଧ୍ୟତାମୂଳକ ବି ହୋଇପାରେ, କିନ୍ତୁ ସେ ବିଷୟରେ ଚର୍ଚ୍ଚା କିଛି ସମୟପରେ କରିବା୤ ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଚଳନ ଅନେକ ଦଶନ୍ଧୀରୁ ହୋଇଛି୤ ସମ୍ଭବତଃ ଆମେ ଯେତେବେଳେ ନୂଆ ନୂଆ ବିଦ୍ୟାଳୟରେ ପାଦ ଦେଉଥିଲୁ ସେଇ ସମୟରେ ହିଁ ଏହି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କ ପ୍ରଚଳନ ଓଡ଼ିଶାରେ ଆରମ୍ଭ ହୋଇଥିଲା୤ ଆମେ ଯେତେବେଳେ ବିଦ୍ୟାଳୟ ଯାଉଥିଲୁ ସେତେବେଳେ ପିଲାଟିଏ ଅନ୍ୟୁନ ପାଞ୍ଚବର୍ଷ ହୋଇଗଲେ ବାପାମା’ ତାକୁ ନେଇ ଗାଁ କିମ୍ବା ଘର ପାଖରେ ଥିବା ସରକାରୀ ବିଦ୍ୟାଳୟରେ ନାଁ ଲେଖେଇ ଦେଇ ଆସୁଥିଲେ୤ ସେତେବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ନଗଣ୍ୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ୤ ତା’ପରେ ଆମେ ଯେତେବେଳେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିଲୁ ସେତେବେଳେ ଆମକୁ ଇଂରାଜୀ ଅକ୍ଷର ସହ ପରିଚୟ କରି ଦିଆଗଲା ଏବଂ ତା ପରେ ପ୍ରତିବର୍ଷ ଇଂରାଜୀ ବିଷୟ ଆମକୁ ପଢ଼ାଗଲା୤ ହେଲେ ଇଂରାଜୀ ବିଷୟ ପ୍ରତି ଭୟ ଏତେ ମାତ୍ରାରେ ଥିଲା ଯେ ଦଶମ ଶ୍ରେଣୀରେ ପାଦ ଦେଉ ଦେଉ ଅଧିକାଂଶ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ଅକୃତକାର୍ଯ୍ୟ ହେବାର ଦେଖାଯାଉଥିଲା୤ ଆମେ ବୁଝି ପାରୁନଥିଲୁ ସତରେ ଏ ବିଷୟଟା ଏତେ କଠିନ କାହିଁକି? କାହିଁକି ଅଧିକାଂଶ ଛାତ୍ରଛାତ୍ରୀ ଏହି ବିଷୟକୁ ଏତେ ଭୟ କରନ୍ତି? ସେ ଯା ହେଉ, ଯେଉଁମାନେ ଦଶମ ଶ୍ରେଣୀ ବୋର୍ଡ୍ ପରିକ୍ଷା ପାର କରିଗଲେ ସେମାନେ ଯୁକ୍ତ ଦୁଇରେ ପାଠ ପଢ଼ିବା ବେଳେ ବହୁତ କଠିନ ସମୟ ଦେଇ ଗତି କରିଥିଲେ୤ କାରଣ ବିଦ୍ୟାଳୟରେ ଶିକ୍ଷାଦାନ ଓଡ଼ିଆରେ ହେଉଥିବା ବେଳେ ମହାବିଦ୍ୟାଳୟରେ କିନ୍ତୁ ତାହା ଇଂରାଜୀ ଭାଷାରେ ହେଉଥିଲା୤ ଏହା ଫଳରେ ଦଶମରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀ ମାନେ ଯୁକ୍ତ ଦୁଇରେ ଅସଫଳ ହେଉଥିଲେ କିମ୍ବା ଭଲ ମାର୍କ ରଖିବାରେ ସଫଳ ହେଉନଥିଲେ୤ ଆଉ ଯେଉଁମାନେ ଏହି ସବୁ କଠିନ ପଥକୁ ସହଜରେ ପରିଷ୍କାର କରିଦେଇ ଆଗେଇ ଥିଲେ ସେମାନେ ବିଦ୍ୟାଧ୍ୟୟନରେ ସଫଳ ହେବା ସହ ଉଚ୍ଚ ଶିକ୍ଷା ପାଇଲେ ଏବଂ ଭଲ ଭଲ ଚାକିରୀ କରିବାରେ ସଫଳ ବି ହୋଇଥିଲେ୤

