ପୁରୀ ଶବ୍ଦ ପୁରରୁ ଆସିଛି। କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସରୁ ଜଣାଯାଏ। ବାରବେନି ପୁରସାର ମଦନପୁଂସ। ବାର-୧୨, ବେନି ୨ = ୧୪ ପୁର -ଭୁବନ, ସାର- ଶ୍ରେଷ୍ଠ, ମଦନ -କାମଦେବ, ପୁଂସ-ପୁରୁଷ। ୧୪ ଭୁବନର ଶ୍ରେଷ୍ଠ ପୁରୁଷ। ସେତେବେଳେ ବାସସ୍ଥାନ ପାଇଁ ଦୁଇଟି ଶବ୍ଦ ବ୍ୟବହାର ହେଉଥିଲା। ଦୁଇପ୍ରକାରର ବାସସ୍ଥାନ ଥିଲା। ପୁରପଲ୍ଲୀ ବର୍ତମାନର ପୁର ପୌର (ପରିଷଦ) ପଲ୍ଲୀରୁ ପଟି ପାଟକ ପାଟଣା, ଗ୍ରାମ ହେଉଛି ସଂସ୍କୃତ ଶବ୍ଦ । ଗ୍ରାମରୁ ଗାଁ ପ୍ରାକୃତ ଶବ୍ଦ ହୋଇଛି । ମୁସଲମାନ୍ ସମୟରେ ଗ୍ରାମରୁ ମୌଜା ହୋଇଗଲା । ସଂସ୍କୃତରେ ମଧ୍ୟ ଜନପଦ ଶବ୍ଦ ଥିବାର ଜଣାଯାଏ । ଯେଉଁଠାରେ ଜନମାନବ ବସତି ସ୍ଥାପନ କରନ୍ତି ତାକୁ ଜନପଦ କହନ୍ତି। ଏହି ଜନରୁ ରାଜନ ଓ ଜନପଦ ହେଲା। According to Tejrat Sharma - Pura is a word of frequent occurrence in the Rugveda x x x Pura, the oldest Sanskrit word denoting city ଏଥିରୁ ଅନୁମାନ ହେଉଛି ପୁରୀ ଏକ ପୌର ବା ସାଇ ସମୂହ ବା କେତେଗୁଡ଼ିଏ ଗ୍ରାମ ଏକତ୍ରିତ ଥିଲା । ଯେଉଁଠାରେ ଅନେକ ଲୋକ ଏକତ୍ରିତ ବାସ କରୁଥିଲେ ତାକୁ ଗ୍ରାମ ନକହି ପୌର କହୁଥିଲେ । ପୁର ଅର୍ଥ ପୁଞ୍ଜ । ଯଥା ଯେଉଁଠାରେ ରାଜାମାନେ ସେମାନଙ୍କର ଉଆସ ନିର୍ମାଣ କରୁଥିଲେ ସେଠାରେ ଅନେକ ଲୋକମାନଙ୍କର ଆବଶ୍ୟକ ରହୁଥିଲା ସେଠାରେ ଅନେକ ଜାତିର ଲୋକେ ବସବାସ କରୁଥିଲେ । ତାକୁ ପୌର କହୁଥିଲେ । ଆଉ ମଧ୍ୟ ଯେଉଁଠାରେ କଳକାରଖାନା ପୋତାଶ୍ରୟ ବସୁଥିଲା ସେଠାରେ ଅନେକ ଲୋକ ରହିବାରୁ ତକୁ ଏକ ପୌର ଗ୍ରାମ କୁହାଯାଉଥିଲା । ତେଣୁ ପୁରୀ ବହୁପୁରାତନ କାଳରୁ ଏକ ପୌର ଗ୍ରାମ ଥିଲା । ଏହାର କାରଣ ଏଠାରେ ଏକ ପୋତାଶ୍ରୟ ଥିଲା । ଏଇଟା ନୌକା ବା ବୋଇତରେ ଯିବା