ଓଡିଶା ବା ପୁରୁଷୋତ୍ତମ କ୍ଷେତ୍ର ବହୁକାଳ ଧରି ଶକ୍ତି ଆରାଧନା ଓ ତନ୍ତ୍ର ସାଧନାର ଏକ ଉତ୍କୃଷ୍ଟ ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଥିଲା। ଯାହାର ପ୍ରମାଣ ସ୍ବରୂପ ଆଜି ମଧ୍ୟ ଓଡିଶାର ପ୍ରତ୍ୟେକ ଗ୍ରାମରେ ଗ୍ରାମଦେବତୀ ଓ ସହର ମାନଙ୍କରେ ଅଧିଷ୍ଠାତ୍ରୀ ‘ଦେବୀ’ ପୂଜା ପାଉଛନ୍ତି। ଉତ୍କଳୀୟ ଆଧ୍ୟାତ୍ମରେ ଶକ୍ତି ଉପାସନା ଖୁବ ପୁରାତନ ଓ ପ୍ରଚଳିତ ପରମ୍ପରା। ଓଡିଶାର କୋଣ ଅନୁକୋଣରେ ଅନେକ ସିଦ୍ଧ ଦେବୀପୀଠ ମାନ ରହିଛି, ଯାହାର ମାହାତ୍ମ୍ୟକୁ ଓଡିଆ ମାନେ ବିଶେଷ ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଭାବରେ ମାନ୍ୟ କରନ୍ତି। ସେଗୁଡିକ ମଧ୍ୟରେ ବାଣପୁରର ମା ଭଗବତୀ, ଝଙ୍କଡର ମା ଶାରଳା, କାକଟପୁର ର ମା ମଙ୍ଗଳା, ବାଙ୍କୀର ମା ଚର୍ଚ୍ଚିକା, ଯାଜପୁର ର ମା ବିରଜା, କୋଣାର୍କର ମା ରାମଚଣ୍ଡୀ, ତାଳଚେର ର ମା ହିଙ୍ଗୁଳା, ସମ୍ବଲପୁର ର ମା ସମଲେଶ୍ବରୀ, ଭୁବନେଶ୍ବରର ମା ଗୌରୀ, କଟକ ଅଧିଷ୍ଠାତ୍ରୀ ମା ଚଣ୍ଡୀ ଓ ଶ୍ରୀକ୍ଷେତ୍ର ପୀଠାଧିଶ୍ବରୀ ମା ବିମାଳଙ୍କ କ୍ଷେତ୍ର ପ୍ରମୂଖ। ଏତଦ୍ଭିନ୍ନ ମାଣିକେଶ୍ବରୀ, କିଚକେଶ୍ବରୀ, ଘଟଗାଁ ତାରିଣୀ, ବ୍ରହ୍ମପୁରର ମା ବୁଢୀ ଠାକୁରାଣୀ, ଭଟ୍ଟାରିକା, ତାରାତାରିଣୀ, ଭୈରବୀ, ମା ମାଝିଘରିଆଣୀ ଇତ୍ୟାଦି ଅନେକ ପ୍ରସିଦ୍ଧ ଶକ୍ତି ଉପାସନା ପୀଠ ଓଡିଶାର କୋଣ ଅନୁକୋଣରେ ରହିଛି। ଏହି ସମସ୍ତ ପୀଠ ଓ ଗାଁ ଗାଁ ରେ ଥିବା ଗ୍ରାମଦେବତୀ ଙ୍କ ପାଖରେ ଧର୍ମବିଶ୍ବାସୀ ଓଡିଆ ମାନେ ବର୍ଷ ତମାମ ନିଜ ସୁଖଦୁଃଖ ଲାଗି ଆଶୀର୍ବାଦ ନେବା ଓ ଧନ୍ୟବାଦ ଦେବା ପାଇଁ ପହଞ୍ଚିଥାନ୍ତି। ତେବେ ବର୍ଷରେ କିଛିଦିନ ପାଇଁ ପରମ କଲ୍ୟାଣମୟୀ, ସନ୍ତାନବତ୍ସଳା ମା ନିଜେ ଘଟ ପ୍ରତିମା ରୂପରେ ବିଜେ ହୁଅନ୍ତି ଓ ଘର କୁ ଘର, ଗ୍ରାମ-ନଗର ବୁଲି ସନ୍ତାନର ଭଲମନ୍ଦ ବୁଝନ୍ତି। ମାତୃକୃପାର ଏମିତି ଏକ ନିଆରା ପରମ୍ପରା ହେଉଛନ୍ତି ଘଣ୍ଟ ପାଟୁଆ ପରିକ୍ରମା।
