ସେଦିନ ଅଫିସ ଟିକେ ଜଲଦି ଛୁଟି ହୋଇ ଯାଇଥିଲା। ଆଉ ବିନୟ ବହୁତ ଖୁସିରେ ଘରକୁ ଆସିଥିଲା।
“କୁନାକାହିଁ ? ଦେଖାଯାଉନି ?” ସବୁଘର ବୁଲି ଦେଇ ପଚାରୁଥିଲା ବିନୟ। ଅଫିସରୁ ଫେରିବା ପରେ ନିଜର ଏକମାତ୍ର ଗେହ୍ଲାପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ। ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ।”
କିଛି ସମୟପରେ ବିନୟର ଉଚ୍ଚସ୍ୱରରେ ଘର କମ୍ପି ଉଠୁଥିଲା। “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିର ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା। ଏୟା ସବୁ ଶିଖୁଛି ତୁମ ପୁଅ ?ଦେଖ ତା ଦେହ ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଉ, ମୋତେ କହିବ।”
ରୋଷେଇଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା? ତମେ ଖେଳୁ ନଥିଲ କି?ଜନ୍ମରୁ ଏସି ରୁମରେ ବଢିଥିଲ ନା କଣ?”
ବିନୟ ଚିଡି ଉଠିଲା। କହିଲା ମୁଁ ସିନା ପିଲାଟି ବେଳରୁ ଏସି ରୁମରେ ବଢ଼ି ନଥିଲି। କିନ୍ତୁ ମୋ ପୁଅ ଏସି ରୁମରେ ବଢିବ। ମୁଁ ସିନା ମାଣ୍ଡିଆ ଜାଉ ଖାଇ ବଡ଼ ହୋଇଛି। କିନ୍ତୁ ମୋ ପୁଅ ପିଜା ବର୍ଗର ଖାଇ ବଡ଼ ହେବ। ମୁଁ ସିନା ମାଟିର କାନ୍ଥରେ ତିଆରି ଚାଳ ଘରେ ମଣିଷ଼ ହୋଇଛି କିନ୍ତୁ ମୋ ପୁଅ କୋଠାଘରର ମାର୍ବଲ ଚଟାଣରେ ମଣିଷ଼ ହେବ। ମୁଁ ସିନା ବାଲିଧୂଳିରେ ଖେଳିଛି କିନ୍ତୁ ମୋ ପୁଅ ମୋବାଇଲ୍ ଆଉ କମ୍ପୁଟର ଗେମ ଖେଳିବ। ମୋତେ ଶୋଷକଲେ ସିନା ନଈନାଳ ପାଣି ପିଇ ଶୋଷ ମେଣ୍ଟେଇଛି କିନ୍ତୁ ମୋ ପୁଅ ଶହେ ଶୁଦ୍ଧତାର ମିନେରାଲ ପାଣି ପିଇବ।
ଏତିକି କହୁ କହୁ ବିନୟର କଣ୍ଠସ୍ୱର ଧିର ହୋଇ ଆସିଲା। ଆଖିରେ ଢଳ ଢଳ ହେଉଥିବା ଲୁହ କେଇ ଦୁନ୍ଦା ନିଜର ଗାଲକୁ ସ୍ପର୍ଶ କରି ଝରି ପଡିଲା ତଳକୁ। ରାଗରେ ସିନା ସେମାନଙ୍କୁ ବାଜେ ପିଲା ବୋଲି କହିଦେଲା। ହେଲେ ସେହି କଥା ପଦକ ତାକୁ ବହୁତ ଆଘାତ ଦେଇଥିଲା। କାହିଁକି ନା ପିଲାବେଳେ ତାକୁ ସମସ୍ତେ ବାଜେପିଲା ବୋଲି କହୁଥିଲେ। ଆଉ ତାକୁ ବହୁତ ବାଧୁଥିଲା। ଥରେ ଯାହା ଦେହରେ ନିଆଁ ଲାଗିଯାଇଛି ସେ ହିଁ ଜାଣିପାରେ ନିଆଁର ଜ୍ୱାଳା କେତେ ଭୟଙ୍କର। ସେମିତି ସିଏ ଅନ୍ୟ ପିଲାମାନଙ୍କୁ ବାଜେ ପିଲା କହିବାପରେ ନିଜକୁ ନିଜେ ଦୋଷୀ ଭାବୁଥିଲା ଆଉ ଭୋ ଭୋ ହୋଇ କାନ୍ଦିଉଠିଲା ସେ। ସତେ ଯେମିତି କୁନି ପିଲାଟେ ପରି। ମନେ ପଡିଗଲା ତା’ର ପିଲାବେଳର କଥା। ତା’ର ବାପା ଥିଲେ ଜଣେ ମୁନିସିପଲଟିର ଅଳିଆ ସଫା କରୁଥିବା କର୍ମଚାରୀ। ଘର ଘର ବୁଲି ଅଳିଆ ସବୁ ଏକାଠି କରି ନେଇ ସହରଠୁ ଦୂର ଅଳିଆ ଗଦାରେ ଫିଙ୍ଗି ସମସ୍ତଙ୍କ ଘରକୁ ସଫା ସୁତୁରା ରଖିବା ଥିଲା ତାଙ୍କର କାମ।
ସିଏ ସିନା ସମସ୍ତଙ୍କ ଘର ଆଉ ଗଳିରାସ୍ତା ଗୁଡିକୁ ସ୍ବଛ ରଖି ସମସ୍ତଙ୍କୁ ରୋଗମୁକ୍ତ ରଖିବାରେ ସହାୟକ ହେଉଥିଲେ କିନ୍ତୁ ଦୁନିଆଁ ଆଖିରେ ସିଏ ପାଲଟି ଯାଇଥିଲେ ନ୍ୟୁନ ଆଉ ଅଛୁଆଁ। କାହା ପାଖଦେଇ ଚାଲିଗଲେ ଲୋକମାନେ ନାକ ଟେକୁଥିଲେ। କାହାର କାମ ନିମନ୍ତ୍ରଣ ହେଲେ ତାଙ୍କୁ କେହି ଡାକୁନଥିଲେ ଆଉ ଯଦିବା କେହି ଡାକୁଥିଲେ ତାଙ୍କୁ ପଙ୍ଗତରେ ବସିବାର ସୁଯୋଗ ଦେଉ ନଥିଲେ। ଏମିତି ଥରେ ଯାଇ ପଙ୍ଗତରେ ବସି ଯାଇଥିଲେ ଯେ। ସେଠାକୁ ନିମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ ଉଠି ଚାଲି ଯାଇଥିଲେ। ଏହା ଦେଖି ତାଙ୍କୁ ବହୁତ ଦୁଃଖ ଲାଗିଥିଲା। ଆଉ ସେହିଦିନରୁ ସିଏ କେବେବି କାହା ଘରକୁ କେବେ ଖାଇବାକୁ ଯାଇ ନାହାନ୍ତି।
ବିନୟକୁ ସମସ୍ତେ ଅଳିଆ ଅଳିଆ ବୋଲି ଡାକୁଥିଲେ କେହି ତା ସହିତ ମିଶୁନଥିଲେ। କାହାକୁ ଖେଳିବାକୁ ଡାକିଲେ ସେମାନଙ୍କ ଘର ଲୋକମାନେ ସେମାନଙ୍କୁ ନେଇ ଯାଉଥିଲେ। ବିନୟ ସହିତ ମିଶିବାକୁ ମନା କରୁଥିଲେ। ଧିରେ ଧିରେ ବିନୟ ବଡ଼ ହେଲା। ଭଗବାନ ଯେମିତି ତା’ର ମୁଣ୍ଡରେ ବୁଦ୍ଧି ଆଉ ବିଦ୍ୟା ଖୁନ୍ଦି ଦେଇଥିଲେ। ସିଏ ମନରେ ଏହି ଗୋଟିଏ କଥା ରଖିଥିଲା ଯେ ଜଣେ ଗରିବ ହୋଇ ଜନ୍ମ ହେବା ତା’ର ଭୁଲ୍ ନୁହେଁ କିନ୍ତୁ ସେହି ଗରିବ ଅବସ୍ଥାରେ ମରିବା କେବଳ ତା'ରି ହିଁ ଭୁଲ୍। ଗୋଲାପ ଫୁଲଟି ସିନା ଦେଖିବାକୁ ସୁନ୍ଦର କିନ୍ତୁ ସେହି