ପୃଥିବୀ ପୃଷ୍ଟରେ ଯେତେ ରକ୍ତପାତ ଘଟିଛି ସବୁ ଗୋରୁ, ଜୋରୁ, ଜଳ, ଜମି, ଜଙ୍ଗଲ ଓ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଅନେକ ଦେଶର ସୀମା ନିର୍ଦ୍ଧାରଣ କରାଯାଇ ପାରିନାହଁ। ଯଥା ଭାରତ-ଚୀନ, ଭରତ-ପାକିସ୍ତାନ, ଚୀନ-ୠଷିଆ, ଚୀନ-କୋରିଆ, ଚୀନ-ଭଏତନାମ ଏମିତି ଅନେକ। ଏଗୁଡ଼ାକୁ ମ୍ୟାକ୍ମୋହନ ଲାଇନ୍, ଡୁରାଣ୍ଡ ଲାଇନ୍, ରାଡ଼କ୍ଲିଫ ଲାଇନ୍ ଇତ୍ୟାଦି କୁହାଯାଏ।
ଯାଯାବର ଜୀବନଯାପନ ପରେ ମଣିଷ ସ୍ଥାୟୀଭାବରେ ବସବାସ କଲା। ବିରାଟ ପୃଥିବୀରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ସୀମା ସରହଦ କ’ଣ ଆବଶ୍ୟକ? ଯିଏ ଯେଉଁଠି ରହିପାରିଲେ ହେଲା। ସେତେବେଳେ ସୀମା ସରହଦ କିଛି ନଥିଲା। ତଥାପି ଜଣକ ଅଞ୍ଚଳରେ ଆଉ ଜଣେ ପ୍ରବେଶ କଲେ; ଲାଗୁଥିଲା ଯୁଦ୍ଧ। ଏପରିକି ପଶୁମାନେ ଦଳବଦ୍ଧ ଭାବରେ ବସବାସ କରୁଥିଲେ। ଗୋଟିଏ ସିଂହ ଦଳ ଭିତରେ, ଆଉ ଗୋଟିଏ ସିଂହ ପ୍ରବେଶ କଲେ ଦୁଇ ଦଳ ଭିତରେ ତୁମୁଳ ସଂଗ୍ରାମ ଲାଗୁଥିଲା। ଯେଉଁ ଦଳ ପରାଜିତ ହେଉଥିଲା, ସେ ସେଠାରୁ ପଳାଇ ଯାଇ ଅନ୍ୟ ଜାଗାରେ ଆଶ୍ରୟ ଲୋଡୁଥିଲା। ସମଭାବାପନ୍ନ ପଶୁ ଏକତ୍ର ବସବାସ କରୁଥିଲେ। କାହା ସହିତ କାହାର ନ ପଡ଼ିଲେ ସେ ଜାଗା ଛାଡ଼ି ଅନ୍ୟତ୍ର ପଳାଇ ଯାଉଥିଲା। ଏହା ଥିଲା କି ପଶୁ, କି ପକ୍ଷୀ, କି ମଣିଷ – ସମସ୍ତଙ୍କର ସହଜାତ ପ୍ରବୃତ୍ତି। ଏହାକୁ ହିଁ ମାନିବାକୁ ପଡୁଥିଲା। ଯଦି କେହି ଜଣେ ଜଣକ କଥା ନ ମାନିଲା ତାକୁ କହିଲେ - ଗୋଠ ଖଣ୍ଡିଆ। ତାକୁ ମାରି ମାରି ବିଦା କରି ଦେଉଥିଲେ। ଗାଁରୁ ବାସନ୍ଦ କରୁଥିଲେ। ପଶୁମାନଙ୍କଠାରୁ ଏ ସ୍ୱଭାବ ମଣିଷ ଉପଲବ୍ଧି କଲା।
ଦିନ ଥିଲା ମଣିଷ ଜଙ୍ଗଲରେ ବୁଲୁଥିଲା। ଆବଶ୍ୟକତା କିଛି ନଥିଲା। ଯାହା ମିଳୁଥିଲା ଖାଉଥିଲା। ସ୍ଥାୟୀ ଭାବରେ ବସବାସ କଲା। ଆବଶ୍ୟକତା ଆସ୍ତେ ଆସ୍ତେ ବଢ଼ିଲା। ତା ସହିତ ନୀତିନିୟମ ମଧ୍ୟ ତିଆରି ହେଲା। ପ୍ରଥମେ ପ୍ରଥମେ ସୀମା ସରହଦ କିଛି ମାନୁ ନଥିଲେ। ପୁରାଣ ଯୁଗକୁ ଯଦି ଆମେ ଲକ୍ଷ୍ୟ କିରିବା ଭାରତକୁ ଭାରତବର୍ଷ କହୁଥିଲେ। ଏଥିରେ ଅନେକ ଭାରତ ଥିଲା। ରାଜା ଭରତ ଦୁଷ୍ମନ୍ତଙ୍କ ପୁଅ ନାମ ଅନୁସାରେ ଏ ଦେଶର ନାମ ଭାରତ। ରାଜା ଭରତ ଅନେକ ରାଜ୍ୟ ଜୟ କରିଥିଲେ। ସେ ସବୁ ରାଜ୍ୟର ନାମ ଭାରତ ରଖିଥିଲେ। ତେଣୁ ଏହାକୁ ଭାରତବର୍ଷ କହୁଥିଲେ। ଭାଗବତ ପୁରାଣ ଅନୁସାରେ ଋଷଭଙ୍କ ପୁଅ ଧ୍ରୁବ ତାଙ୍କ ପୁଅ ପ୍ରହ୍ଲ୍ଲାଦ ପୁଅ ପ୍ରିୟବ୍ରତ ତାଙ୍କ ପୁଅ ଭରତଙ୍କ ନାମ ଅନୁସାରେ ଏ ଦେଶର ନାମ ଭାରତ। ଯେମିତି ସୋଭିଏତରୁ ସୋଭିଏତ୍ “ୟୁନିୟନ” ଏହି ୟୁନିୟନ “ବର୍ଷ” ସହିତ ସମାନ। ଯେମିତି ଆମେରିକାରେ ଇଉନାଇଟେଡ଼ ଲାଗଛି। ସେମିତି ଆମର ଭାରତରେ “ବର୍ଷ” ପ୍ରାନ୍ତ ଯୋଜକ ଭାବେ “ବର୍ଷ” ଲାଗିଛି “ସମୂହ” ଅର୍ଥରେ।
ସେତେବେଳେ ଦେଶର ସୀମା ନଦୀ ପାହାଡ଼ ପର୍ବତ ସମୁଦ୍ରକୁ ନେଇ ଧରାଯାଉଥିଲା। ମହାଦେଶ ଗୁଡ଼ିକର ସୀମା ସମୁଦ୍ରକୁ ନେଇ ଧରାଯାଉଥିଲା। ବରାହ ମିହିରଙ୍କ ଜୋତିଷ ଶାସ୍ତ୍ର ଅନୁସାରେ ସମୁଦ୍ରକୁ ସାତ ଭାଗରେ ବିଭକ୍ତ କରିଥିଲେ ଯଥା ଲବଣ ସାଗର, ସୁରା ସାଗର, ଆଉ ମଧ୍ୟ ସମଗ୍ର ପୃଥିବୀକୁ ୭ଭାଗରେ ବିଭକ୍ତ କରିଥିଲେ ଯଥା ୧. ଜମ୍ବୁ ଦ୍ୱୀପ -ଭାରତ (ଜାମୁ ଗଛ ଦେଖାଯାଏ ) ୨. ପ୍ଳକ୍ଷ ଦ୍ୱୀପ (ପଳାଶ ବା ଅଶ୍ୱସ୍ତ ଗଛ)- ଗ୍ରୀସ୍, ୩. ଶାଳ୍ମଳୀ ଦ୍ୱୀପ - ଆଫ୍ରକା ( ଶିମୁଳି ଗଛ ଦେଖାଯାଏ ), ୪.କୁଶ ଦ୍ୱୀପ -ଇରାନ୍ ( କୁଶ ଦେଖାଯାଏ ), ୫. କୌଂଚ ଦ୍ୱୀପ -କାଜଗାସ୍ତାନ (କାଂଟି ବଗ ଦେଖାଯାଆନ୍ତି ), ୬. ଶାକ ଦ୍ୱୀପ -ଇଣ୍ଡୋନେସିଆ (ଶାଗ ଗଛ ଦେଖାଯାଏ ), ୭. ପୁଷ୍କର ଦ୍ୱୀପ (ଜାପାନ) । ଯେଉଁ ଜାଗାରେ ଯାହା ଦେଖାଯାଉଥିଲା ତାହା ଅନୁସାରେ ସେହି ଜାଗାର ନାମକରଣ କରାଯାଇଥିଲା। ଏମିତି ତ ବହୁତ ଜାଗା ଅଛି ଯେଉଁଠାରେ ଯାହା ମିଳୁଛି ସେହି ଅନୁସାରେ ତା’ର ନାମ ହୋଇଛି। ପରିବେଶ ଅନୁସାରେ ଗଛ ବୃକ୍ଷ ଲତା ପଶୁ ପକ୍ଷୀ ଇତ୍ୟାଦି ରୂପ ନିଅନ୍ତି। ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ଗୋଟିଏ ପ୍ରକାରର ଜୀବଜନ୍ତୁ ପଶୁପକ୍ଷୀ ଜନ୍ମ ନିଅନ୍ତି। ଅନ୍ୟ ପରିବେଶରେ ଅନ୍ୟପ୍ରକାରର ହୁଅନ୍ତି। ପ୍ରକୃତି ଗୋଟିଏ ସୀମା ଭିତରେ କାମ କରେ। ସୀମାରେଖାାରୁ ବାହାରିଗଲେ ଅନ୍ୟ ଗୋଟିଏ ପ୍ରଜାତିର ହୁଏ। ଏଇତ ପ୍ରଭେଦ କୁକୁର ଓ ସିଂହ; ବିଲେଇ ଓ ବାଘ। ଏଇ ହେଲା ଡାରୱିନ୍ ଥିଓରି - ଅରିଜିନ୍ ଅଫ ସ୍ପେସିଜ “ଲ ଅଫ୍ ଭାରିଏସନ୍, ନେଚୁରାଲ ସିଲେକ୍ସନ ଓ ଇନିହେରିଟାନ୍ସ ଆଣ୍ଡ ଡାଇଭରସିଟି”। ଏଇ ହେଲା ପ୍ରଭେଦ ଏହି ହେଉଛି ପ୍ରକୃତିର ସୀମା ସରହଦ୍। ଲବକୁଶ ମଧ୍ୟରେ କୋଶଳ ଦୁଇଭାଗରେ ବିଭକ୍ତ ହୋଇଥିଲା। ଗଙ୍ଗାନଦୀକୁ ସୀମା କରି ଉତ୍ତର କୋଶଳ ଦକ୍ଷିଣ କୋଶଳ ହେଲ। ପାଟଣା ରାଜ୍ୟ ଦୁଇଭାଗରେ ବିଭକ୍ତ ହେଲା ଗୋଟିଏ ପାଟଣା ଓ ଅନ୍ୟଟି ସମ୍ବଲପୁର। ଏହାର ସୀମା ହେଲା ଗନ୍ଧମାର୍ଦ୍ଧନ ପର୍ବତ ଓ ଅଙ୍ଗ ନଦୀ। ଉଜୟିନୀ ନଗରୀ ଦୁଇଭାଗରେ ବିଭକ୍ତ ହୋଇଥିଲା ଯଥା – ୧. ଉଜୟିନର ୨. ମାହେଷ୍ମତି। ଏହି ଭଳି ଭାବରେ ସୀମା ନିର୍ଦ୍ଧାରଣ କରାଯାଉଥିଲା। ଇଂରେଜମାନେ ଓଡ଼ିଶାକୁ ଦୁଇଭାଗ କରିଥିଲେ। ମହାନଦୀ ଏହାର ସୀମାରେଖା ଥିଲା ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ। ଉତରାଞ୍ଚଳରେ ଜଣେ କମିଶନର ଓ ଦକ୍ଷିଣାଞ୍ଚଳରେ ଜଣେ କମିଶନର ଥିଲେ। ସେମାନେ ହେଲେ ୧୮୦୩ରେ ରବର୍ଟ କେର୍ ଓ ଚାର୍ଲର୍ସ ଗ୍ରୋମ୍ ପୁଣି ୧୮୦୪ରେ ଜନ୍ ମିଲିଭିଲ୍ ଓ ଜର୍ଜ ହାରକୋଟ୍। ଏହାଥିଲା ଇଂରେଜମାନେ ଓଡ଼ିଶା ଅଧିକାର କରିବାର ପରେ ପରେ ଅର୍ଥାତ୍ ୧୮୦୩ ପରେ। ସେମିତି ଭୌମମାନେ ତୋଷାଳିକୁ ଦୁଇଭାଗ କରିଥିଲେ – ଉତ୍ତର ତୋଷାଳି ଓ ଦକ୍ଷଣ ତୋଷାଳ। ବିଶାଳ କଳିଙ୍ଗ ସାମ୍ରାଜ୍ୟକୁ ଭାଗ ଭାଗ କରାଯାଇଥିଲା। କଳିଙ୍ଗ ଚୁଲ୍ଲୁ କଳିଙ୍ଗ ଓ ମଗ କଳିଙ୍ଗ। ଚୀନାମାନେ ମଙ୍ଗୋଲ ଅକ୍ରମଣର ପ୍ରତିରୋଧ କରିବାପାଇଁ ବିରାଟ ପ୍ରାଚୀର ନିର୍ମାଣ କରିଥିଲେ ( ଗ୍ରେଟ୍ ୱାଲ ଅଫ୍ ଚାଇନା ୨୩୨ ବିସି)। ପୂର୍ବଜର୍ମାନୀ ଓ ପଶ୍ଚିମ ଜର୍ମାନୀ ମଝିରେ ବାଡ଼ ପଡିଲା। ବ୍ରାଣ୍ଡେନ୍ସବର୍ଗ ପ୍ରାଚୀର।
ପୃଥିବୀର ପ୍ରଥମ ସଭ୍ୟତା ମିଶରରେ ସୃଷ୍ଟି ହୋଇଥିଲା। ମିଶରରେ ବିଭିନ୍ନ ରାଜ ବଂଶ ଶାସନ କରିଥିଲେ। ମେସୋପଟମିଆର ଲୋକେ ଯାଯାବର ଥିଲେ। ଏହି ଅଂଚଳ ମରୁଭୂମି। ଖାଦ୍ୟ ଅନ୍ୱେଷଣ ପାଇଁ ଓଟ ପିଠିରେ ଏମାନେ ମାଇଲ୍ ମାଇଲ୍ ଧରି ବୁଲୁଥିଲେ। ସେମାନେ ସୀମା ସରହଦ କଥା କିଛି ବୁଝୁନଥିଲେ। ତଥାପି ମେସୋପଟମିଆରେ ଅନେକ ସଭ୍ୟତାର ସାକ୍ଷର ଆମେ ଦେଖିବାକୁ ପାଉ। ଯଥା ବେବିଲୋନିଆ, ଆକାଡ଼ିୟ ହିଟ୍ଟି - ଏମାନଙ୍କର ସୀମା ସରହଦ ଥିଲା। କେଉଁଠି କେଉଁ ରାଜବଂଶ ଲୋପ ପାଇଗଲେ ଅନ୍ୟ ଏକ ରାଜ ବଂଶ ଗଢ଼ି ଉଠୁଥିଲା ମେସୋପଟମିଆ ସଭ୍ୟତା ପରେ ଗ୍ରୀକ୍ ସଭ୍ୟତା ଆରମ୍ଭ ହେଲା। ଗ୍ରୀକ୍ ଓ ପର୍ଶିଆ ମଧ୍ୟରେ ଉପନିବେଶ ନେଇ ଅନେକ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ଟ୍ରୟ ଯୁଦ୍ଧଭାବେ ପରିଚିତ। ଟ୍ରୟ ଯୁଦ୍ଧର ଘଟଣା ଖ୍ରୀ.