favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ହସ ଓ ଆମ ଜୀବନ

ହସ ଓ ଆମ ଜୀବନ

ଦୁଃଖ ଅନୁଭବ କରୁଛନ୍ତି କି ? କୌଣସି ଜିନିଷରେ ମନ ଲାଗୁନାହିଁ ? ଏକା ଏକା ଲାଗୁଛି ? ତା’ହେଲେ ଆପଣ ହସିବା ଜରୂରୀ୤ କାରଣ ଏହି ସବୁ ପରିସ୍ଥିତିରୁ ମୁକୁଳିବାପାଇଁ ହସଠାରୁ ଭଲ ଆଉ କୌଣସି ଔଷଧ ମୋ ଜାଣିବାରେ ନାହିଁ୤ ଅନ୍ୟ ସମସ୍ତ ଔଷଧ ଯଦିଓ ଆପଣଙ୍କ ମନକୁ ସ୍ଥିର କରିଦେଇ ପାରେ, କିନ୍ତୁ ସେ ସବୁ ଦ୍ବାରା ଯେ ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅନୁଭବ କରିବେ, ତାହାର କୌଣସି ନିଶ୍ଚିତ ଉପାୟ ନାହିଁ୤ ହସ ଆପଣଙ୍କ ମନକୁ ଖୁସି କରିଦେଇ ଆପଣଙ୍କ ଜୀବନକୁ ସଜୀବ କରିଦେଇ ପାରେ୤

ବିଖ୍ୟାତ ମନୋଚିକିତ୍ସକ ଡା ଷ୍ଟିଭ୍ ୱିଲ୍‌ସନଙ୍କ ମତରେ, ‘ଯଦି ଲୋକମାନେ ଅଧିକ ମାତ୍ରାରେ ହସିବେ ତା ହେଲେ ସେମାନେ ସମପରିମାଣରେ ସୁସ୍ଥ ବି ରହିପାରିବେ୤ ସମ୍ଭବତଃ ଏହା ଫଳରେ ଶାରୀରିକ ଅସୁସ୍ଥତା ବି ଦୂର ହୋଇପାରିବ୤’

ତଥାପି ଅନେକ ମନୋଚିକିତ୍ସକ ଗବେଷଣାରେ ବ୍ୟସ୍ତ ରହି ଜାଣିବାକୁ ଚାହିଁଛନ୍ତି ଯେ ପ୍ରକୃତରେ ହସ ଆମକୁ ଭଲ ଅନୁଭବ କରାଏ, ନା ସଂଯୁକ୍ତାତ୍ମକ ଚିନ୍ତାଧାରା, ନା ଚିତପରିଚିତ ବନ୍ଧୁବର୍ଗଙ୍କ ଉପସ୍ଥିତି? ଅନ୍ୟ ଜଣେ ମନୋବୈଜ୍ଞାନିକ ଡା ରବର୍ଟ୍ ଆର୍. ପ୍ରୋବିନ୍‌ଙ୍କ ମତରେ ଏହି ବିଷୟକୁ ନେଇ ଆହୁରି ଅଧିକ ଗବେଷଣା ହେବାର ଅଛି୤ ସେ ଯାହେଉ, ଆମେ ଭଲ ଭାବରେ ହସର ପ୍ରଭାବ କଣ ଜାଣିନଥିଲେ ବି ଏହାର ଯେ କୌଣସି ଦୁଷ୍ପ୍ରଭାବ ରହିଛି ବୋଲି କହିହେବନି୤

ହସିବା ଦ୍ବାରା କଣ ହୁଏ ?