ଗୋଲାପ ତୋଳିବାକୁ ହେଲେ କଣ୍ଟାର ଆଘାତ ମଧ୍ୟ ସହିବାକୁ ପଡିଥାଏ। ଯେତେବେଳେ ନୂଆ କରି ଏକ ରାସ୍ତା ନିର୍ମାଣ କରିବାର ଯୋଜନା କରାଯାଏ। ସେତେବେଳେ ସେହି ପଥରେ ଥିବା ଗଛଲତା ଓ ପାହାଡ଼ ସବୁକୁ କାଟି ସଫା କରିବାକୁ ପଡିଥାଏ। ତା’ପରେ ଯାଇ ଏକ ସୁନ୍ଦର ରାସ୍ତା ନିର୍ମିତ ହୋଇଥାଏ।
ସେମିତି ବିନୟକୁ ଯିଏ ଯାହା କହୁ କାହାର କଥାକୁ ଭ୍ରୁକ୍ଷେପ ନ କରି ସିଏ ତା’ର ଲକ୍ଷ୍ୟପଥରେ ଆଗେଇ ଚାଲିଥିଲା। ସମସ୍ତଙ୍କ ଆକ୍ଷେପମୂଳକ କଥାକୁ ଶୁଣି ହସି ଦେଉଥିଲା। କାହିଁକି ନା ସିଏ ଜାଣିଥିଲା ସ୍ମିତହାସ୍ୟ ଆଉ ନୀରବତା ଦ୍ବାରା ଆମେ ଅନେକ ସମସ୍ୟାକୁ ଏଡାଇ ଦେଇ ପାରିବା। ତା’ର ବାପା ମଧ୍ୟ ତାକୁ ସେହି ଶିକ୍ଷା ଦେଇଥିଲେ।
ବିନୟ ମନ ଲଗେଇ ପାଠ ପଢୁଥିଲା। କାହିଁକି ନା ସିଏ ଜାଣିଥିଲା ବିନା ପାଠରେ ସେ କେବେ ବି ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବନି। ସେଥିପାଇଁ ତାକୁ ବହୁତ କଷ୍ଟ ସହିବାକୁ ପଡିଛି। ରାତିରେ ଡିବିରି ଆଲୁଅରେ ପାଠ ପଢ଼ିଛି। କେବେ ବି କାହା କଷ୍ଟ ଅନ୍ୟଥା ଯାଏନାହିଁ। ନିଜର ଶିକ୍ଷା, ବୁଦ୍ଧି ଆଉ ଉଦ୍ୟମ ବଳରେ ବିନୟ ଆଜି ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିଛି।
ଆଉ ସିଏ ଚାହୁଁଛି ସିଏ ଯେମିତି ଦୁଃଖ କଷ୍ଟରେ ବଢିଛି, ବାଲିଧୂଳିରେ ଜୀବନ ଗଢ଼ିଛି। ତା’ର ପୁଅ ସେମିତି ନହେଉ। ସେଥିପାଇଁ ପିଲାଟି ବେଳରୁ ତା ପାଇଁ ସବୁକିଛି ଯୋଗେଇ ଦେଇଛି। ସିଏ ସିନା ତା’ର ପିଲାବେଳର ଦୁଃଖକୁ ଆଖି ଆଗରେ ରଖି ଏମିତି କହିଦିଏ। ହେଲେ ମିନୁ ଭାବେ ପିଲାଟି ଘର ଭିତରେ ରହି ଯେତେ ବି ଖୁସିରେ ରହିଲେ ବି ସେ ଚାଲାକ ହୋଇ ପାରିବନି। ସବୁବେଳେ କେନ୍ଦୁଆଙ୍କ ପରି ହେବ। ସେଥି ପାଇଁ ବିନୟ ଅଫିସ ଗଲାପରେ ସେ ପୁଅକୁ ବାହାରକୁ ଛାଡି ଦିଏ। କିନ୍ତୁ ଆଜି ବିନୟ ଜଲଦି ଫେରିଥିବାରୁ ପୁଅକୁ ବାହାରେ ଦେଖି ରାଗି ଯାଇଥିଲେ।