ଆସିବାର ଏକ ଘାଟି ବା ଜାଗାଥିଲା । ମହାନଦୀର ମୁହାଣ ଏହିଠାରେ ଥିଲା । ଏହି ପୁରୀ ଉଭୟ ସ୍ଥଳପଥ ଓ ଜଳପଥ ଦ୍ୱାରା ସଂଯୁକ୍ତ ଥିଲା । ଏହି ବାଟ ମହାନଦୀ ଦ୍ୱାରା ସଂଯୁକ୍ତ ଥିଲା ଆଉମଧ୍ୟ ଜଳପଥ, ସମୁଦ୍ର ସହିତ ସଂଯୁକ୍ତ ଥିଲା । ଏହିଠାରୁ ଦକ୍ଷିଣକୁ ତଥା ଦ୍ୱୀପାନ୍ତର ରାଇଜକୁ ସଂଯୋଗ ଥିଲା ତେଣୁ ପୁରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଥିଲା । ପାଖରେ ସମତଳ ଅଂଚଳ ଥିଲା । ଏଠାରେ ଭଲ ଚାଷ ହେଉଥିଲା । ଭାରତର ଚାରିଧାମ ବଦ୍ରିନାଥ ଦ୍ୱାରିକା ରାମେଶ୍ୱର ପୁରୀ ଚାରି ଦିଗରେ ଚାରୋଟି ଧାମ ଥିଲା ସ୍ୱୟଁ ଭଗବାନ ବିଷ୍ଣୁ ବଦ୍ରିକାରେ ସ୍ନାନ କରୁଥିଲେ ପୁରୀରେ ଭୋଜନ କରୁଥିଲେ ଦ୍ୱାରିକାରେ ବିଚରଣ କରୁଥିଲେ ଓ ରାମେଶ୍ୱରରେ ଶୟନ କରୁଥିଲେ । ତେଣୁ ପୁରୀ ଭୋଜନପାଇଁ ଉପଯୁକ୍ତ ସ୍ଥାନ ଥିଲା । ଏଠରେ ପରା ଅବଢ଼ା ଆଚାଣ୍ଡାଳ ବ୍ରାହ୍ମଣ ଏକତ୍ର ଭୋଜନ କରନ୍ତି ହାଡ଼ିପାଣ କିଛି ଭେଦଭାବ ନାହିଁ । ଏହି ସୂତ୍ରରେ ପୁରୀର ମାନ୍ୟତା ବଢ଼ି ଯାଇଛି ।
ଏହିଠାରେ ପୁରୀର ଭୌଗୋାଳିକ ଅବସ୍ଥିତି ନ ଜଣାଇଲେ ଠିକ୍ ହେବ ନାହିଁ । ପୁରୀ ଜଗନ୍ନାଥଙ୍କ ପୀଠ ଏକ ଉଚ୍ଚ ସ୍ଥାନ । ଏହି ଉଚ୍ଚଜାଗାରୁ ପାଣି ମୁଖ୍ୟତଃ ପୂର୍ବ ଦିଗକୁ ବହିଯାଏ । ପୁରୀର ପଶ୍ଚିମରେ ଦୁଇଟି ହ୍ରଦ ସର ଓ ସମାଗରା ଓ ଦକ୍ଷିଣରେ ଚିଲିକା ଅବସ୍ଥିତ । ଭାର୍ଗବୀ ନଦୀରୁ ଏକ ଧାର ମୂଷା ନଈ ନାମ ଧାରଣ କରି ପରେ ଶରଧା ନଈ ନାମ ଧାରଣ କରି ବାଙ୍କୀମୁହାଣରେ ପଡ଼ିଥିଲା । ବର୍ତମାନ ଶରଧା ନଦୀ ନାହିଁ । ମୂଷା ନଈର ଏକ ଧାର ମଙ୍ଗଳା ନାମ ଧାରଣ କରି ସମୁଦ୍ରରେ ଓ ଚିଲିକାରେ ପଡ଼ିଛି । ପୁରୀର ମୁଖ୍ୟ ଜଳସ୍ରୋତ ହେଲା ମୂଷା ନଈ ଓ ବାଙ୍କୀ ମୁହାଣ । ବାଙ୍କୀମୁହାଣରୁ ଜଗନ୍ନାଥଙ୍କ ଦାରୁ ସଂଗ୍ରହ କରାଯାଇଥିଲା । ତେଣୁ ଏହା ମହାନଦୀର ମୁହାଣ ଥିଲା । ସମୁଦ୍ର ବାଙ୍କୀମୁହାଣ ଜଳପଥର ଉପଯୁକ୍ତ ମାଧ୍ୟମ ଥିଲା ।