ଆମେ ହସିବା ସମୟରେ ଆମ ଶରୀରରେ ଅନେକ କ୍ରିୟା ହୋଇଥାଏ, ଯଥା ମୁଖମଣ୍ଡଳର ମାଂସପେଶୀମାନଙ୍କ ସଙ୍କୋଚନ ଓ ପ୍ରସାରଣ, ଶାରୀରିକ ମାଂସପେଶୀମାନଙ୍କ ପ୍ରସାରଣ, ହୃତପିଣ୍ଡର ଗତିରେ ବୃଦ୍ଧି, ରକ୍ତଚାପରେ ସାମାନ୍ୟ ଅଭିବୃଦ୍ଧି, ଦୃତ ନିଃଶ୍ବାସପ୍ରଶ୍ବାସ ଏବଂ ଶରୀରର ବିଭିନ୍ନ ଜୀବକୋଷକୁ ଅଧିକ ମାତ୍ରାରେ ଅମ୍ଲଜାନର ସୁବିଧା୤
କିଛି ବୈଜ୍ଞାନିକଙ୍କ ମତରେ ହସିବା ଏକ ବ୍ୟାୟାମ ସଦୃଶ୤ ଏହାଫଳରେ କ୍ୟାଲୋରୀ ନଷ୍ଟ ହୋଇଥାଏ୤ ଡା ୱିଲ୍‌ସନଙ୍କ ମତରେ ହସିବା ଓ ବ୍ୟାୟାମ କରିବା ଏକ କଥା୤ ସେ କୁହନ୍ତି ଯେ ହସିବା ସହିତ ନିଜ ହାତ ଓ ଗୋଡ଼କୁ ପ୍ରସାର କରି ରଖିବା ଫଳରେ ହୃତପିଣ୍ଡର ଗତି ବୃଦ୍ଧିପାଇ ଶାରୀରିକ ସୁସ୍ଥତା ପାଇଁ ଉପଯୋଗୀ ହୋଇଥାଏ୤

ହସଉପରେ ହେଉଥିବା ଅନେକ ଗବେଷଣା ଓ ସନ୍ଦର୍ଭମାନଙ୍କୁ ପଢ଼ିବାପରେ ଜନୈକ ପ୍ରସିଦ୍ଧ ବୈଜ୍ଞାନିକ ୱିଲିୟମ୍ ଫ୍ରେ କହିଛନ୍ତି ଯେ, ରୋୱିଙ୍ଗ୍ ମେସିନ(ପାଦଚଲା ମେସିନ୍) ରେ ଦଶ ମିନିଟ ଚାଲିବା ପରେ ଆମ ହୃତପିଣ୍ଡର ଗତି ଯାହା ହୋଇଥାଏ ତାହା ଏକ ମିନିଟର ହସ ଦ୍ବାରା ସମ୍ଭବ ହୋଇପାରେ୤ ସେ ଗବେଷଣା ଦ୍ବାରା ଜାଣିବାକୁ ପାଇଛନ୍ତି ଯେ ଦଶରୁ ପନ୍ଦର ମିନିଟ୍ ହସିବା ଦ୍ବାରା ଅନ୍ୟୁନ ପଚାଶ କ୍ୟାଲୋରୀ ନଷ୍ଟ ହୋଇଥାଏ୤ ଏହା ଏକ ଉପାଦେୟ ସୂଚନା୤ ଯଦି ଆମେ ପ୍ରତିଦିନ ଅନ୍ୟୁନ ଅଧଘଣ୍ଟା ସ୍ବଚ୍ଛନ୍ଦ ଭାବରେ ହସିପାରିବା ତା ହେଲେ ୧୦୦-୧୫୦ କ୍ୟାଲୋରୀ ନଷ୍ଟ କରିଦେଇ ପାରିବା, ଯାହା ହୁଏତ ଶରୀର ଜମା ହୋଇଥିଲେ, ସ୍ନେହସାର (ଲିପିଡ୍) ଭାବରେ ଜମା ହୋଇ ଅନେକ ରୋଗକୁ ଆମନ୍ତ୍ରଣ କରିଥାନ୍ତା୤

କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଚାଲିବା ଛାଡ଼ିଦେଇ କେବଳ ହସିବାରେ ଲାଗିଯିବେ୤ ମନେ ରଖନ୍ତୁ ଗୋଟିଏ ଚକୋଲେଟ୍ ଖାଇଲେ ଆମ ଶରୀରରେ ୫୦ କ୍ୟାଲୋରୀ ଜମାହୁଏ, ଅର୍ଥାତ ଦୈନିକ ଆମେ ଖାଉଥିବା ଖାଦ୍ୟ ଦ୍ବାରା ଜମା ହେଉଥିବା ଫ୍ୟାଟ୍ / ଲିପିଡ୍ କୁ ନଷ୍ଟ କରିବାପାଇଁ ଆମକୁ ଦଶରୁ ବାରଘଣ୍ଟା ହସିବାକୁ ପଡ଼ିପାରେ୤

