favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା

ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା

ପଖାଳ ଓଡ଼ିଆମାନଙ୍କ ଅତି ପ୍ରିୟ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ୤ ଖରାଦିନ ଆସିବା ପୂର୍ବରୁ ଅନେକ ଘରମାନଙ୍କରେ ପଖାଳର ବ୍ୟବହାର ବୃଦ୍ଧିପାଇଥାଏ୤ ସାଧାରଣତଃ ଭାତକୁ ପାଣିରେ ପକାଇ ଖାଇବାର ବିଧିକୁ ପଖାଳ ବୋଲି କୁହାଯାଏ, କିନ୍ତୁ ଏହାର ଭିନ୍ନ ଭିନ୍ନ ପ୍ରକାର ବି ରହିଛି, ଏବଂ ଓଡ଼ିଶା ସମେତ ପୂର୍ବୋତ୍ତର ରାଜ୍ୟସମୁହ ଯଥା ପଶ୍ଚିମ ବଙ୍ଗ, ଆସାମ, ଏବଂ ଛତିଶଗଡ଼ରେ ମଧ୍ୟ ପଖାଳ ଖିଆଯାଉଥିବାର ଉଦାହରଣ ରହିଛି୤ ଏହା ବ୍ୟତୀତ ଭାରତ ବାହାରେ ନେପାଳ ଏବଂ ବଙ୍ଗଳାଦେଶରେ ମଧ୍ୟ ପଖାଳର ଚାହିଦା ରହିଛି୤



ପଖାଳର ଲୋକପ୍ରିୟତାକୁ ଦେଖି କିଛି ଉତ୍ସାହୀ ଓଡ଼ିଆଙ୍କ ଆହ୍ବାନରେ ପ୍ରତିବର୍ଷ ମାର୍ଚ୍ଚମାସ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରାଯାଉଛି୤ ପଖାଳର ଆକ୍ଷରିକ ଅର୍ଥ ସଂସ୍କୃତ ଶବ୍ଦ ପ୍ରକ୍ଷାଳନ ବା ଓଡ଼ିଆ ଶବ୍ଦ ପଖାଳିବା (ଧୋଇବା) ରୁ ଅଣାଯାଇଥିବା କୁହାଯାଏ୤ ଅର୍ଜୁନ ଦାସ ( ୧୫୨୦ - ୧୫୩୦ ଖ୍ରୀଷ୍ଟାବ୍ଦ ) ଙ୍କ କବିତା ସଂଗ୍ରହ କଳ୍ପଲତାରେ ଏହାର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି୤ ସଠିକ ଭାବରେ କୁହାଯାଇ ପାରିବନାହିଁ ଯେ ପଖାଳ କେବେ ଆଉ କେମିତି ଓଡ଼ିଆ ମାନଙ୍କ ଖାଦ୍ୟରେ ସଂପୃକ୍ତ ହୋଇଥିଲା୤ କିନ୍ତୁ ଏହା ପୁରୀ ଶ୍ରୀ ଜଗନ୍ନାଥଙ୍କ ଭୋଗରେ ଲାଗୁଥିବା କଥା ଆମେ ଇତିହାସରୁ ଜାଣିବାକୁ ପାଉ୤ ଦକ୍ଷିଣପୂର୍ବ ଏସିଆର ସମସ୍ତ ଦେଶ ବିଶେଷତଃ ଧାନ ଅମଳ ଉପରେ ନିର୍ଭର କରନ୍ତି ଏବଂ ଭାତର ବ୍ୟବହାର ସମସ୍ତ ଦେଶରେ ଦେଖାଯାଏ୤ ହୁଏତ ବାସି ଭାତକୁ ଆଗାମୀ ଦିନରେ ଖାଇବା ଯୋଗ୍ୟ କରି ରଖିବାପାଇଁ ସେଥିରେ ପାଣିଦେଇ ରଖିବା ପରଠାରୁ ପଖାଳ ଖାଇବାର ଆରମ୍ଭ ହୋଇଥାଇପାରେ ବୋଲି ଆମେ ଅନୁମାନ କରୁ୤



ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ବହୁତ ସହଜ୤ ଯଦି ଆପଣ ସଜ ପଖାଳ ଖାଇବାକୁ ଚାହାନ୍ତି, ତେବେ ଗରମ ଭାତକୁ କଂସାରେ ନେଇ ସେଥିରେ ପାଣି ପକାଇ ଆବଶ୍ୟକ ଅନୁସାରେ ଲୁଣ ଏବଂ ଲେମ୍ବୁ କିମ୍ବା ଦହି ପକାଇ ଖାଇପାରିବେ୤ ଆଉ ଯଦି ବାସିପଖାଳ ଖାଉଥାନ୍ତି, ତେବେ ବାସି ଭାତରେ ଦହି କିମ୍ବା ଅନ୍ୟ ସାମଗ୍ରୀ ମିଶେଇ ଖାଇ ପାରିବେ୤

ପଖାଳରେ ପୁଣି ବିବିଧତା ଦେଖାଦେଉଛି୤ ଅନେକ ପ୍ରକାରର ପଖାଳ ଦେଖିବାକୁ ମିଳିଲାଣି୤ ଖରାଦିନମାନଙ୍କରେ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ବିଭିନ୍ନ ହୋଟେଲ ଏବଂ ଭୁବନେଶ୍ବରର କିଛି ତାରକା ହୋଟେଲରେ ମଧ୍ୟ ପଖାଳ ମିଳୁଥିବା କଥା ଆମେ ଜାଣିବାକୁ ପାଇଲୁଣି୤ ବ୍ରହ୍ମପୁର ସହରରେ ବିଭିନ୍ନ ହୋଟେଲ ସାମନାରେ ପଖାଳ ମିଳୁଥିବା କଥା ସେମାନେ ଉଲ୍ଲେଖ କରିଛନ୍ତି୤ ମାତ୍ର ପନ୍ଦରରୁ କୋଡ଼ିଏ ଟଙ୍କାରେ ପଖାଳ ଖାଇବାକୁ ମିଳୁଛି୤

ପଖାଳର ପ୍ରକାର :
୧. ସଜ ପଖାଳ : ଗରମଭାତରେ ପାଣିଦେଇ ଆପଣ ଖାଇପାରିବେ୤
୨. ବାସି ପଖାଳ : ବିଗତ ରାତ୍ରୀର ବଳକା ଭାତକୁ ତୋରାଣୀ କିମ୍ବା ପାଣିଦେଇ ରଖି ଖାଇପାରିବେ୤
୩. ଦହି ପଖାଳ : ସଜ ହେଉ ବା ବାସି ପଖାଳ କଂସାରେ ଦହି ଏବଂ ଫୁଟଣ ଦେଇ ଆପଣ ଖାଇପାରିବେ୤
୪. ଜୀରା ପଖାଳ : ପଖାଳରେ ଜୀରାକୁ ଭାଜି, ଭୃସଙ୍ଗପତ୍ର ପକେଇ ଖାଇବେ୤

ପଖାଳ ସହିତ ଶାଗଭଜା, ବଡ଼ିଚୁରା, ମାଛ ଭଜା, ଶୁଖୁଆ ପୋଡ଼ା/ଭଜା, ଆଳୁ ଭର୍ତ୍ତା, ବାଇଗଣ / ପୋଟଳ / ଜହ୍ନି / ଭେଣ୍ଡି ପୋଡ଼ା, ତରକାରୀ ଆଦି ଖାଇବାକୁ ଦିଆଯାଏ୤ କିଛି ଲୋକ ପଖାଳରେ କଞ୍ଚା ମରିଚ ଭାଙ୍ଗି ପକାନ୍ତି ଆଉ ଖାଆନ୍ତି୤ ବେଳେ ବେଳେ ଦେଶୀ / ଉଲି (ସାନ) ପିଆଜ ବି ପଖାଳରେ ଖିଆଯାଏ୤ ପଖାଳ ଖାଇଦେଇ ତୋରାଣିକୁ ପିଇଦେଲେ, ଅତ୍ୟନ୍ତ ଶାନ୍ତି ମିଳେ ଏବଂ ଅନେକ ସମୟରେ ନିଦ ବି ଲାଗିଥାଏ୤

