ବିଶ୍ବର ବିଭିନ୍ନ ଧର୍ମ ଓ ପନ୍ଥରେ ଈଶ୍ବରଙ୍କୁ ପରମପିତା ବା ପୁରୁଷ ଭାବରେ ବିଶ୍ବାସ ଓ ପୂଜନ କରାଯାଏ। ତେବେ ସନାତନ ହିନ୍ଦୁଧର୍ମରେ ପରମଶକ୍ତି ବା ପରାଶକ୍ତି ଭାବେ ଦେବୀ ବା ସ୍ତ୍ରୀ ରୂପରେ ଉପାସନା କରାଯାଏ। ଦେବୀ ସକଳ ଶକ୍ତିର ପ୍ରତୀକ ଏବଂ କଲ୍ୟାଣ କାରିଣୀ, ସୃଷ୍ଟି ସମ୍ଭବା ମାତୃ ରୂପରେ ପୂଜିତା। ଆମଦେଶରେ ଶକ୍ତି ଉପାସନା ବୈଦିକ କାଳରୁ ପ୍ରଚଳିତ। ଋକ୍ ବେଦର ଗୋଟିଏ ସମ୍ପୂର୍ଣ୍ଣ ଅଧ୍ୟାୟ ଏହି ବିଷୟ ବର୍ଣ୍ଣନା କରେ। ଋକ୍ ବେଦର ‘ଦେବୀ ସୁକ୍ତ’ ଓ ‘ଉଷାସୁକ୍ତ’ ଏବଂ ସାମ ବେଦର ‘ରାତ୍ରିସୁକ୍ତ’ରେ ଦେବୀ ପୂଜନର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ମାର୍କଣ୍ଡେୟ ପୁରାଣରେ ସ୍ବୟଂ ବ୍ରହ୍ମା ଦେବୀଙ୍କ ନବରୂପ ବିଷୟରେ ସୂଚାଇଛନ୍ତି। ସେଗୁଡିକ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟିନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଶିବପୁରାଣ ଅନ୍ତର୍ଗତ ରୁଦ୍ରସଂହିତାର ପଞ୍ଚମ ଅଧ୍ୟାୟରେ ମଧ୍ୟ ଦେବୀ ଦୁର୍ଗାଙ୍କ ବିଭିନ୍ନ ସ୍ବରୂପ ବିଷୟରେ ଉଲ୍ଲେଖ ରହିଛି।
ଦେବୀ ଆରାଧନାର ପ୍ରମୂଖ ପର୍ବ ନବରାତ୍ରି ବର୍ଷରେ ୫ଥର ପାଳନ କରାଯାଏ। ଗ୍ରୀଷ୍ମ ଓ ଶୀତଋତୁର ଆଗମନ ପୂର୍ବରୁ ପାଳନ ହେଉଥିବା ଦୁଇ ନବରାତ୍ରି ସମୟରେ ଋତୁଚକ୍ର ଓ ସୂର୍ଯ୍ୟଙ୍କ ପ୍ରଭାବ ପରିବର୍ତ୍ତନ ହେଉଥିବାରୁ ଏହାକୁ ଅଧିକ ମହତ୍ତ୍ବ ଦେଇ ପାଳନ କରାଯାଏ ଏବଂ ଏଥିରେ ନବଦୁର୍ଗାଙ୍କ ଆରାଧନା କରାଯାଏ। ଅଧିକ ସଂଖ୍ୟକ ଲୋକ ଏହି ଦୁଇ ନବରାତ୍ରି ପାଳନ କରନ୍ତି। ଅନ୍ୟ ତିନୋଟିଯାକ ନବରାତ୍ରିକୁ ଗୁପ୍ତ ନବରାତ୍ରି କୁହାଯାଏ। ଗୁପ୍ତ ନବରାତ୍ରି ଅଧିକନ୍ତୁ ଶକ୍ତି ଉପାସକ ଓ ସାଧକମାନେ ନିଷ୍ଠାର ସହିତ ପାଳନ କରନ୍ତି ଏବଂ ଏହି ସମୟରେ ଦଶ ମହାବିଦ୍ୟାଙ୍କ ଆରାଧନା ବିଶେଷତଃ କରାଯାଏ। ବର୍ଷର ପ୍ରଥମ ନବରାତ୍ରି ପାଳନ ହୁଏ ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଅର୍ଥାତ ବସନ୍ତ ଋତୁର ଅନ୍ତିମ ପର୍ଯ୍ୟାୟ ବା ଚୈତ୍ର ମାସରେ। ତେଣୁ ଏହାକୁ ବାସନ୍ତୀୟ ନବରାତ୍ରି ବା ଚୈତ୍ର ନବରାତ୍ରି କୁହାଯାଏ। ସମସ୍ତ ନବରାତ୍ରି ନିର୍ଦ୍ଧିଷ୍ଟ ମାସର ଶୁକ୍ଳ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ନବମୀ ଯାଏଁ ପାଳିତ ହୁଏ। ଚୈତ୍ର ନବରାତ୍ରିର ଆରମ୍ଭ ହିନ୍ଦୁ ନବବର୍ଷ ଓ ରାଷ୍ଟ୍ରୀୟ ପଞ୍ଚାଙ୍ଗ ବା ବିକ୍ରମସମ୍ବତ୍ ର ଆରମ୍ଭ ହୁଏ। ଏହାପରେ ଆଷାଢ ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୁଏ ଆଷାଢୀ ନବରାତ୍ରି। ଏହାକୁ ଗୁପ୍ତ/ଗାୟତ୍ରୀ/ଶାକମ୍ଭରୀ ନବରାତ୍ରି ମଧ୍ୟ କୁହାଯାଏ। ତତ୍ ପରେ ଆସେ ଶରତ ଋତୁରେ ପାଳିତ ହେଉଥିବା ଶାରଦୀୟ ନବରାତ୍ରି। ଆଶ୍ବୀନ ମାସକୁ ଶାକ୍ତମାନେ ଖୁବ ମହତ୍ତ୍ବ ଦିଅନ୍ତି, ତେଣୁ ଆଶ୍ବୀନ ନବରାତ୍ରିକୁ ମହାନବରାତ୍ରି ମଧ୍ୟ କୁହାଯାଏ। ମହାଳୟା ଅମାବାସ୍ୟା ପରଠାରୁ ଏହା ଆରମ୍ଭ ହୋଇ ମହାନବମୀରେ ହମ୍ପୂର୍ଣ୍ଣ ହୁଏ ଏବଂ ପରଦିନ ଦଶହରା ପାଳିତ ହୁଏ। ଏହା ପରେ ପୌଷ ମାସ ଶୁକ୍ଳପକ୍ଷରେ ପୌଷ ନବରାତ୍ରି ଏବଂ ମାଘ ମାସ ଶୁକ୍ଳପକ୍ଷରେ ମାଘୀ ନବରାତ୍ରି ପାଳିତ ହୁଏ।
ନବଦୁର୍ଗାଙ୍କ ବିଷୟରେ ଏବଂ ନବରାତ୍ରି ପାଳନ ବିଷୟରେ ସମସ୍ତେ ଅଳ୍ପବହୁତ ଜାଣନ୍ତି। ଏଠାରେ ବାସନ୍ତୀୟ ନବରାତ୍ରୀ ବା ଚୈତ୍ର ନବରାତ୍ରି ସମ୍ପର୍କିତ ଏକ ପୌରାଣିକ କାହାଣୀ ବିଷୟରେ ଜାଣିବା।
