favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଅନ୍‌ଲାଇନ୍ ସପିଂ କରୁଛନ୍ତି କି ?

ଅନ୍‌ଲାଇନ୍ ସପିଂ କରୁଛନ୍ତି କି ?

ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗକରି ଅନେକ ବ୍ୟବସାୟିକ ସଂଗଠନ ଏବେ ବିଶ୍ବବ୍ୟାପୀ ଅନ୍ତର୍ଜାଲ ବା ୱାର୍ଲଡ୍ ୱାଇଡ୍ ୱେବ୍‌ରେ ନିଜ ବ୍ୟବସାୟକୁ ସଂପ୍ରସାରଣ କରିଛନ୍ତି୤ ଏହା ଫଳରେ ଉପଭୋକ୍ତାମାନେ ନିଜ ଘରେ ବସି ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ଅନେକ ଦେଖା ଅଣଦେଖା ପଦାର୍ଥକୁ କ୍ରୟ କରିବାର ସୁବିଧା ପାଉଛନ୍ତି୤ ଏକ ଗବେଷଣାରୁ ଜଣାପଡ଼ିଛି ଭାରତର ପ୍ରମୁଖ ସହର ମାନଙ୍କରେ ଉପଭୋକ୍ତାମାନେ ନିଜ ଘରେ ବସି ଇଣ୍ଟରନେଟରେ ସପିଂ କରିବାକୁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି୤ ଯଦିଓ ଅନଲାଇନ୍ ସପିଂର ବହୁତ ସୁବିଧା ରହିଛି ତଥାପି ଅନେକ ଅସୁବିଧା ବି ହେବାର ଉଦାହରଣ ଦେଖିବାକୁ ମିଳୁଛି୤ ତା ହେଲେ ଆପଣ କେମିତି ନିଜକୁ ଅନଲାଇନ ସପିଂର ଅନ୍ଧାର ଦିଗରୁ ଦୂରେଇ ରଖିବେ ? ଆସନ୍ତୁ ପଢ଼ିବା ସେମିତି କିଛି କଥା୤
ନିଜର ଦୈନନ୍ଦିନର ଆବଶ୍ୟକୀୟ ପଦାର୍ଥ ହେଉ ଅବା ଘରକରଣା ପଦାର୍ଥ, ଇଲେକ୍ଟ୍ରୋନିକ୍‌ସ ଉପକରଣ, ମୋବାଇଲ୍, ଟିଭି, ଟାବଲେଟ୍, ଲୁଗାପଟା, ସବୁକିଛି ଏବେ ଅନଲାଇନ୍ ଷ୍ଟୋରରେ ମିଳିଲାଣି୤ ଆପଣ ନିଜ ଘରେ ବସି କମ୍ପ୍ୟୁଟର ମାଧ୍ୟମରେ ଏ ସବୁ ପଦାର୍ଥ କ୍ରୟ କରିପାରିବେ ଏବଂ ତାହା ଆପଣଙ୍କ ଘରେ ପହଞ୍ଚାଇ ଦିଆଯାଇପାରିବ୤ ଏହା ଫଳରେ ଆପଣଙ୍କୁ ଅନେକ ଲାଭ ମିଳେ, ଯେମିତି କି ଆପଣଙ୍କୁ ବଜାର ଯିବାକୁ ପଡ଼ିବ ନାହିଁ, ବିଶେଷତଃ ବର୍ଷା ଦିନ ମାନଙ୍କରେ ବାହାରକୁ ବାହାରିବା ଆମକୁ ଭଲ ଲାଗେନି୤ ଦ୍ବିତୀୟତଃ ପଦାର୍ଥମାନଙ୍କ ସଠିକ୍ ଦାମ୍ ଦେବେ, ସିପିଂ (ପରିବହନ) ଶୁଳ୍କ ଦେବାକୁ ପଡ଼ିନପାରେ, ନିଜ ସହରର ସପିଂ ମଲ୍ ଅପେକ୍ଷା କମ୍ ଦାମରେ ପାଇବେ ଇତ୍ୟାଦି୤ ଉଦାହରଣ ସ୍ବରୂପ ଆପଣ ଯଦି ଗୋଟିଏ କ୍ୟାମେରା ନିଜ ସହରରେ ଥିବା ବଡ଼ ଦୋକାନରୁ କିଣିବେ ତା ହେଲେ କ୍ୟାମେରାର ଦାମ ଉପରେ ଆପଣଙ୍କୁ ଭାଟ୍ ଏବଂ ଅନ୍ୟାନ୍ୟ ଶୁଳ୍କ ମିଶାଇ ଅନ୍ୟୁନ ଦଶରୁ କୋଡ଼ିଏ ପ୍ରତିଶତ ଅଧିକ ଦାମ୍ ଦେବାକୁ ପଡ଼ିବ, କିନ୍ତୁ ଅନଲାଇନ୍ କ୍ରୟ କରିବାପରେ ଆପଣଙ୍କୁ କେବେଳ ଦ୍ରବ୍ୟର ପ୍ରକୃତ ମୂଲ୍ୟ ହିଁ ଦେବାକୁ ପଡ଼ିବ, କୌଣସି ପ୍ରକାର ଶୁଳ୍କ ଦେବାକୁ ପଡ଼ିବ ନାହିଁ୤ ଭାରତର ପ୍ରମୁଖ ବାଣିଜ୍ୟ ସଂଗଠନ ମାନଙ୍କ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣା ପଡ଼ିଛି, ଅନଲାଇନ୍ ସପିଂ ସଂପ୍ରତି ଭାରତରେ ୧୫୦ ପ୍ରତିଶତ ଦରରେ ବୃଦ୍ଧି ପାଇବାରେ ଲାଗିଛି୤
ଅନଲାଇନ୍ ସପିଂ ଦ୍ବାରା ଆପଣ ସମୟ, ଅର୍ଥ ଓ ବଳର ସଞ୍ଚୟ କରିପାରିବେ୤ ନିଜ ଘରେ ବସି ବିଶ୍ବର ଅନେକ ଦେଶରୁ ଆସୁଥିବା ଦ୍ରବ୍ୟ ଓ ସେବା ଦେଖିବା ଓ କ୍ରୟ କରିବା ସୁବିଧା ପାଇବେ୤ ଆପଣଙ୍କ ସହରର ବଡ଼ ମଲ୍ ବା ସପିଂ ସେଣ୍ଟରଠାରୁ ଅଧିକ ଦ୍ରବ୍ୟ ଆପଣ ଅନଲାଇନ୍ ଦେଖିବାକୁ ପାଇବେ୤ ଏହା ସହିତ ପ୍ରତ୍ୟେକ ଥର ବଜାର ଗଲାବେଳେ ଯିବାଆସିବା ପାଇଁ ଖର୍ଚ୍ଚ ଓ ପରିଶ୍ରମ, ଗାଡ଼ି ପାର୍କିଂ ପାଇଁ ଦେବାକୁ ପଡୁଥିବା ଶୁଳ୍କ, ଷ୍ଟୋର ଭିତରେ ବୁଲାବୁଲି କରିବାର ପରିଶ୍ରମ ଆଦି ଥାଏ୤ ଏବଂ ସପିଂମଲ୍ ମାନଙ୍କରେ ବିଭିନ୍ନ ପ୍ରକାର ପ୍ରୋତ୍ସାହନମୂଳକ ରିହାତି ଯୋଜନା ଉପଲବ୍‌ଧ ନଥାଏ୤
ଅନଲାଇନ୍ ସପିଂ ଫଳରେ ଭାରତର ନିପଟ ମଫସଲରେ ରହୁଥିବା ଝିଅଟିଏ ବହୁରାଷ୍ଟ୍ରୀୟ କମ୍ପାନୀର ଦ୍ରବ୍ୟ ଓ ସେବାର ଲାଭ ପାଇ ପାରୁଛି୤ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଅନଲାଇନ୍ ସପିଂ ପ୍ରତି ଆକୃଷ୍ଟ ହେଉଥିବାରୁ ଏହାର ବ୍ୟବସାୟ ବି ବୃଦ୍ଧିପାଇବାକୁ ଲାଗିଛି୤ ଗୋଟିଏ ସ୍ଥାନରେ ଅସଂଖ୍ୟ ପ୍ରକାରର ଦ୍ରବ୍ୟ ଓ ସେବା ପାଇବା, କ୍ରୟ କରିବାର ସରଳ ଉପାୟ, ଆବଶ୍ୟକ ହେଲେ ଫେରେଇପାରିବା ଭଳି ବ୍ୟବସ୍ଥା ହେତୁ ଅନେକ ଲୋକ ଅନଲାଇନ୍ ସପିଂ ପ୍ରତି ଆକୃଷ୍ଟ ହେଉଛନ୍ତି୤