ପୂ. ୧୨୫୦ – ଏଇଟା ଗ୍ରୀକ୍ର ପାରସ୍ୟକୁ ପଦାନତ କରି ଉପନିବେଶ ସ୍ଥାପନ କରିବାପାଇଁ ଥିଲା। ଗ୍ରୀକ୍ ମାନେ କୃଷ୍ଣସାଗର ଓ ମାରମେଡେ଼ା ସାଗର କୂଳେ କୂଳେ ଉପନିବେଶ ସ୍ଥାପନ କରିବାପାଇଁ ଏହି ଯୁଦ୍ଧ କରିଥିଲେ। ଟ୍ରୟ ନଗରୀ ଏହି ମାରମେଡ଼ା ସାଗରରୁ ଏଜିଆନ ସାଗର ପ୍ରଣାଳୀର କୂଳରେ ଅବସ୍ଥିତ ଥିଲା। ତେଣୁ ଗ୍ରୀକ୍ ମାନଙ୍କ ସମୟରେ ସୀମା ବିବାଦ ରହିଥିଲା। ଗ୍ରୀକ୍ ମାନଙ୍କର ସେମିତି କିଛି ଭୂଖଣ୍ଡ ନଥିଲା। ଗ୍ରୀକ୍ ହେଉଛି ଛୋଟ ଛୋଟ ଦ୍ୱୀପ ସମୂହ। ମୂଳ ଭୂଖଣ୍ଡରେ ପାହାଡ଼ ପର୍ବତ। ତେଣୁ ଗ୍ରୀକ୍ ମାନଙ୍କ ସମୟରେ ସୀମା ବିବାଦରୁ ଜଣାପଡୁଛି ସେ ସମୟରେ ସୀମା ଥିଲା। ରାମାୟଣ ଯୁଗରେ ରାମ ରାବଣ ଯୁଦ୍ଧ ହୋଇଥିଲା। ରାବଣର ରାଜ୍ୟ ଲଙ୍କାପୁରୀ। ରାମଚନ୍ଦ୍ରଙ୍କର ରାଜ୍ୟ ଜମ୍ବୁଦ୍ୱୀପ। ମଝିରେ ସୀମା ସମୁଦ୍ର ଥିଲା। ତେଣୁ ଯୁଗେ ଯୁଗେ ସୀମା ସରହଦ ଥିଲା। କୌଟିଲ୍ୟଙ୍କ ଅର୍ଥ ଶାସ୍ତ୍ରରୁ ଜମିର କର ବିଷୟରେ ଜଣାପଡେ଼। ପ୍ରାଚୀନ ମଗଧ ଆଉ କୋଶଳ ମଧ୍ୟରେ ଗଙ୍ଗାନଦୀ ସୀମା ନିର୍ଦ୍ଧାରଣ ହୋଇଥିଲା। ପରେ କୋଶଳର ଘନଘନ ଆକ୍ରମଣ ଫଳରେ ଅଜାତଶତୃ ତାଙ୍କର ରାଜଧାନୀ ଗଙ୍ଗାନଦୀକୂଳ ପାଟଣା(ପାଟଳିପୁତ୍ର)କୁ ଉଠାଇ ଆଣିଲେ।
ମଧ୍ୟଯୁଗରେ ଦେଶର ସୀମା କେତେବେଳେ ବଢ଼ୁଥିଲା ତ କେତେବେଳେ କମୁଥିଲା। ଉଦାହରଣ ସ୍ୱରୂପ କଳିଙ୍ଗ ଦେଶର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଥିଲା। କେତେବେଳେ ସାମ୍ରାଜ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଅନ୍ୟ ସାମ୍ରାଜ୍ୟ ସହିତ ମିଶି ଯାଉଥିଲା। ଅଶୋକଙ୍କ ସମୟରେ ଭାରତ ଏକତ୍ରିତ ହୋଇଥିଲା। ତାଙ୍କ ପରେ ତାଙ୍କ ବଂଶଧରମାନେ ଏହାକୁ ରକ୍ଷା କରିପାରିଲେ ନାହିଁ। ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ପୁଣି ସମୁଦ୍ରଗୁପ୍ତଙ୍କ ସମୟରେ ଏକତ୍ରିତ ହେଲା। ଏମିତି ଆଲ୍ଲାଉଦ୍ଧିନି ଖିଲିଜ୍ ଓ ଆକବରଙ୍କ ସମୟରେ ଭାରତ ଏକତ୍ରିତ ହୋଇଥିଲା। ରାଷ୍ଟ୍ରର ସୀମା ସରହଦର କୌଣସି ନିର୍ଦ୍ଧିଷ୍ଟତା ନଥିଲା। ସେହିପରି ଖଣ୍ଡ ବା ବିଶିର ସୀମା ନିର୍ଦ୍ଧାରଣ କରାଯାଇଥିଲା। ମଣ୍ଡଳର ସୀମା ମଧ୍ୟ ନିର୍ଣ୍ଣୟ କରାଯାଇଥିଲା। ଆମେ ନନ୍ଦ, ତୁଙ୍ଗ, ଭଞ୍ଜ, ଭୌମ, ଶୌଳୋଦ୍ଭବୀମାନଙ୍କ ତମ୍ବାପଟାରୁ ସୀମା ବିଷୟରେ ଆମର ଧାରଣା ହୁଏ। ଭାଷାଭିତିରେ ସୀମା ନିର୍ଦ୍ଧାରଣ ଆଉ ଏକ ବଳିଷ୍ଠ ମାଧ୍ୟମ ଥିଲା। ଗୋଟିଏ ନିର୍ଦ୍ଧିଷ୍ଟ ଅଂଚଳର ଲୋକେ ଗୋଟିଏ ନିର୍ଦ୍ଧିଷ୍ଟ ଭାଷା କହୁଥିଲେ। ଯେଉଁଠାରେ ଭାବର ଆଦାନପ୍ରଦାନ ଅଭାବ ଥିଲା ସେଠାରେ ଭାଷା ନିର୍ଦ୍ଧିଷ୍ଟ ଆକାର ଧାରଣ କରିଥିଲା। ଉଦାହରଣ ସ୍ୱରୂପ ସାନ୍ତାଳି ଭାଷା ଗୋଟିଏ ନିର୍ଦ୍ଧିଷ୍ଟ ଅଂଚଳରେ ସୀମିତ ଥିଲା। ସେମିତି କୁଇ ଭାଷା ଗୋଟିଏ ନିଦ୍ଧିଷ୍ଟ ଅଂଚଳରେ ସୀମାବଦ୍ଧ ଥିଲା। କିନ୍ତୁ ଓଡ଼ିଆଭାଷା ଗଙ୍ଗାରୁ ଗୋଦାବରୀ ସୀମାଯାଏ ବିସ୍ତାର ଲାଭ କରିଥିଲା। ଏହା କେବଳ ଗମନାଗମନ ଓ ଶାସନଗତ ଦୃଷ୍ଟିରୁ ଏକତ୍ରିତ ରହିଥିଲା। ଆଉ ମଧ୍ୟ ଲୋକମାନଙ୍କର ଆଗ୍ରହ ଗୋଟିଏ କାରଣ ଥାଇପାରେ।
ମଧ୍ୟଯୁଗରେ ଜମିଜମାକୁ ହଳମାଳ ଆକାରରେ ମାପୁଥିଲେ। ସେହି ଅନୁସାରେ କରଧାର୍ଯ୍ୟ ହେଉଥିଲା ଜମିର ସୀମା ପୂର୍ବରେ ବଡ଼ ପଥର ପଶ୍ଚିମରେ ବରଗଛ ଉତ୍ତରରେ ନଦୀ ଦକ୍ଷିଣରେ ଦଣ୍ଡା ଏମିତି ନର୍ଣ୍ଣୟ କରାଯାଉଥିଲା। ଏହି ବ୍ୟବସ୍ଥା କେଶରୀମାନଙ୍କ ପର୍ଯ୍ୟନ୍ତ ଥିଲା। ଗଙ୍ଗମାନଙ୍କ ସମୟରେ ଏକ ବିରାଟ ପରିବର୍ତନ ହେଲା। ଜମିଜମାର ମାପ ଗୁଣ୍ଠ ମାଣ ନଳ ଭିଆଣ ମାଧ୍ୟମରେ ଆରମ୍ଭ ହେଲା। ତଥାପି ଗ୍ର୍ରାମର କୌଣସି ନିର୍ଦ୍ଧିଷ୍ଟ ସୀମା ନଥିଲା। ଯିଏ ଯେଉଁ ଜାଗାରେ ବସତି ସ୍ଥାପନ କରିପାରୁଥିଲା ସେହି ଜମି ସେହି ଅଂଚଳର ମାଲିକ ଭାବରେ ପରିଚିତ ହେଉଥିଲେ। ଜମିର ସେତେ ଆବଶ୍ୟକତା ନଥିଲା। ଅନେକ ଜମି ଆବାଦ ନହୋଇ ପଡ଼ିରହିଥିଲା। ସେତେବେଳେ ନକ୍ସା ନଥିଲା। ପ୍ରଥମେ ଗ୍ରାମକୁ ପାଟକ ପାଟଣା କହୁଥିଲେ। ପରେ ମୁସଲମାନ୍ ମାନେ ଗ୍ରାମକୁ ମୌଜା କହିଲେ। ବିଷୟ ମଣ୍ଡଳ ଉଠିଗଲା ତା’ ଜାଗାରେ ଗଡ଼ ସୁବା ସୃଷ୍ଟି ହେଲା। କେତେଗୁଡ଼ିଏ ବିଷୟକୁ ଏକତ୍ର କରାଯାଇ ଗଡ଼ ସୃଷ୍ଟି ହେଲା। ଏହା ଗଙ୍ଗମାନଙ୍କ ସମୟରେ ହେଲା। ମୁସଲମାନମାନଙ୍କ ସମୟରେ ପୁଣି ପରଗଣା ସୃଷ୍ଟି ହେଲା। ଇଂରେଜମାନଙ୍କ ସମୟରେ କିଲ୍ଲା ରାଜ୍ୟ ସୃଷ୍ଟି ହେଲା। ଥାନା ଏକ ପାର୍ଶୀ ଶବ୍ଦ। ମୁସଲମାନମାନଙ୍କ ସମୟରେ ଦାରୁଗା କଟୁଆଳ ନିଯୁକ୍ତି ହୋଇଥିଲେ। ଥାନା କାଁ ଭାଁ ଥିଲା। ଏହି ଇଂରେଜମାନଙ୍କ ସମୟରେ ଥାନା ଡାକ୍ତରଖାନା ସ୍କୁଲ ଆଦି ସ୍ଥାପନ କରାଗଲା। ସୀମା ସରହଦ କଥା ଖୋର୍ଦ୍ଧା ରାଜାଙ୍କ ଚିଠାଉରୁ ଜଣାପଡେ଼ ଏହା ତଳେ ଦିଆଗଲ। -