ଅନେକ ବର୍ଷ ପୂର୍ବେ କୋଶଳ ରାଜା ଥିଲେ ଦୁଶିବାଗୋ। ତାଙ୍କର ଦୁଇଜଣ ରାଣୀ ଥିଲେ, ଲୀଳାବତୀ ଓ ମନୋରମା। ଏକଦା ରାଜା ଶିକାର ପାଇଁ ଯାଇଥିବା ବେଳେ ଏକ ସିଂହ ଆକ୍ରମଣରେ ନିହତ ହେଲେ। ଲୀଳାବତୀଙ୍କ ପିତା ଉଜ୍ଜୟିନୀ ନରେଶ ଯୁଦ୍ଧଜିତ ଏବଂ ରାଣୀ ମନୋରମାଙ୍କ ପିତା କଳିଙ୍ଗ ରାଜ ବୀରସେନ ନିଜ ନିଜ ନାତିଙ୍କ ପାଇଁ କୋଶଳ ସିଂହାସନକୁ ଆଖେଇଥାନ୍ତି। କୋଶଳ ନରେଶଙ୍କ ମୃତ୍ୟୁପରେ ଏଇ ଦୁଇ ରାଜା ପରସ୍ପର ସହିତ ଯୁଦ୍ଧକଲେ ତଥା ଯୁଦ୍ଧରେ ରାଜା ବୀରସେନଙ୍କ ମୃତ୍ୟୁ ହେଲା। ଅନ୍ୟପଟେ ରାଣୀ ମନୋରମା ରାଜକୁମାର ସୁଦର୍ଶନ ଏବଂ ଜଣେ କିନ୍ନର ପରିଚାରକକୁ ସାଙ୍ଗରେ ନେଇ ଜଙ୍ଗଲକୁ ପଳାୟନ କଲେ ଏବଂ ଭରଦ୍ବାଜ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଲେ।
ସେପଟେ ବିଜୟୀ ରାଜା ଯୁଦ୍ଧଜିତ ନିଜ ପୌତ୍ର ଶତ୍ରୁଜିତଙ୍କୁ କୋଶଳର ରାଜଧାନୀ ଅଯୋଧ୍ୟାରେ ଯୁବରାଜ ଭାବରେ ଅବସ୍ଥାପିତ କଲେ। ତତ୍ପରେ ସେ ମନୋରମା ଓ ସୁଦର୍ଶନଙ୍କ ଅନ୍ବେଷଣରେ ବାହାରି ପଡ଼ିଲେ। ଋଷି ଭରଦ୍ବାଜ ନିଜ ଆଶ୍ରିତ ମାନଙ୍କୁ ହସ୍ତାନ୍ତର କରିବେ ନାହିଁ ବୋଲି କହିବାରୁ ଯୁଦ୍ଧଜିତ ଭୟଙ୍କର କ୍ରୋଧିତ ହେଲେ ଏବଂ ଋଷିଙ୍କୁ ଆକ୍ରମଣ କରିବାକୁ ଚାହିଁଲେ। ତେବେ ମନ୍ତ୍ରୀ ବୁଝାଇବା ପରେ ସେ ଉଆସକୁ ଫେରିଗଲେ।
ଭାଗ୍ୟଦେବୀ ସୁଦର୍ଶନଙ୍କ ଉପରେ ପ୍ରସନ୍ନ ହେଲେ। ଏକଦା ଜଣ ତପସ୍ବୀଙ୍କ ପୁତ୍ର ମନୋରମା ସାଙ୍ଗରେ ଆଣିଥିବା କିନ୍ନରଙ୍କୁ ତାଙ୍କ ସଂସ୍କୃତ ନାମ ‘କ୍ଳୀବ’ କହି ସମ୍ବୋଧନ କଲେ। ରାଜକୁମାର ସେହି ଶବ୍ଦର ପ୍ରଥମ ଅକ୍ଷର ‘କ୍ଳୀ’ କୁ ମନେରଖି ବାରମ୍ବାର ଉଚ୍ଚାରଣ କରିବାକୁ ଲାଗିଲେ। ତେବେ ଏହି ଅକ୍ଷରଟି ଦେବୀଙ୍କର ଶକ୍ତିଶାଳୀ ନବାକ୍ଷର ମନ୍ତ୍ରର ଏକ ବୀଜ ଅକ୍ଷର ଅଟେ। ବାରମ୍ବାର ବୀଜମନ୍ତ୍ରର ଉଚ୍ଚାରଣ କରି ରାଜକୁମାର ପରମ ମାନସିକ ଶାନ୍ତି ସହିତ ଦେବୀଙ୍କ ଅପାର କୃପାଲାଭ କଲେ। ଦେବୀ ସ୍ବୟଂ ପ୍ରକଟ ହୋଇ ତାଙ୍କୁ ଆଶୀର୍ବାଦ ସ୍ବରୂପ ଅନେକ ଦିବ୍ୟ ଅସ୍ତ୍ର ଶସ୍ତ୍ର ଓ ଏକ ଅସରନ୍ତି ତୁଣୀର ପ୍ରଦାନ କଲେ।