ଏହି ପୁରୀ ବିଭିନ୍ନ ସମୟରେ ବିଭିନ୍ନ ନାମ ଧାରଣ କରିଛି । ଜଗନ୍ନାଥଙ୍କ ପ୍ରାଚୀନତ୍ୱ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇପାରିନାହିଁ । ଋଗ୍ବେଦର “ ଅଦଃ ଯଦ୍ଧରୁ ପ୍ଲବତେ ସିନେ୍ଧାଃ ପାରେ ଅପୁରୁଷମ୍/ ତତାରଭସ୍ୱ ଦୁର୍ଦଣୋ ତେନ ଗଚ୍ଛ ପରାଃ ତରମ୍” ଯେଉଁ ସୂକ୍ତଟି ଅଛି ତାହା ସାୟାଣାଚାର୍ଯ୍ୟଙ୍କର ମତରେ ଦାରୁଦେବତାଙ୍କ ପ୍ରତି ଉଦ୍ଧିଷ୍ଟ । ଋଗ୍ବେଦରେ ଓଡ଼ିଶା ନାମ ନଥିବାରୁ ପୁରୀ ବା ଜଗନ୍ନାଥ କ୍ଷେତ୍ର ନଥିବାର ଅନୁମାନ କରାଯାଏ । ଯେଉଁଟା ରାଜା ମହାରାଜାମାନେ ବା ଜନସାଧାରଣ ମୁଖରେ ଉଚ୍ଚାରଣ ହେଉଥିଲା ସେହିନାମରେ ବିଦିତ ହେଉଥିଲା । ମହାଭାରତରୁ ଜଣାଯାଏ ଏହାର ନାମ ଅନ୍ତର୍ବେଦୀ । ମହାଭାରତ ବନପର୍ବରେ ଲେଖା ଅଛି - ଅନ୍ତର୍ବେଦୀମିତିଖ୍ୟାତମ୍ ।
ଖ୍ରୀଷ୍ଟିୟ ୧ମ ଶତାବ୍ଦୀରେ ରାଜା ଇନ୍ଦ୍ରଦ୍ୱୁମ୍ନ ଏଠାକୁ ଆସିଥିଲେ ବାଙ୍କୀମୁହାଣରୁ ଦାରୁ ଉଦ୍ଧାର କରି ବିଗ୍ରହ ନିର୍ମାଣ କଲେ । ନୀଳକନ୍ଦରରେ ମନ୍ଦିର ନିର୍ମାଣ କଲେ । ବିଗ୍ରହ ପ୍ରତିଷ୍ଠା କଲେ । ଖାରବେଳଙ୍କ ପରେ ପରେ ଇନ୍ଦ୍ରଦ୍ୱୁମ୍ନ ଉଡ୍ରପୀଠକୁ ଆସିଥିଲେ ।
ବିଷ୍ଣୁଧର୍ମ ନାମକ ଏକ ଅପ୍ରକାଶିତ ସଂସ୍କୃତ ଗ୍ରନ୍ଥ (ଖ୍ରୀ.ଅ ୨୦୦-୩୦୦) “ଓଡ୍ରେତୁ ପୁରୁଷୋତମମ୍”ର ଉଲ୍ଲେଖ କରିଛନ୍ତି । ଏଥିରୁ ଜଣାଯାଏ ଯେ ତୃତୀୟ ଶତାବ୍ଦୀ ବେଳକୁ ଶ୍ରୀ ଜଗନ୍ନାଥ ବୈଷ୍ଣବ ଦେବତାରୂପେ ପୂଜିତ ଓ ଉପାସିତ ହେଉଥିଲେ । ଖାରବେଳଙ୍କ ଶିଳାଲିପିରେ “ପୁତି” ଶବ୍ଦ “ପୁରୀ” ହୋଇପାରେ ବୋଲି ଡି.ଏନ୍. ବଡୁଆ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହାକୁ ଅନ୍ୟ ପଣ୍ଡିତମାନେ ଗ୍ରହଣ କରୁନାହାଁନ୍ତି ।