ତା ହେଲେ ଅନଲାଇନ୍ ସପିଂକୁ କେମିତି କରିବେ ଆମୋଦକର ଓ ଲାଭପ୍ରଦ

୧. ସବୁବେଳେ ସର୍ବଶ୍ରେଷ୍ଠ ‘ଡିଲ୍’ ପ୍ରତି ଧ୍ୟାନ ରଖନ୍ତୁ


ଅନଲାଇନ୍ ସପିଂ ୱେବ୍ ସାଇଟ୍ ମାନଙ୍କରେ ଅଧିକାଂଶ ସମୟ ବିଶେଷ ରିହାତି ଯୋଜନାମାନ ଘୋଷଣା କରାଯାଇଥାଏ, ସେହି ସବୁ ବିଷୟ ପ୍ରତି ଆପଣ ଯତ୍ନଶୀଳ ରହିଲେ ଆପଣ ଦ୍ରବ୍ୟର ପ୍ରକୃତ ମୂଲ୍ୟଠାରୁ ବହୁତ୍ କମ ଦାମରେ ଦ୍ରବ୍ୟକୁ ପାଇ ପାରିବେ୤ ଆପଣ ଇଣ୍ଟରନେଟରେ ଗୁଗୁଲ୍ ସର୍ଚ ବ୍ୟବହାର କରି ଏ ଭଳି ସୂଚନା ସହଜରେ ପାଇ ପାରିବେ୤ ବିଶେଷତଃ ବର୍ଷର ପର୍ବପର୍ବାଣୀ ସମୟରେ, କିମ୍ବା ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ, ଦଶହରା, ଦିପାବଳୀ, ନବବର୍ଷ, ଖ୍ରୀଷ୍ଟମାସ, ହୋଲି, ଭାଲେଣ୍ଟାଇନ୍ ଡେ, ଇତ୍ୟାଦି ସମୟରେ ଅଧିକ ପରିମାଣର ରିହାତି ପାଇ ପାରିବେ୤ ବେଳେ ବେଳେ ଅବିଶ୍ବସନୀୟ ଭାବରେ ଗୋଟିଏ ଗୋଟିଏ ଦ୍ରବ୍ୟର ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ, ହେଲେ ଏ ସବୁ ସୁବିଧା ମାତ୍ର କେତେଜଣ ହିଁ ପାଇପାରନ୍ତି, ତେଣୁ ଅନଲାଇନ୍ ସପିଂ କରୁଛନ୍ତି ଯଦି ନିୟମିତ ଏହିପ୍ରକାରର ସୂଚନା ପ୍ରତି ଧ୍ୟାନ ଦେଉଥିଲେ ଆପଣ ବି ଲାଭବାନ ହୋଇପାରିବେ୤

୨. କୁପନ୍ ଓ ପ୍ରମୋସନାଲ୍ କୋଡ଼୍ ବ୍ୟବହାର କରନ୍ତୁ


ପ୍ରତ୍ୟେକ ଅନଲାଇନ୍ ସପିଂ ୱେବ୍ ସାଇଟ୍ ଉପଭୋକ୍ତାଙ୍କୁ ଲୋଭାନ୍ବିତ କରିବାପାଇଁ ରିହାତି କୁପନ୍ ବା ପ୍ରମୋସନାଲ୍ କୋଡ୍ ବ୍ୟବହାର୍ କରନ୍ତି୤ ଯାହା ଫଳରେ ଆପଣ ଦ୍ରବ୍ୟର ପ୍ରକୃତ ମୂଲ୍ୟ ଉପରେ ଅଧିକ ରିହାତି ପାଇ ପାରିବେ୤ ଏହି ସବୁ କୁପନ ସଂପୃକ୍ତ ୱେବ୍ ସାଇଟ୍ କିମ୍ବା ଗୁଗୁଲ୍ ସର୍ଚ୍ ଦ୍ବାରା ଆପଣ ପାଇ ପାରିବେ୤ ସଠିକ୍ କୁପନ୍ ବ୍ୟବହାର୍ କଲେ ଆପଣ ଅନେକ ଲାଭ ପାଇପାରିବେ୤
୩. କ୍ରୟ କରିବା ପୂର୍ବରୁ ଗବେଷଣା କରନ୍ତୁ