ଚୈତ୍ର ମାସର ପ୍ରବେଶ ସହିତ ଫଗୁଣ ଧିରେ ଧିରେ ଧରାପୃଷ୍ଠରୁ ମେଲାଣି ନେବାକୁ ପ୍ରସ୍ତୁତ ହୁଏ। ଖରା କ୍ରମଶଃ ଟାଣ ହେଉଥାଏ। ଏତିକିବେଳେ ଉପକୂଳ ଓଡିଶାର ପୁରପଲ୍ଲୀରେ ତାତିଲା ମଧ୍ୟାହ୍ନ ଓ କ୍ଳାନ୍ତ ଅପରାହ୍ନରେ ହଠାତ୍ ଗୁଞ୍ଜରି ଉଠେ ଘଣ୍ଟ ଓ ଢୋଲର ଏକ ଲୟବଦ୍ଧ ଯୁଗଳବନ୍ଦୀ। ସେ ସମ୍ମୋହନୀ ନାଦ ରେ ଶ୍ରଦ୍ଧାଳୁ ମନ ସହଜେ ଉଚ୍ଚାଟ ହୁଏ ଘର ଭିତରୁ ବାହାରି ଆସିବାକୁ। ମୁଣ୍ଡରେ ମା' ଙ୍କ ସୁସଜ୍ଜିତ ଘଟ ମୁଣ୍ଡାଇ କୃଷ୍ଣ ବସ୍ତ୍ର ପରିହିତ ପାଟୁଆ ଘଣ୍ଟ ଓ ଢୋଲ ବଜାଇ ବୁଲୁଥାନ୍ତି ଗାଁ ରୁ ଗାଁ, ଘର କୁ ଘର।
ମୂଖ୍ୟତଃ ମା ଚର୍ଚ୍ଚିକା, ମଙ୍ଗଳା, ଶାରଳା, ହିଙ୍ଗୁଳା, ଚଣ୍ଡୀ ଓ ଭଗବତୀ ଙ୍କ ଘଟ ଭ୍ରମଣ ପାଇଁ ଆସନ୍ତି। ଚୈତ୍ର ମାସରେ ମା ଙ୍କ ନିର୍ଦ୍ଧିଷ୍ଟ ଘଟ (ଯାହାକି ଶତାଧିକ ବର୍ଷ ଧରି ପ୍ରଚଳିତ) କୁ ନିକଟସ୍ଥ ନଦୀକୁ ନେଇ ବିଧିପୂର୍ବକ ଯଥାରୀତି ପ୍ରାଣପ୍ରତିଷ୍ଠା କରାଯାଏ। ଏହି ପ୍ରାଣ ପ୍ରତିଷ୍ଠିତ ପିତଳ ଘଟ ଟିକୁ ପ୍ରାୟ ଦୁଇ ଫୁଟ ଉଚ୍ଚ ଏକ କାଠଦଣ୍ଡ (ଯାହାର ତଳ ଓ ଉପର ଅଂଶକୁ ଏପରି ଭାବରେ ନିର୍ମାଣ କରାଯାଇଥାଏ ଯେମିତି ତଳ ଭାଗକୁ ମୁଣ୍ଡରେ ଥୋଇହେବ ଏବଂ ଉପର ଭାଗରେ ଘଟକୁ ଭଲଭାବରେ ସନ୍ତୁଳିତ କରି ରଖିହେବ) ଉପରେ ଚିକିଟା ମାଟି ସାହାଯ୍ୟରେ ଥାପି ଦିଆଯାଏ। ଯଦ୍ବାରା ଘଟଟି ସେହି ଦଣ୍ଡ ଉପରେ ଦୃଢ ଏବଂ ସ୍ଥିର ହୋଇ ରହିବ। ପରେ ଘଟକୁ ସୁନ୍ଦର ଭାବରେ ସଜାଯାଏ। କଦଳୀ ପଟୁଆ ରେ ଗୁନ୍ଥା ହୋଇଥିବା ମନ୍ଦାର ମାଳ, ଖଡିକାରେ ଗୁନ୍ଥା ହୋଇଥିବା