Students in Convent schools
କିନ୍ତୁ ଆମର ମହାବିଦ୍ୟାଳୟ ପ୍ରବେଶ ବେଳକୁ ଆମ ସମ୍ମୁଖରେ ପ୍ରତିଦ୍ବନ୍ଦିତା କରିବାପାଇଁ ଉପସ୍ଥିତ ଥିଲେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିଥିବା କିଛି ଛାତ୍ରଛାତ୍ରୀ ଯେଉଁମାନେ ପାଠ୍ୟକ୍ରମକୁ ସହଜରେ ବୁଝିପାରୁଥିଲେ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କ ଇଂରାଜୀ ବକ୍ତବ୍ୟର ସଠିକ ଅର୍ଥ ବୁଝିପାରୁଥିଲେ ଯାହା ଆମ ପକ୍ଷରେ ସମ୍ଭବ ନଥିଲା୤ ଆମେ ମହାବିଦ୍ୟାଳୟର ପରିସର ଡେଇଁ ଯେତେବେଳେ ଚାକିରୀ କରିବାକୁ ଆସିଲୁ ସେତେବେଳେ ଏକ ଏମିତି ସମୟ ଆସିଲା, ଆମ ସହ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀ ହଠାତ୍ ବିଦେଶ ଯିବା ଆରମ୍ଭ କରିଦେଲେ୤ ଏହାର ପ୍ରଭାବ ପିତାମାତାଙ୍କ ଉପରେ ପଡ଼ିଲା୤ ସମସ୍ତ ପିତାମାତା ପ୍ରକାରାନ୍ତରେ ଚାହିଁଲେ ଯେ ସେମାନଙ୍କ ସନ୍ତାନମାନେ ବି ବିଦେଶ ଯାଆନ୍ତୁ୤ ଡଲାରରେ ପଇସା ଆୟ କରନ୍ତୁ ଏବଂ ବମ୍ବେ, ବାଙ୍ଗାଲୋରରେ ଉଚ୍ଚ ଅଟ୍ଟାଳିକାରେ ଘର କରନ୍ତୁ୤ ତେଣୁ ସେମାନେ ସନ୍ତାନମାନଙ୍କୁ ଅଳ୍ପବୟସରୁ ହିଁ ଇଂରାଜୀ ଶିକ୍ଷାପ୍ରତି ଆକୃଷ୍ଟ କରିବା ହେତୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଭର୍ତ୍ତି କରିବାକୁ ଲାଗିଲେ୤

ଏହାର ଅନ୍ୟ ଏକ କାରଣ ବି ଥିଲା ଆଉ ତାହା ଥିଲା ସରକାରୀ / ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଦିନକୁ ଦିନ ଶିକ୍ଷାଦାନରେ ଅବହେଳା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟ ପାଇଁ ନିଶ୍ଚିନ୍ତ ଶିକ୍ଷକଗୋଷ୍ଠୀ୤ ସମ୍ଭବତଃ ଆମେ ପାଠ ପଢୁଥିବା ସମୟରେ ଯେଉଁ ସବୁ ଶିକ୍ଷକମାନେ ଥିଲେ ସେମାନେ ଆମ ପାଇଁ ଯେତିକି ମାତ୍ରାରେ ଚିନ୍ତିତ ହେଉଥିଲେ ବର୍ତ୍ତମାନ ସମୟରେ ସେମିତି ହେଉନଥିବ୤ ଏହାର କାରଣ ହେଉଛି ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ୤ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆଣିବା ଉଦ୍ଦେଶ୍ୟ ନେଇ ସରକାର ଏମିତି କିଛି ନିଷ୍ପତ୍ତି ନେଲେ ଯାହାଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସ୍ବାଭାବିକ ହୋଇଗଲା୤ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଫେଲ୍ କରାଯିବ ନାହିଁ, ବୋଲି କୁହାଗଲା୤ ଅର୍ଥାତ ଜଣେ ଛାତ୍ର ଯଦି ବିଦ୍ୟାଳୟରେ ନାଁ ଲେଖାଏ ତା ହେଲେ ଅନ୍ୟୁନ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେ ଯେମିତି ହେଲେ ପାସ ହୋଇ ଯିବ୤ ସେ ପାଠ ଭଲ ଭାବରେ ବୁଝୁ ବା ନ ବୁଝୁ୤ ସେ ପରୀକ୍ଷା ଦେଉ ବା ନ ଦେଉ୤ ଏହା ଫଳରେ ଶିକ୍ଷକ ମାନଙ୍କ ଉପରେ ବୋଝ ବହୁତ ପରିମାଣରେ କମ ହୋଇଗଲା୤ ଯେଉଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା କରୁଥିଲେ ସେମାନେ ମଧ୍ୟ ଚିନ୍ତାଶୂନ୍ୟ ହୋଇ ବସିଗଲେ୤ କାରଣ ଯେଉଁଠି ଛାତ୍ରଛାତ୍ରୀଙ୍କୁ ଫେଲ କରିବା ମନା, ସେଠି କିଏ କେତେ ପଢ଼ିଲା ନ ପଢ଼ିଲା ସେ ବିଷୟରେ କିଏ ବୁଝୁଛି? ତେଣୁ ସରକାରୀ ବିଦ୍ୟାଳୟ ପ୍ରତି ଅନେକ ପିତାମାତା ବିତସ୍ପୃହ ହୋଇଗଲେ୤ ଆମେ କାହିଁକି ଏମିତି ଗୋଟିଏ ସ୍ଥାନରେ ଆମ ପିଲାଙ୍କୁ ପଢ଼ାଇବୁ ଯେଉଁଠି ଶିକ୍ଷକମାନେ ସେମାନଙ୍କ ଉନ୍ନତି ପାଇଁ ଯୁକ୍ତିଯୁକ୍ତ ପଦକ୍ଷେପ ନେବା ସପକ୍ଷରେ ନାହାନ୍ତି? ସେହି ବିଦ୍ୟାଳୟରେ ପାଠ ପଢ଼ିଲେ ଆମ ସନ୍ତାନ ମାନଙ୍କର କିପରି ଉନ୍ନତି ହେବ?