“ଶ୍ରୀ ବୀର କେଶରୀ ଦେବଙ୍କର ମୀନ ୧୮ କଦିନ। ସିଦ୍ଧ ଶ୍ରୀ ବାହାଦୂର ଖାଁ ଦିଆନଙ୍କର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ସେବକମାନଙ୍କୁ ଚିଟାଉ। ନରସିଂହପୁର ସୀମନା ପଦାମାଳ ଆଶିନ୍ ୧୮ଦିନ ଲେଖିଲୁ। ରାଜା ରଘୁଜୀଉ ମୀର ହବିବୁଲ୍ଳ ଖାଁ ଘୋଡ଼ାରେ ଅଇଲେ। ଆମ୍ଭେ ଫୁଲଝରିଠାରେ ମୁଲାକାତ୍ କଲୁ। ତାଙ୍କୁ ଦଶପଲ୍ଳା ସୀମା ବେଲପଡ଼ା ଠାରେ ପାରକରି ନରସିଂହପୁର ସୀମାରେ କରି ବଡଆସ୍ୱି ଆଠଗଡ ସୀମାରେ ଘେନି କଟକ ଗଲୁଁ। ପରମେଶ୍ବରଙ୍କୁ ସେବା କରୁଥିବ। ଆମ୍ଭେ ଏଠାରେ ଥିବାରୁ ଓଡିଶା ସରହଦକୁ ନ ଯିବାର ଜାଣିବ।” ଭୋଇବଂଶର ରାଜାମାନଙ୍କର ରାଜ୍ୟକୁ ଓଡ଼ିଶା କହୁଥିଲେ। ରାମଚନ୍ଦ୍ରଦେବ ରାଜ୍ୟହରା ହୋଇ ଦଶପଲ୍ଲା ପରେ ନରସିଂହପୁର ଦେଇ ଯାଇଥିଲେ। ସେ ଖୋର୍ଦ୍ଧା ସୀମା ସରହଦକୁ ଯିବାକୁ ମନା କରି ଚିଠା ଲେଖିଥିଲେ।
ସରହଦ୍ ଏକ ପାର୍ଶୀ ଶବ୍ଦ। ଗଙ୍ଗମାନେ ଯେତେବେଳେ ଗଡ଼ ସ୍ଥାପନ କଲେ ସେତେବେଳେ ଗ୍ରାମମାନଙ୍କର ସୀମା ସଦହଦ୍ ନିର୍ଣ୍ଣୟ କରାଗଲା। ହେଲେ ଏହାର ନକ୍ସା ନଥିଲା ଜମି ଉପରେ ଚିହ୍ନରଖି ନିର୍ଣ୍ଣୟ କରାଯାଉଥିଲା। ନଦୀ ନାଳ ଗୋହିରୀ ଗୋପଥ ଦଣ୍ଡାକୁ ନେଇ ସୀମା ଧରାଯାଇଥିଲା। ମୁସଲମାନମାନେ ଦେଶକୁ ଦଣ୍ଡାରୁ ଦଣ୍ଡପାଟ ଓ ସରରୁ ସରକାରରେ ବିଭକ୍ତ କରିଥିଲେ। ଯଥା କୋଦିଣ୍ଡା ଦଣ୍ଡପାଟ (ବିରିବାଟୀ ଅଂଚଳ) ଜଳେଶ୍ୱର ସରକାର, କଟକ ସରକାର, ରାଜମାହେନ୍ଦ୍ରୀ ସରକାର। ସେତେବେଳେ ଜମିର ଆବଶ୍ୟକତା ଲୋକମାନେ ଉପଲବ୍ଧି କଲେଣି। ମନେକରନ୍ତୁ ଜଙ୍ଗଲ ଭିତରେ ଗୋଟିଏ ଗାଁ ଅଛି ତା’ର ସୀମା କଣ? ଚାରିପଟ ଜଙ୍ଗଲ କାହାକୁ ସୀମା ଧରାଯିବ। ସୀମା ପ୍ରଥମେ ଆରମ୍ଭ ହେଲା ସମତଳ ଜାଗାରେ ବା ନଦୀ ଅବବାହିକା ଅଂଚଳରେ। ଯେଉଁ ଗାଁର ଲୋକେ ଯେତେ ଜମି ଅଧିକାରରେ ରଖନ୍ତି ସେ ଗାଁର ସୀମା ସେତିକି ପର୍ଯ୍ୟନ୍ତ। ଗାଁର ସୀମା ରାସ୍ତାକୁ ଲାଗିକି ରଖାଯାଉଥିଲା। ରାଜ୍ୟର ସୀମା ମଧ୍ୟ ରାସ୍ତାକୁ ଲାଗି ରହୁଥିଲା। ଗାଁରେ ମଧ୍ୟ ଜଙ୍ଗଲ ରହୁଥିଲା। ଜଙ୍ଗଲ ଉପରେ ଲୋକେ ନିର୍ଭର କରୁଥିଲେ। ଗାଁର ସୀମାକୁ ଜଳାଶୟ ରହୁଥିଲା ତେଣୁ କୁହାଯାଏ ସରହଦ ସର+ହଦ= ସରହଦ। ସର ଅର୍ଥ ପୋଖରୀ ହଦ ଅର୍ଥ ଜଳ ଜମି ରହୁଥିବା ଜାଗା। ଅର୍ଥାତ୍ ସମତଳ ଅଂଚଳ। ସୀମା ବିବାଦ ନେଇ ଗଡଜାତ ରାଜାମାନଙ୍କ ମଧ୍ୟରେ ଅନେକ ଯୁଦ୍ଧ ହୋଇଛି ତାହା ଲେଖକମାନଙ୍କଦ୍ୱାରା ଲେଖା ହୋଇ ରହିଛି। ଯଥା ବଡ଼ାମ୍ବା-ନରସିଂହପୁର, ଢେଙ୍କାନାଳ-ଅନୁଗୋଳ, ଅନୁଗୋଳ-ଦଶପଲ୍ଲା, ଢେଙ୍କାନାଳ-ମଧୁପୁର, କେନ୍ଦୁଝର-ପାଲଲହଡ଼ା, ନୟାଗଡ଼-ଘୁମୁସର ବାଙ୍କୀ-ତିଗିରିଆ, ଖୋର୍ଦ୍ଧା । ଏଗୁଡ଼ାକ ବର୍ଡର ଡିସ୍ପ୍ୟୁଟ୍ କହନ୍ତ। ଏବେ ମଧ୍ୟ ଓଡ଼ିଶା-ଆନ୍ଧ୍ର, ଓଡ଼ିଶା-ପଶ୍ଚିମ ବଙ୍ଗ ଓଡ଼ିଶା ଛତିଶଗଡ଼ ମଧ୍ୟରେ ବର୍ଡର ଡିସ୍ପ୍ୟୁଟ୍ ରହିଛି।
