favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ନେଟ୍ ନ୍ୟୁଟ୍ରାଲିଟି : ସମସ୍ତଙ୍କ ପାଇଁ ସମାନ ଇଣ୍ଟରନେଟ୍ ବ୍ୟବସ୍ଥା

ନେଟ୍ ନ୍ୟୁଟ୍ରାଲିଟି : ସମସ୍ତଙ୍କ ପାଇଁ ସମାନ ଇଣ୍ଟରନେଟ୍ ବ୍ୟବସ୍ଥା

ମନେ କରନ୍ତୁ ଆପଣ ନିଜ ଘରେ ବସିଛନ୍ତି ଆଉ ପ୍ରତିଦିନ ସକାଳେ ଗାଇକ୍ଷୀର ନେଇ ଆସୁଥିବା ଲୋକଟା କହୁଛି ଆଜିଠୁ କ୍ଷୀର ଦର ବଢ଼ିବ୤ ଯଦି ଆପଣ ଏଇ କ୍ଷୀରରେ କେବଳ ଚା କରି ପିଇବେ ତ ଲିଟର ତିରିଶି ଦେବେ, ଆଉ ଯଦି କ୍ଷୀରି କରିବେ ତ ଲିଟର ଚାଳିଶ ଦେବେ, ଆଉ ଯଦି ମିଠା ତିଆରି କରିବେ ତ ଲିଟର ପଚାଶ ଟଙ୍କା ଦେବେ !!! ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ୤ କାରଣ ଆପଣ କ୍ଷୀର କଣ କରିବେ ନ କରିବେ ସେ କଥା ସେ ତ ଜାଣିବ ନାହିଁ ? ଆରେ ମୁଁ କହିବାକୁ ଭୁଲି ଯାଉଛି, ସେ ଲୋକର ଏଜେଣ୍ଟ୍ ଆପଣଙ୍କ ଘରକୁ ବାରମ୍ବାର ଆସି ଦେଖିଯିବେ ଯେ ଆପଣ ସେ କ୍ଷୀରରେ କଣ କରୁଛନ୍ତି୤ ଏମିତି ବ୍ୟବସ୍ଥା ଆପଣଙ୍କୁ କେମିତି ଲାଗିବ ?

ଆପଣ ଇଣ୍ଟରନେଟ୍ ବ୍ୟବହାର ତ ନିଶ୍ଚୟ କରୁଛନ୍ତି, ନ ହେଲେ ଏହି ଲେଖାକୁ ପଢ଼ି ପାରିନଥାନ୍ତେ୤ କେଉଁ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ? ବ୍ରଡ଼ବ୍ୟାଣ୍ଡ, ନା ଡୋଙ୍ଗଲ୍, ନା ମୋବାଇଲ୍ ? ପ୍ରତି ମାସରେ ଏକ ନିର୍ଦ୍ଧାରିତ ଅର୍ଥ ଦେଉଥିବେ୤ ନେଟ୍ ପ୍ୟାକ୍ ବୋଲି ମଧ୍ୟ କହିପାରନ୍ତି୤ ପ୍ରାୟତଃ ଶହେରୁ ଆରମ୍ଭ କରି ଅଧିକ ଦାମର ନେଟପ୍ୟାକ୍ ଉପଲବ୍‌ଧ ଅଛି୤ ଆପଣ ନେଟ୍ ପ୍ୟାକ୍ ପକାଇ କେହି କେହି ଫେସବୁକ୍ କରୁଛନ୍ତି ତ କିଏ ଟ୍ବିଟର ପୁଣି କିଏ ହ୍ବାଟସ୍ ଆପ୍୤ ଏବେ ମନେ କରନ୍ତୁ ଆସନ୍ତା ମାସରେ ଆପଣ ନେଟ ପ୍ୟାକ୍ ପକାଇବାକୁ ଗଲାବେଳେ ଦୋକାନୀ ଆପଣଙ୍କୁ କହିବ, ଏହି ସବୁ ୱେବସାଇଟ ବ୍ୟବହାର କରିବାପାଇଁ ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ ତା ହେଲେ ଆପଣ କଣ କରିବେ ?