ନୂତନ ଗବେଷଣାରୁ ମିଳିଥିବା ନିଷ୍କର୍ସରେ ଜଣାଯାଇଛି ଯେ ହସିବା ଦ୍ବାରା ଆପଣଙ୍କ ଆୟୁ କିଛି ବର୍ଷ ବଢ଼ିପାରେ୤ ଦୈନିକ କିଛି ସମୟ ମନଖୋଲି ହସୁଥିବା ଜଣେ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଆଠବର୍ଷ ଅଧିକ ବୟସ ବଞ୍ଚିପାରେ ବୋଲି କୁହାଯାଉଛି୤ ଏହି କଥା କହୁଥିବା ବୈଜ୍ଞାନିକ ମାନଙ୍କ ନିକଟରେ ଏହାକୁ ପ୍ରମାଣ କରିବାପାଇଁ ଅନେକ ଦସ୍ତାବେଜ ରହିଛି୤ ସେ ଯା’ହେଉ କେବଳ ହସିବା ଦ୍ବାରା ଯଦି ଏତେ ସବୁ ଲାଭ ଆମକୁ ମିଳୁଛି ତା ହେଲେ ଆମେ ହସିବା କେତେ ମାତ୍ରାରେ ଜରୁରୀ ତାହା ଆପଣ ହିଁ କୁହନ୍ତୁ୤

ହସର ଆମ ଜୀବନରେ ଅନେକ ତାତ୍ପର୍ଯ୍ୟ ରହିଛି୤ କହିଲେ ବିଶ୍ବାସ ନ ହୋଇପାରେ କିନ୍ତୁ ଆପଣ କେବେ ଚିନ୍ତା କରିଦେଖିଛନ୍ତି କି ? ଯେ ଆପଣଙ୍କ ସବୁ ସାଙ୍ଗସାଥୀ କେମିତି ଆପଣଙ୍କ ସହ ଥଟା ମଜା କରୁଛନ୍ତି, କଥା କଥାରେ ଚିଡ଼ାଉଛନ୍ତି? ଆପଣ ସ୍କୁଲ ଓ କଲେଜ ସମୟରେ ଯେଉଁ ସବୁ ଶିକ୍ଷକମାନେ ଆପଣଙ୍କ ସହ ଥଟା କରିଥିଲେ, ସେ ସମସ୍ତଙ୍କୁ ଆପଣ ବର୍ତ୍ତମାନ ସୁଦ୍ଧା ଭୁଲି ନାହାନ୍ତି୤ ଅବଶ୍ୟ ଅନେକ ଶିକ୍ଷକ ନିଜର ଗମ୍ଭୀର ସ୍ବଭାବ ପାଇଁ ମଧ୍ୟ ଆପଣଙ୍କ ମାନସପଟରେ ରହିଥାଇ ପାରନ୍ତି, କିନ୍ତୁ ଆପଣ ସବୁବେଳେ ସେଇ ବ୍ୟକ୍ତିମାନଙ୍କୁ ଭଲ ପାଆନ୍ତି, ଯେଉଁମାନେ ହସନ୍ତି ଓ ହସାନ୍ତି୤ ଗବେଷଣା ବହିର୍ଭୂତ ଅନ୍ୟ ଏକ ଉତ୍ସାହପ୍ରଦ ତଥ୍ୟ ହେଉଛି, ଝିଅମାନେ ମଧ୍ୟ ସେହି ପୁଅମାନଙ୍କୁ ଭଲପାଆନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ମନଖୋଲି ହସାଇ ପାରନ୍ତି୤ ଯେଉଁମାନେ ଉପରୋକ୍ତ ତଥ୍ୟ ଉପରେ ସନ୍ଦେହ କରୁଛନ୍ତି, ସେମାନେ ନିଜେ ପରିକ୍ଷା କରି ଦେଖିନିଅନ୍ତୁ୤ ସବୁବେଳେ ଗମ୍ଭୀର ରହୁଥିବା ବ୍ୟକ୍ତିଙ୍କୁ କେହି ପସନ୍ଦ କରନ୍ତି ନାହିଁ୤