ଗାଁର ସୀମା ସରହଦ ୧୮୨୯ରେ ବାରହାଣ୍ଡିଆ ସାହେବ ସ୍ଥାପନ କରିଥିଲେ। ସେ ବର୍ଡର ଲାଇନ୍ ଫିକ୍ସ କରିଥିବାରୁ ତାଙ୍କୁ ବାରହାଣ୍ଡିଆ ସାହେବ କହୁଥିଲେ। ସେ ଅଳ୍ପଦିନ ପାଇଁ ଓଡ଼ିଶାର କମିଶନର ଥିଲେ। ତାଙ୍କରି ସମୟରେ ଗାଁର ସୀମା ନିର୍ଦ୍ଧାରଣ କରି ପଥର ପୋତା ଯାଇଥିଲା। ତେଣୁ ତାଙ୍କୁ ବାରହାଣ୍ଡିଆ କମିଶନର କହନ୍ତି। ୧୮୨୯ ବେଳକୁ ଜମିର ନକ୍ସା ତିଆରି ହେଲାଣି କିନ୍ତୁ ସବୁ ଜାଗାର ନକ୍ସା ତିଆରି ହୋଇନଥିଲା। ୧୯୦୦ ମସିହା ବେଳକୁ ସବୁ ଅଂଚଳର ନକ୍ସା ତିଆରି ହୋଇସାରିଲାଣି। ହେଲେ ମଧ୍ୟ ଜୟପୁର ଏଜେନ୍ସୀ ୧୯୪୭ ମସିହା ସୁଦ୍ଧା କାଡେ଼ଷ୍ଟ୍ରାଲ ମ୍ୟାପ ତିଆରି ହୋଇପାରି ନଥିଲା। ସ୍ୱାଧୀନତା ପରେ ଓଡ଼ିଶା ସରକାର ସର୍ଭେ କରି ମ୍ୟାପ ପ୍ରସ୍ତୁତ କଲେ। ଗାଁର ସୀମା ମୌଖିକ ଭାବରେ ଥିଲା। ଯେଉଁଠି କିଛି ଗଣ୍ଡଗୋଳ ଥିଲା ତାକୁ ଠିକ୍ ଭାବରେ ତର୍ଜମା କରି ସୀମା ସରହଦ ନିର୍ଣ୍ଣୟ କରାଗଲା।
ପୂର୍ବକାଳରେ ଗ୍ରାମମାନଙ୍କରେ ଜାଗା ପଡ଼ିରହିଥିଲା। ରାଜାମାନେ ବେଠି ଖଟାଇ ପ୍ରଜାମାନଙ୍କର ପରିଶ୍ର୍ରମରେ ଜଙ୍ଗଲ ଧୁଣ୍ଡି ଓଳାଉଥିଲେ। ଜାଗା ସଫା ରଖୁଥିଲେ। ସେତେବେଳେ ଯିଏ ଯେଉଁ ଜାଗାରେ ଯାହା କରୁଥିଲା ତାହା ତା’ର ଥିଲା। ସେତେବେଳେ ଲୋକମାନେ ଜମିର ଧାର୍ଯ୍ୟ କର ଦେଇପାରୁ ନଥିଲେ। ତେଣୁ ଲୋକେ ଚାଷ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ଜାଗାକୁ ସମତଳ କରି ଚାଷ କରିବା ଏକ ସମସ୍ୟା ଥିଲା। ଗାଁର ଜମିଜମାର କର ସଂଗ୍ରହ କରିବାର ଦାୟିତ୍ୱ ଗାଁ ସର୍ବାରାକାରଙ୍କର ଥିଲା। ସେ ଲୋକମାନଙ୍କଠାରୁ କର ଶସ୍ୟ ଆକାରରେ ସଂଗ୍ରହ କରି ରାଜାଙ୍କ ଖମାରରେ ବୁଝାଉ ଥିଲେ। ରାଜାଙ୍କର ବଡ଼ ବଡ଼ ଖମାର ଥିଲା। ଏବେ ସିନା ରାଜକୋଷରେ ଟଙ୍କା ଆକାରରେ ଜମା କରାଯାଉଛି। ସେତେବେଳେ ଶସ୍ୟଆକାରରେ କର ଆଦାୟ କରାଯାଉଥିଲା। ପରେ ଏହା ଅଧେ ଶସ୍ୟ ଆକାରରେ ଆଉ ଅଧେ ଟଙ୍କା ଆକାରରେ ଦେବାକୁ ହେଉଥିଲା। ଗାଁର ସର୍ବାରାକାର ଗାଁର ସର୍ବେସର୍ବା ଥିଲେ। ସର୍ବରାକାର କାହିଁକି କହନ୍ତି ସର୍ବ+ଆକର = ସର୍ବରାକାର, ସର୍ବ ଅର୍ଥ ସବୁ, ଆକର ଅର୍ଥ କର। ଆଉ ମଧ୍ୟ ସର୍ବରୀ କହନ୍ତି। ଜଣେ ଯଦି ଗୋଟିଏ ଜମି ଚାଷ କରିଛି ଧାନ କାଟିଲା ବେଳକୁ ଗାଁର ସର୍ବାରାକାର