ଡିସେମ୍ବର ୨୦୧୪ରେ ଗୋଟିଏ ବେସରକାରୀ ସଂସ୍ଥା ଏୟାରଟେଲ୍ ନିଜର ଡାଟା ସର୍ଭିସ୍ ଦରରେ ପରିବର୍ତ୍ତନ କରି କହିଥିଲା ଯେ, ଯେଉଁମାନେ ଏୟାରଟେଲ୍ ଇଣ୍ଟରନେଟ୍ ବ୍ୟବହାର କରି ସ୍କାଇପେ ମାଧ୍ୟମରେ କଲ୍ କରୁଛନ୍ତି ସେମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ୤ ଏହାପରେ ଏହାକୁ ବିରୋଧ କରି କିଛି ଲୋକ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ୤ ସ୍ବାଭାବିକ କଥା, ଆମକୁ ଦରକାର ଇଣ୍ଟରନେଟ୍ ସେବା, ଆମେ ସେଥିରେ ଫେସବୁକ କରୁ କି ହ୍ବାଟସଆପ୍ ସେଥିରେ କମ୍ପାନୀ ମୁଣ୍ଡଖେଳାଇବା ଉଚିତ ନୁହେଁ୤ ଭାରତୀୟ ଗଣତନ୍ତ୍ରରେ ସ୍ବାଧୀନ ମତବ୍ୟକ୍ତ କରିବାର ଯେମିତି ଅଧିକାର ଅଛି, ସେହିପରି ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଦେଶରେ ଆଇଟି କ୍ଷେତ୍ରରେ କ୍ରାନ୍ତି ଆଣିବାକଥା କହୁଥିବା ବେଳେ ଏହିପରି ବ୍ୟବସ୍ଥା ଦ୍ବାରା ନିଶ୍ଚୟ ଭାବରେ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେବେ୤

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କିଛି ଇଣ୍ଟରନେଟ୍ ପ୍ରଦାନକାରୀ ସଂସ୍ଥା ବେଳେ ବେଳେ କିଛି ୱେବସାଇଟ ମାଗଣାରେ ଦେଖାଇବା ପାଇଁ ବ୍ୟବସ୍ଥା କରନ୍ତି, ଯେମିତି ରିଲାଏନ୍‌ସ ଜିଏସଏମ୍ ରେ ଶୁକ୍ରବାର ଦିନ ଫେସବୁକ ମାଗଣା ଥାଏ୤ ଏହାଦ୍ବାରା ସୁସ୍ଥ ପ୍ରତିଯୋଗୀତା ହୋଇପାରିବ ନାହିଁ୤ ଯଦି ଇଣ୍ଟରନେଟ୍ ପ୍ରଦାନକାରୀ ସଂସ୍ଥାମାନେ ବିଭିନ୍ନ ବଡ଼ ବଡ଼ ୱେବସାଇଟ ସହ ସହଯୋଗୀତା କରି ସେମାନଙ୍କ ୱେବସାଇଟର ଡାଉନଲୋଡ୍ ଗତିକୁ ବଢ଼ାଇଦେବେ, ତାହେଲେ ନୁଆ ନୁଆ ଖୋଲୁଥିବା ୱେବସାଇଟ୍ ମାନେ ଏହାଦ୍ବାରା ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହେବେ୤ କିଛି ସଂସ୍ଥା ଏହିପରି ବଡ଼ ବଡ଼ ୱେବସାଇଟ ମାନଙ୍କ ଠାରୁ ଶୁଳ୍କନେଇ ସେମାନଙ୍କ ସେବାକୁ ମାଗଣା କରିବାର ମସୁଧା ବି କରୁଛନ୍ତି, ଏହା ଦ୍ବାରା ମଧ୍ୟ ସାନ ସାନ ୱେବସାଇଟ୍ ମାନଙ୍କ ଲୋକପ୍ରିୟତା ଉପରେ ପ୍ରଭାବ ପଡ଼ିବ୤

