ସମାଜ ଗଠନରେ ଛାତ୍ରର ଭୂମିକା ଅନେକ I ଆଜିର ଛାତ୍ର ଭବିଷ୍ୟତ ଦେଶର କର୍ଣ୍ଣଧାର ହେବେ ତାହା ହିଁ ସମସ୍ତେ କହିବେ I କିନ୍ତୁ କେଉଁପରି ଛାତ୍ର ଦେଶର କର୍ଣ୍ଣଧାର ହେବେ ତାହାହିଁ ଏଠାରେ ବିଚାର କରI ଯାଉ I ତେବେ ଛାତ୍ର ସମାଜ ସମ୍ବନ୍ଧରେ ଏପରି ଭାବିବାର ପ୍ରଶ୍ନ ଆସିଲା କେଉଁଠାରୁ ? ଆଜି ଛାତ୍ର ଆନ୍ଦୋଳନ, ହରତାଳ, ଜାତୀୟ ସମ୍ପତ୍ତି ନଷ୍ଟ କରିବା, ଆଇନ ଅମାନ୍ୟ କରିବା ଓ ଅନଶନ ଛାତ୍ର ସମାଜର ଦୈନଦିନ ଘଟଣା ରେ ପରିଣତ ହେଲାଣି I ସାମାନ୍ୟ କାରଣରୁ ଗଣ୍ଡଗୋଳ ସୃଷ୍ଟି ହୁଏ, ତାହା ପରେ ହିଂସାତ୍ମକ ରୂପ ଧାରଣ କରେ I ଇଛା ଥାଉ ବା ନ ଥାଉ ଦେଶର ସମ୍ପତ୍ତି ନଷ୍ଟ ହୁଏ I ସ୍କୁଲ, କଲେଜ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ହୁଏ I ପୋଲିସ ସହ ସଂଘର୍ଷ ହୁଏ I ଛାତ୍ର ଓ ପୋଲିସ ପରସ୍ପରକୁ ଦୋଷ ଦିଅନ୍ତି I ଏ ସବୁ ଆଜି ଅତି ସାଧାରଣ କଥାରେ ପରିଣତ ହୋଇଛି I ଛାତ୍ର ସମାଜର ପୂର୍ବର ଗୁରୁଭକ୍ତି, ଶିଷ୍ଟତା, ନମ୍ରତା, ଓ ନୈତିକତାର ଅଭାବ ପ୍ରାୟ ସର୍ବତ୍ର ପରିଲକ୍ଷିତ ହୁଏ I ଏହାର ନିରାକରଣ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ଚକ୍ର ଆଦି କରା ଯାଉଛି ଓ କେତେକ ପରିମାଣରେ ବ୍ୟବସ୍ତା ମଧ୍ୟ କରା ଯାଉଛି I ତଥାପି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ I ଏହାର କାରଣ କଣ ହୋଇ ପାରେ? ଦେଶରେ ଆଜି ନେତୃତ୍ବର ସଙ୍କଟ ଦେଖା ଯାଇଛି I ଛାତ୍ର ମାନଙ୍କ ସମ୍ମୁଖରେ କୌଣସି ଆଦର୍ଶ ଓ ମୂଲ୍ୟବୋଧ ନାହିଁ I ଧର୍ମଘଟର ଐତିହାସିକ ପୃଷ୍ଠଭୂମି ଯାହା ହେଉନା କାହିଁକି ଆଜି ଛାତ୍ର ମାନଙ୍କର ଧାରଣା ହୋଇଛି ଯେ ଆନ୍ଦୋଳନ ହିଁ କାର୍ଯ୍ୟ ସିଦ୍ଧିର ଏକମାତ୍ର ପନ୍ଥା I ସୁଚିନ୍ତିତ ନୀତି ନିୟନ୍ତ୍ରଣର ଅଭାବ ହିଁ ଏହାର କାରଣ I ଉଚ୍ଚ ସ୍ତରରେ ଆଜି ସର୍ବତ୍ର ନୀତି ହୀନତା ଓ ଅସାଧୁତାର