ଆଉ ଜଣକୁ ଧାନ କାଟିବା ପାଇଁ କହି ଦେଉଥିଲା। ସେତେବେଳେ ଏହିପରି କ୍ଷମତା ସର୍ବରାକାରମାନଙ୍କର ଥିଲା। ଚାଷିମାନେ ଅନେକ ଅସୁବିଧାରେ ଚାଷ କରୁଥିଲେ। ଗାଁର ସୀମ କେତେବେଳେ ନିର୍ଦ୍ଧାରଣ କରାଯାଇଥିଲା କୁହାଯାଇ ପରିବ ନାହିଁ କାରଣ ୧୮୨୯ରେ ପ୍ରଥମେ ଭିଲେଜ ବାଉଣ୍ଡେରୀ ନିର୍ଦ୍ଧାରଣ କରାଗଲା। ତା ପୂର୍ବରୁ ଗାଁର ସୀମା ଥିଲା। ଯାହାର ନକ୍ସା ନଥିଲା। ଚିହ୍ନ ହିସାବରେ ଗାଁ ସରହଦ ଧରାଯାଇଥିଲା। ପଥର ରାସ୍ତା ନାଳ ନଦୀ ଗୋହିରୀ ଗୋପଥ ଅଦିକୁ ନେଇ ସୀମା ନିର୍ଦ୍ଧାରଣ କରାଯାଉଥିଲା। ସୀମା ତୁଣ୍ଡେ ତୁଣ୍ଡେ ଥିଲା।
ଜମିଜମା ମାପଚୁପ ରାଜା ଅନଙ୍କଭୀମଦେବ ସମୟରୁ ଆରମ୍ଭ ହୋଇଥିଲା। ଏହାର ନକ୍ସା ନଥିଲା। ଖାଲି ମୌଖିକ କର ଧାର୍ଯ୍ୟ କରାଯାଉଥିଲା। ଶେରଶାହ ମଧ୍ୟ ଜମିଜମା ବନ୍ଦୋବସ୍ତ କରିଥିଲେ। ତାପରେ ଆକବରଙ୍କ ସମୟରେ ତୋଡରମଲ୍ଲ ଜମିଜମା ବନ୍ଦୋବସ୍ତ କରିଥିଲେ।
ଏହି ଭଳି ଭାବରେ ଭୂମିର ମୀମା ଚିହ୍ନରୁ ନକ୍ସାକୁ ରୂପାନ୍ତରିତ ହେଲା। ବର୍ତମାନ ସେହି ସୀମା ସରହଦ ରହି ଆସିଛି। ଗାଁକୁ ଜମିର ଏକକ ଭାବରେ ଗ୍ରହଣ କରାଯାଇଛି। ପ୍ରଥମେ ଯେତେବେଳେ ନକ୍ସା ପ୍ରସ୍ତୁତ ହେଲା ସେତେବେଳେ ଗାଁକୁ ଏକକ ଭାବରେ ଗ୍ରହଣ କରାଯାଇଥିଲା। ଏବେ ସୀମାରେ ଆଉ ପଥର ପୋତା ଯିବନି। ସେଟେଲମେଂଟ ପରେ ସୀମା ପଥରକୁ ଲୋକେ ଖୋଳି ନେଇ ନଷ୍ଟ କରିଦେଉଥିଲେ। ଏବେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ଦ୍ୱାର ଅକ୍ଷାଂଶ ଦ୍ରାଘିମାଦ୍ୱାରା ଜମିର ସୀମା ନିର୍ଦ୍ଧାରଣ କରାଯିବ। ଟିକିଏ ଏପଟ ସେପଟ ହେବ ନାହିଁ କି ପଥର ପୋତା ଯିବ ନାହିଁ। କି ପଥର ନଷ୍ଟକରିବାର ଭୟ ରହିବ ନାହିଁ। ଏବେ ପୃଥିବୀ ସଂକୁଚିତ ହେବାକୁ ବସିଲାଣି। ଦିନ ଆସିବ ପୃଥିବୀ ଏକାକାର ହୋଇଯିବ। ନଥିବ ସୀମା ବିବାଦ। ନଥିବ ମୁଁ ତୁ। ନଥିବ ଭେଦଭାବ।
ଆର୍ଯ୍ୟମାନଙ୍କର ସେହି ମହତ ବାକ୍ୟରେ ଆମେ ଅନୁପ୍ରାଣିତ ହେବୁ ; ପୃଥିବୀକୁ “ବସୁଧୈବ କୁଟୁମ୍ବକମ”ରେ ପରିଣତ କରିବୁ।
ଏଲ୍ - ୨୪୨ / ଫେଜ-୧, ଡୁମୁଡୁମା ହା.ବୋ. ଭୁବନେଶ୍ୱର-୧୯, (ମୋ-୯୭୭୭୧ ୪୩୪୮୫)
Go Back to Previous Page
ଆଉ ସେ ମଜା ନାହିଁ
ବିପ୍ର ନାରାୟଣ ଦାସ
Read Article
ପରିତ୍ୟକ୍ତ ପଦ୍ମିନୀ ଓ ସ୍ବାସ୍ଥ୍ୟସେବା
ବିଜୟଲକ୍ଷ୍ମୀ ରାଉତରାୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