ଆମେରିକାରେ ୨୦୦୨ ମସିହାରୁ ଏହି ବିଷୟ ଉପରେ ଚର୍ଚ୍ଚା ଜାରୀ ରହିବା ପରେ ସେହି ଦେଶର ସର୍କାର ନିଷ୍ପତ୍ତି ନେଇଥିଲେ ଯେ କୌଣସି ଇଣ୍ଟରନେଟ୍ ପ୍ରଦାନକାରୀ ସଂସ୍ଥା କୌଣସି ୱେବସାଇଟକୁ ଅଧିକ, କମ କିମ୍ବା ଶୂନ୍ୟ ଗତିଶୀଳ କରିପାରିବ ନାହିଁ୤ ଏହା ଫଳରେ ସମସ୍ତଙ୍କୁ ସମାନ ଭାବରେ ଦେଖିବା ସୁଯୋଗ ମିଳିବ୤

ଭାରତରେ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ବାରା ଅପ୍ରେଲ ୨୪ ତାରିଖରେ ସୁପ୍ରିମ କୋର୍ଟରେ ଏହି ବାବଦରେ ଏକ ଦସ୍ତାବେଜ ଉପସ୍ଥାପନ କରିବେ ଏବଂ ସେଥିପାଇଁ ସେ ସର୍ବସାଧାରଣଙ୍କ ମତ ଲୋଡ଼ିଥିଲେ୤ ଅନ୍ୟୁନ ସାଢ଼େ ଛଅ ଲକ୍ଷ ଇମେଲ୍ ବର୍ତ୍ତମାନ ସୁଦ୍ଧା ଟ୍ରାଇ ପାଖରେ ପହଞ୍ଚିସାରିଲାଣି୤

ନେଟ୍ ନ୍ୟୁଟ୍ରାଲିଟି କଣ ?

ମନେକରନ୍ତୁ ଆପଣ ମୋବାଇଲ୍ ଫୋନରେ କାହାକୁ ଫୋନ କରୁଛନ୍ତି୤ ସେ ଆପଣଙ୍କ ବନ୍ଧୁ ହୋଇପାରନ୍ତି, ଶତ୍ରୁ ହୋଇପାରନ୍ତି, ବସଷ୍ଟାଣ୍ଡ, ହସପିଟାଲ୍, ସିନେମା ହଲ୍, ରେସ୍ତୋରାଂ, ଯାହା ବି ହେଉ ଆପଣ କଲ୍ କରିପାରୁଛନ୍ତି୤ ଆପଣଙ୍କ କଲକୁ କେବେ ବି ବନ୍ଦ କରାଯାଇପାରେନି୤ କାରଣ ମୋବାଇଲ୍ ଫୋନର ମାଲିକ ଆପଣ ଆଉ କଲ୍ କରିବାପାଇଁ ନିର୍ଦ୍ଧାରିତ ଶୁଳ୍କ ଦେଉଛନ୍ତି ମଧ୍ୟ୤ ଏହାକୁ କୁହାଯାଏ ନ୍ୟୁଟ୍ରାଲିଟି୤ ନୂଆ ଇଣ୍ଟରନେଟ୍ ବ୍ୟବସ୍ଥା ଯେତେବେଳେ କାର୍ଯ୍ୟକାରୀ ହୋଇଥିବା ବିଗତ ଶତାବ୍ଦୀର ଅଶି ଦଶକରେ ସେତେବେଳେ ଇଣ୍ଟରନେଟ୍ ସେବା ଯୋଗାଇ ଦେଉଥିବା କମ୍ପାନୀମାନେ ଟେଲିଫୋନ କମ୍ପାନୀ ଭଳି କୌଣସି ପ୍ରକାର ଦେଖରେଖ କରୁନଥିଲେ୤ ଯେ କୌଣସି ବ୍ୟକ୍ତି ଅର୍ଥ ବିନିମୟରେ ଇଣ୍ଟରନେଟ୍ ସେବା ପାଉଥିଲା୤ ଯେତେଦୁର ସମ୍ଭବ ଅନୈତିକ ବା ବେଆଇନ୍ ୱେବସାଇଟ୍ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ କୌଣସି ୱେବ୍ସାଇଟକୁ ଏହି ସଂସ୍ଥାମାନେ ଗୁରୁତ୍ତ୍ବ ଦେଉନଥିଲେ୤ ବର୍ତ୍ତମାନ ଆପଣ ଉପଭୋଗ କରୁଥିବା ଇଣ୍ଟରନେଟ ବ୍ୟବସ୍ଥାକୁ ଆପଣ ନେଟ୍ ନ୍ୟୁଟ୍ରାଲିଟି ବ୍ୟବସ୍ଥା ବୋଲି କହିପାରିବେ୤