ବିଭିନ୍ନ ରଙ୍ଗର କନିଅର ଫୁଲ ଓ ଚମ୍ପା କଢି, ହଳଦୀ, ସିନ୍ଦୁର,କଉଡି ଓ ରଙ୍ଗ ବେରଙ୍ଗ କେରି କେରି ସୂତାରେ ଚମତ୍କାର ଦେଖାଯାଏ ଦେବୀ ମା' ଙ୍କ ଘଟ। ଘଟର ତିନୋଟି ମୁହଁଥାଏ। ସମସ୍ତ ମୁହଁକୁ ସୁନ୍ଦର ଭାବେ ସଜେଇ ଦେବା ପରେ ଘଣ୍ଟ ଓ ଢୋଲର ତାଳେ ତାଳେ ଭକ୍ତ ମାନଙ୍କ ଜୟଘୋଷ ମଧ୍ୟରେ ଘଟ ପୀଠାଧିଶ୍ବରୀ ମା ଙ୍କ ମନ୍ଦିର ରୁ ଆଜ୍ଞାମାଳ ନେଇ ନଗରାଟ୍ଟନ ପାଇଁ ବାହାରେ।
ଘଟ ଧରି ଦୁଇ ବା ଚାରିଜଣ ପାଟୁଆ ଯାଆନ୍ତି। ପାଟୁଆ ମାନେ ବ୍ରାହ୍ମଣ ଭିନ୍ନ ଅନ୍ୟ ଜାତିର ହୋଇଥାନ୍ତି। ଏମିତି ବି ଓଡିଶାର ଅଧିକାଂଶ ଦେବୀପୀଠରେ ପୂଜକ ବ୍ରାହ୍ମଣ ନହୋଇ ଅନ୍ୟ ଜାତିର ହୋଇଥାନ୍ତି। କେତେକ ସ୍ଥାନରେ ଶୁଦ୍ର ମାନେ ଦେବୀଙ୍କ ନୀତି କାନ୍ତି କରିଥାନ୍ତି। ଏଥିରୁ ସହଜେ ବୁଝିହୁଏ ଯେ ଉତ୍କଳୀୟ ଜନଜୀବନ ଓ ସାମାଜିକ ସଂରଚନାରେ ଜାତିପ୍ରଥା ସେଭଳି ଉତ୍କଟ ଓ ଅମାନବୀୟ ରହିନାହିଁ। ପାଟୁଆ ମାନଙ୍କ ବେଶଭୂଷା ମଧ୍ୟ ସ୍ବତନ୍ତ୍ର। ସେମାନେ ପୁରୁଷ ହେଲେ ବି ନାରୀ ମାନଙ୍କ ଭଳି ବେଶ ପରିପାଟୀ ଧାରଣ କରନ୍ତି। ଅଣ୍ଟାରୁ ପାଦ ଯାଏଁ ଲମ୍ବିଥାଏ କଳା ରଙ୍ଗର ଖୁବ୍ ଘେରଥିବା ଘାଗରା (skirt) ଟିଏ ଏବଂ ଉପରକୁ କଳା ରଙ୍ଗର ଜାମା। ଉଭୟରେ ନାଲି, ହଳଦିଆ ରଙ୍ଗର ଧାରି କିମ୍ବା ସ୍ଥଳ ବିଶେଷରେ ଚୁମୁକି କିମ୍ବା ଅନ୍ୟ ଚିକିମିକି ଜରି ରେ କିଛି କାମ ହୋଇଥାଏ। ମଥାକୁ ଢାଙ୍କି ବନ୍ଧା ହୋଇଥାଏ ଆଉ ଖଣ୍ଡେ ବଡ କଳା କପଡା ଯାହାର ଦୁଇ କାନି ପାଟୁଆଙ୍କ ହାତ ବଳା କିମ୍ବା ଆଙ୍ଗୁଳିରେ ବନ୍ଧା ହୋଇଥାଏ। ତେବେ ସମଗ୍ର ଯାତ୍ରାକାଳ ଖାଲିପାଦରେ ବିତାଇଥାନ୍ତି ଏମାନେ, ଏଥିରୁ ଅନୁଭବ କରିହୁଏ ସେମାନଙ୍କ ନିଷ୍ଠା।