ପ୍ରଭାବ ଦେଖା ଦେଇଛି I ଜଣେ ଜଣେ ବ୍ୟକ୍ତି ଅଳ୍ପ ଦିନ ଭିତରେ ଲକ୍ଷପତି ଏବଂ କୋଟିପତି ହେଉଛନ୍ତି I ଅନ୍ୟପକ୍ଷରେ ଅସଂଖ୍ୟ ଲୋକ ଦାରିଦ୍ର୍ୟରେ ନିଷ୍ପେସିତ ଓ ନିପୀଡିତ I ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ପ୍ରତ୍ୟେକ ଲୋକ ପେଟପୁରା ଖାଇବାକୁ ପାଉନାହାନ୍ତି I ଅଧିକାଂଶ ଛାତ୍ର ଏହାର ଭୁକ୍ତଭୋଗୀ I ଏ ସାମାଜିକ ଓ ଅର୍ଥନୈତିକ ଦୁରବସ୍ଥା ଯୋଗୁ ସେମାନଙ୍କ ମନ ହିଂସାତ୍ମକ ହୋଇ ଉଠୁଛି ଏବଂ ଏହା ହେବା ସ୍ୱାଭାବିକ I
ଏ ସମସ୍ତ ହେଲା ଆଧୁନିକ ଛାତ୍ର ସମାଜର ଏକ ନିଚ୍ଛକ ଚିତ୍ର I ବର୍ତ୍ତମାନ ବିଚାର୍ଯ୍ୟ ଯେ ଛାତ୍ର ସମାଜର ଭୂମିକା ସମାଜ ଗଠନରେ କିପରି ହେବI ଉଚିତ ? ସମାଜ ଗଠନରେ ଛାତ୍ର ସମାଜର ଭୂମିକା ଗୁରୁତ୍ୱପୂର୍ଣ I ଶରୀରର ମେରୁହାଡ଼ର ଯେଉଁ ସ୍ଥାନ ସମାଜରେ ଛାତ୍ରର ସେହି ସ୍ଥାନ I ମେରୁହାଡ ବ୍ୟତିରେକ ମାନବ ଯେପରି ସଳଖ ଦଣ୍ଡାୟମାନ ହୋଇ ପIରେ ନାହିଁ, ଶୃଙ୍ଖଳିତ ଛାତ୍ର ବ୍ୟତିରେକ ସମାଜ ମଧ୍ୟ ଅଗ୍ରସର ହୋଇ ନ ପାରେ I ଏ ଦୃଷ୍ଟିକୋଣରୁ ବିଚାରକଲେ ଛାତ୍ର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ I
ସମାଜରେ ଆଜି ଦୁର୍ନୀତି ଚତୁର୍ଦିଗରେ ପରିବ୍ୟାପ୍ତ I ଏ ଦୁର୍ନୀତିର ନାଗଫାଶ ଆମର ସାମାଜିକ, ଅର୍ଥନୈତିକ, ଶିକ୍ଷା ପ୍ରତ୍ୟେକ ବିଭାଗରେ ପରିବ୍ୟାପ୍ତ I ତେଣୁ ଏ ଦୁର୍ନୀତିକୁ ସମାଜରୁ ଉଛେଦ କରିବାକୁ ହେବ I ଦୁର୍ନୀତି ନିବାରଣରେ ଛାତ୍ରର ଭୂମିକା କ’ଣ ହେବI ଉଚିତ ସେ ବିଷୟରେ ବିଚାର କରାଯାଉ I ସମାଜ ଯେତେବେଳେ ଦୁର୍ନୀତିଗ୍ରସ୍ତ ହୁଏ ସେତେବେଳେ ତାର ପ୍ରତ୍ୟେକ ସ୍ତରରେ ଦୁର୍ନୀତି ପରିବ୍ୟାପ୍ତ ହୁଏ I ସେ ଦୁର୍ନୀତି କୁ ଦୂର କରିବାକୁ ଯାଇ ଯଦି ଛାତ୍ରମାନେ ନିଜେ ଦୁର୍ନୀତି କରି ବସିବେ ତେବେ ସମାଜର ର ସୁ ସଂଗଠନ ହେବ କିପରି ? ଏଠାରେ କେତୋଟି ଉଦାହରଣ ଦେଇ କଥାଟିର ସ୍ପଷ୍ଟୀକରଣ କରାଯାଉ I ଆଜି ଛାତ୍ର ମାନଙ୍କ ମଧ୍ୟରେ ଆନ୍ଦୋଳନ, ଧର୍ମଘଟ, ସମ୍ପତ୍ତି ନଷ୍ଟ ଏକ ସାଧାରଣ କଥାରେ ପରିଣତ ହୋଇଛି I ଯଦିଓ ସମାଜରେ ଘଟୁଥିବା କେତେକ ଦୁର୍ନୀତିର ପ୍ରତିବାଦରେ ସେମାନେ ତାହା କରିଥାନ୍ତି, କିନ୍ତୁ ଏହାଦ୍ୱାରା ଛାତ୍ର ମାନେ ବୁଝନ୍ତି ନାହିଁ ଯେ ଗୋଟିଏ ଦୁର୍ନୀତି କୁ ହଟାଇବାକୁ ଯାଇ ସେମାନେ ଆଉ ଏକ ଦୁର୍ନୀତି କରି ବସିଲେ I ବିଷ ବିଷ କୁ ହରଣ କରେ ଏ କଥା ସବୁ ସମୟରେ ଲାଗୁ ହୁଏ ନାହିଁ I ସରକାରୀ କଳ ଦୁର୍ନୀତିଗ୍ରସ୍ତ ଏ କଥା ଠିକ I କିନ୍ତୁ ସରକାର କାହାକୁ ନେଇ ଗଠିତ ? ଆମ୍ଭମାନଙ୍କୁତ ନେଇ ସରକାର ଗଠିତ I ଆମ୍ଭମାନଙ୍କଠାରୁ ଟ୍ୟାକ୍ସ ଅସୁଲ କରି ସରକାର ନିଜର ସମ୍ପତ୍ତି କରିଛନ୍ତି ଆମ୍ଭମାନଙ୍କର ସୁବିଧା ପାଇଁ I ତେଣୁ ସରକାରୀ ଦୁର୍ନୀତି କୁ ହଟାଇବାକୁ ଯାଇ, ସରକାରଙ୍କର ସମ୍ପତ୍ତି ଜଳାଇବା ନାମରେ ନିଜ ସମ୍ପତ୍ତି ଜଳାଇଲେ ସମାଜର ସୁଧାର ହୋଇ ପାରିବ ନାହିଁ କିମ୍ବା ହୋଇ ପାରିବ ନାହିଁ ସରକାରଙ୍କ ସୁଧାର I ଏ କଥାକୁ ଯେତେଦିନ ପର୍ଯ୍ୟନ୍ତ ଛାତ୍ର ସମାଜ ନ ବୁଝନ୍ତି ସେତେ ଦିନ ପର୍ଯ୍ୟନ୍ତ ସମାଜ ଗଠନରେ ଛାତ୍ରର ଭୂମିକା ଅତୀବ ମାରାତ୍ମକ ହେବ I
ଦୁର୍ନୀତି ପ୍ରତ୍ୟେକ ସ୍ଥାନରେ ଅଛି I ଦୁର୍ନୀତି ହୁଏ ଏବଂ ତାହା ହେବI ସ୍ୱାଭାବିକ କିନ୍ତୁ ଦୁର୍ନୀତି କାହିଁକି ହେଉଛି, ତାର ମୂଳ କାରଣ କ’ଣ ? ସେ କଥାକୁ ଖୋଜି ବାହାର କରିବା ଆମ ଛାତ୍ର ସମାଜର କର୍ତ୍ତବ୍ୟ I ସେଥିପାଇଁ ଧର୍ମଘଟ ଏକ ମାତ୍ର ପନ୍ଥା ନୁହେଁ I ଏଠାରେ ଗୋଟିଏ ଉଦାହରଣ ଦେଵି - ଦେଖାଯାଉ ଦୁର୍ନୀତି ନିବାରଣରେ ସାହିତ୍ୟର ସ୍ଥାନ କଣ ? ସାହିତ୍ୟ ହିଁ ଦୁର୍ନୀତି ନିବାରଣର ଏକ ପରମ ସାଧନ I ସାହିତ୍ୟ ମାଧ୍ୟମରେ ଯୁଗେ ଯୁଗେ ସମାଜରେ ଦୁର୍ନୀତି ନିବାରଣ ହୋଇ ଆସିଛି I ସମାଜର ଦୁର୍ନୀଟି ନିବାରଣ କଳ୍ପେ ହିଁ ରାମାୟଣ, ମହାଭାରତ ଓ ଭାଗବତର ରଚନା I ଫରାସୀ ବିପ୍ଳବ ପରି ମହାନ ବିପ୍ଳବ ମଧ୍ୟ ସାହିତ୍ୟ ଜରିଆରେ ସମ୍ଭବପର ହୋଇପାରିଛି I ଆମେରିକାର ନିଗରୋ ବିବାଦ ମଧ୍ୟ ଗୋଟିଏ ସାଧାରଣ ଉପନ୍ୟାସ "ଟମ କାକାଙ୍କ କୁଟୀର" ଦ୍ୱାରା ଦୂରୀଭୂତ ହୋଇପାରିଛି I ତେବେ ଏ ସବୁ କହିବାର ଉଦ୍ୟେଶ୍ୟ ଏ ଛାତ୍ର ସମାଜ ମଧ୍ୟ ଦୁର୍ନୀତି ନିବାରଣ ମୂଳକ ଲେଖା ଲେଖୁ I ସମାଜରେ ତାର ବିବରଣୀ ହିଁ ଅନ୍ୟ ଆନ୍ଦୋଳନ ଠାରୁ ଯଥେଷ୍ଟ ଅଧିକ ଫଳ ପ୍ରଦାନ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ I
ସର୍ବଦା କେବଳ ଗର୍ଜନ ତର୍ଜନ କଲେ ବା ପ୍ରୋସେସନ କଲେ ସମାଜ ସଂଗଠନ ହୋଇ ନ ଥାଏ I କଲମ ମାଧ୍ୟମରେ ଯେପରି ସମାଜ ସଂଗଠନ ସମ୍ଭବପର ଅନ୍ୟ କୌଣସି ଉପାୟରେ ସେପରି ସମାଜ ସଂଗଠନ ସମ୍ଭବପର ନୁହେଁ I ଅଶୀ ମସୀ ଠାରୁ ବଳବାନ ଏ କଥା ବହୁ ପୂର୍ବରୁ ପ୍ରମାଣିତ ହୋଇ ସାରିଛି I ତେଣୁ ଛାତ୍ର ସମାଜ ନିଜର ମୂଲ୍ୟବାନ ଶକ୍ତିକୁ ଧ୍ବଂସାତ୍ମକ କାର୍ଯ୍ୟରେ ବିନିଯୋଗ ନ କରି ଗଠନାତ୍ମକ କାର୍ଯ୍ୟରେ ବିନିଯୋଗ କରୁ I
ଦାୟିତ୍ବହୀନ ଯୁବକର ସମାଜରେ କୌଣସି ସ୍ଥାନ ନାହିଁ I ଯେ ସମ୍ମାନ ଦିଏ ସେ କେବଳ ସମ୍ମାନ ପାଇବାର ଅଧିକାରୀ I ଯେ ସମ୍ମାନ ଦେଇ ଜାଣେ ନାହିଁ ସେ କେବେ ସମ୍ମାନର ଅଧିକାରୀ ହୋଇ ନ ପାରେ I ତେଣୁ ଛାତ୍ରମାନେ ଛାତ୍ରାବସ୍ଥାରୁ ଯଦି ନିଜର ଗୁରୁଜନ ମାନଙ୍କୁ ସମ୍ମାନ ନ ଦେବେ ତେବେ ସେମାନେ ମଧ୍ୟ ନିଜ ଭାବି ପୁରୁଷ ଠାରୁ ସେହିପରି ସମ୍ମାନ ପାଇଁ ପାରିବେ ନାହିଁ I ସମାଜ ଗଠନ କରିବାକୁ ହେଲେ ଆଗ ନିଜକୁ ଗଠନ କରିବାକୁ ହେବ . ଆଗେ ନିଜକୁ ଚିହ୍ନ ତା ପରେ ଅନ୍ୟକୁ ଚିନ୍ହିବ I ଯଦି କେହି ନିଜେ ଆଦର୍ଶ ପଥରେ ନ ଯାଇ ଅନ୍ୟକୁ ଆଦର୍ଶ ପଥରେ ଯିବାକୁ ପ୍ରବର୍ତ୍ତIଏ ତେବେ ତାର କଥା ଅରଣ୍ୟରୋଦନ ପରି ହୋଇ ଥାଏ I ତେଣୁ ସମାଜ ଗଠନ କରିବାକୁ ହେଲେ ଛାତ୍ର ମାନଙ୍କୁ ପ୍ରଥମେ ନିଜକୁ ଆଦର୍ଶବାଦୀ କରିବାକୁ ହେବ I ଗାନ୍ଧିଜୀ ମହାତ୍ମା ହୋଇ ପାରିଲେ କେବଳ ଏହି ଗୋଟିଏ ଗୁଣ ଯୋଗୁ I ସେ ନିଜେ ଯାହା କରୁ ନ ଥିଲେ ଅନ୍ୟକୁ ତାହା କରିବା ପାଇଁ କହୁ ନ ଥିଲେ I ତେବେ ଏ ଧରଣର ଶକ୍ତି ଛାତ୍ର ମାନଙ୍କ ମଧ୍ୟରେ ଆଣିବାକୁ ହେଲେ ମହାପୁରୁଷ ମାନଙ୍କ ପଦାଙ୍କ ଅନୁସରଣ କରିବାକୁ ହେବ I
"ସାଧୁର ଜୀବନ ଦରପଣ ଧରି
ଗଢ଼ିବୁ ଆମ ଜୀବନ
ସେହି ଅIଦରସ ମଧୁର ପରଶ
ହେବ ମହତ କାରଣ
ସାଧୁର ପଦାଙ୍କ କାଳମରୁ ବକ୍ଷେ
ଅଟେ ଧ୍ରୁବତାରା ସରି
ଲଖ୍ୟ ରଖି ତାରେ ପ୍ରଫୁଲ୍ଲ ଅନ୍ତରେ
ବାହିବୁ ଜୀବନ ତରୀ "
ଛାତ୍ରମାନଙ୍କୁ ଉଦାର ମନୋବୃତ୍ତି ଗ୍ରହଣ କରିବା ଏକାନ୍ତ ଆବଶ୍ୟକ ତା ନ ହେଲେ ସମାଜର ଅସଂଖ୍ୟ କଳଙ୍କ ଦୂର କରିବାକୁ ସେମାନେ ସକ୍ଷମ ହୋଇ ପାରିବେ ନାହିଁ I ଆମର ଆଜିର ସମାଜ ଜାତୀୟତା ବାଦ, ପ୍ରାନ୍ତୀୟତା ବାଦ, ସମ୍ପ୍ରଦାୟିକତାବାଦ ଇତ୍ୟାଦି ସଂକୀଣ୍ଣ ମନୋବୃତ୍ତିରେ ପୂର୍ଣ୍ଣ ହୋଇ ଯାଇଛି I ଏ ସବୁକୁ ସମାଜରୁ ଅତିଶୀଘ୍ର ଦୂର କରିବା ଆମର ଛାତ୍ରମାନଙ୍କର ପରମ କର୍ତବ୍ୟ ହେବ ଉଚିତ I
ଭାରତ ଗୋଟିଏ ଏପରି ଦେଶ ଯେଉଁଠାରେ ବିଭିନ୍ନ ଭାଷା, ବିଭିନ୍ନ ଧର୍ମ, ଏବଂ ବିଭିନ୍ନ ମନୋବୃତ୍ତିର ଲୋକ ବାସ କରନ୍ତି I ସେମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ଏକାନ୍ତ କଷ୍ଟକର ବ୍ୟାପାର I ଆମ ଭାରତର ବିଶେଷତ୍ୱ ଆମେ ବିବିଧତା ମଧ୍ୟରେ ଏକତା ପ୍ରତିଷ୍ଠା କରିଅଛୁ I କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସମୟେ ସମୟେ କେତେକ ଅସାମାଜିକ ଲୋକଙ୍କ ଦ୍ୱାରା ଆମ ସମାଜରେ ଏପରି କାର୍ଯ୍ୟ ସଂଘଟିତ ହୋଇଥାଏ ଯାହାଦ୍ୱାରା ଆମ ଐକ୍ୟ ଉପରେ ଆଞ୍ଚ ଆସିବା ସଂଗେ ସଂଗେ ଅଶେଷ ଅମଙ୍ଗଳ ସାଧିତ ହୋଇଥାଏ, ଏ ପରିସ୍ଥିତିରେ ଛାତ୍ର ମାନଙ୍କର ପ୍ରଧାନ କର୍ତ୍ତବ୍ୟ ହେଉଛି, ସମାଜର ସେହି ଅସାମାଜିକ ଲୋକଙ୍କୁ ଖୋଜି ବାହାର କରିବା I ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ସମସ୍ତଙ୍କର