ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ନୈତିକ ଶିକ୍ଷାର ମୂଲ୍ୟବୋଧ
ମନୁଷ୍ୟର ମାନସିକ, ଭୌତିକ ଏବଂ ଚେତାନାତ୍ମକ ବିକାଶପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଶିକ୍ଷା ଏକ ଏପରି ସାଧନ ଅଟେ ଯାହା ମନୁଷ୍ୟକୁ ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ ଏବଂ ଶ୍ରେଷ୍ଠ କରି ଗଢ଼ି ତୋଳିଥାଏ।
ଶିକ୍ଷା ରହିତ ମନୁଷ୍ୟ ପଶୁସହିତ ସମାନ ହୋଇଥାଏ।
ଶିକ୍ଷା ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଗଢ଼ିତୋଳିବା ସହିତ ତା’ର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ।
ଶିକ୍ଷା ମନୁଷ୍ୟକୁ ମାନବିକ ମୂଲ୍ୟବୋଧର ଜ୍ଞାନ ଦେଇଥାଏ ଏବଂ ତାକୁ ସବୁ ପରିସ୍ଥିତି ଏବଂ ପରିବେଶରେ ଖାପଖୁଆଇ ଚାଲିବା ଶିଖେଇଥାଏ।
ସାମ୍ପ୍ରତିକ ସମାଜରେ ଶିକ୍ଷାକ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେଉଥିବାର ଦେଖାଯାଉଛି। ଗତ ଦୁଇଦଶନ୍ଧି ଧରି ଶିକ୍ଷାକ୍ଷେତ୍ରରେ ବିଜ୍ଞାନର ଅଭିବୃଦ୍ଧି ହେବା ସହ ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ଘଟିଛି। ମନୁଷ୍ୟ ପୁସ୍ତକମନସ୍କ ନହୋଇ କମ୍ପୁଟରମନସ୍କ ହୋଇଛି।
ଶିକ୍ଷାନୁଷ୍ଠାନମାନଙ୍କରେ black board ଛାଡି smart board ପଢ଼ା ଆରମ୍ଭ ହେଲାଣି। E-learning ସାହାଯ୍ୟରେ ଛାତ୍ରଛାତ୍ରୀମାନେ ଯେକୌଣସି ସ୍ଥାନରେ ଥାଇ ମଧ୍ୟ ଉଚ୍ଚମାନର ଜ୍ଞାନକୌଶଳ ଓ ଶିକ୍ଷା ପାଇପାରୁଛନ୍ତି।
ଏବେ hardcopyର ଯୁଗଗଲାଣି, softcopyର ଯୁଗ ହେଲାଣି। ଗୋଟିଏ ପଟରେ ଶିକ୍ଷାନୁଷ୍ଠାନ ମାନଙ୍କରେ ବୈଜ୍ଞାନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଶିକ୍ଷା ସୁଦୂରପ୍ରସାରି ହୋଇପାରିଛି କିନ୍ତୁ ଅନ୍ୟପଟେ ଛାତ୍ର ବିଶୃଙ୍ଖଳା ବୃଦ୍ଧି ପାଇଛି। ଅନୁଶାସନ ରହିତ ଛାତ୍ରଛାତ୍ରୀମାନେ କୁସଙ୍ଗର ବ୍ରତୀ ହେଉଛନ୍ତି। ଏହାର କାରଣ ଅନେକାଂଶରେ ଅସ୍ପଷ୍ଟ। ଏହାର ଏକ କାରଣ ହେଉଛି ନୈତିକ ଶିକ୍ଷାର ଅଭାବ। ଆଜି ଆମ ଶିକ୍ଷାବ୍ୟବସ୍ଥାରେ ନୂତନ ବୈଜ୍ଞାନିକ ସମ୍ମତ ତଥ୍ୟ ରଖାଯାଉଛି ସତ ହେଲେ ଠିକ୍ ଅନ୍ୟପଟରେ ପାଠ୍ୟଖସଡ଼ାର ନୈତିକଶିକ୍ଷା ସମ୍ବନ୍ଧୀୟ ବିଷୟ ଏବଂ କାର୍ଯପ୍ରଣାଳୀ କିଛିକାଂଶରେ କମ ହୋଇଥିବାର ମଧ୍ୟ ପରିଲିଖିତ ହେଉଛି। ତେବେ ଏଠାରେ ପ୍ରଶ୍ନ ଆସେ ନୈତିକ ଶିକ୍ଷା କଣ? ଏବଂ ଶିକ୍ଷାକ୍ଷେତ୍ରରେ ଏହାର ଆବଶ୍ୟକତା କଣ?