ସ୍କନ୍ଦପୁରାଣ ଅନୁସାରେ ଏହାକୁ ଶଙ୍ଖକ୍ଷେତ୍ର କହୁଥିଲେ । ଏହାର ଅବସ୍ଥିତି ଦେଖିବାକୁ ଶଙ୍ଖପରି । ତେଣୁ ଏହାକୁ ଶଙ୍ଖ କ୍ଷେତ୍ର କହୁଥିଲେ । ଦେବୀଭାଗବତ, କାଳୀକାପୁରାଣ ନୀଳତନ୍ତ୍ର ପୁରାଣ ଅନୁସାରେ ଏଠାରେ ସତୀଙ୍କ ପାଦ ପଡିଥିବାରୁ ଏହାକୁ ପାଦପୀଠ ବା ଉଡୀୟାନ ପୀଠ କହୁଥିଲେ। ସ୍କନ୍ଦପୁରାଣ, ବାମଦେବ ସଂହିତା କପିଳ ସଂହିତା ଅନୁସାରେ ଏଠାରେ ଏକ ନୀଳପର୍ବତ ଥିବାରୁ ଏହାକୁ ନୀଳପର୍ବତ ବା ନୀଳାଚଳ କ୍ଷେତ୍ର ଯେଉଁଠାରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରାଯାଇଥିଲା।
୨ୟ ଶତାବ୍ଦୀରେ ଟଲେମୀ ଭାରତକୁ ଆସିଲେ। ସେ ଗ୍ରୀକ୍ ବୀର ଆଲେକ୍ଜାଣ୍ଡାରଙ୍କ ସେନାପତି ଥିଲେ। ତାଙ୍କ ଭ୍ରମଣବୃତାନ୍ତରେ ପୁରୀକୁ ନନୀଗେନ୍ ବୋଲି ଲେଖିଛନ୍ତି । ବୋଧହୁଏ ନୀଳାଚଳକୁ ନନିଗେନ୍ ବୋଲି ଲେଖିଥାଇପାରନ୍ତି । ପୁରରୁ ଏହା ପୁରୁଷୋତମ କ୍ଷେତ୍ର ବା ପୁରସ୍ତମ ହୋଇଛି। ବିଷ୍ଣୁଙ୍କର କ୍ଷେତ୍ର ଲାଗି ଏହା ଶ୍ରୀକ୍ଷେତ୍ର ହୋଇଛି ।
ଏଠାରେ ବାଲିର ପାହାଡ଼ ବା ଗଦା ଥିଲା । ଏହି ଉଚ୍ଚ ଜାଗାକୁ ନୀଳ କନ୍ଦର କହୁଥିଲେ । ଏହାକୁ ଉଡ଼ିଆନ ପୀଠ କହିବାର ଅର୍ଥ ହେଲା । ବୌଦ୍ଧଧର୍ମ ପ୍ରାବଲ୍ୟ କାଳରେ ଏହାକୁ ଉଡ୍ରପୀଠ କହୁଥିଲେ । ସୋନପୁର ସହିତ ପୁରୀର ସଂଯୋଗ ଥିଲା । ଏଇଟା ଥିଲା ସେତେବେଳର ରାଜମାର୍ଗ । ବୁଦ୍ଧଙ୍କ ମୃତ୍ୟୁପରେ କଳିଙ୍ଗର ରାଜା ଗୁହଶିବ ବୁଦ୍ଧଙ୍କର ଏକ ଦାନ୍ତ ଆଣି ଏଠାରେ ଏକ ବିଶାଳ ସ୍ତୂପ ନିର୍ମଣ କରିଥିଲେ । ଗୁହଶିବଙ୍କର କୌଣସି ପୁଅ ନଥିଲେ ତାଙ୍କର ହେମମାଳା ବୋଲି ଝିଅ ଥିଲା । ଏହି ଝିଅ ସହିତ ଉଜ୍ଜୟିନୀର ରାଜକୁମାର ଦନ୍ତକୁମାର ହେମମାଳାକୁ ବିବାହ କରି ଏଠାରେ ରାଜା ହେଲ । ରାଜ୍ୟ ଶାସନ କଲେ । ସେ ଏଠାରେ ଏକ ବୌଦ୍ଧ ସ୍ତୂପ ନିର୍ମାଣ କରିଥିଲେ । ଏହାକୁ ଦନ୍ତପୁରା କହୁଥିଲେ । ଏହା ୩ୟ ଶତାବ୍ଦୀର କଥା । ସେତେବେଳେ କଳିଙ୍ଗ ମଗଧର ମୁରୁଣ୍ଡ ରାଜା ଅଧୀନରେ ଥିଲା । ପୁରାଣ ଯୁୁଗରେ ଏହାକୁ ଶଙ୍ଖକ୍ଷେତ୍ର କହୁଥିଲେ ।