Net Neutrality


ହେଲେ ଭାରତରେ ଏୟାରଟେଲ୍, ଭୋଡ଼ାଫୋନ୍ ପରି ସଂସ୍ଥାମାନେ ହ୍ବାଟସଆପ୍, ଫେସବୁକ୍ ଓ ସ୍କାଇପେ ବ୍ୟବହାର କରି ଫୋନ କରୁଥିବା ଲୋକଙ୍କ ଉପରେ ଅଧିକ ଶୁଳ୍କ ଦାବୀ କରିବାପରେ ନେଟ୍ ନ୍ୟୁଟ୍ରାଲିଟିକୁ ନେଇ ପ୍ରଶ୍ନ ଉଠିଥିଲା୤

ବର୍ତ୍ତମାନ ବି ଭାରତର ଏକ ବଡ଼ ଭାଗ ଲୋକ ଇଣ୍ଟରନେଟ୍ କଣ ଜାଣିନାହାନ୍ତି୤ ଦେଶରେ ସର୍ବାଧିକ ୨ ଏମବିପିଏସ୍ ଗତିରେ ହିଁ ଇଣ୍ଟରନେଟ୍ ସେବା ଉପଲବଧ ରହିଛି୤ ଏହିପରି ସମୟରେ ଇଣ୍ଟରନେଟ ସେବା ଯୋଗାଇଦେବାର ଭିତ୍ତିଭୂମି ସୃଷ୍ଟି ନ କରି, ବିଭିନ୍ନ ସେବାପାଇଁ ଅଧିକ ଅର୍ଥ ଦାବୀ କରିବା ସମ୍ପୂର୍ଣ୍ଣ ଭାବେ ଅନୈତିକ ବୋଲି ଆମେ ମନେ କରୁ୤ ଯଦି ଆପଣ ବି ଏହିପରି ଭାବୁଥାନ୍ତି, ତା’ହେଲେ ଏହି ବିଷୟରେ ନିଜ ମତବ୍ୟକ୍ତ କରିବା ସମୟ ଆସିଛି୤ ଆଜି ହିଁ ଏହାର ବିରୋଧ କରନ୍ତୁ୤ ନଚେତ୍ ପରେ ନେଟ୍ ପ୍ୟାକର ମୂଲ୍ୟ ବୃଦ୍ଧି ହୋଇପାରେ ଆଉ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ଖସିଯାଇଥିବା ଅବସ୍ଥା ହୋଇଯିବ୤

Visit the site http://www.savetheinternet.in and support this.

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପବିତ୍ର ଅକ୍ଷୟ ତୃତୀୟାର ଅଭିନନ୍ଦନ

ପବିତ୍ର ଅକ୍ଷୟ ତୃତୀୟାର ଅଭିନନ୍ଦନ

ଏଠାରେ ପଢ଼ନ୍ତୁ !
ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ

ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ

ଏଠାରେ ପଢ଼ନ୍ତୁ !