ମୋର ମନେ ଅଛି ଆମେ ଯେତେବେଳେ ଛୋଟ ପିଲା ହେଇଥିଲୁ, ବୋଧହୁଏ ସେତେବେଳେ ଆମେ ସବୁ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିଲୁ୤ ସେହି ସମୟରେ ଆମେ ବିଦ୍ୟାଳୟରେ ଥିବା ଅନେକ ଶିକ୍ଷକ ଭାରୀ ଗମ୍ଭୀର ରହୁଥିଲେ, ସେମାନଙ୍କ ନାଁ ମୋତେ ସେତେବେଳେ ଜଣା ନଥିଲା, ଏବଂ ଏବେ ବି ମୋତେ ସେମାନଙ୍କ ନାଁ ଜଣା ନାହିଁ୤ କିନ୍ତୁ ଉଚ୍ଚବିଦ୍ୟାଳୟରେ ପଢୁଥିବା ସମୟରେ ଆମ ବିଜ୍ଞାନ ଶିକ୍ଷକ, ସାହିତ୍ୟ ଓ ସଂସ୍କୃତ ଶିକ୍ଷକଙ୍କ ନାଁ ଏବଂ ଛବି ସବୁବେଳେ ମୋ ମନରେ ଦେଖାଦେଇଥାଏ୤ କାରଣ ଏମାନେ ଆମକୁ ପାଠ ପଢ଼ାଇବା ସହିତ ମାନସିକ ସ୍ତରରେ ମଧ୍ୟ ଅଭିବୃଦ୍ଧି କରିବାପାଇଁ ସମସ୍ତ ଚେଷ୍ଟା କରିଥିଲେ୤ ସବୁଠାରୁ ବଡ଼ କଥାହେଲା ସେମାନେ ସବୁବେଳେ ହସ ହସ ମୁହଁରେ ଶ୍ରେଣୀଗୃହକୁ ଆସୁଥିଲେ, ପାଠ ପଢ଼ାଉଥିବା ସମୟରେ ମଝିରେ ଥଟା ଗପ ଟିକେ ଓ ହାସ୍ୟବ୍ୟଙ୍ଗ କଥା ଟିକେ ଟିକେ କହିଦେଉଥିଲେ୤

ଘରେ ମଧ୍ୟ ଆମ ପରିବେଶ ଯଦି ଗମ୍ଭୀର ରହେ ତା ହେଲେ ସେଇ ଘରେ ରହିବାକୁ ଦୁର୍ବୋଧ୍ୟ ଲାଗେ୤ ଆଜିକାଲି ଟିଭିରେ ପ୍ରାୟ ପ୍ରତି ଘଣ୍ଟାରେ କୌନସି ନା କୌଣସି ଚ୍ୟାନେଲରେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନେ ଦେଖାଦେଉଛି, ତେଣୁ ଆମେ ଯଦି ସେଇ ସବୁ କାର୍ଯ୍ୟକ୍ରମ ଦେଖି ମନ ଖୋଲି ହସିବା ତା ହେଲେ ଆମେ ସବୁବେଳେ ସୁସ୍ଥ ଓ ସବଳ ରହିବା ବୋଲି ମୋର ଆଶା ଓ ବିଶ୍ବାସ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ହସିବା ଦ୍ବାରା ଆମକୁ ହେଉଥିବା ଦଶଟି ଲାଭ

ହସିବା ଦ୍ବାରା ଆମକୁ ହେଉଥିବା ଦଶଟି ଲାଭ

ଏଠାରେ ପଢ଼ନ୍ତୁ !
କାହିଁ ଗଲେ ଘର ଚଟିଆ

କାହିଁ ଗଲେ ଘର ଚଟିଆ

ଏଠାରେ ପଢ଼ନ୍ତୁ !