favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆତଙ୍କର ଅନ୍ୟନାମ ସ୍ବାଇନ୍ ଫ୍ଲୁ!!!

ଆତଙ୍କର ଅନ୍ୟନାମ ସ୍ବାଇନ୍ ଫ୍ଲୁ!!!

ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ ବଲିଉଡ଼ର ଅଭିନେତ୍ରୀ ସୋନମ୍ କପୁର ଏବଂ ଅଭିନେତା ସଲମାନ୍ ଖାନ୍ ଗୁଜୁରାତରେ କୌଣସି ଚଳଚ୍ଚିତ୍ରର ସୁଟିଂ କରୁଥିବା ସମୟରେ ସ୍ବାଇନ୍ ଫ୍ଲୁ ନାମକ ରୋଗର ଶୀକାର ହୋଇଛନ୍ତି୤ ସୂଚନାଯୋଗ୍ୟ ଯେ ଏହି ରୋଗ ବର୍ତ୍ତମାନ ସମଗ୍ର ଦେଶକୁ ନିଜ କବଳରେ ନେଇ ସାରିଲାଣି୤ କେବଳ ଗୁଜୁରାତରେ ହିଁ ଶତାଧିକ ଲୋକ ଏହି ରୋଗ ହେତୁ ପ୍ରାଣ ହରେଇ ସାରିଲେଣି୤

ସଂପ୍ରତି ଏହି ରୋଗ ଓଡ଼ିଶାରେ ଦେଖା ଦେଇଛି୤ ଏବଂ ଆମେ ଏହି ଲେଖା ଲେଖିବା ବେଳକୁ କିଛି ରୋଗୀ ଏହି ରୋଗରେ ପ୍ରାଣ ହରେଇ ସାରିଛନ୍ତି୤ କିନ୍ତୁ ଏହି ରୋଗ କଣ? ଏହା କାହିଁକି ହୁଏ ? କେମିତି ହୁଏ ? କାହାକୁ ହୁଏ ? ଏହି ସବୁ ବିଷୟରେ ସମସ୍ତେ ଅଜ୍ଞାନ୤ ତେଣୁ ଆପଣଙ୍କ ସୂଚନା ନିମିତ୍ତ ଏହି କ୍ଷୁଦ୍ର ସୂଚନା ଆଲେଖ୍ୟ ପ୍ରସ୍ତୁତ କରୁଛି୤ ଆଶା କରୁଛି ଆପଣ ମାନେ ଏହାକୁ ପଢ଼ିବା ପରେ ନିଜକୁ ତଥା ନିଜ ପରିବାର ଏବଂ ସମାଜକୁ ସ୍ବାଇନ ଫ୍ଲୁ ପରି ଦୁରାରୋଗ୍ୟ ବ୍ୟାଧିଠାରୁ ବଞ୍ଚେଇ ପାରିବେ୤ ପ୍ରଶ୍ନୋତ୍ତର ମାଧ୍ୟମରେ ଏହି ବିଷୟରେ ବିଶେଷ ବିବରଣୀ ଦେଉଛି୤

ସ୍ବାଇନ୍ ଫ୍ଲୁ କଣ ?


ସ୍ବାଇନ୍ ଫ୍ଲୁ ଏକ ଶ୍ବାସନଳୀ ସଂକ୍ରମଣ ଜନିତ ରୋଗ୤ ଯାହା କି ସାଧାରଣତଃ ଭୂତାଣୁ (Virus) ଦ୍ବାରା ବ୍ୟାପୀଥାଏ୤ ଏହି ରୋଗ ପ୍ରକୃତରେ ଘୁଷୁରୀ ଜାତୀୟ ପ୍ରାଣୀମାନଙ୍କ ଠାରେ ଦେଖାଦେଇଥାଏ୤ ଏହି ରୋଗାକ୍ରାନ୍ତ ଘୁଷୁରୀମାନଙ୍କ ନାକରୁ ଅନବରତ ପାଣି ବହୁଥାଏ, କାଶ, କଫ, ଦୁର୍ବଳତା, ତରଳଝାଡ଼ା ଏବଂ ଆହାର ନେବାରେ ଅନିଚ୍ଛା ପରି ଲକ୍ଷଣ ଦେଖାଦେଇଥାଏ୤

କେଉଁ ଭୂତାଣୁ ସ୍ବାଇନ୍ ଫ୍ଲୁ ରୋଗ କରାଏ?