୮ମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଏଠାକୁ ଆସିଥିଲେ । ସେ ନାମକରଣ କଲେ ଗୋବର୍ଦ୍ଧନ ପୀଠ । କିନ୍ତୁ ଏହା ଗୋବର୍ଦ୍ଧନ ଜାଗା ନାମ ନ ରହି ପୀଠ ହିସାବରେ ‘ଗୋବର୍ଦ୍ଧନ ପୀଠ’ରହିଗଲା ।
ତୃତୀୟ ଶୁଭକର ଦେବଙ୍କର ଶାସନ କାଳ (୮୩୯-୮୪୩ ଖ୍ରୀ.) । ତାଙ୍କ ହିନେ୍ଦାଳ ତାମ୍ର ଶାସନରେ ପୁରୁଷୋତମ ଶବ୍ଦର ଉଲ୍ଲେଖ ଅଛି । ନେଟଭଞ୍ଜ ୨ୟଙ୍କ (୯୩୩ ଖ୍ରୀ.) ତାମ୍ର ଶାସନରେ ଶ୍ରୀପୁରୁଷୋତମ ବୋଲି ଲେଖା ଅଛି । କିନ୍ତୁ ୯ମ ଶତାବ୍ଦୀ କିମ୍ବା ୧୦ମ ଶତାବ୍ଦୀର ଆରମ୍ଭରେ ଲିଖିତ ଅନର୍ଘ ରାଘବରେ ପୁରୁଷୋତମ କ୍ଷେତ୍ରବୋଲି ଲେଖା ଅଛି ।
୧୧ଶ ଶତାବ୍ଦୀରେ ଚାଲୁକ୍ୟ ରାଜା ରାଜରାଜ ପ୍ରଥମଙ୍କ “କୋରୁମେଲ୍ଲି” ଓ “କାଳିବିନ୍ଦି” ତମ୍ବାପଟା ସନନ୍ଦରେ ଶ୍ରୀଧାମ ପୁରୁଷୋତମ ଲେଖାଅଛି । ପରମାର ରାଜାଙ୍କ ନାଗପୁର ଶିଲାଲେଖରେ ସାଗର ତୀରରେ ପୁରୁଷୋତମଙ୍ଗ ମନ୍ଦିର ଅଛିବୋଲି ଲେଖାଅଛି । ଅନଙ୍ଗଭୀମ ଦେବଙ୍କ ଦାସଗୋବା ତମ୍ବାପଟାରେ ପୁରୁଷୋତମ ବୋଲି ଲେଖା ଅଛି ।
ଏହି ପୁରୁଷୋତମ କ୍ଷେତ୍ର ୧୮୦୦ ଖ୍ରୀ. ପର୍ଯ୍ୟନ୍ତ ଚାଲି ଆସିଛି । ଇଂରେଜମାନେ ଆସିଲାପରେ ଏହାର ନାମକରଣ ହେଲା ପୁରୀ (Poori) ବର୍ତମାନ ସୁଦ୍ଧା ଏହା ପୁରୀ (Puri) ଭାବରେ ପରିଚିତ ହୋଇଆସୁଛି ।
ଏଲ୍-୨୪୨/ଫେଜ୍-୧, ଡୁମୁଡୁମା ହା.ବୋ.କଲୋନୀ
ଭୁବନେଶ୍ୱର-୭୫୧ ୦୧୯
(ମୋ-୯୭୭୭୧ ୪୩୪୮୫)
Go Back to Previous Page
ଶ୍ରୀ ଶ୍ରୀ ଭୂଷଣ୍ଡେଶ୍ବର : ଏକ ଐତିହାସିକ ଅନ୍ବେଷଣ
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ଉଦ୍ଧବ ଗୀତା
ସୁଶାନ୍ତ ପୁରୋହିତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