ବନାରସ ରାଜାଙ୍କ ଦୂତମାନେ ଏକଦା ଋଷି ଭରଦ୍ବାଜଙ୍କ ଆଶ୍ରମ ଦେଇ ଯିବାବେଳେ ରାଜକୁମାର ସୁଦର୍ଶନଙ୍କୁ ଦେଖି ଅଭିଭୂତ ହେଲେ ଏବଂ ରାଜକୁମାରୀ ଶଶିକଳାଙ୍କ ପାଇଁ ବରପାତ୍ର ଭାବେ ପ୍ରସ୍ତାବିତ କଲେ। ରାଜକୁମାରୀଙ୍କ ସ୍ବୟମ୍ବର ଆୟୋଜନ କରାଗଲା। ଶଶିକଳା ପ୍ରଥମ ଦର୍ଶନରେ ହିଁ ସୁଦର୍ଶନଙ୍କୁ ବରଣ କଲେ। ବିଧିପୂର୍ବକ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହେଲା। ସେଠାରେ ଉପସ୍ଥିତ ଥିବା ରାଜା ଯୁଦ୍ଧଜିତ ଏଥିରେ ଈର୍ଷାନ୍ବିତ ହୋଇ ସୁଦର୍ଶନ ଏବଂ ତାଙ୍କ ଶ୍ବଶୁର ବନାରସ ରାଜାଙ୍କ ସହ ଯୁଦ୍ଧ କରିବାକୁ ଲାଗିଲେ। ଦେବୀ ସ୍ବୟଂ ସୁଦର୍ଶନ ଓ ତାଙ୍କ ଶ୍ବଶୁରଙ୍କ ସହାୟତା କରୁଥିବା ଦେଖି ଯୁଦ୍ଧଜିତ ପରିହାସ କଲେ। ଏଥିରେ କ୍ରୋଧିତ ହୋଇ ଦେବୀ ଗୋଟିଏ ଥରରେ ଯୁଦ୍ଧଜିତ ଓ ତାଙ୍କ ସୈନ୍ୟବାହିନୀକୁ ପୋଡ଼ି ପାଉଁଶ କରିଦେଲେ। ସୁଦର୍ଶନ ନିଜ ପତ୍ନୀ ଓ ଶ୍ବଶୁରଙ୍କ ସହିତ କୃତଜ୍ଞତା ଜଣାଇ ଦେବୀଙ୍କୁ ସ୍ତୁତି କରିଲେ। ଏମାନଙ୍କ ଠାରେ ପ୍ରସନ୍ନ ହେଲେ ଏବଂ ଯଜ୍ଞ ସହିତ ବିଧିପୂର୍ବକ ଚୈତ୍ର ମାସ ଶୁକ୍ଳ ପତିପଦା ତିଥିରୁ ନବଦିନ ବ୍ୟାପି ତାଙ୍କର ଆରାଧନା କରିବାକୁ ନିର୍ଦ୍ଦଶ ଦେଇ ଅନ୍ତର୍ଧ୍ୟାନ ହୋଇଗଲେ।
ସୁଦର୍ଶନ ଓ ଶଶିକଳା ଋଷି ଭରଦ୍ବାଜଙ୍କ ଆ୍ରମକୁ ଫେରିଲେ। ମହର୍ଷି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିବା ପୂର୍ବକ ସୁଦର୍ଶନଙ୍କୁ କୋଶଳର ରାଜାଭାବରେ ଅଧିଷ୍ଠିତ କରାଇଲେ। ସୁଦର୍ଶନ, ଶଶିକଳା ଏବଂ ବନାରସ ରାଜା ଦେବୀଙ୍କ ନିର୍ଦ୍ଦେଶାନୁସାରେ ବାସନ୍ତୀୟ ନବରାତ୍ରି ଖୁବ ଉତ୍ସାହ, ଉଦ୍ଦୀପନା ଓ ଭବ୍ୟତା ସହିତ ପାଳନ କଲେ।