ମୁଖ୍ୟତଃ ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭୂତାଣୁ (RNA Virus), ଯାହା ଇନ୍‌ଫ୍ଲୁଏଞ୍ଜା ସି ଏବଂ ଏ ଶ୍ରେଣୀର ହୋଇଥାଏ୤ ଏହି ସବୁ ଭୂତାଣୁ H1N1, H1N2, H2N3, H2N1 ଏବଂ H3N2 ଶ୍ରେଣୀର ହୋଇଥାନ୍ତି୤

ଯଦି ଏହା ଘୁଷୁରୀମାନଙ୍କ ରୋଗ ତାହେଲେ ମନୁଷ୍ୟମାନଙ୍କୁ କିପରି ହୁଏ ?


ଏହି ରୋଗ ଆଗରୁ କେବଳ ସେଇମାନଙ୍କୁ ହେଉଥିଲା ଯେଉଁମାନେ ଘୁଷୁରୀମାନଙ୍କ ସିଧା ସଂସ୍ପର୍ଶରେ ଆସୁଥିଲେ କିମ୍ବା ଯେଉଁମାନେ ଘୁଷୁରୀ କାଟୁଥିଲେ, ଏବଂ ସମ୍ଭବତଃ ସେଇ ମାନଙ୍କଠାରୁ ଏହା ଏବେ ଅନ୍ୟମାନଙ୍କୁ ହେଉଛି୤ ଯେହେତୁ ଏହା ଶ୍ବାସନଳୀ ସଂକ୍ରମଣ, ତେଣୁ ଏହା ହେବାର ସୁଯୋଗ ଅଧିକ ଅଛି୤

ସ୍ବାଇନ୍ ଫ୍ଲୁ ରୋଗର ମୁଖ୍ୟ ଲକ୍ଷଣ ସବୁ କଣ ?

ଫ୍ଲୁ ବା ଥଣ୍ଡାଜ୍ବର ପରି ସମସ୍ତ ଲକ୍ଷଣ ଦେଖାଯାଏ୤ ନାକରୁ ପାଣି ବହିବା, ଗଳା କାଟିବା, କାଶ ଓ କଫ, ଦୁର୍ବଳତା, ଜ୍ବର, ତରଳ ଝାଡ଼ା, ଏବଂ ଆହାର ନେବାରେ ଅନିଚ୍ଛା୤ ସାଧାରଣତଃ ଏହାକୁ ଆମେ ଥଣ୍ଡାଜ୍ବର, ଟାଇଫଏଡ୍ କିମ୍ବା ନିମୋନିଆ ବୋଲି ଧରିନେଇଥାଉ୤

ଜଣେ ରୋଗୀକୁ ସ୍ବାଇନ୍ ଫ୍ଲୁ ହୋଇଛି ବୋଲି କିପରି ଜାଣିବା?


ସ୍ବାଇନ୍ ଫ୍ଲୁ ହୋଇଥିବାର ସନ୍ଦେହ ହେଲେ ରୋଗୀର ନାକ ଏବଂ ଗଳାର ସଂକ୍ରମିତ ଲାଳକୁ ସଂଗ୍ରହ କରି ପରୀକ୍ଷା କରାଯାଇପାରେ୤ ଏହି ପରୀକ୍ଷା ରାଜ୍ୟର ସମସ୍ତ ମେଡ଼ିକାଲ୍ କଲେଜରେ ଉପଲବ୍ଧ ଅଛି୤ ଏହା ବ୍ୟତୀତ ଏହା ଆଞ୍ଚଳିକ ପରୀକ୍ଷଣ କେନ୍ଦ୍ର କିମ୍ବା ଜାତୀୟ ପରୀକ୍ଷଣ କେନ୍ଦ୍ରକୁ ମଧ୍ୟ ପଠାଇ ହେବ୤

ସ୍ବାଇନ୍ ଫ୍ଲୁ ପାଇଁ କେଉଁପ୍ରକାର ଚିକିତ୍ସା ଉପଲବ୍‌ଧ ?