ପାଟୁଆ ମାନେ କେବଳ ପାଦରେ ଚାଲି ଚାଲି ଘଟ ମୁଣ୍ଡାଇ ବୁଲନ୍ତି। ଉଦୁଉଦିଆ ଦ୍ବିପ୍ରହରେ ଘଣ୍ଟ ବଜାଇ ଲୋକମାନଙ୍କୁ ମା ଆଗମନୀର ସୂଚନା ଦିଅନ୍ତି। ସାହିର ମଝାମଝି ମାଟି ଦାଣ୍ଡକୁ ଲିପିଦେଇ ମା ଲାଗି ଆସ୍ଥାନ ପ୍ରସ୍ତୁତ କରିଦିଅନ୍ତି ଓଡିଆ ଗୃହିଣୀ। ସେଇଠି ମଥାରୁ ଓହ୍ଲାଇ ଧରିତ୍ରୀ ବୁକୁରେ ଦଣ୍ଡାୟମାନ ହୁଏ ଘଟ। ଅହରହ ବାଜୁଥାଏ ଘଣ୍ଟ ଆଉ ଢୋଲ। ନିଜ ସାଧ୍ୟ ମୁତାବକ ଭୋଗ ଧରି ଉପସ୍ଥିତ ହୁଅନ୍ତି ଗ୍ରାମବାସୀ। ତତ୍ ପରେ ପାଟୁଆ ଆରମ୍ଭ କରନ୍ତି ପାରମ୍ପାରିକ ଘଣ୍ଟ ପାଟୁଆ ନୃତ୍ୟ। ମା ର ଘଟକୁ ମୁଣ୍ଡରେ ସନ୍ତୁଳିତ ଭାବରେ ଧରି ଧ୍ବନିର ତାଳେ ତାଳେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରନ୍ତି। ଅନେକ ଦୁଃସାହସିକ କୌଶଳ କରି ଦେଖାନ୍ତି। କେତେବେଳେ ରଣପା ପିନ୍ଧି ଚାଲନ୍ତି ତ କେବେପୁଣି ଦୁଇ ଖୁଣ୍ଟରେ ବନ୍ଧା ଦଉଡି ଉପରେ ବିନା କୌଣସି ସାହାରା ରେ ଚାଲନ୍ତି। ଏସବୁ ଆଧୁନିକ ବୁଦ୍ଧିକୁ ଆକ୍ରୋବାଟିକ ଭଳି ଲାଗୁଥିଲେ ମଧ୍ୟ ଏହା ପ୍ରକୃତ ପକ୍ଷେ ଯୋଗ। ଖୁବ ସାଧନା କରି ପାଟୁଆ ମାନେ ଏସବୁ ଯୋଗିକ କ୍ରିୟାରେ ପାରଙ୍ଗମ ହୋଇ ପାରିଛନ୍ତି। ତେବେ ସର୍ବୋପରି ଥାଏ ଜଗତଜନନୀ ମା ଙ୍କ ପ୍ରତି ଗଭୀର ଆସ୍ଥା, ଅଖଣ୍ଡ ବିଶ୍ବାସ ଓ ସମ୍ପୂର୍ଣ୍ଣ ସମର୍ପଣ ର ଭାବ। ଏକ ଉଲ୍ଲେଖନୀୟ ବ୍ୟତିକ୍ରମ ହେଉଛି, ଏହି ନୃତ୍ୟ ପାଇଁ କୌଣସି ପ୍ରକାର ଗୀତ, ଭଜନ, ଜଣାଣ ଇତ୍ୟାଦି ଗାନ କରାଯାଏ ନାହିଁ। ସମସ୍ତ କ୍ରିୟା କେବଳ ଢୋଲର ଥାପ ଏବଂ ଘଣ୍ଟର ଧ୍ବନି ତାଳେ ତାଳେ ହୁଏ। ନୃତ୍ୟ ସରିବା ପରେ ସମସ୍ତ ଭୋଗକୁ ଏକତ୍ର ମିଶାଇ ପଣା ପ୍ରସ୍ତୁତ କରି ମା ଙ୍କୁ ଅର୍ପଣ କରାଯାଏ। ସେହି ପଣାକୁ ପ୍ରସାଦ ଭାବେ, ମା ଙ୍କ ସିନ୍ଦୁର ସହିତ ସମବେତ ଜନତାଙ୍କୁ ବାଣ୍ଟି ଦିଆଯଏ। ଶେଷରେ ନିଜ କ୍ଷମତା ଓ ଶ୍ରଦ୍ଧା ଅନୁସାରେ ଚାଉଳ, ଡାଲି, ପନିପରିବା କିମ୍ବା ଟଙ୍କା, ଦକ୍ଷିଣା ଆକାରରେ ଦେଇ ଘଟକୁ ମେଲାଣି ଦିଆଯାଏ। ଏହି ଘଟ ପରିକ୍ରମା ପଣା ସଙ୍କ୍ରାନ୍ତି ବା ମହାବିଷୁବ ସଙ୍କ୍ରାନ୍ତି ଯାଏଁ ଚାଲେ।