Government school teachersବର୍ତ୍ତମାନ ଆସନ୍ତୁ ଦେଖିବା ବେସରକାରୀ / ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା୤ ଏଠାରେ ଅନ୍ୟୁନ ପିଲାମାନଙ୍କୁ ଶିକ୍ଷାଦାନ କରାଯାଏ୤ ପ୍ରତି ମାସରେ କିଛି ନା କିଛି ଗଠନମୂଳକ କାର୍ଯ୍ୟ ଦିଆଯାଇ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତାମୂଳକ ସ୍ପର୍ଦ୍ଧାକୁ ଉତ୍ସାହିତ କରାଯାଏ୤ ଶିକ୍ଷାଦାନରେ ଅବହେଳା ହେଲେ ଶିକ୍ଷକ ମାନଙ୍କୁ ଅଧ୍ୟକ୍ଷମାନେ ବ୍ୟକ୍ତିଗତ ଭାବରେ ନିର୍ଦ୍ଦେଶ ଦେଇ ଉଚିତ ପଦକ୍ଷେପ ନେବାକୁ କହନ୍ତି୤ ବିଦ୍ୟାଳୟରେ ଯେ କେବଳ ଇଂରାଜୀ ମାଧ୍ୟମରେ ହିଁ ଶିକ୍ଷାଦାନ ହୁଏ ତା ନୁହେଁ, ଏହି ବିଦ୍ୟାଳୟମାନଙ୍କରେ ଓଡ଼ିଆ ବାଧ୍ୟତାମୂଳକ ବିଷୟ ଭାବରେ ମଧ୍ୟ ପଢ଼ାଯାଏ୤ ଏହା ସହ ହିନ୍ଦୀ ଏବଂ ସଂସ୍କୃତ ମଧ୍ୟ ପଢ଼ାଯାଏ୤ ତେଣୁ ବସ୍ତୁତଃ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ଖସଡ଼ାରେ କୌଣସି ପାତରଅନ୍ତର ନାହିଁ୤ ହଁ ଆଇସିଏସସି / ସିବିଏସସି ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ଶିଶୁମାନଙ୍କୁ ଅଳ୍ପ ବୟସରୁ ହିଁ ସାମାନ୍ୟ କଠିନ ବିଷୟବସ୍ତୁ ସମ୍ବଳିତ ବିଷୟରେ ଶିକ୍ଷାଦାନ କରାଯାଏ, ଯାହା ଆମ ମତରେ ଶିଶୁର ବୌଦ୍ଧିକ ବିକାଶରେ ସହାୟକ ହୋଇଯାଏ ଏବଂ ଭବିଷ୍ୟରେ ସେହି ଶିଶୁମାନେ ବିଶ୍ବ ଦରବାରରେ ନିଜକୁ ଯୋଗ୍ୟ ବୋଲି ପ୍ରମାଣିତ କରିବାର ଯୋଗ୍ୟତା ରଖନ୍ତି୤