କର୍ତବ୍ୟ I ସମାଜ ସଂଗଠନ କରିବାକୁ ହେଲେ ଛାତ୍ର ମାନଙ୍କୁ ଏ କାର୍ଯ୍ୟ କରିବାକୁ ହେବ I ବହୁଧା ଦେଖାଯାଏ ଛାତ୍ର ମାନେ ଏପରି ପରିସ୍ଥିତିରେ କାଣ୍ଡ ଜ୍ଞାନ ବିସ୍ମୃତ ହୋଇ ସମାଜର ଆହୁରି ଅମଙ୍ଗଳ କରିଥାନ୍ତି I କିନ୍ତୁ ମନେ ରଖିବାକୁ ହେବ, ଉତ୍ତମ ବ୍ୟବହାର, ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ ଜୀବନ ହାସଲ କରିବା ହିଁ ଛାତ୍ରର କର୍ତ୍ତବ୍ୟ I ଗୁଣ୍ଡାମି କରିବା, ଶସ୍ତା ନେତା ହେବାର ସ୍ବପ୍ନ ଦେଖିବା ଛାତ୍ରର କାମ ନୁହେଁ ବରଂ ସେପରି କର୍ମକର୍ତ୍ତାଙ୍କୁ ଛତରା କହିଲେ ଅତ୍ୟୁକ୍ତି ହେବ ନାହିଁ I ଏପରି ଛାତ୍ର ମାନେ ସମାଜର ମଙ୍ଗଳ ପରିବର୍ତ୍ତେ ଅମଙ୍ଗଳ କରିଥାନ୍ତି I ତେଣୁ ଏ ସମସ୍ତ କାର୍ଯ୍ୟ ବର୍ଜନ କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବାରେ ଛାତ୍ରର ଭୂମିକା ଅବିସ୍ମରଣୀୟI
ନିଜର ଚରିତ୍ରର ବିକାଶ ଛାତ୍ରମାନଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ I କୌଣସି ସମାଜରେ ସମସ୍ତେ କେବେହେଲେ ଚରିତ୍ରବାନ ହୋଇ ପାରିବେ ନାହିଁ I ତେଣୁ ଚରିତ୍ର ଶିକ୍ଷା ସମସ୍ତଙ୍କୁ ଦେବା ବିଧେୟ I ଏହା ବିନା ସମାଜ ନର୍କରେ ପରିଣତ ହେବ I ଉତ୍ତମ ଚରିତ୍ର ଛାତ୍ର ମାନଙ୍କର ସର୍ବ ପ୍ରଧାନ ଗୁଣ I କବି ମଧୁସୂଦନ କହିଯାଇଛନ୍ତି - "ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର "I ଉତ୍ତମ ଚରିତ୍ର ବ୍ୟତିରେକେ ସମାଜର ଦୁର୍ଗୁଣ ଦୂର କରିବା ନିମନ୍ତେ ଛାତ୍ର ମାନେ ସକ୍ଷମ ହୋଇ ପାରିବେ ନାହିଁ I ଉତ୍ତମ ଚରିତ୍ର ନିର୍ମାଣ ହିଁ ସମସ୍ତ ଶିକ୍ଷା ର ଶେଷ ପର୍ଯ୍ୟାୟ I ଯଦି ଜଣେ ସାରା ଜୀବନ ଅଧ୍ୟୟନରତ ରହି ମଧ୍ୟ ନିଜର ଚରିତ୍ର ଗଠନ କରି ପାରିଲା ନାହିଁ ତେବେ ସେ ପାଠ ପଢ଼ାର ମୂଲ୍ୟ କଣ ? ଓ ସେ ବା ସମାଜର କି ମଙ୍ଗଳ କରି ପାରିବ ?