ସରକାରୀ ସ୍ତରରେ ଏହି ରୋଗର ଏକ ପ୍ରଭାବଶାଳୀ ଔଷଧ ଟାମିଫ୍ଲୁ (Tamiflu / Oseltamivir) ନିଃଶୁଳ୍କ ଉପଲବ୍‌ଧ ଅଛି୤ ଏହା ସ୍ବାଇନ୍ ଫ୍ଲୁ ରୋଗୀ ଏବଂ ତାଙ୍କ ପାଖରେ ରହୁଥିବା ସମସ୍ତ ଲୋକଙ୍କୁ ଦିଆଯାଏ୤ ଶିଶୁମାନଙ୍କ ପାଇଁ ରେଲେଞ୍ଜା (Relenza / Zanamavir) ନାମକ ଔଷଧ ମଧ୍ୟ ଅଛି୤ ଏହାକୁ ନାକରେ ଡ୍ରପ୍ ଆକାରରେ ବ୍ୟବହାର କରାଯାଏ୤ ସ୍ବାଇନ୍ ଫ୍ଲୁ ହେଉଥିବା ସମୟରେ ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର ୱାର୍ଡ୍ ଖୋଲାଯାଇଥାଏ୤ ଯେଉଁଠାରେ ଏହି ପ୍ରକାରର ରୋଗୀଙ୍କୁ ରଖାଯାଏ ଏବଂ ଅଭିଜ୍ଞ ଚିକିତ୍ସକ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଦ୍ବାରା ଚିକିତ୍ସା କରାଯାଏ୤

କେଉଁମାନେ ସ୍ବାଇନ୍ ଫ୍ଲୁର ଶୀକାର ହୋଇପାରନ୍ତି ?

ପାଞ୍ଚବର୍ଷରୁ କମ ବୟସର ଶିଶୁ, ବୃଦ୍ଧବୃଦ୍ଧା, ରୋଗପ୍ରତିଷେଧକ ଶକ୍ତି କମଥିବା ବ୍ୟକ୍ତି (ଯକ୍ଷ୍ମାରୋଗୀ / ଏଡ଼୍‌ସ ରୋଗୀ), ସ୍ବାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ଫାର୍ମାସିଷ୍ଟ ଏବଂ ସେବିକା, ନର୍ସିଂ ହୋମରେ ରହୁଥିବା ଲୋକ, ରୋଗୀଙ୍କ ନିକଟ ପରିଜନ ଇତ୍ୟାଦି ଲୋକମାନେ ଏହି ରୋଗ ସଂକ୍ରମଣ ହେବାରେ ଅଧିକ ସୁଯୋଗ ରହିଛି୤

ସ୍ବାଇନ୍ ଫ୍ଲୁ ର ପ୍ରତିକାର ପାଇଁ କୌଣସି ଟୀକାକରଣ ବ୍ୟବସ୍ଥା ରହିଛି କି ?


ହଁ, H1N1 ଶ୍ରେଣୀର ଭୂତାଣୁ ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି୤ ଏହା ଉଭୟ ସରକାରୀ ଏବଂ ବେସରକାରୀ ଭାବରେ ଉପଲବ୍‌ଧ୤ ଏହି ଟୀକା କେବଳ H1N1 ଶ୍ରେଣୀର ଭୂତାଣୁ ଜନିତ ସ୍ବାଇନ୍ ଫ୍ଲୁରୁ ଆପଣଙ୍କୁ ରକ୍ଷା କରିପାରେ୤ କିନ୍ତୁ ସ୍ବାଇନ୍ ଫ୍ଲୁ ହେବାପାଇଁ ଅନେକ ଅନ୍ୟାନ୍ୟ ଭୂତାଣୁ ରହିଥିବାରୁ ଏହା ଶତପ୍ରତିଶତ ସୁରକ୍ଷା ଯୋଗାଇଦେବ କି ନାହିଁ ତାହା କହିବା ଅସମ୍ଭବ୤

ନିଜକୁ ସ୍ବାଇନ୍ ଫ୍ଲୁଠାରୁ ଦୂରରେ ରଖିବା ପାଇଁ ଆଉ କଣ ବ୍ୟବସ୍ଥା କରିହେବ ?