ସାଂପ୍ରତିକ ସମୟରେ ଶିକ୍ଷାପ୍ରାପ୍ତ ଯୁବକଯୁବତୀ କେବଳ ନିଜ ଅଞ୍ଚଳରେ ହିଁ ରହି ଜୀବିକାନିର୍ବାହ କରିବା ସପକ୍ଷରେ ନାହାନ୍ତି୤ ଆଜିକାଲି ଯେ କେହି ଶିକ୍ଷା ସମାପ୍ତ ହୋଇଗଲା ପରେ ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ କିମ୍ବା ଅନ୍ୟ ଜନବହୁଳ ସହରରେ ରହି ଚାକିରୀ କରିବା ସପକ୍ଷରେ ହିଁ ମତ ଦେବ୤ ଏବଂ ସେଠାରେ ଚାକିରୀ କରୁଥିବା ଅଧିକାଂଶ ଯୁବକଯୁବତୀ ବିଦେଶ ଯିବାପାଇଁ ଇଚ୍ଛୁକ ତେଣୁ ସେମାନଙ୍କ ପାଇଁ ଇଂରାଜୀ ଶିକ୍ଷାର ଆବଶ୍ୟକତା ଅଧିକ୤ କହିଲେ ହୁଏତ କିଛି ଲୋକଙ୍କୁ ପସନ୍ଦ ହୋଇ ନପାରେ କିନ୍ତୁ ବିଗତ ଦୁଇ ଦଶନ୍ଧୀରେ ଓଡ଼ିଶା ସରକାରଙ୍କ ଦ୍ବାରା କେତେ ଜୀବିକା / ଚାକିରୀ ସୃଷ୍ଟି କରାଯାଇଛି? ରାଜ୍ୟରେ ମୁଠା ମୁଠା ଇଞ୍ଜିନିୟରିଂ ମହାବିଦ୍ୟାଳୟ ଖୋଲିଦେଇଥିଲେ ଯେ ଅଗଣିତ ଇଞ୍ଜିନିୟର ବର୍ତ୍ତମାନ ବେକାର ହୋଇ ବସିଛନ୍ତି୤ ଅବସ୍ଥା ଏମିତି ଆସିଛି ଯେ ସମୁଦାୟ ଇଞ୍ଜିନିୟରିଂ ମହାବିଦ୍ୟାଳୟର ପଚିଶି ପ୍ରତିଶତ ସିଟ୍ ମଧ୍ୟ ଭର୍ତ୍ତି ହେଉନାହିଁ, ଏବଂ ଚଳିତବର୍ଷ ଅନ୍ୟୁନ ଅଧା ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଯାଇଛି କିମ୍ବା ବନ୍ଦ ହେବାଭଳି ଅବସ୍ଥାରେ ଆସି ପହଞ୍ଚିଛି୤

Teachers in govt schoolsଓଡ଼ିଶାରେ ଚାକିରୀ ପାଇଁ ଆଶା ନାହିଁ, ଯେଉଁମାନେ ଚାକିରୀ କରିବାପାଇଁ ଆଶାୟୀ ସେମାନଙ୍କୁ ଓଡ଼ିଶା ବାହାରକୁ ଯିବାକୁ ହେବ ହିଁ ହେବ୤ ଏବଂ ସେଥିପାଇଁ ସେମାନଙ୍କୁ ସର୍ବଭାରତୀୟ ସ୍ତରର ପ୍ରତିଯୋଗୀତାକୁ ସମ୍ମୁଖୀନ ହେବାଭଳି ସ୍ପର୍ଦ୍ଧା ରଖିବା ଆବଶ୍ୟକ, ଯାହା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ମିଳିବା ଅସମ୍ଭବ, ତେଣୁ ଆମ ସନ୍ତାନମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ନ୍ତି୤

ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିବା ଦ୍ବାରା କେହି ଇଂରାଜୀ ହୋଇ ଯାଆନ୍ତି ନାହିଁ୤ କାରଣ ଆମେ ଜନ୍ମରୁ ଓଡ଼ିଆ, ଆମ ଘରେ ଓଡ଼ିଆରେ ହିଁ କଥାଭାଷା ହୁଏ୤ ଏହା ଦ୍ବାରା ଆମେ ଓଡ଼ିଆ ଭାଷାକୁ ଅବହେଳା କରୁନାହୁଁ୤ ହଁ କିନ୍ତୁ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ମାନେ ଓଡ଼ିଆ ଭାଷାକୁ କେତେ ସମ୍ମାନ ଦିଅନ୍ତି ତାହା ଆପଣ ନିଜେ ଦେଖିଲେ ଜାଣିପାରିବେ୤ ଆମ ସନ୍ତାନମାନେ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟ ନେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ନ୍ତି, ଓଡ଼ିଆକୁ ନ୍ୟୁନ କରି ଦେଖାଇବା ପାଇଁ ନୁହେଁ୤ ସାଂପ୍ରତିକ ସମୟରେ ସରକାରୀ / ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ହେଉଥିବା ଶିକ୍ଷାଦାନ ବ୍ୟବସ୍ଥାକୁ ଦେଖିଲେ ଆମେ ଆମ ସନ୍ତାନମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଭର୍ତ୍ତି କରିବାକୁ ଏକ ରକମ ବାଧ୍ୟ ହେଉଛୁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ୤

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା

ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା

ଏଠାରେ ପଢ଼ନ୍ତୁ !
ଇଂରାଜୀ ନବବର୍ଷକୁ ବିରୋଧ କାହିଁକି ?

ଇଂରାଜୀ ନବବର୍ଷକୁ ବିରୋଧ କାହିଁକି ?

ଏଠାରେ ପଢ଼ନ୍ତୁ !