ଯୁବଶକ୍ତି ଦେଶ ର ଭବିଷ୍ୟତ I ଯେଉଁ ଯୁବଶକ୍ତି ଧ୍ୱଂସାତ୍ମକ କାର୍ଯ୍ୟରେ ବ୍ୟୟିତ ହେଉଛି ତାହା ଗଠନ ମୂଳକ କାର୍ଯ୍ୟରେ ବ୍ୟୟିତ ହେବ ଉଚିତ I ଆଜିର ଛାତ୍ର ସ୍କୁଲ କଲେଜ ରୁ ବାହାରିବା ମାତ୍ରେ ଅର୍ଥ ଉପାର୍ଜନରେ ମନୋନିବେଶ କରୁଛି I ଏଥିପାଇଁ ଦରକାର ଚାକିରୀ I ଡାକ୍ତରୀ ପାସ କରିଥିଲେ ସେ ଖୋଜୁଛି ସହରର କୌଣସି ଡାକ୍ତରଖାନା I ଇଞ୍ଜିନିଅରିଂ ପାସ କରିଥିଲେ କମ୍ପାନୀ ବ୍ୟତୀତ ଯେପରି ତାଙ୍କର ଶିକ୍ଷାର ଉପଯୁକ୍ତ ବ୍ୟବହାର ହୋଇ ପାରିବ ନାହିଁ ଏପରି ଭାବୁଛନ୍ତି I ସମସ୍ତଙ୍କ ଦୃଷ୍ଟି ସହର ଆଡକୁ I ଏଥିପାଇଁ ଗାନ୍ଧିଜୀ କହିଥିଲେ - " ଯଦି ତମେ ଡାକ୍ତର ହୋଇଥାଅ ତେବେ ତୁମ ର ଦକ୍ଷତାର ପୂର୍ଣ୍ଣ ବିନିଯୋଗ ପାଇଁ ଦେଶରେ ଯଥେଷ୍ଟ ବ୍ୟାଧି ରହିଛି I ଓକିଲଙ୍କ ପାଇଁ ମଧ୍ୟ ଯଥେଷ୍ଟ ମକଦ୍ଦମା ରହିଛି I ଏହି ମନୋମାଳିନ୍ୟ ଓ ତିକ୍ତତାକୁ ନ ବଢ଼ାଇ ମୀମାଂସା କରିଦିଅ I ଇଞ୍ଜିନିଅର ହୋଇଥିଲେ ଲୋକଙ୍କ ଚାହିଦା ଅନୁସାରେ ମଡେଲ ଘର ତିଆରି କର I ତୁମେ ଯାହା ସବୁ ଶିଖିଛ ତଦ୍ୱାରା ଏସବୁ କରିହେବ I" ସମାଜ ଗଠନରେ ଛାତ୍ରର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରୋକ୍ତ ଏହି କଥାରୁ ସ୍ପଷ୍ଟ ହୋଇ ଯାଉଛି I
ଅଧୁନା ଦେଖାଯାଉଛି ଆମ ସମାଜର କେତେକ ବେକାର ଯୁବକ ନିଜର ଶିକ୍ଷାର ସଦୁପଯୋଗ କରିବା ପରିବର୍ତ୍ତେ ଦୁରୁପଯୋଗ କରୁଛନ୍ତି I ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର କର୍ମ ସଂସ୍ଥାନ କରି ନ ପାରି ଶିଳ୍ପପତି ଗୋଷ୍ଠୀ ଉପରେ ଏବଂ ସମାଜର କର୍ଣ୍ଣଧାରଙ୍କ ଉପରେ ବୀତସ୍ପୃହ ହୋଇ ଅନେକ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି . ଏଠାରେ ଉଦାହରଣ ସ୍ୱରୂପ ରବି ସିଂଙ୍କ ଗୋଟିଏ କବିତା ଦେବି -
"ଦୁଃସାହସିକ ପଦକ୍ଷେପ ମୁଁ , ନେଇଛିରେ ଆଜି ନେଇଛି ,
ମନ ତଳେ ମୋର ଅତୀତ ଦିନର ବିଦ୍ରୋହ ଖାଲି, ବିପ୍ଳବ ଖାଲି ଚେଇଁଚି,
ମୁଁତ ମରିନାହିଁ, ମରି ପାରେ ନାହିଁ, ମୋର ଜୀବନ ନାଟିକା ସରି ନାହିଁ ସରି ପାରେ ନାହିଁ,
ମୁଁତ ଉଦ୍ଧତ ଖାଲି କ୍ରୁଦ୍ଧ , ମୁଁତ ବୁଦ୍ଧ ନୁହଁରେ ଯୁଦ୍ଧ,
ମୁଁତ ଶାନ୍ତି ନୁହଁରେ କ୍ରାନ୍ତି, ମୋର ମନେ ନାହିଁ ତିଳେ ଭ୍ରାନ୍ତି "