କ୍ରମଶଃ ଏହି ପରମ୍ପରାର ପରିଧି ସଂକୁଚିତ ହେବାରେ ଲାଗିଛି। ପାଟୁଆ ହେବାପାଇଁ ନିଷ୍ଠା ଓ ଆଗ୍ରହର ଅଭାବ ସହିତ ଜନତାଙ୍କ ଉଦାସୀନତା ଏହାର ମୂଖ୍ୟ କାରଣ। ସହରର ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରୁ ନିର୍ଘାତ ଖରାବେଳେ ମା ର ଘଟ ଅବା ଘଟ ମୁଣ୍ଡାଉ ଥିବା ପାଟୁଆଙ୍କ ଅଭ୍ୟର୍ଥନା ପାଇଁ ଆଗ୍ରହ କମିଯାଇଛି। ମା ଲାଗି ଆସ୍ଥାନ ସଜାଡି ପାଟୁଆଙ୍କ ଅସାମାନ୍ୟ କଳା ଦକ୍ଷତା ଦେଖିବା ବଦଳରେ ତାଙ୍କ ହାତରେ ପଲିଥିନରେ ଭରି କିଛି ଫଳମୂଳ, ଧୂପ, ଆଉ କିଛି ଟଙ୍କା ବଢାଇଦେବାକୁ ସହଜ ମଣୁଛି ଆଜିର ଓଡିଆ। ଫଳତଃ ଯୋଗ,ଆଧ୍ୟାତ୍ମ, କଳା ଓ ସଂସ୍କୃତି ତଥା ଲୟବଦ୍ଧ ସଙ୍ଗୀତର ସମାଗମ କରୁଥିବା ଏହି ନିଆରା ପରମ୍ପରା କିଛି ବର୍ଷ ଭିତରେ ବିଲୁପ୍ତ ହୋଇଯିବା ଅସମ୍ଭବ ବା ଅତ୍ୟୁକ୍ତି ହେବ ନାହି।
ମା’ଙ୍କ ଅପାର କରୁଣାରୁ ଓଡିଆ ମାନଙ୍କ ମନରେ ପୁଣିଥରେ ଆଧ୍ୟାତ୍ମର ଉଦ୍ବେଳନ ହେଉ। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ପ୍ରତି ଆମ ରୁଚି ହିଁ ଉତ୍ତରପିଢି ପାଇଁ ଏସବୁକୁ ସଂରକ୍ଷିତ କରି ରଖିପାରିବା। ଏଭଳି ବୁଦ୍ଧି ଅଭିରୁଚି ଆମ ମାନଙ୍କ ଭିତରେ ବୃଦ୍ଧିପାଉ। ସଭିଏଁ ମାତୃକୃପା ପ୍ରାପ୍ତ ହୁଅନ୍ତୁ।
ଲିଙ୍କ୍ ରୋଡ଼, କଟକ
Go Back to Previous Page
ଦଣ୍ଡଯାତ୍ରା
ସନ୍ତୋଷ ପଟ୍ଟନାୟକ
Read Article
ସାମାଜିକ ସମାନତାର ପର୍ବ ଦଣ୍ଡନାଚ
ସନତ ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