ମିନୁ ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲା। ଦେଖ ବାଲିଧୂଳିରେ ଖେଳିଲେ ଯେ ଜଣେ ଖରାପ ହୋଇଯିବ ବା ବାଜେପିଲା ହୋଇଯିବ ତାହା ନୁହେଁ। ବାଲିଧୂଳିରେ ଖେଳିବା ଦ୍ୱାରା ଜଣେ ପିଲା ତା’ର ପିଲାଦିନକୁ ଭଲଭାବରେ ଉପଭୋଗ କରିପାରେ। ଆଉ ସେହି ବାଲିଧୂଳି ଯେମିତି ପିଲାଟି ପାଇଁ କ୍ଷତିକାରକ ନ ହୁଏ ସେଥିପ୍ରତି ସେମାନଙ୍କ ପିତାମାତାମାନେ ଧ୍ୟାନ ଦେବା ଉଚିତ। ଆମେ ଆମ ପୁଅର ଯତ୍ନ ନେବା ଆଉ ତାକୁ ମଣିଷ ପରି ମଣିଷଟିଏ ଗଢି ତୋଳିବା।
ବିନୟ ସିନା ପିଲାଦିନରୁ ପାଇଥିବା ଦୁଃଖ କଷ୍ଟ ଆଉ ଅପମାନକୁ ଆଖିରେ ରଖି ଏମତି ଏମିତି କହିଦିଏ କିନ୍ତୁ ତା’ର ମଧ୍ୟ ଇଛାଥିଲା ତା ପୁଅର ହସ ଖୁସି ଆଉ ଏକ ସଫଳ ଜୀବନ। ମିନୁ କଥାକୁ ଶୁଣିଲା ପରେ ବିନୟ ମିନୁକୁ କୁଣ୍ଢେଇ ପକେଇ ଥିଲେ ଆଉ କହିଥିଲା ନିଶ୍ଚିତ ଆମ ପୁଅ ମଣିଷ ପରି ମଣିଷଟିଏ ହେବ।
ବିନୟ ମଧ୍ୟ ଜାଣିଥିଲା ପିଲାଦିନେ ଯିଏ ବାଲିଧୂଳି ହୋଇନି କି ବୋହୁଚୋରି ଖେଳ ଖେଳିନି ପ୍ରକୃତରେ ସିଏ ତା’ର ପିଲାଦିନକୁ ଉପଭୋଗ କରି ପାରିନି I ସବୁଦିନ ପାଇଁ ତା ମନ ଭିତରେ ଯେମିତି ଏକ ବଡ ଅବଶୋଷ ରହିଯାଇଛି I କାହାର ପିଲାଦିନର ହସଖୁସିକୁ ଛଡାଇ ଆଣିବାକୁ କଣ କୁହାଯାଇ ପାରିବ ବାପ-ପଣିଆ I ବିନୟ ଏ କଥାକୁ ହୃଦୟଙ୍ଗମ କରି ସେହିଦିନରୁ ନିଜ ପୁଅର ହସଖୁସିକୁ ଛଡାଇ ନେବ ନାହିଁ ଶପଥ କରିଥିଲା I
କାହିଁକି ନା ସେ ଜାଣିଥିଲା----------------
ବହୁଚୋରି ଖେଳ ବାଲି ଧୂଳିଘର
ଖେଳିନାହିଁ ଯିଏ ଥରେ
ଖୁସି ବୋଲି କିଛି ପାଇନାହିଁ ସିଏ
କିଛି ଜମା ଜୀବନରେ I
ସାଙ୍ଗସାଥି ଯିଏ କରିନାହିଁ ଜମା
ଛୋଟ ଯେବେ ହୋଇଥିଲା
ଜୀବନଟା ସତେ ଅଧୁରା ତାହାର
ବାକି କିଛି ରହିଗଲା I
ପିଲାଦିନ ସ୍ମୃତି ନାହିଁ ଯା’ର କିଛି
କରିନି ଯେ ଉପଭୋଗ
ସତେ କି ଯେମିତି ଜୀବନେ ତାହାର
ନ ଥିଲା ଖୁସିର ଯୋଗ I
ସୁନ୍ଦରପୁର, ଉତ୍ତରକୁଳହାଟ, ପ୍ରୀତିପୁର, ଯାଜପୁର I
ଭ୍ରାମ୍ୟଭାଷ : ୦୮୮୯୨୩୦୧୧୪୩
Go Back to Previous Page
ଅଭିଶପ୍ତ ଅପରାହ୍ନ୍
ଅଶୋକ କୁମାର ସେଠୀ
Read Article
ସ୍ମୃତିର କଳାବାଦଲ
ବିସ୍ମିତାରାଣୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