ପାଠକେ ଶିକ୍ଷା ବାସ୍ତବରେ ଦୁଇ ପ୍ରକାରର। ଗୋଟିଏ ବୈଷୟିକ ଶିକ୍ଷା ଅନ୍ୟଟି ନୈତିକ ଶିକ୍ଷା। ବୈଷୟିକ ଶିକ୍ଷା ବିଷୟଭିତ୍ତିକ ଶିକ୍ଷାକୁ ବୁଝାଏ ଯାହା ଛାତ୍ରଛାତ୍ରୀମାନଙ୍କୁ ବିଷୟ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥାଏ, ତାଙ୍କୁ ସ୍ବାବଲମ୍ବୀ କରାଏ କିନ୍ତୁ ନୈତିକ ଶିକ୍ଷା କହିଲେ ଆମେ ନୀତିଗତ ଓ ଆଦର୍ଶଭିତ୍ତିକ ଶିକ୍ଷାକୁ ବୁଝାଏ ଯାହା ମନୁଷ୍ୟକୁ ନୀତି, ଆଦର୍ଶବାଦ, ସ୍ବାଭିମାନ ଶିଖାଏ, ତାଙ୍କୁ ସମାୟାନୁବର୍ତୀ କରେ, ବାସ୍ତବ ଆଧ୍ୟାତ୍ମିକ ସମ୍ପର୍କରେ ଅବଗତ କରାଏ।
କିନ୍ତୁ ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ନୈତିକ ଶିକ୍ଷାକୁ ସେତେଟା ଗୁରୁତ୍ୱ ଦିଆଯାଉ ନାହିଁ। ପାଠ୍ୟଖସଡ଼ାରେ ଅତି ସ୍ବଳ୍ପ ନୈତିକ ଶିକ୍ଷାଭିତ୍ତିକ ବିଷୟ ଦେଖିବାକୁ ମିଳୁଛି ଏବଂ ଅତ୍ୟଧିକ ସରକାରୀ କାର୍ଯ୍ୟଭାର ହେଉ ବା ମାନସିକତାର ଅଭାବରୁ ହେଉ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଏଥିପ୍ରତି ସେତେଟା ଦୃଷ୍ଟି ଦେଉନାହାନ୍ତି।
ଯାହାଫଳରେ ଛାତ୍ରଛାତ୍ରୀମାନେ ସ୍ବାବଲମ୍ବୀ ହେଇପାରୁଛନ୍ତି ସତ ହେଲେ ସଂସ୍କାର ରହିତ, ନୀତି ଆଦର୍ଶବିହୀନ ହୋଇପଡୁଛନ୍ତି। ଯାହାଫଳରେ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଫଳବତି ହୋଇ ପାରୁନାହିଁ।
ତେଣୁ ସାମ୍ପ୍ରତିକ କଳୁଷିତ ସମାଜରେ ଏବଂ ଯନ୍ତ୍ରଚାଳିତ ଶିକ୍ଷାବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କୁ ସଂସ୍କାରିତ ଏବଂ ସାମଜିକ ପରାୟଣ କରିବାପାଇଁ ବୈଷୟିକ ଜ୍ଞାନକୌଶଳ ସହିତ ନୈତିକଶିକ୍ଷାକୁ ଗୁରୁତ୍ୱଦେବା ଅନିବାର୍ଯ୍ୟ ହୋଇପଡିଛି।
ସମ୍ପାଦକ, ବଣମଲ୍ଲି
ଅଧ୍ୟାପକ, ଉଦ୍ଭିଦବିଜ୍ଞାନ ବିଭାଗ,
ପତିତପାବନ ମହାବିଦ୍ୟାଳୟ
ଆନନ୍ଦପୁର, କେନ୍ଦୁଝର
prabinkabi94@gmail.com
7609077023
Go Back to Previous Page
ହେମନ୍ତ ରାଉତଙ୍କ ଗୀତିକବିତା
ଅଧ୍ୟାପିକା ରଞ୍ଜିତା ପାତ୍ର
Read Article
ନାରୀ ଓ ଲଜ୍ଜା
ଦମୟନ୍ତୀ ଜେନା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