ଏ ଧରଣର ନକ୍ସଲ ବାଦୀୟ କବିତାଦି ରଚନା କରିବା, ଧ୍ବଂସାତ୍ମକ କାର୍ଯ୍ୟ କରି ଯେଉଁ ଯୁବକ ମାନେ ନିଜର ଶିକ୍ଷା ର ଅବମାନନା କରୁଛନ୍ତି ସେମାନେ ବୁଝିବା ଉଚିତ ଯେ ଧ୍ବଂସ ଇତ୍ୟାଦି କରିବା ଦ୍ୱାରା ସମାଜ ଗଠିତ ହୋଇ ପାରେ ନାହିଁ I ସମାଜରେ କେବେହେଲେ ସମସ୍ତେ ସମାନ ହୋଇ ପାରିବେ ନାହିଁ I ଭଗବାନ ଯେତେବେଳେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ପୃଥକ କରି ଗଢିଛନ୍ତି ସେତେବେଳେ ମନୁଷ୍ୟ ପ୍ରକୃତି ବିରୁଦ୍ଧରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରିବ ନାହିଁ I ଯେଉଁ ମାନେ କମ୍ୟୁନିଜ୍ମର 'କ' ଅକ୍ଷର ବୁଝି ନ ପାରିଛନ୍ତି ଓ ପାଟି କରୁଛନ୍ତି ସେମାନେ ନିଜେ ଟିକିଏ ଶାନ୍ତ ଚିତ୍ତରେ ବୁଝନ୍ତୁ ସେମାନେ କ’ଣ? ସମସ୍ତେ ଚାହାନ୍ତି ନିଜେ ସୁଖ ସ୍ଵାଚ୍ଛନ୍ଦ୍ୟ ରେ ରହିବ ପାଇଁ I ଯେତେବେଳେ ମନୁଷ୍ୟ ନିଜେ ନିଜ ଭିତରେ ପୁଞ୍ଜିବାଦ ଧରିଛି ସେତେବେଳେ ତାରି ମୁହଁରେ କମ୍ୟୁନିଷ୍ଟ ହେବା ଏତେ ସହଜ ନୁହେଁ I ଏ କଥା କେବଳ ଏଥିପାଇଁ କୁହାଗଲା ଯେ ଆଜିର ଶିକ୍ଷିତ ବେକାର ଛାତ୍ର ମାନେ ଆତଙ୍କବାଦୀରେ ପରିଣତ ହୋଇ ନିଜ ଶିକ୍ଷା ର ଅବମାନନା କରୁଛନ୍ତି I ସମାଜ ଗଠନରେ ସେମାନଙ୍କର ଯେଉଁ ମହାନ ଭୂମିକା ଅଛି ତାକୁ ଭୁଲି ଯାଉଛନ୍ତି I
ଆମ ଭାଷାରେ ନୂତନ ଟେକ୍ନୋଲୋଜି ଉପରେ ଯଥେଷ୍ଟ ପୁସ୍ତକ ଏ ପର୍ଯ୍ୟନ୍ତ ଲେଖା ଯାଇ ପାରି ନାହିଁ I ଶିକ୍ଷିତ ବେକାର ଯୁବଛାତ୍ର ମାନେ ଉପଯୁକ୍ତ ପୁସ୍ତକ ଅନୁବାଦ କରି ପାରନ୍ତେ I ଆମ ସମାଜରୁ ବିଭିନ୍ନ ସଂକୀଣ୍ଣତା ଦୂର କରି ପାରନ୍ତେ I
ଏହି ରୂପେ ସମାଜ ଗଠନରେ ଛାତ୍ରର ଭୂମିକ ଅନେକ I ପ୍ରତ୍ୟେକ ଛାତ୍ର ଇଚ୍ଛାକାଲେ ସମାଜର ଗତି ବଦଳାଇଦେଇ ପାରିବେ I ସମାଜକୁ ଉନ୍ନତ ରୁ ଉନ୍ନତ ତର କରି ପାରିବେ ଏବଂ ଏହା କରିବା ପ୍ରତ୍ୟେକ ଛାତ୍ରର ପୁଣ୍ୟ କର୍ତ୍ତବ୍ୟ ହେଉ ଏହାହିଁ ଆଜିର ଦିବସରେ କାମନା I
ଭି.ଆଇ.ଏମ. – ୨୬୮,
ଶୈଳଶ୍ରୀ ବିହାର, ଭୁବନେଶ୍ୱର – ୭୫୧୦୨୧,
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨
Go Back to Previous Page
ଷାଠିଏ ମହଣ ଘିଅ ବନାମ ରାଧାର ନାଚ
ଡମ୍ବରୁଧର ପଟ୍ଟନାୟକ
Read Article
ଦୀପକ ମିଶ୍ରଙ୍କ କବିତା: ଏକ ଅନ୍ତରଙ୍ଗ ଅନୁଭବର ନକ୍ସା
ଅଧ୍ୟାପିକା ରଞ୍ଜିତା ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