Swine Flu prevention
ସାମାନ୍ୟ ସାବଧାନତା ଦ୍ବାରା ଏହା ସମ୍ଭବ୤ ଯେମିତି ମୁହଁରେ ମାସ୍କ୍ ପିନ୍ଧିବା, ହାତକୁ ସାବୁନପାଣିରେ ଧୋଇବା, କିମ୍ବା ସ୍ପିରିଟରେ ଧୋଇବା, କାଶୁଥିବା ଲୋକଙ୍କ ଠାରୁ ଦୂରରେ ରହିବା, ଜନଗହଳି ସ୍ଥାନଠାରୁ ଦୂରରେ ରହିବା ଇତ୍ୟାଦି ଦ୍ବାରା ଆମେ ସ୍ବାଇନ୍ ଫ୍ଲୁ ଜନିତ ରୋଗଠାରୁ ରକ୍ଷା ପାଇପାରିବା୤




ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ବ୍ୟକ୍ତିଙ୍କ ଭବିଷ୍ୟତ କଣ ?


ଯଥା ଶୀଘ୍ର ଚିକିତ୍ସା କଲେ ଦୁଇ ସପ୍ତାହରେ ସ୍ବାଇନ୍ ଫ୍ଲୁ ରୋଗୀ ସମ୍ପୂର୍ଣ୍ଣ ଭାବେ ରୋଗମୁକ୍ତ ହୋଇପାରିବ୤ ବେଳେ ବେଳେ ଚିକିତ୍ସାରେ ଅବହେଳା କିମ୍ବା ବିଳମ୍ବରେ ଚିକିତ୍ସା କରିବା ଦ୍ବାରା ଦୁରାରୋଗ୍ୟ ନିମୋନିଆ ହୋଇପାରେ୤ ଏଥିପାଇଁ ସ୍ବାଇନ୍ ଫ୍ଲୁ ହୋଇଥିବାର ସନ୍ଦେହ ହେଲେ ତୁରନ୍ତ ସ୍ବାସ୍ଥ୍ୟସେବା ନେବାପାଇଁ କୁହାଯାଏ୤ ସାଧାରଣତଃ ଏହି ରୋଗରେ ମୃତ୍ୟୁହାର ଅଧିକ ନଥିଲେ ସୁଦ୍ଧା, ବିଳମ୍ବରେ ଚିକିତ୍ସା କିମ୍ବା ଚିକିତ୍ସାରେ ଅବହେଳା, କିମ୍ବା ରୋଗର ଭୁଲ ନିଦାନ ହେତୁ ରୋଗୀ ଅକାଳ ମୃତ୍ୟୁବରଣ କରିପାରେ୤

ସ୍ବାଇନ୍ ଫ୍ଲୁଠାରୁ ରକ୍ଷାପାଇବାକୁ ହେଲେ ଏହାଠାରୁ ଦୂରରେ ରହିବା ଶ୍ରେୟସ୍କର୤

Pictute Courtesy : Deccanchronicle, Times of India, IBN, etc. From Google Image Search.

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ସମ୍ବଲପୁର : ହେପାଟାଇଟିସ୍ ଏ ଏବଂ ଜଣ୍ଡିସ

ସମ୍ବଲପୁର : ହେପାଟାଇଟିସ୍ ଏ ଏବଂ ଜଣ୍ଡିସ

ଏଠାରେ ପଢ଼ନ୍ତୁ !
ହସର ଉପକାରିତା

ହସର ଉପକାରିତା

ଏଠାରେ ପଢ଼ନ୍ତୁ !