ମନେ କରନ୍ତୁ ଆପଣ ମୋବାଇଲ୍ ଫୋନ୍ କିମ୍ବା କ୍ୟାମେରା କିଣିବାକୁ ଚାହାନ୍ତି, ତେବେ କିଣିବାପୂର୍ବରୁ ତାହାର ସଠିକ୍ ମୂଲ୍ୟ କେତେ ଏବଂ ଅନଲାଇନ୍ କେଉଁ କେଉଁ ୱେବ୍ ସାଇଟ୍ ସେଇ ଦ୍ରବ୍ୟ ବିକ୍ରୀ କରୁଛନ୍ତି ଏବଂ କେତେ ଦାମରେ ତାହା ଆପନ ସର୍ଚ୍ କରି ଜାଣିପାରିବେ୤ ଏହା ଦ୍ବାରା ଆପଣ କିଛି ଅଧିକ ରିହାତି ପାଇ ପାରନ୍ତି ଏବଂ ସଞ୍ଚୟ କରିପାରନ୍ତି୤ ଅନଲାଇନ୍ କମ୍ପାରିଜନ୍ ସାଇଟ୍ ସବୁ ରହିଛି ଯେଉଁଠି ଆପଣ କିଣୁଥିବା ଦ୍ରବ୍ୟକୁ ଅନ୍ୟ ସମପ୍ରକାରର ଦ୍ରବ୍ୟ ସହ ତୁଳନା କରି ଭଲମନ୍ଦ ବିଷୟରେ ଜଣାଇ ଦିଆଯାଇଥାଏ୤ ଏହାଫଳରେ ଆପଣ କିଣୁଥିବା ଦ୍ରବ୍ୟ ସଠିକ୍ ଭାବରେ ଆପଣଙ୍କୁ ମିଳିପାରିବ୤

ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟ ମଧ୍ୟ ଆପଣ ଏହି ସବୁ ସାଇଟ୍‌ରେ ତୁଳନା କରି ଜାଣିପାରିବେ ଯେ କେଉଁ ସାଇଟରେ ଦାମ କେତେ ରହିଛି ଏବଂ କିଏ କେତେ ପ୍ରତିଶତ ରିହାତି ଦେଉଛନ୍ତି୤

୪. ସପିଂ କାର୍ଟରେ ଦ୍ରବ୍ୟ ରଖିବାପରେ ବନ୍ଦ କରିଦିଅନ୍ତୁ

ଏହା ଶୁଣିବା ପରେ ଅନେକେ ଭାବୁଥିବେ ମୁଁ ନିଶ୍ଚୟ ଭାବରେ ପାଗଳ୤ ପ୍ରତ୍ୟେକ ୱେବ୍ ସାଇଟରେ ଗୋଟିଏ ସପିଂ କାର୍ଟ୍ ଥାଏ୤ ଆପଣ ଯେଉଁ ଯେଉଁ ଦ୍ରବ୍ୟ କ୍ରୟ କରନ୍ତି ସେ ସବୁ ସେଥିରେ ଲିପିବଦ୍ଧ ହୋଇ ରୁହେ୤ ଆପଣ କିଣିସାରିବା ପରେ କାର୍ଟ୍ ଖାଲି ହୁଏ୤ କିନ୍ତୁ ମନେ ରଖନ୍ତୁ, ଯଦି ଆପଣ କୌଣସି ଦ୍ରବ୍ୟ କ୍ରୟ କରିବାକୁ ଚାହାନ୍ତି, ତେବେ ସେ ଦ୍ରବ୍ୟକୁ ସପିଂ କାର୍ଟରେ ରଖିବାପରେ ସେଭ୍ କରି ବନ୍ଦ୍ କରିଦିଅନ୍ତୁ, ଦେଖିବେ ସଂପୃକ୍ତ କମ୍ପାନୀ ତରଫରୁ ଫୋନ୍ କଲ୍ କିମ୍ବା ଇମେଲ୍ ଦ୍ବାରା ଆପଣ ନ କିଣିବାର କାରଣ ତଲବ କରାଯିବ, ଏବଂ ଅନେକ ସମୟରେ କିଛି ଅଧିକ ରିହାତି ଦେବା ବ୍ୟବସ୍ଥା କରାଯାଏ୤