ପଖାଳ ଖାଇବା ଦ୍ବାରା ଅନେକ ଲାଭ ବି ହୁଏ୤ ଯେମିତି ବଳକା ଥିବା ଭାତ ନଷ୍ଟ ହୁଏନାହିଁ୤ ସାଧାରଣତଃ ଅନେକ ଘର ମାନଙ୍କରେ ମହିଳାମାନେ ପଖାଳକୁ ବାଧ୍ୟତାମୂଳକ ଭାବେ ଖାଇଥାନ୍ତି, ଅନ୍ନ୍ ନଷ୍ଟ ନକରିବା ପାଇଁ୤ ଯେହେତୁ ଭାତକୁ ପାଣିରେ ବୁଡ଼ାଇ ରଖାଯାଏ ତେଣୁ ଭାତରେ ଥିବା ଅନେକ ପୁଷ୍ଟିକର ତତ୍ତ୍ବ ତୋରାଣୀରେ ରହିଯାଏ, ତେଣୁ ତାହା ସ୍ବାସ୍ଥ୍ୟପାଇଁ ଲାଭଜନକ୤ କିଛି ଲୋକ କହନ୍ତି ଓଜନ ବଢ଼େଇବାପାଇଁ ତୋରାଣି ପିଇବା ଏହ ଭଲ ଉପାୟ୤ ଆଉ ଖରାଦିନମାନଙ୍କରେ ବିଶେଷତଃ ଆମ ରାଜ୍ୟର ତାପମାତ୍ରା ବହୁତ ଅଧିକ ହେଉଥିବା ଯୋଗୁଁ, ଦେହରୁ ଝାଳରେ ଚାଲିଯାଉଥିବା ଜଳୀୟ ଅଂଶକୁ ବହୁମାତ୍ରାରେ ସଞ୍ଚୟ କରିହେଉ୤ ତେଣୁ ଖରାଦିନିଆ ପାଗରେ ପଖାଳ ଖାଇଲେ ଅଂଶୁଘାତ ଜନିତ ସମସ୍ୟା ହୁଏ ନାହିଁ୤ ତରଳ ଝାଡ଼ା ହେଉଥିଲେ କିମ୍ବା ପେଟ ଗରମ ହୋଇଥିଲେ ପଖାଳ ଖାଇବା ଦ୍ବାରା ସମସ୍ୟାର ସମାଧାନ ହୋଇପାରେ୤

ତା ହେଲେ ଆସନ୍ତୁ ଆମେ ସମସ୍ତେ ପାଳିବା ବିଶ୍ବ ପଖାଳ ଦିବସ୤ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇଦେଇ ଏହି ଦିନକୁ ପାଳନ କରନ୍ତୁ ଏବଂ ନିଜ ଛବି କ୍ୟାମେରା କିମ୍ବା ମୋବାଇଲରେ ଉଠାଇ ଆମ ନିକଟକୁ ପଠାନ୍ତୁ୤ ଆମେ ସେ ସବୁକୁ ନେଇ ଏକ ବିଶେଷ ଆଲେଖ୍ୟ ପ୍ରସ୍ତୁତ କରିବୁ୤

ବିଶ୍ବ ପଖାଳ ଦିବସର ଅନେକ ଅଭିନନ୍ଦନ୤

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Send your Photos to < aahwaan@gmail.com > for publication in this blog and we will acknowledge the contributors.

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଜନ୍ମତାରିଖରୁ ବ୍ୟକ୍ତିତ୍ବ ବିଷୟରେ ଜାଣନ୍ତୁ

ଜନ୍ମତାରିଖରୁ ବ୍ୟକ୍ତିତ୍ବ ବିଷୟରେ ଜାଣନ୍ତୁ

ଏଠାରେ ପଢ଼ନ୍ତୁ !
ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ

ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ

ଏଠାରେ ପଢ଼ନ୍ତୁ !