ସୁଦର୍ଶନଙ୍କ ଉତ୍ତରପିଢି ଶ୍ରୀରାମ ଓ ଲକ୍ଷ୍ମଣ ମଧ୍ୟ ଲଙ୍କା ଅଭିଜାନ ପୂର୍ବରୁ ଦେବୀଙ୍କ ଆରାଧନା କରିଥିଲେ ଏବଂ ଦେବୀକୃପା ପ୍ରାପ୍ତହୋଇ ସୀତାଙ୍କ ମୁକ୍ତ କରି ଆଣିଥିଲେ। କୃତ୍ତିବାସ ରାମାୟଣ ଅନୁସାରେ ରାବଣ ସହିତ ସମର ପୂର୍ବରୁ ଶ୍ରୀରାମ ଦେବୀଙ୍କୁ ଆବାହନ କରିଥିଲେ। ଯଦିଓ ସେତେବେଳେ ଦେବୀଙ୍କୁ ବିଳମ୍ବିତ ବସନ୍ତରେ ଚୈତ୍ରମାସରେ ପୂଜା କରିବା ପ୍ରଚଳିତ ଥିଲା, ତଥାପି ଯୁଦ୍ଧ ବାତାବରଣ ଯୋଗୁଁ ପ୍ରଭୁ ଶ୍ରୀରାମ ଦେବୀଙ୍କୁ ଅଷ୍ଟମ ମହାବିଦ୍ୟା ‘ମା ବଗଳାମୁଖୀ’ ରୂପରେ ଆବାହନ କରିଥିଲେ ଶରତ ଋତୁରେ। ତେଣୁ ଏହାକୁ ଅକାଳ ବୋଧ (ଅସମୟ ବୋଧନ) ବୋଲି କୁହାଯାଏ। ଏହି ଶାରଦୀୟ ପୂଜା ପରମ୍ପରାଗତ ବାସନ୍ତୀୟ ପୂଜାଠାରୁ ଭିନ୍ନ ଥିଲା। ତେଣୁ ଏହି ପୂଜାକୁ ଅସମୟ ଆବାହନ ବା ଅକାଳବୋଧନ ବୋଲି କୁହାଯାଏ। ଶ୍ରୀରାମଙ୍କ ଦ୍ବାରା ପାଳିତ ଏହି ଦେବୀ ଆବାହନ ଓ ପୂଜନକୁ ଏବେ ଶାରଦୀୟ ନବରାତ୍ରି ବୋଲି କୁହାଯାଏ। ଏହାର ସମାପନ ପରଦିନ ଦଶହରା ପାଳନ କରାଯାଏ। ତେବେ ନବରାତ୍ରି ପାଳନର ମୂଳ ପରମ୍ପରା ବାସନ୍ତୀୟ ବା ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥିଲା।
ଚଳିତବର୍ଷ ବାସନ୍ତୀୟ ନବରାତ୍ରି ମାର୍ଚ୍ଚ ମାସ ୧୮ ତାରିଖରୁ ଆରମ୍ଭ ହେଉଛି। ନବଦୁର୍ଗା ସଭିଙ୍କୁ ଆଶୀର୍ବାଦ କରିବା ପୂର୍ବକ ସମଗ୍ର ସଂସାରରେ ସୁଖ-ଶାନ୍ତି-ସୌହାର୍ଦ୍ଦ୍ୟ ଭରିଦିଅନ୍ତୁ, ଏତିକି ପ୍ରାର୍ଥନା।
ଲିଙ୍କ୍ ରୋଡ଼, କଟକ
Go Back to Previous Page
ପ୍ରେମ ଋତୁରେ
ସତ୍ୟବ୍ରତ ବାରିକ
Read Article
ଉତ୍କଳରେ ସୋମବଂଶୀୟ ଶାସନ
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