୫. କ୍ରୟ କରିବା ପୂର୍ବରୁ ଖୋଜନ୍ତୁ

ଅଧିକାଂଶ ଅନଲାଇନ୍ ସପିଂ ସାଇଟ୍ ଫେସବୁକ୍, ଟ୍ବିଟର୍ ପରି ଅନେକ ସୋସିଆଲ୍ ନେଟୱାର୍କିଂ ସାଇଟରେ ନିଜର ବିଜ୍ଞାପନ ଦିଅନ୍ତି ଏବଂ କିଛି ବିଶେଷ ରିହାତି ଦେବା କଥା କହିଥାନ୍ତି, ତେଣୁ କୌଣସି ଦ୍ରବ୍ୟ କ୍ରୟ କରିବାପୂର୍ବରୁ ଏହି ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେଉଥିବେ୤ ଫେସବୁକ ପୃଷ୍ଠାରେ ଲାଇକ୍ ବଟନ୍ ଚିପୁଥିବା ସଦସ୍ୟମାନଙ୍କ ପାଇଁ ବିଶେଷ ରିହାତି ଥାଏ୤

୬. ମୂଲ୍ୟ ଦେବାପୂର୍ବରୁ ସିପିଂ ଶୁଳ୍କ ଦେଖନ୍ତୁ

ପ୍ରାୟତଃ ଅଧିକାଂଶ ଅନଲାଇନ୍ ସପିଂ ସାଇଟରେ ଦ୍ରବ୍ୟ ଗୁଡ଼ିକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାର ସୁବ୍ୟବସ୍ଥା ରହିଥାଏ୤ ତଥାପି ବେଳେ ବେଳେ ଆପଣ ଚେକ୍ ଆଉଟ୍ କରିବା ସମୟରେ ସେମାନେ ସିପିଂ ଚାର୍ଜ୍ କହି ଅହେତୁକ ଭାବରେ ଅଧିକ ଦାମ୍ ନେଇ ପାରନ୍ତି୤ ଉଦାହରଣ ସ୍ବରୂପ ଆପଣ ଅନଲାଇନରେ ଦେଖିଲେ ଯେ ଗୋଟିଏ ହାତଘଣ୍ଟାର ଦାମ୍ ମାତ୍ର ଶହେ ଟଙ୍କା ଅଛି ଏବଂ ଆପଣ ଜାଣିଛନ୍ତି ଯେ ଆପଣଙ୍କ ସହରରେ ତାହା ଅନ୍ୟୁନ ଦେଢ଼ ଶହ ହେବ୤ ସେଇ ସମୟରେ ଆପଣ ଘଣ୍ଟାଟିକୁ କିଣିବା ପାଇଁ ମନସ୍ତ କଲେ, କିନ୍ତୁ ଯେତେବେଳେ ଆପଣ ପଇସା ଦେଉଥିବେ ସେତେବେଳେ ସେମାନେ ଘଣ୍ଟାଟିର ସିପିଂ ଚାର୍ଜ ଶହେ ଟଙ୍କା ନେଇ ପାରନ୍ତି, ଯାହା ଫଳରେ ଆପଣଙ୍କୁ ଘଣ୍ଟାଟି ପାଇଁ ପଚାଶ ଟଙ୍କା ଅଧିକ ଦେବାକୁ ପଡ଼ିପାରେ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

କାହିଁ ଗଲେ ଘର ଚଟିଆ

କାହିଁ ଗଲେ ଘର ଚଟିଆ

ଏଠାରେ ପଢ଼ନ୍ତୁ !
ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଏଠାରେ ପଢ଼ନ୍ତୁ !